ଘରଣି ଓଡିଆଣି
ଘରଣି ଓଡିଆଣି
ବିଦେଶରେ ରହିବା ପ୍ରାୟ ୧୦ ବର୍ଷ ହେଲାଣି ସେମାନଙ୍କର।ତେଣୁ ସେ ଦେଶର ପୋଷାକ ଓ ଚାଲିଚଳଣ ତ ଆପଣେଇବାକୁ ପଡିବ । ପୁଣି ଜଳବାୟୁ ପୁରା ଭିନ୍ନ । ଆମଦେଶର ପୋଷାକ, ଶାଢ଼ି ପିନ୍ଧି ଅସହ୍ୟ ଶୀତରେ ବାହାରକୁ ବାହାରି ହେବନି । ମୁଣ୍ଡରେ ଓଢଣା ପକେଇ କଣ ସେଠି ରହି ହେବ ? ପିଲାମାନେ ବି ସ୍କୁଲ ଯାଉଛନ୍ତି । ସେ ଦେଶର ଭାଷା ଇଂରାଜି କହୁଛନ୍ତି । ପାଖ ପଡିଶା ସାଙ୍ଗ ସାଥୀ ସମସ୍ତେ ଅଣଓଡ଼ିଆ । ଅଣଓଡ଼ିଆ କଣ, ଭାରତୀୟ ବି ନୁହଁନ୍ତି । ସେହି ଦେଶର ପରମ୍ପରା ଓ ବ୍ୟବସ୍ଥା ଚାରିଆଡ଼େ ପ୍ରଚଳିତ ଓ ଦୃଶ୍ୟମାନ । ସେଠାରେ ଖ୍ରୀଷ୍ଟୀୟ ପର୍ବ ଏବଂ ଆଉକିଛି ଆଞ୍ଚଳିକ ପର୍ବ ବର୍ଷରେ ଦୁଇ ତିନିଥର ପାଳିତ ହୁଏ। ତେଣୁ ସେମାନେ ତା ସହିତ ସାମିଲ ହେଇଯାଆନ୍ତି । ଯେଦେଶ ଯାଇ ସେଫଳ ଖାଇ ।
ଓଡ଼ିଶାରେ ତ ବାରମାସରେ ତେର ପର୍ବ । ପର୍ବ ଅନୁସାରେ ପୂଜା ଓ କାର୍ଯ୍ୟକ୍ରମ । ପୂଜା ମାନେ ଭୋଗରାଗ । ଖଈ ଉଖୁଡା, ଫଳ ମୂଳ ଓ ପିଠା ଖିରି ଇତ୍ୟାଦି । ଓଡ଼ିଶା ପିଠା ପାଇଁ ପ୍ରସିଦ୍ଧ । ଜଗନ୍ନାଥଙ୍କ ଦେଶ ଓଡ଼ିଶା ବୋଲି କହନ୍ତି । ତାଙ୍କର ଛପନ ପଉଟି ଭୋଗ । ତେଣୁ ଓଡ଼ିଆଙ୍କ ପରମ୍ପରାରେ ଶ୍ରୀ ଜଗନ୍ନାଥ କେଉଁଠି ନା କେଉଁଠି ରହିଥିବେ। ଏଇ ଭୋଗରାଗ ତାଙ୍କର ଚଳନ୍ତି ପ୍ରତିମା ପରି । ପରମ୍ପରା କହିଲେ ତାକୁଇ ବେଶୀ ବୁଝାଇଥାଏ । ଏସବୁ ଅନୀତା ଜାଣିନଥିଲା ବୋଲି ତା ଶାଶୂ ଭାବନ୍ତି । ଅନୀତା ବାହାହେଲା ବେଳେ ପାଠପଢୁଥିଲା । ବାହାଘରର ଅଳ୍ପ କିଛିଦିନ ପରେ ସ୍ୱାମୀ ଅଶୋକ ସହିତ ଆମେରିକା ଚାଲିଗଲା ।
