ଏକ ଆଧ୍ୟାତ୍ମିକ କିମ୍ବଦନ୍ତୀ
ଏକ ଆଧ୍ୟାତ୍ମିକ କିମ୍ବଦନ୍ତୀ
ଆମ ରାଜ୍ୟରେ ଅନେକ କିମ୍ବଦନ୍ତୀ ଅଛି ଯାହାର ସତ୍ୟତାକୁ ପ୍ରମାଣିତ କରି ହୁଏନା l କିନ୍ତୁ ଆମେ ସେଗୁଡିକୁ ବିଶ୍ୱାସ କରୁଛୁ ଠିକ ଯେପରି ଆମ ସାମାଜିକ ପ୍ରଥା ଆମର ପୂର୍ବ ପୁରୁଷଙ୍କ ଅମଳରୁ ଆମେ ଅଦ୍ୟାବଧି ମାନି ଆସୁଛୁ l ଦ୍ୱାପର ଯୁଗର କୀର୍ତ୍ତି ବାହକ ଆଗ୍ରାହାଟ ଗ୍ରାମର ମହାପ୍ରଭୁ ବରିଷ୍ଠ ଅଷ୍ଟ ଶମ୍ଭୁ ଉତ୍ତରେଶ୍ୱର ଭକ୍ତମାନଙ୍କ ଗୁହାରି ଶୁଣି ସେମାନଙ୍କ ଦୁଃଖ ହରଣ କରିବାରେ ଧୁରନ୍ଧର l ଏ ପର୍ଯ୍ୟନ୍ତ ମହାପ୍ରଭୁ ବିରାଟ ମାଟି ଉପରେ ଦଣ୍ଡାୟମାନ l
ପ୍ରାୟ 1970 ଦଶନ୍ଧି ଘଟଣା l ଆମ୍ଭେ ସେତେବେଳେ ମନ୍ଦିର ପାଖରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲୁ l ଖାଇବା ଛୁଟିରେ ଆମ୍ଭେ ଜଣେ ସହପାଠୀଙ୍କ ସହିତ ମନ୍ଦିର ବେଢ଼ା ମଧ୍ୟରେ ଥିବା ବର ଗଛ ତଳେ ବସିଥିଲୁ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ l ହଠାତ ଆମେ ଦେଖିଲୁ ଜଣେ ଅଘୋରୀ ବାବା ହାମୁଡ଼େଇ ପଡ଼ି ମାଟିକୁ ଶୁଙ୍ଘି ଶୁଙ୍ଘି ମନ୍ଦିର ପ୍ରାଚୀର ଆଡ଼କୁ ଆଗେଇ ଚାଲିଥାନ୍ତି l ଯାଇ ଯାଇ ସେ ଗୋଟାଏ ଜାଗାରେ ଅଟକି ଗଲେ l ଆମେ ତାଙ୍କୁ ପଚାରିଲୁ, " ବାବା ମାଟି ଉପରେ କଣ ଦେଖୁଛନ୍ତି? "ଜବାବ ଆସିଲା," ହମ ଇସ ଚଟାନକି ଉପର ଏକ କରେଣ୍ଟ ମହସୁସ କର ରହେ ହୈଁ ଯୋ ଏକ ମୁର୍ଦ୍ଦା କୋ ଜିନ୍ଦା କର ସକ୍ତେ ହୈଁ l ଜବ କୋଇ ମୁର୍ଦେ କୋ ଇସ ଚଟାନ କି ଉପର ରଖ ଦେଁ ଗେ ତୋ ୱହ ଫୌରନ ଜୀ ଉଠେଗା l ମଗର କଲି ୟୁଗ କି ଇନସାନୋ କେ ଲିଏ ଉସ ଜଗହ ହମେଶା ଗୁମ ରହତା ହୈ l "
