Sonali Garnayak

Others

4  

Sonali Garnayak

Others

ଗହଳ ଲଗେଇଛି କାଳିଆ

ଗହଳ ଲଗେଇଛି କାଳିଆ

4 mins
183


ବିନା ଭକ୍ତ ଗହଳିରେ, ବିନା ଘଣ୍ଟ ଘଣ୍ଟା ଶଙ୍ଖ ନାଦରେ ସେ ମନ୍ଦିର ବାହାରକୁ  ଆସନ୍ତିନି |ବଡ଼ ଠାକୁର ଏବଂ ହଳଦୀ ମୁଁହି ମା ସୁଭଦ୍ରା ଯିବା ପରେ କଳାଠାକୁର ଆସନ୍ତି ଝୁଲି ଝୁଲି ଦଇତା ପତିଙ୍କ ଗହଳରେ, ଆଉ ଯେମିତି ସିଂହଦ୍ୱାରରେ ଅତିକ୍ରମ କରନ୍ତି ଭକ୍ତଙ୍କ ଗହଳି,ସେ  ଟାହିୟା ହଲେଇ ହଲେଇ ଆସିବାର ସେ ମନଲୋଭା ବେଶ ମନରେ ଏମିତି ଲାଖିଥାଏ ଯେ ଆଖି ଫେରେଇନେବାକୁ ଇଚ୍ଛା ହୁଏନି |ଏମିତି ଜଣେ ଭକ୍ତ ଯିଏ ସେ ଭକ୍ତ ଗହଳିରେ ଥରେ ଠାକୁରଙ୍କୁ ଦର୍ଶନ କରିବାକୁ ଦୌଡ଼ି ଦୌଡ଼ି ଆସିଛି କିନ୍ତୁ ପାରିନି |ଆଉ ଯେତେବେଳେ ମୃତ୍ୟୁ ଶଯ୍ୟାରେ ପଡି ଆଖି ଖୋଲିଛି ତାକୁ ସ୍ୱୟଂ ଜଗନ୍ନାଥ ଗହଳ ଲଗାଇ ଆସୁଥିବାର ଅନୁଭବ ହୋଇଛି |

       ବାର୍ଦ୍ଧକ୍ୟର ଯନ୍ତ୍ରଣା ଗ୍ରାସ କରିଥିବା ସତ୍ୱେ ମଧ୍ୟ ରତନ ଅଜା ହାତରେ ବାଡ଼ୀଖଣ୍ଡେ ଧରି ଚାଲିଯାନ୍ତି ପ୍ରତ୍ୟେକ ମାସରେ ପୁରୀ ସେ ଜାଗା କାଳିଆର ଦର୍ଶନ ନିମନ୍ତେ ଆଉ ସାବି ଆଇ ପାଇଁ ନେଇ ଆସନ୍ତି ଅଭଡ଼ା ଅର୍ଣ୍ଣ |ଅଜା ଆଇ ଦୁହେଁ ଦୁହିଁଙ୍କୁ ପ୍ରସାଦ ଖୁଆଇ ଦିଅନ୍ତି |ଏ ପୁରା ଦୁନିଆଟାରେ ସାବି ଆଇକୁ ଛାଡିଦେଲେ ରତନ ଅଜାର ସାହାରା କେହିନାହାନ୍ତି |ବାହାଘର ପାଞ୍ଚ ବର୍ଷ ପରେ ରତନ ଅଜାର ପୁଅଟିଏ ହୋଇଥିଲା ସେ କାଳିଆ ଠାକୁର କୁ ଗୁହାରି ଗୁହାରି କରି କରି, ସେଇଥିପାଇଁ ସେ କାଳିଆ ଠାକୁରଙ୍କୁ ସମର୍ପଣ କରିଦେଇଥିଲେ ଦୁହେଁ ସେ ପୁଅଟିକୁ |ରତନ ଅଜାର ଗୋଟେ ବୋଲି ପୁଅ ଏବଂ ଖୋଜିଲୋଡି ତାକୁ ପାଇଥିଲେ ବୋଲି କେତେ ସ୍ନେହ ଶ୍ରଦ୍ଧା କରି ତାକୁ ବଢ଼ାଇଥିଲେ |ଏମିତିକି ସ୍କୁଲ ହତା ବି ମାଡ଼ିନଥିଲା ରତନ ଅଜା ପୁଅ !ସାବି ଆଇ କୁହେ ମୋର ତ ଜମିବାଡ଼ି, ଧନରତ୍ନ କେଉଁଥିରେ ବି ଉଣା ନାହିଁ ବସି ଖାଇଲେ ସରିବନି ପାଠ ପଢି ଚାକିରୀ କଣ ଦରକାର !କିନ୍ତୁ ସବୁଦିନ ରତନ ଅଜା ଓ ତାଙ୍କ ପୁଅ ଗାଁ ପାଖରେ ଥିବା ଜଗନ୍ନାଥ ମନ୍ଦିରକୁ ନିତି ଯାନ୍ତି ଆଉ ରତନ ଅଜା ପ୍ରତିବର୍ଷ ପୁରୀ ରଥଯାତ୍ରାକୁ ଯାଇ ସେ ଗହଳ ଲଗେଇଥିବା କାଳିଆକୁ ଦର୍ଶନ କରି ଆସନ୍ତି |

