Satyabati Swain

Others

4  

Satyabati Swain

Others

ଗେଣ୍ଡାରେ ଗେଣ୍ଡା

ଗେଣ୍ଡାରେ ଗେଣ୍ଡା

4 mins
55



ବିନି ଆଜି ଦିଟା ଅରୁଆ ଚାଉଳ ଭିଜାଅ ତ।


କାହିଁକି ,ଆଜି କଣ କି ସଞ୍ଜୁ?


ମୁଁ ଜାଣିଛି ତୁମର ମନ ନଥିବ ବିନି।ହଁ ଏମିତିରେ ତୁମ କେଉଁ ପର୍ବ ପର୍ବାଣୀ ମନେ ରଖ ଯେ ଏଇଟା ନ ରଖିଲା।


ଓଃ କଣ ଏତେ ତାନ ମାରୁଛ ମ,କହୁନ କଣ ଆଜି?


ଆଜି.. ଆଜି ପରା ଚିତଉ ଅମାବାସ୍ୟା।


ଚି ତ ଉ ଅମାବାସ୍ୟା।ହଁ ହୋଇଥିବ। 


ବୁଝିଲ ବିନି, ପଖାଳ ଦିବସ,ଶ୍ରମିକ ଦିବସ,ବାପା ମା ଦିବସ,ସାଙ୍ଗ ଦିବସ,ଭାଲେଣ୍ଟାଇନ ପରି କେତେ କେତେ ଦିବସ ତୁମ ମୁହଁରେ।ଖାଲି ଯାହା ଏଇ ପିଠା ପଣା ଦିବସ ଗୁଡା ତୁମର ମନେ ରୁହେନି।


ଓହୋ କହିଲି ତ ସଞ୍ଜୁ ମୋର ମନେ ନାହିଁ।ହେଉ ଚାଉଳ ପକାଉଛି।କିନ୍ତୁ ପିଠା କିଏ କରିବ?


ହଁ ସେ ବି ଗୋଟେ କଥା।ତେର ବର୍ଷ ଭିତରେ ଥରେଟେ ତ ଠିକ୍ ରେ ଚିତଉ ହୋଇନି ଆମ ଘରେ।ଚିତଉ ସରଞ୍ଜାମ ,ପିଠା କିନ୍ତୁ ହୁଏ ଚକୁଳି ପରି।ବିନା ବିରି ଚକୁଳି ଯାହା ଲାଗେ ନ କହିବା ଭଲ।ଗୋଟେ କଥା କରିବା।ଦୁହେଁ ମିଶି କରିବା ମୁଁ ମା ଯେମିତି କରେ ତୁମ ପାଖେ ଥାଇ କହିବି।ଦେଖିବା କାଳେ ହୋଇଯିବ।


ମା ମୁହଁଟା ଦିଶି ଗଲା।


ଆମ ଘରେ ସବୁ ପର୍ବ ପର୍ବାଣୀ ବିଧି ମୁତାବକ ମା କରେ। ପିଲାଦିନି ଆମେ ତିନି ଭାଇ ଭଉଣୀ ଏଥି ସହିତ ଏତେ ଅଭ୍ୟସ୍ତ ହୋଇ ଯାଇଥିଲୁ ଯେ ବଡ଼ ହେଲା ପରେ ଆମେ ସେ ସବୁ ଯାଇ ତାଇ ପାଳନ କରୁଛୁ।କେଉଁ ପର୍ବରେ କେଉଁ ଠାକୁର ପୂଜା,କି ପିଠା ପଣା ଆମର ପୁରା ମୁଖସ୍ଥ। ମା କୁହେ ଆମେ ଓଡ଼ିଆ ଘର ପୁଣି ଚାଷୀ। ପିଠା ପଣା ଆମଠାରୁ ଖାଇବାକୁ କେତେ ପେଟ ଚାହିଁ ବସିଥିବେ।ଏଣୁ ନିହାତି ଅଧିକ ପିଠା ପଣା ହୁଏ। ଚାଉଳ ,ବିରି କି ନଡ଼ିଆର ଚିନ୍ତା ନଥାଏ। ଯେତେ ପାର କର ଖାଅ। ମା କିଛି ପିଠା ତେଲରେ ଛାଣି କରେନାହି।ପୋଡେ ବା ସିଝାଏ। ପ୍ରତ୍ୟେକ ପିଠାର ବାସ୍ନା ନିଆରା। ମା ହାତ ପାଣି ଛଣା ଗଇଁଠା ସ୍ୱାଦ ବିନି କରିଥିବା ଚେରୀ ,କାଜୁ, କିସ୍ ମିସ୍ ଦିଆ ବିଭିନ୍ନ ଫ୍ଲେଭର୍ ଥିବା କେକ୍ ରେ ବି ନଥାଏ।ବିନି ଆଧୁନିକ ଆଇଟମ୍ କରିବାରେ ଓସ୍ତାତ୍।ତେଲରେ ବି ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରେ।କିନ୍ତୁ ମୋ ଗାଉଁଲି ମନଟି ଖୋଜେ ଅଥାର ସିଝା ମଣ୍ଡା,ହଳଦୀ ପତର ଏଣ୍ଡୁରି, ଭ୍ରୁସଙ୍ଗ,ପିଆଜ,କଞ୍ଚା ଲଙ୍କା ପକା ବାସି ଚକୁଳି,ଛେନା ନଡ଼ିଆ ପୁରଦିଆ ଛୁଞ୍ଚି ପତର ଓ ବେଙ୍ଗ ଫୁଲିଲା ପରି ଚିତଉ।


