ଏଇ ତ ଜୀବନ
ଏଇ ତ ଜୀବନ
ଅନିମେଶକୁ ନେଇ ସ୍ବପ୍ନରେ ତୋଳୁଥିବା ପ୍ରେମର ତାଜମହଲରେ ଶେଷ ସ୍ପର୍ଶ ଦେବା ପୂର୍ବରୁ ଆଭା ଦେଖୁଥିବା ସ୍ୱପ୍ନ ଅଚାନକ ଭାଙ୍ଗି ଯାଇଥିଲା।କାରଣ ହିଁ ଥିଲେ ତା ବାପା । ଯଦିଓ ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ, ହେଲେ ଭୟଙ୍କର ବଦରାଗୀ ମଣିଷ ।ସେ ଯାହା ଭାବୁଥିଲେ ତାହାହିଁ ଠିକ୍ ବୋଲି ଭାବୁଥିଲେ ଏବଂ ଯାହା ଭାବୁଥିଲେ ତାକୁ ହିଁ କାର୍ଯ୍ୟରେ ପରିଣତ କରୁଥିଲେ। ତାଙ୍କ ନିଷ୍ପତ୍ତି ହିଁ ସମସ୍ତଙ୍କ ପାଇଁ ଶେଷ ନିର୍ଦ୍ଦେଶ । ତାଙ୍କର ନୀତି ନିୟମ ଥିଲା ସମସ୍ତଙ୍କଠୁ ଭିନ୍ନ । ମାଆ କେବେ ବାପାଙ୍କ ସଙ୍ଗେ ଉଚ୍ଚ ସ୍ୱରରେ କଥା ହେବାର ଆଭା ଦେଖିନି। ତେଣୁ ତାଙ୍କୁ ଅବଜ୍ଞା କରିବା ଅର୍ଥାତ୍ ଲକ୍ଷ୍ମଣଗାର ଡେଇଁଯିବା ସହିତ ସମାନ। ତା'ର ପ୍ରଥମ ପ୍ରେମ ଅନିମେଶ ଙ୍କୁ ଦେଖିଲା ପରେ କାହିଁକି କେଜାଣି ବାପା ପସନ୍ଦ କରି ନଥିଲେ। ମା'ର କରୁଣ ଆଖି ଦୁଇଟି ଦେଖି ସବୁ କଥା ବୁଝି ଯାଇଥିଲା ଆଭା । ଅତଏବ ବାଧ୍ୟ ଝିଅଟେ ପରି ଆକାଶଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା ଆଭା। ପଛରେ ରହିଗଲା ଅନିମେଶ ଙ୍କ ପ୍ରକୀର୍ତ୍ତି, ପ୍ରେମ, ପ୍ରତିଶ୍ରୁତି ଇତ୍ୟାଦି ଇତ୍ୟାଦି...!
ଆକାଶ ତାକୁ ପ୍ରଥମ ରାତ୍ରିରେ ହିଁ ଆଶ୍ଵାସନା ଦେଇ କହିଥିଲେ-" ଚିନ୍ତା କର ନାହିଁ ।ମୁଁ ଅଛି। ମୁଁ ହେଉଛି ତୁମର ପ୍ରଥମ ବନ୍ଧୁ ,ସାଥୀ ଆଉ ପରମ ସଖା । ପରସ୍ପରର ହାତ ଧରି ଆମେ ଅତିକ୍ରମ କରିଯିବା ସାମୟିକ ବାଧା ବିଘ୍ନକୁ,ସମସ୍ୟା ସଂକୁଳ ସାଂସାରିକ ଜଞ୍ଜାଳ ଗ୍ରସ୍ତ ସମୟକୁ। ମୁଁ ତୁମ ଆଉ ଅନିମେଶ ବାବୁଙ୍କ କଥା ସବୁ ଜାଣେ। ତୁମ ବାପା ମୋତେ ସବୁ କହିଛନ୍ତି। ହେଲେ ସେ ସବୁ ବିଷୟରେ ଏବେ ଆଲୋଚନା ନକରିବା ଭଲ।ସମୟ ଆସିଲେ ତୁମେ ସବୁକଥା ଠିକ୍ ବୁଝି ପାରିବ।" ଏଇ କେତେ ପଦ କଥା ଆଭାକୁ ଖୁବ୍ ଭଲ ଲାଗିଥିଲା। ତା'ର ପୁରୁଣା ସମ୍ପର୍କ ବିଷୟରେ ସବୁ ଜାଣି ମଧ୍ୟ ଆକାଶ କେମିତି ତାକୁ ବାହା ହେବା ପାଇଁ ରାଜି ହେଲେ !
