ଗୌତମୀ
ଗୌତମୀ
ତୁମେ ଜଣେ ଶିକ୍ଷକ ହୋଇ ମଦ ପିଉଛ ? ଛି ! ପିଇକି ପରା ପାଞ୍ଚ ଛଅ ଥର ହେବ ଗାଡିରୁ ପଡିଲଣି । ମୁଁ ଯେତେବେଳେ ତ ଦେଖୁଛି ତୁମେ ତମ ଗାଡିର ପଛରେ ଜଣେ ଦୁଇ ଜଣଙ୍କୁ ଧରି ବୁଲୁଛ । ଗାଆଁ ର ସବୁ ମଦୁଆ ସହିତ ତୁମେ ସାଙ୍ଗ ହେଉଛ । ଦିନେ ଦେଖିବ ଏଇ ମଦ ହିଁ ତୁମର ଜୀବନ ନେଇଯିବ । ଗାଆଁ ର ମାଇପି ମାନେ ଏମିତି କଥା ମୋତେ ଶୁଣାଉଛନ୍ତି ଯେ, କାନରେ ଜମା ଶୁଣି ହେଉନି । ଏମିତି ଯଦି ସବୁଦିନେ ପିଇବ ପୁଅକୁ ଧରି ମୋ ବାପ ଘରକୁ ଚାଲିଯିବି । ସତ କହୁଛି ।
- କଉ ମାଇପି ଟା ତତେ କହୁଛି କିଲୋ ? କହତ । ତା'ର କଥା ମୁଇଁ ବୁଝିଦେବି ।
- ତୁମେ କ'ଣ ବୁଝିବ ? ନିଜେ ଆଗ ମଦ ପିଇବା ଛାଡ, ତା' ପରେ ବୁଝିବ ।
ଟିକିଏ ହେଲେ ତମ ପୁଅ କଥା, ମୋ କଥା ଭାବ । ପୁଅ ଅଙ୍ଗନୱାର୍ଡି ଗଲାଣି ପରା । ଏମିତି ଯଦି ସବୁଦିନେ ତୁମେ ପିଇବ ଆମ ପରିବାରଟା ଭାସିଯିବ । ତୁମେ ବୁଝୁନ କେମିତି ? ମୋ କଥା ମାନ ଆଉ ଜମାରୁ ମଦ ପିଅ ନାହିଁ । ମାସକୁ ମାସ ଯାହା ଦରମା ପାଉଛ ସବୁ ତ ପିଇବାରେ ସାରି ଦେଉଛ । ପରିବାର ଚଳେଇବି କେମିତି ?
ମୋ ପୁଅ କଣ ଶିଖିବ, କୁହତ ? ତୁମେ ଆଉ ଜମା ସୁଧୁରିବ ନାହିଁ । ତୁମ ସହ ଏତେ ବର୍ଷ ହେଲା ରହିଲିଣି ସବୁବେଳେ ତ ମାତାଲ୍ ହେଇ ବୁଲୁଛ । କେବେ ଆଉ ବଦଳିବ ? ମୋତେ ଜମା ଆଉ ଭଲ ଲାଗୁନି ।
ତୁମେ ମଦ, ଅଶ୍ଳିଳ ଚଳଚ୍ଚିତ୍ର ଆଉ ପର ନାରୀ ପ୍ରତି ଏତେ ଆସକ୍ତ ? ଛି ! ମୁଁ ଜାଣି ପାରିଲି ନାହିଁ, ନହେଲେ ତମକୁ କେବେ ବି ବାହା ହେଇ ନଥାନ୍ତି । ସବୁ ଭୁଲ୍ ମୋ ବାପାଙ୍କର । ସରପଞ୍ଚ ହେଲେ କ'ଣ ହେବ ? ନିଜ ଝିଅଟାକୁ ତ ମଦୁଆ ମାଷ୍ଟରକୁ ବାହା ଦେଲେ । ଚାକିରି ଲୋଭରେ ପଡି ମୋ ଜୀବନଟାକୁ ପୁରା ମାଟିରେ ମିଶେଇ ଦେଲେ ।
( ଏଇ ସମୟରେ ଅଙ୍ଗନୱାର୍ଡିରୁ ଅନନ୍ତ ଆସି ଘରେ ପହଞ୍ଚିଲା । ହାତରେ ପ୍ରଗତି ପତ୍ରଟି ଧରି ଥାଏ । )
- ବାପା, ଦେଖନ୍ତୁ ମୋର ପ୍ରଗତି ପତ୍ର । ପଞ୍ଚାଅଶୀ ପ୍ରତିଶତ ନମ୍ବର ରଖିଛି । ଗୁରୁମା କହୁଥିଲେ ମୁଁ ଭଲ ପଢୁଛି, ଆଗରେ ଅଛି ଆଉ ସବୁ ଛୁଆ ମୋ ପଛରେ ।
( ପ୍ରଗତି ପତ୍ର ଟି ହାତରେ ଧରି ) କାହିଁ କେଉଁଠି ଲେଖା ହୋଇଛି ମୁଁ ଦେଖି ପାରୁନି ତ ?
