Barsha rani Nanda

Others

3  

Barsha rani Nanda

Others

ଘର ଚଟିଆ

ଘର ଚଟିଆ

4 mins
164


ସ୍ରଷ୍ଟା ଙ୍କ ସୃଷ୍ଟି ତ ବହୁତ ସୁନ୍ଦର କିନ୍ତୁ ସୁନ୍ଦର ସୃଷ୍ଟି କୁ ମାନବ ସଭ୍ୟତା ଜାଣିଶୁଣି ଧ୍ୱଂସ ମୁଖର ଆଡ଼କୁ ଟାଣି ନେଉଛି।ଆଜି ନିଜେ ସେ ଅନ୍ଧ।ସୁନା କୁ ଖୋଜିବାକୁ ଯାଇ ହୀରାକୁ ଆମେ ହରେଇ ଦେଉଛୁ କିନ୍ତୁ ଏକଥା ଆମେ ଭୁଲି ଯାଉଛୁ ଆମର ଏ ଅମାନବିକତା, କର୍ତ୍ତବ୍ୟ ହୀନ ପାଇଁ ଆମ ପର ପିଢ଼ି କୁ ବିପଦକୁ ଠେଲି ଦେବା ପାଇଁ ସବୁ ରାସ୍ତା ଖୋଲି ଦେଉଛୁ।

