Prasanta kumar Hota

Others

3  

Prasanta kumar Hota

Others

ଏକ ଅନନ୍ୟ ଅନୁଭୂତି

ଏକ ଅନନ୍ୟ ଅନୁଭୂତି

6 mins
147


ଅନେକ ଦିନ ତଳର କଥା। ସେତେବେଳେ ମୁଁ ଚାକିରୀ ବାକିରି ନ ପାଇ ହତାଶ ହେଇ ଯାଇଥାଏ। ବୟସ ବି ଧିରେ ଧିରେ ଗଡି ଚାଲିଥାଏ। ମଝିରେ ମଝିରେ ରାସ୍ତା କଡରେ ବସୁଥିବା ଜ୍ୟୋତିଷମାନଙ୍କ ପାଖକୁ ଯାଇ କେତେବେଳେ କୋଷ୍ଠି ଦେଖାଏ ତ କେତେବେଳେ ହାତ ଦେଖାଏ। ଭବିଷ୍ୟତ ବାଣୀରେ କେହି ଅବଶ୍ୟ ହତାଶ କରନ୍ତି ନାହିଁ। ଆଗକୁ ଏତେ ଭଲ ଅଛି ଭାବି ସୁନ୍ଦର ସୁନ୍ଦର ସ୍ଵପ୍ନ ଦେଖେ। ଦେଇଥିବା ପରୀକ୍ଷାରେ ବିଫଳତା ଆସିଲା ପରେ ପୁଣି ବାସ୍ତବ ରୂପକୁ ପାଇ ପ୍ରକୃତିସ୍ଥ ହୁଏ। ଶେଷରେ ବିରକ୍ତ ହୋଇ ନିଜ ଚାକିରି ବିଷୟରେ ଜାଣିବା ପାଇଁ ନିଜେ ଜ୍ୟୋତିଷ ଶିଖିବା ଆରମ୍ଭ କଲି। ଯିଏ ମୋତେ ଶିଖାଉଥିଲେ ସିଏ ବାରମ୍ବାର କହୁଥାନ୍ତି ଏହି ପାଠରେ ଦିନକୁ ଦୁଇଘଣ୍ଟା ରୁ ଅଧିକ ମନୋନିବେଶ ଭଲ ନୁହେଁ। କାରଣ କିଛି ନ କହିଲେ ବି ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଇସାରା କରୁଥିଲେ ବୋଲି ବୁଝି ପାରୁଥିଲି I 

ଛ'ମାସ ପରେ ଯେତେବେଳେ ଜ୍ୟୋତିଷ ବିଦ୍ୟାକୁ କିଛିଟା ଆୟତ୍ତ କରିବାକୁ ଲାଗିଲି ଓ କୋଷ୍ଠି ପଢିବାରେ ସମର୍ଥ ହେଲା ପରି ଅନୁଭବ ଆସିଲା ସେତେବେଳେ କିନ୍ତୁ ଚାକିରୀ ମିଳି ସାରିଥିଲା। ନିଜ ଚାକିରି ବିଷୟରେ ଆଉ ଅଯଥା ଅନୁସନ୍ଧାନ କଲି ନାହିଁ କାରଣ ଶିଖେଇଥିବା ବ୍ୟକ୍ତି କହିଥିଲେ ଆବଶ୍ୟକତା ଅନୁଭବ ନକଲା ପର୍ଯ୍ୟନ୍ତ ଏ ପାଠରୁ ଭବିଷ୍ୟତ ଜାଣିବାର ଆଗ୍ରହ ନରହିବା ଭଲ। ତେଣୁ ଚାକିରୀ ପାଇଲା ପରେ ଏ ପାଠକୁ ଏକରକମ ଭୁଲି ଯାଇଥିଲି।