( ଅନନ୍ତର ମାଆ ପ୍ରଗତି ପତ୍ର ଟି ତା' ବାପା ହାତରୁ ଛଡାଇ ନେଇ)
- ତୁମକୁ କେମିତି ଦିଶିବ ? ସକାଳୁ ମଦ ପେଟେ ତ ପିଇ ସାରିଲଣି ।
- ବାପା ବଳମ ବଜାରରୁ ମୋତେ କ'ଣ ଆଣି ଦେଇଛ ?
- ତୋ ବାପା ତୋ ପାଇଁ କିଛି ଆଣି ଦେଇ ନାହାଁନ୍ତି । ମଦ ପିଇ ଖାଲି ହାତରେ ପଳେଇ ଆସିଛନ୍ତି ।
( ଅନନ୍ତ ମନେ ମନେ ବହୁତ ରାଗୁ ଥାଏ । ହେଲେ କିଛି କହି ପାରୁ ନଥାଏ । )
- ମୋ ପୁଅ ଅଙ୍ଗନୱାର୍ଡିରେ ପଢୁଛି ବୋଲି ସେଠାରେ ଖାଉଛି, ମାଗଣାରେ ବହି, ବସ୍ତାନି, ସାର୍ଟପ୍ଯାଣ୍ଟ୍, ଯୋତା ପାଉଛି । ତୁମେ ତ ତା'କୁ ଆଜି ଯାଏ କିଛି କିଣି ଦେଲନାହିଁ । ସବୁ ପଇସା ମଦ ପିଇବାରେ ଉଡାଇ ଦେଉଛ । ସକାଳୁ ସକାଳୁ ସବୁଦିନେ ମଦ ପିଇ ଗାଆଁର ମଝି ରାସ୍ତାରେ ଗଡୁଛ । ତମକୁ ଭଲ ଲାଗୁଛି କି ? ଯାହାକୁ ଦେଖୁଛ ଅଭଦ୍ର ଭାଷାରେ ଗାଳି କରୁଛ । ତମ ପୁଅ ସବୁ ଶୁଣୁଛି । କେମିତି ଲାଗୁଥିବ ତା'କୁ, କୁହତ ?
ସବୁଦିନେ ଏମିତି ସୁରେଶ ସହିତ କଳି ଝଗଡା ଲାଗି ଗୌତମୀ କାନ୍ଦେ । ଦିନେ ଏକ ବଡ ଅଘଟଣ ଘଟିଗଲା । ରାତିରେ ତାଙ୍କ ଘରେ ପୋଲିସ୍ ଆସି ପହଞ୍ଚିଲେ । କ'ଣ ପାଇଁ ସୁରେଶକୁ ତୁମେ ବିଷ ଦେଇ ମାରିଲ ବୋଲି ପୋଲିସ୍ ଗୌତମୀକୁ ଅନେକ ପ୍ରଶ୍ନ କରିବାରୁ ଗୌତମୀ ଭାରି କଷ୍ଟରେ କାନ୍ଦି କାନ୍ଦି କହିଲା,
- ସ୍ବାମୀ ହନ୍ତା ନୁହେଁ ମୁଁ । ମୋ ସ୍ବାମୀଙ୍କୁ ମୁଁ କାହିଁକି ବିଷ ଦେବି । ରସିକ ଘରେ ସେ ସବୁଦିନେ ମଦ ପିଅନ୍ତି । ଆଜି ସେଇଠୁ ମଦ ପିଇ ଆସିଲା ପରଠାରୁ ଭଲ ଲାଗୁନି ବୋଲି କହି ଶୋଇ ପଡିଲେ । ବୋଧେ ମଦରେ ବିଷ ଦେଇ ଦେଲେ ତାକର ? ମୁଁ ଅନେକ ଥର କହିଛି ମଦ ପିଅନି ପିଅନି ବୋଲି । ମୋ କଥା ଟିକେ ବି ଶୁଣିଲେନି । ଆଜି ମୋ ପରିବାର ଉଜୁଡି ଗଲା । ହେ ଦଇବ ! ତୁମେ ଏ କ'ଣ କଲ ? ଏମିତି କହି କାନ୍ଦିବାକୁ ଲାଗିଲା ଗୌତମୀ ।
