Bibhu Samanta

Others

3  

Bibhu Samanta

Others

ଗୁରୁପ୍ରିୟାର ଅଭିମାନ

ଗୁରୁପ୍ରିୟାର ଅଭିମାନ

7 mins
245



ନଈଟିଏ ମୁଁ। ସଠିକ ଭାବେ ମନେ ନାହିଁ ମୋ ଜନ୍ମତିଥି। କେହି କେବେ ଖୋଜିନି। ଏମିତି ଆକଳି ନିଅନ୍ତି ବୟସକୁ ମୋର। ମୋ ଅବୟବରୁ। କେଉଁ ଏକ ଗିରି ଗହ୍ୱରରୁ ଉତ୍ପତି ମୋର। ସେଇଠୁ ପାଇଲି ଜୀବନର ପ୍ରଥମ ଆଶିଷ ଚୁମ୍ବନ।ଶୈଶବର ଅୟମାରମ୍ଭ ସବୁଜ ବନାନୀରେ। ଯୋଉଠି ପ୍ରକୃତି ଖୋଲି ଦେଇଛି ତା ମୁକୁଳା କେଶକୁ ଆଉ ସାଜିଛି ବନ୍ୟା ରମଣୀଟିଏ। ଘଞ୍ଚ ଅରଣ୍ୟ ଶିଳାବନ୍ଧୁର ଅଗଣାଟି ଲାଗେ ବେଶ ଆପଣାର। ଏଇଠି ମୁଁ ଲୁଚକାଳି ଖେଳେ ଜହ୍ନ ସାଙ୍ଗେ, କଥା ହୁଏ ପକ୍ଷୀଙ୍କ ସାଙ୍ଗେ। ଶୈଶବର ଆକଟ କଣ ମୁଁ ଜାଣିନି। ସମସ୍ତଙ୍କର ପ୍ରିୟ ମୁଁ। ସମସ୍ତେ ମୋ ଗୀତକୁ ଭଲ ପାଆନ୍ତି। ମୁଁ ଗୀତ ଗାଇ ଚାଲେ, ପାହାଡ଼ର ପାହାଚ ଡେଇଁ ଡେଇଁ।ଝୁମି ଉଠେ ପୁରା ଜଙ୍ଗଲ ।ସେ କୋଇଲିଟା ବେଳେବେଳେ ମୋ ସାଙ୍ଗେ ବାଦ ବସାଏ ମ! କିଏ ଜଣେ ମୋ ନାଆଁ ଦେଲା ସେକଥା ବି ମୋର ମନେ ନାହିଁ। କାହିଁକି ଏମିତି ନା ଦେଲା ସେକଥା ବି ପଚାରିନି। ସେମାନେ କୁହାକୁହିଁ ହେଲାବେଳେ ମୁଁ ଶୁଣିଛି, ଅନେକଥର। ମୋ ନାଁ କୁଆଡେ ଗୁରୁପ୍ରିୟା। ଶିଳା ବନ୍ଧୁର ପାହାଡ଼ି ଅଗଣା ଛାଡି ବୋହିବାକୁ ହୁଏ ମତେ ସମତୁଲ ଭୂମିରେ। ଏଠିକା ଲୋକଙ୍କୁ ସେ ପାହାଡ଼ି ନିଷାଦ ରାଗ ଭଲ ଲାଗେନି। ପିଲା ଦିନ ବି ରହିଯାଇଛି ବହୁ ପଛରେ। ଏବେ ତେଣୁ ଶୁଣିବାକୁ ପଡୁଛି ଲୋକଙ୍କ କଥା। ସଣ୍ଠଣା ଆଉ ଅନୁଶାସିତ ହେବାକୁ ପଡେ । ବେପରୁଆ ଖଆଲି ଦିନ ଗୁଡା ଭାରି ମନେ ପଡେ ମୋର, ୟା ଭିତରେ। ସେ ଅଗଣା, ସେ ଗଛ ଲତା, ଆଉ ତା ଫାଙ୍କରେ ଚେନାଏ ରୂପେଲି ଜହ୍ନ। ସବୁ ତ ରହିଗଲା ପଛରେ। ଏବେ ମୁଁ ଗୀତ ଗାଏ ଗୁଣୁଗୁଣୁ ହେଇ। ନିଜ ପାଇଁ । ନିଃସଙ୍ଗତା ଦୂରେଇବାକୁ। ମୁଁ ଖୋଜେ ଏମିତି ଜଣେ କାହାକୁ, ଯାହା ଆଗେ ମନ କଥା ଖୋଲି କହି ହୁଅନ୍ତା। ସେ ବୁଝିପାରନ୍ତା ଏ ଗୀତର ମରମ ବେଦନାକୁ। ନିଃସଙ୍ଗ ଏ ଜୀବନକୁ ସାହାରାଟେ ମିଳି ଯାଆନ୍ତା ସତେ। ନା ସେମିତି କେବେ ହୁଏନା। ଏବେ ବୁଝିବା ବୟସରେ ମୁଁ। ମୁଁ ବି ଅନୁଭବୀ ପାରେ, ନିଜ ଛାତି ତଳ ସ୍ପନ୍ଦନକୁ, ବେଳେ ବେଳେ ଆବେଗରେ ଧାଇଁଯାଏ, ସେଇ ସହରୀ ସଞ୍ଜର ନାରଙ୍ଗୀ ସୂର୍ଯ୍ୟ ଆଡେ। କେତେ ଥର ତା ଚୋରା ଚାହାଣୀରେ ମୋ ଦେହ ଲାଲ ପଡ଼ିଯାଏ। ଆକାଶଠୁ ଲୁଚେଇ ପାରେନି ଆମ ଚୁପଚାପ ଗପ। ସେ ସବୁ ଜାଣେ। ତଥାପି ତୁନି ରହେ, ନିର୍ଲିପ୍ତ ଭାବେ । ମୋ ଆଖିର ନିଳିମା କିଛି ଗୋଟେ ଖୋଜିଲା ପରି ଲାଗେ। ହେଲେ ସେ କୁଆଡେ ତା ଭିତରେ ନିଜେ ହଜିଯାଏ। ବେଶ ରୋମାଂଚକର ଲାଗେ ଦିନ ଗୁଡା। ଭାରି ଭଲ ଲାଗେ, କାହା ଅପେକ୍ଷାରେ କାଟିବାକୁ। ତା ପାଇଁ ଅଭିସାର ରଚିବାକୁ। ଚାଲିରେ କଥାରେ ଥାଏ ଅପୂର୍ବ ମାଦକତା। ମୋତେ ନେଇ ଲେଖା ହୁଏ ଅନେକ କାବ୍ୟ କବିତା । କେତେବେଳେ ନାୟିକା ହୁଏ, କେବେ ପୁଣି ମମତାମୟୀ ଜନନୀଟିଏ, ଯିଏ ଯେମିତି ମୋତେ ଦେଖେ । କହନ୍ତି, ସମୟ ବି କୁଆଡେ ଗୋଟେ ନଈ। ବହି ଚାଲିଥାଏ ଅବିରାମ ଭାବେ। କାହା ପାଇଁ ଅନୁଶୋଚନା ନାଇଁ, କି ଅନୁକମ୍ପା ନାହିଁ। ବେଳେ ବେଳେ ଏ ଦେହରେ ମଧୁ କମ୍ପନ ଆସେ, ଏତେ ତୀବ୍ର ଆବେଗଟିଏ.... ଯେ ଆଣିଦିଏ ଅସୁମାରୀ ତୃଷ୍ଣା। ମାନ ମର୍ଯ୍ୟାଦାର ସୀମା ଲଙ୍ଘି ନିଜର ପ୍ରିୟତମକୁ ପାଇବାର ଦୁର୍ବାର କାମନାଟେ ଜନ୍ମ ନିଏ ମୋ ଭିତରେ। ଧମନୀରେ ଧାଏଁ ବିଦ୍ୟୁତ ଶିହରଣ। ମୁଁ ଆଉ ନିଜ ଅଧୀନରେ ନଥାଏ। ମୋ କୁଳରେ ଥିବା ସବୁଜ ସଂସାର ଉଜୁଡିଯାଏ, କେତେ ଲୁହର କାରଣ ହୁଏ ମୁଁ।ଲୋକେ କୁହନ୍ତି ବନ୍ୟା ବୋଲି। କିନ୍ତୁ ମୁଁ ଜାଣି ଶୁଣି ଏମିତି କରେନି, ଏଟା ମୋ ସହଜାତ ପ୍ରବୃତ୍ତି। ମୋ ପାଇଁ ଚାଲେ କେତେ ଯୋଜନା। କେତେ ନକ୍ସା। 


