Satyabati Swain

Others

3  

Satyabati Swain

Others

ଚଡକ

ଚଡକ

4 mins
12.2K



ମୁଣ୍ଡରେ ହାତ ଦେଇ ବସିଛି ବନା ଦା। ବେପାରୀ ଆସି କହିଥିଲେ ବନା ଦାଦା ଏଥରକ ତୁମ ପୋଟଳ ଖୁବ୍ ଭଲ ହୋଇଛି।ଅତି କମ୍ ରେ ଲକ୍ଷେ ଟଙ୍କା ବିକିବ।ଏଣିକି ତୁମ ଦୁଃଖ ଗଲା ଜାଣ।ବେପାରୀଙ୍କ କଥା ଶୁଣି ବନା ଦା ଆଖି ଖୋସି ହୋଇଗଲା।କଣ କହୁଛ!ସତରେ ଲକ୍ଷେ ଟଙ୍କା ହେବ।ହେ ପ୍ରଭୁ ଦଧିବାମନ ଗୋସେଇଁ ବେପାରୀ ଭାଇ ଯାହା କହୁଛି ତା ତୁଣ୍ଡ ସୁ ତୁଣ୍ଡ ହେଉ।


ବନା ଦା ଆଖିରେ ଆଖିଏ ସ୍ବପ୍ନ।


ପ୍ରଭୁ ସତରେ ଯଦି ