Ajaya Mahala

Others

3  

Ajaya Mahala

Others

ହାଉଡାର ବାହାଘର

ହାଉଡାର ବାହାଘର

7 mins
14.8K


ବୋକା ହେଲେ କ’ଣ ହେବ, କାନ ପାତି ସବୁ ଶୁଣୁଥିଲା ସେ। ତା ମାଆ ଭଦ୍ରଲୋକ ସହ କ’ଣ କଥା କରୁଛି ବୋଲି। ଭଦ୍ରଲୋକଙ୍କୁ ନମସ୍କାରଟିଏ କରିବା ଦୂରର କଥା, ବରଂ ମାରଣା ବଳଦ ପରି ତେରଛେଇ ଚାହିଁ ଚାହିଁ ସେ ବାହାରି ଗଲା ମଉଜା ଭିତରକୁ - ଘାସ କିଛି କାଟି ଆଣିବା ପାଇଁ। ଖାଇବା ବେଳ ହେବା ଯୋଗୁଁ ବଳଦ ଗୋଟିକ ତା ଆଡ଼କୁ ଅନେଇବା ଆରମ୍ଭ କରି ଦେଲାଣି।

 ଗାଁଆ ମୁଣ୍ଡ ବଡ ଅଶ୍ୱତ୍ଥ ଗଛ ମୂଳ, ଯେଉଁଠୁଁ ଧାନ ବିଲ ସବୁ ଆରମ୍ଭ ହୋଇଛି ସେଇଠି ଠିଆ ହୋଇ କିଏ ଜଣେ ରଡି ଛାଡି ଡାକୁଥିଲା, " ଜଟିଆ ! ଆବେ ହେ ଜଟିଆ !"

 ଜଟିଆକୁ ଡାକରା ପଡିଛି। ଦୁଇ ଜ’ଣ ଭଦ୍ରଲୋକ ଆସିଛନ୍ତି ଆଜି ତାକୁ ଦେଖିବାକୁ। ଜଟିଆ ଗୋଟିଏ ବୋଲି ପୁଅ ତା ମାଆର । ଜଟିଆ ଯେତେବେଳେ ଦୁଇ ବର୍ଷର ହୋଇଥିଲା ତା ବାପ ମରି ଯାଇଥିଲା। ପୁଅ ହାଉଡା ବୋଲି ଜଟିଆ ମା' କେବେ ବି ପୁଅର ବାହାଘର କଥା ଉଠାଇ ନ ଥିଲା।

ଆଜି କିନ୍ତୁ ପ୍ରସ୍ତାବଟିଏ ଛାଏଁ ଛାଏଁ ହାତରେ ଆସି ପହଁଚିଛି। ପ୍ରସ୍ତାବ ଖରାପ ନୁହେଁ। ଝିଅ ସପ୍ତମ ଯାଏଁ ପଢ଼ିଛି। ଜଟିଆ ତ ନିଜେ ସ୍କୁଲ ଘର ମାଡିନି।

 ଜଟିଆ ଅଧ ପାଚିଆ ଘାସ କାଟି ସାରି ଥିଲା। ପାଚିଆ ପୂରିବା ପୂର୍ବରୁ ଡକା ଯାଇଥିବାରୁ ଗୋଟିଏ ପ୍ରକାର ଖୁସି ନ ଥିଲା ସେ। ଆଣିଥିବା ଘାସ ବଳଦଙ୍କ ଆଗରେ ଫୋପାଡି ଦେଇ ବାଡ଼ି ପିଣ୍ଡାରେ ଆସି ଠିଆ ହେଲା।

 ତା ହାତରେ ନୀଳ କମିଜଟା ଧରେଇ ଦେଇ ମାଆ କହିଲା, " ପିନ୍ଧି ପକା, ତତେ ଦେଖିବାକୁ ଲୋକ ଆସିଛନ୍ତି।" ଜଟିଆ କଥା ମାନିଲା । ଯାଇ ଛିଡା ହେଲା ଭଦ୍ରଲୋକଙ୍କ ଆଗରେ ବାଡି ପିଜୁଳି ଗଛ ତଳେ। ତାକୁ ବେଶୀ କିଛି କହିବାକୁ ପଡ଼ିଲାନି । ଭଦ୍ରଲୋକ ଯେତିକି ମୋଟାମୋଟି ଭାବରେ ଆଶା କରିଥିଲେ ସେତିକି ବୋଧେ ସେମାନଙ୍କୁ ମିଳିଯାଇଥିଲା । ଏକାଥରକେ ସେମାନେ ପସନ୍ଦ କରିନେଲେ ଜଟିଆକୁ। ହାଉଡା ହେଲେ ବି ଜଟିଆ ଦେଖିବାକୁ ଖରାପ ନୁହେଁ। ଦେହର ଯତ୍ନ ନ ନେଉଥିଲେ ବି ବଳିଷ୍ଠ ଆଉ ହୃଷ୍ଟପୁଷ୍ଟ। ସବୁଠୁଁ ବଡ କଥା ଏହି ଯେ ସେ ମାଆ କଥା ମାନେ।

