ଘରଚଟିଆର ଦୁଃଖ
ଘରଚଟିଆର ଦୁଃଖ


ବିଚରା ଘରଚଟିଆ ଦୁଇଟି ସେତିକିବେଳୁ ସେମିତି ରାବି ଚାଲିଛନ୍ତି ।ଘର ଉପରୁ ଗଛଡାଳ, ଗଛଡାଳରୁ ଗୁହାଳ; ଉଡ଼ିଉଡ଼ି ସେମାନେ ହାଲିଆ ହୋଇ ପଡ଼ିଲେଣି ।ତଥାପି ତାଙ୍କର ବିକଳ ଚିତ୍କାର ଥୟ ଧରୁନି ।
ନିପୁନ ଝରକାବାଟେ ସେମାନଙ୍କର ଏମିତି ଅବସ୍ଥା ଦେଖି ବ୍ୟସ୍ତ ହୋଇପଡ଼ିଲା ।ଘଟଣା କ'ଣ ବୁଝିବା ପାଇଁ ସେ ବାହାର ପଟକୁ ଗଲା ।ଦେଖିଲା ତାଙ୍କ ଗୁହାଳରେ ଚଢ଼େଇ ଦୁଇଟି ବାନ୍ଧିଥିବା ବସାଟି ଖିନଭିନ ହୋଇ ତଳେ ପଡ଼ିଛି ।ଆଉ ସେଥିରେ ଥିବା କୁନିକୁନି ଛୁଆ ତିନିଟିଙ୍କର ଦେଖାନାହିଁ ।ଏମିତି କଲା କିଏ ?
ନିପୁନ ଚାରିଆଡ଼କୁ ଚାହିଁଲା ।ଦେଖିଲା, ଖଣ୍ଡେ ଦୂରରେ ଶୋଇଛି ଗୋଟେ ବଣଭୁଆ ।ଆଖିକୁ ମିଟମିଟ କରି ନିଶକୁ ଚାଟୁଛି ।ମଝିରେ ମଝିରେ ଲାଙ୍ଗୁଡ଼କୁ ହଲାଇ ଭୂଇଁରେ ପିଟୁଛି ।ନିପୁନକୁ ବୁଝିବାକୁ ଆଉ ବାକି ରହିଲାନି ।ସେ ରାଗିଗଲା, ମନେମନେ ଭାବିଲା, 'ଏଇ ମଉକାରେ ଚୁପଚାପ ଯାଇ ତାକୁ ଠେଙ୍ଗାରେ ଭଲକରି ଦୁଇ ପାହାର ବସେଇବି ।ଆରେ ନା, ନା, ସେ ଜାଣିପାରିଲେ ଦୌଡ଼ି ପଳେଇବ ।ବରଂ ଏଇଠି ଝରକା ପଛପଟେ ଥାଇ ଢେଲା ମାରି ତା' ଗୋଡ଼କୁ ଛୋଟା କରିଦେବି ।ଚଢ଼େଇଛୁଆଙ୍କୁ ମାରି ଖାଇବାର ମଜାଟା ବଣଭୁଆକୁ ମିଳିଯିବ ।'
ଏହା ଭାବି ସେ ଦାଣ୍ଡରୁ କ୍ରିକେଟ ବଲ ଆକାରର ଗୋଟିଏ ପଥର ଉଠାଇଲା ।ଫୋପାଡ଼ିବା ବେଳକୁ ମାଆଙ୍କ ପାଟି ଶୁଭିଲା ପଛରୁ, "ନିପୁନ, ତୋତେ କ'ଣ ଆଜି ସମୟ ଜଣାପଡ଼ୁନି !!ଗାଧୋଇ ଖାଇ ସ୍କୁଲ ଯିବୁ କେତେବେଳେ ?"