ସେଦିନ ରବିବାର ଥାଏ। ମାମୁଁ ତାଙ୍କ ପୁଅ ପାଇଁ ଝିଅ ଦେଖିବାକୁ କକେଇଙ୍କ ସହ ଆସି ପହଞ୍ଚି ଯାଇଥାନ୍ତି। ବାପାଙ୍କ ସହିତ ସମସ୍ତେ ବାହାରି ଗେଟ୍ ବାହାରେ ହଠାତ୍ ଅଟକି ଗଲେ। ମୁଁ ସେହି ଆଡକୁ ଅନାଇ ଥାଏ, ବାପା କହିଲେ ଆମେ ଶୁଭ କାର୍ଯ୍ୟରେ ଯେତେବେଳେ ଯାଉଛେ ତିନି ବ୍ରାହ୍ମଣ ଏକା ସାଙ୍ଗରେ ଯିବା ଉଚିତ୍ ନୁହେଁ। କକେଇ ଥଟାରେ କହିଲେ ତମେ ଦୁଇଜଣ ତାହାଲେ ଆଗରେ ଯାଅ ମୁଁ ପଛରେ ଯାଇ ପହଞ୍ଚୁଛି। ମାମୁଁଙ୍କୁ କଥାଟା ପାଇଲା ନାହିଁ। କହିଲେ ଏଇଟା ଗୁନ୍ଧୁରେଇଲା ପରି ହେବ। ବରଂ ଆଉ ଜଣେ ଗଲେ ଭଲ ହୁଅନ୍ତା। 

ସମସ୍ତେ ପରସ୍ପରକୁ ଅନାଇ ନୀରବରେ ପଚାରୁଥାନ୍ତି, ଚତୁର୍ଥ ବ୍ୟକ୍ତି ତାହାଲେ କିଏ। ମାମୁଁଙ୍କ ଦୃଷ୍ଟି ମୋ ଆଡେ ପଡିବା କ୍ଷଣି ମୋତେ ଇସାରା କରି କହିଲେ ଟିପ୍ପଣୀ ମିଳାଇବା ଜ୍ୟୋତିଷ ପରା ଏଇଠି ବସିଛନ୍ତି I ଆଉ କାହାକୁ ଡାକିବା କଣ ଦରକାର।


ମୁଁ ପାଖରେ ପହଞ୍ଚିଲା ପରେ ମୋତେ କହିଲେ - ଆମେ ଝିଅ ଦେଖିବାକୁ ଯାଉଛୁ । ତୁ ବି ଆମ ସାଙ୍ଗରେ ଚାଲ। 

ମୁଁ କାହିଁକି ଯିବି କହୁ କହୁ ଉତ୍ତର ଆସିଲା - ଆରେ କାହିଁକି କଣ! ଝିଅ ଦେଖାରେ ଖାଇବାର ପର୍ବଟା ବହୁତ ବଢିଆ ବୋଲି କଣ ଜାଣିନୁ। ମୁଁ ଆଉ ବିଶେଷ କଥା ନ କହି ବାହାରି ପଡିଲି। ସମସ୍ତେ ଆସି ଝିଅ ଘରେ ପହଞ୍ଚି ଗଲୁ। ଝିଅର ବାପା ମାଆ କେହି ନାହାନ୍ତି। ଏମାନେ ତାର ଭାଇ ଭାଉଜ। ନମସ୍କାରର ଆଦାନ ପ୍ରଦାନ ପରେ ଭାଇ ହଠାତ୍ ଅନ୍ତର୍ଦ୍ଧାନ ହେଇଗଲେ। ଭାଉଜ ଆମ ମାନଙ୍କୁ ଭିତରେ ବସାଇ ନିଜେ ସମ୍ମୁଖରେ ବସି କଥା ହେବାକୁ ଲାଗିଲେ। ତିନିଜଣ ବଯସ୍କ ପୁରୁଷଙ୍କ ସହ ଜଣେ ଅଳ୍ପ ବୟସ୍କ ମହିଳାଙ୍କ କଥାବାର୍ତ୍ତା ମୋତେ କେମିତି ପ୍ରଥମରୁ ଅଡୁଆ ଅଡୁଆ ଲାଗୁଥାଏ। ଝିଅର ଜାତକ ଭଲ ମେଳକ ପଡିଥିଲେ ବି ମାମୁଁଙ୍କୁ ଏସବୁ ପସନ୍ଦ ଲାଗେ ନାହିଁ। 

