Rabinarayan Senapati

Children Stories

4  

Rabinarayan Senapati

Children Stories

ଗୋଠ ବାହୁଡା।

ଗୋଠ ବାହୁଡା।

12 mins
202


ଅନେକ ଦିନ ତଳର କଥା, ମୁଁ ଛୋଟପିଲା ନଥିଲେ ମଧ୍ୟ ରାଧାଖୁଡୀ-ଜେଜେମା ମୋତେ ଖୁଆଇ ଦେଉଥିଲେ । ସେ ଥିଲେ ସବୁ ପିଲାଙ୍କ ପ୍ରିୟ । ଗପ ନୁହେଁ, ଘରୁଆ କଥା ଯେତେ କହନ୍ତି ସେ । ଆମକୁ ସବୁ ଗପ ମାଲୁମ୍‌, ତେଣୁ ଗପ ଅପେକ୍ଷା ତାଙ୍କ କଥାତକ ଭାରି ଭଲଲାଗେ, ବିଶେଷକରି ମୋତେ । ଏଇଠି ଟିକେ କହିରଖେ, ସେ ପ୍ରକୃତରେ ମୋ ବାପାଙ୍କ ଖୁଡୀ, ସାନ-ଜେଜେମା । ମୁଁ କିନ୍ତୁ ଡାକେ ରାଧାଖୁଡୀ-ଜେଜେମା, ସଂକ୍ଷେପରେ ରାଧାଖୁଡୀ । ସେ ମୋ ନାମ ଦେଇଥିଲେ କୃଷ୍ଣ । ସେ ତାଙ୍କ କୋଠରୀ ସାରା ଭର୍ତ୍ତି କରିଥିଲେ ଅଗଣିତ କୃଷ୍ଣ; ମୂର୍ତ୍ତି ଓ ଫଟୋ । ମୋ ଆଉ ଦଶ ଜଣ ଆଧୁନିକ ନାମଧାରୀ ଭାଇଭଉଣୀଙ୍କ ମଧ୍ୟରେ ନିଜ ପୁରୁଣାକାଳିଆ ନାମ ପାଇଁ ସଙ୍କୋଚ ଅନୁଭବ କରୁଥିଲି, ରାଗିକି ସେମିତି ସମ୍ବୋଧନ କରୁଥିଲି; ରାଧାଖୁଡୀ!

ମୋ ବାପା ଓ ତାଙ୍କ ପାଞ୍ଚ ଭାଇ ଭଉଣୀ ସମସ୍ତେ ତାଙ୍କ ପୁତୁରା ଝିଆରୀ । ସାନଜେଜେ ଓ ରାଧାଖୁଡୀ ପୁତୁରା ଝିଆରୀଙ୍କୁ ମଣିଷ କରିବାରେ, ତାଙ୍କ ଅଳି ଅର୍ଦ୍ଦଳି ସହିବାରେ ମୁଖ୍ୟ ଭୂମିକା ନେଇଥିଲେ । ଖାଲି କଣ ଘର, ଗାଁରେ ଅନେକଙ୍କ ଉନ୍ନତିରେ ତାଙ୍କର ଅବଦାନ ବହୁତ । ସାନଜେଜେ ଦୀର୍ଘକାଳ ଥିଲେ ଆମ ଗାଁ ତାରାପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।


ସେଦିନ ଆମେ ବସିଥାଉ, ଆମ ତଥାପି ଅଭଙ୍ଗା ଆଂଶିକ ମାଟିଘରର ଏକ ମେଲାରେ । ମୋର ଦୃଷ୍ଟି ପଡିଲା ସବୁବେଳେ ଏକ ଉଚ୍ଚା ଉଲୁଗୁଣିରେ ଝୁଲା ହୋଇଥିବା ଅଖା ତିଆରି ମୋଟା ମୋଟା ଦୁଇଟି ବିଶେଷ ଜିନିଷ ।


–ରାଧାଖୁଡୀ, ସେଗୁଡା କଣ, ସବୁବେଳେ ଝୁଲୁଛି, କିଛି କାମରେ ଲାଗୁନି, ସେଇଠି କରିଛନ୍ତି ଚେମିଣିଆ ବସା, ରାତିରେ ଫଡଫଡ ହୋଇ ବାହାରୁଛନ୍ତି?


ସେ ଆରମ୍ଭ କଲେ ତାଙ୍କ କଥା ।

-ସେଇଠି ଅଛି ଦୁଇଟି ପହ୍ଲାଣ । ଗୋଟିଏ କଷ୍ଟିଆର ଓ ଆଉ ଗୋଟିଏ ବାଉଁଆର; ଆମ ଦୁଇ ମୁଖ୍ୟ ବଳଦ । କଷ୍ଟିଆକୁ ମୁଁ ଡାକେ ସୁନା । ସେମାନେ ଭାରୁଆ ବଳଦ । ତାଙ୍କ ପିଠିରେ ପ୍ରଥମେ ରଖାଯାଏ ଏ ନରମ ପହ୍ଲାଣ । ସେଥିରେ ଦେଖୁଛୁ କେତେ ଛୋଟ ଛୋଟ ବାଉଁଶ ବାଡି ଲାଗିଛି? କଚଡା, କହ୍ଳେଇ ବା ଅନ୍ୟ କିଛି ଜିନିଷ ସେ ପହ୍ଲାଣ ଉପରେ ଥୋଇ ସେଇ ବାଡିମାନଙ୍କରେ ବାନ୍ଧି ଦିଆଯାଏ । ସେମାନେ ବୋହି ନିଅନ୍ତି,

-ତାଙ୍କ ପିଠିକୁ କାଟିବନି ରାଧାଖୁଡୀ?