      ସେ କୁହନ୍ତି ଯେତେ ଦାରୁବ୍ରହ୍ମ ଙ୍କୁ ଦର୍ଶନ କଲେ ବି ମନପୁରେନା କାହିଁକି କେଜାଣି ଇଚ୍ଛା ହୁଏ, ସେ ଭକ୍ତ ଗହଳିରେ ଝୁଲି ଝୁଲି ଆସୁଥିବା କାଳିଆକୁ ଦେଖିବାକୁ ମନ ହୁଏ |ସାବିଆଇ ସିନା ରତନ ଅଜା ସହ ପୁରୀ ଯାଇପାରେନି ତା ଘରଦ୍ୱାର ଛାଡି କିନ୍ତୁ ନିତି ତୁଳସୀମାଳ ଧରି ଜପୁଥାଏ ସେ ନୀଳାଚଳିଆ ନାମ, ଏମିତିକି ସେ ତା ପୁଅ ନାମ ମଧ୍ୟ ମନମୋହନ ରଖିଥିଲା, ଯେତେବେଳେ ଆଇ ତା ପୁଅକୁ ଡ଼ାକିବ ସେତେବେଳେ ସେ ମନମୋହନକୁ ସ୍ମରଣ କରିବ |ଏମିତି ଦିନେ ମନମୋହନକୁ ନେଇ ବିବାହ କରାଇଥିଲେ ରତନ ଅଜା ତାଙ୍କର ଅତି ଘନିଷ୍ଠ ବନ୍ଧୁ ଦିବାକର ଅଜାଙ୍କ ଝିଅ ସୁଲୋଚନା ସହ |ରତନ ଅଜାଙ୍କ ବନ୍ଧୁ ହେଲେ ମଧ୍ୟ ଦିବାକର ଅଜା ଭରି ଗରିବ ଥିଲେ |ପନିପରିବା ବିକି ୨ ଝିଅ ଏବଂ ପତ୍ନୀଙ୍କୁ ନେଇ ପରିବାର ଚଳାଉଥିଲେ |କିନ୍ତୁ ଆମ ରତନ ଅଜା ଭାରି ହୃଦୟ ଖୋଲା ଲୋକ, ଦିବାକର ଅଜା ପାଖରୁ କାଣି କଉଡ଼ିଟିଏ ବି ଆଣି ନାହାନ୍ତି ବରଂ ନିଜେ ଉଭୟ ପୁଅ ଏବଂ ଝିଅ ପକ୍ଷର ବିଭାଘର ଖର୍ଚ୍ଚ ବହନ କରିଥିଲେ |ବୋହୂକୁ ପାଖରେ ପାଇ ସାବି ଆଇ ଖୁସିରେ ଫାଟିପଡୁଥିଲା କିନ୍ତୁ ତା ଖୁସି ଯେ ଅଳ୍ପଦିନ ପାଇଁ ଥିଲା ସେ କଥାକୁ ଜଣାଥିଲା !ପୁଅଟିଏ ଜନ୍ମ ଦେଇ ସୁଲୋଚନା ମାଇଁ ଆଖି ବୁଜିଥିଲେ, କିନ୍ତୁ କାଳିଆ ମାମୁଁ ଦିନରାତି ଏକ କରିଦେଇଥିଲେ ତାଙ୍କ ପୁଅ ପାଇଁ ଆଉ ତାରି ମୁହଁକୁ ଚାହିଁ ସୁଲୋଚନା ମାଇଁଙ୍କୁ ଭୁଲିଯାଇଥିଲେ |