ମୁଁ ତାଙ୍କ କଥାବାର୍ତ୍ତାରେ ଧ୍ୟାନ ନଦେଇ ଚାରି ଆଡକୁ ଲକ୍ଷ୍ୟ କଲି ।ସନ୍ଧ୍ୟା ହେଇ ନଥାଏ। ତଥାପି ଘର ଭିତରେ ଆଲୁଅର ଅଭାବ ଅନୁଭବ କରିବାରୁ ମାମୁଁଙ୍କୁ ଧିରେ ପଚାରିଲି - ଏଇ ଅନ୍ଧାରରେ କଣ ଝିଅ ଦେଖିବ। 

ସମ୍ମୁଖରେ ବସିଥିବା ଝିଅର ଭାଉଜଙ୍କୁ ବୋଧହୁଏ କଥାଟା ଶୁଭିଗଲା। ତତକ୍ଷଣାତ ଉତ୍ତର ଦେଲେ ଝିଅ ଆସିଲା ବେଳକୁ ଲାଇଟ୍ ସୁଇଚ୍ ଅନ୍ କରିଦେଲେ କିଛି ଅସୁବିଧା ରହିବ ନାହିଁ। 

ମନେ ମନେ ମୁଁ ଭାବିଲି ଆମ ପାଇଁ ବୋଧହୁଏ ସୁଇଚ୍ ଅନ୍ କରି ବହୁତ ବଡ କାମଟେ କରି ଦେବେ ସେଥିପାଇଁ ବ୍ୟସ୍ତ ନହେବାକୁ ବୁଝାଉଛନ୍ତି। 

ବାପା ପଚାରିଲେ ରମେଶ ବାବୁ କୁଆଡ଼େ ଗଲେ କି! 

ଆପଣମାନଙ୍କ ପାଇଁ କଣ ଦି'ଟା ଆଣିବାକୁ ଯାଇଛନ୍ତି ବୋଲି ଭାଉଜ ହସି ହସି କହିଲେ। 

ସେ ହସରେ ତାଙ୍କ କହିବାର ତୃପ୍ତି ବାରି ହେଇ ଯାଉଥାଏ। ମୁଁ ଭାବିଲି ଭାଇ ବୋଧହୁଏ ଜବରଦସ୍ତ ଜଳଖିଆ ପର୍ବର ବନ୍ଦୋବସ୍ତରେ ଅଛନ୍ତି। 

ବାହାରୁ କଲିଂବେଲର ଶବ୍ଦ ଶୁଭିବାରୁ ରମେଶ ବାବୁ ଆସିଲେଣି କହି ଭାଉଜ ଉଠିଗଲେ। ମୋର ମଧ୍ୟ ଖାଇବାର ଲାଳସାରେ ଭୋକର ମାତ୍ରା ବଢିବାକୁ ଲାଗିଲା। 