ଜଟିଆ କାନ ଡେରି ଶୁଣୁଥିଲା ତା ମାଆ ସେ ଦୁଇ ଜ’ଣ ଭଦ୍ରଲୋକଙ୍କ ସହ କି କଥାବାର୍ତ୍ତା ହେଉଛି ବୋଲି । ଆସନ୍ତା

ମଙ୍ଗଳବାରକୁ ବାହାଘରର ଶେଷ ଲଗ୍ନ । ସେଇ କଥା ଆଖିରେ ରଖି ସବୁ ବ୍ୟବସ୍ଥା କରିବାକୁ ପଡିବ। ୟାଠୁଁ ଅଧିକ କ’ଣ ବୁଝି ଥାନ୍ତା ବି ସିଏ । ତା ମନ ବାହାଘର ପାଇଁ ବହୁତ ଉତ୍ଫୁଲିତ ହୋଇ ଉଠୁଥିଲା ତାହା ନୁହେଁ। କିନ୍ତୁ ଗୋଟିଏ ଅନ୍ୟ ପ୍ରକାରର ଭାବନା ଦୌଡୁଥିଲା ତା ମନରେ । ସିଏ ବୁଝି ପାରୁ ନ ଥିଲା ଯେ ସମୟ ନିଜେ ତା ଦୁଆରରେ ପହଁଚିଛି ତା ଜୀବନରେ ଗୋଟିଏ ବିରାଟ ପରିବର୍ତ୍ତନର ସମାଚାର ନେଇ।

 "ଏ ବୋଉ, ଝଅଟି ଭାତ ଦେଲୁ"

 ବଳଦକୁ ଘାସ ଦେଇ ସାରିଲା ପରେ ଜଟିଆକୁ ବି ବହୁତ ଭୋକ ଲାଗେ । ସେ କଥା ତା ମା ଜାଣିଛି । ଆଜି ଯାହା କୁଣିଆଙ୍କ ଲାଗି ତା ଖାଇବା ଡେରି ହୋଇଗଲା । ମା ପଖାଳ କଂସାଏ ବାଢି ଦେଇ ଦୌଡ଼ିଲା ଚୁଲି ଆଡେ । କୁଟା ଜାଳି ଶୁଖୁଆ ଗଣ୍ଡାଏ ପୋଡି ଆଣିବ । ଲୁଣ, ଲଙ୍କା ଆଉ ରସୁଣ ଦେଇ ଛେଚି ଆଣିଲା ଶୁଖୁଆ । ଜଟିଆ ଖାଇବାକୁ ଆରମ୍ଭ କଲା ବଡ ବଡ ଗୁଣ୍ଡା । ତୋରାଣିରେ ମିଶିଗଲା ଶୁଖୁଆ ବାସ୍ନା । ଯେତେବେଳେ ପୁଅକୁ ଭୋକ କରେ, ମାଆକୁ ସେତେବେଳେ ଟିକିଏ ତର ତର ହୋଇ କରିବାକୁ ପଡେ ସବୁ କିଛି । କିଛି ବିଗିଡି ଗଲେ ମାକୁ କିଛି କହି ପାରେନା ଜଟିଆ ।

