Sabitri Mohapatra

Others

3.6  

Sabitri Mohapatra

Others

ଜେଜେ ମା

ଜେଜେ ମା

4 mins
178



ଗୋଧୂଳି ରଙ୍ଗରେ ରଙ୍ଗାୟିତ ହୋଇ ସୂର୍ଯ୍ୟ ଯେତେବେଳେ ଫେରିଯାନ୍ତି ମାଆ କୋଳକୁ, ଆଉ କିଚିରିମିଚିରି ଶବ୍ଦ କରି ପକ୍ଷୀମାନେ ଫେରିଆସନ୍ତି ନିଜର ବାସସ୍ଥଳୀକୁ, ସେହି ସମୟରେ ଶୁଭିଯାଏ ଶଂଖ ଆଉ ଘଣ୍ଟର ଧୂନି ମନ୍ଦିରରୁ । ଠିକ୍ ସେତିକିବେଳେ ଜେଜେ ମାଆଙ୍କ ପଣତ କାନିରେ ଛୁପି ରହିବାକୁ ଭାରି ଇଛା ହୁଏ ଡୁଡୁର । ସେଦିନ ସାଙ୍ଗ ମାନଙ୍କ ସହିତ ଖେଳ ସାରି ମାଆ ମା ଡାକରେ ହୁରି ପକାଇ ପଶି ଆସିଲା ଡୁଡୁ ।

ମାଆଙ୍କୁ ସେତିକି ବେଳେ କେଉଁଠି ନ ପାଇଲେ ପାଇଯାଏ ଠାକୁର ଘରେ । ଠାକୁରଙ୍କ ପାଖରେ ସଂଧ୍ୟା ଆଳତୀ ଦେଇ,ମୁଣ୍ଡିଆ ମାରି ମାଆ କଣ ସବୁ ଠାକୁରଙ୍କର ନିରୀକ୍ଷଣ କରିଥାନ୍ତି। ସତେକି ତାଙ୍କର ସମସ୍ତ ଗୁହାରି ଠାକୁରଙ୍କୁ ଜଣାଉ ଥାନ୍ତି । ମାଆ ଟିକେ ଆସନା, ମୋର ମୁଣ୍ଡଟା ଭାରି ବିନ୍ଧୁଛି । ତାର ମାଆଙ୍କ ଠାରୁ ଗପ ଶୁଣିବାର ଇଛାଟା ମୁଣ୍ଡ ବିନ୍ଧାର ରୂପ ନିଏ । ମାଆ ତା କଥା ଶୁଣି ବିଛଣାକୁ ଆସିଗଲେ । ମାଆଙ୍କ ହାତଟି ତା ମୁଣ୍ଡ ଉପରେ ଥୋଇଦେଇ କହିଲା, ମାଆ ଭାରି ବୋର ଲାଗୁଛି ,ଗୋଟେ ଗପ କୁହନା । ତୁମର ସେ ପିଲାଦିନ ଗପ । ତୁମେ କେମିତି ଗୋଟିଏ ରୁମରେ ସାତ ଭଉଣୀ ଆଗପଛ ହୋଇ ଶୋଉଥିଲ, ବୁଢୀ ଆଈ ମେଞ୍ଚେ ଚକୁଳି ପିଠା କରି ଖଟତଳେ ଥୋଉଥିଲେ । ଆଉ ତୁମେ ମାନେ ସବୁ ଗୋଟିଏ ଗୋଟିଏ ନେଇ ଖାଉଥିଲ। ସେତେବେଳେ କଣ ପିଜା, କେକ ଆଉ ମାଗି ସବୁ ନଥିଲା କି? ଖାଲି ଚକୁଳି ପିଠା ଖାଉଥିଲ?

ଆଉ ତୁମ ବଡ ଭଉଣୀ ପ୍ରମିଳା ମାଆ, ଯାହାଙ୍କୁ ତୁମେ ସବୁବେଳେ ହଇରାଣ କରୁଥିଲ, ସବୁ କଷ୍ଟ କାମ ତାଙ୍କ ଦ୍ବାରା କରେଇ ତୁମେ ମଜ୍ଜା ଦେଖୁଥିଲ । ଆଉ ବେଳେ ବେଳେ ତାଙ୍କୁ ଆଚାର ଚୋରି କରିବାକୁ କହି ଧରା ପଡିଗଲେ ତାଙ୍କୁ ଗାଳି ବି ଶୁଣୋଉଥିଲ । ଏମିତି ଅନେକ କଥା । ଜେଜେମାଆଙ୍କର ସେଇ କେତୋଟି ପୁରୁଣା ସ୍ମୃତି ସବୁ ହୋଇଯାଏ ଆଜିର ଗଳ୍ପ ।