-କାହିଁକି କାଟିବ? ପହ୍ଲାଣ ଗଦି ଭଳି କାମ କରେ, ସେମାନେ ଯେତିକି ଖୁସି ମନରେ ନେବେ ସେତିକି ଜିନିଷ ରଖାଯାଏ ।

- ମଲା ମଲା, ଭାର ବୋହିବାରେ କାଳେ ତାଙ୍କର ଖୁସି, ସେମାନଙ୍କୁ କଷ୍ଟ ଲାଗୁଥିବ ।

- ବିନା ପରିଶ୍ରମରେ କିଛି ମିଳେନି କୃଷ୍ଣ, ମଣିଷ ହେଉକି ବଳଦ ହେଉ । ବଳଦମାନେ ପ୍ରକୃତରେ ଥିଲେ ଖୁବ୍ ଗେହ୍ଲା, ଯେମିତି ଘରର ଜଣେ ଜଣେ ସଦସ୍ୟ । ସୁନା ଓ ବାଉଆଁ ବଳଦ ନଥିଲେ, ସେମାନେ ଅଧାଅଧି ମଣିଷ । ସେମାନଙ୍କୁ କଷ୍ଟ ଦେବାର ପ୍ରଶ୍ନ ଉଠୁନି ।

ଜେଜେମା ନାତିଙ୍କ କଥୋପକଥନ ଚାଲିଥାଏ, ସେଇଠି ଗୋଟିଏ କାଠ ଚୌକିରେ ବସିଥାନ୍ତି ଅରବିନ୍ଦବାବୁ; କୃଷ୍ଣର ବାପା । ଧଳା ଲୁଙ୍ଗି ଉପରେ କଳା ଟିସାର୍ଟରେ ତାଙ୍କ ଗୌର ତନୁ ଚମକୁଥାଏ । ହାତରେ ଡାଲାଏ ମୁଢି ଧରି ସେ ଦେଖାଯାଉଥାନ୍ତି ଗାଉଁଲି । ଘରଭଜା ମୁଢି, ରାଧାଖୁଡୀ ଦୋଉଁଶା ଚାଉଳକୁ ବିଶେଷ ପାଗରେ ଉବୁଜି ଭାଜନ୍ତି, ଅସଲି ମୁଢି । ଡାଲାରେ ଖାଇବାର ମଜା ସ୍ୱତନ୍ତ୍ର, କେତେ କାଇଦାରେ ତିଆରି ହୋଇଛି ତାଙ୍କ ଦେଶୀ ଝାଲ୍ । କଷ୍ଟିଆ ଓ ବାଉଆଁ କଥା ମନେ ପଡି ଯାଉଛି ।


ହଠାତ୍ କହିଲେ, - ଖୁଡୀ ତୁମେ କୃଷ୍ଣକୁ ପ୍ରଥମେ କୁହ ମାମୁଁଘର ସହ କଷ୍ଟିଆ ବା ତୁମ ସୁନାର ସମ୍ପର୍କଟି କଣ, ସେ କଥା ମୁଁ ବି ଶୁଣିବି ।


-ତୁ ଶୁଣୁଛୁକିରେ ଅରୁ । ଦେଖ୍ କୃଷ୍ଣ ତୋ ବାପାକୁ, ଏମିତି ସେ ପିଲାବେଳେ ଶୁଣୁଥିଲା ନାନାଦି ଗପ । ନିଦ ଲାଗୁଥିବ, ଚୁଟି ଘୋଷାରି ନିଦ ଭଙ୍ଗାଇ ଦେଇ କହୁଥିବ, କହ ଗପ ଖୁଡୀ ।

ମୋ ଛୁଆବେଳ କଥା! ମୁଁ ତ ଶାଶୁଘରକୁ ଆସିବା ବେଳକୁ ମତେ ମୋଟେ ପନ୍ଦର ବର୍ଷ ହୋଇଥିଲା, ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେଇଥାଏ । ପାଠ ପଢିବାକୁ ଇଛା ଥିଲା, କନ୍ଦାକଟା କଲି । ମୋତେ ବୁଝାଇଦେଲେ; ବର ମାଷ୍ଟର, ଘରେ ପଢି ପରୀକ୍ଷା ଦେବୁ । ସେବେଳେ ସେତିକି ବୟସରେ ଶାଶୁଘରକୁ ପଠାଇ ଦେଉଥିଲେ ।

ବାପ ପୁଅ ଦୁହେଁ ହସି ଉଠିଲୁ ।

- କଷ୍ଟିଆ ଆମ ବଉଳା ଗାଈର ବାଛୁରୀ । ଭାରି ସୁଧାର, ଛୋଟ ପିଲାଟିଏ ବି ତା ପେଟ ତଳେ ଗଳିଯାଏ, ତା ଲାଙ୍ଗୁଡ ଟାଣିଦିଏ ଓ ଶିଙ୍ଗ ଦୁଇଟି ଧରିପାରେ । ଗହ୍ମାରେ ତାର ଜନ୍ମ । ମୁଁ ତା ଜନ୍ମରୁ ତା ସହ ଖେଳେ । ତା ଧଳା ଲୋମ ଚକ୍‌ଚକ୍ କରେ । ମୁଁ ତାକୁ ଡାକେ ସୁନା । ପାନିଆରେ ତାକୁ ମୁଁ କୁଣ୍ଡେଇ ଦିଏ । ବାଡି ଘରେ ଯାହା ମିଳେ ଖୁଆଏ । ପରିବାପତ୍ର, ଭାତ, ପିଠା, ଡାଲି, ତରକାରୀ ଓ ଡାଳ ପତ୍ର ସବୁ ସେ ବଡ ଖୁସିରେ ଖାଏ । ଘରେ ଆକଟ କଲେ ମୁଁ କନ୍ଦାକଟା କରେ ।

 ସେ ମାତ୍ର ଦୁଇବର୍ଷରେ ବଡ ଦାମୁଡିଟିଏ ହୋଇଗଲା । ଦିନକର କଥା, ଗୋଧୁଳି ସମୟ, ଗାଁ ଦାଣ୍ଡରେ ସେ ଗୋଠ ସହ ଆସୁଥାଏ ପୂର୍ବ ଦିଗରୁ । ପଶ୍ଚିମ ଆକାଶରୁ ସୁନେଲି କିରଣ ପଡୁଥାଏ । ଗୋଠରେ ସେ ବାରି ହୋଇଯାଉଥାଏ । ଆମ ବାସୁଳୀ ସାହି ଗଳିରେ ମୋଡ ବୁଲିଲା । ଗଳିର ଶେଷ ମୁଣ୍ଡରେ ଆମ ଘର । ମୁଁ ଖପରା ଡିଆଁ ଖେଳୁଥିଲି । ଖେଳଛାଡି ତା ପଛେ ପଛେ ଗଲି, ତା ଲାଙ୍ଗୁଡକୁ ଧରି କହୁଥାଏ, ମୋ ସୁନାଲୋ, ମୋ ଧନଲୋ, ମୋ ସୁନାପରି କିଏ ହେବ? ତାକୁ ବୋଧେ କିଛି ଅସୁବିଧା ହେଲା, ଦେଲା ଏକ ପଛୁଆ ନାତ । ଖୁରାମାଡରେ ମୁଁ ତଳେ ପଡିଗଲି । ପରେ ସୁନାକୁ ମୋର ଫୁଲା କପାଳ ଦେଖାଇଲେ ବାପା । ମୋ କଷ୍ଟ ଦେଖି ତା ଆଖିରୁ ଲୁହ ଦୁଇଟୋପା ଗଡିଗଲା । ସେବେଠୁ ସେ ହୋଇଗଲା ଆହୁରି ସୁଧାର, ମୋର ଆହୁରି ପ୍ରିୟ । କେବଳ ମୋତେ ନୁହେଁ ସାହିର ସବୁ ପିଲା ତାକୁ ଗେଲ କରନ୍ତି, ସୁନା ସୁନା ଡାକନ୍ତି ।