ଆମେ ବାବାଙ୍କ ଏପରି କଥା ଶୁଣି ହତ ବାକ ହୋଇ ପଡ଼ି ବାବାଙ୍କ ଗୋଡ଼ ଧରି ଲମ୍ବ ହୋଇ ପଡ଼ିଗଲୁ l ମନ୍ଦିର ପାଖ ମଶାଣିର ମୁର୍ଦାର ପୋଡ଼ା ପାଉଁଶ ବାବା ନିଜ ଦେହରେ ବୋଳି ହୋଇଥିବାରୁ ଆମେ ଟିକେ ଅସ୍ଵସ୍ତି ଅନୁଭବ କଲୁ l ତାପରେ ଏକ ବିରାଟ କଳା ନାଗ ଫୁତ୍କାର ଛାଡ଼ି ଆମ ଆଡ଼କୁ ଧାଇଁ ଆସିଲା l ଆମେ ଭୀଷଣ ଡରିଗଲୁ l ବାବା ଆମକୁ ସାହସ ଦେଇ କହିଲେ, " ଡରନେକି କୋଇ ବାତ ନହିଁ l ୟେ ସାଁପ ଶିବଜୀ କା ଭେଜା ହୁଆ ହୈ l ମୈଁ ଉସକା ଆଖୋଁ ସେ ଉସକୀ ବୋଲି ସମଝ ରହା ହୁଁ l ୟେ ଶିବଜୀକୀ ପୟଗାମ ଲାୟା ହୈ କୀ ଔର ହମ ଇସ ମିଟ୍ଟୀ କୋ ତଦାରଖ ନେହିଁ କରନା ଚାହିଏ l ହମ ଆଗେ ବଢ଼େଙ୍ଗେ ତୋ ୟେ ସାଁପ ତୁମ ଦୋନାକୋ ଡଶ ଦେଗା କ୍ୟୋଁ କୀ ହମାରେ ସିୱା କୋଇ ଭି ଇନସାନ କଲି ୟୁଗ ମେଁ ଇସ ମୁକ୍କଦସ ମିଟ୍ଟୀ କୋ ଛୁଁନେକୋ ହକଦାର ନହିଁ ହୈ l ହମ ଅଭି ମହାକାଲେଶ୍ୱର ଉଜ୍ଜୟିନୀ ଚଲା ଯାଏଁଙ୍ଗେ ୟେ ହମାରେ ଗୁରୁ ଶିବଜୀ କା ହୁକୁମ ହୈଁ l ଔର ଆଗେ ତଲାଶ କରେଙ୍ଗେ ନେହିଁ l ତୁମ ୟୁହିଁସେ ଜଲଦି ପାଠ ଶାଲା କୋ ଚଲେ ଜାଓ l ପଢ଼ାଇ ମେ ଧ୍ୟାନ ଦୋ l" ତାପରେ ସାପଟି ମନ୍ଦିର ଭିତରକୁ ପଶିଗଲା l ଆଉ ଆମେ ସ୍କୁଲ କୁ ଫେରି ଆସିଲୁ l
ସେତେବେଳେ ମୋବାଇଲ ଫୋନ ନଥିଲା ଓ ତୁଣ୍ଡ ବାଇଦର ପ୍ରାଧାନ୍ୟ ମାତ୍ରାଧିକ ଥିଲା l ଆମେ ଦୁଇ ଜଣ ସାଙ୍ଗ ଗାଁ ସାରା ବୁଲି ବୁଲି ପ୍ରଭୁ ଉତ୍ତରେଶ୍ଵରଙ୍କ ମୃତ୍ୟୁ ସଞ୍ଜିବନୀ ମୃତ୍ତିକା ବିଷୟରେ ସମସ୍ତଙ୍କୁ ଜଣାଇ ଦେଲୁ l ଆମ ଠାକୁର ଜେଜେ ମୋତେ ପିଲାବେଳେ କହିଥିବା କଥା ସତ ବୋଲି ଅଘୋରୀ ବାବାଙ୍କ ଜରିଆରେ ପ୍ରମାଣ ପାଇଲୁ l ବିଶ୍ୱାସ ବି କଲୁ ଯେ କଳିଯୁଗବାସୀମାନଙ୍କ ନିମିତ୍ତ ଅଷ୍ଟଶମ୍ଭୁ ମହାଦେବ ପ୍ରଭୁ ଉତ୍ତରେଶ୍ଵରଙ୍କ ମନ୍ଦିର ପ୍ରାଙ୍ଗଣସ୍ଥ ମହା ମୃତ୍ୟୁଞ୍ଜୟ ମାଟି ସମ୍ପୂର୍ଣ୍ଣ ଗୁପ୍ତ ଏବଂ ଅଦୃଶ୍ୟ l ଆହୁରି ମଧ୍ୟ ଆମେ ଆଖ ପାଖ ଗାଁର ବୟୋଜ୍ୟେଷ୍ଠ ଲୋକ ତୁଣ୍ଡରୁ ଶୁଣିଛୁ ଯେ ସେଠାରେ ଅବତାରୀ ବିଷ୍ଣୁ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ରୂପରେ ସଖା ଅର୍ଜୁନଙ୍କ ସହିତ ଉକ୍ତ ପବିତ୍ର ଶୈବ ପୀଠରେ ପଦାର୍ପଣ କରିଥିଲେ l