Satyabati Swain

Others

3  

Satyabati Swain

Others

ଜନ୍ମ ଦିନ

ଜନ୍ମ ଦିନ

6 mins
12.4K



ଘର ଦେଉଳ ଏବେ ବଡ଼ ଦେଉଳ ପରି ଘୋ ଘୋ ହେଉଛି।ବିଷ୍ଣୁ ଗୋସେଇଁଙ୍କ ଗୋଡ଼ ତଳେ ଲାଗୁ ନାହିଁ।ସୁଧାମୟୀ ଦେବୀଙ୍କ କଥା କହିଲେ ନ ସରେ।ତିନି ପୁଅବୋହୁ ଓ ସେମାନଙ୍କର ଚାରି ପିଲାଙ୍କ କିଚିରି ମିଚିରି ଶବ୍ଦରେ ଫାଟି ପଡୁଛି ମିଶ୍ର ଗୋସେଇଁଙ୍କ ଘର।ଏମିତି ହୋ ହୋ ଘୋ ଘୋ ଜୀବନକୁ ଖୁବ୍ ଝୁରୁଥିଲେ ସୁଧା।ବିଷ୍ଣୁ ଗୋସେଇଁ ,ସେ ଓ ଘର,ଜମିବାଡ଼ି ହାନି ଲାଭ ବୁଝିବାକୁ ଥିବା ମାଧ ସହ ତା ସ୍ତ୍ରୀ ସେବକୁ ନେଇ ବଞ୍ଚୁଥିଲେ।କାଳିଆ ସୁଧା ଦେବୀଙ୍କ ମରିବା ପୂର୍ବରୁ ମନ କଥା ଜାଣି ଏକା ଥରେ ଏକାଠି ତିନି ପୁଅବୋହୁ ଓ ନାତି ନାତୁଣୀରେ ମିଶ୍ର ଗୋସେଇଁଙ୍କ ଘରକୁ ଶ୍ରୀକ୍ଷେତ୍ର କରି ଦେଇଛନ୍ତି।ମିଶ୍ର ଗୋସେଇଁ ତିନି ପୁଅଙ୍କୁ ଡାକି ଥିଲେ ସମ୍ପତ୍ତିବାଡି ତିନି ଭାଗ କରିବା ପାଇଁ।ଏକାଅଶୀ ଛୁଇଁଲାଣି।ପାଚିଲା ପତର;କେତେବେଳେ ଝଡି ପଡିବେ କିଏ କହିବ?


ବଡ଼ ପୁଅ ଦେବୁ,ସିଙ୍ଗାପୁରରେ,ମଝିଆ ବିଭୁ ବାଙ୍ଗାଲୋ

ରରେ ଓ ସାନପୁଅ ପ୍ରଭୁ ହାଇଦ୍ରାବାଦରେ ଚାକିରି କରନ୍ତି।ବଡ଼ ଦୁଇ ପୁଅଙ୍କ ଗୋଟିଏ ଗୋଟିଏ ପୁଅ।ସାନ ପ୍ରଭୁର ପୁଅଟିଏ ଓ ଝିଅଟିଏ।ଝିଅ ରଙ୍କୁଣା ଏ ମିଶ୍ର ବଂଶ।ତିନି ପୁରୁଷ ଧରି ଝିଅ ନଥିଲେ।ପ୍ରଭୁଟି କପାଳିଆ;ତାରି ବକଟେ ଝିଅ ହୋଇଛି।ସେ ଛୁଆ ଗୁଡାଙ୍କ ନାଁ ମୋ ପାଟିରେ ପଶେନି।ବଡ଼ ପୁଅର ପୁଅ ନାଁ ସିଡ୍ ମୁଁ ଡାକେ ସିଧୁ।ମଝିଆ ପୁଅର ପୁଅ ନାଁ ଆଡି ମୁଁ ଡାକେ ଆଦି।ସାନ ପୁଅର ପୁଅ ନାଁ ଦିଲ୍ଖୁସ୍ ମୁଁ ଡାକେ ଦିଲ୍ଲୀ।ସବୁଠୁ ଗେହ୍ଲଇ ନାତୁଣୀ ନାଁ ରୂପମ୍ ,ମୁଁ ଡାକେ ରୂପା।ସିଧୁ,ଆଦି,ଦିଲ୍ଲୀ ଓ ରୂପା ଗହଣରେ ମୋ ଦିନ କେମିତି ସରି ଯାଉଛି ମୁଁ ଜାଣି ପାରୁ ନାହିଁ।ପିଲା ଗୁଡିକ ଗୋଡାଉଛି ଜେଜେମା ଜେଜେମା କହି ମୋ ପଛେ ପଛେ।ମୋତେ ଲାଗୁଛି ପାନ ଖାଇଲା ବେଳେ ଯେମିତି ମୋ ଆଖି ଲାଗି ଯାଏ,ଆଉ ଘୁମାଉଁ ଘୁମାଉଁ