 କିନ୍ତୁ ଋଷି ବସେ ଘର ପଛ ପଟ ଛଣ ଗଦା ମୂଳେ ।

 ଯେତେ ଡାକିଲେ ଆସେନା । ତା ରୁଷା ଭାଙ୍ଗିବାକୁ ଗୋଟିଏ ଦିନ ଲାଗିଯାଏ । ଠିକ ସେତିକିବେଳେ, ଯେତେବେଳେ ବଳଦଟି ଖାଇବା ପାଇଁ ଘାସ କୁଟା ମାଗେ, ହମ୍ବା ରଡି ଛାଡି । ମା ଯେ ତାର ଖାଇ ନ ଥିବ ସେ କଥା ଜାଣି ପାରେନା । କେବଳ ମାଆର ଶୁଖିଲା ମୁହଁ ଦେଖିଲେ ବିଚଳିତ ହୋଇଯାଏ ଟିକିଇ । ପୁଣି ମାଗି ବସେ ଖାଇବାକୁ । ରାଗ ରୁଷା ଭିତରେ ଏଇ ହେଲା ପରିବାରରେ ମାନସିକ ସନ୍ତୁଳନ ଆଣିବାକୁ ସ୍ୱୟଂବିକଶିତ ହୋଇଥିବା ପ୍ରକ୍ରିୟାଟିଏ, ଯାହାର ତିନୋଟି ଅଙ୍ଗ - ଜଟିଆ, ତା ମାଆ ଆଉ ବଳଦ ପଟେ। ଛେଳି କିଛି ଅଛନ୍ତି । କିନ୍ତୁ ସେମାନଙ୍କର ଜଟିଆ ସହ କିଛି ଦେବା ନେବା ନାହିଁ ।ସମ୍ପୂର୍ଣ୍ଣ କାମ ଜଟିଆ ମା ହିଁ କରେ।

 ଗାଁଆରେ ଅନେକ ବାହାଘର, ବାଣ ବାଜା ଦେଖିଛି ସେ। କିନ୍ତୁ ପ୍ରତ୍ୟେକ ବାହାଘରକୁ ଦେଖିଛି ତା ବଳଦର ପ୍ରତିକ୍ରିୟା ନେଇ। ବାଣ ଫୁଟିଲେ ବା ବାଜା ବାଜିଲେ ବଳଦ ତରକି ପଘାରେ ନାଚନ୍ତି। ଖୁଣ୍ଟରୁ ଫିଟାଇ ତାକୁ ପ୍ରତି ଥର ବାନ୍ଧିବାକୁ ପଡେ ଘର ପଛପଟେ। ଏବେ ସିଏ ସେହି ନିଜେ ସେହି ବଳଦ ତରକାଇବା କାମ କରିବ ପାଲିଙ୍କିରେ ବସି। ଝିଅ ଘର ଗାଁଆରେ। ଏତେ କଳ୍ପନା କରିବାକୁ ତାର ଶକ୍ତି କାହିଁ।

 ଜଟିଆ ମା'ର ସାହିରେ ଭାରି ଆଦର। ସେ ସମସ୍ତଙ୍କ କଥା ମାନି ଚଳେ।ତା କଥା ବି ସମସ୍ତେ ମାନନ୍ତି । ରମେଶ, ଯିଏ ପୁତୁରା ହେବ, ତା ବୋଲହାକ କରେ। ତାକୁ ଡାକି ଅଳ୍ପ ଦିନ ଭିତରେ କେମିତି ବାହାଘର ହେବ ସେହି କଥା ବିଚାର ଚାଲିଲା । ପାଞ୍ଚ ବସ୍ତା ଧାନ, ଦୁଇ ବସ୍ତା ଚାଉଳ, ଚାରିପଟ ପୁରୁଣା ସୁନା ଚୁଡି, ଛେଳି ବିକା ପଇସାରୁ ତିନି ହଜାର ଟଙ୍କା, ଆଉ ନଅଟି ଛେଳି ଏହି ଯାହା ମାମଲତ ।ଏହାରି ଭିତରେ ସବୁ ଯୋଗାଡ଼ କରିବାକୁ ପଡିବ। ଗୋଟିଏ ବୋଲି ପୁଅର ବାହାଘର ।

 ସବୁ ଦେଖି ଶୁଣି ସାରି ରମେଶ କହିଲା,

 "ଚିନ୍ତା ନାହିଁ, ହୋଇଯିବ"। ପୁରୁଣା ଚୁଡି ବଦଳାଇ ନୂଆ ଚୁଡି ଆଣିବା ପାଇଁ ହରିପୁର ହାଟ ବାହାରିବାକୁ ପଡିବ ଆଜି ତାକୁ। ବାହା ଘରରେ ମରା ଯିବା ପାଇଁ ଦୁଇଟି ଛେଳି ଛାଡିଦେଲେ, ବାକି ରହିଲା ସାତଟି ଛେଳି । ସେଥିରୁ ଗର୍ଭିଣୀ ଛେଳିକୁ ଛାଡି ବାକି ଛଅଟି ଛେଳି ବିକିବାକୁ ପଡିବ ।

