Satyabati Swain

Others

3  

Satyabati Swain

Others

ହାଣ୍ଡି କର୍ ଚୁଲି

ହାଣ୍ଡି କର୍ ଚୁଲି

4 mins
199


ମୋ ଜେଜେ ମା ସବୁବେଳେ ମୋ ମା କୁ କହିବ ,ଉମି ରୋଷେଇ ଗୋଟେ କଳା। ମନ ଧ୍ୟାନ ଦେଇ ଖୁସି ଖୁସି ନ କଲେ ସ୍ୱାଦ ଠିକ୍ ହୁଏନି।


ଜୀବନରେ ସବୁ ଡିପାଟମେଣ୍ଟ ଠାରୁ ହାଣ୍ଡି କରଚୁଲି ଡିପାଟେମେଣ୍ଟ୍ ରେ ଡିୟୁଟି କରିବା ସବୁଠୁ କଠିନ କାମ।


ହୁଁ ଜେଜେମା କୁ ଚିଡ଼େଇବାକୁ ଯାଇ କୁହେ , "ରୋଷେଇ ଇଙ୍ଗିଲିଶ ନା ଗଣିତ ବହି ହୋଇଛି, ମନ ଧ୍ୟାନ ଦେଇ ପଢିବ। ଭାଗ ,ମାପ ,ପରିବା ,ମସଲା ଜାଣିଲେ ହେବ ନା"।ପୁଣି ଡି ପାଟେମେଣ୍ଟ କଣ? ଏଠି କିଏ ଚାକିରୀ କରୁଛି କି?


ଦେଖ ଉମି ତୋ ଝିଅ କେମିତି କେମିତି ମୋ କଥାକୁ ହସରେ ଉଡେଇ ଦେଉଛି।


"ଆଲୋ ତୁ ତ ଖାଲି ବହିଟାରେ ମୁହଁ ମାଡୁଛୁ।ଆଉ କେଉଁ କଥାକୁ ନିଘା ନାହିଁ! ମୋ ଜେଜେ ମା ସବୁବେଳେ ଚିନ୍ତା କରୁଥିଲା "ଝିଅଟି ପର ଘରକୁ ଯିବ ରୋଷେଇ ବାସ କିଛି ବି ଧାର୍ ଧାରୁନି! "କେମିତି ଚଳିବ ଯାଇ ଶାଶୁ ଘରେ।ନାଁ ଗାଁ ପକାଇବ ତ" ।


ମୋ ମା ଟିକେ ହସେ।କୁହେ ବ୍ୟସ୍ତ ହୁଅନି ବୋଉ,ସବୁ ବେଳ ଆସିଲେ ଠିକ୍ ହୋଇଯିବ।'ଆଦ୍ୟା' ପରା ଆମର ପାଠ,ଗୀତ,ନାଚ ସବୁଥିରେ ଧୁରନ୍ଧର! ରୋଷେଇଟି ବଳେଇ ଯିଵ କି !ଜେଜେମା କୁହେ ହେଉ ଲୋ ଉମି ବସାଇଥା ମୁଣ୍ଡରେ।ଦେଖିବୁ ନାଁ ପକେଇବ ବାପା ଦାଦାର।


ମା କିନ୍ତୁ ଆଦୌ ବ୍ୟସ୍ତ ହୁଏନି।ସବୁ ମାଙ୍କର ତାଙ୍କ ପିଲା ଉପରେ ଏତେ ଅତୁଟ ବିଶ୍ୱାସ କେମିତି ଥାଏ।ତା ଛୁଆ ସବୁ ପାରିବ,ତା ଛୁଆ କୋଟିଏରେ ଗୋଟିଏ ହେବ ,ତା ଛୁଆ କେବେ ଭୁଲ୍ କରିପାରେନା,ଦୁନିଆଁର ସବୁଠୁ ସୁନ୍ଦର ତା ଛୁଆ ;ଏମିତି ବିଶ୍ୱାସ ଯେ ରଖିଥାଏ ତା ନାଁ ବୋଧେ ମା।ମା ର ମୋ ଉପରେ ଥିବା ବିଶ୍ୱାସ ମୋତେ ଶକ୍ତି ଓ ସାହସ ଦିଏ।ମୁଁ କୁହେ "ଯା ମ ଜେଜେମା ଖାଲି ମୋ ପିଛା ପଡ଼ିଥା।କିଛି ତ କାମ ନାହିଁ।ଆଉ କଣ କରିବୁ;ମୋରି ସାଙ୍ଗେ ଲଗା"।


