Jayashree Maharana

Others

5  

Jayashree Maharana

Others

ଜୀବନ ସାରଥୀ

ଜୀବନ ସାରଥୀ

8 mins
332


    ନିରବ, ନିସ୍ତବ୍ଧ ବହଳ ଅନ୍ଧକାର ଆଚ୍ଛାଦିତ ରାତ୍ରି । ମୁଁ ଶୋଇଥାଏ ନିଘୋଡ଼ ନିଦରେ । ହଠାତ ଦୂରରୁ କାହାର କ୍ରନ୍ଦନ ଧ୍ୱନୀ ମୋର ଆବଦ୍ଧ କୋଠରୀର କାନ୍ଥକୁ ଅତିକ୍ରମ କରି କର୍ଣ୍ଣ ପର୍ଯ୍ୟନ୍ତ ପହଞ୍ଚିବା ପରେ ମୁଁ ନିଦ୍ରାରୁ ଜାଗ୍ରତ ହୋଇ କିଛି କ୍ଷଣ କେଉଁ ଦିଗରୁ ଶବ୍ଦ ଆସୁଛି ଜାଣିବାକୁ ଚେଷ୍ଟା କଲି । ମନରେ ଅନେକ ଦ୍ୱନ୍ଦ୍ୱ ଆଉ ଆଶଙ୍କା । ଏମିତି ଏତେ ରାତିରେ କିଏ କାନ୍ଦୁଅଛି ? କାହିଁକି କାନ୍ଦୁଅଛି ? କିଛି କ୍ଷଣ ପାଇଁ ଜ୍ଞାନର ପରିସୀମା ମୋର ସଙ୍କୁଚିତ ହୋଇ ମୁଁ ଫେରିଗଲି ଅତୀତର ସେଇ ଅନ୍ଧବିଶ୍ୱାସ ଭରା ବୁଢ଼ୀ ଅସୁରୁଣୀର ରାଇଜକୁ । ଥରିଉଠିଲା ଛାତି । ପାଦ ଫେରିଗଲା ପଛକୁ । ଭୂତ ପ୍ରେତର ଏସବୁ ନାଟକ ହୋଇଥାଇପାରେ ବୋଲି ଭାବିଲି । ପୁଣି ଚାଲିଲି ଶେଯ ଉପରକୁ । ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲି । ଧିକ୍କାର କଲା ମନ । ଉପହାସ କରିଲା ମୋର ଶିକ୍ଷାଦୀକ୍ଷାକୁ । ମନ କହୁଥାଏ ହା... ହା ... ତୁ ଆଧୁନିକ ମଣିଷ । ତୁ ଶିକ୍ଷିତ । ହା... ହା... 

ଭୂତ ପ୍ରେତର ଅବସ୍ତାଵ ପରିକଳ୍ପନାକୁ ଜାବୁଡି ଧରି ନିଜକୁ ଶିକ୍ଷିତ ଭାବୁଛୁ ?


 ମନର ତାତ୍ସଲ୍ୟରେ ମୋ ହୃଦୟ ଲଜ୍ଜିତ ମନେ କଲା । ମୁଁ ଉଠିଲି । ଘରର ଦରଜା ଖୋଲି ବାହାରକୁ ଆସିଲି । ଶବ୍ଦ ଆସୁଥିବା ଦିଗକୁ ମୋର ଗତି ଆରମ୍ଭ କଲି । ଘନ ଅନ୍ଧାର ଭିତରେ ମୋ ହାତରେ ଥିବା ଆଲୋକ ବତୀ ଟି ହିଁ ମୋର ପଥପ୍ରଦର୍ଶକ ସାଜିଥିଲା । କିଛି ବାଟ ଅତିକ୍ରାନ୍ତ ହୋଇସାରିଥିଲା ହଟାତ୍ କୌଣସି ଏକ ରାତ୍ରିଚର କୀଟର ରାଵରେ ଛାତି ଭିତରଟା ଥରିଗଲା ଏବଂ ଗତି ଥମିଗଲା । ମୁଁ ଟିକିଏ ଅଟକି ଯାଇ ବାସ୍ତବତା ହୃଦୟଙ୍ଗମ କରି ମନକୁ ଦମ୍ଭ କରିବା ପରେ ପୁଣି ଯାତ୍ରା ଆରମ୍ଭ କଲି । 


 ସେ କ୍ରନ୍ଦନ ଶବ୍ଦ ଆଡ଼କୁ ମୁଁ ନିକଟରତର ହେଉଥାଏ । ମନରେ ଦ୍ୱନ୍ଦ୍ୱ, ହୃଦୟରେ ଆଶଙ୍କା ଏବଂ କୌତୁହଳ । ବାରମ୍ବାର ସେହି ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଥାଏ । କିଏ କାନ୍ଦୁଛି ? କାହିଁକି ସେ କାନ୍ଦୁଛି ?


