Jyotiranjan Sahu

Children Stories

1.9  

Jyotiranjan Sahu

Children Stories

ହାଫ୍ ସାଇକେଲ

ହାଫ୍ ସାଇକେଲ

4 mins
433



" ଶୀତୁଆ ସକାଳରେ ସୁଲୁସୁଲିଆ ପବନର ଶୀତଳ ସ୍ପର୍ଶରେ ଶିହରୀ ଉଠୁଥାଏ ସାରା ଶରୀର । ଶୀତର କୋମଳ ପ୍ରହାର ରେ ଦାନ୍ତ ଖଟ୍ ଖଟ୍ କରିଯାଉଥାଏ ପପୁର । ତଥାପି ସେସବୁକୁ ଭୃକ୍ଷେପ ନକରି ବାପାକଂର ୨୪ଇନ୍ଚିଆ ସାଇକେଲଟିକୁ ଖୁବ୍ ସତର୍କତାର ସହ ବାହାର କରୁଥିଲା ସିଏ । କାହିଁକିନା ଏହା ଭିତରେ ତିନି ମାସ ବିତିଗଲାଣି । ପପୁର ସବୁ ସାଂଗ ଏଇ ତିନିମାସ ଭିତରେ ସାଇକେଲ ହାଫ୍ ଚଢା ଶିଖିଗଲେଣି । ହେଲେ ପପୁ ଏବେବି ଗୋଟିଏ ଗୋଡରେ ପ୍ୟାଡେଲ ମାରୁଛି । ଆର ଗୋଡଟାକୁ ଟେକି ହାଫ୍ ସାଇକେଲ ଚଲାଇବାକୁ ଯେତେଥର ଚେଷ୍ଟା କରୁଛି ସାଇକେଲ ମିଶା ଧୁମଧାମ୍ ରେ କଚଡା ଖାଇ ପଡୁଛି । ତଥାପି ନିଶା ଛାଡୁନି । ପୁଣି ଉଠୁଛି ଆଉ ସେଇ ଏକ ଗୋଡିଆ ପ୍ୟାଡେଲ ମାରୁଛି । ଏଇ ସାଇକେଲରୁ ପଡିହୋଇ ଦେହସାରା ବିଶେଷ କରି ଗୋଡ ଆଣ୍ଠୁ ଆଉ ହାତ କହୁଣୀ ରେ କ୍ଷତର ଅନେକ ଚିହ୍ନ । ଗୋଟିଏ ନଶୁଖୁଣୁ ଆଉ ଗୋଟିଏ କ୍ଷତ । ତଥାପି ନିଶା ଉତୁରିନି । ସିଏ ସାଇକେଲ ହାଫ୍ ଚଢା ଶିଖିବ ହିଁ ଶିଖିବ ! ଜଲଦି ହାଫ୍ ଚଢା ଶିଖିଲେ ସିନା ଫ୍ରେମ ଉପରେ ଗୋଡକୁ ପାରେଇ ମିଡିଲ ସାଇକେଲ ଚଢିବ ଆଉ ତାପରେ ଦେଖୁଦେଖୁ ସିଟ୍ ଉପରେ ବସି ପୁରା ଦମ୍ ରେ ସାଇକେଲ ଚଲେଇବ ! କିନ୍ତୁ ତାଦେଇ ତ ହାଫ୍ ସାଇକେଲ ଚଢାଟା ହିଁ ହେଉନି ! ମିଡିଲ କି ଫୁଲ୍ କଥା ଭୁଲିଯାଅ ! ଗତକାଲି ସାଇକେଲ ଶିଖୁଶିଖୁ ପଡି ହୋଇ ପପୁର ଆଣ୍ଠୁରେ ଭୀଷଣ ଦରଜ । ବାପାକଂର ଶକ୍ତ ନିର୍ଦେଶ ଆଉ ସାଇକେଲ ଚଢା ଶିଖିବା ଦରକାର ନାହିଁ । ସେଇଥିପାଇଁ କେହି ନଜାଣିପାରିଲା ଭଳିଆ ଅନ୍ଧାର ରୁ ସାଇକେଲ ନେଇ ବାହାରି ପଡିଛି ପପୁ ସାଇକେଲ ହାଫ୍ ଚଢା ଶିଖିବାକୁ । ଆଜି ଯେମିତି ହେଉ ସିଏ ସାଇକେଲ ଚଢା ଶିଖିବ ଆଉ ସମସ୍ତକୁଂ ଚମକାଇଦେବ ! ଆଉ ତା ସାଂଗମାନେ ତାକୁ ଚିଡେଇପାରିବେନି କି ସିଏ ସାଇକେଲ ଚଢା ଶିଖିନି ବୋଲି । ତାକୁ ଛାଡି ତାର ସବୁ ସାଂଗମାନେ ରବିବାର ହେଲେ ଟିଭିରେ ଜଂଗଲ ବୁକ୍ ଦେଖିବାକୁ ପିଣ୍ଟୁ ଘରେ ଆଗ ପହନ୍ଚିଯାଉଛନ୍ତି ; ଆଉ ସିଏ ଘରୁ ବାହାରି ଦେଢ କିଲୋମିଟର ଚାଲିଚାଲି ଯାଇ ପିଣ୍ଟୁ ଘରେ ପହନ୍ଚିଲା ବେଳକୁ ଜଂଗଲ ବୁକ୍ ଅଧା ହୋଇସାରିଥାଏ । ପୁଣି ବସିବାକୁ ପଛରେ ଜାଗା ମିଳେ । ସବୁ ପିଲା ଭର୍ତ୍ତି ହୋଇଯାଇଥାଆନ୍ତି । କେବେକେବେତ ତାକୁ ଜାଗା ନମିଳିଲେ ସିଏ ଝରକା ବାହାରେ ଛିଡା ହୋଇ ଜଂଗଲ ବୁକ୍ ଦେଖେ । ଜଂଗଲ ବୁକ୍ ର ସେଇ' ଜଂଗଲ ଜଂଗଲ ବାତ ଚଲି ହେ ପତା ଚଲା ହେ '... ଗୀତଟା ପପୁର ଭାରି ପସନ୍ଦ । ହେଲେ ଆଉ ଗୀତ ଟା ଶୁଣିବାକୁ ପାଉନି । ଘରେ ନା ଟିଭି ଅଛି ନା ରେଡିଓ ଅଛି ଯେ ସିଏ ଗୀତ ଶୁଣିବ ! ତେଣୁ ସେଇ ରବିବାର ହେଲେ ପିଣ୍ଟୁ ଘର କବାଟ ଦିଆ କଳାଧଳା କୋଣାର୍କ ଟିଭିରେ ଯାହା ଜଂଗଲ ବୁକ୍ ର ତା ପସନ୍ଦର ଗୀତ ଟା ଶୁଣେ । ଆଉ ସପ୍ତାହ ସାରା ସେଇ ଗୀତକୁ ଗୁଣୁଗୁଣୁ କରେ । ତେଣୁ ଏତେସବୁ କଥା ଭିତରେ ମୁଖ୍ୟ କଥାଟା ଥିଲା ଯେମିତି ହେଉ ହାଫ୍ ସାଇକେଲ ଚଢା ଶିଖିବା ! ସାଇକେଲ ଚଢାଟା ଶିଖିଲେ ସିନା ସିଏ ବି ଆଗରେ ଯାଇ ପିଣ୍ଟୁ ଘରେ ପହନ୍ଚିଯିବ ! ଆଗ ଧାଡିରେ ବସିବ ! ଏମିତି ଅନକ କଥା ଭାବୁଭାବୁ ଗୋଟିଏ ପ୍ୟାଡେଲରେ ଗୋଡରଖି ସାଇକେଲ ଚଲାଉଥିବା ପପୁର ଦୁଇଟାଯାକ ଗୋଡ ଯେ କେତେବେଳେ ଦୁଇ ପ୍ୟାଡେଲ ଉପରକୁ ଉଠିଯାଇଥାଏ ସେକଥା ସେ ନିଜେ ମଧ୍ୟ ଜାଣିପାରିନଥାଏ । ଏହାଭିତରେ ତା ଅଜାଣତରେ ସେ ହାଫ୍ ସାଇକେଲ ଚଢି ପିଣ୍ଟୁ ଘର ପାଖରେ ପହନ୍ଚିଯାଇଥାଏ । ' ଆରେ ! ମୁଁ ନିଜେ ହାଫ୍ ସାଇକେଲ ଚଢି ଏଇଠି ପହନ୍ଚିଗଲି ! ମାନେ ମୁଁ ହାଫ୍ ଚଢା ଶିଖିଗଲି ' ! ଏମିତି ମନେମନେ ଭାବି ଖୁସିରେ ଆତ୍ମହରା ହୋଇଉଠିଲା ପପୁ ! ଆଖିରେ ତାର ଝଲସିଉଠିଲା ଆନନ୍ଦର ଦୁଇ ଟୋପା ଅଶ୍ରୁ । ସତେ କି ସେ ଆଜି କୋଟିନିଧି ପାଇଯାଇଛି ! ଲୁହ ଛଳ ଛଳ ଆଖିରେ ଟିକିଏ ଚାହିଁଦେଲା ତାର ଆଣ୍ଠୁ ଉପରେ ଥିବା ଦରଶୁଖିଲା ଘା'କୁ । ମନେମନେ ଟିକିଏ ହସିଦେଲା ପପୁ । ବୋଧହୁଏ ଆଣ୍ଠୁର ସେହି କ୍ଷତକୁ ସନ୍ତ୍ବନା ଦେବାକୁ ଯାଇ ଭାବୁଥିଲା' ଦେଖ୍ ! ଆଜି ସତରେ ମୁଁ ହାଫ୍ ସାଇକେଲ ଚଢା ଶିଖିଗଲି ! କେହି ମୋତେ ଆଉ କହିପାରିବେନି ଯେ ମୁଁ ସାଇକେଲ ଚଢା ଶିଖିନି ବୋଲି ! ଏଥର ଆଉ ସାଇକେଲରୁ ପଡି ଗୋଡ ହାତ ରୁ ରକ୍ତ ବହିବା ହେବନି ' ! ମନରେ ତାର ଖୁସିର ଜୁଆର । ତାର ଇଚ୍ଛା ହେଉଛି ବଡ ପାଟିରେ ପିଣ୍ଟୁକୁ ଘରୁ ଡାକି ଦେଖାଇଦେବ ସେ କେମିତି ଆଉ କେତେ ଜୋର ରେ ହାଫ୍ ସାଇକେଲ ଚଲାଇପାରୁଛି ! ତାକୁ ଜଣାଇଦେବ ସେ ବି ଏଥର ସାଇକେଲ ନେଇ ତା ଘରକୁ ଆସିପାରବ । ହେଲେ ରହିଗଲା ପପୁ ! ମନେମନେ ଭାବିଲା ' ଆଜି ଆଗ ନିଜେ ହାଫ୍ ସାଇକେଲ ଚଢି ଘରକୁ ଫେରିଯାଏ ! କାଲି ତ ରବିବାର ! କାଲି ଆଗରେ ସାଇକେଲ ଚଢି ଆସି ପିଣ୍ଟୁ ଘର ଟିଭି ଆଗରେ ଆଗ ଧାଡିରେ ବସିଯିବି ଜଂଗଲ ବୁକ୍ ଦେଖିବାକୁ ! କାଲି ମୋତେ ଆଗଧାଡିରେ ଦେଖି ସବୁ ସାଂଗ ଚମକିଯିବେ ! ପଚାରିବେ କେବେ ଆଉ କେମିତି ସିଏ ସାଇକେଲ ଚଢା ଶିଖିଲା ! ପିଣ୍ଟୁ ମା' ତ ପଚାରିବେ ' କିରେ ପପୁ ! ତୁ କେବେ ସାଇକେଲ ଚଲା ଶିଖିଲୁ ? କେତେ ମଜା ହେବ ' !!