ଘର ଭିତରକୁ ରମେଶ ବାବୁ ପଶି ଆସୁ ଆସୁ କହିଲେ - ବଜାର ଭିଡ ଥିଲା ବୋଲି ଟିକେ ଡେରି ହେଇଗଲା। ଏତିକିବେଳେ ଝିଅ ଗୋଟିଏ ଟ୍ରେରେ ଚାରୋଟି ପ୍ଲେଟ ଆଣି ସମସ୍ତଙ୍କ ପାଖରେ ରଖିଦେଲା। ପ୍ଲେଟରେ ଆମ୍ପ୍ରୋ ବିସ୍କୁଟ ଚାରୋଟି, କଞ୍ଚା ପରି ଦିଶୁଥିବା ଗୋଟିଏ କଦଳୀ ଓ ରାସ୍ତା କଡର ସୁଜିଦାନା ବରା ପରି ଦିଶୁଥିବା ଛୋଟ ବରା ଗୋଟିଏ। ଖାଦ୍ୟ ଦେଖି ମୋର ଉତ୍ପନ୍ନ ହେଇଥିବା ଭୋକ ପୁଣି ଫେରି ଯିବାର ପ୍ରୟାସ କଲା। ବାପା ଅବସ୍ଥା ଦେଖି କହିଲେ - ଚାଲନ୍ତୁ ବାହାରେ ବସିବା, ବାହାର ଫରଚାରେ ଝିଅ ଦେଖାଟା ଭଲ ହେବ । ଭାଉଜ ପାଖରେ ଠିଆ ହେଇଥିଲେ, କହିଲେ, ମୁଁ ଲାଇଟ ଲଗେଇ ଦେଉଛି, ଅନ୍ଧାର ଏବେ ପଳେଇବ। ଆମ ପାଇଁ ଭାଉଜ ଏହି ମହାନ କାମ କରିବାକୁ ଉଦ୍ୟତ ହେଉଥିଲେ, କକେଇ କହିଲେ ଅଦରକାରୀ ବିଜୁଳି ଖର୍ଚ୍ଚ କାହିଁକି କରିବେ, ବରଂ ବାହାରେ ବସିବା ଭଲ। କକେଇଙ୍କ କଥାକୁ ସମସ୍ତେ ସମର୍ଥନ କଲା ପରି ଉଠି ଆସିଲେ। ମୋତେ କିନ୍ତୁ ସେଇଠି ବସି ରହିବା ପାଇଁ କହିଲେ। ମୋର ଝିଅ ଦେଖିବା ବୋଧହୁଏ ଉଚିତ ନୁହେଁ ବୋଲି ମନେକଲେ ଓ ମୋର ଖାଇବାରେ ଅହେତୁକ ଆଗ୍ରହ ବୋଧହୁଏ ସମସ୍ତେ ବୁଝି ପାରୁଥିଲେ। ମୁଁ କିନ୍ତୁ ଭାବୁଥିଲି ଜାତକ ଦେଖି ଝିଅକୁ ଅତ୍ୟଧିକ ପସନ୍ଦ କରି ଥିବାରୁ ବାପା ବୋଧହୁଏ କୌଣସି ଆଶଙ୍କା କରି ପାଖକୁ ଡାକି ନଥିଲେ। 

ମୁଁ କିନ୍ତୁ ଝିଅକୁ ଟ୍ରେ ଧରି ଆସିଲା ବେଳେ ବେଶ୍ ଭଲରେ ଦେଖି ସାରିଥିଲି। ଝିଅର ସରଳ ସୌନ୍ଦର୍ଯ୍ୟ ମୋତେ ମୁଗ୍ଧ କରିଥିଲା। ମୋର ଆଉଥରେ ଦେଖିବାର ଉତ୍କଣ୍ଠା ବି ନଥିଲା। ମୁଁ ସେଇଠି ଘର ଭିତରେ ବସି ରହିଲି। ପ୍ଲେଟରେ ଥିବା ଖାଦ୍ୟ ଗୁଡିକରେ କେହି ହାତ ମାରି ନଥାନ୍ତି। କକେଇ ମାମୁଁଙ୍କୁ କହୁଥିଲେ କଦଳୀ କଞ୍ଚା ଅଛି ବୋଲି କଣ ଖାଉନ କି। ସେ ବାରମଜା ବି ପାଟିକୁ ନିଅନି। ନଚେତ୍ ତମର ଯୋଉ ଦୁଇ ଚାରିଟା ଦାନ୍ତ ବଞ୍ଚିଛି ସେ ବି ଯିବ।