 ଜଟିଆ ମା'ର ଆହୁରି ଅଧିକ ଚିନ୍ତା । ଶୋଇବା ପାଇଁ ତ ଗୋଟିଏ ବୋଲି ବଖରା। ଧାନ ଚାଉଳ ଗୋଟିଏ କୋଣ ମାଡି ବସିଛି। ଗୋଟିଏ କୋଣରେ ତା ପୁଅର ଅଣ ଓସାରିଆ ଦଉଡିଆ ଖଟଟିଏ । ସିଏ ମସିଣା ପାରି ତଳେ ଶୋଇଯାଏ । ଏବେ ପୁଅ ବାହାଘର । ଆମ୍ବ କାଠର ବଡ ଖଟଟିଏ ଝିଅ ଘର ବାଲା ଦେବେ ବୋଲି ଭଦ୍ରଲୋକ କହିଯାଇଛି। ସେଇଟା ଘରକୁ ପୁରା ମାଡି ବସିବ। ହେଲେ ତାକୁ କିଛି ଚିନ୍ତା କରିବା ଉଚିତ ନୁହେଁ । ଗୁହାଳ ଘର ଅଧା ଯାହା ଛେଳିଙ୍କ ପାଇଁ ଥିଲା ତାହା ଖାଲି ହୋଇଯିବ ଦୁଇ ଦିନ ଭିତରେ । ତାକୁ ଟିକେ ଲିପା ପୋଛା କରି ଶୋଇଲା ଭଳି ଯାଗା କରିବାକୁ ହେବ। ଗର୍ଭିଣୀ ଛେଳିଟିକୁ ଗୋଟିଏ କୋଣରେ ବାନ୍ଧିଦେଲେ ବେଶୀ ଅସୁବିଧା ହେବନି ।

 ସେ ଯାହା ହେଉ ସାହି ଭାଇ ଲୋକେ ବାଜା ବାଣ ବଜାଇ ସୀତାପୁର ଗଲେ ଆଉ ରାତାରାତି ବୋହୂଟିଏ ଧରି ଆସିଲେ । ବୋହୂ ଦେଖିବାକୁ ସୁନ୍ଦର । ସମସ୍ତଙ୍କ ମନ ଖୁସି । ଜଟିଆ ବି ଖୁସି କାନ୍ଧରେ ନୂଆ ପଇତା ପାଇଁ। ହାତରେ ଦୂବ ବରକୋଳି ପତ୍ର ବାନ୍ଧି ବୁଲିଲା ବି ଦୁଇଦିନ। କନ୍ୟାଟିର ଝରା ଶେଫାଳିର ହସ ଦେଖି ଫୁଟି ଯାଇଥିଲା ଜର୍ଜ୍ଜର ପାଳଧୂଆ ଗଛରେ ବି ବିରଳ ଫୁଲଟିଏ।

 ସେଦିନ ରାତିରେ ତାକୁ ଜବରଦସ୍ତି ବୋହୂର ବଖରାରେ ପେଲିଦେଇ ବାହାରୁ କବାଟ କିଳି ଦିଆଗଲା । ସେଇ ରାତ୍ରି ଦୁଇଟି କାରଣରୁ ମହତ୍ତ୍ୱପୂର୍ଣ୍ଣ ଥିଲା । ସବୁଠୁଁ ବଡ କଥା ହେଲା ଜଟିଆ ପାଇଁ ତାହା ଥିଲା ପ୍ରଥମ ମିଳନ ରାତ୍ରି । ସେହି ରାତି ଜଟିଆ ମା ପ୍ରଥମ ଥର ପାଇଁ ପୁଅଠୁଁ ଅଲଗା ହୋଇ ଶୋଇଲା ଛେଳି ଗୁହାଳରେ । ସାହି ଲୋକେ ଶୋଇ ସାରିଥିଲେ ।

 ହଠାତ କିଛି ଶବ୍ଦ ଶୁଣି ଜଟିଆ ମାଆର ନିଦ ଭାଙ୍ଗି ଗଲା । ଦଉଡି ଗଲା ସେ ପୁଅ ବଖରା ଆଡକୁ । ବାହାରୁ ପାଟି କରି ଡାକିଲା, " ଜଟ, ଜଟ ! କ’ଣ ହେଲାରେ ?" ଭିତରୁ କେବଳ ଶୁଂ ଶୁଂ ଶବ୍ଦ ଶୁଭୁଥିଲା । ଏହା ଜଟିଆର । ଅତ୍ୟଧିକ ଡରିଗଲେ ଏମିତି ଶବ୍ଦ କରେ ସେ । ମାଆର ଛାତି ଫାଟି ପଡୁଥିଲା ଯାହା ।