ଏଇ ଯେ କିଏ ଜଣେ ମହିଳା ସେ ପ୍ରସ୍ତର ଉପରେ ବସିଛନ୍ତି ? ଦେହ ସାରା କ୍ଷତ ବିକ୍ଷତ । ରଙ୍ଗଶୂନ୍ୟ, ରୂପହୀନ ଜୀର୍ଣ୍ଣଶୀର୍ଣ୍ଣ ଶରୀର । ନିସ୍ତେଜ ଆଖି ଦୁଇଟିରୁ ଝରିଯାଉଛି ଅଶ୍ରୁଧାର । ତାଙ୍କୁ ଦେଖି ମନରେ କାହିଁକି କେଜାଣି ସ୍ୱତଃ ଦୟା ଭାବ ସୃଷ୍ଟି ହେଲା । ଧୀରେ ଧୀରେ ପାଖକୁ ଯାଇ ପଚାରିଲି ...


କିଏ ?... ..


କିଏ ତୁମେ ମାଆ ?...



 ତାଙ୍କର କ୍ରନ୍ଦନ ସ୍ୱର ସାମାନ୍ୟ ବଢିଗଲା । ମୁଁ ନିଜର ଧୈର୍ଯ୍ୟ ହରାଇ ବସିଲି । କାନ୍ଦନା ମାଆ । କାନ୍ଦନା । ମୁଁ ତୁମ ପୁଅ ପରି । ଆପଣ ଶାନ୍ତ ହୋଇ ମୋତେ କୁହନ୍ତୁ କଣ ଘଟିଛି ଆପଣଙ୍କ ସହିତ ?ହୁଏ ତ ମୁଁ କିଛି ସାହାଯ୍ୟ କରିପାରିବି । 


ମୋ କଥାରେ ସେ ସାମାନ୍ୟ ପ୍ରକୃତିସ୍ଥ ହୋଇ ନିରବ ରହିଲେ । ମୁଁ ତାଙ୍କ ନିକଟରେ ଥିବା ଅନ୍ୟ ଏକ ପ୍ରସ୍ତର ଉପରେ ବସିଗଲି । ହାତକୁ ଧରି ପୁଣି ମୋର ପ୍ରଶ୍ନ ଦୋହରାଇଲି । 



ସେ ଶାନ୍ତ ହେଲେ । ବୋଧ ହୁଏ ମୋ ଉପରେ ତାଙ୍କର ବିଶ୍ୱାସ ଆସିଯାଇଥିଲା । 


ମୁଁ ପ୍ରକୃତି । 


ତୋର ପ୍ରକୃତି ମାଆ । 


ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲି । ପ୍ରକୃତି ମାଆ ... ..


ମାଆ ତୁମର ଅବସ୍ଥା ଏମିତି କିପରି ହୋଇଲା ?


ସେ ଚାହିଁଲେ ନିର୍ବିକାର ଭାବରେ । 


ତୁ କଣ ସତରେ ଜାଣିନୁ ? 


ତାଙ୍କର ଏ ପ୍ରଶ୍ନରେ ମୁଁ ଦ୍ୱନ୍ଦ୍ୱରେ ପଡ଼ିଗଲି । 


କିନ୍ତୁ ମାଆ ...


ମୁଁ କଣ ଜାଣିଥିଲି ମୋ ସନ୍ତାନ ମାନେ ହିଁ ମୋର ଏପରି ଅବସ୍ଥା କରିବେ ବୋଲି ? 


