ଗରିବ
ଗରିବ


କି ଘଡ଼ିସନ୍ଧି ମୁହୂର୍ତ୍ତରେ ଏ ସରକାରୀ ଚାକିରୀ ଖଣ୍ଡକ କଲି ଯେ, ସମସ୍ତ ସରକାରୀ ଯୋଜନାରୁ ଚିରଦିନ ବଞ୍ଚିତ ହେଲି! ହୀନ କପାଳ ଟା ଯାହା ମୋର, ଛି!!
ଆମ ଗାଁ ସପନୀ ପଧାନ, ଭାରି ଚାଲାକ୍ ଚତୁର ପିଲା ସେ, ମୋ ସାଙ୍ଗେ ପଢୁଥିଲା ଇସ୍କୁଲରେ। ସପ୍ତମ ଡେଇଁଛି କି ନାହିଁ, ତା' ବାପା ମକରା ପଧାନ ଦିନେ ଆସି ହେଡ଼ମାଷ୍ଟରଙ୍କୁ କହିଲା, "ହଉ ପଢୀଆରୀ ଆଜ୍ଞା! ସପନୀ ମୋର ଯାହା ତ ପଢିବା କଥା ପଢିସାରିଲାଣି, ଆଉ ଆଗକୁ ନାହିଁ। ହଳିଆ କୋଠିଆ ସବୁ ଲୁଟି ନଉଛନ୍ତି, ଦେଖିବାକୁ ମୋର ଯୁ ନାହିଁ। କାଲିଠୁଁ ସେ ମୋ ସାଙ୍ଗେ ବିଲବାଡି ଦେଖାଶୁଣା କରିବ।"
ହେଡ଼ମାଷ୍ଟରଙ୍କ ପଦିଏ ବି କଥା ଶୁଣି ନଥିଲା ମକରା ପଧାନ ସେଦିନ। ସପନୀର ପାଠ ପଢ଼ାରେ ଡୋରି ବନ୍ଧା ହେଲା। ବଡ଼ ଦୁଃଖି ହେଲା ସେ। ମୁଁ ଯାହିତାହି ତିନି ଚାରି ଥରରେ ମେଟେରିକଟା ପାଶ୍ କରିଗଲି ଲାଗିପାତି। ଯୋଗକୁ ସେକେରେଟାରିଅଟରେ ଦପ୍ତରିର ଚାକିରିଟା ପାଇଗଲି।
ଏଇ ଘଟଣାକୁ ଢେର ସାଲ ବିତିଗଲାଣି। ମୁଁ ଏବେ ରିଟାଆର୍ଡ କଲିଣି ଚାକିରିରୁ। ସପନୀ ଆମ ପଞ୍ଚାୟତର ଅଗ୍ରଣୀ ଚାଷୀ। ବହୁତ ଗୁଡିଏ ପୁରସ୍କାର ବି ପାଇଛି ସରକାରଙ୍କ ଠାରୁ ଚାଷ ଓ ଚାଷୀର ଉନ୍ନତି ପାଇଁ। ତଥାପି ସବୁବେଳେ ସେ ନିଜକୁ ଗରିବ ବୋଲି କହିକି କାନ୍ଦି ପକାଏ। ଅବଶ୍ୟ ଲୁହ ଟିକିଏ ବି ବହେ ନାହିଁ ଆଖିରୁ ତାର।
ସରକାର ବାହାଦୁରଙ୍କ ସବୁ ଯୋଜନାରେ ଅଛି ସପନୀର ନାଁ। ବିପିଏଲ ତାଲିକାରେ ବି ତା' ନାଁ ଟା ସବୁଠୁଁ ଆଗରେ। ହୁଏତଃ ଏଇଥିପାଇଁ ସେ ନିଜକୁ ଗରିବ ଲୋକ କହି ଆମ ଆଗରେ କାନ୍ଦେ!!
ଗଲା ହପ୍ତାରେ ଝୁଅ ବାହା କରିଥିଲା ସପନୀ। ଗାଁକୁ ଯାଇଥିଲି ମୁଁ ତା' ନିମନ୍ତ୍ରଣରେ। ଶୁଣିବାକୁ ପାଇଲି ଯେ, ଅଣ୍ଡିରୀଚଣ୍ଡୀ ଝୁଅଟା ପାଇଁ କୁଆଡ଼େ ସଫ୍ଟୱେର ଇଞ୍ଜିନିୟର ଜୋଇଁ କିଣିଛି କୋଡ଼ିଏ ଲକ୍ଷ ଗଣି। ଗାଁରେ ତିନି ମହଲା କୋଠା, ଦି ଦିଇଟା କାର, ଚାରି ପାଞ୍ଚଟା ଖଣ୍ଡେ ଟ୍ରାକଟର ପାବାରଟ୍ରିଲର, ଏମିତି କେତେ କଣ...