କେତେବେଳେ ଚଟ୍ କି ଉପରବେଳା ହୋଇଯାଏ,

ସେମିତି ଲାଗୁଛି ଆଜିକାଲି ଦିନରାତି ମୋତେ।ଆଉ ବିଷ୍ଣୁ ଗୋସେଇଁ ଙ୍କୁ ସିନା ଏଇ ମାର୍ଚ୍ଚ ପନ୍ଦରକୁ ଏକାଅଶୀ ପଶିଲା,ଆଗରୁ କୁନ୍ଥଉ ଥିଲେ ମୋ ଦେହ କହି।ଏବେ ପିଲାମାନଙ୍କୁ ଦେଖି ମାଧକୁ ନେଇ ଘର ଚାରି ପାଖ ହାଟ କରି ପରିବା ଗଦେଇ ଦେଉଛନ୍ତି। ବାର ଦେଖି ନିତି ଖମାର ପୋଖରୀରେ ଜାଲ ପକାଉଛି ପ୍ରଭୁ।ପ୍ରଭୁଟା ଆଇଁଷ ଡାହାଣଟା।କେଉଁ କାଳର ମାଛ ଛଡା ହୋଇଛନ୍ତି ସେ ପୋଖରୀରେ ।ବିଷ୍ଣୁ ଗୋସେଇଁ ଜମା ଧରେଇ ଦିଅନ୍ତି ନାହିଁ।କାଳେ ପିଲାଏ ଆସିବେ, ଖାଇବେ, ଏଇ ଲୋଭରେ।'ସେବ' ବି ଭାରି କାମିକା ଛଅ ତିଅଣ ନଅ ଭଜା କରି ଥୋଇଦେଉଛି।


ନାତି ନାତୁଣୀ ଏଡ଼େ ଏଡ଼େ ମାଛ,ଦି ଏକର ଉପରେ ଠିଆ ଆମ୍ବ ତୋଟାର ସୁନ୍ଦରୀ,ବାଇଗଣ ପଳେଇ ନିଲମ୍ ସହ ହଜାର କିସମର ଆମ୍ବ ଦେଖି ଓ ଖାଇ ମହାଖୁସ୍।ଆଖି ନ ପାଉଥିବା ନଡିଆ ବାଡିର ପଇଡ଼ ପାଣି,ତାଳ ବଣର କଅଁଳିଆ ତାଳ ସଜ,ସପୁରୀ ବାଡ଼ି,ପଣସ ବାଗ୍ ଦେଖି ଖାଇବେ କଣ; ଦେଖିକି ଏତେ ଖୁସି ହୋଇ ଯାଉଛନ୍ତି ଯେ ଆଖି ମୋର ବାମ୍ଫେଇ ଯାଉଛି ।ଆହା ଥିଲା ଥୋଇଲା ଘରର ପିଲା,କିଣି ଖାଉଛନ୍ତି।ଏତେ ପରିମାଣ ଜୀବନରେ ଦେଖି ନାହାନ୍ତି ଯେଣୁ ଆନନ୍ଦରେ ଉଛୁଳି ପଡୁ ଛନ୍ତି।ବୋହୁମାନେ ଅଳ୍ପ ଅଳ୍ପ ଖାଉଥିଲେ ଶରୀରକୁ ଜଗି।ସେମାନେ ବି ନିର୍ଭେଜାଲ ଜିନିଷ ପାଇ ଖାଇବା ବଢ଼େଇଲେଣି।