ମୃତ ସ୍ବାମୀ ପାଖରେ ବସି ବିଳାପ କରିବା ଛଡା ଅନ୍ଯ କୌଣସି ବାଟ ତା'କୁ ଦେଖା ଯାଉ ନଥିଲା । ତା' ପୁଅ, ବାପା ,ବାପା , କହି ଅନେକ କାନ୍ଦୁଥାଏ ।
ବାହା ହେବା ପରଠାରୁ ଅନେକ ଥର ଗୌତମୀ ମଦ ନ ପିଇବା ପାଇଁ ତାକୁ ନେହୁରା ହେଇ କହିଥିଲା । ହେଲେ ସୁରେଶ ଜମାରୁ ଗୌତମୀର କଥା ଶୁଣି ନଥିଲା ।
ପାଞ୍ଚ ବର୍ଷ ପୂର୍ବରୁ ସୁରେଶ ଓ ଗୌତମୀର ବିବାହ ବୈଦିକ ରୀତିରେ ଧୁମଧାମ୍ ରେ ହୋଇଥିଲା । ସୁରେଶ ର ବିହାହ ଭୋଜିକୁ ଗାଆଁର ସମସ୍ତ ଲୋକ ଭଲ ହେଇଛି କହି ପ୍ରଶଂସା କରିଥିଲେ । ବରାତି ଦିନ ସେ ସବୁ ବରଯାତ୍ରୀଙ୍କୁ ବିଦେଶୀ ମଦ ସହ ଖାସୁ ମାଂସ ସନ୍ତୁଳା ଦେଇ ଆପ୍ଯାୟିତ କରିଥିଲା ।
ପିଲାଦିନରୁ ସୁରେଶ ଓ ରତନା ଝିଅ ମିତାର ପ୍ରେମ ସଂପର୍କ ଗାଁ ସାରା ସମସ୍ତେ ଜାଣିଥିଲେ । ସୁରେଶର ପିତାମାତା ତାଙ୍କ ଘରକୁ ଯାଇ ବିନା ଯୌତୁକ ରେ ବିବାହ ପାଇଁ କଥାବାର୍ତ୍ତା କରିଥିଲେ । ହେଲେ, ସୁରେଶ ଟିକିଏ ଯୌତୁକ ଲୋଭି । ତା' ବାପା ମାଆଙ୍କ ଠାରୁ ବିନା ଯୌତୁକରେ ବିବାହ ହେବା କଥା ଶୁଣି ରାଗରେ ସେ ନିଆଁ ରଡ କାମୁଡିଲା ଭଳି ହେଲା । ସଙ୍ଗେ ସଙ୍ଗେ ରତନାର ଭାଇ ରସିକ ଘରୁ ପେଟେ ମଦ ପିଇ ରତନାର ଘର ସାମ୍ନାକୁ ଯାଇ ଅଭଦ୍ର ଭାଷାରେ ତା'କୁ ବହୁତ ଗାଳି ଗୁଲଜ କଲା । ରତନାର ମୁହଁ ତଳକୁ ହେଇଗଲା । ସବୁକଥା ଶୁଣି ମିତା ବାହାରକୁ ବାହାରି ଆସି କହିଲା,
- ମୋ ବାପାଙ୍କୁ କାହିଁକି ଗାଳି କରୁଛ ? ତୁମ ବାପା ମାଆ ବିବାହ ପ୍ରସ୍ତାବ ନେଇ ଆମ ଘରକୁ ଆଜି ଆସିଥିଲେ । ବିନା ଯୌତୁକରେ ତ ବିବାହ କରିବା ପାଇଁ ସେମାନେ ରାଜି ହେଲେ । ତୁମେ ତ ଖୁସି ହେବା କଥା । ରାଗୁଛ କାହିଁକି ?