ସବୁକଥା ଯେପରି ଅଡୁଆ ସୂତା ପରି ଛନ୍ଦି ଧରିଥିଲା ଆଭାର ଚିନ୍ତା ରାଜ୍ୟକୁ । ହେଲେ ଆକାଶଙ୍କର ପ୍ରତିଟି ଶବ୍ଦ ଧିରେ ଧିରେ ଯେମିତି ତା'କୁ ମନ୍ତ୍ରମୁଗ୍ଧ କରି ଦେଉଥିଲା ।ଅଡ଼ୁଆ ସୂତାର ଖିଅ ଖୋଜୁ ଖୋଜୁ ପାଇଗଲା ଭଳି ଆଭାର ବିହ୍ଵଳ ପଣକୁ, ଉତ୍ତାଳ ମନକୁ ଓ ଆବେଗ ସ୍ପନ୍ଦିତ ହୃଦୟକୁ ଆବୋରି ନେଇଥିଲେ ଆକାଶ। କଥା ଦୁଇ ପଦରେ ଯେ ଏତେ ମିଠା ଶିହରଣ ଥାଏ ସେଇ ରାତ୍ରିରେ ହିଁ ଆଭା ପ୍ରଥମେ ଅନୁଭବ କରିଥିଲା । ସର୍ବାଙ୍ଗରେ ଯେତେବେଳେ ତାର ଏଇ ମିଠା ଶିହରଣ ଖେଳି ଯାଉଥିଲା ,ସେ ଅନୁଭବ କରିଥିଲା ଆଉ ଗୋଟିଏ ପାପୁଲି ଭିତରେ ତାର କମ୍ପିତ ପାପୁଲି ଦୃଢ଼ ଭାବରେ ବନ୍ଦୀ ହୋଇ ଯାଇଛି । ଜୀବନ ସାରା ସେଇ ହାତ ସହିତ ହାତ ଛନ୍ଦି ଜୀବନର ପଥ ଅତିକ୍ରମ କରିବ ବୋଲି ସେଇ ଦିନ ଠୁଁ ସେ ଶପଥ ନେଇଥିଲା । ସ୍ବାମୀଙ୍କର ସେଇ ପ୍ରଥମ ସ୍ପର୍ଶଟିକୁ ତା ଚେତନାରେ ଜଡେଇ ଧରି ତା ଜୀବନର ଲମ୍ବା କାହାଣୀ ଲେଖିବ, କାଳ କାଳକୁ,ଇହକାଳ ପରକାଳକୁ ।କଣ୍ଟା ଝଣ୍ଟା ଅରମା ଭଳି ସବୁ ଦୁଃଖକଷ୍ଟ ,ବାଧାବିଘ୍ନର ରାସ୍ତାକୁ ଅତିକ୍ରମ କରି ସଫଳତମା ପତ୍ନୀଟିଏ ହେବ, ପ୍ରେୟସୀ ଟିଏ ହେବ, ବୋହୂଟିଏ ହେବ..!