ଏ କ ରୋ ନା ନ ଆସୁ କି, ଲକ୍ ଡାଉନ୍ ନ ହେଉ କି, ଅଟକି ନଯାଆନ୍ତୁ ପିଲାଏ।ନନାଙ୍କ ଡାକରା ପାଇ ସମସ୍ତେ ମାର୍ଚ୍ଚ ପନ୍ଦରରେ ପହଞ୍ଚିଥିଲେ;ନନା ଜନ୍ମ ଦିନ ପାଳିବେ ଓ ସମ୍ପତ୍ତି ବାଡି ଫଇସିଲା କରି ଫେରିବେ।


କିନ୍ତୁ ଲକ୍ ଡାଉନ୍ ହେତୁ ଯାଇ ନ ପାରି ସମସ୍ତେ ଅଟକି ଯାଇଛନ୍ତି। ଘରଟା ମୋର ଶ୍ରୀମନ୍ଦିର ଶ୍ରୀମନ୍ଦିର ଲାଗୁଛି ପାଖାପାଖି ତିନି ମାସ ହେବ।


ଆଜି ସେବ ଓ ମାଧ ଘର ଦ୍ୱାର ପୋଛା ପୋଛି କରି ବିଭିନ୍ନ ଫୁଲ,ବେଲୁନ ,ଦେବ ଦାରୁ ପତ୍ରରେ ଘର ଓ ଠାକୁର ସଜାଇଛନ୍ତି ଖୁବ୍ ସୁନ୍ଦର ଭାବେ।ବିଭିନ୍ନ ରଙ୍ଗ ବେରଙ୍ଗର ଲୁଚୁ ବି ଖଞ୍ଜିଛନ୍ତି ପୂର୍ବ ରାତିରୁ ଅନିଦ୍ରା ହୋଇ।ବର୍ଷକରେ ଏଇ ଦିନଟିକୁ ଗାଁ ଲୋକଙ୍କ ସହ ମିଶ୍ର ଗୋସେଇଁ ଧୁମ୍ ଧାମ୍ ସହ ପାଳନ୍ତି।ଆଜି ତ କ ରୋ ନା ପାଇଁ ଭୋଜିଭାତ ହେବନି ଯାହା ଫଳ ମୂଳ ଭୋଗ ଲାଗି ହେବ।କେବଳ ଘର ଲୋକଙ୍କୁ ନେଇ।ମାଧ ଓ ସେବ ତ ଖଳା ବାଡିରେ ରୁହନ୍ତି।ସେ ଦୁଇ ଜଣ ଆମର ନିହାତି ଆପଣାର ଘର ଲୋକ।


ନାତି ନାତୁଣୀ ମାନେ ସାଜ ସଜା ଦେଖି କାବା ହୋଇ ପଚାରୁଛନ୍ତି," ଜେଜେମା ଆଜି ଆମ ଗାଁ ଘରେ ଫଙ୍କସନ୍ କି?"


ମୁଁ ଟିକେ ହସି ଦେଇ କହିଲି ହଁ ତୁମେ କଣ ଜାଣିନ ଆଜି ମୋ ଦେବୁର "ଜନ୍ମ ଦିନ"?ହଇରେ ଦେବୁ ତୁ ତୋ ଜନ୍ମ ଦିନଟି ବି ଭୁଲି ଯାଇଛୁ?କି ନିଶା ଘାରିଛିରେ ତୁମକୁ ପିଲେ;ନିଜ ଜୀବନର ସ୍ୱତନ୍ତ୍ର ଦିନ ବି ପାସୋରି ଦେଉଛ?


ଦେବୁ ମୋ ବେକରେ ଓହଳି ପଡି କହିଲା ତୁ ନଥାଉ ନା ମା କିଏ ପାଳନ୍ତା ମୋ ଜନ୍ମ ଦିନ; ସରୁ ଚକୁଳି,ବରା ଭୁଗୁନି,ଅରୁଆ ଭାତ ଖାଣ୍ଟି ଗୁଆ ଘିଅ ଛୁଙ୍କ ଡାଲ୍ମାରେ?