             ହଠାତ୍ ସାଇକେଲର ଘଣ୍ଟି ଶବ୍ଦରେ ନିଦ ଭାଂଗିଯାଏ ପପୁର । ବାହାରେ ବାପା ତାର ସାଇକେଲ ସଫାରେ ବ୍ୟସ୍ତ । ବିଛଣାରୁ ଉଠି ପପୁ ସିଧା ଚାଲିଲା ବାପାକଂର ୨୪ଇନ୍ଚିଆ ସାଇକେଲଟା ପାଖକୁ । ଧୀରେଧୀରେ ସାଇକେଲଟା ଉପରେ ହାତ ବୁଲାଉଥିଲା ପପୁ । ସାଇକେଲରେ ଜମିଥିବା ପରସ୍ତ ପରସ୍ତ ଧୂଳି ଉପରେ ତାର ହାତ ଟା ଘସିହୋଇଯାଉନଥିଲା ଯେ ତା ମନରେ ଅତୀତର ସ୍ମୃତିପଟ୍ଟରେ ଜମିରହିଥିବା ଧୂଳିର ଆସ୍ତରଣ ଟା ପୋଛିହୋଇଯାଉଥିଲା ।


 ମନେପଡିଯାଉଥିଲା ଅତୀତର ସେ ସମୟ ସବୁକୁ ଯାହାକୁ ସ୍ବପ୍ନରେରେ ପୁଣିଥରେ ଫେରିପାଇଥିଲା ସିଏ । ମନେପଡୁଥିଲା ପିଲାଦିନେ ବଡମାନେ ତାକୁ କହୁଥିବା କଥାଟିଏ ' କଷ୍ଟ କଲେ କୃଷ୍ଣ ମିଳେ ' । ତାକୁ ବି ତା ଭାଗର କୃଷ୍ଣ ମିଳିବ । କଣ ହେଲା ସେଇଠୁ ଯଦି ତାର ଅନ୍ୟ ସାଂଗ ମାନେ ବଡ ସହର ରେ କୋଚିଂ ନେଲାବେଳେ ବାପା ତାର ତାକୁ ବଡ ସହର ରେ ଆଇ ଏ ଏସ୍ କୋଚିଂ ପଠାଇବା ପାଇଁ ଅସମର୍ଥ ! ତାହା ହେଲେ କଣ ଗାଁ ଗହଳି ଆଉ ଛୋଟ ସହର ର ପିଲାମାନେ କେବେ ସଫଳତା ପାଇବେନି ! ! କଷ୍ଟର କଣ କିଛି ମୂଲ୍ୟ ମିଳିବନି ? ନା '! ଏଧାରଣା ବଦଳାଇବାକୁ ପଡିବ ! ପ୍ରମାଣ କରିବାକୁ ପଡିବ ଚେଷ୍ଟା ଆଉ ପରିଶ୍ରମ ଆଗରେ କୌଣସି ବାଧା କେବେହେଲେ ବେଶି ଦିନ ତିଷ୍ଟିପାରିନଥାଏ ! ଯେତେଯେତେ ହାଫ୍ ସାଇକେଲ ଚଢା ର ପ୍ରେରଣାରେ ମନଟା ତାର ଦୃଢ ହେଉଥାଏ ସେତେସେତେ ହେଣ୍ଡଲ ଧରିଥିବା ତା ମୁଠାଟି ଆହୁରି ଶକ୍ତ ହୋଇଯାଉଥାଏ । ଅନ୍ୟ ର ଉଦାହରଣ ନୁହେଁ ଏବେ ନିଜେ ନିଜକୁ ଉଦାହରଣ ସୃଷ୍ଟି କରିବାକୁ ଦୁଇଥର ଆଇ ଏ ଏସ୍ ପରୀକ୍ଷାରେ ବିଫଳ ହୋଇଥିବା ପପୁ ପୁଣିଥରେ ଆଇ ଏ ଏସ୍ ଦେବାକୁ ଅଣ୍ଟା ଭିଡିଲା । ହାରିଯାଇଥିବା ମନକୁ ପୁଣି ଜିତିବାପାଇଁ ପ୍ରବର୍ତ୍ତାଇଲା । ଆଉ ଆଜି ସେ ପପୁ ନିଜେ ଉଦାହରଣ ସାଜି ଆପଣମାନକଂ ଆଗରେ ଜଣେ ଆଇ ଏ ଏସ୍ ହୋଇ । ମୋର ଇଚ୍ଛା ଏ ଛୋଟ ସହର ରେ ଆହୁରି ଅନେକ ପପୁ ସୃଷ୍ଟି ହୁଅନ୍ତୁ । ତାପାଇଁ ଯାହା ଆବଶ୍ୟକ ମୁଁ କରିବାକୁ ପ୍ରସ୍ତୁତ " । ଏହାପରେ କରତାଳିରେ କମ୍ପିଉଠିଲା ପପୁର ଛୋଟିଆ ସହର ଆଉ ସେ ତାଳିର ଗୁଞରଣ କିନ୍ତୁ ଶୁଭୁଥିଲା ସମସ୍ତ ଅସଫଳ ବ୍ୟକ୍ତିତ୍ବକଂ ନିରାଶ ମାନସପଟ୍ଟରେ ॥



Rate this content
Log in