ଦିନେ ଭେଟ ହୁଏ ଏମିତି ପୁରୁଷଟିଏ ସହ, ଯାହା ପାଖେ ସେଦିନର ଅନାମିକା ପାହାଡ଼ି ଝରଣାଟିର ଯାତ୍ରା ଶେଷ ହୁଏ। ଗୁରୁପ୍ରିୟାକୁ ମିଳେ ପୂର୍ଣ୍ଣତା। ସାର୍ଥକ ହୁଏ ନଦୀର ଜୀବନ । ଏବେ ସେ ବାନ୍ଧି ହୁଏ ଅନୁଶାସନର ଶିକୁଳିରେ। ଆଉ ଆଗ ପରି ପ୍ରଗଳ୍ଭ ହେଇ ପାରେନି ସେ। ତା ଗୀତ ଏବେ ମିଶିଯାଏ ସାଗରର ଗୁରୁ ଗମ୍ଭୀର ଗର୍ଜନରେ। ଯେ ତା ବେଳାଭୂମିରେ ବାନ୍ଧେ ସରଗମର ମେହଫିଲଟେ। ଗୀତର ଆସରକୁ ଆସନ୍ତି ଅନେକ ଅତିଥି। ବିଭୋର ହୁଅନ୍ତି, ସାଗରର ସ୍ୱରରେ। କେତେ କାହାଣୀର ନାୟକ ସାଜେ ସେ। କେହି କେବେ ପଚାରି ବୁଝନ୍ତିନି ମୋ କଥା। କର୍ତ୍ତବ୍ୟ ଆଉ ଦାୟିତ୍ୱ ଭିତରେ ମୁଁ କେବେ ଖୋଜିନି ନିଜର ଅୟସ ଆରାମକୁ। ସୁକୁମାରି ରାଜକୁମାରୀ ଆଜି ଯେମିତି ବନ୍ଦିନୀଟିଏ। ଭାରି ମନେ ପଡେ ମୋ ସେଇ ଅମାନିଆ ପିଲାଦିନ ଗୁଡା। ପଥର ଛାତିରେ ଗଡି ଯିବାର ସେ ପୁରୁଣା ଦିନ। ଅଳି ଅର୍ଦ୍ଦଳିର ସୁନେଲି ସଞ୍ଜ ସବୁ। ଅଜାଣତେ ଝରିଯାଏ ଦି ଟୋପା ଲୁହ। ସାଗରକୁ କୋଉ ଫରକ ପଡେଯେ, ସେ ତ ସେମିତି ଲୁଣିଆ। ମୋ ପରି ଆଉ କେତେ ନଦୀମାନଙ୍କୁ ପାଏ ମୁଁ ଏଠି। ସେତେବେଳେ କାହିଁ କେଜାଣି ମନଟା ବିଳପୀ ଉଠେ।ମୋରି ପରି କେତେ ନଦୀ ଆସି ଘର କରନ୍ତି ତା ଛାତିରେ। ସେ ଆହୁରି ମତୁଆଲା ହୁଏ। ତାର ଏଥିରେ କି ଦୋଷ !


ନାରୀ ଆଉ ନଦୀ ଭିତରେ ଫରକ କଣ ଯେ? ଦି ଜଣ ତ ପରିପୁରକ। ଜଣଙ୍କ କାହାଣୀ ସହିତ ଆଉ ଜଣଙ୍କର କାହାଣୀ ମିଶିଯାଏ। ପାଗଳିନୀ ବନ ଝରଣାରୁ ଆରମ୍ଭ ହୋଇ ଶାନ୍ତ ଗମ୍ଭୀର ପ୍ରୌଢା ନଦୀର ଯାଏ ଯାତ୍ରା ପ୍ରାୟେ ନାରୀର ଜୀବନରେ ଆସେ। ଉଭୟ ଖୋଜିବସନ୍ତି ଜୀବନର ମୂଲ୍ୟବୋଧକୁ। କେବେ କେବେ ଲୁହ ବି ଢାଳନ୍ତି, ନିଜ ଅସହାୟତା ପାଇଁ। ଅଲକ୍ଷ୍ୟରେ ପୋଛି ଦିଅନ୍ତି ବି। 