ବଡ଼ ବୋହୁ ଶୁଭ ଦାନ୍ତ ଦେଖେଇ କହିଲା ହଁ ବା ତୁମ ବୁଢା ପୁଅଙ୍କ ବାର୍ଥଡେ ପାଳନ ହୁଏ;ଦେବସ୍ନାନ ପୂର୍ଣ୍ଣିମା ଦିନ ନୁହେଁ;ସାର୍ଟିଫିକେଟ୍ ଡେଟ୍ ରେ।


 ମୁଁ ଚଟ୍ କିନା କହିଲି ହଇଲୋ ଶୁଭ ମୋ ପୁଅକୁ ବୁଢା କହୁଛୁ?ଆଖିରେ ହସି ହସି ଶୁଭ କହିଲା ପଇଁଚାଳିଶି ବର୍ଷ ହେଲାଣି ଆଉ କଣ ଟୋକା କୁହନ୍ତି କି?


ଖବର ଦାର୍ ମୋ ପୁଅଙ୍କୁ କେହି ବୁଢା କହିବ ନାହିଁ:ହଁ ତୁମ ଶଶୁରଙ୍କୁ ମୁଁ ଦିନେ ବି ବୁଢା କହିନି।ବାପା ବୁଢା ହୋଇ ନାହାନ୍ତି;ପୁଅ ମାନେ କେମିତି ବୁଢା ହେବେ?


ଦେବୁ ମୋତେ ଦି ହାତ ଭିତରେ ଛନ୍ଦି କହିଲା,ଦେଖ ଶୁଭ ୟାରି ନାଁ ମା।


ବୋହୁ ଶୁଭ,ମଧୁ ଓ ନିତ୍ୟା ହୋ ହୋ ହୋଇ ହସି ଉଠିଲେ କଥାଟିକୁ ହାଲ୍ କା କରି।


ସବୁ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଗୋଟିଏ ଡେଟ୍ ରେ ପଡେନି ନା ମା ସଫେଇ ଦେଲା ବଡ଼ ବୋହୁ ଶୁଭ।ମଝିଆ ବୋହୁ ମଧୁ କହିଲା କେକ୍ କାଟି ହୋଟେଲରେ ପାର୍ଟି ଦେଇ ନାନୀ ଭାଇନାଙ୍କ ବାର୍ଥ ଡେ ସେଲି ବ୍ରେଟ୍ କରନ୍ତି ମ ମା।


ଆଉ ଜଣଙ୍କ ଜନ୍ମ ଦିନ ଆଜି ଜାଣିଛ କି ପିଲେ? ତାଙ୍କରି ଜନ୍ମ ଦିନେ ମୋ ବଡ଼ ପୁଅ ଜନ୍ମ ବୋଲି ତାକୁ ବା ଆମେ ଦେବୁ ଡାକୁ।


ଆଉ କାହାର ଜନ୍ମ ଦିନ ମା,ଏକା ସ୍ୱରରେ ସବୁ ପୁଅ ବୋହୁ ଓ ନାତି ନାତୁଣୀ ପଚାରିଲେ।


ମୁଁ କହିଲି ପିଲାଏ!ତୁମେ ପାଶ୍ଚାତ୍ୟ ସଭ୍ୟତା ସୁଅରେ ଭାସିଲ। ଆମ ରାଇଜ ସହ ମିଶ୍ର ଗୋସେଇଁଙ୍କ ପରମ୍ପରା ତୁମେ କେମିତି ଜାଣିବ?ଆଜି ପରା ଆମ କାଳିଆ ଠାକୁର ଜଗନ୍ନାଥଙ୍କ" ଜନ୍ମ ଦିନ?"


ଜଗନ୍ନାଥଙ୍କ "ଜନ୍ମ ଦିନ",ବିସ୍ମୟ ହୋଇ ପଚାରିଲେ ନାତି ନାତୁଣୀ।


ହଁ...ପିଲେ ଆଜି ଜଗନ୍ନାଥଙ୍କ ଜନ୍ମ ଦିନ।ପୁରୀରେ ଦେବ ସ୍ନାନ ଉତ୍ସବ ନାମରେ ନାମିତ।ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ତିନି ଠାକୁର ସହ ସୁଦର୍ଶନ ବଡ଼ ଦେଉଳ ଭିତରୁ ଆସି ସ୍ନାନ ମଣ୍ଡପରେ ବସନ୍ତି।ଏହାକୁ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ର କୁହାଯାଏ।