 ଆମର ଥିଲାବାଲା ଘର ନୁହେଁ । ସୁନା ବିକ୍ରି ଉପଯୋଗୀ ହୋଇଗଲା, ଆମ ଗାଈ ପୁଅକୁ ଆମେ ହଳରେ ଯୋଚିବାର ନଥିଲା । ମୁଁ ଦୁଃଖ କଲେ ବି ବୁଝିଗଲି ତା ଜନମ ପର ବିଲରେ ଖଟିବାକୁ । ମୋ ଭିତରଟା କେମିତି ଯେ ହୋଇଯାଉଥାଏ ତାହା ଭାଷାରେ କହି ହେବନି । ସୁନା କଣ କାମ କରି ପାରିବ, ମୁଁ ତାକୁ କାହିଁକି ଏତେ ସୁକୁମାରିଆ କରିଦେଲି; ଭାବି ଭାବି ବଡ କଷ୍ଟ ପାଉଥାଏ । ତାକୁ ମଅଣ କରିବ କେମିତି ତା ଖାଉନ୍ଦ, ସେ ନଶ୍ଚେ ପାଞ୍ଚଣରେ ପିଟି ପକାଇବ । ଲାଗୁଥାଏ, ମତେ ଯେମିତି ମାଷ୍ଟ୍ରେ ଚାଏଁ ଚାଏଁ ପିଟି ପକାଉଛନ୍ତି ।

ସେ ବିକ୍ରିହେବା ଦିନ ଆମଘରେ ରୋଷେଇ ବନ୍ଦ ହୋଇଯାଇଥିଲା । ମୁଁ କେବଳ ବାପାଙ୍କୁ ପଚାରିଥିଲି, କେଉଁ ଗାଁ ଲୋକ କିଣିଲେ ସୁନାକୁ? ସେ ସଠିକ କିଛି କହିପାରିଲେ ନାହିଁ ।....

ଖୁଡୀଙ୍କଠାରୁ ଏମିତି ଶୁଣୁଥିଲା ବେଳେ ଆମେ ବାପ ପୁଅ ନିରବ ହୋଇଯାଇଥିଲୁ । ଟିକେ ପରେ ମୁଁ ଥଟ୍ଟାରେ କହିଲି,  -ରାଧାଖୁଡୀ ତୁମେ ସାନଜେଜେଙ୍କ ଲୋଭରେ ଏଠିକି ଆସିଥିଲ ନା ସୁନାକୁ ଖୋଜି ପାଇବା ପାଇଁ?

- ରହ, ସେଇ କଥା କହୁଛି ପରା । ସୁନା କଣ ଏଠି ଥିଲା କି? ବାଉଁଆ କିଣା ହୋଇଥାଏ, ସେଇଟିକୁ ଶ୍ୱଶୁର ଖୁବ୍ ଯତ୍ନରେ ରଖିଥାନ୍ତି । ଅନ୍ୟ ବଳଦମାନେ ବୁଢା ହୋଇଯାଇଥାନ୍ତି । ବାଉଁଆ ପାଇଁ ଆଉ ଗୋଟିଏ ଯୁବସାଥୀ ଖୋଜା ଚାଲିଥାଏ ।

ଆମ ଗୋସେଇଁ ଶାଶୁ, ଠାକୁରମା ବଞ୍ଚିଥାନ୍ତି, ଦମ୍ଭ ମଣିଷ, ପରିବାର ତାଙ୍କ କଡା ଶାସନରେ । ସମସ୍ତେ ତାଙ୍କୁ ଭୟ ଓ ସମ୍ମାନ କରନ୍ତି । ମତେ ସେ ଛୋଟପିଲା ଭାବନ୍ତି । ଅନ୍ୟମାନଙ୍କ ପରି କଡା ନଜରରେ ରଖନ୍ତି ନାହିଁ । ମୁଁ ଯେତିକି ହସକୁରୀ ଥିଲି ସେତିକି କାନ୍ଦୁରୀ ଥିଲି । ଶାଶୁଘରେ ଏମିତି କରନ୍ତି ନାହିଁ, ସେମିତି କରନ୍ତି ନାହିଁ ଏସବୁ କଥା ଶାଶୁ ଓ ଯାଆମାନେ ଯେତେ କହିଲେ ବି ମୁଁ ଏ କାନରେ ପୁରାଇ ସେ କାନରେ ବାହାର କରି ଦେଉଥାଏ । ବେଶି କହିଲେ ଆଖିରୁ ଲୁହ ଗଡାଏ, ତୁମ ସାନଜେଜେ ସହ କଥା ହୁଏନି । ଖିଆପିଆ ବନ୍ଦ କରିଦିଏ । ମୋତେ କେହି ମ’ଣ କରି ପାରିଲେ ନାହିଁ । ସମସ୍ତେ ଭାବିଲେ ୟାର ବୋଧେ ମୁଣ୍ଡଦୋଶ ଅଛି । କିନ୍ତୁ ଠାକୁରମାଙ୍କର କଡା ନିର୍ଦ୍ଦେଶ ମୋତେ ଯେପରି କେହି କିଛି ନକୁହନ୍ତି । ସେ ମୋତେ ଡାକନ୍ତି ରାଧାଚଣ୍ଡୀ । ଯେମିତି ମୁଁ ଏ ଘରର ବୋହୂ ନୁହେଁ ଝିଅ । ମୋତେ ବାଡିଘରେ ବୁଲାନ୍ତି । ମୁଁ ତାଙ୍କ ବୁଢୀକାଳ କାମରେ ସହଯୋଗ କରେ, ତାଙ୍କ ହାତବାରିସୀ ।

 ବାପଘରୁ ବାଡି ବଗିଚା କାମ ଶିଖିଥାଏ । ତୁମର ଏଇଠି ବହୁତ ଯାଗା କିନ୍ତୁ ସେମିତି ପରିବା ଚାଷ ହୁଏନି । ମୁଁ ଗୋଟେ ଛୋଟ ଲେଉଟିଆ ଶାଗ ପଟାଳିରୁ ଆରମ୍ଭ କରିଦେଲି । ଠାକୁରମା ଖୁସି ହେଲେ । ସମସ୍ତେ ଏଣିକି ଆଗ୍ରହ ପ୍ରକାଶ କଲେ । ଆମ ବାଡି ଧୀରେ ଧୀରେ ହେଲା ଭରା ସବୁଜ । ମୁଁ ବହୁତ ଫୁର୍ତ୍ତି‌ରେ କାମ କରେ, ଘର ବାହାର ସବୁ କାମକୁ ପାରେ । କାହାର ଅଭିଯୋଗ ନଥାଏ ।

 ଠାକୁରମାଙ୍କ ସ୍ୱଭାବ ବଦଳି ଗଲା । ଏଣିକି ସେ ସମସ୍ତଙ୍କ ସହ ଶରଧାରେ କଥା ହେଲେ । ଅନ୍ୟମାନେ କହିଲେ ମୁଁ ବୁଢୀକୁ ମନ୍ତର କରିଦେଲି । ମୋତେ କେହି ଝିଅରୁ ବୋହୂକୁ ପରିବର୍ତ୍ତନ କରିପାରିଲେ ନାହିଁ । ତୋ ସାନଜେଜେ ସବୁଠୁ ସାନ । ସାନ ମାନଙ୍କର ବୟସ ବଢେନି । ମୋର ବି ବୟସ ବଢଲା ନାହିଁ ଅନ୍ୟମାନଙ୍କ ନଜରରେ । ଶାଶୁ, ଶଶୁର, ଯା ଦେଢଶୁର ମାନେ, କେହି ମୋ କଥା ଧରନ୍ତି ନାହିଁ ।

-ରାଧାଚଣ୍ଡୀ ଖୁଡୀ ତୁମେ ବଳଦ କଥା କୁହ, ଇଆଡୁ ସିଆଡୁ କୁହନି, ମୁଁ କହିଲି।

- ତୁ ଧୈର୍ଯ୍ୟ ଧର, ମୁଁ ପରା ଶୁଣୁଛି ଖୁଡୀଙ୍କ କଥା, ବାପା କହିଲେ ।

- ହେଉ କୃଷ୍ଣ ହେଲା ବଳଦ କଥା କହୁଛି । ବାଉଁଆ ବଳଦକୁ ସୁନା ଭଳି ଯତ୍ନ କଲି । କେତେ କେତେ ଜିନିଷ, ଡାଳପତ୍ର, ପରିବା ଚୋପା, ବେଳେ ବେଳେ ପରିବା ମଧ୍ୟ ଖୁଆଇଲି । ପଶୁଜାତି ସ୍ନେହଶ୍ରଦ୍ଧା ପାଇଲେ ବୋଲ ମାନନ୍ତି । ସେ ବି ସୁନା ଭଳି ସୁଧାର । ଶଶୁର ମଧ୍ୟ ତା ସହ ମଣିଷ ଭଳି କଥା ହେଲେ । ଆମ ଗୁହାଳରେ ଆଉ କାହାକୁ ପଘାରେ ବନ୍ଧା ଗଲା ନାହିଁ, କିନ୍ତୁ ପ୍ରତ୍ୟେକ ରୁହନ୍ତି ନିଜ ଜାଗାରେ । ସନ୍ଧ୍ୟାବେଳେ ଝୁଣାଧୁଆଁ ଦେଇ ମଶା ଘଉଡାଏ ।


ଅସଲ ମଜାକଥା ଘଟିଲା ଏହାପରେ । ଠାକୁରମାଆ ଦିନେ ମୋତେ କହିଲେ, ଏ ଚଣ୍ଡୀ ଚାଲ ସଜନା ଶାଗ ତୋଳିବାକୁ ତଳବାଡିକୁ ଯିବା, ସେ ଗଛରେ ସୁଆଦିଆ ଶାଗ । ମୁଁ ଆଙ୍କୁଡି ଧରି ଚାଲିଲି । ଯାଆମାନେ ଫିକ୍ କିନା ହସିଦେଲେ, ହେଲେ ମୋପାଇଁ ଏହା କି’ବା କଥା!

ବାଡକୁ ଲାଗି ଗଛଟି, ବାଡ ସେପଟେ ବିଲରେ ଗୋରୁମାନେ ଚରୁଥାନ୍ତି, ଛାଡ ସମୟ । ମୁଁ ଭଲ ଶାଗଥିବା କୁନି କୁନି ଡାଳ ଭାଙ୍ଗୁଥାଏ, ଠାକୁର ମା ସେଥିରୁ ଶାଗ ତୋଳି କୁଲାରେ ରଖୁଥାନ୍ତି । ସେପଟୁ ଶୁଭିଲା ଗୋଟିଏ ବଳଦର ଅସ୍ୱାଭାବିକ କିନ୍ତୁ ନରମ ସ୍ୱର, ଯେମିତି କଣ କହୁଛି । ମୁଁ ଅନେଇଦେଇ ଆଚମ୍ବିତ ହୋଇଗଲି । ହଜିଲା ବଳଦ ଖୋଜିଲା ଠାଇଁ, ଏଇଟି ଯେ ମୋ ସୁନା । ମୁଁ ତାକୁ ଅନାଇ କଣ ଗୋଟେ କହିଲି ମୋର ଆଉ ଖିଆଲ ନାହିଁ । ଖୁସିରେ ମୁଁ କାନ୍ଦ କାନ୍ଦ ହୋଇ ଗଲି । ସେ ଏକ ଲମ୍ଫରେ ବାଡ ଡେଇଁ ଏପଟେ ହାଜର । ମୁଁ ପୁରୁଣା ଅଭ୍ୟାସବଶତଃ ତା ଶିଙ୍ଗ ଦୁଇଟି ଧରି ତାକୁ ଗେହ୍ଲ କରୁଥାଏ । ଠାକୁରମା କିଂକର୍ତ୍ତବ୍ୟବିମୂଢ ହୋଇ ଡାକରା ପକାଇଲେ, ଦୌଡି ଆସରେ, କି ଅଜାତିକା ବଳଦଟା ମୋ ନାତୁଣୀକୁ ମାରି ପକାଇବରେ। ସମସ୍ତେ ଆସି ହାଜର ହେଲାବେଳକୁ ମୁଁ ତାକୁ ଆଉଁସି ଆଉଁସି ସଜନା ଡାଳତକ ଖୋଉଥାଏ ।

ଆରେ ଅରୁ ତୋର ସେ ସାଙ୍ଗ, ମହାରଣା ଘର ନବଘନ, ତାଙ୍କ ଜେଜେବାପା ସୁନାକୁ କିଣିଥିଲେ । ସୁନାକୁ ତାଙ୍କର ଆଦୌ ମଣ କରି ପାରିନଥିଲେ । ସେ ଭଲକି ଖାଉନଥିଲା, ମାରଣା ବଳଦ ତାଲିକାରେ ତା ନାଁ ଥିଲା ।

ସେଇ ବଳଦ ନାହାକ ଘର ସାନ ବୋହୂ, ମାନେ ମୁଁ, ଶିଙ୍ଗ ଧରି ଖେଳୁଛି!