ସତରେ ଅନୀତାକୁ ବୋହୂପଣିଆ ଆଦୌ କରିବାକୁ ପଡିନି । ଦୂରରେ ରହୁଥିବାରୁ ଶାଶୂ ତାକୁ କିଛି ବି ଶିଖେଇ ପାରି ନାହାଁନ୍ତି କିମ୍ବା ଶାଶୂ ପଣିଆ ବି କରିପାରିନାହାନ୍ତି । ଦୁଇ ତିନି ବର୍ଷରେ ଥରଟେ ଦୁଇ ତିନି ସପ୍ତାହ ପାଇଁ ନିଜ ଘରକୁ ଓଡ଼ିଶା ଆସନ୍ତି ସେମାନେ । ବାପଘର, ବନ୍ଧୁବାନ୍ଧବ, ସାଙ୍ଗସାଥୀ ଦେଖାସାକ୍ଷାତ ଭିତରେ ସେହିଦିନ ଗୁଡିକ କିପରି ଯେ ଚାଲିଯାଏ ତାହା ବୁଝାପଡେନି । ଅନୀତା ଉପରେ ବଡ଼ ଯା ଓ ତଳେ ସାନ ଯା, ତେଣୁ ସେ ମଝିଆଁ ବୋହୁ । ସେ ବି ଟିକେ ଚୁପ୍ ଚାପ୍ ଝିଅ । ବେଶୀ ଭଡ ଭଡ ହୁଏନି, ମାପିଚୁପି କଥା । ଏସବୁ କାରଣ ଯୋଗୁଁ ତାର ବୋହୂପଣିଆ ଏତେ ମୁଖ୍ୟ ଭାବରେ ଗଣ୍ୟ ହୁଏନି । ଅନ୍ୟ ଦି ଯା ସବୁଥିରେ ପାରଙ୍ଗମା । ପୁରା ଓଡିଆଣି ଥିଲେ ସେମାନେ । ଓପାସ ବାରବ୍ରତ, ପୂଜା ପାର୍ବଣ, ଭାର ବେଭାର ସବୁ ଜଣା ତାଙ୍କୁ । ତେଣୁ ଯେବେ ଅନୀତା ଓଡ଼ିଶା ଆସେ ସବୁ ସେମାନଙ୍କୁ ପଚାରି କରେ । ଆଉ ସେମାନେବି ତାକୁ କିଛି ବି ଏକା କରିବାକୁ ଛାଡନ୍ତିନି । ଶାଶୂ ବେଳେ ବେଳେ କହନ୍ତି ଶିଖ୍ ଅନି ଏମାନଙ୍କଠୁ ଶିଖ୍ । ମୁହଁ ଶୁଖେଇ ହଁ ଟେ ମାରେ ଅନି ।
ଏଥର ଓଡ଼ିଶା ଆସି କୋଭିଡ୍ ଲାଗି ରହିଯାଇଛନ୍ତି ଅଶୋକ ଓ ଅନୀତା । ପିଲାମାନଙ୍କ ସହ ସମସ୍ତେ ଅଛନ୍ତି ଛଅ ମାସ ହେଇଗଲାଣି । ଶାଶୂଘରେ ଜେଜେମା ତଥା ବାପଘରେ ଅଜାଙ୍କ ପାଖରେ ବସି ଓଡ଼ିଆ ଶିଖିବାକୁ ଓ ପଢିବାକୁ ଅନୀତା ସେମାନଙ୍କୁ ତାଗିଦା କରି କହିଛି । ପିଲାମାନେ ବି ଗପ ଶୁଣୁଛନ୍ତି ସେମାନଙ୍କଠୁ । ଗପ ଛଳରେ ଆସ୍ତେ ଆସ୍ତେ ସବୁ ଶିଖୁଛନ୍ତି । ଘରଭିତରେ ରହିଲେବି ଗପସପ, ନିଜ ବଗିଚାରେ ଅନ୍ୟ ଭାଇଭଉଣୀଙ୍କ ସହ ଖେଳାବୁଲା, ଏପରିକି କଳି ଝଗଡ଼ା ବି ବେଶ୍ ମଜାଲାଗୁଛି ସେମାନଙ୍କୁ । ଏସବୁ ବେଶ୍ ଉପଭୋଗ କରୁଛନ୍ତି ସେମାନେ।