ଦିନ ଥିଲା ଚଟିଆ ର କିଚିରି ମିଚିରି ଶଦ୍ଦରେ ଘର ଅଗଣା ପୂରି ଯାଉଥିଲା।ସମୟ ବଦଳିଲା,ଆମକୁ ସହରୀ ସଭ୍ୟତା ଛୁଇଁଲା ଦିନଠୁ ଆମ ପରିବେଶ ବି ବଦଳିଗଲା।ଆମ ପୂର୍ବ ପୁରୁଷ ଜେଜେମା,ମା ଏମାନେ ଯେଉଁ ପଶୁ ପକ୍ଷୀ ଦେଖୁଥିଲେ ଆମ ବେଳେ ବିଲୁପ୍ତ ପ୍ରାୟ। କେଉଁଠି କେତେବେଳେ ଟିକେ ଟିକେ ଆମେ ଯେଉଁ ପଶୁପକ୍ଷୀ ଦେଖୁଛୁ କିନ୍ତୁ ସିଏ ଏବେ ସାହିତ୍ୟ ବହିରେ ବିଷୟଟିଏ ବା ଚିତ୍ରାଙ୍କନ ବହିରେ ଚିତ୍ରଟିଏ ହେଇ ରହିଯିବ।ଆଉ ଆମ ପର ପିଢ଼ି ସେଇ ଗଳ୍ପ ଓ ଚିତ୍ର କୁ ଦେଖି ଖୁସି ହେବେ।ସୁନା କୁ ଖୋଜିବା କୁ ଯାଇ ଆମେ ହୀରାକୁ ଜାଣିଶୁଣି ହାତଛଡ଼ା କରି ଦେଉଛୁ ଆମେ ଜାଣି ପାରୁନୁ।ଦିନ ଥିଲା ଏଇ ଘର ଚଟିଆ ର କୋଳାହଳରେ ଆମେ କେତେ ଖୁସି ହେଉଥିଲୁ।ସିଏ କେମିତି ଘର କରୁଛି,କ'ଣ ଆଣିକି ଖାଉଛି,ତା ଛୁଆକୁ କେମିତି ଖଣ୍ଡି ଉଡା ଶିଖଉଛି ଏସବୁ କୁ ଧ୍ୟାନ ଦେଇ ନୀରିକ୍ଷଣ କରୁଥିଲୁ।ଏଇ କେତେ ଦିନ ତଳେ ଘର ଚଟିଆ ଟିଏ ଆମ ଦୁଆରେ ବସିଥିଲା ତାକୁ ଦେଖି ମୋ ଖୁସି କହିଲେ ନ ସରେ।ଏତେ ଦିନ ପରେ ଯେହେତୁ ତାକୁ ଦେଖିବାକୁ ପାଇଲି ତେଣୁ ଜମା ହାତଛଡ଼ା ନକରି ଖୁଦ ମୁଠାଏ ଆଣି ବୁଣିଦେଲି ପ୍ରାୟ ଅଧ ଘଣ୍ଟାଏ ବସି ତା କାର୍ଯ୍ୟ କଳାପ ଦେଖିଲି। ମାର୍ଚ୍ଚ ୨୦ ରେ ପାଳନ ହେଉଛି ଘରଚଟିଆ ଦିବସ ଆମେ ତ ଦେଖିବାକୁ ପାଉନୁ ଆମ ପର ପିଢ଼ି ର ଛୁଆ ସବୁ ୟୁଟୁବ୍ ,ଗୁଗୁଲ୍ ରେ ତାକୁ ଦେଖି ଖୁସି ହେବେ ଷ୍ଟାଟସ୍ ଦେବେ ଘରଚଟିଆ ଦିବସ ଅବସରରେ।ମୋ ଛୋଟ ବେଳର କଥା ।ଆମ ଦାଣ୍ଡ ଘରେ ଗୋଟିଏ କଣା ଥିଲା।ଘର ଚଟିଆ ଟେ ଆସି ଦିନେ କୁଟା ଟିଏ ରଖି ଉଡ଼ି ପଳେଇଲା ଏମିତି ୩/୪ ଦିନ ସେ ଲାଗି ରହିଲା କୁଟା ଆଣିବାରେ।ସେ ଯେହେତୁ ଫୁର୍ କି ଘର ଭିତରକୁ ଉଡ଼ି ଆସେ କୁଟା ଟିଏ ରଖି ପୁଣି ଫୁର୍ କରି ଉଡିଯାଏ।ଆମେ ଭାଇ ଭଉଣୀ ତାକୁ ଦେଖି ଖୁସି ହେଉ। ଯେହେତୁ ବହୁତ ଛୋଟ ଥିଲୁ ତାକୁ ଦେଖି ବହୁତ ପ୍ରଶ୍ନର ସମ୍ଭାର ଆମ ମନରେ ଉଙ୍କି ମାରେ।ତାକୁ ଦେଖି ବିଭିନ୍ନ ପ୍ରଶ୍ନ ଆମେ ମା ଙ୍କୁ ପଚାରୁ ଆଉ ମା ତାକୁ ଗୀତ,ଗପ ମାଧ୍ୟମରେ ବିଭିନ୍ନ ଶୈଳୀରେ ଆମ ଆଗରେ ସବୁ ପ୍ରଶ୍ନର ଉତ୍ତର ଉପସ୍ଥାପନ କରନ୍ତି। ଛୋଟ ପିଲାଙ୍କ ମନରେ ବହୁତ ପ୍ରଶ୍ନ ଉଙ୍କି ମାରେ କିନ୍ତୁ ତାକୁ ସରଳ ଭାବରେ ସମାଧାନ କରିବାରେ ମୋ ମା ପାରଙ୍ଗମ। ଦେଖୁ ଦେଖୁ ଦୁଇଟି ଘରଚଟିଆ ଆସି ସେଠି ରହିବା ଆରମ୍ଭ କଲେ ।