ଏକ ନିଆରା ଈଦ୍
ଏକ ନିଆରା ଈଦ୍
ଏକୋଇଶ ଜୁଲାଇ ୨୦୨୧ ତାରିଖ ଥିଲା ଆୟତ ଓ ତା’ସାଙ୍ଗ ମାନଙ୍କ ପାଇଁ ଏକ ବିଶେଷ ଦିନ । କାରଣ ଗୋଟିଏ ଦିନରେ ପଡୁଛି ଈଦୁଲ ଜୁହା ଓ ରଥଯାତ୍ରାରେ ଜଗନ୍ନାଥଙ୍କ ସୁନାବେଶ । ଏହି ଦିନକୁ ସ୍ଵତନ୍ତ୍ର ଭାବେ ପାଳନ କରିବା ପାଇଁ ସେମାନେ ସପ୍ତାହେ ପୂର୍ବରୁ ଯୋଜନା କରିଥିଲେ । ସଂଗୀତାର ନନାଙ୍କୁ ଆୟତ, ଦେବନା ବୋଲି ଡାକେ । ଆମେ କିନ୍ତୁ ତାଙ୍କୁ ଦେବା ନନା ବୋଲି ଡାକୁ । ଭୁବନେଶ୍ଵରର ଏକ ସ୍ଵେଚ୍ଛାସେବୀ ସଂସ୍ଥାରେ କମ କରୁଥାନ୍ତି । ସେ ରବିବାରରେ ଘରକୁ ଆସିଥିବାର ଜାଣି ଆୟତ ତାଙ୍କ ଘରକୁ ଗଲା । ଆୟତ ଓ ସଂଗୀତାକୁ ଏକାଠି ଦେଖି ସେ ଖୁସି ହୋଇ ପଚାରି ବସିଲେ, ପିଲାମାନେ ଏଥର ଯୋଜନା ସବୁ କ’ଣ ରହିଛି । ଆୟତ କହିଲା ଦେବନା ଆପଣ ଆମକୁ ସାହାଯ୍ୟ କଲେ ଆମ ଯୋଜନା ସଫଳ ହେବ । ସଂଗୀତା ଘର ପଛ ପଟ ବାଡିରେ ଆୟତ, ସଂଗୀତା ଓ ଦେବନନା ନଡିଆପତ୍ର ପଟ୍ଟିରେ ବସି କଥାହେଲେ । ଆୟତ କହିଲା ନନା ଏଥର ଗୋଟିଏ ଦିନରେ ଈଦୁଲ ଜୁହା ଓ ସୁନାବେଶ ପଡୁଛି । ଆମେ ଉଭୟ ଗାଁ ଓ ବୃଦ୍ଧାଶ୍ରମରେ ଥିବା ବୁଢାବୁଢୀଙ୍କୁ ସେଇ ଦିନ ଗୋଟିଏ ବକତ ଖାଇବାକୁ ଦେବାର ଯୋଜନା କରିଛୁ । ଏକଥା ଶୁଣି ଦେବ ନନା ବହୁତ ଖୁସି ହେଲେ । ହେଲେ ଏଥିପାଇଁ ତ ବହୁତ ପଇସା ଦରକାର । ଏତେ ପଇସା ତୁମେ ଛୋଟ ପିଲା କେଉଁଠୁ ଆଣିବ ?ସଂଗୀତା କହିଲା –ନନା,ଆପଣ ବୃଦ୍ଧାଶ୍ରମର ମୁଖ୍ୟଙ୍କ ସହ ଯୋଗାଯୋଗ କରନ୍ତୁ । କେତେ ପଇସା ଖର୍ଚ୍ଚ ହେବ ଆମେ ସେଇ ଅନୁସାରେ ବ୍ୟବସ୍ଥା କରିବୁ ।ଶେଷରେ ବୃଦ୍ଧାଶ୍ରମରେ ଥିବା ଷାଠିଏ ଜଣ ଓ ଉଭୟ ଶୁଆଖିଆ ଓ ଫକୀରସାହିରେ ଥିବା ଚାଳିଶ, ଏହିପରି ଶହେ ଜଣ ବୁଢାବୁଢୀଙ୍କ ପାଇଁ ପନିର ଓ ଭେଜ ବିରିୟାନିର ବ୍ୟବସ୍ଥା ହେଲା । ଏହାର ଏକ ବିବରଣୀ ତିଆରି କରି ଆୟତ ଘର ମୋବାଇଲ ନମ୍ବର ସହ ବ୍ଲକ ପ୍ରେସ୍ ହ୍ଵାଟସ୍ଆପ୍ ଗ୍ରୁପରେ ଦେବ ନନା ପଠାଇଲେ । ତା ଆର ଦିନ ପିଲାମାନଙ୍କ ଏହି ମହତ ଉଦ୍ଦେଶ୍ୟର କାହାଣୀ ସମସ୍ତ ଖବର କାଗଜରେ ପ୍ରକାଶ ପାଇଲା । ସୁନାବେଶ ଓ ଈଦୁଲ ଜୁହାକୁ ଆଉ ଛଅ ଦିନ ବାକି ଥାଏ । ଖବରକାଗଜରୁ ଏସବୁ ପଢି ଆଖ ପାଖ ଗାଁ ସମେତ ସହରରେ ଥିବା ଅନେକ ସ୍ଵେଚ୍ଛାସେବୀ ଯୁବକ, ପିଲାଙ୍କ ଏଭଳି ମହତ କାର୍ଯ୍ୟରେ ସାମିଲ ହେବାକୁ ଫୋନ କରି ନିଜ ନିଜର ସହମତି ଜଣାଇଲେ । କିଛି ଅନାଥ ଆଶ୍ରମ ଓ ମଦ୍ରାସାର ମୁଖ୍ୟ ଏଥିରେ ତାଙ୍କ ଗରିବ ଓ ନିରାଶ୍ରୟ ପିଲାଙ୍କୁ ସାମିଲ କରିବା ପାଇଁ ଅନୁରୋଧ ମଧ୍ୟ କଲେ।ଏଥି ପାଇଁ ବ୍ଲକ୍ ର ପ୍ରେସ୍ କ୍ଲୁବ୍ ତରଫରୁ ଅନ୍ ଲାଇନ୍ ଭର୍ଚୁଆଲ ମିଟିଂର ବ୍ୟବସ୍ଥା କରାଗଲା । ପିଲାଙ୍କ ମହତ କାର୍ଯ୍ୟକୁ ସଫଳ କରିବା ପାଇଁ ଶହ ଶହ ଯୁବକ ସମୟ ଦେବାକୁ ଓ ଟଙ୍କା ପଇସା ସାହାର୍ଯ୍ୟ କରିବାକୁ ଆଗେଇ ଆସିଲେ । ଅନେକ ପରିବା ଦୋକାନୀ ବିଭିନ୍ନ ପ୍ରକାରର ପରିବା ନେଇ ଯାଉଛନ୍ତି ବୋଲି ଫୋନ କଲେ ଚାହୁଁ ଚାହୁଁ ପରିବାର ପାହାଡ ଗଦା ହୋଇଗଲା । ପୁଣି ଭର୍ଚୁଆଲ୍ ବୈଠକ ହେଲା। ରାଉରକେଲା ,ଭୁବନେଶ୍ଵର ଓ କଟକର ମୋଟ ଦଶଟି ଅନାଥ ଆଶ୍ରମ ,ବୃଦ୍ଧାଶ୍ରମ ,ମଦ୍ରାସା ସହ ଫକୀରସାହି ଓ ସୁଆଖିଆ ସହ ଆଖପାଖ ଦଶଟି ଗ୍ରାମରେ ପ୍ରତି ପଚାଶ ଜଣରେ ଗୋଟିଏ ଦଳ ଗଠନ ହେବ । ସେମାନଙ୍କ ଦାଇତ୍ଵରେ ଯେଉଁମାନେ ରହିବେ ତା’ର ଏକ ତାଲିକା ସେମାନଙ୍କ ଫୋନ ନମ୍ବର ସହ ଗୋଟିଏ ହ୍ଵାଟସ୍ଆପ୍ କରି ଜଣେଇ ଦିଆଯିବ ବୋଲି ନିଷ୍ପତି ନିଆଗଲା । ଶେଷରେ ସେଇ ଦିନଟି ଆସିଲା । ଏଇଭଳି ଏଥରର ଇଦୁଲ ଜୁହା ଓ ସୁନାବେସରେ ହଜାରରୁ ଅଧିକ ବୁଢାବୁଢୀ ,ଅନାଥ ଓ ନିରାଶ୍ରୟ ପେଟଭରି ଭୋଜନ କଲେ । ଏସବୁ ଆୟତ ଓ ସଂଗୀତା ଭଳି ପିଲାଙ୍କ ଯୋଗୁଁ ସଫଳ ହୋଇଥିବାରୁ ତାଙ୍କ ପ୍ରଶଂସାରେ ସମସ୍ତେ ଶତମୁଖ ହେଲେ । କିନ୍ତୁ ଆୟତ ଓ ସଂଗୀତା ଏକସ୍ଵରରେ କହିଉଠିଲେ ଏହା ଥିଲା ଆଲ୍ଲା ଓ ଜଗନ୍ନାଥଙ୍କ ଏକାନ୍ତ ଇଚ୍ଛା । ସତରେ ଏମିତି ଏକ ନିଆରା ଈଦ୍ ଓ ସୁନାବେଶ ପ୍ରତିବର୍ଷ ଆସନ୍ତା ନି !
