Satyabati Swain

Others

2  

Satyabati Swain

Others

ଧଳା ଧଳା

ଧଳା ଧଳା

4 mins
366



ଯାଇଥିଲି ନବ ଦମ୍ପତ୍ତି ଙ୍କୁ ନୂଆ ଜୀବନ ଆରମ୍ଭ ପାଇଁ ସୁକାମାନା ଦେବି ଗୁପ ଚୁପ୍, ଆଇସିକ୍ରିମ କିଛି ଖାଇବି, ଓ ରିସେପସନ୍ ମଜା ଲୁଟିବି।

           ଯିବାର ଖୁସି ଆସିଲା ବେଳକୁ ଭାରି ଲାଗୁଥିଲା।ଓଦା ହୋଇ ଯାଇଥିଲା ମନ ପ୍ରାଣ।କଣ ଗୋଟେ ହାହାକାରର କରୁଣ ଦୃଶ୍ୟ ମୋତେ ଆନନ୍ଦ ଉପଭୋଗ କରିବାକୁ ଆଦୌ ଦେଉ ନଥିଲା।ଖାଲି ବ୍ୟସ୍ତ କରୁଥିଲା ଓ ବାଁ ପଟ ଛାତିରେ କଣ ଖେଞ୍ଚି ହୋଇ ମୋତେ ଭୀଷଣ ଯନ୍ତ୍ରଣା ପୋତିପକାଉଥିଲା।

        ଯୁଆଡେ ଯାଏ ଏମିତି କିଛି ଅଯାଚିତ ଭାର ବୋହି ଆଣେ ବୋଲି ମୋତେ ସମସ୍ତେ କୁହନ୍ତି ତୁ ଗୋଟେ ଇମୋସନାଲ୍ ଫୁଲ୍।ଏହା ଶହେରୁ ଶହେ ସତ।ମୋତେ ଏ ଭାଵ ଗୁଡା କେହି ବାଧ୍ୟ କରି ଦିଏନି;ମୁଁ ଦୁବ ଅରୁଆ ଚାଉଳ ଦେଇ ବନ୍ଦାପନା କରି ଆଣେ।ଆମ ସାର୍ ମାନେ ମୋ ପତିଦେବ ଖୁବ୍ ଚିଡନ୍ତି ଏ ଗୁଣ ପାଇଁ ମୋତେ।

      ସେମିତି କାଲି 'ବାରବାଟୀ ପ୍ୟାଲେସ୍'ରେ ମୁନ୍ର ରିସେପସନ୍ ପାର୍ଟି କୁ ଯାଇଥିଲି।ଭୋଜି କି ଫିଲ୍ମ ସୁଟିଂ ହେଉଥିଲା ମୁଁ ବୁଝି ପାରିଲି ନାହିଁ।ନାଲି,ଚୂଡ଼ା,ମଫ ମୁଁ।ଏମିତି ଆସର କୁ ଯିବାକୁ ମୋତେ ପ୍ରବଳ ଡର।ମୋତେ କେହି ଅସମ୍ମାନ କଲେ ମୋ ସ୍ୱାଭିମାନରେ ଢେସ୍ ଆସେ।ରୂପରେ ତାଡକା, ଧନରେ ସୁଦାମ,ଗେଟଅପ୍ରେ ଆମ ଗାଁ ପାଗେଳି ନଖି, କଥାବାର୍ତ୍ତାରେ ମୁକ।ଏ ହାଇଫାଇ ସୋସାଇଟିର ନକଲି ହାର୍ଟ ଲେସ୍ ସୋଇଙ୍ଗ୍ ଦୁନିଆଁ ପାଇଁ ମୋ ଯୋଗ୍ୟତା ଗୋଟେ ବଡ଼ ନୈନିତାଲ ଆଳୁ।

         ମୋ ମନ ମୋତେ ଖାଏ।ଯାଉ ନଥିଲି ଏମିତି ପାର୍ଟି ସାର୍ଟି କୁ ସେଇ ପାଇଁ।ଏ ପାଇଁ 'ଦି'ଙ୍କ ଭାରି ଅଭିମାନ।ସେ କଣ ବୁଝନ୍ତି ମୋ ସଙ୍କୁଚିତ ଭାବର କାରଣ।ରଜନୀ ଗନ୍ଧା,ମଲ୍ଲୀ,ସୁଗନ୍ଧରାଜ,ଗଙ୍ଗଶିଉଳି,

ଗୋଲାପ ଫୁଲ ପାଖରେ ମୋ ପରି ଘାସ ଫୁଲଙ୍କ ମାନସିକ ସ୍ଥିତି!!