ମୁଁ ତାକୁ ପଚାରିଲି, "ଆରେ ସପନୀ! ଚାଳିଶଟି ସାଲ ଚାକିରି କରି ମୁଁ ରାଜଧାନୀରେ ଜମି ଗୁଣ୍ଠେ କରି ପାରିଲିନି। ତୁ ଏତେ ସବୁ ଚାଷବାସରୁ କଲୁ କେମିତି? ସହଜେ ଆମର ତ ଧୋୟା ଅଞ୍ଚଳ, ଫି ସାଲ ବନ୍ୟା ନୋହିଲେ ବାତ୍ୟା ନହେଲେ ଗଜା ମରୁଡ଼ି..."
ସପନୀ କଥାରେ ମୋର ହୋଶ୍ ଉଡିଗଲା। ମୁଣ୍ଡ ବୁଲାଇ ଦେଲା। କଚାଡ଼ି ହୋଇ ପଡୁ ପଡୁ ନିଜକୁ ସମ୍ଭାଳି ନେଲି ଯେଣତେଣ।
ସେ ଯାହା କହିଲା : "ଆରେ ସଙ୍ଗାତ! ସରକାର ଆମ ଭଳି ଗରିବଙ୍କ ପାଇଁ, ଗରିବଙ୍କ ଦ୍ଵାରା ଆଉ ଗରିବଙ୍କର! ଚାଷ ପାଇଁ ଯେତେ ଲୋନ୍ କଲେ ବି ଶୁଝିବାକୁ ପଡ଼େନି। ଯେଉଁ ଦଳର ସରକାର ଆସୁନା କାହିଁକି ଲୋନ୍ ଛାଡ଼ ହବ ହିଁ ହବ। ଧୋଇଗଲେ ମରୁଡି ହେଲା ତ କ୍ଷତିପୂରଣ ପୁଣି ବୀମା ବି ଅଛି। ବିପିଏଲ କାର୍ଡ଼ରେ ଚିନି, ଚାଉଳ, କିରାସିନି, ଗହମ, ତେଲ, ଡାଲି ସବୁତ ମିଳୁଛି ଶସ୍ତାରେ। ଆଉ ଖର୍ଚ୍ଚ ବା କେତେ କରିବୁ କହ? ଟଙ୍କାଏ ବି ଟିକସ ଦେବାର ନାହିଁ ଜମିବାଡ଼ି ଖଜଣା ଛଡ଼ା। ଆମେ ତ ଗାଁରେ ରହିଲୁ, ନା ଅଛି ଘରଭଡ଼ା, ନା ପାଣିକିଣା। ହୁକ ପକେଇଲେ ଲାଇନି ବି ମିଳିଲା, ବିପିଏଲ ଲାଇନରେ ଭୋଲଟେଜ ରହୁନି ଭଲ। ସରକାରୀ ଇସ୍କୁଲରେ ପିଲା ପଢିଲେ, ତାହାଙ୍କ ସବୁ ଖର୍ଚ୍ଚ ସରକାର ବୁଝିଲେ। ରୋଗ ବଇରାଗ ହେଲେ ମାଗଣାରେ ସରକାରୀ ଚିକିତ୍ସା ଆଉ ଔଷଧ ସୁବିଧା ବି ଅଛି। କଣ କରିନାହାନ୍ତି ଏଇ ସରକାର ଆମ ପାଇଁ। ତୁଚ୍ଛାଟାରେ ଖାଲି ବିରୋଧୀମାନେ ହୋ ହାଲ୍ଲା କରୁଛନ୍ତି। ଜନମ ଠାରୁ ମରଣ ଯାଏଁ ସବୁ କିଛି ଯୋଜନା ଆମ ଭଳି ଗରିବ ଗୁରୁବାଙ୍କ ପାଇଁ। ତଥାପି ଆମେ କାଲି ଯୋଉଁ ବିପିଏଲ ତାଲିକାରେ ଥିଲୁ, ଆଜିବି ଅଛୁ ଆଉ ଆଗକୁ ବି ରହିବୁ... "