ଠିକ ଏଇ ସବୁ କଥା ଭାବୁଥିଲେ ସେ, ନବନିର୍ମିତ ସେତୁ ଉପରେ ଠିଆହୋଇ। ଅସ୍ତଗାମୀ ସୂର୍ଯ୍ୟର କିରଣ ନଦୀ ଜଳରେ ବିଚ୍ଛୁଡି ପଡିଛି। ଶର୍ମିଷ୍ଠା ମାନସିଂହ, ଓଡ଼ିଶାର ଯେଉଁ କେତେଜଣ ଆଗଧାଡ଼ିର ଶିକ୍ଷାବିତ ଅଛନ୍ତି। ତା ଭିତରୁ ବେଶ୍ ପରିଚିତ ନାଁଟି। ସମସ୍ତେ ହାର୍ ମାନନ୍ତି ତାଙ୍କ ପ୍ରଚଣ୍ଡ ପ୍ରତିଭା ଆଗରେ। ଉଦ୍ଭାସିତ ଜ୍ଞାନମୂର୍ତ୍ତି। ଏମିତି କୋଉ ପ୍ରଶ୍ନ ନାହିଁ, ଯାହା ଉତ୍ତର ତାଙ୍କୁ ଆସେନି। ଏତେ ଥାଇବି ସେ କେବେ କାହା ଆଗେ ନିଜକୁ ପ୍ରମାଣିତ କରିନାହାନ୍ତି। ବେଶ ସାଧାସିଧା ତାଙ୍କ ଜୀବନ। ସୁନ୍ଦର ତାଙ୍କ ବ୍ୟବହାର। ଅଳ୍ପ କହନ୍ତି ସେ, କିନ୍ତୁ ଭାରି ମିଠା ତାଙ୍କ କଥା। ସୁନ୍ଦର କବିତା ବି ଲେଖିପାରନ୍ତି ସେ। ସରସ୍ୱତୀ ମାଙ୍କ ଅପାର କରୁଣା ତାଙ୍କ ଉପରେ। ଏକ ସମ୍ଭ୍ରାନ୍ତ ଘରେ ହୁଏ ତାଙ୍କ ଜନ୍ମ।ପିଲାଦିନ କଟିଛି ଠିକ୍ ସେ ପାହାଡ଼ି ଝରଣା ପରି। ହସି ଖେଳି, ଅଳି ଅଝଟ ଭିତରେ। ଆକାଶରେ ତାରମାନଙ୍କ ସାଙ୍ଗେ ଆଉ ବଗିଚାରେ ଫୁଲମାନଙ୍କ ସାଙ୍ଗେ କଥା ହୁଅନ୍ତି ସେ। କେତେ ଥର ବଗିଚାରେ ଥିବା ଦୋଳିରେ ଶୋଇପଡିଛନ୍ତି ସେ। ମାଆ ଉଠେଇ କି ଆଣନ୍ତି ଘରକୁ। ସ୍ୱାଧୀନ ଚିନ୍ତାଧାରା ତାଙ୍କର, ଏକ କଳ୍ପନା ଦୁନିଆରେ ବଞ୍ଚୁଥିବା ଖିଆଲି ମନଟେ। ନଦୀ ପରି ସେ ନୂଆ ନୂଆ ସମ୍ପର୍କ ତିଆରି କରନ୍ତି। ମିଶିଯାନ୍ତି ସମସ୍ତଙ୍କ ଜୀବନରେ। କାହାକୁ ଟିକେ ଖୁସି ଦେଇପାରିଲେ ସେ ଖୁସି ହୁଅନ୍ତି, ତା ଠୁ କେତେ ଗୁଣ ଅଧିକ। ସେ ବି ଭଲ ପାଆନ୍ତି ଭ୍ରମଣ କରିବାକୁ, ଜୀବନର ଉପଲବ୍ଧି ସବୁ ଖୋଜିବାକୁ। ଚଳ ଚଞ୍ଚଳ ମନଟିଏ ତାଙ୍କର। ଶୈଶବ ରୁ ତରୁଣ ତାପରେ କିଶୋରୀ। ଏମିତିରେ ଧକ୍କା ମାରି ଆସିଯାଏ ଯୌବନ। 