       ଏଇଟା ମୋର ମନ ଡାକ୍ତରଙ୍କ ଭାଷାରେ ଗୋଟେ ମହାବ୍ୟାଧି।ଏ ରୋଗର କୌଣସି ନିଦାନ ନାହିଁ।ତାଛଡା ମୁଁ ଗୋଟିଏ ନିହାତି ଗୋଟିଏ ବଡ଼ ଦୁର୍ଘଟଣାରୁ ନୂଆ ଜୀବନ ପାଇଲା ପରେ ଘୋ ଘୋ ,ଅତ୍ୟଧିକ ଗପ,ଆଲୋକ,ଶବ୍ଦ ଦେଖିଲେ କି ଶୁଣିଲେ ବାନ୍ତି ହୋଇ ଦେହ ଖାଲି ଥରେ।ଏଣୁ ଯଥା ସମ୍ଭବ ମୋତେ ଏମିତି ପରିବେଶରୁ ଦୁରେଇ ରଖା ଯାଏ।

      ଏଥର କିନ୍ତୁ ନଯାଇ ଗତି ନଥିଲା।ବାରବାଟୀ ପ୍ୟାଲେସ୍ ଗେଟ୍ ରେ ଦୁଇ ସୁନ୍ଦରୀ ପରି ପ୍ରଥମେ ଅଭିଵାଦନ କରୁଥାନ୍ତି ପୁଷ୍ପ ବୃଷ୍ଟି କରି।ତାପରେ ବୁନ୍ ଯିଏ ବର୍ତ୍ତମାନ ଜଣେ ଉଦିୟ ମାନ ଉଜ୍ଜ୍ୱଳ ଡ୍ରଗିଷ୍ଟ ଓ ତା ବଡ ଵାବାଙ୍କ ଭଉଣୀ ଯିଏ କି ଗୋଟେ ବଡ଼ ଫରେନ୍ କମ୍ପାନୀର ମ୍ୟାନେଜର୍, ଦରମା ମାତ୍ର ତିରିଶି ଲକ୍ଷ ମାସକୁ ସ୍ୱାଗତ କରି ଗୋଟିଏ ଲେଖା ପାମ୍ପଲେଟ୍ ଦେଉଥାନ୍ତି।ତୃତୀୟ ରେ ଥାନ୍ତି ସକିନା ଓ ସୁପ୍ରଭା ଅପା ଦୁଇଜଣ, କୋଳେଇ ନେଇ ଚିହ୍ନା ମୁହଁକୁ ଛାତିରେ ଧରିବାକୁ।ଚତୁର୍ଥରେ ମୋ ପ୍ରାଣ ଯାହା ପାଇଁ ସବୁବେଳେ ଝୁରେ ଓ କାନ୍ଦେ ସେଇ ନିରୁ ଦି ଥାନ୍ତି ସମସ୍ତ ଅତିଥି ବୃନ୍ଦଙ୍କୁ ସ୍ମାଇଲ ଦେଇ ଯାହାକୁ ଯେଉଁ ବିଧି ଯେପରି କାହାକୁ ନମ୍ର ନମସ୍କାର, କାହାର ପାଦ ଧୂଳିନେଵା, କାହା ପିଠି ଥାପୁଡ଼େଇ ଦେବା,କାହାକୁ ହ୍ୟାଣ୍ଡ ସେକ୍,କାହାକୁ କୋଳଗ୍ରତ କରି ,ବନ୍ଧୁ ଓ ଅତିଥି ସଂଖୋଳିବା ଖୁସି ଜାହିର କରିବାକୁ।ସତେକି ତାଙ୍କ ମୁହଁ,ହସ ଓ ଆଖି କହୁଥାନ୍ତି ହେ ବନ୍ଧୁ! ତୁମେ ଆସିଲ ମୋତେ ବହୁତ ଖୁସି ଦେଲ।