ଗାଁରେ ହୁରି ପଡିଗଲା । ଆଗେ ତ ବାଇଆଣୀ କହୁଥିଲେ ଘର ଲୋକେ, ଏବେ ଗାଆଁସାରା ଲୋକ ଭାବିଲେ ମୋର କାଳେ କିଛି ବିଶେଷ ଶକ୍ତି ଅଛି । ଏହାପରେ, କାହା ଛୁଆ ଦୁଷ୍ଟହେଲେ ମୋ ପାଖକୁ ପଠାଇ ଦିଅନ୍ତି । ମୁଁ ବି ମୋ କାଇଦାରେ ତା ମନ ଜିଣେ । ସେ କଥା ସବୁ କହି ବସିଲେ ଲମ୍ବା ହେବ । ଆଉଦିନେ କହିବି ।

ବାପା(ଶ୍ୱଶୁର) ଓ ମହାରଣା ଘର ସାଆନ୍ତ ପରସ୍ପର କଥାହେଲେ । ସୁନା ଆଉ ଯାଇନି ଆମ ଘରୁ ।

ପ୍ରଥମେ ପ୍ରଥମେ ସୁନା କେବଳ ମୋ କଥା ଶୁଣୁଥାଏ, ମୋ ହାତରୁ ଖାଏ । ଆଉ ସମସ୍ତଙ୍କୁ ପାଖ ମଡେଇ ଦେଉ ନଥାଏ । ବାପା ଦିନେ ଅଭିମାନରେ ତା ନାମ ଦେଲେ କଷ୍ଟିଆ । ସମସ୍ତେ ସେହି ନାମରେ ଡାକିଲେ, ମଁୁ ଯାହା କେବଳ ସୁନା ଡାକେ । ସୁନାକୁ ଅଧିକ ଯତ୍ନକଲେ ବାଉଁଆ ଅଭିମାନ କରେ, ବାଉଁଆକୁ ଯତନେଇଲେ ସୁନା ରାଗିକି ଲାଲ୍‌, ମୁଣ୍ଡ ହଲେଇ ଫଁ ଫଁ ଗର୍ଜନ କରେ । ଧୀରେ ଧୀରେ ଉଭୟ ବୁଝିଗଲେ, ଏସବୁ ଚଳିବ ନାହିଁ, ଉଭୟଙ୍କ ମଧ୍ୟରେ ବନ୍ଧୁତା ଜରୁରୀ । ଉଭୟ ପ୍ରାୟ ସମାନ ବୟସର ଥିଲେ । ସେମାନେ ଖୁବ୍ ସବଳ, ଡେଙ୍ଗା ଓ ସୁନ୍ଦର ଦେଖାଗଲେ । ଯେ ଦେଖେ ଘଡିଏ ଅନାଇ ରହେ । ସାଥୀରେ ଖାଆନ୍ତି, ସାଥୀରେ କାମ କରନ୍ତି । ଛାଡ ସମୟରେ ସାଥୀରେ ଚରି ବୁଲନ୍ତି । ଗୋଟିକୁ ଛାଡି ଆଉ ଗୋଟିକର କଳ୍ପନା କରି ହୁଏନା ।

ସେମାନେ ଆମ କଥା ବୁଝି ପାରନ୍ତି । ଆମେ ଖୁସିରେ ଅଛୁକି ଦୁଃଖରେ ଅଛୁ ଜାଣିପାରି ଅନୁରୂପ ବ୍ୟବହାର କରନ୍ତି ।

ଅରବିନ୍ଦବାବୁ ଏବେ କହିଲେ । -ହଁ ଖୁଡୀ ଏକଦମ ଠିକ୍ କଥା କହିଲ, ମୋର ହେତୁ ହେବା ବେଳକୁ ସେମାନେ ବୟସ୍କ ହୋଇଯାଇଥିଲେ, ଖୁବ୍ ମଜବୁତ ଓ ଉଚ୍ଚା ଥିଲେ । ପହ୍ଲାଣ ଉପରେ ଭାର ଲଦିଦେଇ ତାଙ୍କୁ ଛାଡିଦେଲେ ସେମାନେ ସିଧା ଘରମୁହାଁ ଚାଲି ଆସନ୍ତି । ଛୋଟ ପିଲା ଦେଖିଲେ ସେମାନଙ୍କଠୁ ଘୁଞ୍ଚିଯାଇ ଧୀରେ ଧୀରେ ଆସନ୍ତି । ବଡଲୋକ କିଏ ତାଙ୍କୁ ଛେକିଲେ ମୁଣ୍ଡ ହଲେଇ ମାରି ଗୋଡାନ୍ତି । ବୁଝିଲୁ କୃଷ୍ଣ, ବାପାଙ୍କର ଚାକିରି ସେତେବେଳେ ସୁଦୂର କଳାହାଣ୍ଡିର ଜୁନାଗଡ । ବାପା ଘରୁ ଯେବେ ଫେରନ୍ତି ସେଠାକୁ, ସ୍ୱଭାବିକ ସମସ୍ତେ ସେ ରାସ୍ତା ପର୍ଯ୍ୟନ୍ତ ଯାଆନ୍ତି ବାଟେଇ ଦେବାକୁ । କଷ୍ଟିଆ କି ବାଉଁଆକୁ ସମ୍ଭାଳିବ କିଏ । ସେମାନେ ହମ୍ବାରଡି ଛାଡନ୍ତି । ଗୁହାଳ ଧଡା ଖୋଲିଦେଲେ ଗୋଡେଇ ହୋଇ ଯାଆନ୍ତି ପୁଣି ସମସ୍ତଙ୍କ ସହ ଫେରନ୍ତି ।