ଦୁଇଜଣ ମିଶି କାଠି କୁଟା ପକେଇ ଅଳିଆ ଗଦା କରନ୍ତି ଏସବୁ କୁ ଦେଖି ଜେଜେବାପାଙ୍କ ରାଗ କହିଲେ ନସରେ। ଦିନେ ଜେଜେବାପା ଠେଙ୍ଗାଟେ ଧରିକି ଆସିଲେ ସେମାନଙ୍କୁ ତଡିବା ଉଦ୍ଦେଶ୍ୟରେ ଦୁଇଜଣ ଉଡିକି ପଳେଇଲା ପରେ ଜେଜେବାପାଙ୍କ ରାଗ ଶାନ୍ତ ପଡ଼ିଲା ସିନା କିନ୍ତୁ ତାପର ଦିନ ଦୁଇ ଜଣ ଯାକ ବସାକୁ ପୁଣି ଆସିଲେ।ଆଜି କିନ୍ତୁ ସେମାନଙ୍କ ବସାକୁ ଫିଙ୍ଗି ଦେବେ ଜେଜେବାପା।ଆମର ସେଇ ଅଳ୍ପ ବୟସରେ ବି ଆମକୁ ଏସବୁ ଦେଖି ଦୁଃଖ ଲାଗୁଥାଏ।ହଉ କିନ୍ତୁ ଏଥର ଜେଜେବାପାଙ୍କୁ ଜେଜେମା ଅଟକେଇ ଦେଲେ କାହିଁକି ନା ଜେଜେମା ବୋଧେ ଜାଣି ସାରିଥିଲେ ଯେ ଘର ଚଟିଆଟି ଅଣ୍ଡା ଦେଇଛି। ଘରଚଟିଆର ଅଣ୍ଡା ଦେବା ସମୟ ହେଲେ ସେ ସ୍କାଏ ଲାଇଟ୍, ସିନ୍ଧି କିମ୍ବା ଯେକୌଣସି ସୁରକ୍ଷିତ ସ୍ଥାନରେ ସେ ଘର ତିଆରି କରେ।ଏଥର ଜେଜେମା ଚେୟାର୍ ପକେଇ ଉପରକୁ ଚଢିକି ଦେଖିଲେ ଯେ ସତକୁ ସତ ଚଢ଼େଇ ଟି ଅଣ୍ଡା ଦେଇଛି।ଆମେ ଦି ଭାଇ ଭଉଣୀ ବି ଜିଦି କଲୁ ତା ଅଣ୍ଡା ଦେଖିବା ପାଇଁ ଆମକୁ ବି ଟେକିକି ଧରିକି ଦେଖେଇ ଦେଲେ। ଚଟିଆ ଟି ସେମିତି ଗୋଟିଏ ଲୟରେ ବସିଥାଏ କେବେ ତା ଛୁଆ ବାହାରକୁ ଆସିବେ ତା ପରେ ଯାଇ ସେ ମାତୃତ୍ଵ ର ପୂର୍ଣ୍ଣତା ଲାଭ କରିବ ସେଇ ଅପେକ୍ଷା ରେ ସେ ସାଧନା କଲା ପରି ବସି ରହିଥାଏ ଅଣ୍ଡା କୁ ଧରି। ସବୁଦିନ ମା ଖୁଦ ମୁଠାଏ ବୁଣି ଦିଅନ୍ତି ଗୋଟିଏ ଚଟିଆ ଆସି ଖାଇଯାଏ କିନ୍ତୁ ମା ଚଟିଆ ଟି ସେମିତି ବସି ରହିଥାଏ ତଳକୁ ଆସେନି। କେତେଦିନ ପରେ ମା ଦେଖନ୍ତି ତ ଛୋଟ ଛୋଟ ଛୁଆ ହେଇ ସାରିଛନ୍ତି ବୋଧେ ଆଗଦିନ ହିଁ ବାହାରିଛନ୍ତି ଅଣ୍ଡାରୁ।ମା ଆମକୁ ଡାକିଲେ ପିଲେ ଆସ ଦେଖେଇ ଦେବି ଅଣ୍ଡା ରୁ କେତେ ସୁନ୍ଦର ଛୁଆ ବାହାରିଛନ୍ତି।ଆମକୁ ଟେକି ଧରି ଦେଖେଇ ଦେଲେ ଆମର ଖୁସି କହିଲେ ନ ସରେ। ଏଥର ଖୁଦ ବୁଣି ଦେଲେ ମା ଚଟିଆ ବି ଉଡିଆସେ ଖାଇବାପାଇଁ। କେତେଦିନ ପରେ ଚଟିଆ ଛୁଆ ଟିକେ ବଡ଼ ହେଇଗଲେ ଏଥର କିନ୍ତୁ ଖୁଦ ଦେଲେ ମା ଚଟିଆ ଟି ନିଜେ ଖାଏ ଓ ଟିକେ ଟିକେ କରି ନେଇ ଛୁଆଙ୍କ ପାଟିରେ ଦିଏ। ଯେଉଁ ଦିନ ଖୁଦ ଦେବା ଟିକେ ଡେରି ହୋଇଯାଏ ମା ଛୁଆ ସବୁ ମିଶି କିଚିରି ମିତିରି କରି ଘରକୁ କମ୍ପେଇ ଦିଅନ୍ତି।ବୋଧେ ଇସାରା ରେ ସେମାନେ ଖାଇବା ପାଇଁ ମାଗନ୍ତି।