ମୁଁ ପ୍ରଶ୍ନିଳ ଆଖିରେ ସେମିତି ଚାହିଁ ରହିଥାଏ । 


ସେ ଦୀର୍ଘନିଃଶ୍ୱାସ ପକାଇଲେ । ନିଜ ଦୁଃଖ ବେଦନାର କାହାଣୀ ବଖାଣି ବସିଲେ । 


 କେତେ ସୁନ୍ଦର ଥିଲା ସେଦିନ । ସତେଜ, ଶ୍ୟାମଳ ରୂପମୟୀ ସାଜି ମୁଁ ଥିଲି ଆନନ୍ଦିତା । ପାହାଡ଼, ପର୍ବତ, ନଦୀ ଝରଣା, ହ୍ରଦ ସମୁଦ୍ର, ବିଲ ବନକୁ ବକ୍ଷରେ ଧରି ମୁଁ ଥିଲି ଗର୍ବିତ । ଫୁଲ ଫଳରେ ମଣ୍ଡିତ ହୋଇ ଯେତେବେଳେ ନବବଧୂ ବେଶ ଧାରଣ କରୁଥିଲି ଚୁଲୁବୁଲି ବର୍ଷା ପିନ୍ଧାଇଦେଉଥିଲା ସବୁଜ ଓଢଣୀ । ମୁଁ ଲାଜେଇ ଯାଉଥିଲି । ଭିନ୍ନ ଋତୁ ଭିନ୍ନ ବେଶ ଧାରଣ କରି ମୁଁ ନିଜକୁ ଧନ୍ୟ ମନେ କରୁଥିଲି । ଶୀତୁଆ ପବନର ସ୍ନିଗ୍ଧ ପବନରେ ମୁଁ ହୋଇଉଠୁଥିଲି ରୋମାଂଚିତ । ଶରତର ଆଗମନରେ ଶେଫାଳିର ବାସ ମୋତେ କରୁଥିଲା ଆନମନା । ବସନ୍ତର ସ୍ପର୍ଶରେ ରଙ୍ଗୀନ ହୋଇଉଠୁଥିଲା ମୋର ମନ, ପ୍ରାଣ, ହୃଦୟ । ଆମ୍ର ବକୁଳର ବାସ୍ନାରେ ମୁଁ ହେଉଥିଲି ବିଭୋର । କୋଇଲି ରାବରେ ମୁଁ ସାଜୁଥିଲି ନର୍ତ୍ତକୀ । 


ପୁଣି ସେ ଟିକିଏ ନିରବ ରହି ଆରମ୍ଭ କଲେ ... 

.



 ଅବଶ୍ୟ ନିଦାଘ ଜ୍ବାଳାରେ ମୁଁ ଅନୁଭବ କରୁଥିଲି ଅସହ୍ୟ ଯନ୍ତ୍ରଣା । ମୋର ବେଦନାକୁ ସହ୍ୟ କରିନପାରି ଆକାଶ ବି ହୋଇଉଠୁଥିଲା ସମଦୁଃଖୀ । ଝରାଇ ଦେଉଥିଲା ବର୍ଷାର ଟୋପା ଟୋପା ବୁନ୍ଦା । ସେ ବର୍ଷାବୁନ୍ଦାରେ ମୁଁ ହେଉଥିଲି ପୂର୍ଣ୍ଣଗର୍ଭା । ଉଲ୍ଲସିତ ଅଧରରେ ତୁମ୍ଭମାନଙ୍କ ପାଇଁ ଥିଲା କେବଳ ହିଁ କେବଳ ଆଶୀର୍ବାଦ । ଅଜାଡି ଦେଉଥିଲି ସୁନାର ଫସଲ । ନିଜ କୋଳରେ ତୁମ୍ଭମାନଙ୍କୁ ଦେଇଛି ଆଶ୍ରା । ଥନରୁ ନିଗାଡି ଦେଇଛି ଜଳ । ନାକରୁ ଖେଳାଇ ଦେଇଛି ବାୟୁ । ଗର୍ଭରୁ ଅଜାଡି ଦେଇଛି ନାନା ପ୍ରକାର ଖଣିଜ ପଦାର୍ଥ । ମୋର ଅଙ୍ଗପ୍ରତ୍ୟଙ୍ଗ ବୃକ୍ଷଲତା ସାଜିଛନ୍ତି ଆଶ୍ରୟ । ପଶୁପକ୍ଷୀ, କୀଟ ପତଙ୍ଗ, ମାନବଜାତି କାହାକୁ ତ କରିନାହିଁ କେବେ ଉପେକ୍ଷା । 


ତେବେ ମୁଁ ଆଜି ଉପେକ୍ଷିତ କାହିଁକି ?