 ସକାଳୁ ହାଉଡା ଜଟିଆ ଆଗ ଜଟିଆ ହୋଇ ନ ଥିଲା ।ଯେମିତି ଘଟିଯାଇଥିବା ସବୁ କିଛି ତା ପାଇଁ ଅବାଂଛିତ ଥିଲା । ବିଚରା ଜାଣି ନ ଥିଲା କେମିତି ଓଲଟା ବୁଲାଇ ପାରିବ ସମୟର ଚକ୍ର । ଆଉ ଫେରି ଆସିବ ଆଗ ପରି ସବୁ କଥା। ଅପସରି ଯିବ ତା ଜୀବନ ବାୟୁମଣ୍ଡଳରେ ପଶି ଆସିଥିବା ନୂଆ ପବନ।

 ବାହାଘରର ପ୍ରଥମ ଦୁଇ ଦିନ ଥରେ ଅଧେ ରୋଷେଇ କରିଥିବ ବୋହୂଟି। ସେଦିନ ରାତି ପରେ ରୋଷେଇ କରିବା ହଠାତ ବନ୍ଦ କରିଦେଲା । କ’ଣ ହୋଇଛି ବୋଲି କେହି ପଚାରିଲେ ହଠାତ କଇଁ କଇଁ କାନ୍ଦି ଉଠଥିଲା ସେ ।

 ଜଟିଆ ବି ବୋହୂଠୁଁ ଦୂରେଇ ଦୂରେଇ ରହୁଥାଏ । ସିନା ଶୋଇଲା ବେଳେ ବୋହୂ ବଖରାରେ ପଶି ଯାଏ, କିନ୍ତୁ ରାତି ଅଧରୁ ଉଠି ଯାଇ ମାଆ ପାଖରେ ଶୋଇଯାଏ। ବୋହୂ ବି ବାହାରୁ ନ ଥାଏ ଘର ଭିତରୁ। ଦୁଇ ଦିନ ଧରି ବୋହୂଟି କ’ଣ ଖାଇ ଜିଇଛି କେହି ଜାଣନ୍ତି ନାହିଁ। ଜଟିଆ ମାଆ ଯାହା ବାଢି ଦିଏ ଖାଇବାକୁ, ସକାଳକୁ ଦେଖିଲେ ଟିକେ ବି ଖଣ୍ଡିଆ ହୋଇ ନ ଥାଏ ତାହା।

 ଆଜି କିନ୍ତୁ ବୋହୂ ବାହାରିଛି ଦାଣ୍ଡ ପିଣ୍ଡାକୁ ବ୍ଳାଉଜ୍ ସିଲାଇ କରିବା ଲାଗି। ପାଖ ଗାଁ ନବା ଦର୍ଜୀ ଆସିଛି ସିଲାଇ ମେସିନ ଧରି । ନବା ଲମ୍ବା ଚଉଡା ଯୁବକ ଟିଏ । କହନ୍ତି, ଆଖି ଉଠେଇ ଝିଅ ବୋହୂଙ୍କୁ ଦେଖେନି । ଥରେ ମାପ ନେଇ ଗଲେ ଦ୍ଵିତୀୟ ଥର ମାପ ଦେବାକୁ ପଡେନା । ଗାଁ ଗାଁ ବୁଲି ସିଲାଇ କରେ ସେ । ଆଜି ଏକାଠି ତିନୋଟି ବ୍ଳାଉଜ୍ ସିଲାଇ ହେଉଛି । ଆଗେ ନବା ରଫୁ କରି ଫୋପାଡ଼ି ଦେଇଛି ଏଣୁ ତେଣୁ ପୁରୁଣା ଚିରା କପଡା ସବୁକୁ।

 ସକାଳ ନଅଟାରୁ ଆସି ଗୋଟାଏ ବାଜିଲାଣି । ନବା ମନ ଦେଇ ଲାଗିଛି ବ୍ଳାଉଜ୍ ସିଲାଇରେ । ମଝିରେ ମଝିରେ ପାଣି ମାଗି ପିଇ ଦେଉଛି ଯାହା । ଆଜି ବୋହୂକୁ ମନ ଖୋଲି ହସିଥିବାର ସମସ୍ତେ ଦେଖିଛନ୍ତି । ସିଲାଇ ମେସିନ ଚକକୁ ଦ୍ରୁତ କରି ପୁଣି ହାତରେ ବ୍ରେକ ଦେଲା ବେଳେ ନବା ବି ହସି ଦେଉଛି ମୁରୁକି ।

