ହିସାବ
ହିସାବ
ମୁଁ କାହାକୁ ଡରେ ! ଯିଏ ସତରେ ମୋ ନିଜର ! କିନ୍ତୁ କାହିଁକି ଡରେ?ସେ ତ ଡରାଏନା । ସେ କଥା ତ କହି ପାରେନା । ତାର ଗୋଟିଏ ରୂପ ଅଛି କି ନାହିଁ ସେଟା ବି ମୁଁ ଜାଣିନି । ଜାଣିନି ତା ଠିକଣା । ଏଇ ତକ ଜାଣିଛି ସେ ମୋତେ ନିଶ୍ଚୟ ନିଜର କରିବ; ମୁଁ ତାକୁ ଡରେ ବା କେଉଁଠି ଲୁଚେ ଯେତେ ଚେଷ୍ଟା କଲେ ସେ ମୋତେ ହଠାତ୍ ଭେଟିବ । କୋଳେଇ ନେବ । ମୋର କୁଆଁ ଶବ୍ଦରୁ ମୁଁ କେବଳ ମାତ୍ର ଗୋଟିଏ ଆଶାରେ ଚାଲୁଛି । ତାକୁ କେବେ ଭେଟିବି । ଏଇ ସାକ୍ଷାତଟା କିନ୍ତୁ ବିନା ସୂଚନା ବେଳ ଅବେଳ ନଦେଖି ଆସିବ । ମୁଁ ପ୍ରସ୍ତୁତ ଥିବି କି ନଥିବି ସେ ବି ଜଣା ନାହିଁ । ହେଲେ ଦେଖ! ସବୁ ଦିନ ମୋର ତ ଅପେକ୍ଷା ତାର ପାଇଁ । ଦେଖନ୍ତୁ ତ ଜାଣି ନଥିବା ଦେଖି ନଥିବା ନିହାତି ନିଜର ଅପ୍ରିୟ ସତ୍ୟକୁ ଭେଟିବାକୁ ମୋର କି ଉତ୍କଣ୍ଠିତ ଉଦବିଗ୍ନ ଆତ୍ମା !
ହେ ମୋର ଇପ୍ସିତ ! ତୁମେ ବଡ଼ କପଟୀ । ପରଖୁଛ ମୋତେ । କେତେ ଘଟଣ ଅଘଟଣ ମୋ ପାଇଁ ନିର୍ଦ୍ଦିଷ୍ଟ କରି ରଖିଛ । ତୁମେ ଜାଣିଛ;ବୋଧେ ସେଇ ପାଇଁ ମୁରୁକି ହସୁଛ । ସମ୍ପର୍କ, ସେହ୍ନ, ମମତା, ପ୍ରେମ, ଲୋଭ, ଆସକ୍ତି, ମୋହ ଜାଲ ଘେରାଇଛ ମୋ ଚାରିପାଖ । ଛନ୍ଦି ଦେଉଛ ଜାଲରେ । ଛଟପଟ ନିଃସହାୟ ମାଛ ପରି ମୁଁ ତୁଚ୍ଛାକୁ ବାଟେଇ ପିଟି ହେଉଛି । ଠକୁଛି ପ୍ରତି କ୍ଷଣେ; ଆଶ୍ଚର୍ଯ୍ୟ ଠିକୁନି ଟିକିଏ ବି । ବାର ବାର ଭୁଲ କରୁଛି । କେତେ ମୂର୍ଖ ମୁଁ ପଦବୀ ନେଇ କି ଗର୍ବ ମୋର! ଆଖି ଥାଇ ଅନ୍ଧ । ମୋର ସବୁ ବ୍ୟାଙ୍କରେ ଅଧିକ ସଞ୍ଚୟ । ସହର ଛାତିରେ କୋଠା । ମୋର ଗୋଟିଏ କଲମ ଗାର, ଛୋଟ ଦସ୍ତଖତ ବଦଳେଇ ଦେଇ ପାରେ କ୍ଷଣକେ ବହୁ ମଣିଷର ଭାଗ୍ୟ । ଧ୍ୱଂସ ବି କରି ପାରେ ସେଇ ଦସ୍ତଖତଟି ଗୋଟିଏ ଦେଶର ବିନାଶ । ମୁଁ ରାବଣ ପରି ଜାଣିଛି ଦିନେ ସୀତା ହରଣ ରାବଣ ମରଣ ପରି ମୋର ପଦବୀ ଓ ବୟସର, କ୍ଷମତାର ଆୟୁ ସରିଯିବ । ଯେତେବେଳେ ମୋର ସେ ସମୟ ଆସିବ ସେଇ ଲୋକେ ଯିଏ ସାର୍ ସାର୍ କହି ମୁହଁକୁ ଚାହିଁ କଥା କହିବାକୁ ସାହସ କରୁ ନଥିଲେ, ଜୋତାରୁ ଛତା ପର୍ଯ୍ୟନ୍ତ ପୂଜା କରୁଥିଲେ; ସେମାନେ ଦେଖିଲେ ନମସ୍କାର ଟିଏ ଦେବାକୁ ଦ୍ଵିଧା ବୋଧ କରିବେ । ଅଚିହ୍ନା ଲୋକ ପରି ବ୍ୟବହାର କରିବେ । ଅବଜ୍ଞାରେ ମ
ୁହଁ ଫେଇ ମୋତେ କହୁଣୀରେ ପେଲିଦେଇ ପଛକୁ ମାଡ଼ି ଯିବେ ଆଗକୁ । ସେତେବେଳ ମୁଁ ଆ ଇ ଏ ଏସ୍, ଆଇ ପି ଏସ୍, ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ କି ଭୟଙ୍କରଠୁ ଅତି ଭୟଙ୍କର ସହରର ଡନ୍ ନଥିବି । ଜାଣିଛି ଭଲ ରକମ କିନ୍ତୁ ରାବଣ ପରି ସବୁ ଭୁଲ ହିଁ କରୁଛି । କେଡେ ନିର୍ବୋଧ ସତରେ ମୁଁ କେଉଁ ଗୋଟେ ନାମ ଓ କେଉଁ ଖୋଳପା ଭିତର ମଣିଷ ନାମର ବିସ୍ମୟ ଜୀବ !