      କିନ୍ତୁ ସେ ମନମୋହନଙ୍କ ଇଚ୍ଛା ଆଗରେ କାହାର ଚାଲିଛି |ସେଦିନ ମନମୋହନ ମାମୁଁ ତାଙ୍କ ପୁଅକୁ ନେଇ ଚାଲିଯାଇଥିଲେ ପାଖ ଗାଁକୁ ଯାତ୍ରା ଦେଖିବା ପାଇଁ ଏବଂ ଫେରିଲା ବେଳେ ଏକ କାର ଆକ୍ସିଡେଣ୍ଟରେ ଛିଟିକି ପଡିଲେ ବାପ ପୁଅ, ପାଖରେ ଥିବା ଲୋକ ତାଙ୍କୁ ନେଇଯାଇଥିଲେ ଡାକ୍ତରଖାନା କିନ୍ତୁ ଡାକ୍ତର ସେଠି ମନମୋହନ ମାମୁଁକୁ ମୃତ ଘୋଷଣା କରିଥିଲେ |ସାବି ଆଇ ଅଖିଆ ଅପିଆ ସେ କାଳିଆ ଠାକୁରଙ୍କ ପାଖରେ ଅଧିଆ ପଡି ତା ନାତିକୁ ବଂଚେଇଥିଲା |ସେ ନାତିକୁ ଦେଖି ସାବି ଆଇ ଭୁଲିଯାଇଥିଲା ତା ପୁଅ ବୋହୂକୁ ହରେଇବାର ଦୁଃଖ |ରତନ ଅଜା କିନ୍ତୁ ପୂର୍ଵ ଭୁଲ ନ କରି ତାଙ୍କ ନାତିକୁ ପାଠ ପଢ଼େଇଥିଲେ |ନାତି ପାଠ ପଢି ବିଦେଶ ଚାଲିଯିବା ପରେ ଆଉ ପଛକୁ ଚାହିଁଥରେ ବୁଢ଼ା ବୁଢ଼ୀକୁ ଦେଖିନି |ତିଳ ତିଳ କରି ନିଜକୁ ଦୁଃଖ ନିଆଁରେ ଜଳି ଯେଉଁ ନାତିକୁ ମଣିଷ କରିଥିଲେ ସେ ବୁଢ଼ା ବୁଢ଼ୀ ଦୁହିଁଙ୍କ କଥା ନ ଭାବି ଚାଲିଗଲା ବିଦେଶ |ସେହିଦିନ ଠାରୁ ରତନ ଅଜା ଓ ସାବି ଆଇ ପୁରା ଦୁନିଆରେ ଏକା |ଧୀରେ ଧୀରେ ରତନ ଅଜାର ବଳ ଭାଙ୍ଗିଗଲା ଆଗ ଭଳି ଆଉ କାମ ପାଇଟିକୁ ପାରୁନାହାନ୍ତି |ହାତରେ ବାଡ଼ି ଖଣ୍ଡେ ଧରି ବାଉଳା ଚାଉଲାରେ ଥର ଥର ପାଦକୁ ଥୋଇ ଚାଲନ୍ତି କିନ୍ତୁ କାହା ଉପରେ ଭରଷା କରିନାହାନ୍ତି !ଭରସା କରିବେ କାହାକୁ ଯିଏ ଭରସା ହୋଇଥାନ୍ତା ସେ ଅଧାବାଟରୁ ତାଙ୍କ କାନ୍ଧରେ ଚାଲିଗଲା, ଆଉ ଯାହାକୁ  ଭରସା ପାତ୍ର କରିଥିଲେ ସେ ତାଙ୍କୁ ଏଡେଇ ଦେଇ ଚାଲିଗଲା |