ଏଇ କଣ ମୋ ସ୍ନେହମମତାର ମୂଲ ?


ମାଆର ପ୍ରଶ୍ନରେ ମୁଁ ବିଚଳିତ ହୋଇଗଲି । ମନେ ମନେ ଚିନ୍ତା କଲି । 

ଠିକ ତ କହୁଛନ୍ତି ମାଆ । 


ନିଜର ସୁଖ ପାଇଁ ଆମେ ଯେ ସ୍ୱାର୍ଥପର ସାଜିଛୁ । ଭୁଲିଯାଉଛୁ ତାହାରି ଦାନ । 


ମୁଁ କିଛି ବୁଝାଇବା ଆଗରୁ ମାଆ ପୁଣି କହିଲେ... .


 ପ୍ରଗତିର ନିଶା ନାଶି ନେଉଛି ତୁମ୍ଭମାନଙ୍କର ବିଚାରବୁଦ୍ଧି, ବିବେକ । ଯାନ୍ତ୍ରିକ ମୋହରେ ଅନ୍ଧ ହୋଇ ତୁମେ କ୍ଷତାକ୍ତ କରିଚାଲିଛ ମୋ ଶରୀର । ଗଢି ଚାଲିଛ କଂକ୍ରିଟ ସଡ଼କ, ରେଳପଥ । ଓଃ କି ଯନ୍ତ୍ରଣା । ଝରିଯାଏ ରକ୍ତ । ସେ ରକ୍ତ ନା ତୁମେ ଦେଖିପାର ନା ମୁଁ ଦେଖାଇପାରେ । 


ବଡ଼ ବଡ଼ ମହଲ, ମନ୍ଦିର, ମସଜିଦ, ଗୁରୁଦ୍ୱାର, ସିନେମା ହଲ, ଥିଏଟର ହଲ, କଳକାରଖାନା, ସହର ବଜାର ପାଇଁ କାଟିଚାଲିଛ ମୋର ଅଙ୍ଗପ୍ରତ୍ୟଙ୍ଗ । କେବେ ବୁଝିଛ ମୋହର ହୃଦୟର ବ୍ୟଥା ? 


ଗର୍ଭକୁ ବିଦାରି ଉତ୍ତୋଳନ କରିଚାଲିଚ ସାଇତା ସମ୍ପଦ । ଏସବୁ ତ ତୁମର । ତଥାପି ତୁମର କଣ ଦାୟିତ୍ୱ ନୁହେଁ ମୋର ସୁରକ୍ଷା ?


ତୁମର ସଂଖ୍ୟା ବୃଦ୍ଧି କରିଚାଲିଚ ଆଶାତୀତ ଭାବରେ । ଅଧିକ ଖାଦ୍ୟ ତୁମର ଆବଶ୍ୟକ । ତୁମେ କଣ ହାର ମାନିବ? ବିଷ ପରେ ବିଷ ଦେଇ ମୋତେ କରିଚାଲିଛ ବିଷାକ୍ତ । ସେ ଜ୍ବଳନ, ସେ ପୀଡନ, ସେ ଦୁର୍ଗନ୍ଧ, ପେଟ ଭିତର ଟାଣି ଓଟାରି ହୋଇଯାଏ । ମୋର କୁନି କୁନି ଦରକାରୀ କୀଟ, ପୋକ, ଜୀଵ ମୃତାହତ ହୋଇ ମୁଁ ହୋଇଲିଣି ଶୂନ୍ୟ । 


ତୁମର ଅଦରକାରୀ, ଅବ୍ୟବହୃତ ଜିନିଷରେ ମୁଁ ଆଜି କବଳିତ । ଭୀଷଣ ଦୁର୍ଗନ୍ଧରେ ମୁଁ ଅସ୍ତବ୍ୟସ୍ତ । ଭଗ୍ନ, ଅର୍ଦ୍ଧଭଗ୍ନ ଜିନିଷରେ ଦେଖ କେମିତି ମୋ ଦେହରେ ଉଭା ହୋଇଛି କ୍ଷତ । ଆଜି ମୁଁ ଶକ୍ତିହୀନ । 