ଖାଇବା ସବୁ ସେମିତି ଥୁଆ ହେଇ ଥିଲା । ମୋର କାହିଁକି ଟିକେ ନେବାକୁ ଇଚ୍ଚା ହେଲା । ମୁଁ କଦଳୀ ଉପରେ ହାତ ପକେଇ ଦେଖିଲି, ସତରେ ପୁରା ଟାଣ। ମିକ୍ସଚରରେ ହାତ ମାରିବାକୁ ଯାଉଛି ଦେଖିଲି ତାଙ୍କର ଛୋଟ ଛୋଟ ପୁଅ ଝିଅ ଦୁଇ ଜଣ କବାଟ ପାଖରେ ଠିଆହୋଇ ଆସିବାକୁ ଉଦ୍ୟତ ହେଉଛନ୍ତି କିନ୍ତୁ ଆସୁ ନାହାନ୍ତି। ତାଙ୍କ ଶୃଙ୍ଖଳା ଦେଖି ମୋତେ ଖୁସି ଲାଗିଲା। ସେମାନଙ୍କ ଗୋଡ ଦୁଇଟା ବାରମ୍ବାର ଆଗକୁ ଆସୁଥାଏ ଓ ପୁଣି ଯିବା ଉଚିତ୍ ନୁହେଁ ଭାବି ଫେରି ଯାଉଥାଏ। 

ଏମାନେ ଏମିତି କଣ ପାଇଁ ହେଉଛନ୍ତି ଭାବି ମୁଁ ଆଶ୍ଚର୍ଯ୍ୟ ହେଉଥାଏ। ଶୃଙ୍ଖଳିତ ପିଲା ପରି ସେମାନେ କିନ୍ତୁ ସେଠାରୁ ଘୁଞ୍ଚୁ ନଥାନ୍ତି। ସେମାନେ ମୋ ପାଖକୁ ବା କଣ ପାଇଁ ଆସିବେ। ତଥାପି ସେମାନଙ୍କର ମୋ ପାଖକୁ ବାରମ୍ବାର ଆସିବାର ଆଗ୍ରହ ଦେଖି ମୁଁ ହାତ ଠାରି ଡାକି ଦେଲି। ମୋ ଡାକକୁ ସେମାନେ ଅପେକ୍ଷା କଲା ପରି ମୋ ଆଡ଼କୁ ମାଡି ଆସିଲେ। ମୋତେ ଭାରି ଖୁସି ଲାଗିଲା। ଯାହା ହେଉ ପିଲା ଦୁଇଟା ମୋ ସାଙ୍ଗରେ ମିଶିବାକୁ ଚାହୁଁଛନ୍ତି। ମୁଁ ପିଲାଙ୍କ ମୁହଁ କୁ ଅନେଇଲି। ପିଲା ଦୁଇଜଣ ମୋତେ ଥରେ ଦେଖୁଥାନ୍ତି, ପ୍ଲେଟ ଆଡେ ଥରେ ଦୃଷ୍ଟି ଦେଉଥାନ୍ତି।ମୁଁ କିଛି ନ କହିବାରୁ ଦେଖିଲି ଦୁଇ ଭାଇ ପ୍ଲେଟ ଆଡେ ଦୃଷ୍ଟି ଦେଇ ପରସ୍ପରକୁ ଦେଖୁଥାନ୍ତି। ବୋଧହୁଏ ଚିନ୍ତା କରୁଥାନ୍ତି ଖାଇବା ଉଚିତ ହେବ କି ନାହିଁ। 

ମୁଁ ତାଙ୍କ ଉତ୍କଣ୍ଠାକୁ ବୁଝିପାରି ଖାଇବାକୁ ଇସାରା କଲି। ପିଲା ଦୁଇ ଜଣ ଯେମିତି ଏହି ଇଙ୍ଗିତକୁ ଅପେକ୍ଷା କରି ରହିଥିଲେ। ମାତ୍ର ଦୁଇ ତିନି ମିନିଟରେ ଚାରୋଟି ପ୍ଲେଟରୁ ଚାରୋଟି କଦଳୀ ଷୋହଳଟି ଆମ୍ପ୍ରୋ ବିସ୍କୁଟ, ଚାରୋଟି ବରା ଓ ବାରମଜା ସରିଗଲା। ମୋ ଆଡ଼କୁ ଥରେ ତୃପ୍ତିରେ ଦେଖି ଦେଇ ଆଉ ଅପେକ୍ଷା ନ କରି ହସି ହସି ଚାଲିଗଲେ।