ମାଆଙ୍କ ପାଟିଶୁଣି ନିପୁନ ହଡ଼ବଡ଼େଇ ଗଲା ।ସେ ଫୋପାଡ଼ୁଥିବା ପଥରକୁ ପଛ ପାଖରେ ଲୁଚାଇବାକୁ ଚେଷ୍ଟା କଲା।କିନ୍ତୁ ମାଆଙ୍କ ଦୃଷ୍ଟିରେ ତାହା ଧରାପଡ଼ିଗଲା ।ସେ ପାଖକୁ ଆସି ପଚାରିଲେ, "ଦେଖା, ହାତରେ କ'ଣ ଧରି ଲୁଚାଉଛୁ ? ପଥର ! କିରେ ଏଇଟା ତୁ କାହା ଉପରକୁ ଫୋପଡ଼ୁଥିଲୁ ?ସତ କହ ।"
ଟିକିଏ ହଡବଡେଇ ଯାଇ ନିପୁନ ଉତ୍ତର ଦେଲା "ମା', ଦେଖିଲ, ଏ ବଦମାସ ବଣଭୁଆ ଘରଚଟିଆଙ୍କ ବସା ଭାଙ୍ଗି ଦେଇଛି। ଆଉ ସେମାନଙ୍କ କୁନିକୁନି ଛୁଆଙ୍କୁ ଖାଇଦେଇଛି।"
ମା' ଦେଖିଲେ, ଘରଚଟିଆ ବସାଟି ଭାଙ୍ଗିରୁଜି ତଳେ ପଡ଼ିଛି । "ଆରେ, ଏଥିପାଇଁ ଚଢ଼େଇ ଦୁଇଟି ସେତିକିବେଳୁ ବୋବେଇ ଚାଲିଛନ୍ତି !!ଆହା, ଛୁଆଗୁଡ଼ାଙ୍କୁ ତାହେଲେ... ଟିକିଏ ଅଟକିଯାଇ ସେ ଏକ ଦୀର୍ଘଶ୍ଵାସ ପକାଇ କହିଲେ-ଯା' ହେବାର ତ ହୋଇଗଲାଣି, ଏବେ ଆମେ ଆଉ କ'ଣ କରିବା ।"
"ମା', ମୁଁ ଏବେ ପଥର ଫୋପାଡ଼ି ସେଇ ବଦମାସ ଭୁଆବିରାଡ଼ିର ଗୋଡ଼ ଛୋଟା କରିଦେବି ।"
ନିପୁନର ମାଆ ଆକଟ କଲେ, " ନିପୁନ, ଦେଖୁଛି ସେ ବଣଭୁଆ ଅପେକ୍ଷା ତୁ ଅଧିକ ବଦମାସ ।ପଥରକୁ ଶୀଘ୍ର ତଳେ ପକେଇ ଦେ ।"
ନିପୁନ କାନ୍ଦ କାନ୍ଦ ହୋଇ ମାଆଙ୍କୁ ଚାହିଁଲା । ମାଆ ମନକଥା ବୁଝିପାରି ଆଉଁଶି ଦେଲେ ତା' ମୁଣ୍ଡକୁ ।କହିଲେ,
"ସତ କହିବାକୁ ଗଲେ, ମୋତେ ବି ଚଢ଼େଇ ଦୁଇଟିଙ୍କ ଅବସ୍ଥା ଦେଖି ଖୁବ ଦୁଃଖ ଲାଗୁଛି ।ଆଜିକାଲି ଯୁଆଡ଼େ ଦେଖ ସହର ଭଳି ଗାଁମାନଙ୍କରେ ବି ଧାଡ଼ି ଧାଡ଼ି କୋଠାଘର ।ଘରଚଟିଆ ବୋଲି ପରିଚିତ ଏ ପକ୍ଷୀ ପାଇଁ ଜାଗା ଟିକିଏ ନାହିଁ ବସା ବାନ୍ଧିବାକୁ ।ଗୁହାଳରେ କି ପାଳଭାଡ଼ିରେ ବସାଟିଏ ବାନ୍ଧିଲେ ବିପଦ ତାଙ୍କ ପିଛା ଛାଡ଼ୁନି ।ଏବେ ଏମାନଙ୍କ ସଂଖ୍ୟା କମିଗଲାଣି ।ତାଙ୍କ ସଂଖ୍ୟାହ୍ରାସ ଯୋଗୁଁ ଫସଲରେ କୀଟପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଉଛି ।ଫଳରେ ଚାଷୀଭାଇଙ୍କର ଅନେକ କ୍ଷତି ହେଉଛି ।ଜମିରେ କୀଟନାଶକ ସିଞ୍ଚନ ଯୋଗୁଁ ଚଢ଼େଇମାନେ ବିଷାକ୍ତ ପୋକଜୋକଙ୍କୁ ଖାଇ ପଡୁଛନ୍ତି ମୃତ୍ୟୁ ମୁଖରେ ।ଏଥକୁ ପ୍ରାଣୀବିଜ୍ଞାନୀ ଏବଂ ସରକାର ଟିକେ ଧ୍ୟାନ ଦେଲେ ଭଲ ହୁଅନ୍ତା ।ଲୋକ ସଚେତନତା ମଧ୍ୟ ନିତାନ୍ତ ଜରୁରି ।ନଚେତ ଦିନ ଆସିବ ଏ ଘରଚଟିଆର ବଂଶ ଲୋପ ପାଇଯିବ ।"