ଦେଖେ ଦେଖେ ଉମି ତୋ ଝିଅ ତୋ ମୁହଁ ପାଇ କେମିତି ମୋ ମୁହଁରେ ଜବାବ ଦେଉଛି।କଣ ନାକରା କଥା କହୁଛି ଲୋ ଅଣ୍ଡିରି ଚଣ୍ଡି।ଗାଡି ଚଳେଇବୁ ପୁଅଙ୍କ ପରି ସାଇଁ ସାଇଁ।ଆଉ ରୋଷେଇ ବେଳକୁ ସୁଆଙ୍ଗ ଦେଖେଉଛୁ।ତୁ ଝିଅଟା ରୋଷେଇ ଆଗ ଶିଖିବା ଉଚିତ।କଣ ନା ମୋତେ ରୋଷେଇ ଆସିବ ନାହିଁ।ଆଲୋ ହୁଣ୍ଡି ସମସ୍ତଙ୍କୁ ସବୁ କଥା କଣ ଆସିଥାଏ?ଶିଖୁ ଶିଖୁ ହୋଇଯାଏ।ତୋ ମା ତ ଆସିଲା ବେଳେ ଶାଗ ଭାଜି ଜାଣି ନ ଥିଲା।ମୁଁ ଭଲ ଶାଶୁ ବୋଲି ଚଳେଇ ନେଲି।ପଚାରୁନୁ ତୋ ମା କୁ କେମିତି ଧକେଇ କାନ୍ଦୁଥିଲା ରୋଷେଇ ଘରେ ଯାଇ।ଆଲୋ ଉମି କହୁନୁ ମୁଁ ସତ କହୁଛି ନା ମିଛ।


ମା ହସି ହସି କହିଲା "ବୋଉ ତୁମେ କଣ ମିଛ କହିପାର"।ଆଦ୍ୟା ଟା ପିଲା ଲୋକ।ଖେଳିବା, ବୁଲିବା, ପଢିବା ବୟସ ତାର।ବଳେ ବୁଦ୍ଧି ହୋଇଗଲେ ସେ ଆପେ ଆପେ ଶିଖି ଯିବନି।


ହଉ ମୁହଁ ବଢ଼ାଉ ଥା।ଯେତେବେଳେ ପାନେ ପାଇବୁ,

ସେତେବେଳେ ମୋ କଥା ମା ଝିଅ ଦୁହେଁ ମନେ ପକାଇବ।ହଁ ମୁଁ ବା କେଉଁ ସେ ବେଳକୁ ଥିବି ଯେ.....


ଓହୋ ବୋଉ କାହିଁକି ସବୁବେଳେ ଏମିତି କହୁଛନ୍ତି!ତୁମେ ତୁମ ନାତି ନାତୁଣୀ ଙ୍କ ବିଭା ସାଦି ନ ଦେଖି ଯାଉଛ ନା କଣ?ମୁଁ କେଉଁ ତୁମକୁ ଛାଡ଼ିବି?


କଣ କହିଲୁ,ଛାଡ଼ିବୁ ନାହିଁ! ଆଲୋ ଉମି ' ସେ' ଯେତେ

ବେଳେ ନେବ କେହି ଅଟକାଇ ପାରିବେ !ତୁ ତ ନାକ କାନ୍ଦୁରି ଟା।ହେଉ ଯା ଗଲୁ ଆଜି ଟିକେ ଚୁନା ପକା ଶାଗ କରୁବୁ।ତୋ ହାତ ରୋଷେଇରେ ଗୋଟେ ବାସ୍ନା ଅଛି।ଯେ ଖାଇବ ଝୁରିବ।ସେଥିପାଇଁ କହୁଛି ତୋ ହାତର ଯାଦୁ ଦେଇ ତୋ ଝିଅକୁ ଟିକେ ଶିଖା।ସେ ଯେମିନ୍ତି ତୋ ପରି ସବୁରି ପେଟ ଅଣ୍ଡାଳିବ।ସମସ୍ତଙ୍କର ମା ହେବ।ଭଲ ମନ୍ଦ ଖୁଆଇ ତା ବରର ମନ କିଣିବ।


ବୋଉ ସେ ତୁମ ନାତୁଣୀ ଟି। ରୂପ ରଙ୍ଗ ଢଙ୍ଗ ସବୁ ତୁମର ଛଡେଇ ଆଣିଛି।ତୁମେ କେଉଁ କାମରେ ହଟିଛ ଯେ ଆଦ୍ୟା ହଟିବ! ତୁମେ ନିଶ୍ଚିନ୍ତ ରୁହ ଆଦ୍ୟା ତୁମ ନାଁ ରଖିବ।


ମୋ ଜେଜେମାର ଏ କଥାର ଗୁରୁତ୍ୱ ମୁଁ ଆଦ୍ୟା ଅନେକ ଦିନ ପରେ ଅନୁଭବ କଲି।ଝିଅଟିଏ ଯେତେ ଯୋଗ୍ୟ

 ,ପାଠୋଇ ହେଲେବି,ହାଣ୍ଡି କର୍ ଚୁଲି ଡିପାଟମେଂଟ ତାର ବାଧ୍ୟତାମୂଳକ ସେବା।ଏ ସେବା ସେ ନିଶ୍ଚୟ କରିବ।ମୁଁ ରେଳବାଇ ବିଭାଗର ଜଣେ ଅଫିସର।ହେଲେ ବି ରୋଷେଇ କରିବା ଦାୟିତ୍ବରୁ ମୁକ୍ତି ନୁହେଁ।ସତ କହିବାକୁ ଗଲେ ଭଲ ମନ୍ଦ ଛ ଠା ଖାଦ୍ୟ ରୋଷେଇ କରି ନିଜ ଲୋକଙ୍କୁ ଖୁଆଇବା ଆନନ୍ଦ ସତରେ ନିଆରା।ଖୁବ୍ ଆନନ୍ଦ ଲାଗେ ନିଜ ହାତ ରନ୍ଧାର କେହି ପ୍ରଶଂସା କଲେ।ରାନ୍ଧିବା ଗୋଟେ କଳା,ମନୋବୃତି।ମନ ଲଗାଇ ଶାଗ ଭାଜିଦେଲେ ବି ଅମୃତ ପରି ଲାଗେ।ଯେମିତି ମୋ ମା ହାତ ରନ୍ଧା।