ଝିଅ ଦେଖା ସରି ଯାଇଥାଏ। ସମସ୍ତେ ଭିତରେ ଆସି ବସି ପଡିଲେ। ପ୍ଲେଟଗୁଡିକ ଖାଲି ଦେଖି ମାମୁଁ ମୋ ଆଡ଼କୁ ଅନାଇ କହିଲେ ତୁ କଣ ସବୁ ଖାଇଦେଲୁ। ତୋର ଭୋକ ଅଧିକ ନହେଲେ ଦାନ୍ତ ଶକ୍ତ କହି ମୁରୁକି ମୁରୁକି ହସିଲେ। 

କକେଇ କହିଲେ ସେ କଣ ଆମ ପରି ବୁଢା ହେଲାଣି ଯେ କହୁଛ। ବାପା ମୋ ଆଡେ ରାଗରେ କଡ଼ମଡ଼ କରି ଅନାଉ ଥାନ୍ତି। ମୁଁ କିନ୍ତୁ କିଛି କହୁ ନଥାଏ। ପିଲା ଦୁଇଟି ଦୂରରୁ ମୋତେ ଦେଖୁଥାନ୍ତି। ବୋଧହୁଏ ନିରୀହ ଆଖିରେ ନିରୀକ୍ଷଣ କରୁଥାନ୍ତି ଯେ ମୁଁ ତାଙ୍କ ବିରୁଦ୍ଧରେ କଣ କହିବି। ସମ୍ୟକ ଆଳାପ ପରେ ସମସ୍ତେ ଉଠିଲେ ଯିବା ପାଇଁ। 

ଭାଉଜ କହିଲେ ଆଉ ଟିକିଏ ବସନ୍ତୁ ମୁଁ ଚାହା ନେଇ ଆସୁଛି। 

କକେଇ କହିଲେ ଆପଣ ନାଲି ଚାହା କରିଛନ୍ତି କି ?

ହଁ ହଁ ନାଲି ଚାହା ବୋଲି ଭାଉଜ ହସି ହସି ସମ୍ମତି ଜଣାଇଲେ। 

କକେଇ କହିଲେ ଥାଉ। ଆମର କ୍ଷୀର ଚାହା ପିଇବାର ଅଭ୍ୟାସ। 

ରମେଶ ବାବୁ ତୁରନ୍ତ କହିଲେ - ଆପଣ ବସନ୍ତୁ ମୁଁ ସାଙ୍ଗେ ସାଙ୍ଗେ କ୍ଷୀର ନେଇ ଆସୁଛି। 

ବାପା କହିଲେ - ଜମା ଆଣନ୍ତୁ ନାହିଁ। କ୍ଷୀର ଚାହା ବେଶି ପିଇଲେ ଦେହ ଖରାପ ହେବ। 

ଭାଉଜ ମୋଉକା ପାଇଲା ପରି କହିଲେ ମୁଁ ସେଥିପାଇଁ ପାଣି ଫୁଟାଉ ଥିଲି। ଆପଣ ନାଲି ଚା ପିଅନ୍ତି କହିଲେ ପତି ପକେଇ ଥାଆନ୍ତି। ନାଲି ଚା ସ୍ଵାସ୍ଥ୍ୟ ପାଇଁ ଭଲ। 

କକେଇ କହିଲେ ଭଲ କରିଛନ୍ତି ପତି ପକେଇ ନାହାନ୍ତି ନହେଲେ ଅଯଥାରେ ଗୁଡାଏ ନଷ୍ଟ ହେଇଥାନ୍ତା। ଆଉ କଥା ନ ବଢାଇ ସମସ୍ତେ ବାହାରି ଆସିଲୁ। ବାପା ଓ ମାମୁଁ ଗୋଟିଏ ସ୍କୁଟରରେ। ମୁଁ ଓ କକେଇ ଆଉ ଗୋଟିଏ ସ୍କୁଟରରେ। କକେଇ ସ୍କୁଟର ଷ୍ଟାର୍ଟ କରି ମୋତେ ବସିବା ପାଇଁ କହିଲେ। ମୁଁ ବସିବାକୁ ଯାଉଛି ସେଇ ଛୁଆ ଦୁଇ ଜଣ ମୋ ଆଡକୁ ଦୋଉଡି ଆସିଲେ। ମୁଁ ଭାବିଲି ବୋଧହୁଏ କୃତଜ୍ଞତାରେ ମୋର ପାଦ ଛୁଇଁବାକୁ ଆସୁଛନ୍ତି। କିନ୍ତୁ ଏ କଣ! ଚୁପକରି ମୋ ହାତରେ କାଗଜ ଖଣ୍ଡେ ଗୁଞ୍ଜି ଦେଇ ଦୋଉଡି ପଳାଇଲେ। ଘରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମୋର ଆଉ ତର ସହିଲାନି। ମୁଁ ସ୍କୁଟରରେ ବସିଥିବା ବେଳେ କାଗଜଟି ଖୋଲି ପଢିଲି। ସେଥିରେ ସୁନ୍ଦର ଅକ୍ଷରରେ ଲେଖା ଥିଲା। ମୋ ଭାଇ ଭାଉଜଙ୍କୁ ସେମାନଙ୍କ କଞ୍ଜୁସୀ ପାଇଁ କ୍ଷମା କରିଦେବେ। ସମସ୍ତଙ୍କୁ ପ୍ରକୃତି ନିଜ ଇଚ୍ଚା ଅନୁସାରେ ମିଳି ନଥାଏ। ସେମାନେ ଯାହା ପାଇଛନ୍ତି ସେୟା, ସେୟା ହିଁ ରହିବେ। ପରିବର୍ତ୍ତନ ଅସମ୍ଭବ ନହେଲେ ବି ବିଳମ୍ବ ଅଛି I 

କଥାରେ ଅଛି କାଳସ୍ୟ କୁଟିଳା ଗତିଃ । କାଳ ନିରବଧି, କାଳ ବହି ଯାଉଥିବ, ଆମେ ଜାଣି ପାରିବା ନାହିଁ। କେତେବେଳେ କିଏ କେମିତି ପରିବର୍ତ୍ତନ ହେବ କେହି କହି ପାରିବେ ନାହିଁ I ଚାହୁଁ ଚାହୁଁ ଏମିତି ଜୀବନ ବି ସରିଯିବ l କିନ୍ତୁ ଆପଣ କ୍ଷମା କରି ଦେଲେ ଭାଇ କରିଥିବା ଯତକିଞ୍ଚିତ ଦୋଷରୁ ମୁକ୍ତି ପାଇଯିବେ। 

ମୋ ଆଖି ସଜ୍ଜଳ ହେଇ ଆସୁଥିଲା, ଘର ପାଖରେ ପହଞ୍ଚି ଯିବାର ଦେଖି ତୁରନ୍ତ ପୋଛିବାକୁ ଚେଷ୍ଟା କଲି। ବାପା ମାମୁଁ ଓ କକେଇ ସ୍କୁଟରରୁ ଓହ୍ଲାଇବା କ୍ଷଣି ପରସ୍ପରକୁ ଅନାଇ ଆଗ ବହେ ହସିବାକୁ ଲାଗିଲେ ଯେମିତି ବହୁତ ସମୟ ହେଲା ହସକୁ ଚାପି ରଖିଥିଲେ। ମୁଁ ନିର୍ବାକ ହେଇ ଝିଅଟିର କଥା ଭାବୁଥାଏ। 



Rate this content
Log in