ଶ୍ରୀକୃଷ୍ଣଙ୍କ ପବିତ୍ର ପଦରଜ ରେ ଉକ୍ତ ଶୈବ ପୀଠଟି ଉଦ୍ଭାସିତ ହୋଇ ପାରି ଥିଲା l ହରିହରଙ୍କ ଆତ୍ମିକ ଭେଟ ହୋଇଥିଲା l ଅଜ୍ଞାତ ବାସ ଭଙ୍ଗ ବେଳେ ମହାଭାରତ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଅନେକ ଯୋଦ୍ଧାମାନଙ୍କୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ସେହି ମହା ମୃତ୍ୟୁଞ୍ଜୟ ଚଟାଣ ଉପରେ ଶୁଆଇ ଦିଆ ଯାଇଥିଲା l ଫଳରେ ସେମାନେ ପୁଣି ଜୀବନ୍ୟାସ ପାଇ ଥିଲେ l ଯୁଦ୍ଧ ସମାପ୍ତି ପରେ ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁ ଉତ୍ତରେଶ୍ଵରଙ୍କୁ ଉକ୍ତ ସ୍ଥାନକୁ ଊହ୍ୟ ରଖିବାକୁ ଅନୁରୋଧ କରିଥିଲେ l କାରଣ କଳିଯୁଗର ଲୋକେ ଜଡ଼ବାଦୀ ଦୁନିଆଁରେ ଜଡ଼ବାଦର ପ୍ରଭାବ ହେତୁ ଆଧ୍ୟାତ୍ମିକ ବାଦ ଉପରୁ ଆସ୍ଥା ହରାଇ ଷଡ଼ ରିପୁର ବଶବର୍ତ୍ତୀ ହୋଇ ପଡ଼ିବେ l ଅଷ୍ଟାଙ୍ଗ ଯୋଗ ଭୁଲି ବିପଥଗାମୀ ହୋଇ ସମୟ ଅତିବାହିତ କରିବେ l ଶତ ଚେଷ୍ଟା କଲେ ସୁଦ୍ଧା ଉକ୍ତ ଶିବଙ୍କ ମହା ମୃତ୍ୟୁଞ୍ଜୟ ତତ୍ତ୍ୱ ସମ୍ମିଳିତ ପବିତ୍ର ଚଟାଣର ପତ୍ତା ପାଇ ପାରିବେ ନାହିଁ l ଆଜି ଦ୍ୱାପର ଯୁଗର ଭଗବାନ ଶ୍ରୀକୃଷ୍ଣ ନାହାନ୍ତି କି ମତ୍ସ୍ୟ ଦେଶ ଉତ୍କଳରେ ଆଉ ସେପରି ପୁରୁଖା ଲୋକ ନାହାନ୍ତି l ଆଉ ବି ସେପରି ଅଘୋରୀ ବାବା ଆଜିକାଲି ବିରଳ l କେବଳ କିମ୍ବଦନ୍ତୀ ବୋଳା ଜନରବଭିତ୍ତିକ ମରୁତ ସ୍ପର୍ଶା ମନ୍ଦିରଟି ଏକ କେନ୍ଦ୍ର ବିନ୍ଦୁ ପରି ଚାରିବାଟିଆ ଡାଳିଯୋଡ଼ା ବିରାଟ କଟକ ଆଗ୍ରାହାଟ ଗ୍ରାମ୍ୟ ମାଟିର ବୁକୁରେ ଏକ ମୂକ ସାକ୍ଷୀ ସଦୃଶ ପାଞ୍ଚ ହଜାର ସାତ ଶହ ବର୍ଷ ତଳୁ ଆଦ୍ୟାବଧି ଦଣ୍ଡାୟମାନ ହୋଇ ଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଉନ୍ମୁକ୍ତ ରହିବ ଆମର ଭାବୀ ବଂଶଧରମାନଙ୍କୁ ଆଧ୍ୟାତ୍ମିକ ପଥ ପ୍ରଦର୍ଶନ କରିଵା ଉଦ୍ଦେଶ୍ୟରେ l ଓଁ ନମୋ ଉତ୍ତରେଶ୍ଵରାୟ )
******************