ଜାଣିଛି ସୁନା ହରିଣ ଭ୍ରମ; ଗୋଟିଏ ଶେଷ ହିଁ ନ ଶୋଷ । ଛାଡ଼ୁଛି କି ତା'ର ମୋହରୁ ମୁକ୍ତ କରି ନିଜକୁ! ସବୁ ଗୁଡା ସମ୍ପର୍କ ମିଛ ହେଲେ ବି ସାରା ପୃଥୁବୀ ହୃଦୟରେ ସ୍ଥାନଟିଏ କରିବାରୁ ବିରତ ହେଉଛି କି? ପ୍ରଶଂସା କି ନିନ୍ଦା ଉଭୟରେ ଅତ୍ୟନ୍ତ ପ୍ରତିକ୍ରିୟା ଶୀଳ ହୋଇ ଯାଉଛି । ମିଛ ହେଉ ପଛେ ପ୍ରଶଂସା ଶୁଣିଲେ ଖୁସି ହୋଇ ଯାଉଛି । ପ୍ରଶଂସକ ମୋର ପ୍ରିୟପାତ୍ର,ବନ୍ଧୁ ବୋଲି ଭାବୁଛି । ସତରେ କେହି ମୋ ଭୁଲ ଦର୍ଶାଇଲେ ତାକୁ ଅପ୍ରିୟ ଶତ୍ରୁ ମଣୁଛି । ଅଜବ ନା ମୋ ଓ ଆମ ଏ ସ୍ଵଭାବ! । ଦିବ୍ୟ ଚେତନା ଆଛନ୍ନ କଲାବେଳେ ନିଷ୍ପତ୍ତି ନେଉଛି ନା ଆଉ ଭୁଲ କରିବି ନାହିଁ । ବାସ୍ ସେଇ କ୍ଷଣକ ତାପରେ ଓହ୍ଲାଇ ଆସୁଛି ପୁଣି ଖୋଳପା ଭିତରକୁ । ରାଗ-ରୁଷା, ମାନ-ଅପମାନ, ମୋର-ତୋର, ପ୍ରହେଳିକା ଭିତରେ ପୁଣି ହଜାଉଛି ଅସ୍ତିତ୍ୱ । ନିରପେକ୍ଷ ହୋଇ ପାରୁ ନାହିଁ । ନିଜ ଭଉଣୀ, ଝିଅ ଆଖିକୁ ଭଉଣୀ ଝିଅ ଦେଖା ଗଲା ବେଳେ ଅନ୍ୟ ଭଉଣୀ, ଝିଅ ସେମିତି ଦିଶନ୍ତି ନାହିଁ । କଣ ଥାଏ ଏ ଆଖିରେ! । ଅତ୍ୟାଚାର, ବଳତ୍କାର ପରି ପାଶବିକ କ୍ରିୟାରେ ମଜ୍ଜୁଛି । କଅଁଳ, କଷି ଛୁଆକୁ ବି କେମିତି କରି ପାରୁଛି ଦୁଃଷ୍କର୍ମ! ଅନ୍ୟର ମୁଣ୍ଡ ଶିଡି କରି ଚଢି ଯାଉଛି ଉପରକୁ । କିନ୍ତୁ 'ସିଏ' ହସୁଛି । ମୁଁ ତାର ଆହୁରି ପାଖ ହୋଇ ଯାଉଛି । ଶେଷକୁ ସେ ଏଇଠି କରିଦେବ ମୋର ହିସାବ । ସେ ବାକି ରଖେନି କି ବାକି ଦିଏନି ବି । ସବୁ ନଗଦ ଏଇଠି ସଜାଡି ଥୋଇଛି । କେହିତ ନିଶ୍ଚିନ୍ତ ନୁହେଁ; ଆଉ ଏମିତି ଗୋଟିଏ ଦୁର୍ଲ୍ଲଭ ଜନ୍ମ ମିଳିବ କି ନାହିଁ । ତେବେ ଏଇ ଜନ୍ମଟି ଖୁସି ଖୁସି ହିସାବ ଖାତାରେ ବାକି ବୁକର ନରଖି ଜୀଇଁ ଗଲେ କେମିତି ହୁଅନ୍ତା?
ତେବେ ଡେରି କାହିଁକି ଆସନ୍ତୁ ହିସାବ ଠିକ୍ ଠିକ୍ କରି ସେଇ ପ୍ରିୟତମ କୋଳକୁ ଅପେକ୍ଷା ରଖିବା ।