ବଢିଯାଏ ମନ ଭିତରେ ଥିବା, ତୃଷ୍ଣା। ସବୁ କଥାକୁ ବୁଝି ପାରିବାର ବୟସ। ଠିକ ଭୁଲକୁ ପରୀକ୍ଷା କରିବାର ବେଳ। ଏବେ ଏବେ ସେ ଚିନ୍ତା କରନ୍ତି ତାଙ୍କୁ ନେଇ କିଏ କଣ କହେ। ନିଜର ସ୍ୱାଧୀନ ଚିନ୍ତା ପାଇଁ ଅନେକ ଥର ଶୁଣିବାକୁ ହୁଏ, କଟୁ ମନ୍ତବ୍ୟ। ବିଦ୍ରୋହ କରିଉଠେ ମନ। ଗାଳି କରନ୍ତି ଠାକୁରଙ୍କୁ। ବହୁତ ବିଶ୍ୱାସ ତାଙ୍କ ଉପରେ, ତାଠୁ ବେସି ବିଶ୍ୱାସ ନିଜ କର୍ମ ଉପରେ। 


କୋଉଠି ନା କୋଉଠି ମନ ତାଙ୍କର ପିଲା ବେଳକୁ ଝୁରେ। ବହୁତ ମନେପକାନ୍ତି ସେ ଦିନଗୁଡାକୁ, ନଦୀର ଝରଣା କଥା ମନେ ପଡ଼ିଲା ପରି। ସେଥିପାଇଁ ସେ ଶିକ୍ଷାକୁ ଆଦରି ନେଲେ ବୃତ୍ତି ଭାବେ। ପିଲାମାନଙ୍କ ସାଙ୍ଗେ ସମୟ କାଟିବାକୁ। ତାଙ୍କ ଭିତରେ ନିଜ ପିଲାଦିନକୁ ଖୋଜିବାକୁ। ସେ ସେଇ ପିଲାକୁ ବେଶି ଭଲ ପାଆନ୍ତି ଯେ ପାଠରୁ ଦୂରେଇ ଯାଏ। ତାଙ୍କୁ ପରିବର୍ତ୍ତନ କରେଇ ପାଠ ପଢେଇବାର ମଜାକୁ ସେ ବୁଝନ୍ତି। 


