Satyabati Swain

Others

4  

Satyabati Swain

Others

ଛିଟ ପ୍ରଜାପତି

ଛିଟ ପ୍ରଜାପତି

4 mins
23.1K



ବ୍ରହ୍ମା ଗୋଟେ ଛିଟ ପ୍ରଜାପତି ; ଆମ ମଜୁରୀଆଙ୍କ ଭିତରୁ ଜଣେ।କେବଳ ତଫାତ୍ ସେ ଆମ ସହ କାମ କମ୍ ରାସ୍ତା କଣ୍ଟ୍ରାକ୍ ଟ୍ରି ଧରିଥିବା ବାବୁ ମାନଙ୍କର ବୋଲ ହାକ ବେଶୀ କରେ।ସେଥି ପାଇଁ ଆମ ଅପେକ୍ଷା ତାର ଭାଉ ଟିକେ ଅଧିକ।


 ବିଭିନ୍ନ ଅଞ୍ଚଳରୁ ଦୁଇଶ ସରିକି ଲୋକ ଆମେ ରାସ୍ତା କାମ କରୁଥିଲୁ।ରାସ୍ତା କାମ ସାରିବାକୁ ଦୀର୍ଘ ଦୁଇ ମାସ ଲାଗିଲା।ବହୁତ ଚଉଡା ଓ ଲମ୍ବର ଜାତୀୟ ରାଜ ପଥର କାମ।ବ୍ରହ୍ମା ରାସ୍ତା କାମ ଧରିଥିବା ବାବୁମାନଙ୍କ ଚାମ୍ ଚା।ସେ ସେଇ ବାବୁମାନଙ୍କର ବଳ ପାଇ ଯାହାକୁ ଯାହା କୁହେ କି ବ୍ୟବହାର କରେ କେହି କିଛି କୁହନ୍ତି ନାହିଁ।ତୁଣ୍ଡି ଦେଇ ଥାଆନ୍ତି ପାଟିରେ।ନଲେ ବଦମାସ ଗୁଣ୍ଡା ଟା ସତ ମିଛ ଯୋଡି ବାବୁମାନଙ୍କ ଆଗେ କହିଲେ ହୁଏତ କାମରୁ ବାହାର କରିଦେବେ।ଆମ ଘର ଠାରୁ ମାତ୍ର ସାତ କିଲୋମିଟର ଦୂରରେ ରାସ୍ତା କାମ।ଘରେ ଖାଇ ସାଇକେଲରେ ଆସି ପୁଣି ସନ୍ଧ୍ୟାରେ ଘରେ ପହଞ୍ଚି ହେଉଛି।ଭଲ ଦି ପଇସା ବି ମିଳୁଛି ପ୍ରତିଦିନ।କିଏ କାହିଁକି ଏ ସୁଯୋଗ ହାତ ଛଡା କରନ୍ତା ମୁହଁ ଖୋଲି।ଏଣୁ ସଭିଏଁ ନିଜ ନିଜ କାମରେ ବ୍ୟସ୍ତ।


କାମ କରିବା ଭିତରେ ଦିନେ କିନ୍ତୁ ମୋ ମୁଣ୍ଡରେ ପେଚା ବସିଲା।ମିଲୁ ମୋ ଭାଇ ମୋତେ ସବୁବେଳେ ତା ସହ କାମକୁ ଆଣି ଆସେ।ସେଦିନ ମିଲୁ ଭାଇକୁ ଜର ହୋଇଥିବାରୁ ମୁଁ ଏକା କାମକୁ ଯାଇଥାଏ ବ୍ରଜ ସାଙ୍ଗରେ।ବ୍ରଜ ମୋ ମିଲୁ ଭାଇ ସାଙ୍ଗ।ତା ଉପରେ ମିଲୁ ଭାଇର ଭାରି ବିଶ୍ୱାସ। ବ୍ରଜ ବି ମୋତେ କେହି କିଛି କହିଲେ ଝାମ୍ପି ପଡେ।ଆମ ସୁଖ ଦୁଃଖରେ ଠିଆ ହୁଏ।ମିଲୁ ଭାଇ ନଯିବାର ଦେଖି ବ୍ରହ୍ମା ସେଦିନ ଗୋଟେ ଅଘଟଣ ଘଟାଇ ଦେଲା।ନାଁଟି ମୋର ଲିଲି ।ଠିକ୍ ଲିଲି ଫୁଲ ପରି ରୂପଟି ।ସଫା ଟପା ହୋଇ ବାହାରି ପଡିଲେ ପୁରା ହିରୋଇନ୍ ପରି ଦିଶେ ବୋଲି ଲୋକେ କୁହନ୍ତି।