          ଏମିତି ଆତିଥେୟତା ପୁଣି ସିଷ୍ଟମେଟିକାଲି ମୋ ଜୀବନରେ ଦେଖିବା ପ୍ରଥମ।ମୁଁ କୋଳାଗ୍ରତ ହେବା ଅତିଥି ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲି।ଓଃ ଦି ମୋତେ ଦେଖି ପର୍ଯ୍ୟାପ୍ତ ଖୁସିରେ ପୋତି ପକାଇଲେ।ଏମିତି କହିଲେ ଠିକ୍ ହେବ ଦଶ ମିନିଟ ପାଇଁ ଥମିଗଲା ସଭିଙ୍କ କାମ ମୋତେ ଦେଖି।ବୁନ୍ ମୋ ପୁଅ ଥିଟା ଓ ଆଲଫାଙ୍କୁ କଣ ପଢୁଛନ୍ତି,କେଉଁଠି ପଢୁଛନ୍ତି ଇତ୍ୟାଦି ପଚାରି ବୁଝିଲା।ମୋତେ ଓ ମିଷ୍ଟରଙ୍କୁ କେମିତି ଅଛନ୍ତି,ମୋ ମୁଣ୍ଡ ଫାଟି ଥିବା ଅସୁବିଧା ଦୂର ହେଲାଣି କି ନାହିଁ ଇତ୍ୟାଦି ପଚାରି ବୁଝୁଥିବା ବେଳେ ପାଖ ଲୋକେ ଅବାକ୍ ହେଉଥିଲେ ଆମକୁ ଦେଖି।କାହିଁକିନା ଆମ୍ବାସାଡାର ନଥିଲୁ ରୂପ ଭେକରୁ ଆମେ।କିନ୍ତୁ ମୁଳୁଥିଲା ଏହା ଠାରୁ ଅଧିକ ଆତିଥେୟତା ବୋଲି।ଆମ ଯୋଗୁଁ ପଛରେ ଗେଟ୍ ଭିଡ଼ ହୋଇଯିବାର ଅନୁଭବ କରି ପଛରେ କଥା ହେବା କହି ଓହରି ଆସିଲୁ ଇମୋସନ୍ରୁ ଗହଳିରୁ ଟିକେ।

    ନବ ଦମ୍ପତ୍ତି ମୁନ୍ ଓ ଲିମା ଙ୍କ ପାଖକୁ ଗଲୁ।ୱାଓ କି ଖୁସି ସେ ଦୁଇ ଜଣ ଆମକୁ ଦେଖି। ପ୍ରଥରେ ପ୍ରଣାମ ତାପରେ ଛାତିରେ ଲଗାଇ କାନ୍ଧରେ ମୁଣ୍ଡ ରଖିଲେ। ମାତ୍ରାଧିକ ଖୁସି ଲାଗିଲା ନିରୁ ଦି ତାଙ୍କ ପିଲା ମାନଙ୍କୁ ଅତି ସୁନ୍ଦର ମନର ସଂସ୍କୃତି ସମ୍ପନ୍ନ ସଂସ୍କାରି ମଣିଷ କରି ଗଢି ପାରିଛନ୍ତି।ମୁନ୍ ବାଙ୍ଗାଲୋରରେ ଜଣେ ଲବ୍ଧ ପ୍ରତିଷ୍ଠିତ ଇଞ୍ଜିନିୟର, ଯାହାର ରିସେପସନ୍ ଭୋଜି ହେଉଥିଲା।ମୁନ୍ ତା ସାଂଗ ମାନଙ୍କୁ କହୁଥାଏ "ଏ ମାଙ୍କ ସବୁଠାରୁ ଅଧିକ ଭଲ ପାଉଥିବା ଦି।