ଗଡି ଯାଉଥିବା ବୟସକୁ ସାଥିଟିଏ ଲୋଡ଼ା ହୁଏ। ଯେ ବାଣ୍ଟିନିଅନ୍ତା ସୁଖ ଦୁଃଖ ସବୁ। ଯେ ବୁଝି ପାରନ୍ତା ମନକୁ। ସ୍ୱାମୀଠୁ ବେଶୀ ସାଙ୍ଗ ହୁଅନ୍ତା। ଏମିତିରେ ଭେଟ ହୁଏ ତାଙ୍କର, ସୁବ୍ରତଙ୍କ ସହ। ସେ ବି ଶର୍ମିଷ୍ଠାଙ୍କ ପରି, ଅନେକ ପ୍ରତିଭାର ଅଧିକାରୀ। ଗୋଟେ ଚିନ୍ତାଧାରାରେ ଜୀବନ କାଟନ୍ତି ସେ। ଏମିତିରେ ନଦୀ ଦିନେ ସାଗରରେ ମିଶିଗଲା। ଅନେକ ଆଶା ବାସ୍ତବତାର ରଙ୍ଗରେ ରଙ୍ଗେଇବାର ସ୍ୱପ୍ନରେ ଭରିଗଲା।ଜୀବନ ଭାସି ଚାଲିଥିଲା, ନୂଆ କିଣା ହେଇଥିବା ମଟରଗାଡି ପରି। ବୃତ୍ତିଗତ ଭାବେ ଦିଜଣ ଗୋଟିଏ କ୍ଷେତ୍ରରେ କାମ କରନ୍ତି। ସହକର୍ମୀ ନୁହେଁ, ପେଶାରେ ସହଯାତ୍ରୀ କୁହାଯାଇପାରେ। ସାଙ୍ଗ ହୋଇ ମିଟିଂ ଆଉ କଂଫେରନ୍ସ ଆଦିକୁ ଯାଆନ୍ତି ସେମାନେ। ସୁବ୍ରତ ଟିକେ ଲାଜକୁଳା ସ୍ୱଭାବର, ଆଉ ରକ୍ଷଣଶୀଳ। କିନ୍ତୁ ଶର୍ମିଷ୍ଠା ସେମିତି ନୁହନ୍ତି। ସେ ସ୍ପଷ୍ଟବାଦୀ। ସେ ନିଜର ମତ ରଖନ୍ତି ଖୋଲାଖୋଲି ଭାବେ। ନିର୍ଭୀକ ଚିନ୍ତା ତାଙ୍କର। ତେଣୁ ଶର୍ମିଷ୍ଠାଙ୍କୁ ବେଶି ଖୋଜା ହୁଏ। ନିଜର କାମକୁ ଚୁପଚାପ୍ କରିବାକୁ ପସନ୍ଦ କରୁଥିବା ସୁବ୍ରତଙ୍କ ମନରେ କୋଉଠି ନା କୋଉଠି ଗୋଟେ ପୁରୁଷ ଅହଂକାରଟିଏ ବସା ବାନ୍ଧେ। ସେ ଉପରେ କିଛି କହିପାରନ୍ତିନି। କିନ୍ତୁ ଭିତରୁ କେମିତି ଗୋଟେ ଈର୍ଷ୍ୟାନ୍ୱିତ ହୁଅନ୍ତି ଶର୍ମିଷ୍ଠାଙ୍କ ଉପରେ। ବିଭିନ୍ନ ଆଳରେ କହନ୍ତି, ଚାକିରୀ ଛାଡି ଘର ସମ୍ଭାଳିବାକୁ।ଭଲ ଗୃହିଣୀ ହେବାକୁ ଉପଦେଶ ଦିଅନ୍ତି।ଶର୍ମିଷ୍ଠା କାହା ସାଙ୍ଗେ ହସିକି ପଦେ କଥା ହେଲେ ବି ସେ ସହିପାରନ୍ତିନି ସେ। ତାଙ୍କ ଭିତରେ ଏଇ ଅଧିକାର ବୋଧଟା ପ୍ରବଳ ମାତ୍ରାରେ ବ୍ୟତିବ୍ୟସ୍ତ କରିପକାଏ ତାଙ୍କୁ। ଅନେକଥର ଏଥିପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଚି। ଶର୍ମିଷ୍ଠା ନାରୀ, ସର୍ବଂସହା। ସେ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ। କିନ୍ତୁ ସ୍ୱାମୀଙ୍କ କୌଣସି ପରିବର୍ତ୍ତନ ହେଲା ନାହିଁ। ନିଜକୁ ବୁଝେଇ, ଗୋଟେ ସଂସାରର ପରିକଳ୍ପନା କଲେ। ଫଳ କିଛି ହେଲାନି। ନଦୀର କୂଳକୂଳ ଗୀତଟି ସାଗରର ଗର୍ଜନ ଭିତରେ ହଜିଗଲା କୋଉଠି। ଆଉ ସାଗର କେବେ ବୁଝିଲାଣି ନଦୀର ମନକଥା! ସୁବ୍ରତ ନିଜର କିଛି ସାଙ୍ଗମାନଙ୍କ ସହ ବୁଡିରହିଲେ ନିଜ ଦୁନିଆରେ। ଶର୍ମିଷ୍ଠାଙ୍କ ଜାଗା ଯୋଉଠି ନାହିଁ। ସେ ଏ ସବୁଠୁ ଦୂରରେ। ସାଙ୍ଗଟିଏ ହେଇ ବି ରହିପାରିଲେନି ଦିଜଣ। ଅଲଗା ହେଇଯିବାକୁ ନିଷ୍ପତ୍ତି ନେଲେ।


