STORYMIRROR

Bismita Sahoo

Others

5.0  

Bismita Sahoo

Others

ହୋଲି

ହୋଲି

3 mins
1.4K


ଗଳ୍ପ-୨୨(ରଙ୍ଗର ପର୍ଵ ହୋଲି)

ପ୍ରତିବର୍ଷ ଏଇ ଦିନକୁ ମାନି ଅପେକ୍ଷା କରି ରୁହେ। ହୋଲିର ରଙ୍ଗ ତାକୁ ମତୁଆଲା କରିଦିଏ। ରଙ୍ଗ ବିରଙ୍ଗୀ ଅବିର ସତେ ଯେମିତି ତାକୁ ହାତ ଠାରି ଡାକନ୍ତି। ସେ ରଙ୍ଗରେ ପୂରା ଭିଜିଯାଏ। ଛୋଟବେଳୁ ମାନି ସେମିତି। ତା ଉପରେ ଯଦି କେହି ଅବିର ନ ଢାଳନ୍ତି ସେ ନିଜେ ନିଜେ ଅବିର ବାଲ୍ଟି ଆଣି ନିଜ ଉପରେ ଢ଼ାଳି ଦିଏ। ବାପା ତାର ଫଜିଲାମୀ ଦେଖି ହସି ହସି ଗଡିଯାନ୍ତି। କୁହନ୍ତି ହେ ରାଧାମାଧବ ମୋ ମାନିର ଜୀବନକୁ ଏଇମିତି ରଙ୍ଗୀନ କରି ରଖିଥାଅ ପ୍ରଭୁ।

ପ୍ରଭୁ ରାଧାମାଧବ ସତରେ ମାନି ବାପାଙ୍କ କଥା ଶୁଣି ଥିଲେ। ମାନିର ଜୀବନକୁ ରଙ୍ଗୀନ କରିବା ପାଇଁ ମୋହନ ହାତ ବଢ଼ାଇ ଥିଲେ। ମୋହନକୁ ବାହାହେବା ଦିନଠାରୁ ମାନିକୁ ଲାଗେ ତାର ପ୍ରତ୍ୟେକ ଦିନ ହୋଲି ଓ ରାତି ଦୀପାବଳିରେ କଟି ଯାଉଛି। ମୋହନ ଜାଣନ୍ତି ମାନିର ରଙ୍ଗ ପ୍ରତି ଦୁର୍ବଳତା। ତେଣୁ ସେ ହୋଲି ପୂର୍ବଦିନ ମାନି ପାଇଁ ବିଭିନ୍ନ ରଙ୍ଗର ଅବିର ଆଣି ଦିଅନ୍ତି। ମାନି ସକାଳୁ ଉଠିଲା ମାତ୍ରେ ମୋହନ ନାଲି ଅବିର ନେଇ ଆଗେ ତାର ସୀମାନ୍ତରେ ଭରି ଦିଅନ୍ତି। ତାପରେ ଗାଲରେ ରଙ୍ଗର ଇନ୍ଦ୍ରଧନୁ ଆଙ୍କନ୍ତି। ମାନି ଓ ମୋହନର ହୋଲି ଖେଳ ଦେଖିଲେ ସାହି ମାଇପିଏ ଇର୍ଷା କରନ୍ତି। ସତେ ଯେମିତି ଦୁହେଁ ଦୁଇଟି ଶରୀର ଗୋଟିଏ ଜୀବନ।

ଚାହୁଁ ଚାହୁଁ ବାହାଘରର ଦୁଇ ବର୍ଷ ପୁରିଗଲା। ମାନି ଖୁବ୍ ଶୀଘ୍ର ମା ହେବାକୁ ଯାଉଛି। ଖୁସିରେ ଦୁହିଁଙ୍କ ପାଦ ତଳେ ପଡୁନଥାଏ। ସେଦିନ ଦୀପାବଳି ଥାଏ। ଦୀପାବଳିରେ ଘର ସଜେଇବା ପାଇଁ ନାନାପ୍ରକାର ସରଞ୍ଜାମ କିଣିବା ପାଇଁ ମାନି ମନାକଲେ ବି ମୋହନ ତାକୁ ଜବରଦସ୍ତି ମୋଟରସାଇକେଲରେ ବସେଇ ନେଇଗଲା। ରାସ୍ତାସାରା ମୋହନ ନିଜ ଛୁଆ ବିଷୟରେ ଗପି ଚାଲୁଥାଏ। ଏଇଥର ହୋଲିକୁ ସେମାନଙ୍କ ସନ୍ତାନ ଆସି ଯାଇଥିବ। ସେମାନେ ତିନିହେଁ ମିଶି ଏଥର ହୋଲି ପାଳନ କରିବେ। ଆଗାମୀ ସ୍ୱପ୍ନରେ ଦୁହେଁ ବିଭୋର ହୋଇ ଉଠୁଥିଲେ।