 ମାଆ ସେଦିନ ଡୁଡୁ ପାଖେ ଶୋଇ ସବୁ ପୁରୁଣା ସ୍ମୃତିକୁ ଗୋଟୋଉ ଗୋଟୋଉ ଟିକେ ତାଙ୍କୁ ଛାଇ ନିଦ ମାଡି ଆସିଛି । ସେ ଫେରି ଯାଇଛନ୍ତି ସେଇ ପୁରୁଣା ଦୀର୍ଘ ଷାଠିଏ ବର୍ଷ ତଳକୁ । ସେ ନିଦରେ କହି ଚାଲିଛନ୍ତି  ଏ ପ୍ରମିଳା ଚାଲ୍ ଯିବାନା, ବୋଉ ଆଟୁଘର ଉପରେ ଆମ୍ବ ଆଚାର, ଛୁଇଁ ଆଚାର ସବୁ କରି ଶୁଖେଇ ଥିଲା। ଆଉ କହିକି ଯାଇଥିଲା,ଟିକେ ଯାଇ ଦେଖା ଦେଖି କରି ଆସିବାକୁ ।

ଚାଲ ଯିବାତ ଟିକେ ଦେଖି ଆସିବା ଉପରେ । ଦୁଇ ଭଉଣୀ ଛାତ ଉପରକୁ ଗଲେ। ଜଗିବା ତ ମୁଖ୍ୟ ଉଦ୍ଦେଶ୍ୟ ନଥିଲା ମାଆଙ୍କର । ଉଦେଶ୍ଯ ଥିଲା ଆଚାର ଚୋରି କରି ଖାଇବା । ଶୁଖାଯାଇଥିବା ଜାଗାକୁ ଯାଇ ମାଆ ମନଇଛା ଆଚାର ଆଣି ଖାଇଲେ। ଆଉ ଖଣ୍ଡେ ଆଣି ଖାଇବାକୁ ମନକରି ହାତ ବଢାଇଲା ବେଳକୁ ଚାଉଁକିନା ନିଦ ଭାଙ୍ଗିଗଲା, ଡୁଡୁର ଡାକରେ । ଡୁଡୁ ମାଆଙ୍କୁ ହଲେଇ ହଲେଇ କହି ଚାଲିଛି – ମାଆ କୁହନା, ସେଠୁ କଣ ହେଲା ?ମା ନିଦ ବାଉଳାରେ ଉଠି ଦେଖିଲେ ଡୁଡୁ ପାଖରେ ଶୋଇଛି,ହେଲେ ପ୍ରମିଳା କାହିଁ? ଆହା! କେତେ ଭଲ ସ୍ବପ୍ନଟା ଭାଙ୍ଗିଦେଲା ଏ ଡୁଡୁ?ମା ଏମିତି ଗୋଟେ ଦିଟା ଗପ କହି ଚାଲିଲେ । ଆଉ ପୁଣି ଢୁଳେଇପଡି ଫେରିଗଲେ ସେଇ ପୁରୁଣା ସ୍ମୃତି ଗୋଟେଇବାକୁ।


ଦିନକର କଥା, ପ୍ରମିଳା ମାଆ ବାହା ହୋଇ ତାଙ୍କ ଶାଶୁଘରେ ଥାନ୍ତି । ସେଦିନ ପ୍ରମିଳା ମାଆ ରାତି ନପାହୁଣୁ ଉଠି ବିଭିନ୍ନ ପ୍ରକାର ପିଠାପଣା କରି ଡବା ଗୁଡିକରେ ରଖିଛନ୍ତି । ତାଙ୍କ ବୋଉଙ୍କୁ ଦେଖିବାକୁ ଯିବେ ବୋଲି ଏ ପିଠାପଣାର ଆୟୋଜନ କରିଥିଲେ । ସେତେବେଳେ କିଣା କିଣିର ପ୍ରଥା ବେଶି ନଥିଲା । ତେଣୁ ମଣ୍ଡା, କାକରା, ଆରିଷା, ଖଜା,ମାଲପୁଆ ଆଦି ପିଠା କରିଥାନ୍ତି ।ସେଥିରେ ଛେନା,ନଡିଆ ପୁର ପଡିଥାଏ,ଆଉ ଆରିଷା ଗୁଡିକ ରାଶି ଗୁଡ ପାଗ ହୋଇ ଛଣା ହୋଇଥାଏ । ଭଲ ଗୁଆଘିଅରେ ସବୁ ଛଣା ହୋଇଛି । ତେଣୁ ମହ ମହ ହୋଇ ବାସି ଉଠୁଛି ସବୁ ପିଠାପଣା । ଛଅ ସାତ ପ୍ରକାର ପିଠା କରି ପ୍ରତି ଡବାରେ ଅଲଗା ଅଲଗା କରି ରଖିଛନ୍ତି । ସବୁ କାମ ସାରି ଦେଇଛନ୍ତି । ବାସ୍ ଆଉ ଅଳ୍ପ ସମୟ ପରେ ଶାଢୀ ପିନ୍ଧି ତାଙ୍କ ବୋଉଙ୍କ ପାଖକୁ ଯିବା କଥା । ସେ ମନେ ମନେ ବହୁତ ଖୁସି ହଉଥିଲେ କି, ବୋଉ ଏହିସବୁ ପିଠାଖାଇ ବହୁତ ଖୁସି ହେବ | କାରଣ ଏସବୁ ବୋଉର ପ୍ରିୟ ପିଠା ଥିଲା |