ସେଇ ମୋହ ଗ୍ରସ୍ତ ଭାବ କଟିବା ବେଳକୁ ତାର ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା ହଠାତ୍। ଆକାଶ ତା ଠୁଁ ଅନେକ ଦୂରକୁ ଚାଲି ଯାଇଥିଲେ। ମନେ ପଡିଲେ ସେଦିନର କଥା ଶିହରି ଉଠେ ଆଭା। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆକାଶଙ୍କ ମୃତ୍ୟୁ ହୋଇ ଯାଇଥିଲା ଘଟଣାସ୍ଥଳରେ। ହସ୍ପିଟାଲ ନେଲା ବେଳକୁ ଆଉ କିଛି ନଥିଲା। ଅଳ୍ପ କେତେ ଦିନର ଦାମ୍ପତ୍ୟ ଜୀବନ ଶେଷ ହୋଇ ଯାଇଥିଲା ନିୟତିର ନିଷ୍ଠୁର ନିଷ୍ପତ୍ତିରେ।
ଆଭା ସେଦିନ ରାତିରେ ଆଖି ଛଳ ଛଳ କରି ଆକାଶଙ୍କ କଥାକୁ ହିଁ ମନେ ପକାଇ ଅତୀତକୁ ଖୋଜୁଥିଲା ।ସେତ ଜୀବନ ସାରା ଖାଲି ଦୀପଟିଏ ହୋଇ ଆଲୋକ ବିତରଣ କରିବ ବୋଲି ଇଛା ପ୍ରକାଶ କରିଥିଲା। ସେ କେବେ ବି ଥରେ ଭାବିନି, ଦୀପ ତଳର ଅନ୍ଧାର କଥା । ଦୀପ ହୋଇ ଜଳିବାର ଅଭିପ୍ସା ,ଧୂପ ଭଳି କୁହୁଳିବାର କପାଳ ଲିଖନ ,ଏଇ ବିରୁଦ୍ଧାଭାଷ ହିଁ ଜୀବନ, ଭାଗ୍ୟର ବିଡମ୍ବନା ,ସେ କଥା ଅନେକ ଡେରିରେ ବୁଝିବାକୁ ବାଧ୍ୟ କରିଥିଲା ନିୟତି। ଏ କଥା ମଧ୍ୟ ବୁଝିଥିଲା ଯେ ଜଳିବାର ସମସ୍ତ ଉପାଦାନ ମହଜୁଦ ଥିବା ସତ୍ତ୍ୱେ ସବୁ ଦୀପ ଶିଖା ଟେକି ଜଳି ପାରେ ନାହିଁ । ଦୀପର ଭାଗ୍ୟରେ ଦୁଃଖ ଲେଖି ହୋଇ ଯାଏ ।ତଥାପି ନିଜ ଭିତରେ ଉତ୍ତର ପାଇଁ ଆଭା ଅଣ୍ଡାଳି ହୁଏ ଆକାଶଙ୍କୁ ।
ଦଲକାଏ ପବନ ପରି ଅନିମେଶ ପୁଣି ଥରେ ତା ଜୀବନ ପରିଧି ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି ବୋଲି ଭାଇଙ୍କ ଠାରୁ ଆଭା ବୁଝି ପାରିଲା । ହେଲେ ଏସବୁ ମୂଳରେ ନିଜେ ବାପା ବୋଲି ବୁଝିବାକୁ ଆଉ ବାକି ନଥିଲା। ଯେଉଁ ବାପା ଦିନେ ଅନିମେଶଙ୍କ ସହ ତା'ର ମିଳାମିଶାକୁ ପସନ୍ଦ କରୁନଥିଲେ, ସେ ପୁଣି ଅନିମେଶଙ୍କୁ ଘରକୁ ଡକାଇ କାହିଁକି ତାଙ୍କ ଝିଅକୁ ଗ୍ରହଣ କରି ନେବାକୁ ଅନୁରୋଧ କରୁଛନ୍ତି।ଅନିମେଶ ବି ସେଥିରେ ରାଜି ହେଲେ କିପରି। ବୋଉ, ଭାଉଜ ସବୁ ଜାଣି ବି କିପରି ବାପାଙ୍କୁ ବୁଝାଉ ନାହାନ୍ତି ! ଆସନ୍ତା କାଲି ଅନିମେଶ ତାଙ୍କ ଘରକୁ ଆସିବା ପୂର୍ବରୁ ତାକୁ ହିଁ କିଛି କରିବାକୁ ପଡିବ।
ସନ୍ଧ୍ୟା ସମୟରେ ବାପାଙ୍କ ହାତକୁ ଚା'କପଟି ବଢେଇ ଦେଇ ଆଭା ସାମ୍ନାରେ ଠିଆ ହେଲା।
-" କ'ଣ କହିବୁ?