 ସେଦିନ ସଞ୍ଜ ପ୍ରହର ସବୁଠୁଁ ସୁନ୍ଦର ଥିଲା । ଶାଶୁକୁ ରାନ୍ଧିବାକୁ ନ ଦେଇ ବୋହୂ ନିଜେ ରାନ୍ଧିଲା । ବହୁତ ଶୀଘ୍ର ଖାଇ ସମସ୍ତେ ଶୋଇଗଲେ ।

ରାତି ଅଧକୁ ଜଟିଆ ମା ଦେଖିଲା ଯେ ତା ପୁଅ ଥରି ଥରି ଆସି ତା ଲୁଗା କାନି ଟାଣି ଉଠାଉଛି ।

ଅ.....ବ....କ କରି କ’ଣ କହୁଛି ବୁଝି ହେଉନି । କିଛି ପଚାରିଲେ, ବିଲ ଆଡକୁ ହାତ ଠାରି ଦେଖାଉଛି । ବିଲ ଆଡକୁ ଚାହିଁଲେ କେବଳ ଦିଶୁଛି ମଳିନ ଜହ୍ନ ରାତିଟିଏ ।

ମେଇଁ ମେଇଁ ରଡି ଛାଡୁଥିଲା ଗର୍ଭିଣୀ ଛେଳିଟି ।ଛୁଆ ଜନ୍ମ ଦେଲା ବୋଧେ ।

 ଘରକୁ ଆସି ଦେଖିଲା ବେଳକୁ ବୋହୂର କାଠ ଖଟ ଖାଲି । ବୋହୂ ଘର ଛାଡ଼ି ଯାଇ ସାରିଥିଲା । ଛୋଟ କାଠ ଆଲମାରୀ ଖାଲି ପଡିଥିଲା । ସବୁ ପଇସା ଆଉ ଗହଣା ସହ ଘର ଛାଡ଼ି ଯାଇଛି । ଖାଲି ଖଟ ଉପରେ ପଡିଥାଏ ବୋହୂର ପାଲଟା ଶାଢ଼ୀଟିଏ । ବିବାହିତା ହେବାର ଖୋଳପା ଭିତରୁ ଉଡି ଚାଲିଯାଇଥାଏ ପ୍ରଜାପତିଟି । ରାତ୍ରିର ଅନ୍ଧକାରରେ ।

 ଜଟିଆ ମାଆ ଗାଳି ଦେଇ କହୁଥିଲା, "ମର ତୁ ମୋ ସୁନା ନେଇ। ମୋ ପୁଅର ସବୁ ଦଶା ଆଉ ରୋଗ ବୈରାଗ୍ୟ ନେଇ ମର" ।

 ଜଟିଆ ଛୁଆବେଳୁ କେବେ କାନ୍ଦ କାନ୍ଦି ଶିଖି ନାହିଁ । କେବଳ ଋଷି ଶିଖିଛି ଯାହା। ସେଦିନ ମାଆ ଦେଖିଲା ପ୍ରଥମ ଥର ପାଇଁ ତା ଆଖିରେ ଲୁହ । କଥା କଥାରେ କାନ୍ଦି ପକାଉଥିବା ଝିଅଟିଏ ଝରେଇ ଦେଇ ଗଲା ଗୋଟିଏ ଶତାବ୍ଦୀରେ ଥରେ ଝରୁଥିବା ଲୁହ ବିନ୍ଦୁଟିକୁ। ମାଆ ପୁଅ ଭୋର ହେବା ଯାଏଁ କାନ୍ଦିଲେ କୁଣ୍ଢାକୁଣ୍ଢି ହୋଇ।

 ପରଦିନ ସକାଳ ପ୍ରସନ୍ନତାର ସକାଳ ଥିଲା ।

 ଜଟିଆ ମୁହଁ ମାଡି ଶୋଇଥିଲା ଅଣ ଓସାରିଆ ଦଉଡିଆ ଖଟଟି ଉପରେ। ଖରା ପଡି ଆସିଥିଲା ଖଟ ତଳକୁ ।ନବଜାତ ଛେଳି ଛୁଆ ଯୋଡିକ ବେଶ ଆନନ୍ଦରେ ନାଚୁଥିଲେ କଅଁଳ ଖରାରେ ।


Rate this content
Log in