ଜହ୍ନକୁ ଜିତିଲା ଭାରତ
ଜହ୍ନକୁ ଜିତିଲା ଭାରତ
କୁନି ସଞ୍ଜ ମୁହଁଟାରେ ପଚାରିଲା,"ମାଆ ! ସବୁଆଡ଼େ ଚର୍ଚ୍ଚା ହେଉଛି କି ଭାରତ କୁଆଡେ଼ ଜହ୍ନକୁ ଜିତିଲା?" ମାଆ କହିଲେ,"କୁନି ! ଜହ୍ନକୁ କ'ଣ ଜିତିହୁଏ? ବିଜ୍ଞାନ ବଳରେ ଆଗକୁ ଆଉ ପାଦେ ଆଗେଇଛେ ମାତ୍ର। ଆମେ କିନ୍ତୁ ଦିନେ ବହୁତ ପଛରେ ପଡ଼ି ରହିବା ପରି ଅନୁମେୟ ହେଉଥିଲୁ। ଚନ୍ଦ୍ରକୁ ଦୁଇଥର ଯିବା ପରେ ବି କୌଣସି ସୁଫଳ ମିଳି ନ ଥିଲା। ଏମିତି ପରୀକ୍ଷା ପରେ ଆମକୁ ଅନ୍ୟ ଦେଶ ମାନଙ୍କଠାରୁ କଟାକ୍ଷ ଶୁଣିବାକୁ ପଡୁଥିଲା। ଏ କଟାକ୍ଷ ଭାରତୀୟ ବୈଜ୍ଞାନିକ ମାନଙ୍କ ଦେହରେ ଛୁଞ୍ଚି ଫୋଡ଼ିବା ପରି ମଧ୍ୟ ଲାଗୁଥିଲା ତେଣୁ ତୃତୀୟ ଥର ପାଇଁ ଅଣ୍ଟା ଭିଡ଼ିଲେ ଯାହା ବର୍ତ୍ତମାନର ଆଇ.ଆସ.ଆର.ଓ ର ଅଧ୍ୟକ୍ଷ ଏସ୍ ସୋମନାଥଙ୍କ ଦ୍ଵାରା ଉଦବୁଦ୍ଧ ହୋଇ ଭାରତର ବହୁ ବୈଜ୍ଞାନିକଗଣ ଏକ ଯାନ ନିର୍ମାଣ କଲେ ଯାହାର ନାମ ଥିଲା ଚନ୍ଦ୍ରାୟନ-୩ ଲ୍ୟାଣ୍ଡର ବିକ୍ରମ। ଏହି ଚନ୍ଦ୍ରାୟନ-୩ରେ ପ୍ରମୁଖ ଇଞ୍ଜିନ ନାମ କ୍ରୟୋଜେନିକ ଅଟେ। ଏହା ଏଲ୍.ଭି.ଏମ୩-ଏମ୪ ରକେଟ ସାହାଯ୍ୟରେ ଲଞ୍ଚ କରା ଯାଇଥିଲା ପୁଣି ସତିଶ ଧୱନ ଅନ୍ତରୀକ୍ଷ କେନ୍ଦ୍ର ଶ୍ରୀ ହରିକୋଟା ଠାରୁ ପରୀକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଓ ଏହା ଆମ ଭାରତ ସଂସ୍ଥା ଆଇ ଏସ.ଆର.ଓ ପକ୍ଷରୁ ଲଞ୍ଚ କରାଗଲା।"
ଟିକିଏ ଅଟକି ଯାଇ ପୁଣି କହିଲେ,"କୁନି ! ଏ ପରୀକ୍ଷା ପାଇଁ ସାରା ଭାରତର ଲୋକେ ବିଭିନ୍ନ ପ୍ରକାର ପୂଜାପାଠ,ହୋମଯଜ୍ଞ କଲେ।ଚନ୍ଦ୍ରାୟନ-୩ର ମଙ୍ଗଳ କେମିତି ହେବ ଈଶ୍ବରଙ୍କ ପାଖରେ ପ୍ରେମ,ଭକ୍ତି ଓ ଆରାଧନା କଲେ। କୁହାଯାଏ କଠିନ ପରିଶ୍ରମ କେବେ ବ୍ୟର୍ଥଯାଏ ନାହିଁ। ସେହି ମର୍ମରେ ଆଜି ଭାରତର ବିକ୍ରମ-୩ ଚନ୍ଦ୍ରକୁ ଯାଇ ନିଜର କର୍ମ ସମ୍ପାଦନ କରିଛି। ପ୍ରଜ୍ଞାନ ନାମକ ଯନ୍ତ୍ରଟି ବିଭିନ୍ନ ପ୍ରକାର ଫଟୋ ଉଠାଇଛି। ଚନ୍ଦ୍ର ପୃଷ୍ଠରେ କ'ଣ ଅଛି ଯଥା ପ୍ରାଣୀ ଅଛନ୍ତି ନା ଉଦ୍ଭିଦ? ପାଣି ଅଛି ନା ପବନ? ପଥର ଅଛି ନା ମାଟି...?"