"ତୁ ଆଉ ଗୋଟେ କଥା ମନେରଖ, ଭଗବାନଙ୍କ ସୃଷ୍ଟି ଅନୁସାରେ କିଛି ଜୀବଜନ୍ତୁଙ୍କ ଭିତରେ ଖାଦ୍ୟ ଆଉ ଖାଦକର ସମ୍ପର୍କ ରହିଛି ।ଯେମିତିକି ବଗ ମାଛ ଖାଏ ; ବାଘ ଓ ସିଂହ ହରିଣ ଠେକୁଆ, କୁଟୁରା ଇତ୍ୟାଦିଙ୍କୁ ଖାଆନ୍ତି ।ସେମିତି ବିଲେଇ ମୂଷା, ଏଣ୍ଡୁଅ, ଝିଟିପିଟି ଆଦିଙ୍କୁ ଖାଇଥାଏ ।ବେଳେବେଳେ ସୁଯୋଗ ପାଇଲେ ସେ କେତେକ ପକ୍ଷୀଙ୍କୁ ବି ମାରି ଖାଇଯାଏ ।ସେଇ ଦୃଷ୍ଟିରୁ ବଣଭୁଆ ତା' ଖାଦ୍ୟ ହିଁ ଖାଇଛି ।ଭାବିଲୁ, ତୁ ତାକୁ ଛୋଟା କଲେ ସେ କେତେ କଷ୍ଟ ପାଇବ ।ଆଉ ଯଦି ଢେଲାଟା ତା' ଗୋଡ଼ରେ ନ ବାଜି ମୁଣ୍ଡରେ ବାଜିଯାଏ ତାହେଲେ ସେ ତ ମରିଯିବ ।ଜୀବହତ୍ୟା ପରା ମହାପାପ ।ଭଗବାନ ଆମକୁ ସବୁଠାରୁ ଶ୍ରେଷ୍ଠ-ମଣିଷ ଜନ୍ମ ଦେଇଛନ୍ତି ।ଭଲମନ୍ଦ ବିଚାର କରିବା ଶକ୍ତି ଆମର ଅଛି ।ତେଣୁ ଆମେ ଅନ୍ୟ ଜୀବଙ୍କ ପ୍ରତି ସଦୟ ହେବା ।ଯେତିକି ସମ୍ଭବ, ସେମାନଙ୍କର ଉପକାର କରିବା ।"
"ତୁ ଆଉ ମନ ଦୁଃଖ କରନା ।କିଛି ସମୟପରେ, ହୁଏତ ତୁ ସ୍କୁଲରୁ ଆଜି ଫେରିବାବେଳକୁ ଚଢ଼େଇ ଦୁଇଟି ଦୁଃଖ ଭୁଲି, କାଠି କୁଟା ଆଣି ଅନ୍ୟ ଗୋଟିଏ ବସା ତିଆରିରେ ଲାଗି ପଡ଼ିଥିବେ ।ପୁଣି ସେଇ ବସାରେ କେତେଦିନପରେ ସେମାନେ ଅଣ୍ଡା ଦେଇ ଉଷୁମାଇଁ ଛୁଆ ଫୁଟେଇବେ ।ଦେଖ, ଏଥରକ ଆଗେ ଘରଚଟିଆଙ୍କ ବସା ତିଆରି ସରିଯାଉ ।ତା'ପରେ ମୁଁ ତୋ ବାପାଙ୍କୁ କହିବି, ସେ ବସାଠାରୁ କିଛି ଦୂର ଛାଡ଼ି ଚାରିକଡ଼ରେ ବରକୋଳି କଣ୍ଟା ବିଛେଇ ଭଲଭାବେ ବାନ୍ଧି ଦେବେ ।ଚାହିଁଲେ ବି ବଣଭୁଆ ଆଉ ସେଠାକୁ ଯାଇ ପାରିବ ନାହିଁ ।ମନେରଖ, ତୁ ଯେମିତି ଢେଲାମାରି ଆଗକୁ ତାକୁ କେବେବି କଷ୍ଟ ନ ଦେଉ ।କ'ଣ ବୁଝିଲୁ ?"
"ହଁ ମାଆ, ସବୁ ବୁଝିଗଲି" ନିପୁନ କହିଲା ।ଏଥର ସେ ହାତରେ ଧରିଥିବା ପଥରଟିକୁ ଫୋପାଡ଼ି ଘରମୁହାଁ ହେଲା ।