ଈଶ୍ୱରଙ୍କ ଇଚ୍ଛା
ଈଶ୍ୱରଙ୍କ ଇଚ୍ଛା
ଗୋଟିଏ ବିଦ୍ୟାଳୟରେ ଶିକ୍ଷକ ପିଲାମାନଙ୍କୁ ପଢ଼ାଇଲା ବେଳେ କହିଲେ,
-ଶିଶୁମାନେ ହେଉଛନ୍ତି ଭଗବାନଙ୍କ ସ୍ୱରୂପ ।
ସେମାନଙ୍କୁ ସବୁବେଳେ ସ୍ନେହ ,ଆଦର, ଯତ୍ନ କରିବା ଉଚିତ।କାରଣ ସେମାନେ ଅବୋଧ ;ସେମାନେ ଦୁନିଆ ବିଷୟରେ କିଛି ଜାଣି ନଥାନ୍ତି।ପିଲାଟିକୁ ଆମେ ବିଦ୍ୟାଳୟ ପଠାଉ ।ବିଦ୍ୟା ଆହାରଣ ପାଇଁ,ସବୁ ଜାଣିବା ପାଇଁ ଶିକ୍ଷା ନିହାତି ଦରକାର।
-କିନ୍ତୁ ସାର୍, ଭଗବାନ ପିଲାବେଳେ ଅର୍ଥାତ୍ ଶିଶୁମାନେ ସ୍କୁଲ ଯିବାକୁ ରାଜି ହୁଅନ୍ତିନି ।କିନ୍ତୁ ଜବରଦସ୍ତି ସେମାନଙ୍କୁ ସ୍କୁଲରେ ଛଡାଯାଏ।
ଈଶ୍ୱରଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ପାଠ ପଢିବାକୁ କାହିଁକି ବାଧ୍ୟ କରାଯାଏ ?
ହସିଦେଇ ଶିକ୍ଷକ କହିଲେ,"ସେଥିପାଇଁ ଈଶ୍ଵରଙ୍କ ବାପା ମା ମାନେ ପିଲାଟିକୁ ବିଦ୍ୟାଳୟକୁ ଆଣନ୍ତି।ଧୀରେ ଧୀରେ ସେ ବିଦ୍ୟାଳୟକୁ ଆଦରିନିଏ।ଛୋଟଥିଲା ବେଳେ ଈଶ୍ୱର ଜାଣି ନଥାନ୍ତି ତାଙ୍କ ପାଇଁ କେଉଁଟା ଭଲ।"
-ସାର୍ ,ବଡ଼ ହେଲାପରେ ପରେ ବି ଆମ ଦେହରେ ଈଶ୍ୱର ରୁହନ୍ତି ?
-ହଁ,ଈଶ୍ୱର ସମସ୍ତଙ୍କ ଦେହରେ ରହିଥାନ୍ତି।ସେଥିପାଇଁ ସବୁ ମଣିଷଙ୍କୁ ତମେ ସମ୍ମାନ,ଭକ୍ତି କରିବା ଉଚିତ।
ଟିକେ ଚିନ୍ତାକରି ପିଲାଟି କହିଲା-
-ସାର୍,ଏବେ ବୁଝିଲି।ଈଶ୍ୱର ବୁଢ଼ା ବୁଢ଼ୀ ହୋଇଗଲା ପରେ ବି ଜାଣିପାରନ୍ତିନି ସେମାନଙ୍କ ପାଇଁ ଭଲ କଣ ?ସେଥିପାଇଁ ଈଶ୍ୱରଙ୍କ ପିଲାମାନେ ସେମାନଙ୍କୁ ସେମାନଙ୍କ ଇଛା ବିରୁଦ୍ଧରେ ଜରାଶ୍ରମରେ ଛାଡି ଦିଅନ୍ତି। କିନ୍ତୁ ସାର୍,ଈଶ୍ୱରଙ୍କୁ ଯଦି ସ୍ନେହ ସମ୍ମାନ ଭକ୍ତି କରିବା ଦରକାର ,ତେବେ ଆମେ ଈଶ୍ୱରଙ୍କ ଇଚ୍ଛାକୁ କାହିଁକି ମାନୁନା ?
ଶିକ୍ଷକଙ୍କ ମୁଣ୍ଡ ଗୋଳମାଳ ହୋଇଯାଉଥିଲା।