          ଫଟୋ,ସଟୋ ଗୁଡ଼ାଏ ଉଠିଲା।ତାପରେ ଆଉ ଦୁଇଜଣ ବାଟ କଢେଇ ନେଲେ ଖାଇବା ପାଇଁ।ଠିଆ ଖା କି ବସି ସବୁର ବ୍ୟବସ୍ଥା।ମାଗି ଖାଇବା ବଫେକୁ ପସନ୍ଦ କରି ଆମେ ଘୁରିଲୁ ଗୋଟିଏ ଷ୍ଟଲ୍ ପାଖରୁ ଆଉ ଗୋଟିଏ ଷ୍ଟଲ୍।ପ୍ରଥମେ ବନାରସୀ ପାନ,ଯାହା ଖାଇବା ପରେ ଲୋଡୁଥିଲେ ସଭିଏଁ।ତାପରେ ଜୁସ୍ କୋଡିଏ ପ୍ରକାରର।ତାପରେ ସୁପ୍ ମୁଁ ଗଣି ପାରିନି,ପକୁଡି ଭୁଗୁନି,ଗୁପ ଚୁପ୍,ପନିର କକଲେଟ,ପର୍ନ,ବେଜ ଚପ୍,ଆଉ ଗୋଟେ କଣ ଦି ପିସ ଦେଲେ ତା ନାଁ ଜାଣି ନାହିଁ।ସତୁରି ଟି ଷ୍ଟଲ୍ ଘୁରିଲା ପରେ ଅଛି,ଖିରା, ଆଇସିକ୍ରିମ ସାତ ଆଠ ଫ୍ଲେବର୍ ର,ଶେଷରେ ପାଣି ଓ ହାତ ଧୁଆ।

     କଣ ସବୁ କକ୍ ଲେଟ୍ ନାମରେ ଖାଦ୍ୟଷ୍ଟଲ୍ ଅଧିକ ଥିଲା।ଏଇ କକ୍ ମାନଙ୍କ କି ଭାଗ୍ୟ!କେତେ ଖାଦ୍ୟ ତାଙ୍କ ନାଁରେ!!ଦହି ଓ ଶସ୍ ପ୍ରାୟତଃ ବ୍ୟବହାର ହୋଇଥିଲା ଖାଦ୍ୟରେ।ସତୁରି ଖାଦ୍ୟରୁ ମୋତେ ବୋଧେ ସତରଟି ନାମ ଜଣା ଥିଲା।ଆଉ ଅନ୍ୟ ଗୁଡିକ ନାଁ ସବୁ ନୂଆ।ମୁଁ କେବଳ ଷ୍ଟଲ୍ ଘୁରୁଥିଲି।ତିନୋଟି ଗୁପ ଚୁପ୍ ,ଦୁଇଟି ଆଇସିକ୍ରିମ ଓ ଗୋଟିଏ ପାନରେ ମୋ ଛୋଟିଆ ପେଟ ମୁଣି ଟି ଖୁସି ଥିଲା।

   ଘଣ୍ଟା କହିଲା ଏଇ ଦଶ ବାଜିଲା।ଯିବୁନି କି ରଙ୍କୁଣୀ ପରି ଖାଲି ଦେଖୁଥିବୁ,ଜଗତସିଂହପୁର ଏତେ ଦୂର ରାତିରେ!!ସେଇ ଆସର ଅନେକ ଚିହ୍ନା ମୁହଁ ଦେଖିବା ଶୋଷ ମେଣ୍ଟାଇଲା ମୋର।ଏଇ ଦେଖିବା ଶୋଷ ଟି ମୋ ଭିତରେ ଖୁ ଅଧିକ।

     ବିଦାୟ ନେବାକୁ ନିରୁ ଦି,ମୁନ୍,ବୁନ୍ ପାଖକୁ ଗଲି।ଭାରି ଦଉଡା ଦଉଡ଼ି କରୁଥିଲେ ନିରୁ ଦି।ମୋତେ ଆକୁଳ ସ୍ୱରରେ କହିଲେ ଯିବ!!ହେଉ ଯା।ମିଠା ପୁଡ଼ିଆ ଟିଏ ଧରାଇଲେ ମୋ ହାତରେ।ମୁଁ କହିଲି ଏ କଣ?ସେ କହିଲେ ବୋହୁ ଘର ଭାର।ପାରିବି କଣ ବୁଲି ବୁଲି ବାଣ୍ଟି!