ଏଇ ସମୟରେ ଗୋଟେ ଫିଆଟ୍ ଗାଡି ଆସି ତାଙ୍କ ଘର ଆଗରେ ଲାଗିଲା । ଗାଡିରୁ ଡୁଡୁର ଜେଜେବାପା ଆଉ ଜେଜେମାଆ ଆଗପଛ ହୋଇ ବାହାରି ଆସିଲେ । ଜେଜେ ବାପା କହିଲେ,କୁଆଡେ ବାହାରିଥିଲେ କି ନାନୀ ? ପ୍ରମିଳା ମାଆ କହିଲେ - ହଁ,ବୋଉକୁ କେତେଦିନ ହେଲା ଦେଖିନି ତ,ଟିକେ ବାହାରିଥିଲି ବୋଉକୁ ଦେଖା କରି ଆସିବାକୁ । ମାଆ କହିଲେ ହଉ ହଉ,ଆମେ ବି ବେଶି ସମୟ ରହିବୁନି । ଆମର ସମୟ ନାହିଁ, ସଙ୍ଗେ ସଙ୍ଗେ ପଳେଇବୁ । ଅଳ୍ପଟିକେ କଣ ଜଳଖ୍ଆ ଅଛି , ଆମକୁ ଦେଇଦେ, ଆମେ ଖାଇ ପଳେଇବୁ । ଘରେ ତ ବେଶି କିଛି ନଥିଲା, କାରଣ ସେ ତ ଯିବାକୁ ବାହାରିଥିଲେ, ତେଣୁ ବାଧ୍ୟ ହୋଇ ପ୍ରମିଳା ମାଆ ସେ ଡବାରୁ ସବୁ ପିଠା ଦୁଇ ଖଣ୍ଡ ଲେଖାଏଁ କାଢି ବାପା ମାଆଙ୍କୁ ଦେଇ ଚ଼ର୍ଚ୍ଚା କଲେ । ଗୁଆଘିଅରେ ଛଣା ହେଇଛି ,ସେଥିରେ ପୁଣି ଛେନା ନଡିଆ ପୁର ,ପାଟିରୁ ଆଉ ଛାଡୁନି । ଏତିକିଟିକେ ପିଠା ନେଇ କୋଉ ମୁହଁରେ ବୋଉ ପାଖକୁ ଯିବେ ? ଏତେ କଷ୍ଟ କରି କାମ ସବୁ ସାରିଥିଲେ,ବୋଉ ପାଖକୁ ପିଠା ଦିଟା ଧରି ଯିବେ ବୋଲି, କଣ କରିବେ ଭାବି ପାରିଲେନି । ମନ ଦୁଃଖ କରି ଖଟ ଉପରେ ବସି ପଡିଲେ । କାଢିଥିବା ଭଲ ଶାଢୀକୁ ଚଉତା ଚଉତି କରି ଆଲମାରୀରେ ରଖି ଦେଲେ । ପ୍ରମିଳା ମାଆ ଦୀର୍ଘଶ୍ୱାସ ପକାଇ କାଲି ବୋଉ ପାଖକୁ ଯିବେ ବୋଲି ଭାବି ପୁନର୍ବାର ତାଙ୍କର ପ୍ରସ୍ତୁତି ଆରମ୍ଭ କରିଦେଲେ । 


ଏସବୁ ପୁରୁଣା କଥାକୁ ମନେ ପକାଇ ମାଆ ମନେ ମନେ ହସୁଥିଲେ। ଏମିତି ଅନେକ ସ୍ମୃତି ତାଙ୍କ ମନରେ ଖେଳିଉଠିଲା, ସେ ଅନେକ ସ୍ମୃତିକୁ ଭାବି ଭାବି ଡୁଡୁର ମୁଣ୍ଡ ସାଉଁଳେଇ ପୁଣି କହି ବସିଲେ ଅଧା ଗଢା ଗଳ୍ପ କେତୋଟି ।



Rate this content
Log in