ଟିକିଏ ରହି ପୁଣି ଗପିବା ଆରମ୍ଭ କଲେ ଆମେ ଆଜି ବିଶ୍ୱରେ ଚତୁର୍ଥ ଦେଶ ଭାବରେ ଗଣାହେଲୁ କିନ୍ତୁ ଦକ୍ଷିଣ ମେରୁରେ ଓହ୍ଲାଇବା ପୃଥିବୀରେ ପ୍ରଥମ ହେଉଥିବାରୁ ସମଗ୍ର ବିଶ୍ବ ଆମ ଭାରତକୁ ଧନ୍ୟଧନ୍ୟ କହିବା ସହିତ ମୁଣ୍ଡ ନ ନୁଆଁଇ ରହି ପାରିବ ନାହିଁ। ତାଙ୍କର କଟାକ୍ଷ ତାଙ୍କର ମୁହଁରେ କଳାଚୁନ ଅଥବା ଜୋକ ମୁହଁରେ ଲୁଣ ଦେବା ପରି ନିଶ୍ଚୟ ଲାଗିବ।" କୁନି କଥାକୁ ଟାଣିଆଣି କହିଲା,"ମାଆ ! ଭାରତୀୟ ବୈଜ୍ଞାନିକଗଣ ତ ନିଶ୍ଚୟ ବଡ଼ ଉତ୍ସାହ ସହ ଆନନ୍ଦରେ କାନ୍ଦି ଉଠିଥିବେ?" ମାଆ ଝିଅକୁ କୋଳରେ ବସାଇ କହିଲେ,"କୁନି ! କେବଳ ବୈଜ୍ଞାନିକମାନେ ନୁହଁ ଭାରତର ସବୁ ଧର୍ମର ସବୁ ଜାତିର ଲୋକେ ଖୁସି ହୋଇଛନ୍ତି। ଏହି ବୈଜ୍ଞାନିକଗଣ ତ ଅମର ହୋଇଗଲେ ଜାଣ। ଇତିହାସରେ ଲିପିବଦ୍ଧ ହେବ। ଆଗାମୀ ପିଢ଼ିର ଛାତ୍ରଛାତ୍ରୀ ଏ ଇତିହାସ ନିଶ୍ଚୟ ପଢ଼ିବେ।"
କୁନି ଟିକିଏ ଅନ୍ୟ ମନସ୍କ ହୋଇଗଲା ତ ମାଆ କହିଲେ,"କୁନି ! ଆମେ ଆଜି ବିଶ୍ୱକୁ ଜୟ କଲେ। ଚନ୍ଦ୍ରରେ ପାଦ ଥାପିଲେ ଯାହା ଦିନେ ଦରକାର ଥିଲା। ଆଜି ଗର୍ବ ଓ ଗୌରବର ଦିନ ହୋଇଥିବାରୁ ଆମ ଭାରତ ଜହ୍ନକୁ ଜିତିଲା ବୋଲି ନ କହି ରହି ପାରିବା କେମିତି?" କୁନି ମାଆଙ୍କୁ କହିଲା,"ମାଆ ! ଭାରତ ଦେଖାଇ ଦେଲା ତାର କରିସ୍ମା ନିଶ୍ଚୟ କିନ୍ତୁ ମୁଁ ଭାବୁଛି କି ଚନ୍ଦ୍ରର ପୃଷ୍ଟଭୂମି ଜାଣିବାକୁ ହେଲେ ଆହୁରି କେତେ ଯୁଗ ଲାଗିବ। ଆମେରିକା,ରୁଷିଆ,ଚୀନ ଅଥବା ଭରତ ଯିଏ ହୁଅନ୍ତୁ ନା ପଛକେ ଆହୁରି ତଥ୍ୟ ଆଣିବାକୁ ନିଶ୍ଚୟ କେତେ ଥର ଚନ୍ଦ୍ର ପୃଷ୍ଠକୁ ନ ଯିବେ ତାହା କହିବା କାଠିକର ହେବ,ନୁହେଁ? ମାଆ କୋଳକୁ ନେଲେ ଆଉ କହିଲେ,"କୁନି ! ପୁଣି ଆଉଥରେ ଯାଆନ୍ତୁ କି ନ ଯାଆନ୍ତୁ କିନ୍ତୁ ଆଜି ତ ଭରତ ଚନ୍ଦ୍ରରେ ତ୍ରିରଙ୍ଗା ପତାକା ଉଡ଼ାଇଲା ନା?" କୁନି ମାଆଙ୍କ କୋଳରୁ ଓହ୍ଲାଇ ପଡ଼ି ଆକାଶକୁ ଦେଖୁଥିଲା ଚନ୍ଦ୍ରର ଲାଲିମାକୁ,ଜ୍ୟୋତ୍ସ୍ନାକୁ ଆଉ କଳଙ୍କକୁ। ମାଆ ପାଖରେ ଥାଇ ଭାବୁଥିଲେ କୁନି କାହିଁକି ଆଜି ଏତେ ପ୍ରଶ୍ନ କରିଛି। ହୃଦୟରେ କୌଣସି ଅବସୋସ ରହି ନାହିଁ ତ..?