ବ୍ରହ୍ମା ମୋତେ କଥା କଥାକେ ହିରୋଇନ୍ ବୋଲି ବି ଡାକେ।ମୋ ଉପରେ ଆଖି ରଖିଥିଲା ଅନେକ ଦିନୁ।ଯେମିତି ଦେଖିଲା ଆମ ସାହିର ବ୍ରଜ ମୋତେ ତା ସାଇକେଲରେ ବସାଇ ଆଣୁଛି ;ତାର କଣ ହେଲା କେଜାଣି ତଣ୍ଟିଆ ଦିଟା ତାକୁ ପକାଇ ମୋତେ ଜବରଦସ୍ତ ତା ମଟର ସାଇକେଲ ମଝିରେ ବସାଇ ଆଣିଲା।କାଳେ ଡେଇଁ ପଡି ପଳେଇବି ସେଥିପାଇଁ ପଛରେ ତା ସାଙ୍ଗ ମୋହନ ମୋତେ ମାଡି ବସି ଧରିଲା।


ଗୋଟିଏ ମନ୍ଦିରରେ ନେଇ ମୋ ମଥାରେ ସିନ୍ଦୁର ଦେଇଦେଲା।ଅକସ୍ମାତ ଏମିତି ନାଟକୀୟ ଭଙ୍ଗୀରେ ମୋ ସହ ଘଟିବ ମୁଁ କଳ୍ପନା କରି ନଥିଲି।ମୋ ବେକରେ ଫୁଲ ମାଳ ପକେଇ ବ୍ରହ୍ମା କହିଲା -ସେ ଶଳା! ବ୍ରଜର ଏତେ ବହପ ମୁଁ ଭଲ ପାଉଥିବା ଝିଅକୁ ତା ସାଇକେଲ ପଛରେ ବସାଇବ?ପୁଣି ହସ ଖୁସି ହେବ?ଛେଛି ଦେବି ତା ମୁଣ୍ଡ...।ଆରେ କଣ ପାଇଛି କି?ମୁଁ ବ୍ରହ୍ମାନନ୍ଦ କୁଅଁର,ବୁଝିଲୁ।ବେଶୀ ଫାଜିଲାମୀ ବାହାର କରିବୁ ତ ଦେବି ବ୍ରହ୍ମ ଚାପୁଡ଼ା ଦିଟା।ନଖାରମି ବାହାର ନ କରି ମୋ ସ୍ତ୍ରୀ ହୋଇଯା ଖୁସି ଖୁସି।ନଚେତ ବଳତ୍କାର କରି ଛାଡ଼ିଦେବି ଯେ ମୁହଁ ଦେଖାଇ ପାରିବୁ ନାହିଁ।ଶୁଣ୍ ହିରୋଇନ୍! ମୋତେ ବାହା ହେବାକୁ ଝିଅର ଅଭାବ ନାହିଁ।କିନ୍ତୁ ତୁ ମୋତେ ଭଲ ଲାଗୁ।ତୋ ରୂପ ଗୁଣ ମୋର ଭାରି ପସନ୍ଦ। ମୁଁ କେଉଁ ଦିନୁ ତୋତେ ମନେ ମନେ ଠାବ କରି ସାରିଛି। ତୁ କେବଳ ମୋର।ଏ ବର୍ଷ ଫଗୁଣରେ ବିବାହ ପ୍ରସ୍ତାବ ନେଇ ତୋ ଭାଇ ପାଖକୁ ଯାଇ ଥାଆନ୍ତି।ମୁଁ ଥାଉ ଥାଉ ସେ ବ୍ରଜ କଣ ତୋତେ ଆଖି ମାରୁଛି?ତୋ ପିଛା କରୁଛି?ଆଉ ସହି ପାରିଲିନି।ଉଠାଇ ଆଣି ବାହା ହୋଇ ପଡିଲି।ବାସ୍!କାମ ଫତେ।ନା ରହିବ ବାଉଁଶ ନା ବାଜିବ ବଂଶୀ।