ଜାଣିଛ!ତୁମେ ଯେମିତି ସାବୁନ ସାମ୍ପୋ ଲଗାଇ ଘଷି ମାଜି ହୋଇ ଗାଧାଅ;ଚତୁର୍ଦ୍ଧାମୂର୍ତ୍ତି ସେମିତି ଶହେ ଆଠ ସୁନା କଳସୀ ପାଣି ଢାଳି ହୋଇ ଗାଧାନ୍ତି।ସେ କଳସୀରେ ଅଷ୍ଟ ଗନ୍ଧ,କୃଷ୍ଣ ଅଗୁରୁ,ଉଶିର,ଗୋର ଚନା,ଦେବଦାରୁ,ମୁଥା,ହରି ତାଳ,ବାହାଡ଼ା,ଆମଳକୀ,

ତାମ୍ରପର୍ଣ୍ଣୀ,ସୋମ ପର୍ଣ୍ଣୀ ଓ ଲୋଧା ମିଶାଯାଏ।ସୁନା କୂଅ ଯିଏ ଅପବ୍ୟବହୃତ ହୋଇ ବର୍ଷ ସାରା ପଡ଼ିଥାଏ;ଯାହାର ସୁରକ୍ଷାରେ ସିଂହ ଥାଏ;ସେଇ କୂଅର ପାଣିରେ ଶ୍ରୀ ଜୀଉଁ ଗାଧାନ୍ତି।


ମା ଯେମିତି କୁଦୃଷ୍ଟିରୁ ରକ୍ଷା କରିବା ପାଇଁ ପିଲାମାନଙ୍କୁ ଜନ୍ମ ଦିନରେ ଅଣତୁଠ ପାଣି ମିଶାଇ ଗାଧୋଇ ଦିଏ;

ମହାପ୍ରଭୁ ସେମିତି ସୁନା କୂଅର ଅଣତୁଠ ପାଣିରେ ଗାଧାନ୍ତି।


ବର୍ଷ ସାରା ମହାପ୍ରଭୁ ସିଂହାସନରେ ମନ୍ତ୍ରସ୍ନାନ କରିଥାନ୍ତି।

ବର୍ଷକେ ଥରେ ଭାଇ ଭଉଣୀ ଓ ସୁଦର୍ଶନଙ୍କ ସହ କାଳିଆ ଠାକୁର ସ୍ନାନ ମଣ୍ଡପରେ ଭଲ ଭାବେ ଗାଧାନ୍ତି।ଜଗନ୍ନାଥ ପଇଁତିରିଶି ଗରା, ବଡ଼ ଭାଇ ବଳଭଦ୍ର ତେତିଶି ଗରା,ଦେବୀ ସୁଭଦ୍ରା ମା ବାଇଶି ଗରା ଓ ସୁଦର୍ଶନ ଅଠର ଗରା ପାଣିରେ ଗାଧାନ୍ତି।ଏହିପରି ମୋଟ ଶହେ ଆଠ ଗରା ପାଣିରେ ଚତୁର୍ଦ୍ଧାମୂର୍ତ୍ତି ଗାଧୋଇ ଥାଆନ୍ତି।ଅପବ୍ୟବହୃତ ସୁନା କୂଅରୁ ଗରାବଡୁ ପ୍ରଭୁଙ୍କ ପାଇଁ ଏହି ପାଣି କାଢି ଆଣିଥାଆନ୍ତି।


ଏହା ପରେ ଦିଅଁ ମାନେ ଗଜାନନ ବେଶରେ ସଜ୍ଜିତ ହୋଇ ସ୍ନାନ ମଣ୍ଡପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।