- ବିନା ଯୌତୁକରେ ମୁଁ ତୋତେ ବାହା ହେବିନି ।
ଏହା ଶୁଣି ରତନା ସୁରେଶ ପାଖକୁ ଆସି ତା'ର ହାତ ଧରି କହିଲେ - ଏ ବାପା ମୁଁ ଗରିବ ଲୋକ । ଚାଷବାଷ କରି, ପନିପରିବା ବିକି ଘର ଚଳାଉଛି । ଚାରି ଚାରିଟା ଝିଅ । ଦେହ ମୋର ଦୁର୍ବଳ ହେଲାଣି । ବୟସ ଷାଠିଏ ଛୁଇଁଲାଣି । ଜମି ବାଡି ବୋଲି ଦୁଇ ଟୁକୁରି । ଘରେ ବହୁତ ଅଭାବ ବୋଲି କୌଣସି ଝିଅକୁ ଦଶମ ଶ୍ରେଣୀ ଯାଏଁ ପଢାଇ ପାରିଲିନି । ମୋ ସ୍ତ୍ରୀ ପାଞ୍ଚ ବର୍ଷ ହେଲା ମୋତେ ଛାଡିକି ଗଲାଣି । ମୋ ଝିଅକୁ ତ ତୁମେ ଭଲପାଅ । ତାକୁ ବିବାହ କରିବା ପାଇଁ କଥା ଦେଇଥିଲ । ସାମାନ୍ୟ ଯୌତୁକ ପାଇଁ ତୁମେ ମନା କରୁଛ । ତୁମ ବାପା ମାଆ ଆସିଥିଲେ । ସେମାନେ ତ ବିନା ଯୌତୁକରେ ବିବାହ ପାଇଁ ରାଜି ହେଲେ ।
- ମୁଁ ବାହା ହେବି ନା ସେମାନେ ହେବେ ।
ଏକଥା ଶୁଣି ମିତା କହିଲା,
- ତୁମେ ଯୌତୁକ ପାଇଁ ଏତେ ଆସକ୍ତ । ମୁଁ ଜାଣି ନଥିଲି ତୁମେ ଏତେ ବାଜେ ପିଲା ବୋଲି । ମଦ ପିଇ ଆସି ମୋ ବାପାଙ୍କ ସହ କଥା ହେଉଛ । ମୋ ଶାଶ୍ବତ ଭଲ ପାଇବାରେ ତୁମେ କଳଙ୍କ ଲେପି ଦେଲ ଆଜି । ତୁମେ ମୋତେ ନୁହେଁ, କେବଳ ଧନ ରତ୍ନକୁ ହିଁ ଭଲପାଅ । ଛି ! ମୁଁ ଆଜି ବହୁତ ଦୁଃଖିତ ଓ ମର୍ମାହତ । ତୁମକୁ ମୋ ହୃଦୟରେ ପ୍ରଚୁର ଭଲ ପାଉଥିଲି । ତୁମେ ବୁଝି ପାରିବନି ମୋ ହୃଦୟକୁ କି ଦେଇ ପାରିବନି ମୋ ଭଲ ପାଇବାର ମୂଲ । ମୁଁ ଜାଣି ନଥିଲି ତୁମେ ଏତେ ନିଷ୍ଠୁର ବୋଲି ।
- ତମେ ଏତେ ପନି ପରିବା ବିକୁଛ ? ଲକ୍ଷେ ଟଙ୍କା ଦେଇ ପାରିବନି ।
ଏହା ଶୁଣି ମିତା ଆଉ କିଛି କଥା କହି ନପାରି କାନ୍ଦିବାକୁ ଲାଗିଲା । ଘର ଭିତରକୁ ଯାଇ ଦୁଆର କବାଟ କିଳିଦେଲା ।
- ବିନା ଯୌତୁକରେ ତୋତେ କିଏ ବାହା ହେଉଛି ମୁଁ ଦେଖିବି ?