ବିନି ଯାହା ଯେମିତି କୁନ୍ଥେଇ ମୁନ୍ଥେଇ କରେ,କିନ୍ତୁ ଚିତଉ କି ଛୁଞ୍ଚି ପତର ପିଠା ତାକୁ ଆଦୌ ଆସେନି।ଏଣୁ ଚିତଉ

ଖାଇବା ମୋର ଆଜକୁ ଏଗାର ବର୍ଷ ହେବ ବନ୍ଦ। ଲୁଲୁ ଜନ୍ମ ବର୍ଷ ହିଁ ମା ଆମକୁ ଛାଡି ଗଲା ସବୁଦିନ।ଭାଗ୍ୟକୁ ମୋ ବାହା ଘର ଓ ମୋ ପୁଅ ଜନ୍ମ ଦେଖି ପାରିଥିଲା।କିନ୍ତୁ ରାଞ୍ଜୁ କି ବୁଇର ବିବାହ,ଛୁଆ ପିଲା କି ଚାକିରି ବାକିରି କିଛି ଦେଖି ନାହିଁ।ମୋର ଚାକିରୀ କରିବା ତିନି ବର୍ଷ ଓ ବିବାହ ଦୁଇ ବର୍ଷ ନ ପୁରୁଣୁ ମା ସାଂସାର ଛାଡି ଚାଲିଗଲା।ରାଞ୍ଜୁ ଓ ବୁଇଙ୍କ ପଢା ସରି ନଥିଲା।ଲୁଲୁ ଦୁଇ ମାସର ବି ହୋଇଥିଲା।ଲୁଲୁ ଜନ୍ମ ବେଳୁ ଆସି ମା ଓ ବାବା ଆମ ପାଖରେ ଭୁବନେଶ୍ୱରରେ ଥିଲେ।ଅତି ଲୋଭନୀୟ ତଥା ସୁଖ ମରଣ ମଲା ମୋ ମା।ସକାଳୁ ଘର ଓଳେଇ, ଝାଡା ଆସି କହିଲା ମୋ ଦେହ କଣ ହୋଇ ଯାଉଛି।ମୋତେ ପାଣି ଦିଅ।ଚଟାଣ ଉପରେ ଲମ୍ବ ହୋଇ ଚିତି ମୁହାଁ ଶୋଇ ପଡିଲା।ପାଣି ପରି ନିଗୁଡୁଥାଏ ଝାଳ।ପାଞ୍ଚ ମିନିଟ୍ ଭିତର କଥା। ଗାଡି ବାଲାକୁ ଫୋନ୍ କରୁ କରୁ ମା ନିସ୍ତେଜ। ପାଖ କ୍ୱାଟରରେ ଜଣେ ଡାକ୍ତର ଥିଲେ।ବାପା ଦଉଡ଼ି ଯାଇ ଡାକି ଆଣିଲେ।ମା ହାର୍ଟ ଆଟାକ୍ ଚାଲି ଯାଇଛି ବୋଲି ସେ କହିଲେ। ହଠାତ୍ କିଛି ଦିନ ସବୁ ଯେମିତି ସ୍ତବ୍ଧ ହୋଇଗଲା ଆମ ଜୀବନରେ।