କୌଣସି ଏକ ପ୍ରେମୀ ଯୁଗଳ ବାଇକ୍ ରେ ଅତି ବେପରୁଆ ଢଙ୍ଗରେ ଯାଉଥାନ୍ତି। ପ୍ରେମିକାଟି ନିଜର ହାତ ଦୁଇଟି ପ୍ରେମୀର ବେକରେ ଛନ୍ଦିଦେଇ ତା ପିଠିରେ ଲଦି ହୋଇ କେତେବେଳେ ବସି ରହିଥାଏ ତ ଆଉ କେତେବେଳେ ବାଇକ ଉପରେ ଠିଆ ହେଇଯାଉଥାଏ। ସେମାନଙ୍କ ମୋଟରସାଇକେଲଟି ସର୍ପିଳ ଗତିରେ ମାନି-ମୋହନଙ୍କ ଗାଡ଼ିର ଆଗପଛ ହେଉଥାଏ। ମାନି ସେମାନଙ୍କୁ ଦେଖି ଉଲ୍ଲସିତ ହେଉଥିଲା କିନ୍ତୁ ମୋହନ ସେମାନଙ୍କ ଉପରେ ଗାଳି ବର୍ଷିବା ଆରମ୍ଭ କରିଦେଇଥିଲା।

ସଂକୀର୍ଣ୍ଣ ରାସ୍ତା, ନା ନିଜେ ଆଗକୁ ଯାଉଛନ୍ତି ନା ଏମାନଙ୍କୁ ଆଗକୁ ଛାଡ଼ୁଛନ୍ତି। ମୋହନ ଗାଡିକୁ ଟିକେ ରାସ୍ତା କଡ଼କୁ ନେଇ ସେମାନଙ୍କ ପାଖରୁ ବର୍ତ୍ତିବା ପାଇଁ ଗାଡ଼ିର ଗତି ବଢ଼େଇଲା। ଏକଥା କିନ୍ତୁ ସେ ପ୍ରେମବାଇଆଙ୍କୁ ବୋଧେ ଭଲ ଲାଗିଲାନି। "ଲୁଜର" "ଲୁଜର" ଚିଲ୍ଲେଇ ମାନି-ମୋହନଙ୍କ ଗାଡିକୁ ଧକ୍କା ଦେଇ ଚାଲିଗଲେ। ମାନି ଛିଟିକି ପଡ଼ିଲା ରାସ୍ତା କଡରେ ଥିବା ବିଲ ପାଖକୁ। ମୋହନର ମୁଣ୍ଡ ମାଡ଼ହେଲା ଗୋଟିଏ ବଡ଼ ପଥରରେ।

ଏତେଶିଘ୍ର ମାନି ଜୀବନର ପଟ୍ଟ ପରିବର୍ତ୍ତନ ହେବ ବୋଲି କେହି ଭାବିନଥିଲେ। ମୋହନ ଗଲାଦିନୁ ମାନି ନିର୍ଜୀବ ପାଲଟି ଯାଇଥିଲା। ଇଚ୍ଛା ହେଲେ ଖାଉଛି ନଚେତ ଆକାଶକୁ ଅନାଇ କଣ ଗୁଡ଼ାଏ ଭାବୁଛି। ଆଖିର ଲୁହ କେବେଠାରୁ ଶୁଖି ଗଲାଣି କିନ୍ତୁ ମନର ବେଦନା ଏବେବି ସମ୍ପୂର୍ଣ୍ଣ ତାଜା।

ମାନିର ଶାଶୁ ଓ ତା ସାନ ଦିଅର ରମୁ ତାର ବହୁତ ଯତ୍ନ ନେଉଛନ୍ତି। ଶ୍ୱଶୁର ତ ମାନି ବିବାହ ପୂର୍ବରୁ ଇହଲୀଳା ସମ୍ବରଣ କରିଥିଲେ। ରମୁ ଏଇବର୍ଷ ଦଶମ ପରୀକ୍ଷା ଦେଇଛି।

ଗାଁ ଦାଣ୍ଡରେ ହୋଲି ଖେଳ ଆରମ୍ଭ ହେଇଗଲାଣି। ମାନି ଝରକାପଟେ ଏକଲୟରେ ପିଲାଙ୍କ ଖେଳକୁ ଅନେଇ ରହିଛି। ଗାଁ ବରଗଛ , ବଂଶୀଦାଦାଙ୍କ ଆମ୍ବ ବଗିଚା, ମନ୍ଦିର ସବୁ ସେମିତି ରହିଛି। ମଦନମୋହନ ଠାକୁର ବିମାନରେ ବସି ହଲି ହଲି ସବୁ ବର୍ଷ ପରି ସଭିଙ୍କ ଘରୁ ଭୋଗ ଖାଇ ଯାଇଛନ୍ତି। ଯେମିତି ଯାହା ଚାଲୁଥିଲା ସବୁ ସେମିତି ଚାଲିଛି କିନ୍ତୁ-------

ମାନି ତା ପେଟରେ ଘେରାଏ ହାତ ବୁଲେଇ ଆଣିଲା। ଗରମ ଗରମ ଦୁଇ ଟୋପା ଲୁହ ତା ଆଖିରୁ ଝରି ସିଧା ପେଟ ଉପରେ ପଡ଼ିଲା। ସେଦିନ ମାନି ସିନା ବଂଚିଗଲା କିନ୍ତୁ ନା ବଞ୍ଚେଇ ପାରିଲା ତା ସୁହାଗକୁ ନା ପେଟରେ ଥିବା ତା ଛୁଆକୁ। ଏଇ ଛୁଆଟି ପାଇଁ ମୋହନର କେତେ ଆଶା ଥିଲା। ସେ ମୋହନର ଶେଷ ସନ୍ତକଟିକୁ ବି ବଞ୍ଚେଇ ରଖି ପାରିଲାନି। ତାକୁ ନିଜ ଉପରେ ଖୁବ୍ ଘୃଣା ଆସିଲା।

ମାନି ତା ପେଟକୁ ଜୋରରେ ବିଧା ମାରି ବିକଳରେ ଚିତ୍କାର କରିବାକୁ ଲାଗିଲା। କଣ ହେଲା କହି ଶାଶୁ ଦୌଡ଼ି ଆସିଲେ। ମାନିର ସାନ ଦିଅର ରମୁ କଣ ବୁଝିଲା କେଜାଣି କ୍ଷୀପ୍ରଗତିରେ ଆସି ଭାଉଜର ପେଟକୁ ଚାପି ଧରି କହିଲା ଭାଉଜ ମୁଁ କଣ ତୁମ ପୁଅ ନୁହେଁ? ଯେଉଁ ଛୁଆଟି ତୁମପାଖେ ନାହିଁ ତା ପାଇଁ କାନ୍ଦୁଛ କିନ୍ତୁ ଯିଏ ତୁମ ପାଖେ ଅଛି ସେ କଣ ତୁମ ପୁଅ ନୁହେଁ?

ମାନି ରମୁକୁ କୁଣ୍ଢେଇ ପକେଇଲା। ରମୁ ମାନିର ଗାଲରେ ଅବିର ବୋଳି କହିଲା ହାପି ହୋଲି କୁନିମା। ମୋହନମାଙ୍କ ଆଖିରୁ ବହୁଥିଲା ଆନନ୍ଦାଶ୍ରୁ। ଝରକାପଟେ ଦଲକାଏ ପବନ ବହିଆସିଲା ଆଉ ବିଞ୍ଚି ଦେଇଗଲା ମାନି ଜୀବନରେ ରଙ୍ଗ।

(ବିସ୍ମିତା)


Rate this content
Log in