ଥରେ କଣ ହେଲାନା ଆମ ପଢାଘରେ କେହି ନଥାନ୍ତି, କବାଟ ବନ୍ଦ ଥାଏ । ଘରଛୁଆ ଓ ବାହାର ଛୁଆ ସେଇଠି ପଢନ୍ତି, ସାନବାପାଙ୍କ ନଜରରେ । ଦ୍ୱାରଟି ବାହାର ପଟକୁ । କଷ୍ଟିଆ ସେ କବାଟକୁ ମୁଣ୍ଡିଆ ପରେ ମୁଣ୍ଡିଆ ମାରିଲା । ଅଲଗା ପ୍ରକାର ଶବ୍ଦ ବାହାର କଲା, ତା ଭାଷା ବୁଝିପାରି ବାଉଁଆ ମଧ୍ୟ ହମ୍ବା ଛାଡିଲା । ଖୁଡୀ କହିଲେ, ସେମାନେ ବିପଦ ସଙ୍କେତ ଦେଉଛନ୍ତି । ସେ ଘରେ ଦେଖିଲା ବେଳକୁ ଏକ ବଡ ଚିତି ସାପ ।

ଦଶହରା ଦିନ ସବୁ ଗାଁ ବା ପାଟଣାକୁ ନେଇ ପଞ୍ଚାୟତରେରେ ହୁଏ ଦଶରା ବଳଦ ଶୋଭାଯାତ୍ରା । କିନ୍ତୁ ସେ ପ୍ରତିଯୋଗିତାରେ କଷ୍ଟିଆ ଓ ବାଉଁଆ ଭାଗ ନିଅନ୍ତି ନାହିଁ । ସାନବାପା ଆମ ଶଗଡକୁ ରଥ ଆକାରରେ ସଜାନ୍ତି । ବିଶେଷ ଭାବେ ସୁସଜ୍ଜିତ ଆମ ତାରକା ବଳଦ ଦୁହେଁ ଆମକୁ ବୋହି ନିଅନ୍ତି । ଟିକେ ଦୂରରେ ଗହଳି ବାହାରେ ରଥ ରହେ । କିନ୍ତୁ ସେମାନଙ୍କୁ ଓ ରଥକୁ ଦେଖିବାକୁ ଭୀଡ ହୁଏ । ଯାତ୍ରା ସରିଲେ ପୁଣି ରଥ ଚଢି ଫେରିଆସୁ ।


- ବୁଝିଲୁ ଅରୁ, ସେମିତି ହେଉନଥିଲା ପ୍ରଥମେ । କଷ୍ଟିଆ ଓ ବାଉଁଆ ବି ଦଶରା ବଳଦ ହେଉଥିଲେ, ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ନିଶ୍ଚିତ । ବାପା ସେମାନଙ୍କୁ ପ୍ରତିଯୋଗିତାକୁ ବାରଣ କଲେ ଅନ୍ୟମାନଙ୍କୁ ସୁଯୋଗ ଦେବାକୁ। ସେଇଠୁ ଏ ରଥ ଯୋଜନା ହେଲା ।


-ସେକଥା ମୁଁ ବି ଜାଣିନଥିଲି ଖୁଡୀ । କହିଲେ ଅରବିନ୍ଦ ବାବୁ ।


ବାପା ଓ ରାଧାଖୁଡୀ ସତେ ଯେମିତି ସେମାନଙ୍କୁ ମଣିଷ ବିବେଚନା କରୁଥାନ୍ତି। ମୁଁ ପଚାରିଲି, -ଆଛା ରାଧାଖୁଡୀ, ସେମାନେ ବିପଦ ସଙ୍କେତ ଦେଉଛନ୍ତି ବୋଲି ଜଣେ ଜାଣିବ କେମିତି? ସେମାନେ ହମ୍ବାରଡି ଛାଡିବା ବ୍ୟତୀତ କିଛି ଭାଷା ଶିଖିଥିବାର ଜଣା ପଡେନି ତ!

- ଜାଣି ହୁଏରେ କୃଷ୍ଣ, ତୁ ପରା କୁକୁର ପାଳିଛୁ, ସେ କଣ କଥା କହୁଛି? ତା କୁଁ କୁଁ ହେବାରୁ ତୁ କେମିତି ଜାଣି ପାରୁଛୁ ଯେ ସେ ଖାଇବାକୁ ମାଗୁଛି କି ପିଇବାକୁ ମାଗୁଛି ଅବା ଝାଡା ପରିସ୍ରା ଯିବ କି ନିରୋଳା ଗେହ୍ଲା ହେବା ପାଇଁ ଅଳି କରୁଛି?

ସେମିତି ସେମାନଙ୍କ କଥା ବୁଝି ହୁଏ । ସେମାନେ ବି ପରସ୍ପର କଥା ବୁଝି ପାରନ୍ତି ।

ଥରେ ସୁନା ଗୋଡରେ ଲଙ୍ଗଳ ଫାଳ ବାଜି ଘାଆ ହୋଇଥାଏ, ବଡ କଷ୍ଟ ଦେଉଥାଏ ବିଚରାକୁ । ବାପା ବାଉଁଆକୁ ଦୋଷ ଦେଇ କହିଲେ, ତାହାରି ବେହୁସିଆରି ପାଇଁ ସୁନା ଗୋଡରେ ଫାଳ ବାଜିଲା । ବାଉଁଆ ଆଖିରୁ ଲୁହ ଗଡି ପଡିଲା । ସୁନା ଭଲ ନହେଲା ପର୍ଯ୍ୟନ୍ତ ସେ ବି ବୁଲାଚରା କରିବାକୁ ବାହାରକୁ ଗଲା ନାହିଁ । ତାକୁ ଜଗି ରହିଲା, କେବେ କେବେ ତା ବେକ ମୁଁହକୁ ଚାଟି, ତାକୁ ଜଣାଇଦିଏ କି ବ୍ୟସ୍ତ ହୋନି, ମୁଁ ପରା ଅଛି ତୋ ପାଖରେ । ସେବାଯତ୍ନ, ଔଷଧ ଓ ଚିକିତ୍ସା ତଥା ବାଉଁଆର ଶରଦ୍ଧାରେ ସେ ଭଲହୋଇଗଲା ।