    

ମୋ ବିବାହ ପରର ଏକ ଘଟଣା। ବିବାହ ପରେ ମା ବେସର କରିବାକୁ ମୋତେ କହିଲେ।ମୋ ଶାଶୁ ଘରେ ବେସର ସମସ୍ତଙ୍କ ଅତି ପ୍ରିୟ।ମୋ ଜେଜେମା ଓ ମୋ ମା ପରି ମୋତେ ମିଳିଥିବା ଶାଶୁ ବି ଥିଲେ ଭାରି ସ୍ନେହିଁ।ମୁଁ ସବୁ ପରିବା ସହ ଡବାଏ ସୋରିଷ ପକାଇ ରାନ୍ଧିଥିଲି।ହେ ଭଗବାନ! ସେ ଦିନ ଡାଇନିଂ ଟେବୁଲ୍ ରେ କି ହସ।ମୋତେ ପୁରା ଲାଜରା କରିଦେଲେ ମୋ ଦିଅର ବାବୁ ବିବେକ।


ଦେଖ ମାମା! ତୁମ ଗେହ୍ଲଇ ବୋହୁ ରାଣୀ ତୁମର ଗୋଟା ସୋରିଷ ପକାଇ ବେସର କରିଛନ୍ତି।ଆସ ଖାଇବ ମାମା ବେସର କି ଟେଷ୍ଟି ହୋଇଛି କହି ଡକା ପକେଇଲେ ଦିଅର ରାଜା ବିବେକ।ଶୀଘ୍ର ଆସ ମାମା ହାତ ଚାଟି ଖାଇବ।ମୋ ମିଷ୍ଟର 'ଐକ୍ୟ' ହସି ହସି ଗଡିଗଲେଣି।ସମସ୍ତେ ମିଶି ମୋ ଧଜିଆ ଉଡେଇ ଦେଲେ ସେଦିନ।ପ୍ରଥମ ଥର ଜେଜେମା କଥା ମନେ ପଡିଲା ମୋର।ପ୍ରକୃତରେ ଯଦି ରୋଷେଇ ଶିଖି ଥାଆନ୍ତି ଆଜି ହୁଏତ ମୁଁ ହସର ଖୋରାକ ହୋଇ ନ ଥାନ୍ତି।ଜେଜେମା ମୋର ଏବେ ଆକାଶର ତାରା। ଜେଜେମା କୁ ଭାବି ମୋ ଆଖିରେ ଲୁହ ଆସିଗଲା।ଲାଜରେ ମୋ ଗୋରା ଗାଲ ଦିଟା ନାଲି ପଡି ଯାଇଥିଲା ସେଦିନ।ଶାଶୁ ଆସି ବହେ ଗାଳି କଲେ ସମସ୍ତଙ୍କୁ।କଂଦେଇ ଦେଲ ଟି ମୋ ସୁନଟାକୁ। ମୋ ମୁଣ୍ଡ ଆଉଁସି କହିଲେ ନ ଜାଣି ପାରିଲୁ ଯଦି ମୋତେ ପଚାରିଲୁ ନି।ଗୋଟା ସୋରିଷ ନୁହେଁ, ସୋରିଷ ବଟା ଦେଇ ଦେଇ ବେସର ହୁଏ ନାହିଁ।ହେଉ ଛୁଆ ଟା।ଜାଣି ନି ତ କରି ଦେଇଛି ଖାଇ ଦିଅ।


ଆରେ ବାବା ସବୁ ପରିବା ସହ ଗୋଟା ସୋରିଷ ବଟା ଦିଆଯାଇ ବେସର ହୁଏ?ମୁଁ ଭାବିଲି ସୋରିଷ ପଡି ନା.....।ଏହା ପରଠୁ ଯେବେ ବେସର ହୁଏ ମୁଁ ମନେ ମନେ ହସେ। ଦୁଷ୍ଟାମୀ କରି ଚିଡ଼େଇବା ଭଙ୍ଗୀରେ ମୋ ମିଷ୍ଟର ଐକ୍ୟ କୁହନ୍ତି ସୋରିଷ ଡବାକ ପକାଇନ ତ ଆଦ୍ୟା ? ମୁଁ ଲାଜେଇ ଯାଇ କୁହେ ଧେତ୍ ତୁମେ ବି ନା ମୋ ପିଛା ଲାଗିଥାଅ।


Rate this content
Log in