ଆଜି ସୁବ୍ରତ ଡାକିଛନ୍ତି ତାଙ୍କୁ, ଗୁରୁପ୍ରିୟା ସେତୁ ଉପରକୁ। ଯେଉଁଠି ବିଚ୍ଛେଦ ରାଜିନାମାରେ ଦୁଇଜଣ ଦସ୍ତଖତ କରିବେ। ପହଞ୍ଚିଲେ ସୁବ୍ରତ, ହାତରେ ଧରି ଆସିଥିଲେ, କାଗଜ ଖଣ୍ଡେ। କାଗଜ ଖଣ୍ଡେ କଣ ଅଲଗା କରିପାରେ ସମ୍ପର୍କକୁ?ଯେଉଁ କେତେଦିନ ଶର୍ମିଷ୍ଠା ତାଙ୍କ ସଙ୍ଗେ କାଟିଛନ୍ତି, ସେସବୁର ମାନେ କଣ କିଛି ନାହିଁ? ସେତିକି ବି ଭାବିଲେନି ସେ! କେବେ ଦିନେ ହେଲେ ତ ଝଗଡା କି ପାଟି ହେଇ ନାହିଁ ତାଙ୍କ ଭିତରେ। ତଥାପି ଏମିତି କାହିଁକି? ଈଶ୍ୱରଙ୍କୁ ସ୍ମରଣ କରୁଥିଲେ ଶର୍ମିଷ୍ଠା। ସବୁ କିଛି ସହିଯିବାର ଶକ୍ତି ମାଗୁଥିଲେ। ଲୁହକୁ କଣ କେବେ ଅଟକେଇପାରେ ପ୍ରତିଶୃତି, ଦାମ୍ଭିକତା। ସବୁ ଥାଇ ବି କିଛି ନଥିଲା ପରି ଲାଗୁଥିଲା ତାଙ୍କୁ। ସୁବ୍ରତଙ୍କ ଆଖିକୁ ଦେଖୁଥିଲେ ସେ, ଝାପସା ଦିଶୁଥିଲା ମୁହଁଟା। ଲୁହରେ। ଇଚ୍ଛା ହେଉଥିଲା ତାଙ୍କୁ ଭିଡି ଧରି କାନ୍ଦିବାକୁ। କାଗଜକୁ ଚିରି ନଈରେ ଭସେଇ ଦେବାକୁ। କିନ୍ତୁ ସୁବ୍ରତ ଥିଲେ ଭାବଶୂନ୍ୟ। ଗୋଟେ ନିର୍ଦ୍ଦୟ ଜହ୍ଲାଦ ପରି ଲାଗୁଥିଲା ତାଙ୍କ ଗତି ବିଧି। ଯେମିତି ଏସବୁ ତାଙ୍କୁ କିଛି ଫରକ ପକାଏନି। ଶର୍ମିଷ୍ଠା ଶେଷରେ କାଗଜରେ ଦସ୍ତଖତ କରିଦେଲେ। ଆଉ ତାଙ୍କ ହାତରୁ କାଗଜଟି ନେଇ ଚାଲିଗଲେ, ସୁବ୍ରତ।ଦି ଆଙ୍ଗୁଠିର ଚାପି ଧରିଥିଲେ ସେ କାଗଜଟିକୁ,ସୁବ୍ରତ କିନ୍ତୁ ବୁଝିପାରିଲେନି ଶର୍ମିଷ୍ଠାଙ୍କ ଭାବନାକୁ । ବୁଝିବାକୁ ଚେଷ୍ଟା ବି କରୁନଥିଲେ। ସେ ସେମିତି ଠିଆ ହୋଇ ଦେଖୁଥିଲେ, ତାଙ୍କ ଯିବା ବାଟକୁ। 


