The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ପ୍ରିୟଦର୍ଶିନୀ ମହାନ୍ତି

Children Stories

5.0  

ପ୍ରିୟଦର୍ଶିନୀ ମହାନ୍ତି

Children Stories

ଦେଖି ପରଖି କରୁଥା ସାଥି

ଦେଖି ପରଖି କରୁଥା ସାଥି

2 mins
550



  ଆମପାଲି ଗୋଟେ ଛୋଟିଆ ଗାଁ। ଗାଁ କୁ ମୁଣ୍ଡରେ ସରକାରୀ ବିଦ୍ୟାଳୟ। ସେହି ଗାଁର କୁନୁ ଆଉ ମୁନୁ ବହୁତ ଭଲ ସାଙ୍ଗ।ଦୁହେଁ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି। ଦୁହେଁ ସାଙ୍ଗ ହୋଇ ସ୍କୁଲ ଯାଆନ୍ତି। ସାଙ୍ଗ ହୋଇ ଫେରନ୍ତି ଆଉ ଖେଳନ୍ତି ମଧ୍ୟ ସାଙ୍ଗ ହୋଇ।ଦୁହେଁ ଦୁହିଁଙ୍କୁ ଘଡ଼ିଏ ନଦେଖିଲେ ରହିପାରନ୍ତିନି।


    କୁନୁ ବହୁତ ଶାନ୍ତ ସ୍ୱଭାବର ପିଲାଟିଏ, କିନ୍ତୁ ମୁନୁ ଚଗଲା ସ୍ୱଭାବର। କିଛି ନା କିଛି ଦୁଷ୍ଟାମୀ କରେ।ମୁନୁର ଦୁଷ୍ଟାମୀ ଯୋଗୁ ବିଚରା କୁନୁ ବି ଗାଳି ଶୁଣେ। କାହାକୁ ମାରେ ତ କାହାର ଖାତା ଚିରିଦିଏ।ସବୁବେଳେ କିଛି ନା କିଛି ଦୁଷ୍ଟାମୀ ଯୋଗୁ ମା ତା'ର ଗାଳି କରନ୍ତି। ହେଲେ କୁନୁର ସେ ସବୁ ଖରାପ ଅଭ୍ୟାସ ନାହିଁ।ସେଥିପାଇଁ କୁନୁର ମା' କୁନୁ କୁ ମୁନୁ ସହ ମିଳାମିଶା କରିବାକୁ ମନା କରନ୍ତି। ହେଲେ କଣ ହେବ, କୁନୁ ସେ କଥା ଯମା ଶୁଣେନି।କୁନୁର ମା କୁନୁ କୁ ବୁଝାନ୍ତି ମୁନୁର ଦୁଷ୍ଟାମୀ ଯୋଗୁ ଦିନେ ନା ଦିନେ ତୁ ମଧ୍ୟ ଅସୁବିଧାରେ ପଡ଼ିବୁ।

   

   ଏହିଭଳି କିଛି ଦିନ ଗଲା।ଖରାଛୁଟି ହେଲା।ସ୍କୁଲ ଏବେ ବନ୍ଦ।ପିଲାଙ୍କ ଖୁସି କହିଲେ ନ ସରେ। ପିଲାଙ୍କୁ ପାଠପଢ଼ାରୁ ଟିକେ ତ୍ରାହି ମିଳିଲା।ଏବେ ଢେର ସମୟ ମିଳିବ ଖେଳିବାକୁ।

 

   ସେହି ଗାଁରେ ନିଧିଆ ଜେଜେଙ୍କ ଘର।ସେ ତାଙ୍କ ବାଡ଼ିରେ ନାନା ରକମର କୋଳି, ପିଜୁଳି, ଆମ୍ବ ଲଗାଇଥାନ୍ତି।ବାଡ଼ିରେ ଜେଜେ ଦିନ ରାତି ଖଟି ପରିଶ୍ରମ କରି ଗଛ ଗୁଡିକର ଯତ୍ନ ନିଅନ୍ତି।ଥରେ ମୁନୁ କୁନୁକୁ କହିଲା ଦିଇପହର ଦେଖି ନିଧିଆ ଜେଜେ ବାଡିକୁ ଯିବା। ସେ ଶୋଇପଡିଥିବେ, ଗଛରେ ଚଢି ଖୁବ ଖାଇବା ପିଜୁଳି, କୋଳି।କିନ୍ତୁ କୁନୁ ଯମା ରାଜି ହେଲାନାହିଁ।ସେ କହିଲା," ମୋ ମା ଜାଣିଲେ ବହୁତ ମାରିବେ"।ମୁନୁ ବୁଝେଇଦେଲା," ମା'କେମିତି ଜାଣିବେ ଆମେ ଲୁଚିକି ଯିବା ତୁ ଆଉ ମୁଁ। ଯଦି ତୁ ନ ଯାଉ ଆଜି ଠାରୁ ମୋ ସହ ସାଙ୍ଗ ହବୁନାହିଁ ।ମୋ ସହ କଥା ବି ହବୁନାହିଁ"।ମୁନୁର ଏ କଥା ଶୁଣି କୁନୁ କହିଲା,"ହଉ ହଉ ତୁ ରାଗେନା ଚାଲେ ଯିବା।ହେଲେ ଜଲଦି ଚାଲିଆସିବା"।


