Banabihari Mishra

Others

3  

Banabihari Mishra

Others

ହଡା ବଳଦର ଆତ୍ମକାହାଣୀ

ହଡା ବଳଦର ଆତ୍ମକାହାଣୀ

3 mins
408


ସଦା ଗୁଡିଆଟା ମରିଗଲା। ସମସ୍ତେ 'ଆହା ଆହା' କରୁଥିଲେ। କେହି କେହି କହୁଥିଲେ, ମରିଗଲାନି ଯେ ତରିଗଲା। ଭାରି ଦୁଃଖରେ ଥିଲା ବିଚରା। ଆଉ କିଛି ଲୋକଙ୍କ ପାଇଁ ସେ ଥିଲା ଗୋଟେ ଅଦରକାରୀ ମଣିଷ। କିଛି ଲୋକ ଏମିତି ନିର୍ବିକାର ରହିଥିଲେ ଯେମିତି କିଛି ହେଇନି। ସଦା ଗୁଡିଆ ଥିବା ନଥିବାଟା ଯେମିତି ତାଙ୍କ ପାଇଁ କିଛି ପାର୍ଥକ୍ୟ ନାହିଁ।


ଏଇ ଗାଁରେ ତାର ଜନ୍ମ। ଏଇଠି ପିଲାବେଳୁ ବଢ଼ିଛି, ଖେଳିଛି ଆଉ ଏଇଠି ଜୀବନ ସଂଗ୍ରାମରେ ଲଢ଼ିଛି। କେବେ ଝୁଣ୍ଟି ପଡ଼ିଛି ଆଉ ପୁଣି ଅଣ୍ଟା ସଳଖି ଉଠିଛି। ସେଇ ଭିତରେ ତା ବାପା ମାଆ ଦିଜଣଯାକ ତାକୁ ଏକା କରି ଛାଡ଼ି ଯାଇଛନ୍ତି। ବାପାଠୁ ଦେଖି ଦେଖି ଶିଖିଥିବା କୁଳବେଉଷାକୁ ଆପଣେଇ ନେଇଥିଲା। ଗୁଡିଆ ଛୁଆ। ବରା, ଆଳୁଚପ୍, ପକୁଡ଼ି ଆଦି ତେଲଛଣା ଜିନିଷ ସାଙ୍ଗକୁ ବୁନ୍ଦିଲଡୁ, ଜିଲାପି, ଗଜା, ଫେଣି ଆଦି ମିଠା ଜିନିଷ ନେଇ ବସିପଡେ ଗାଁର ମନ୍ଦିର ସାମ୍ନା ଚଉପାଢୀରେ। ଭଲ ଦି ପଇସା ବେପାର ହୁଏ। ଗାଁର ପିଲାଠାରୁ ବୁଢା ପର୍ଯ୍ୟନ୍ତ, କି ପୁଅ, କି ଝିଅ, ସମସ୍ତେ, ଏମିତିକି ଭୁଆସୁଣୀମାନେ ବି ସଦା ଗୁଡିଆର ଜଳଖିଆ ପାଇଁ ଆଶାୟୀ ରହିଥାଆନ୍ତି। ସଦା ଆସିକି ତା ପସରା ଖୋଲିବା ମାତ୍ରେ, କିଏ ଚାରଣା, କିଏ ଆଠଣା ଧରି ପହଞ୍ଚି ଯାଆନ୍ତି। ସଞ୍ଜ ସକାଳ, ଦିବେଳା ସଦା ଗୁଡିଆର ଦୋକାନ ଖୋଲେ।


ସମୟ ଗଡ଼ି ଚାଲିଥାଏ। ସଦାଟା ଏବେ ଜୁଆନ ଭେଣ୍ଡିଆ। ତାକୁ କିଏ କେମିତି କହୁକହୁ କହିଦିଅନ୍ତି ବାହା ହେଇ ଘର ସଂସାର କରିବା କଥା। ହସିଦେଇ କଥାଟାକୁ ଏଡେଇ ଦିଏ। ଭାବେ, ଏଇମିତି ଯାହା ଅଛି ଠିକ୍ ଅଛି। ବାହା ହେଇ ହାତକୁ ଦିହାତ ହେଲେ ଯାହାକୁ ହାତଧରି ଘରକୁ ଆଣିବ ତାର ସବୁ ଦାୟିତ୍ଵ ନେବାକୁ ପଡ଼ିବ କି ନା? ଏତେ କଥା କିଏ ପାରିବ, ଏଇ ଏକୁଟିଆ ସ୍ବାଧୀନ ଜୀବନଟା ଭାରି ଭଲ। ମୁହଁ ଟାଣ କରି ଏକଥା କହେ ସିନା, ଜୁଆନ ମନରେ କୋଉଠି ନା କୋଉଠି ଟିକେ କେଁ ରହିଯାଏ।

ଗାଁର ଜଣେ ପିତୃସ୍ଥାନୀୟ ମାମଲତକାରିଆ ସେଦିନ ସିଧାସଳଖ ପ୍ରସ୍ତାବ ରଖିଲେ । ଆର ଗାଁର ମଧୁ ସାହୁ ନାତୁଣୀ ସହ ସଦାର ବାହାଘର ପାଇଁ । ଝିଅଟିକୁ ଥରେ ଦିଥର ଦେଖିଛି ସଦା । ଏ ଗାଆଁର କିଛି ମେଳା ମଉଚ୍ଛବ ହେଲେ ସେ ଗାଁରୁ ଦେଖିବାକୁ ଲୋକ ଆସନ୍ତି। ଆଉ ସେ ଗାଁରେ ଯାନିଯାତ୍ରା ହେଲେ ସଦା ଗୁଡିଆ ଭଲ ଦିପଇସା ବେପାର ଆଶାରେ ତା ପସରା ଧରି ସେ ଗାଆଁକୁ ଯାଏ। ସେଇଠି ବେଳେବେଳେ ସେ ଝିଅକୁ ଦେଖିଛି। ରଙ୍ଗ ଏତେ ତୋଫା ଗୋରା ନ ହେଲେ ବି ମନ୍ଦ ନୁହେଁ। ଗଢଣଟା ଭାରି ମନକୁ ପାଏ। ଯଥାରୀତି ବାହାଘର ସରିଲା ପରେ ମାଳ ଆଉ ସଦା ଲାଗିପଡିଲେ ଘରସଂସାରରେ। ମାଳ ସଦାକୁ ବେଶ୍ ସାହାଯ୍ୟ କରେ। ସଦାର ବେପାର ବଢ଼ିବା ସାଙ୍ଗକୁ ଘରର ଆର୍ଥିକ ପରିଚାଳନା ଭାର ମାଳ ହାତକୁ ନେଇ ଝାଟିମାଟିର ଘରକୁ ପକ୍କା ଘରରେ ପରିଣତ କରି ଦିଏ।


ୟା ଭିତରେ ଗାଁ ଛକରେ ସଦା ଗୋଟିଏ ଛୋଟକାଟର ଜଳଖିଆ ଦୋକାନ କଲାଣି। ଦିଜଣ ବାପା ଆଉ ମାଆ ହେଇ ସାରିଲେଣି। ପୁଅଟିଏ। ପଦିଆ। ପଦ୍ମନାଭ ନାଁ ଦେଇଥିଲେ ବି ଡାକନ୍ତି ପଦିଆ। ଗାଁ ଇସ୍କୁଲରେ ପଢି ମାଟ୍ରିକ ଭଲରେ ପାସ୍ କରିଛି ପଦିଆ। ମାଳର ଏକା ଜିଦ୍, ପଦିଆ ପଢିବାକୁ ସହରକୁ ଯିବ। ପାଠ ପଢିବ। ଢେର୍ ପାଠ ପଢି ବଡ଼ ଚାକିରୀ କରିବ। ତାଙ୍କର ଦୁଃଖ ଯିବ। କିନ୍ତୁ ସଦାର ମତ ଅଲଗା। ପାଠ ପଢି କିଏ କଣ ସ୍ୱର୍ଗକୁ ଗଲାଣି? ବେପାରରେ ତାକୁ ସାହାଯ୍ୟ କଲେ ଭଲ ଦି ପଇସା କମେଇ ହବ। ଗାଁ ଛକକୁ ଦୋକାନ ଉଠିଥିବା ଦିନଠୁ ଗାଁରେ ବେପାରଟା ମାନ୍ଦା ପଡିଯାଇଛି। କିନ୍ତୁ ମାଳର ଜିଦ୍ ଆଗରେ ସଦା ସବୁବେଳେ ନାଚାର ହେଇଯାଏ। ଏଥର ବି ସେଇୟା ହେଲା। ପଦିଆ ସହରକୁ ପଢ଼ିବା ପାଇଁ ଗଲା।


ସମୟ ଗଡ଼ିଚାଲେ। ୟା ଭିତରେ ପନ୍ଦର ବର୍ଷ କଟିଗଲାଣି। ପଦିଆ ପାଠ ପଢି ଚାକିରୀ କଲାଣି। ରାଜଧାନୀରେ ରହୁଛି। ମାଳ ସଦାକୁ ଛାଡ଼ିଦେଇ ପାଞ୍ଚ ବର୍ଷ ହେଲା ଆରପାରିକୁ ଗଲାଣି। ଘରେ ସଦା ଏକୁଟିଆ। ଥୁରୁଥୁରୁ ହାତରେ ସଦା ଗୁଡିଆ ଏବେ ବି ତା ବେଉସା ଛାଡିନି। ଆଉ ଛକ ଦୋକାନକୁ ଯିବାକୁ ତାର ସାହସ କୁଳାଏନି। ସେଇ ଘର ବାରଣ୍ଡାରେ ପସରା ମେଲେଇ ବସିଥାଏ। ପଦିଆ ବରଷକରୁ ବେଶି ହେବ ଘରକୁ ଆସିନି। ତା ମାଆ ମଲା ପରଠୁ ତାର ଘରକୁ ଆସିବାଟା କମି କମି ଏବେ ପୁରାପୁରି ଶୂନ ହେଇଗଲାଣି। ସଦା ଶୁଣୁଥିଲା ପଦିଆ କୁଆଡେ କାହାକୁ ଗୋଟେ ବାହା ହେଲାଣି। ଏଇମିତି କେତେ କଥା ଶୁଣି ଶୁଣି ସଦାର କାନ ପଡିଗଲାଣି। ହଁ, ଯାଉ, ଯୋଉଠି ଥାଉ, ଖୁସିରେ ଥାଉ। ତା ହାତଗୋଡ ତ ଏବେ ଚାଲୁଛି, ବାପଟା ଅଚଳ ହେଇଗଲେ ପୁଅ ବଳେ ଆସିବନି। ତଥାପି ସାତ କଥାରେ ସତୀ ଭୁଲେ। ଏତେ ଲୋକଙ୍କଠୁ ଶୁଣି ଶୁଣି ତା ମନରେ ବେଳେବେଳେ ଖଟକା ଲାଗେ। ତଥାପି ଅଭିମାନ କରିପାରେନି ସଦା। ଭାବେ, ନିଜେ ସିଏ ଗୋଟେ ହଡା ବଳଦ ସାଙ୍ଗେ ସମାନ। ଜୀବନ ସାରା ଖଟିବ। ଯାହାକୁ ତ ହାତଧରି ଘରକୁ ଆଣିଥିଲା ସିଏ ତ ଛାଡି ଚାଲିଯାଇଛି। ଆଉ ମାନ କରିବ କାହା ଉପରେ। ଯେତେଦିନ ପାରିବ ଖଟି ଚାଲିଥିବ। ଏଇମିତି ନିଜ ସହ ସାଲିସ କରି ଶଗଡ଼ ଗୁଳାରେ ଚାଲିଥାଏ ଗୋଟେ ନିର୍ଦ୍ଦିଷ୍ଟ ଦିନ, ନିର୍ଦ୍ଦିଷ୍ଟ ସମୟରେ ଅଟକି ଯିବାକୁ।

ସକାଳୁ ସଦା ଗୁଡିଆର ଦୋକାନ ଖୋଲିଲାନି। ଆଉ ସେ ବାଟ ଦେଇ ଯିବାଆସିବା କରିବା ଲୋକଙ୍କ ନାକରେ ବରା ପିଆଜିର ବାସନା ବାଜିଲାନି। ଗାଁର ଲୋକେ କହୁଥିଲେ ଗୋଟେ ହଡା ବଳଦର କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା।


Rate this content
Log in