ରତନା ଆଉ ମିତାକୁ ଅଭଦ୍ର ଭାଷାରେ ଗାଳି କରି କରି ନିଜ ଘରକୁ ଫେରି ଆସିଲା । ସେଦିନ ଗାଆଁରେ ସମସ୍ତେ ସୁରେଶର ଅଶ୍ଳୀଳ ଭାଷା ଶୁଣି ହସୁଥାନ୍ତି ।
ତା' ପରଦିନ ସକାଳୁ ସୁରେଶର ପିତାମାତା ମିତା ଘରକୁ ଆସି ବିନା ଯୌତୁକରେ ବିବାହ ହେଇ ପାରିବ ନାହିଁ ବୋଲି କହିଲେ । ଏହା ଶୁଣି ମିତା ବିବାହ କରିବାକୁ ମନା କରିଦେଲା । ସୁରେଶର ପିତାମାତା ଏହା ଶୁଣି ନିଜ ଘରକୁ ଫେରି ଆସିଲେ । ସୁରେଶର ବାପା ସୁରେଶକୁ ଡାକି ସବୁକଥା କହିଲେ ।
- ମୋ ପାଇଁ କ'ଣ ଝିଅ ଅଭାବ ? ଏଇ ବର୍ଷ ତା' ଆଗରେ ମୁଁ ବାହାଘର ହେବି । ସିଏ ଦେଖିବ ମୁଁ ଯୌତୁକ ଆଣି ବାହା ହେଉଛି କି ନାହିଁ ? ଯାହା ତ କମାଣି କରୁଛି ସବୁ ଟଙ୍କା ପିଇବାରେ ପଳାଉଛି । ଲକ୍ଷେ ଟଙ୍କା ନାଇଁ ହେଲେ କେମିତି ବାହା ହେବି ?
ସମୟ ନାହିଁ ତମେ ଅତିଶିଘ୍ର ଝିଅ ଖୋଜ । ଯିଏ ଲକ୍ଷେ ଟଙ୍କା ଦେବାକୁ ରାଜି ହେବ ତାଙ୍କ ଘରେ ହଁ କରିଦେବ । ସିଏ କାଳି ହେଉ କି ଗୋରୀ - ଡେଙ୍ଗି ହେଉ କି ପାତଳି, ଯାହା ହେଲେ ବି ଚଳିବ । ମୁଁ କଉ ଭଲ ଚରିତ୍ରର ପିଲା କି ? ଝିଅର ଚରିତ୍ର ଖରାପ ହେଲେ ବି ଚଳିବ ।
ଏହା ଶୁଣି ତାର ବାପା ମାଆ ଝିଅ ଖୋଜାରେ ଲାଗି ଗଲେ । ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଜଣାଇଲେ । ପ୍ରାୟ ଦୁଇମାସ ପରେ ପାଖ ଗାଆଁ ର ବନମାଳୀ ସରପଞ୍ଚର ଝିଅ ଗୌତମୀ ସହିତ ସୁରେଶର ବାହାଘର ଧୁମ୍ ଧାମ୍ ରେ ହେଲା ।
ମିତାର ମନ ବୁଝୁ ନଥାଏ । ସେ ବହୁତ ରାଗୁଥାଏ ସୁରେଶକୁ । ଏତେ ବଡ ବେଇମାନ - ଧୋକାବାଜ - ଟାଉଟର ପିଲା । ମୋ ସହ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ମିଶିଲା ଆଉ ଶେଷରେ ମୋତେ ହିଁ ପ୍ରତାରଣା ଦେଲା । ତା' ପାଇଁ ମୋ ପରିବାର ଆଜି କେତେ ଲଜ୍ଜିତ, ଅପମାନିତ ହେଲେ । ମୋ ଯୌବନ ପ୍ରତି ସେ ଏତେ ଆସକ୍ତ ଥାଇ ବି ଆଜି ଆଉ କାହାକୁ ଧନ ଲାଳସାରେ ବାହା ହେଇଗଲା । ଛି ! ତା'କୁ ପାନେ ଦେବି । ଜମା ଛାଡିବିନି ।
ଏମିତି ଭାବି ସେ ସଠିକ ସମୟକୁ ଅପେକ୍ଷା କଲା । ମଦରେ ଜହର ମିଶାଇ ସୁରେଶକୁ ମାରିବାର ଶପଥ ନେଇ ଶେଷରେ ସେ ଜିତିଗଲା । ପୋଲିସ୍ ଆଗରେ ସୁରେଶକୁ ମଦରେ ଜହର ମିଶାଇ ମାରିଥିବା କଥା ସେ ମୁକ୍ତ କଣ୍ଠରେ ସ୍ବୀକାର କଲା । ଆଜି ମିତା ରାଉରକେଲା ଜେଲ୍ ରେ ଆଜୀବନ ସଜା କାଟୁଛି । ନିଜ ସହ ଘଟିଥିବା ପୁରୁଣା ଦିନ ଗୁଡିକୁ ମନେ ପକାଇ ନିରବରେ ଏକା ଏକା ବସି କାନ୍ଦୁଛି ।
ଏପଟେ ଗୌତମୀ ନିଜ ପୁଅର ମୁହଁକୁ ଦେଖି ସଂସାରରେ ଏକା ଜୀଇଁ ବାର ପ୍ରୟାସ କରୁଛି ।