 ମୁଁ ସ୍ତମ୍ଭିଭୁତ ହେଲି।ଦେଖନ୍ତୁ ତ ଏକା ଏକା କେତେ ପ୍ରାୟୋଜିତ କାର୍ଯ୍ୟ ନିରୁ ଦିଙ୍କ!କେତେ ଦୂର ଦୃଷ୍ଟି!!ସବୁ ବନ୍ଧୁଙ୍କ ପାଇଁ ପ୍ୟାକିଙ୍ଗ କରି ରଖିଛନ୍ତି ଆଗରୁ!!

      ନଇଁଗଲା ମଥା ଏଇ ବିରଳ ମଣିଷଟିର ମାନସିକତା ପାଖେ।ଆଜକୁ ଦୀର୍ଘ କୋଡିଏ ବର୍ଷ ତଳୁ ଦୁଇଟି ଛୁଆଙ୍କୁ ସମର୍ପି ହୃଦ ଘାତରେ ଆରପାରିକୁ ଯାଇଛନ୍ତି ତାଙ୍କ ସ୍ୱାମୀ ଲେପଟନାଣ୍ଟ ଜେନେରାଲ ମିଷ୍ଟର ଦାଶ;ଠିକ୍ ସଇଁତିରିଶ ବର୍ଷ ଯେତେବେଳେ ନିରୁ ଦିଙ୍କୁ।କଞ୍ଚା ବୟସରୁ ସେ ସାଧନା କରୁଛନ୍ତି।ମୁଁ ବୟସରେ ଯଥେଷ୍ଟ ସାନ ହେଲେ ବି ଜୀବନର ପ୍ରତିଟି ପୃଷ୍ଠା ଦେଖାଇଛନ୍ତି ମୋତେ।ମୁଁ ଦେଖିଛି ସବୁ ପୃଷ୍ଠା ତାଙ୍କ ଖୁବ୍ ରଙ୍ଗୀନ ଆକର୍ଷଣୀୟ ସଇଁତିରିଶ ବର୍ଷ ପୂର୍ବୁ।ଆଉ ତାପର ପୃଷ୍ଠା ସୁଦୁ ଖାଲି ,ଧଳା ଧଳା।

      ତାଙ୍କ ଚାରିପାଖ ଘୋ ଘୋ।ସବୁ ଆତ୍ମୀୟ ବଡ଼ ବଡ଼ ପୋଷ୍ଟ ଅଧିକାରୀ,ଅଧିକାଂଶ ବିଦେଶରେ।ପୋଲିସି ଡିଜି ଙ୍କ ବୋହୁ।କିନ୍ତୁ ତାଙ୍କ ହୃଦୟ ମଣିଷ, ପିଲାଙ୍କ ବାବା ବିନା ସବୁ ଶବ୍ଦ ଶୁନ୍ୟ,ଆଲୋକ ବିହୀନ,ଖୁସି ରହିତ।

   ଫେରିଲା ବେଳେ ପୁଣି ଟିକେ କୋଳେଇ ନେଲେ ଓ ଭାରି କଣ୍ଠରେ କହିଲେ"ତୁମେ ଭଲରେ ଖାଇଲ ତ!ଏକା ଏକା ସବୁ ଦେଖିବାକୁ ପଡୁଛି।ଦେଇ ପାରିଲି ନାହିଁ ସମୟ ତୁମକୁ।ସବୁ କାମ ସରିଲେ ମୁଁ ତୁମ ପାଖକୁ ଯିବି"

     କେଜାଣି ବାରବାଟୀପ୍ୟାଲେସ୍ ଛାଡି ଆସିଲି ମାତ୍ର ହୃଦୟ ରହିଗଲା ଦି ଙ୍କ ପାଖେ।କାନରେ ଶୁଭିଗଲା ଦୁଇଟି ଶବ୍ଦ ଏକା ଏକା ଓ ହୃଦୟରୁ କାଲି ଠୁ ଆସୁଛି କେବଳ ଦୀର୍ଘଶ୍ଵାସ ଏବଂ ପଢୁଛି ସେଇ "ଧଳା ଧଳା" ଶୁନ୍ୟ ପୃଷ୍ଠାର କୋହ ମୋହ ବ୍ୟଥାକୁ।

ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସିଂହପୁର


Rate this content
Log in