Kamal Kumar Dash

Others

5.0  

Kamal Kumar Dash

Others

ଦରମା

ଦରମା

2 mins
383


ମାସ ଶେଷ ହେବାକୁ ଆଉ ସପ୍ତାହଟେ ଅଛି । ହେଲେ ରାମ ପାଖରେ ଟଙ୍କା ନାହିଁ । ଦରମା ଯାହା ମିଳିଥିଲା ସବୁ ସରିଗଲାଣି । ଘରଭଡା, ପୁଅ ଝିଅଙ୍କ ସ୍କୁଲ ଦରମା, ଟିଉସନ ଫିସ, ବସ ଵାଲାର ଓ କାମ ବାଲିର ଦରମା ଦେଇ ଘର ରାସନ କିଣିବାକୁ ବି ବେଶୀ ଟଙ୍କା ବଂଚୁ ନଥିଲା । ଭୁବନେଶ୍ୱର ଆସିଲା ପରେ ରାମ ଘର ପାଖକୁ ଆସିଥିଲା ହେଲେ ଅର୍ଥାଭାବ ଯୋଗୁଁ ଟିକେ ଚିନ୍ତିତ ଥିଲା । ସବୁ ସପ୍ତାହରେ କିଏ ନା କିଏ କୁଣିଆଁ ଆସୁଥିଲେ । ଏତିକି ବେଳେ ଫୋନ ବାଜିଲା ବୋଉ କହୁଥିଲା ବାପାଙ୍କର ଦେହ ଭଲ ନାହିଁ ସେମାନେ ଆସୁଛନ୍ତି । ସନ୍ଧ୍ୟାରେ ବାପା ବୋଉ ଆସି ପହଁଚିଲେ । ବାପାଙ୍କୁ ଡାକ୍ତର ଦେଖାହେଲା ଓ ସାଲାଇନ ଲାଗିଲା ତା ପର ଦିନ ସେ ଠିକ ହୋଇଗଲେ ଓ ଘରକୁ ଆସିଲେ ।

ହେଲେ ଘରେ କିଛି ରାସନ ସରିଯାଇଥିଲା । ଶ୍ରୀମତୀ ଚିଲେଇ କହୁଥିଲେ ଯାଅ ଡାଲି ଓ ପାରିବା ଆଣି ଆସ ମୁଁ କ’ଣ ରାନ୍ଧିବି ଘରେ କିଛି ନାହିଁ । ବୋଉକୁ ଶୁଣେଇ ଶୁଣେଇ ରାମକୁ କହିଲେ ତମ ପାଖରେ ତ ଟଙ୍କା ନାହିଁ ଆଣିବ କୋଉଠୁ । ଡାକି ଡାକି ବାପା ବୋଉ ତୁମକୁ ଭୁବନେଶ୍ୱର ଆଣି ଆସିଲେ ଏବେ ଭୋଗ । ସେଠି ତୁମ ଛୋଟ ଚାକିରୀରେ ଯାହା ଦରମା ମିଳୁଥିଲା ଚଳି ଯାଉଥିଲା ହେଲେ ଏଠି ଦରମା ପନ୍ଦରଦିନ ଯାଉନି । ସବୁ ମାସରେ କାହାର ବାହାଘର ବ୍ରତଘର ନହେଲେ ଶୁଦ୍ଧ ଘର ଆସି ଯାଉଛି  । ରାମ ବାବୁ ଶ୍ରୀମତିଙ୍କୁ ହାତ ଯୋଡି ଚୁପ ହେବାକୁ କହିଲେ ଓ ଟିଫିନ ନ ଖାଇ ଅଫିସ ବାହାରିଲେ । ପଛରୁ ଶ୍ରୀମତୀ ଚିଲେଇ କହୁଥିଲେ ଯୁଆଡେ ଯାଉଛ ଯାଅ ହେଲେ ଘରେ ଯାହା ଦରକାର ଆଣି ଦେଇଯାଅ ଆମେ ସବୁ ଖାଇବୁ କ'ଣ ? ରାମ ବି ଚିଡ଼ିକି କହିଲା ଏବେ ଆଣିବା ଦରକାର ନା ଅଫିସରୁ ଆସିଲା ବେଳେ ଆଣିଲେ ଚଳିଵ । ସେ ତୁମ ଇଚ୍ଛା କହି ଗାଧୁଆ ଘରେ ପଶିଗଲେ । ବୋଉ ପାଞ୍ଚଶହ ଟଙ୍କାର ନୋଟଟେ ନେଇ ରାମକୁ ଦେଲେ । କହିଲେ ତୋ ପାଖରେ ପଇସା ନାହିଁ ଯା' ଯାହା ଦରକାର ଏଥିରେ କିଣି ନେଇ ଆସିବୁ ।

ରାମ ମନା କଲା କହିଲା ବୋଉ ଚାକିରୀ କଲା ପରେ ଆଉ ତୋଠୁ କେବେବି ପଇସା ନେଇନି । ଆଜି କାହିଁକି ନେବି ? ଅଫିସରେ ସାଙ୍ଗଠୁ ଆଣିବି । ବୋଉ କାନ୍ଦି ପକାଇଲା ଓ କହିଲା - ମୋ ପାଖରେ ବାପାଙ୍କର ପେନସନ ଟଙ୍କା ଅଛି । ଆମର ଟଙ୍କା କ’ଣ ହେବ ? ଆଉ ସପ୍ତାହେ ପରେ ଏ ମାସର ପେନସନ ଆସିଯିବ । ମୋ ରାଣ ତୁ ନେ’ । ରାମ ଆଖିରେ ଲୁହ ଆସିଗଲା । ବୋଉଠୁ ଟଙ୍କା ନେଲା ବେଳେ ତା ହାତ ଥରି ଉଠିଲା ହେଲେ ବୋଉ ରାଣ ପକାଇଥିବାରୁ ତା ପାଖରେ କିଛି ଚାରା ନଥିଲା । ବୋଉ ତାଙ୍କ କାନିରେ ରାମର ଲୁହ ପୋଛିଦେଲେ ଓ ଠିକ ପିଲା ଦିନ ପରି ଓ ଜୋର କରି ଟିଫିନ୍ ଖୁଆଇଲେ । ହେଲେ ନିଜ ଆଖିର ଲୁହକୁ ସମ୍ଭାଳି ପାରିଲେନି । ତା' ପରେ ରାମ ଅଫିସ ବାହାରିଗଲା ।


Rate this content
Log in