ବ୍ରହ୍ମା ମୋର ପସନ୍ଦର ପୁରୁଷ ନଥିଲା।ବାଧ୍ୟ କରି ସେ ସିନା ମୋତେ ଉଠେଇ ଆଣି ଜବରଦସ୍ତ ବାହା ହୋଇ ପଡିଲା;କିନ୍ତୁ ମୋ ମନରେ ଘର କରି ପାରିଲା ନାହିଁ।ପ୍ରେମ ପରିବର୍ତ୍ତେ ତା ପାଇଁ ମୋ ଭିତରେ ଘୃଣା ହିଁ ସୃଷ୍ଟି ହେଲା।ମୁଁ କହିଲି ଦେଖ ବ୍ରହ୍ମା ତୁ ଆମକୁ କାମ ଦେଉଥିବା ବାବୁର ପାଖ ଲୋକ।ତୋତେ ସମସ୍ତେ ମନରେ ନ ହେଲେ ବି ମୁହଁରେ ମାନନ୍ତି ,ଡରନ୍ତି।ତୁ ଯେତେବେଳେ ମୋତେ ଉଠାଇ ଆଣି ବାହା ହୋଇ ସାରିଲୁଣି,ଆଉ ବା ମୋ ପରି ଗରିବ ଘରର ଜନ୍ମିତ ଝିଅର ଚାରା କଣ ଅଛି।କିନ୍ତୁ ମନେ ରଖିଥିବୁ ପ୍ରେମ ମନରୁ ,ହୃଦରୁ ସୃଷ୍ଟି ହୁଏ।ଦେହରେ କଣ ଅଛି।ତୁ ଚାହିଁଲେ ମୋ ଦେହ ସହ ଯାହା କରି ପାରୁ କିନ୍ତୁ ମୋ ମନ ଉପରେ ତୋ ରାଜ୍ ଚଳିବ ନାହିଁ।ମୁଁ ତୋତେ ଭଲ ପାଇ ପାରିବି ନାହିଁ।


କେଜାଣି ସମୟ କ୍ରମେ ଅବା ତୋତେ ମୁଁ ଭଲ ପାଇ ପାରେ।କିନ୍ତୁ ଏବେ ତୋତେ ଭଲ ପାଇବା ମୋ ଦେଇ ଆଦୌ ସମ୍ଭବ ନୁହେଁ ।ତୁ ଗୋଟେ ପୁରୁଷ ପୁଅ।ତୋ ବଳ ପାଖରେ ମୋର ବା କେତେ ବଳ।ନେ ତୋ ଇଚ୍ଛାଅନୁସାରେ ମୋ ଦେହ ସହ ଯାହା କରୁଛୁ କର।କିନ୍ତୁ ପ୍ରେମ ହିଁନ ଶରୀର ତୁଚ୍ଛା କାଠ ଗଣ୍ଡି।ଜାଣିଛୁ ବ୍ରହ୍ମା!ମୋ ବଡ଼ ଭାଇ,ମେରୁ ଦଣ୍ଡ ଭାଙ୍ଗି ଆଜକୁ ପାଞ୍ଚ ବର୍ଷ ହେବ ଶେଯରେ ପଡିଛି।ଆମେ ଦୁଇ ଭାଇ ଭଉଣୀ ମୂଲ ଲାଗି ଫୁଲ ଗୁନ୍ଥି ଗୋଟିଏ ଗୋଟିଏ ପଇସା ଯୋଡୁଥିଲୁ ଭାଇର ଅପେରେସନ୍ କରିବୁ ବୋଲି।କିନ୍ତୁ ତୁ କଣ କଲୁ??କଣ ଭାବୁଥିବ ମୋ ଭାଇ....।ତା ଲିଲୁ ଟା ଏଡ଼େ ସ୍ୱାର୍ଥପର।


ବ୍ରହ୍ମା ମୋ କଥାଶୁଣି ବଲବଲ କରି ମୋ ମୁହଁକୁ ଅନାଇଁ ଥିଲା।ବିକଳ ହୋଇ କହିଲା ---ସତରେ ତୁ ମୋତେ ଭଲ ପାଉ ନାହୁଁ ହିରୋଇନ୍! ହେଉ ଯଦି ଏମିତି କଥା ତୋତେ କଥା ଦେଉଛି ତୁ ମୋତେ ଭଲ ନ ପାଇବା ଯାଏ ତୋତେ ଛୁଇଁବି ନାହିଁ ।କରି ଦେଇଛି ତ ଗୋଟିଏ ଭୁଲ୍।କହିବୁ ଯଦି ତୋତେ ତୋ ଭାଇଙ୍କ ପାଖେ ଛାଡି ଦେଇ ଆସିବି।ଯିବୁ......??