 ତୁମ ଯାନବାହନ, କଳକରଖାନା ଧୂଆଁରେ ମୁଁ ଆଜି ରଙ୍ଗହୀନ, ବିବର୍ଣ୍ଣ । ତୁମର ଆଘାତରେ ମୁଁ କ୍ଷତାକ୍ତ । ଲୁଟି ନେଇଛ ମୋର ସବୁଜିମା ଶୀରିକୁ । ଏ ଯନ୍ତ୍ରଣାର ଜ୍ୱାଳା ଅବ୍ୟକ୍ତ, ଅସହ୍ୟ । 


  ସ୍ନେହଶ୍ରଦ୍ଧା ବଳରେ ଗଢ଼ିଛି ତୁମ୍ଭମାନଙ୍କ ଜୀବନ । ଦିନରାତି ଦେଇଛି ମମତାର ସ୍ପର୍ଶ । ଅଯାଚିତ ଭାବରେ ଅଜାଡି ଦେଇଛି ଆଶୀର୍ବାଦ । ମୋ ସାରା ଜୀବନ ତୁମରି ସେବାରେ କଟାଉଛି । ନିଃସ୍ୱାର୍ଥପର ଭାବେ ଆପଣେଇ ନେଇଛି ତୁମସମସ୍ତଙ୍କୁ ମୋ କୋଳରେ । ତେବେ ତୁମେମାନେ ଏତେ ସ୍ୱାର୍ଥବାଦୀ କେମିତି ସାଜିଛ ?ଲୋଭ, ମୋହ, ପ୍ରଗତିର ବାହୁରେ ଛନ୍ଦି ହୋଇ ତୁମେ ଦେଖିପାରୁନାହଁ ମୋର ଦୁର୍ଦ୍ଦଶା । ମୋର କ୍ଷୀଣ କାୟା । 


  ମୁଁ ଆଜି ଜରାଜୀର୍ଣ୍ଣ । ରୂପହୀନ । ନାହିଁ ମୋର ଭାରସାମ୍ୟ । ପ୍ରାକୃତିକ ଦୁର୍ବିପାକ ମୋତେ ବାରମ୍ବାର ପ୍ରହାର କରିଚାଲିଛି । ତୁମେମାନେ ତ ମୋର ଅଙ୍ଗପ୍ରତ୍ୟଙ୍ଗ କାଟିଦେଇଛ । ମୁଁ ବିରୋଧ କରିପାରେନାହିଁ ବରଂ ସହିଚାଲିଛି ଯନ୍ତ୍ରଣା ପରେ ଯନ୍ତ୍ରଣା । ଋତୁଚକ୍ର ବି ହୋଇଗଲାଣି ହତାଶ । ଅଦିନିଆ ଆସୁଛି ବରଷା । ବସନ୍ତରେ ଗାଉନାହିଁ କୋକିଳ ଫୁଟୁନାହିଁ ନାଲି, ଧଳା ଆଦି ରଙ୍ଗୀନ ଫୁଲ । ଫଳରେ ସଜାଇ ହେଇପାରୁନି ମୁହିଁ । ଗ୍ରୀଷ୍ମର ତାଡନା ଦ୍ୱିଗୁଣିତ ଭାବରେ ବୃଦ୍ଧି ପାଇଲାଣି । ଦେଖ ଆକାଶ ବି ବର୍ତ୍ତିନାହିଁ ତୁମରି ଆଘାତରୁ । ଆଉ ଶୋଭାପାଉନାହିଁ ବକ୍ଷରେ ତାହାର ସପ୍ତରଙ୍ଗୀ ଇନ୍ଦ୍ରଧନୁ । ଘଡଘଡି, ବିଜୁଳି, ବଜ୍ରାଘାତ ସ୍ୱରୂପ ଆକାଶ ବଖାଣୁଛି କ୍ରୋଧ । ଓଜନ ସ୍ତର ଛିଦ୍ରଯୁକ୍ତ ହୋଇଲାଣି । ଅତି ବାଇଗଣୀ ରଶ୍ମୀ ଆସି ମୋତେ କରିଲାଣି ବିବଶ । ବୃକ୍ଷଲତା ବିହୀନ ଜୀବନ ମୋର ଦୁସହ । ଅମୂଲ୍ୟ ଅମ୍ଳଜାନର ଅଭାବ, ଅଙ୍ଗରକାମ୍ଳର ବୃଦ୍ଧି ବଢ଼ାଇଦେଲାଣି ମୋର ଚିନ୍ତା । ମୁଁ ଅସୁରକ୍ଷିତ । ବିଭିନ୍ନ ପ୍ରକାର ରୋଗବ୍ୟାଧି ମୋ ବକ୍ଷରେ କରୁଛନ୍ତି ତାଣ୍ଡବ ଲୀଳା । କିନ୍ତୁ ମୁଁ ଅସହାୟ । ଏସବୁ କୁଫଳ କେବଳ କଣ ମୁଁ ଭୋଗ କରୁଛି ?

ନା ନା ତୁମେମାନେ ବି ଭୋଗୁଛ ଏହାର ପରିଣାମ । କେମିତି କେଜାଣି ତୁମ୍ଭମାନଙ୍କର ଏ ଦିଗପ୍ରତି ନିଘା ନାହିଁ । 


 ତଥାପି ମୋ ପାଇଁ ମୋହର ଚିନ୍ତା ନାହିଁ । ଥରେ ଚିନ୍ତାକର ମୁଁ ଜରାଜୀର୍ଣ୍ଣ ହୋଇ ନିଶ୍ଚିହ୍ନ ହୋଇଗଲେ ତୁମର ସତ୍ତା କଣ ଅକ୍ଷତ ରହିବ ? ମୋ ବିନା ତୁମର ଅସ୍ତିତ୍ୱ କଳନା କରିପାରିବ ? ତିଷ୍ଠିପାରିବ ତୁମମାନଙ୍କର ଜୀବନ ?କୁହ ମୋତେ କୁହ । 


 ମୁଁ ଚିନ୍ତା କରିବାକୁ ଲାଗିଲି । ମାଆ ତ ସତ୍ୟ କହୁଛି । ଆଜିକାଲି ପାଣିପାଗ, ଋତୁଚକ୍ରର ଅନିୟମିତତା ଦେଖାଯାଉଛି । ବନ୍ୟା, ବାତ୍ୟା, ମରୁଡି ପରି ପ୍ରାକୃତିକ ଦୁର୍ବିପାକ ବାରମ୍ବାର ଭାଙ୍ଗି ଆଘାତ କରୁଛି ପ୍ରକୃତି ମାଆକୁ । ପ୍ରକୃତିର ବିନାଶ ଘଟିଲେ ଏ ମନୁଷ୍ୟ ଜାତି ନିଶ୍ଚିହ୍ନ ହେବା ସ୍ବାଭାବିକ । ତା ବିନା ଆମର ଜୀବନ ଅସମ୍ଭବ । ଆମେ ତ ପ୍ରଗତି କରୁଚୁ ବୋଲି ଚିନ୍ତା କରୁଛୁ । ଏଇ ପ୍ରଗତି ଯେ ପ୍ରକୃତିକୁ ବିନଷ୍ଟ କରୁଛି ଏକଥା ଚିନ୍ତା କରିବାକୁ ଆମର ବେଳ କାହିଁ ?ସତରେ ଆମେ ଏତେ ସ୍ୱାର୍ଥପର ହୋଇଗଲାଣୁ ଯେ ପ୍ରକୃତି

ମାଆର ସୁରକ୍ଷା କଥା ଚିନ୍ତା କରୁନାହୁଁ । ତେବେ ଏହାର କଣ କିଛି ଉପାୟ ନାହିଁ ? ପୁଣି ପ୍ରକୃତି ମାଆ ଯେମିତି ପୂର୍ବ ଅବସ୍ଥା ପ୍ରାପ୍ତ ହେବ । 


 ମନର ପ୍ରଶ୍ନକୁ ମାଆ ଆଗରେ ପ୍ରକାଶ କରିଲି । 

ମାଆ ଏହାର କଣ ସମାଧାନ ନାହିଁ । କିଛି ଉପାୟ ନାହିଁ । ଯାହାଫଳରେ ତୁମେ ହେବ ରୂପବତୀ । ଫେରିପାଇବ ପୂର୍ବାବସ୍ଥା । ଶ୍ରୀହୀନ କଦର୍ଯ୍ୟଜରାଜୀର୍ଣ୍ଣ ଦୁର୍ଦ୍ଦଶାର ହେବ ଅବସାନ ?


ମାଆ ମୋତେ ଚାହିଁଲେ । 


ଉପାୟ ତ ଅନେକ ଅଛିରେ ଧନ । କିନ୍ତୁ ଆପଣେଇପାରିବ ତ ?