ଅଭିମାନର ଏ ଲଢେଇରେ ଝଲସି ଗଲା ପୁଣି ଆଉ ଦୁଇଟା ଜୀବନ। ଏମିତି କାହିଁକି ହୁଏ, ଗୋଟେ ଛାତ ତଳେ, ଗୋଟେ ଶେଜ ଉପରେ ଶୋଇଥିବା, ଦୁଇଟା ମନ ଭିତରେ ଯୋଜନ ଯୋଜନର ଦୂରତା? ନିଜ ଅହମିକାକୁ ନିଜ ଭିତରେ ଏମିତି ବାନ୍ଧି ହୋଇ, ଲୁହାର ଦୁର୍ଗଟିଏ, ଯାହା ଭିତରୁ ବାହାରିବା ଭାରି କଷ୍ଟ। ସରଳ ଜୀବନଟେ ଖୋଜି ପାଇବା ଆଜି ଭାରି ମୁସ୍କିଲ୍। ଗାଉଁଲି ଅପାଠୋଇ ମନରେ ଏତେ ଭାବନା ତା ଆସେନି କେବେ। ଦିନକୁ ଦିନ ଆମେ ଛନ୍ଦି ହେଇଯାଉଛୁ ଅଯଥା ଜଟିଳତାରେ। ନିଜ ତିଆରି ମାନସିକ ଦ୍ୱନ୍ଦ୍ୱରେ। ଜ୍ଞାନର ଆଲୋକ କଣ ଦୂରେଇ ପାରିବନି, ମନ ତଳର ଏଇ ବିଷମ ସମସ୍ୟାକୁ । କେବେ କେହି କଣ ବୁଝିବେନି ଜୀବନଟା ବହୁତ ସୁନ୍ଦର, ଏଠି ଖୁସି ବାଣ୍ଟିଲେ ବଢେ। ସମସ୍ତଙ୍କ ଖୁସିରେ ଖୁସି ହେଲେ ପରମାନନ୍ଦ ପ୍ରାପ୍ତି ହୁଏ। ଅନ୍ଧ ଭାବେ ପଦ ପ୍ରତିଷ୍ଠା ପଛେ ଧାଇଁ ଧାଇଁ ମିଳେ କଣ?ମେଞ୍ଚାଏ ମରୀଚିକା ଆଉ ମୃଗତୃଷ୍ଣା। ଏ ରାତି କେବେ ପାହିବ। ଭଲପାଉଥିବା ମୁହୂର୍ତ୍ତମାନେ ଏବେ ଟାଣି ଧରନ୍ତି ତାଙ୍କୁ ପଛରୁ। ସେତୁ ସିନା ବନ୍ଧା ହୋଇଛି, ମନ ତ ଏବେ ବି ଯୋଉ ଅଛୁଆଁକୁ ସେଇ ଅଛୁଆଁ। ମୁଠାଏ ବିଶ୍ୱାସ ଆଉ ସାମାନ୍ୟ ତ୍ୟାଗ ଟିକେ ଲୋଡା ଯାହା। ସେ ପୁଣି ଫେରିବେ ଏଇ ପଟେ, ସେ ଆଶା ଟିକକ ବଞ୍ଚିଛି, ଛାତି ଭିତରେ।


ଲୁହ ପୋଛି, ସୁବ୍ରତଙ୍କୁ ଡାକିଲେ ସେ। ବୁଲି ଚାହିଁଲେ ସେ। କହିଲେ, "ସୁବ୍ରତ, ଆମ ଭିତରେ ସବୁ ସମ୍ପର୍କ କଟିଗଲେ ବି, ମୁଁ ଏ ଶଙ୍ଖା ସିନ୍ଦୂର ସେମିତି ପିନ୍ଧୁଥିବି। ତୁମ ପାଇଁ । କିଛି ସମୟ ନୀରବ ରହିଲେ ସୁବ୍ରତ। ଆଉ କିଛି ନ କହି ସ୍ମିତାହାସ୍ୟଟେ ଦେଲେ। ଆଉ ଚାଲିଗଲେ। ସେତୁରେ ଶେଷ ମୁଣ୍ଡରେ ଥିବା ବୁଲାଣି ପରେ ଆଉ ଦିଶିଲେନି ସେ। ଥମଥମ ଲୁହରେ, ଗୁମୁରି କାନ୍ଦୁଥିଲା ଗୁରୁପ୍ରିୟା। ଆକାଶରୁ ମେଞ୍ଚାଏ ଅବିର ବୁଣି ହେଇ ହେଇଯାଇଥିଲା ତା ଦେହରେ।



Rate this content
Log in