-" ଅନିମେଶଙ୍କୁ ଏଠିକୁ ଆସିବାକୁ ମନା କର। ମୁଁ ଆଉଥରେ ବାହା ହେବାକୁ ଚାହୁଁନି।"
-" ହେଲେ ତୋ ବିଷୟରେ ସବୁକଥା ଜାଣି ମଧ୍ୟ ସେ ତ ରାଜି ଅଛି।"
-" ମୁଁ ରାଜି ନାହିଁ।" ଆଭାର ଦୃଢ଼ ଜବାବ ଯେମିତି ନରମ ହେବାକୁ ବାଧ୍ୟ କଲା ଜଣେ କ୍ରୋଧୀ ବାପାଙ୍କୁ।
-" ମୁଁ ଡାକ୍ତରଙ୍କ ସାଙ୍ଗରେ କଥା ହୋଇ ସାରିଛି। ସେ ସବୁ ଠିକ କରିଦେବେ।"
-" ତୁମେ କିଏ ମୋ ବିନା ଅନୁମତିରେ ଏମିତି ନିଷ୍ଠୁର ନିଷ୍ପତ୍ତି ନେବାକୁ। ତୁମ ଝିଅ ଉପରେ ତୁମେ ଯଥେଷ୍ଟ ଅଧିକାର ସାବ୍ୟସ୍ତ କରି ସାରିଛ। ଆଉ ନୁହେଁ। ମୋ ଗର୍ଭରେ ମୋ ସନ୍ତାନ ବଢୁଛି। ତା'ର ଭବିଷ୍ୟତ ପାଇଁ ମା ହିସାବରେ ମୁଁ ହିଁ ନିଷ୍ପତ୍ତି ନେବାର ଅଧିକାର ରଖିଛି।"
ଜଣେ ଆତ୍ମ କୈନ୍ଦ୍ରିକ ବାପା ଯେମିତି ଭୁଲୁଣ୍ଠିତ ହୋଇ ଯାଉଥିଲେ। ଅସହାୟ ହୋଇ ପଡୁଥିଲେ ନିଜ ଆଜ୍ଞାବହ ଝିଅ ପାଖରେ ସେଇ ମୁହୂର୍ତ୍ତରେ। ନିଜକୁ ତର୍ଜମା କରିବାକୁ ବାଧ୍ୟ ହେଉଥିଲେ। ପତ୍ନୀ ଏବଂ ବୋହୂ ଙ୍କୁ ଡାକି ପରାମର୍ଶ ନେଇ ଝିଅକୁ ତା ଇଛା ଅନୁସାରେ ତା ଶାଶୁଘରେ ପରଦିନ ଛାଡିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ ।
ଆଭା ଶାଶୁଘରେ ବୋହୂ ନୁହେଁ ଶାଶୁ ଶ୍ୱଶୁରଙ୍କର ଝିଅ ହୋଇ ଯାଇଥିଲା। ଶ୍ରବଣ କୁମାର ଭଳି ଏକମାତ୍ର ପୁତ୍ରକୁ ହରାଇ ଭାଙ୍ଗି ପଡିଥିବା ଦୁଇ ନିସ୍ତେଜ ପ୍ରାଣରେ ଆଶାର କିରଣ ବିଞ୍ଚି ଦେଇଥିଲା ଆଭା। ଚାକିରୀଟିଏ ମଧ୍ୟ ଯୋଗାଡ କରି ନେଇଥିଲା ନିଜ ଦକ୍ଷତାରେ।ସେ ଆଜି ସମାଜ ପାଇଁ ଏକ ଦୃଷ୍ଟାନ୍ତ। ମଝିରେ ମଝିରେ ବାପା, ବୋଉ କିମ୍ବା ଭାଇ ଭାଉଜ ଆସି ବୁଲି ଯାଆନ୍ତି। ବାପାଙ୍କ ଆଖିରେ ଆଗପରି ଦମ୍ଭ ଦେଖି ପାରେନା ଆଭା। ସମ୍ଭବତଃ ଅଲିଅଳି ଝିଅର ସଂଘର୍ଷମୟ ଜୀବନକୁ ସହି ପାରୁ ନାହାନ୍ତି ବାପା ହିସାବରେ। ତାଙ୍କ କ୍ରୋଧ,ତାଙ୍କ ସ୍ବାଭିମାନ ପଛରେ ଗୋଟିଏ ନରମ ପିତୃତ୍ବ ଛପି ରହିଥିବା ଅନୁଭବ କରୁଥିଲା ଆଭା।