ସେମାନେ ରହିବା ଭିତରେ ରଜ ପର୍ବ ପଡ଼ିଲା । ଏଥର ବେଶୀ ଲୋକ ଅଛନ୍ତି ବୋଲି ଶାଶୂଙ୍କ ଗୋଡ଼ ତଳେ ପଡୁନି । ପୁଣି କେତେ ବର୍ଷ ପରେ ଅଶୋକ ଅଛି ଘରେ । ସବୁ ନାତିନାତୁଣୀ ଏକାଠି ହେଇଛନ୍ତି । ପାଖଘରେ ରହୁଥିବା ଖୁଡୀଶାଶୂ ଆସି ପହଁଚି କହିଲେ "ଏଥର ତ ବୋହୂମାନେ ଅଛନ୍ତି, ତୁମର ତ ପିଠାପଣାରେ ଘର ଭାସିବ ନାନୀ" ଟିହାଇଦେଲେ ସେ । ପୁଣି କ଼ହିଲେ "ଏଥର ଗୋଟେ ପିଠା ତିଆରି ପ୍ରତିଯୋଗିତା ହେଇଯାଉ, ବୋହୂ ମାନଙ୍କ ଭିତରେ । ମୋର ଦି ବୋହୁ ଆଉ ତମର ତିନି । ଯଦି ଆମ ପଡାର କୁଟୁମ୍ବରୁ ଆଉ କିଏ ମିଶିବେ, ତେବେ ଭଲ " ।
ଶାଶୂ ହଉ ଦେଖିବା କହି ଚୁପ୍ ରହିଲେ । ଏସବୁ ବିଷୟରେ ବୋହୂମାନଙ୍କୁ ପଚାରିବା ସେ ଉଚିତ୍ ମନେ କଲେ। ବୋହୁମାନେକ'ଣ କହୁଛନ୍ତି, ସେଇ ଅନୁସାରେ ହେବ ।
ପହିଲି ରଜ ଦିନ ପ୍ରତିଯୋଗିତା ହେବ ବୋଲି ସ୍ଥିର ହେଲା । ସମସ୍ତେ ଭାରି ଉତ୍ସାହିତ ଥିଲେ । ଅନୀତାର ସାନ ଯା ତାକୁ ପଚାରିଲେ "ତମେ କଣ କରିବ ବୋଲି ସ୍ଥିର କରିଛ ନାନୀ ? ଅନୀତା କିଛି କହିବା ଆଗରୁ ସାନ ଯାଇ କହିଲେ, "ହଉ କିଛି ବ୍ୟସ୍ତ ହୁଅନି । ମୁଁ କଣ ଗୋଟେ କରିଦେବି ଆଉ ତମେ ତମର କହି ଟେବୁଲରେ ସଜେଇ ରଖିଦେବ।"
ବଡ଼ଯା ଟିକେ ବଞ୍ଚେଇକି ହିଲେ, କାହିଁକି ଦିଟା ଚକୁଳି ଲେଉଟେଇ ପାରିବନି କି ସେ?
ଅନିତା ସମସ୍ତଙ୍କ କଥା ଶୁଣି ଆସ୍ତେ କରି କହିଲା "କାହାଠୁ ନେଇ ରଖିବାଟା ଠକାମୀ ହେବ । ଦେଖିବା କଣ କରିହେଉଛି" ।
ତୁମେ କରିବ ପିଠା ? ପଚାରିଲେ ସାନ ଯା। ଅସ୍ତିବାଚକ ରେ ମୁଣ୍ଡ ଟୁଙ୍ଗାରିଲା ଅନି । ସାନ ଟିକେ ହସିଦେଇ ଚାଲିଗଲା ।
ସମସ୍ତେ ପିଠା କଲାବେଳେ ଗୋପନୀୟତା ରକ୍ଷା କରିବେ ବୋଲି ଠିକ୍ କଲେ । ଜଣେ ରୋଷେଇଘରେ ଆଉ ଦିଜଣ ପିଣ୍ଡାର ଦୁଇ ମୁଣ୍ଡରେ । ସଜବାଜ ଦିନ ଯୋଗାଡ଼ ଚାଲିଥାଏ । ଅନୀତା କିଛି ଜାଣିନି ବୋଲି, ଶାଶୂ ଅନିତାକୁ ପଚାରିଲେ, ତତେ କଣ ସାହାଯ୍ୟ ଦରକାର?