ସମାଧାନର ପ୍ରଥମ ଉପାୟ ବୃକ୍ଷରୋପଣ । ମୋର ରୂପ ସବୁଜିମା ହୋଇପାରିଲେ ସବୁ ଦୁଃଖ ହୋଇଯିବ ଦୂର । ଋତୁଚକ୍ର, ଜଳବାୟୁ ହେବ ନିୟନ୍ତ୍ରିତ । ପ୍ରଦୂଷଣ ହେବ ଶୋଷିତ । 


 କଳକାରଖାନା ଯଦିଓ ତୁମର ଉନ୍ନତିର ମାଧ୍ୟମ । ମୁଁ ତୁମ ପାଇଁ ସହିପାରିବି ଦୁଃଖ । ତଥାପି ମୋତେ ପ୍ରଦୂଷିତ ନ କରିବା ପାଇଁ ତୁମେ ସେଥିରୁ ନିର୍ଗତ ଦୂଷିତ ଜଳ, ବାୟୁକୁ ତୁମର ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱାରା କଣ ବିଶୁଦ୍ଧ କରିପାରିବ ନାହିଁ ?


 ଯାନବାହାନରୁ ନିର୍ଗତ ଧୂଆଁରେ ମୁଁ ଆଜି ବିବର୍ଣ୍ଣ । ପ୍ରଦୂଷଣ ମୁକ୍ତ ଯାନବାହାନ କଣ ବ୍ୟବହାର କରିପାରିବ ନାହିଁ ?ତୁମେ ଜ୍ଞାନୀ, ତୁମେ ଶ୍ରେଷ୍ଠ । ତୁମେ ବୈଜ୍ଞାନିକ ଜ୍ଞାନକୁ କରିଛି ନିଜ ଅଧିନ । ତୁମେ କଣ ତାହାର ସଦୁପଯୋଗ କରିପାରିବ ନାହିଁ ?


ମୁଁ ଚିନ୍ତା କଲି । ସତରେ ଇଚ୍ଛା ଥିଲେ ଉପାୟ ଅଛି । ଆମେ ସ୍ୱାର୍ଥରେ ବୁଡି ମାଆଙ୍କୁ କରୁଛୁ ହତାଦର । ଦେଖିପାରୁନାହିଁ ତାହାର ଦୁଃଖ ଯନ୍ତ୍ରଣା । ଏସବୁ ସମାଧାନ ହୋଇପାରିବ । 


କିନ୍ତୁ ମାଆ ମୁଁ କଣ କରିପାରିବି ଏକା ମଣିଷଟିଏ । 


ମୋ ପ୍ରଶ୍ନରେ ମାଆ ଉଲ୍ଲସିତ ହେଲେ । ତୁ ପାରିବୁ ଧନ । ତୁ ପାରିବୁ । 


ତୁ ନିଜକୁ ସାଧାରଣ ମଣିଷଟିଏ ଭାବି ଅକ୍ଷମତା ପ୍ରକାଶ କରୁଛୁ ନା । ତୁ ଜଣେ ସାହିତ୍ୟିକ । ତୋ କଲମରେ ତୁ ଆଙ୍କିପାରିବୁ ମୋ ଦୁର୍ଦ୍ଦଶାର ଚିତ୍ର । ଶବ୍ଦରେ ସଜାଇ ପାରିବୁ ମୋ ଦୁଃଖ ଯନ୍ତ୍ରଣାର କାହାଣୀ । ଭାବରେ ସଚେତନ କରିପାରିବୁ ଆଗାମୀ ପିଢ଼ୀକୁ । ତୁ ହେବୁ କର୍ମବୀର । ତୁ ସାଜିବୁ ମୋ ଜୀବନର ସାରଥୀ । ତୋର ବାର୍ତ୍ତାରେ ତୁ ସମସ୍ତଙ୍କୁ କରିବୁ ଆହ୍ବାନ । ବନୀକରଣ, ପ୍ରଦୂଷଣ ନିରାକରଣ, ପୁନଃଚକ୍ରିକରଣ ପାଇଁ ତୁ କରିବୁ ସଚେତନ । ତୋର କର୍ମରେ ପ୍ରଭାବିତ କରିପାରିବୁ ଆଜିର ବିଶୃଙ୍ଖଳିତ, ଅଜ୍ଞାନ ମାନବଜାତିକୁ । 