ଏଇ ଗଜାନନ ବେଶ ଧାରଣ କରିବା ପଛରେ ଗୋଟିଏ କିମ୍ବଦନ୍ତୀ କାହାଣୀ ଅଛି।ଥରେ ମହାରାଷ୍ଟ୍ରରୁ ଜଣେ ଗଣପତି ନାମକ ବ୍ରାହ୍ମଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ।ଗଣପତି ଗଣେଶ ଙ୍କ ବଡ଼ ଭକ୍ତ ଥିଲେ।ମହାପ୍ରଭୁ ତାଙ୍କୁ ଗଣେଶ ବେଶରେ ଦେଖା ନ ଦେବାରୁ ସେ ମହା ପ୍ରଭୁଙ୍କ ପରମ ବ୍ରହ୍ମ ଉପରେ ଅବିଶ୍ୱାସ କରି ଜଗନ୍ନାଥଙ୍କୁ ଅସ୍ବୀକାର କଲେ।ଯୁଗେ ଯୁଗେ ଭକ୍ତର ଭଗବାନ କାଳିଆ ସାଆନ୍ତ।ସେ ଭକ୍ତ ମନ କଥା ଜାଣିଲେ।


ଏତେବେଳକୁ ପୁଅ ବୋହୁ,ନାତି ନାତୁଣୀ ସମେତ ମିଶ୍ର ଗୋସେଇଁ ଓ ମାଧ ସେବ ବି ଖୁବ୍ ମନ ଦେଇ ମୋ କଥା ଅତି ଆଗ୍ରହରେ ଶୁଣୁଥାନ୍ତି।ଘରଟି ସତେକି କାଳିଆ ମୟ।


ପାଟି ଲଗେଇ ରୂପା କହିଲା ତାପରେ କନ ହେଲା ଜେଜେମା?


ତାକୁ ଟିକେ କୋଳକୁ ଟାଣି ନେଇ କହିଲି ତୁ ସୁନା ଶୁନିବୁ?


ମୁଣ୍ଡ ଟୁଙ୍ଗାରି ରୂପା କହିଲା ହୁଁ ..ଉଁ।


ତାପରେ ବଡ଼ ପଣ୍ଡାଙ୍କୁ ଜଗନ୍ନାଥ ସ୍ୱପ୍ନରେ କହିଲେ ଆସନ୍ତା କାଲି ଦେବସ୍ନାନ ପୂର୍ଣ୍ଣିମା।ମୋତେ ଗଜାନନ ବେଶରେ ସଜାଇବ।ମୋ ଭକ୍ତ ଗଣପତି ଦର୍ଶନ କରିବ।ଜଗନ୍ନାଥଙ୍କୁ ଅସ୍ବୀକାର କରୁଥିବା ଗଣପତି ବ୍ରାହ୍ମଣଙ୍କୁ ଦେବସ୍ନାନ ପୂର୍ଣ୍ଣିମା ଦେଖିବାକୁ ଅନୁରୋଧ କରାଗଲା।ଶହେ ଆଠ ସୁନା କଳସୀ ପାଣିରେ ଗାଧୋଇ ସାରିବା ପରେ ଦିଅଁ ମାନଙ୍କୁ ଗଜାନନ ବେଶରେ ସୁସଜ୍ଜତ କରାଗଲା।ଗଣପତି ପ୍ରଭୁଙ୍କ ଗଜାନନ ବେଶ ଦେଖି ମହା ଖୁସି ହେଲେ।ସେଇ ଦିନଠାରୁ ପ୍ରତି ବର୍ଷ ଦେବସ୍ନାନ ପୁର୍ଣ୍ଣିମାରେ ଦିଅଁ ମାନେ ଗଜାନନ ବେଶ ଧାରଣ କରି ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି।


ଏହି ଦିନ ମହାପ୍ରଭୁ ଦାରୁବ୍ରହ୍ମ ରୂପେ ଆବିର୍ଭାବ ହୋଇଥିଲେ।ଏଣୁ ଦେବସ୍ନାନ ପୁର୍ଣ୍ଣିମାଟି ପ୍ରଭୁଙ୍କ ଜନ୍ମ ଦିନ ରୂପେ ପାଳନ କରାଯାଏ।ଓଡିଶାର ଠାକୁର ସେ।ଓଡ଼ିଆ ଘରର ସବୁ ରୀତିନୀତି ତାଙ୍କ ଠାରେ ପ୍ରତିଫଳିତ ହୁଏ।