ଧିରେ ଧିରେ ଛୁଆ ଖଣ୍ଡି ଉଡା ଦେବା ଆରମ୍ଭ କଲେ।ଆମେ ଏକ ଲୟରେ ସେମାନଙ୍କୁ ଅନେଇ ସେମାନଙ୍କ କାର୍ଯ୍ୟକଳାପ ଦେଖି ବହୁତ ଖୁସି ହେଉ ସେଇ ଛୋଟ ବୟସରେ ମଧ୍ୟ। ବେଶି ଖୁସି ହେଉ ଚଟିଆ ଛୁଆ ର ଖଣ୍ଡି ଉଡା ଦେଖି କିନ୍ତୁ ଦୁଃଖ ବି ଲାଗେ ଚଟିଆ ଛୁଆ ଉଡ଼ି ଜାଣିଲେ ତା ମା ସେମାନଙ୍କୁ ନେଇ ଅଲଗା ଯାଗାକୁ ପଳେଇବ ବୋଲି ମା କୁହନ୍ତି ସେଥିପାଇଁ ମନ ଦୁଃଖ ମଧ୍ୟ କରୁ।ଏଇ ଭିତରେ ଚଟିଆ ପରିବାର ସାଙ୍ଗେ ଆମର ସମ୍ପର୍କ ଯୋଡି ହୋଇ ଯାଇଥାଏ‌।ସେ ପଳେଇଲେ ଘର ଖାଲି ଲାଗିବ ଏହିକଥା ଭାବୁ।ମା ଚଟିଆ ଏବେ ଉଡ଼ିବା ଶିଖଉଛି ଆଉ ତା ଛୁଆକୁ ଟିକେ ଦୂରକୁ ନେଇ ଯାଉଛି କିନ୍ତୁ ଠିକ୍ ଟାଇମ୍ ରେ ସମସ୍ତେ ଆସି ହାଜର ହେଇ ଯାଆନ୍ତି ବସାରେ ଖୁଦ ଖାଇ ଟିକେ କିଚିରି ମିଚିରି କରନ୍ତି ଆଉ ସକାଳ ହେବା ଯାଏଁ ଅପେକ୍ଷା କରନ୍ତି ବସାରେ। ହଠାତ୍ ଦିନେ ସେମାନେ ଘରକୁ ନ ଫେରିବାରୁ ଆମ କୁ ଭଲ ଲାଗୁ ନ ଥାଏ ଦୁଇ ଦିନ ଯାଏଁ ବସାକୁ ନ ଫେରିବାରୁ ଜାଣିଲୁ ଯେ ସେ ଆଉ ଫେରିବନି। ଏତେ କମ୍ ବୟସରେ ବି ଘରଚଟିଆ ଟି ଛାଡିକି ପଳେଇବା ର ଦୁଃଖ ହୃଦୟ କୁ କଷ୍ଟ ଦେଇଥିଲା। ବହୁତ ଖୋଜିଲୁ ଆମେ ଭାଇ ଭଉଣୀ ଦି ଜଣ କାହିଁକି ସେ ପଳେଇଲା ଭାବିକି କାନ୍ଦିଛୁ ବହୁତ କିନ୍ତୁ ଯେତେ କାନ୍ଦିଲେ ବି ସେ ଆଉ କ'ଣ ଫେରିବ।ମା ବହୁତ ବୁଝେଇଛନ୍ତି ତା ପରେ ବି ଆମେ ବୁଝିବା ପାଇଁ ନାରାଜ।ଧିରେ ଧିରେ ଆମେ ଛୋଟ ଛୁଆ ବୋଲି ତାକୁ ପାସୋରି ଯାଇଥିଲୁ କିନ୍ତୁ ଆଜି ବହୁତ ମନେ ପଡ଼ିଲା ସେଇ ସ୍ମୃତି ସବୁ। ନିରୀହ ପକ୍ଷୀଟି। ଏବେ କିନ୍ତୁ ସିଏ ଆଉ କ'ଣ ଦେଖିବାକୁ ମିଳୁଛି। କୀଟନାଶକ ହେଉ ବା ବେତାର ର ପ୍ରଭାବ ହେଉ ସିଏ କିନ୍ତୁ ବିଲୁପ୍ତ ହେବାକୁ ବସିଲାଣି।ଘରର ନିର୍ମାଣ ଶୈଳୀ ବି ଏବେ ଏମିତି ହେଉଛି ଯେ ପାରା ହେଉ ବା ଘର ଚଟିଆ ଏହି ନିରୀହ ପକ୍ଷୀ ମାନଙ୍କ ପାଇଁ ଆମ ଘରେ ସ୍ଥାନ ନାହିଁ କିନ୍ତୁ ବିଦେଶୀ କୁକୁର ଘରେ ପାଳୁଛୁ।ଆମେ ସଜାଗ ହେଲେ ଆମ ପରିବେଶ ରେ ଥିବା ନିରୀହ ପଶୁ ପକ୍ଷୀ ବଞ୍ଚି ରହିବେ।ଆମେ ନିଜକୁ ନିଜେ ହିଁ ଧ୍ୱଂସ ଆଡ଼କୁ ଟାଣି ନେଉଛୁ।ବଣ ସଫା କରି ଦେଇ ନିରୀହ ପଶୁ ପକ୍ଷୀ ଙ୍କୁ ସେମାନଙ୍କ ବଞ୍ଚିବା ଅଧିକାର କୁ ଆମେ ଛଡେଇ ନେଉଛୁ।ଆସନ୍ତୁ ଆମେ ସଜାଗ ହେବା ଓ ଆମ ପରିବେଶ କୁ ସଜାଡ଼ି ଦେବା।



Rate this content
Log in