  ଏ ବର୍ଷ ରଥଯାତ୍ରାକୁ ରତନ ଅଜା ପୁରୀ ଯିବେ ବୋଲି ପୁଟୁଳିରେ ଚାଉଳ, ଚୁଡା, ମୁଢି ବାନ୍ଧିଲେଣି |କାଲି ସକାଳେ ସଅଳ ଚାଲିଯିବେ ଆଉ ସେ ଜାଗାକାଳିଆ କୁ ଟିକିଏ ଦର୍ଶନ କରିବେ |ସାବି ଆଇ କିନ୍ତୁ ମନା କରୁଥାଏ ତମ ବୟସ ହେଲାନି ଆଉ କଣ ସେ ଭିଡକୁ ପାରିବ !ରତନ ଅଜା କିନ୍ତୁ ତାଙ୍କ ଜିଦରେ ଅଟଳ, ଥରେ କାଳିଆ ଦର୍ଶନ ପାଇଁ ମନ ହୋଇଛି ମାନେ ସେ ନିଶ୍ଚୟ ଯିବେ |ସେ ବସରେ ଭିଡ ଭିତରେ ନିଜକୁ ଆୟତ୍ତ କରି ଜାକିଜୁକି ହୋଇଛି ଅଜା ବାହାରିଗଲେ ଶ୍ରୀକ୍ଷେତ୍ର ଅଭିମୁଖେ |ସେଠି ଓଲ୍ଲାଇ ସେ ବଡଦାଣ୍ଡରେ ଧୀରେ ଧୀରେ ଚାଲି ଚାଲି ଯାଉଥାନ୍ତି ଅଜା |ଗାଡିମଟରରେ ବଡଦାଣ୍ଡ ରାସ୍ତା ଜାମ ହୋଇଯାଇଥାଏ, ତାରି ଭିତରେ ଅଣ୍ଡାଳି ଅଣ୍ଡାଳି ଚାଲିଥାନ୍ତି ଅଜା |ଏତେ ଲୋକ ଭିତରେ ଦେଖିଲେ ବଡ଼ଦାଣ୍ଡରେ ତିନିରଥ ପ୍ରସ୍ତୁତ ହୋଇରହିଛି ତ୍ରିମୁର୍ତ୍ତିଙ୍କ ଅପେକ୍ଷାରେ |ଅଜାଙ୍କୁ ଭାରି ଶୋଷ ଲାଗୁଥାଏ, ପାଣିବୋତଲ ପାଇଁ ରାସ୍ତା ପାର ହେଲାବେଳକୁ ଗାଡ଼ିଟିଏ ଆସି ଅଜାଙ୍କୁ ଧକ୍କା ଦେଇଥିଲା |ଅଜା ଅଚେତ ହୋଇ ପଡ଼ିଥିଲେ ତଳେ |ଅଜା ଯେତେବେଳେ ହୋସ ପାଇଲେ ଦେଖିଲେ ସାବି ଆଇ ତାଙ୍କ ହାତକୁ ଡାବୁଡି ଧରି ଲୁହ ନିଗାଡୁଛି |ଅଜା କହିଲେ "ସାବି ଲୋ  ତା ପାଖକୁ ଯାଇ ଫେରିଆସିଲି ତାକୁ ଟିକିଏ ଦେଖି ପାରିଲିନି "|ଆଇ କହିଲା "ହଉ ଆର ଥରକୁ ଦେଖିବ, ଆଗ ଭଲ ହୋଇଯାଅ "|ଆର ଥରକୁ ଆଉ କଣ ବଞ୍ଚିଥିବି ଯେ ଦେଖିବି ଖନି ମରିଯାଉଥିବା ପାଟିରେ କହିଲେ |ଅଜା ଆଖି ବନ୍ଦ କରି ସେ କାଳିଆକୁ ସ୍ମରଣ କଲେ ଏବଂ ହଠାତ ଚିତ୍କାର କଲେ ଦେଖେ ସାବି "ମୋ କାଳିଆ ଗହଳି ଲଗାଇ ଆସୁଛି "!ଜୟ ଜଗନ୍ନାଥ କହି ଆଖି ବୁଜିଦେଲେ |ଆଉ ସେହି ସମୟରେ ବଡଦାଣ୍ଡରେ ଗହଳ ଲଗାଇଛି କାଳିଆ ଭକ୍ତ ମେଳରେ |



Rate this content
Log in