ଚିନ୍ତା ଚେତନାରେ ନିଜକୁ ସକ୍ଷ ଭାବିବା ପାଇଁ ମାଆଙ୍କର ଏଇ କେଇପଦ କଥା ହିଁ ମୋର ପ୍ରେରଣା ସାଜିଲା । ନିଜକୁ ନିଜେ ଆହ୍ବାନ ଦେଲି । ମୁଁ ପାରିବି । ନିଶ୍ଚିତ ପାରିବି ମାଆ । ମୁଁ ନଗଣ୍ୟ ନୁହେଁ । ମୁଁ ଅକ୍ଷମ ନୁହେଁ । ମୋ ମନରେ ଅଛି ସାହସ, ମୋ ହୃଦୟରେ ଅଛି ସକ୍ଷମତାର ଶକ୍ତି, ମୋ ବାହୁରେ ଅଛି ବଳ । ମୁଁ ସାଜିବି ମାଆଙ୍କର ସାରଥୀ । 


ହଁ ମୁଁ ପାରିବି ମାଆ । ମୁଁ ପାରିବି । ମୁଁ ନିଶ୍ଚିତ ପାରିବି । ମୁଁ ସାଜିବି ତୁମ୍ଭର ରକ୍ଷାକର୍ତ୍ତା । ଏ ବିବେକ ହୀନ ସମାଜକୁ କରିବି ସଚେତନ । ଅଜ୍ଞାନଙ୍କୁ ମୋ କଲମରେ କରିବି ଚିନ୍ତାଶୀଳ । ତୁମର ସୁରକ୍ଷା ପାଇଁ କରିବି ସଜାଗ । ମୁଁ ଧରିବି ମୋହର ଅମୋଘ ଅସ୍ତ୍ର । ସେ ଅସ୍ତ୍ରର ଶାଣିତ ଧାରରେ କରିବି ଅଜ୍ଞାନ ରୂପକ ଶତ୍ରୁକୁ ସଂହାର । ଦେଖାଇବି ଚିନ୍ତନଶୀଳ ସୁଗମ, ସୁନ୍ଦର ପଥ । 


ପ୍ରକୃତି ମାଆ ହସୁଥିଲେ । ବିଶ୍ୱାସର ହସ । ଭରସାର ହସ । ତାଙ୍କର ସେ ହସ ଦେଖି ମୁଁ ହେଉଥିଲି ଖୁସି । 


ହଟାତ କାହାର ସ୍ପର୍ଶରେ ମୋର ନିଦ୍ରାଭଙ୍ଗ ହେଲା । ପାଖରେ ଠିଆ ହୋଇଥିଲେ ମାଆ । ପଚାରୁଥିଲେ କଣ ପାରିବୁ ତୁ ? କି ସ୍ୱପ୍ନ ଦେଖିଲୁ କିରେ ?


ମୁଁ ତେବେ ସ୍ୱପ୍ନ ଦେଖୁଥିଲି । 


ନା କିଛି ନୁହେଁ ମାଆ । ମୁହଁ ଧୋଇ ବାହାରକୁ ଆସିଲି । ସୂର୍ଯ୍ୟଙ୍କର କଅଁଳିଆ ସୁନେଲି କିରଣରେ ପ୍ରକୃତି ମାଆ ଦେଖାଯାଉଥିଲେ ଶାନ୍ତକାନ୍ତ ରମଣୀୟ । ସ୍ୱପ୍ନ ହେଲେ ବି ମାଆଙ୍କର ଦୁଃଖ ତ ସତ୍ୟ । ଆଜି ମାଆ ଅସୁରକ୍ଷିତ । ମୋତେ ଅସ୍ତ୍ର ହିଁ ଧରିବାକୁ ହେବ । ମୁଁ ସାଜିବି ସାରଥୀ । ମାଆଙ୍କର ବିଶ୍ୱାସ, ଭରସାକୁ କରିବି ସାକାର । । ସ୍ୱପ୍ନ ଆଉ ବାସ୍ତବତା ଭିତରେ ମୁଁ ଦେଖୁଥିଲି ସମ୍ଭାବନାର ରାହାଟିଏ । ସୁଖଦ ଭବିଷ୍ୟତର ଚିତ୍ରଟିଏ । ସୁନ୍ଦର, ସବୁଜିମା ଭରା ହସ ହସ, କଳକଳ, ଛଳଛଳ ପ୍ରକୃତି ମାଆଙ୍କର ରୂପଟିଏ । 



Rate this content
Log in