 ଜଣେ ଯଦି ମଜା ଦେଖିବା ପାଇଁ ଗୋଟିଏ ବଳଦର କାନକୁ ଝିଙ୍କିଦେବ, ଅନ୍ୟ ଜଣଙ୍କ ଫଁ ଫଁ ହୋଇ ଖେଦି ଆଣିବ ।

- ହଁ ଖୁଡୀ ସେମାନେ ସବୁ ବୁଝୁଥିଲେ, ସେମାନେ ଥିଲେ ବଡ ସମ୍ବେଦନଶୀଳ। ଜେଜେଙ୍କ ଦେହ ଖରାପ ହେଲା, ସେ ଆଉ ବିଛଣାରୁ ଉଠିଲେ ନାହିଁ । ଆମେ ସବୁ ଯେତିକି ମନଦୁଃଖ କରିନଥିବୁ ତାହାଠୁ ଅଧିକ କରିଥିଲେ ସେ ଦୁହେଁ । ଜେଜେଙ୍କ ମୃତ୍ୟୁରେ ସାରା ପରିବାର ସହ ସେମାନେ ବି କାନ୍ଦୁଥିଲେ ଆଖିରୁ ଲୁହ ଗଡାଇ । ପ୍ରାୟ ସେମାନେ ବୁଢା ହୋଇଯାଇଥିଲେ । ଜେଜେ ଗଲାପରେ ତିନି ଚାରିଦିନ ଆଦୌ ଖାଇଲେ ନାହିଁ କହିଲେ ଚଳେ । ଖୁଡୀ, ତୁମର ମନେଥିବ ସବୁଦିନ ଆମର ସେ ଅଣଶୁଦ୍ଧିଆ ରୋଷେଇରୁ ତୁମେ ନେଇ ତାଙ୍କୁ ଦେଲେ ବଡ କଷ୍ଟରେ ସେମାନେ ଖାଉଥିଲେ।

ସେମାନଙ୍କ ଶିରୀ ତୁଟିଗଲା । ସେବେଠୁ ତାଙ୍କୁ ଦିଆଗଲା ଅବସର ।


- ତୁ ଅରୁ ତାହେଲେ ସବୁକଥା ମନେ ରଖିଛୁ? କହିଲେ ରାଧାଖୁଡୀ ଜେଜେମା ।

ମୁଁ କିନ୍ତୁ ଏକ ପ୍ରଶ୍ନରେ ଧନ୍ଦି ହେଉଥାଏ । ମୁଁ ତାଙ୍କ ଗପିବା ଅଟକାଇ ପଚାରିଲି ଯେ ସୁନା ତ ରାଧାଖୁଡୀ କେତେ ବଡ ହେଲା ବେଳକୁ ଜନ୍ମ ହୋଇଥିଲା ସେ ବୁଢା ହୋଇ ମରିଗଲାଣି ଅନେକ ବର୍ଷରୁ ଅଥଚ ରାଧାଖୁଡୀ କେମିତି ବୁଢୀ ହୋଇନି କି ମରିନି!

 - ନା ନା ରାଧା କେମିତି ବୁଢୀ ହେବ, କୃଷ୍ଣ ତ ଛୁଆ । ହସିଦେଇ କହିଲେ ଜେଜେମା ।

ଆମେ ତିନିଜଣ ଯାକ ଜୋରରେ ହସୁଥିଲୁ । ମୋ ଭାଇ ଭଉଣୀ ମାନେ କିଏ କୁଆଡେ ଥିଲେ ପହଞ୍ଚି ଗଲେ । ମୁଁ ସେମାନଙ୍କୁ ଖତେଇ ହେଲି; ବୁଦ୍ଦୁଗୁଡା, ସୁନା କଷ୍ଟିଆ ବୁଢା ହେଲେ, ଗପ ସରିଆସିଲା, ଆଉ କଣ ଶୁଣିବ ଯେ?

ସେମାନେ ସବୁ ଚିଲେଇଲେ ଜେଜେମା ଆଉଥରେ କୁହ । ବାପା କହିଲେ, - ହେଉ ହେଲା ତୁ ସବୁକଥା ସେମାନଙ୍କୁ କହିଦେବୁ ।

ସେ କାମଟି ମୁଁ କରିନଥିଲି । ସମ୍ଭବତଃ ତାହାରି ଫଳ ସ୍ୱରୂପ ଏତେବର୍ଷ ପରେ ଲେଖୁଛି । ଖାଲି ମୋ ଭାଇ ଭଉଣୀମାନେ କାହିଁକି, ସାରା ଦୁନିଆ ଶୁଣୁ କଷ୍ଟିଆ ଓ ବାଉଁଆଙ୍କ କଥା ।

ଜେଜେମା କହିଲେ । – ସବୁ ଜୀବଜନ୍ତୁଙ୍କ ପରମାୟୁ ସମାନ ନୁହେଁ । ମଣିଷ ଏକଶହ କୋଡିଏ ବର୍ଷ ବଞ୍ଚି ପାରେ, କୁକୁର ବାର ଚଉଦ ବର୍ଷ । ସେମିତି ପୁରୁଖା ମାନେ କହନ୍ତି ବଳଦମାନେ କୋଡିଏ ବର୍ଷ ବଞ୍ଚନ୍ତି । ତେବେ ସୁନା ବା କଷ୍ଟିଆ ଜୀଇଁଲେ ଚବିଶ ବର୍ଷ । ବାଉଁଆ କେବେ ଜନ୍ମ ହୋଇଥିଲା ମୁଁ ଜାଣିନି। ପ୍ରାୟ ସମାନ ବର୍ଷ ଦୁହିଁଙ୍କର। ସେମାନେ ଆଗ ପଛ ହୋଇ ମାସେ ମଧ୍ୟରେ ଚାଲିଗଲେ । ଶଶୁର ଗଲାପରେ ସେମାନେ ବଡ ଅବସାଦରେ ରହିଲେ । ତଥାପି ଆଉ ଦୁଇ ବର୍ଷ ହେବ ବଞ୍ଚିଲେ । ନୁହେଁକିରେ ଅରୁ?