  ତା'ପରେ ଦୁହେଁ ମିଶି ନିଧିଆ ଜେଜେ ବାଡ଼ ଦେଇ ବାଡ଼ି ଭିତରକୁ ପଶିଲେ। କୋଳି ଗଛରେ ଚଢି କୋଳି ଖାଇଲେ। ପିଜୁଳି ଗଛରେ ଚଢି ପିଜୁଳି ଖାଇଲେ।ମୁନୁ ତରତର ହୋଇ କିଛି ଡାଳ ବି ଭାଙ୍ଗିଦେଲା।ନିଧିଆ ଜେଜେ ଶବ୍ଦ ଶୁଣି ବାହାରକୁ ଆସି ଦେଖିଲେ ଦୁଇ ଜଣ ଛାଡିକି ଗଛରେ ପତର ବି ରଖିନାହାନ୍ତି।ତାଙ୍କର ସବୁ ଗଛ ନଷ୍ଟ ହୋଇଯାଇଛି।ସେ ରାଗରେ ବାଡ଼ିଟି ଧରି ଗଲାବେଳକୁ ମୁନୁ ଗଛରୁ ଡେଇଁ ବାଡ଼ ପାର କରି ଚାଲିଗଲା।ହେଲେ କୁନୁ ଡରରେ ତଳକୁ ଖସି ପଡି ତା ଆଣ୍ଠୁ, କହୁଣୀ ଛିଡ଼ିଗଲା। ସେ କାନ୍ଦିବାକୁ ଲାଗିଲା। ନିଧିଆ ଜେଜେ ପିଲାଟିର ଏ ଅବସ୍ଥା ଦେଖି ବିକଳ ହେଲେ।ତାକୁ ରାଗିବେ କି ମାରିବେ କଣ ତାକୁ ଘରକୁ ନେଇ ଓଷଦ ଲାଗେଇଦେଲେ।


  କୁନୁ ଠାରୁ ପଚାରି ବୁଝିଲେ ଯେ ସେ ପିଲାଟି ତା' ର ସାଙ୍ଗ।ନିଧିଆ ଜେଜେ ବୁଝାଇ ଦେଲେ ସାଙ୍ଗ ହୋଇ ମଧ୍ୟ ତୋ ଅସୁବିଧା ବେଳେ ତତେ ଛାଡି ଚାଲିଗଲା। ଏଭଳି ପିଲା ସହ ସାଙ୍ଗ ହେବା ଉଚିତ ନୁହେଁ। ବିପଦ ସମୟରେ ଯିଏ ସାହାଯ୍ୟ କରେ ସେ ହିଁ ପ୍ରକୃତ ସାଙ୍ଗ। କୁନୁ ମଧ୍ୟ ନିଜ ଭୁଲ ବୁଝିପାରିଲା।ମାଆଙ୍କ କଥା ତା'ର ମନେ ପଡିଗଲା।ମାଆ ବାରମ୍ବାର ବାରଣ କରୁଥିଲେ ମୁନୁ ସହ ସାଙ୍ଗ ନହେବାକୁ।ତାପରେ ନିଧିଆ ଜେଜେ ସାଇକେଲରେ କୁନୁକୁ ନେଇ ତା ଘରେ ଛାଡ଼ି ତା ମାକୁ ସବୁ କଥା କହି ଆସିଲେ। ସେହି ଦିନ ଠାରୁ କୁନୁ ଆଉ ମୁନୁ ସହ ସାଙ୍ଗ ହେଲା ନାହିଁ।


Rate this content
Log in