ମା ସ୍ନେହ,କଥା ହେଉ କି ପିଠା ସବୁ ପର୍ବ ପର୍ବାଣୀରେ ମୋର ମନେ ପଡେ। ସବୁ ପିଠା ଭିତରେ ଚିତଉ ପିଠା ଟି ମୋର ଭାରି ପ୍ରିୟ। ବେଶୀ ଶୀତ ଦିନେ ରାତିରେ ଚିତଉ କରି ରଖି ଦେଇଥିବ। ଆମେ ଭାଇ ଭଉଣୀ ଦାନ୍ତ ଘଷି ଆସିଲେ କହିବ " ଯାଅ କୁଣ୍ଡ ତଳେ ଚିତଉ ଘୋଡା ହୋଇଛି ଖାଇଦେଵ । ମୁଁ ଗାଣ୍ଡିରେ ଗୋଡ଼ ବାଡେଇ ଆଗ ଦଉଡେ। କୁଣ୍ଡ ଖୋଲି ଦେଉ ଦେଉ ଆଃ କରି ପିଠା ବାସ୍ନା ଶୁଙ୍ଘି ନିଏ।ଉପରକୁ ଉପରକୁ ଥାକ ହୋଇ ଗୋଟିଏ ପରେ ଗୋଟିଏ ଚିତଉ ଥୁଆ ହୋଇଥାଏ। ପିଠା ଉପର ଫୁଲି ଫାଟି ଯାଇଥାଏ।ନହ ନହ ପିଠାଗୁଡ଼ାକ।ଓଃ କି ଅପୂର୍ବ ସ୍ୱାଦ ! କାଇଁ ଆଉ ଯେତେ ଯିଏ ପିଠା କଲେ ବି ମା ଚିତଉ ପରି ହୁଏନି !


ଚିତଉ ଅମାବାସ୍ୟା ଦିନ ମା ପିଠା କରି ପ୍ରଥମେ ମୋ ହାତରେ ପ୍ରଥମ ପିଠାଦିଟା ଦିଏ।କୁହେ ସଞ୍ଜୁ ଯା ଗେଣ୍ଡାକୁ ପିଠା ଦେଇ ଆ ପୋଖରୀରେ।ଟିକିଏ ଟିକିଏ ପିଠାରୁ ଜେଜେ, ଜେଜେମା,ବାବା ,ଦାଦା,ମାମୁଁ,,ରଞ୍ଜୁ, ବୁଇ ଓ ତୋ ନା ନେଇ କହିବୁ" ଗେଣ୍ଡା ରେ ଗେଣ୍ଡା ମୋ ଜେଜେ ଗୋଡ଼ କାଟିବୁ ନାହିଁ। ଗେଣ୍ଡା ରେ ଗେଣ୍ଡା ମୋ ବାବା ଗୋଡ଼ କାଟିବୁ ନାଇଁ।ଗେଣ୍ଡା ରେ ଗେଣ୍ଡା ମୋ ଦାଦା ଗୋଡ଼ କାଟିବୁ ନାହିଁ।ଗେଣ୍ଡା ରେ ଗେଣ୍ଡା ମୋ ମାମୁଁ ଗୋଡ଼ କାଟିବୁ ନାହିଁ।ମୁଁ ମା କହିଥିବା ନାଁ ଠାରୁ ଆହୁରି ଅଧିକ ନା ଯେମିତି ମୋ ସାଙ୍ଗ ଶିଶୁ, ପିଲୁ ଗୁଗୁ, ରୀତା ଆଦି ଯେତେ ନାଁ ମନେ ପଡେ ସମସ୍ତଙ୍କର ବି କୁହେ।ଶେଷରେ ଯେତେବେଳେ କୁହେ ଗେଣ୍ଡା ଲୋ ଗେଣ୍ଡା ମୋ ଗୋଡ଼ କାଟିବୁ ନାହିଁ। ମୋର ମନେ ପଡ଼ିଯାଏ , ମା ତା କଥା ତ କହିନି ! ମା କାଇଁକି ଏମିତି ସମସ୍ତଙ୍କ କଥା ସବୁଥିରେ କୁହେ ନିଜକୁ ଛାଡି ! ସବା ଶେଷରେ କୁହେ ଗେଣ୍ଡା ଲୋ ଗେଣ୍ଡା ମୋ ମା ଗୋଡ଼ କାଟିବୁ ନାହିଁ। ତାପରେ ଟିକେ ଥାଏ ଯେ ମୋ ନିଜ ପାଟିରେ ପୁରେଇ ମାରଇ ଡିଆଁ।


ସେ ପିଠା ସ୍ୱାଦ ମନେ ଅଛି , ପ୍ରତି ବର୍ଷ ଚିତଉ ଅମାବାସ୍ୟା ବି ଆସୁଛି କିନ୍ତୁ ମା ନାହିଁ,ପୋଖରୀ ନାହିଁ କି ଗେଣ୍ଡା ନାହିଁ ମୋ କଲୋନୀ ରେ। 


ମା ଲୋ ତୁ ଭାରି ମନ ପଡୁ ଏମିତି ଦିନ ମାନଙ୍କରେ।


 ବିନି ମୋ ସମାଧିସ୍ଥ ମା ମୟ ମନକୁ ହଲେଇ କହିଲା ଏ ସଞ୍ଜୁ ନଅଟା ବାଜିଲାଣି ,ଛାତକୁ ଅନେଇଁ ଏମିତି ହାଁ କରି କଣ ବସିଛ।ଅଫିସ୍ ଯିବନି କି?


ନା, ଆଜି ତୁମର ମୋର ମିଶି ମା କଲା ପରି ଚିତଉ ବନେଇବା।


କଣ କହୁଛ! ଚିତଉ କରିବା ପାଇଁ ଗୋଟେ ଦିନ ଛୁଟି ନେବ ! ମୁଣ୍ଡ ଖରାପ ନା କଣ ?


ମୁଁଣ୍ଡ ନୁହେଁ ବିନି, ମନ ଖରାପ ମା କଥା ଭାବି।ତୁମେ କଣ ବୁଝି ପାରିବ ? ତୁମେ ବା ମମି,ଡେଡ୍ ବଡି।ବ୍ୟସ୍ତ ହୁଅନି ମୋର ଆଜି ଅଫିସ୍ ଯିବା ପାଳି ନୁହେଁ।ଲକ୍ ଡାଉନ୍ ପାଇଁ କର୍ମଚାରୀ ମାନଙ୍କୁ ପାଳି କରି ଅଫିସ୍ ଯିବାକୁ ପଡୁଛି। ବୁଝିଲ ବିନି ଏ କ ରୋନା ଭାରି ବ୍ୟସ୍ତ କଲାଣି।ନାଁ ନେଉନି ଯିବାର। ସଂକ୍ରମଣ ସଂଖ୍ୟା ଅତି ପ୍ରଖର ଗତିରେ ବଢୁଛି, ମୃତ୍ୟୁ ବି ତହୁଁ ବଳି। ଲକ୍ ଡାଉନ୍ ,ସଟ୍ ଡାଉନ୍ କେବେଠାରୁ ହେଉଛି କହିଲ।


ହଁ ସଞ୍ଜୁ,ଭାରି ଡର ଲାଗୁଛି। ମାର୍ଚ୍ଚ ସତର ଠାରୁ ସମସ୍ତଙ୍କ ମୁହଁରୁ ହସ ଲିଭିଛି।ପିଲା ଗୁଡା ଘରେ ବସି ବସି ମାଟି ହୋଇଗଲେଣି। ନା ଖେଳି ପାରୁଛନ୍ତି ନା ବାହାରକୁ ଯାଇପାରୁଛନ୍ତି ନା ସ୍କୁଲ ଖୋଲା କି ପାଠ ପଢା ହେଉଛି।କେତେ ଦିନ ଏଇ ଭୟରେ ବଞ୍ଚିବା କହିଲ ?


 ସବୁ ସେଇ ଈଶ୍ବରଙ୍କ ଇଚ୍ଛା ,ବିନି।କିଏ ଜାଣେ କ ରୋନା ଆଁ ରେ ଆମେ କେତେବେଳେ ଗଳି ପଡିବା।


ସତ,ସବୁରି ମନରେ ଏଇ କଥା ,ସଞ୍ଜୁ।


ହଉ ଛାଡ଼ ବଞ୍ଚିଥିବ ଯେତେ ଦିନ,ଆନନ୍ଦ କରୁଥିବ ମନ। ଆଜି ଚିତଉ କରିବା ପାଳି।ସ୍ୱତଃ ମନରୁ ବାହାରି ଆସିଲା ଗେଣ୍ଡା ରେ ଗେଣ୍ଡା ମୋ ମା ଗୋଡ଼ କାଟିବୁ ନାହିଁ; କହିଲା ବେଳକୁ ଆଖି ଜକେଇ ଆସିଥିଲା।


ମା ବି କାନ୍ଦୁଥିଲା ଫୋଟୋରେ।




Rate this content
Log in