"ମତେ ଖାଲି ଗୋଟେ ଟେବୁଲ୍ ଫ୍ୟାନ୍" । ଅଳପ ହସି କହିଲା ଅନି ।ଗାଁରେ ବେଶ୍ ଗରମ । ଶାଢ଼ି ପିନ୍ଧି ମୁଣ୍ଡରେ ଓଢ଼ଣା ଦେଇ ନିଆଁ ପାଖରେ ବସିବା ବଡ଼ କଷ୍ଟ ।
ଅନୀତାକୁ ବେଶ୍ ଡର ଲାଗୁଥାଏ । ଏଠି ଗାଁର ଚାଲିଚଳଣ ସହ ସେ ଅଭ୍ୟସ୍ତ ନୁହେଁ । ପୁଣି ପ୍ରଥମ କରି ଏତେ ଲୋକଙ୍କ ଆଗରେ ପିଠା କରି ଥୋଇବ । କିନ୍ତୁ ସେ ମୁଣ୍ଡକୁ ଥଣ୍ଡା ରଖି ପିଠା ପ୍ରସ୍ତୁତ କରିବ ଓ ଭଲକି ସଜେଇବ ବୋଲି ଚିନ୍ତା କରିଥାଏ । କାରଣ ସେ ଦେଖିଛି ଆମେରିକାରେ ସଜେଇବା ପାଇଁ ବି ମାର୍କ ଥାଏ ରୋଷେଇ ପ୍ରତିଯୋଗିତାରେ । ନିଜର ଆମେରିକା ଅନୁଭୂତିକୁ ଲଗେଇବକୁ ଚେଷ୍ଟା କରୁଥାଏ ସେ ।
ଆଜି ପହିଲି ରଜ । ସବୁ ବୋହୂ ମାନେ ନିଜ ନିଜର ପିଠା ଧରି ସେମାନଙ୍କ ଦାଣ୍ଡପିଣ୍ଡାରେ ହାଜର ହେଲେ । ପଡ଼ିଥିବା ଟେବୁଲ୍ ଉପରେ ନିଜ ନିଜର ପିଠା ସଜେଇ ରଖିଲେ । ଆର ସାହିର ରମା ଜେଠେଇ, ମନି ଭାଉଜ ଓ ରାଧୁ ଅଜା ବିଚାରକ ହେଇ ଆସିଥାଆନ୍ତି, ନିରପେକ୍ଷ ବିଚାର ହେବ ବୋଲି। ଅନିତାର ସାନ ଯା ଖୁବ୍ କନ୍ଫିଡେଣ୍ଟ । ବଡଯା ବି ସେହିପରି, ନିଶ୍ଚିନ୍ତ । ବିଚାରକ ମାନେ ପିଠା ଚାଖୁଥାଆନ୍ତି । ତାପରେ ଫଳାଫଳ ଘୋଷଣା ହେବ। ଛାତି ଧକ୍ ଧକ୍, କିଏ ହେବ ବିଜୟୀ । ଉଭୟ ପ୍ରତିଯୋଗୀ ଓ ଶାଶୂମାନେ ଅପେକ୍ଷାରତ ଫଳ ଶୁଣିବା ପାଇଁ । ଶାଶୂ ମାନେ ବେଶୀ ଉଦବିଗ୍ନ ବୋହୁ ମାନଙ୍କ ପାଇଁ । ପରିବାରର ସମ୍ମାନର କଥା
ସବୁ ଅପେକ୍ଷାର ଅନ୍ତ ଘଟେଇ ରାଧୁ ଅଜା ଘୋଷଣା କଲେ ପ୍ରଥମ ପୁରସ୍କାର ବିଜୟିନୀ ଶ୍ରୀମତୀ ଅନୀତା । ପ୍ରଥମ ଥର ସମସ୍ତ ଭାବିଲେ ଭୁଲରେ ଅନୀତା ନାଆଁ ଡକା ହେଇଗଲା । ପୁଣି ଆଉଥରେ ଦୋହରେଇଲେ ସେଇ ନାଆଁ । ବିଶ୍ବାସ ହେଉନଥାଏ । ତାପରେ ରମା ଜେଠେଇ କହିଲେ ଅନୀତାର ଛୁଞ୍ଚି ପତ୍ର ପିଠା ଅତ୍ୟନ୍ତ ସ୍ୱାଦିଷ୍ଟ । ମନି ଭାଉଜ କହିଲେ ତା ସହିତ ଆରିସା ଏକଦମ୍ ମୁସୁମୁସିଆ । ଆଉ କଦଳୀ ପାଟୁକାରେ ସଜାହେଇ ଯେପରି ରଖାହେଇଛି, ସେ ପରିପାଟୀ ବି ନୂଆ ଧରଣର । ରାଧୁ ଅଜା ପୁଣି କହିଲେ ସବୁଠାରୁ ଭଲ କଥା ହେଉଛି ବିନା ଗୁଡ ଦିଆ ପୋଡପିଠା । କାରଣ ତାହା ଆମରି ପରି ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ।
ଅନୀତାକୁ ଅନୁରୋଧ କରାଗଲା ତାର ଅନୁଭୂତି ଓ ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ । ସେ କହିଲା, "ମୁଁ ଘରର ବଡ଼ଝିଅ ହେତୁ ମୋ ବୋଉ ମତେ ପିଲାଦିନୁ ସବୁ ପିଠାପଣା ଶିଖେଇ ଥିଲା । ତାପରେ ଶାଶୂଘରକୁ ଆସି ସବୁ ଦେଖେ, ମୋ ଶାଶୂ ଓ ଯାଆ କିପରି ପିଠା କରୁଛନ୍ତି । ତେଣୁ ସେମାନେ ସମସ୍ତେ ମୋର ଗୁରୁ ।"
ସମସ୍ତେ କହି ଉଠିଲେ ଆମେରିକାରେ ଥିବା ବୋହୂ ହେଉଛି ପ୍ରକୃତ "ଓଡ଼ିଆଣୀ"