– ହଁ ଖୁଡୀ, ପ୍ରକୃତରେ ସେମାନେ ଆଉ ଜୀଇଁବାକୁ ଚାହୁଁ ନଥିଲେ । କାମରୁ ଅବ୍ୟାହତି ପାଇଥିଲେ, ସେଥିପାଇଁ ବୋଧହୁଏ ବେଶି ଭୋକ ହେଉନଥିଲା । ସବୁବେଳେ ବିଷର୍ଣ୍ଣ ରହୁଥିଲେ । ମତେ ତ ବେଳେ ବେଳେ ଲାଗେ ତୁମେ ଅନୁମତି ଦେଉନଥିଲ ବୋଲି ସେମାନେ ବାହୁଡୁ ନଥିଲେ । ଖୁଡୀ, ତୁମେ ସେମାନଙ୍କ ନିଘା ଖୁବ୍ ରଖୁଥିଲ ।

 ଦିନେ ମୁଁ ସ୍ୱପ୍ନ ଦେଖିଲି, କଷ୍ଟିଆ ମୋତେ କହୁଛି, ଆଉ ତାର ଜୀଇଁବାକୁ ଇଛାନାହିଁ । ବସି ବସି ଖାଇବାକୁ ଆଦୌ ଭଲ ଲାଗୁନାହିଁ । ସେ ବାହାରିଛି ନୂଆନଈକୁ ଡେଇଁ ଜୀବନ ହାରିବ । ଯାଇଛି ବି, କିନ୍ତୁ ହଠାତ ଫେରି ଆସିଛି। ବାଉଁଆକୁ ଏକାକରି ଯିବ କେମିତି । ତା ମାଆ ରାଧାଙ୍କ ଅନୁମତି ନନେଇ ଯିବ କେମିତି! ମୁଁ ଏକଥା ତୁମକୁ କହିଲି । ତୁମେ କ’ଣ କଲ ମୋ’ର ଅବଶ୍ୟ ମନେ ନାହିଁ । କୁହ ସେକଥା ଖୁଡୀ ।

- ହଁ ବାବୁଲି ସେହି ଦିନଟି ଗହ୍ମାପୁନେଇ ଆଗଦିନର କଥା । ସବୁ ବର୍ଷ ପରି ମୁଁ ଦୁହିଁଙ୍କର ଚବିଶତମ ଜନ୍ମଦିନ ପାଳନ କଲି ପରଦିନ । ସେମାନଙ୍କ ଅବସ୍ଥା ଭଲ ନଥାଏ, କଷ୍ଟେମଷ୍ଟେ ପିଠାପଣା ଅଳ୍ପକିଛି ଖାଇଲେ ସେମାନେ । କଷ୍ଟ ଲାଗିଲା। ମୁଁ ତାଙ୍କ କାନରେ କହିଲି, ବ୍ୟସ୍ତ ହୁଅ ନାହିଁ ଗୋପାଳ ତୁମକୁ ଶୀଘ୍ର ବାହୁଡେଇ ନେବେ ।

ସେଦିନ ମୁଁ ଦିନସାରା କାନ୍ଦିଲି ପୂଜାଘରେ ବସି । ଗୋପାଳଙ୍କୁ ମିନତି କଲି ସେମାନଙ୍କୁ ତାଙ୍କ ଗୋଠକୁ ନେଇଯିବାକୁ ।

ଜନ୍ମାଷ୍ଟମୀ ମୁଁ ଉପବାସ କରିଥାଏ ନିଷ୍ଠାର ସହ । ପୂଜାଭୋଗ ନେଇ ସେମାନଙ୍କୁ ଖାଇବାକୁ ଦେଲି । ସୁନାର ଆଉ ଅବସ୍ଥା ନଥାଏ, ପ୍ରାଣଶକ୍ତି ସରି ଆସିଲାଣି । ସୁନା ଟିକେପରା ଖାଇଲା, ମୁହୂର୍ତ୍ତେ ଦେଖାଗଲା ତୃପ୍ତ ଓ କେତେ ସମୟ ପରେ ନିଶ୍ଚଳ । ମୁଁ ପ୍ରଶାନ୍ତ ଥିଲି । ମୋ ମନର ଅବସ୍ଥା ଦେଖି, ଘରେ ଆଉ କେହି ଦୁଃଖ କରୁ ନଥିଲେ । ବାଉଁଆ ଜଳଜଳକି ଅନାଇ ଥାଏ, ଦୁଇଧାର ଲୁହ ଗଡିଯାଉଥାଏ । ମୁଁ କାନୀରେ ପୋଛିଦେଲି, ତାକୁ କହିଲି ଆରେ ବାଇଆ ଦେଖ ମୁଁ କଣ କାନ୍ଦୁଛି । ସେ ପରା ତୋ ଜେଜେଙ୍କ ପାଖକୁ ଗଲା, ମୋ ଗୋପାଳ ପାଖକୁ । ବାଉଁଆ ମୋ ମୁହଁରେ ତା ମୁହଁ ଘଷିଦେଲା । ମନେ ହେଲା ସେ କହୁଛି, ନାହାକାଣୀ ମୋ ପାଞ୍ଜି ଦେଖିଲୁ, କେବେ ମୋ ପାଳି? ମୁଁ ସେ ଦୁଃଖ ମଧ୍ୟରେ ହସିଦେଲି ।

ସଂଯୋଗ ମାତ୍ର, ସେବର୍ଷ ଗଣେଷ ପୂଜା ଦିନ ସେ ବି ଚାଲିଗଲା । ମୋର ଏକ ବଡ ଦାୟିତ୍ୱ ସରିଲା ।

ବାପାଙ୍କ ସମେତ ଆମେ ସମସ୍ତେ ନିରବ ରହିଲୁ । ରାଧାଖୁଡୀ ଯେମିତି ଦୁଃଖକୁ ଅଟକାଇ ଦେଇଥିଲେ ଆମ ମଧ୍ୟକୁ ଆସିବାକୁ । ଆମେ ନାତିନାତୁଣୀ ଦେଖୁଥିଲୁ ସାନଜେଜେମା ଝଲସୁଥିଲେ, ତୃପ୍ତିର ଦ୍ୟୁତିରେ ।


ଆଜି ଏତେ ବର୍ଷପରେ ରାଧାଖୁଡୀଙ୍କ ଅବର୍ତ୍ତମାନରେ ମନେହୁଏ, ସ୍ୱଳ୍ପଶିକ୍ଷିତା ହେଲେବି ତାଙ୍କ ମଧ୍ୟରେ ଥିଲା ବିକଶିତ ଦିବ୍ୟଚେତନା । ଆଉ ତାଙ୍କ ମୃତ୍ୟୁରେ ସାରା ଗାଁରେ ବାରି ହେଉଥିଲା ନିସ୍ତବ୍ଧ ଶୋକ । ସେ ନିଶ୍ଚିତ ବାହୁଡିଥିବେ ଗୋପାଳ ଗୋଠକୁ ।

  


   



Rate this content
Log in