ତାପରେ କଣ ହେଲା ଜେଜେମା?ପଚାରିଲା ବଡ଼ ନାତି ସିଧୁ।


ତାପରେ?ତାପରେ ଦିଅଁମାନେ ଦେବସ୍ନାନ ପୁର୍ଣ୍ଣିମାଠାରୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ପନ୍ଦର ଦିନ ଧରି ଅଣସର ଘରେ ରୁହନ୍ତି।ଏହି ସମୟରେ ଦିଅଁ ଙ୍କୁ କାଳେ ଜର ହୁଏ।ଖାଲି ଫଳ ମୂଳ ଭୋଗ ଲାଗେ।ତାପରେ ପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ହୁଏ।ହେଲେ କଣ ହେବ ;କି କ ରୋ ନା ମହାମାରୀ ଅଇଲା ସବୁ ପୂଜା ପାଠ ନୀତି ଠପ୍।ଘୋ ଘୋ ବଡଦାଣ୍ଡ ଶ୍ରୀକ୍ଷେତ୍ରରେ ଆଜି ଖାଁ ଖାଁ ରାଜୁତି।ଆମ ଠାକୁରଙ୍କ ପାଖେ ଦେଖୁନ ଥାଳି ମାଇଲେ ଥାଳି ଚାଲିଯାଉଥିଲା ଲୋକଙ୍କ ଗହଳି ରେ ।ଶହେ ଚୌରା

ଳିଶି ଧାରା ଜାରି ହେବାରୁ ଆମେ କେବଳ ଘର ଲୋକେ ଆମ ଜଗନ୍ନାଥଙ୍କ ଜନ୍ମ ଦିନ ପାଳୁଛୁ।ସୁରକ୍ଷିତ ରହିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ପାଳିବା ଉଚିତରେ ପିଲେ।


ୱାଓ !ଶୋ ଇଣ୍ଟରେଷ୍ଟିଙ୍ଗ୍ !ଜେଜେ ମା କହିଲା ଆଦି।ଆ ୱାର୍ କଷ୍ଟମ୍ ଆଣ୍ଡ୍ ଟ୍ରାଡିସନ୍ ଇଜ୍ ଶୋ ବିୟୁଟିଫୁଲ୍।


ହଁ ଧନ, ଆମ ଓଡ଼ିଆ ମାନଙ୍କର ବାର୍ ମାସରେ ତେର ପର୍ବ ପରା ଏଇ କାଳିଆ ଠାକୁର ପାଇଁ।


ଦେବୁ ସହ ଅନ୍ୟ ତିନି ଭାଇ ଏକସ୍ୱରରେ କହିଲେ ଆମ ସମ୍ପତ୍ତି ବାଡ଼ି ତିନି ଭାଗ ହେବ ନାହିଁ ନନା।ଆମେ ପ୍ରତି ବର୍ଷ ସପରିବାର ଗାଁ କୁ ଆସିବୁ ଜଗନ୍ନାଥଙ୍କ "ଜନ୍ମ ଦିନ" ପାଳନ କରିବାକୁ।


ହଁ ହଁ ଏଇ ବାହାନାରେ ନନାଙ୍କ ଜନ୍ମ ଦିନ ବି ପାଳନ ହେବ ଧୁମ ଧାମ୍ ରେ।ପୁଣି ଦେବୁ ଭାଇ ବି ଆମ ଜଗନ୍ନାଥ।ତାଙ୍କର ବି ଆଜି ଜନ୍ମ ଦିନ।ବାଃ ଖୁବ୍ ମଜା ହେବ କହିଲେ ବିଭୁ ଓ ପ୍ରଭୁ।


ନାତି ନାତୁଣୀ ମାନେ ଖୁସିରେ ତାଳି ମାରି କହିଲେ ଡନ୍।


ମିଶ୍ର ଗୋସେଇଁ ପ୍ରାଣ ଖୋଲା ହସ ହସି କହିଲେ, କରି କରାଉଥାଉ ତୁହିଁ ତୋ ବିନୁ ଆନ ଗତି ନାହିଁ।


ମିଶ୍ର ଗୋସେଇଁଙ୍କ ଘର ଆଜି ସତେକି ଶ୍ରୀକ୍ଷେତ୍ର ପାଲଟି ଯାଇଛି।





Rate this content
Log in