ଚେସ୍ ର ଖେଳ
ଚେସ୍ ର ଖେଳ
ରାଗ ତମତମ ହେଇ ବଡ଼ ବଡ଼ ପାହୁଣ୍ଡ ପକାଇ ଜେଜେମା 'ଆଗରେ ସିପୁନ୍ ଆସି ହାଜର। ଫେରାଦ ଜଣାଇ କହୁଥିଲା, ଜେଜେମା ଲୋ ତୁ' ଜାଣିଛୁ ଜେଜେବାପାନା ବଡ଼ ଚାଲବାଜ ସବୁବେଳେ କିଛି ନା କିଛି ଗେନ୍ଧୁରି କରି ଚେସ୍ ଖେଳରେ ଜିତି ଯାଉଛନ୍ତି। ଜେଜେମା ଟା ଗରଗର ହେଇ ଜେଜେଙ୍କୁ କହୁଥାଏ, "ହଇଓ! ବୁଢ଼ାଟିଏ ହେଲଣି ବୁଦ୍ଧି ଶୁଦ୍ଧି କିଛି ନାହିଁ, ସେଇ ଚେସ୍ ଖେଳୁଛ କାହିଁକି ମୋ ନାତିଆଟାକୁ ହଇରାଣ କରୁଛ କାହିଁକି? ହଉ ଆରେ ସିପୁନା ତୋତେ ଗୋଟେ କଥା କହିବି। ଜେଜେମା କହିବାକୁ ଲାଗିଲେ, ଶୁଣୁ, ତୋ' ନାଖେ ପିଲାଟିଏ ଥିଲା, ପାଠ ପଢ଼ାରେ ଭାରି ମନ, ଦିନରାତି ଏକାକାର କରିଦିଏ, ଘରେ ବାପ ଥିଲା ଘୋଡ଼ା ମଦୁଆ, ଚୁଲି ତଳକୁ ବାସ ନଥାଏ, ଦାଣ୍ଡ ଆଲୁଅରେ ବସି ପାଠ ପଢ଼େ, ଗାଆଁ ମାଇପେଙ୍କ ଟାହି ଟାପରାକୁ ଖାତିର୍ ନକରି ସେ ପଢ଼େ। ବଡ଼ ହେଲାରୁ ଚାକିରିଟିଏ ପାଇଁ ବାର ଦାଣ୍ଡ ଶୁଣ୍ଢି ପିଣ୍ଢା ହେବାକୁ ପଡ଼ିଲା ହେଲେ ବଡ଼ବଡ଼ୁଆ ବାବୁମାନଙ୍କ ଦୟାରୁ ଚାକିରୀ ଖଣ୍ଡିଏ ବି ସାତ ସପନ ହେଇଗଲା।
ବେପାର କଲା ଯେ ଲାଭ ତ ଦୂରର କଥା ମୂଳ ବି ବୁଡ଼ିଗଲା। ଶେଷରେ ଇଲେକସନରେ ସାତ ଥର ଠିଆ ହେଇ ହାରିଲା। ତାକୁ ଜଣେ ପଚାରିଲା,
"ଆଜ୍ଞା, ତମେ ଏତେ ବିଫଳତାରେ ବି କେମିତି ଇଲେକ୍ସନରେ ଠିଆ ହେଉଛ"? ସେ ଉତ୍ତର ଦେଲା ସମୟ ତ ହାଲିଆ ହଉନି ମୁଁ କାହିଁକି ହାଲିଆ ହେବି। ସମୟ ତାକୁ ସାଥ୍ ଦେଲା ଆଠଥରରେ ସେ ଇଲେକସନ ଜିତିଲା ଆଉ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କଲା।
ତେଣୁ ଶୁଣୁ ସିପୁନା ଜୀବନଟା ଗୋଟାଏ ଚେସ୍ ର ଖେଳ ହାରିଗଲେ ବି ଜିତିବାର ଆଶା ଛାଡ଼ିବା କଥା ନୂହେଁ। ହଉ ଚାଲେ ସେପଟକୁ ଯିବା ତୋ'ବୋଉ ପକୁଡ଼ି ଖାଇବାକୁ ଡାକିଲାଣି। ସିପୁନା ସରାଗରେ ଜେଜିମା ର ହାତ ଧରି ଉଠାଇ ଚାଲିଗଲା ପକୁଡ଼ି ଖାଇବା ପାଇଁ।