ଆଭା ହଠାତ୍ ଦିନେ ଖବରକାଗଜ ପୃଷ୍ଠାରେ ଅନିମେଶଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ପ୍ରଥମ ପତ୍ନୀଙ୍କ ଅଜଣାତରେ ସେ ଆଉଥରେ ବାହା ହୋଇ ଦ୍ବିତୀୟ ପତ୍ନୀଙ୍କୁ ନେଇ ଏଇ ସହରରେ ଅବସ୍ଥାନ କରୁଥିବା ଖବର ଖୁବ୍ ରୋଚକ ଢଙ୍ଗରେ ଉପସ୍ଥାପିତ କରାଯାଇଥିଲା।ଏ ଖବରକୁ ବିଶ୍ବାସ କରି ପାରୁ ନଥିଲା ଆଭା। ଏହି ସମୟରେ ଭାଇଙ୍କ ଫୋନ୍ ବି ଆସିଲା । କୌତୁହଳ ବଶତଃ ଫୋନ୍ ଉଠାଇଲା ଆଭା। ସେପଟୁ ଥିଲା ବାପାଙ୍କ ସ୍ବର। -" ମା ତୁ ମୋତେ ବଞ୍ଚାଇ ଦେଇଛୁ । ତୁ ଯଦି ମୋ କଥା ମାନି ସେଦିନ ଅନିମେଶକୁ ବାହା ହେବାକୁ ରାଜି ହୋଇଥାନ୍ତୁ, ତୋ ଜୀବନ ନଷ୍ଟ ହୋଇ ଯାଇଥାନ୍ତା। ଏ ଉଦ୍ଧତ ଅବାଧ୍ୟ ବାପାକୁ କ୍ଷମା କରିଦେବୁ ରେ ମା।" ବାପାଙ୍କ ରୁଦ୍ଧ କଣ୍ଠର ସ୍ବର ଆଉ ଶୁଭୁନଥିଲା । ଫୋନ୍ କଟି ଯାଇଥିଲା ସେପଟୁ ।
ହେଲେ ନିଜେ ତ ପ୍ରଥମେ ଜିଦି ଧରିଥିଲା ଅନିମେଶ କୁ ବାହା ହେବାକୁ। ବାପାଙ୍କ କ୍ରୋଧୀ ସ୍ବଭାବ ହିଁ ସେଦିନ ଏକ ଅନର୍ଥରୁ ବଞ୍ଚାଇ ଦେଇଥିଲା। ଆକାଶ ବୋଧହୁଏ ଅନିମେଶଙ୍କ ଭଳି କୋଟିପତି ଉଦ୍ୟୋଗୀପତିଙ୍କ ବିଷୟରେ ଆଗରୁ ଜାଣିଥିଲେ। ସେଥିପାଇଁ ସମୟ ରେ ଠିକ୍ ବୁଝିପାରିବି ବୋଲି ବୁଝାଇଥିଲେ। ଆକାଶଙ୍କ କଥା ଭାବି ଆଭା ଆଖିରୁ ଦୁଇ ଟୋପା ଲୁହ ଖସି ପଡିଲା। କୁନି ପୁଅ ଉଠିପଡି କାନ୍ଦିଲାଣି। ପୁଅକୁ କୋଳକୁ ଉଠାଇ ନେଇ ପଣତ ଘୋଡେଇ ଦେଲା ଆଭା।