କେଉଁଠିକୁ ଯିବିରେ ବ୍ରହ୍ମା।ସବୁ ବାଟ ତୁ ତ ମୋର ବନ୍ଦ କରିଦେଲୁ।ତୋ ଘର ହିଁ ମୋର ଏକମାତ୍ର ବାଟ।ଏ ସମାଜ ମୋତେ କଣ ଆଉ ଗୋଟିଏ ଭଲ ଝିଅ ହିସାବରେ ଗ୍ରହଣ କରିବ?ମୁଁ ବା ସିନ୍ଦୁର ନାଇଁ ସାରିଲେଣି ତୋ ହାତରୁ।ତୁ ତ ମାଙ୍କ ଆଗେ ମନ୍ଦିରରେ ଦଶ ଦିଗ ପାଳଙ୍କୁ ସାକ୍ଷୀ ରଖି ମୋ ହାତ ଧରି ସାରିଲୁଣି।ନନା ବି ହୋମ୍ କରି ଆମକୁ ଆଶୀର୍ବାଦ ଦେଇ ସାରିଲେଣି।ଆଉ କେଉଁ ଗାତକୁ ଯିବି।ଆଜିଠାରୁ ସଂସାର ଆଗରେ ମୁଁ ତୋ ସ୍ତ୍ରୀ।


ସ୍ତ୍ରୀ ହେବା ଓ ଭଲ ପାଇବା ଏ ଦିଟା ଅଲଗା କଥା।ତୋ ଘରେ ରହିବି ତୋ ସ୍ତ୍ରୀ ହେବି।କିନ୍ତୁ ତୋତେ ମୁଁ ପ୍ରେମ କରି ପାରିବି ନାହିଁ।ତୁ ଯେଉଁ କଳଙ୍କ ମୋ ମଥାରେ ବୋଳିଲୁ,ଏ ସମାଜ ଆଗରେ ସ୍ୱେଚ୍ଛାଚାରୀ ଆଖ୍ୟା ଦେଲୁ,ଏ କଥା ଭୁଲିବାକୁ ତ କିଛି ସମୟ ଲାଗିବ।


କେଜାଣି ସମୟ କହିବ ମୁଁ ତୋତେ ଭଲ ପାଇବି କି ନାହିଁ।


ଆହତ ଅଭିମାନରେ ବ୍ରହ୍ମା ଆର୍ଦ୍ କଣ୍ଠରେ କହିଲା-- ହିରୋଇନ୍ !ଠିକ୍ ଅଛି ମୁଁ ସେ ସମୟକୁ ଅପେକ୍ଷା କରିବି।କେବେ ତୋ ପଥର ହୃଦୟ ମହମ ହେବ।ଏହା କହି ବ୍ରହ୍ମା ମୋତେ ଗୋଟେ ଘରେ ଛାଡି ଆର ଘରକୁ ଯାଇ ପେଟେ ପିଇ ଲମ୍ଵଜାଲି ହୋଇ ଚାରି କାତ ଲମ୍ବାଇ ତଳେ ପଡି ବାଉଳି ହେଲା ହିରୋଇନ୍ ତୁ ମୋତେ ଭଲ ପାଉ ନାହୁଁ।ହିରୋଇନ୍....


ଅନେକ ଫୁଲଙ୍କ ଭାଗ୍ୟ ବ୍ରହ୍ମା ପରି ଛିଟ ପ୍ରଜାପତି ମାନେ ଲେଖନ୍ତି।ଫୁଲ ଉପରେ ବସି ପାରନ୍ତି, ତା ମଧୁ ଜୋର ଜବରଦସ୍ତ ଶୋଷି ପାରନ୍ତି କିନ୍ତୁ ପାଇଁ ପାରନ୍ତି ନାହିଁ ଫୁଲର ପ୍ରେମ।



Rate this content
Log in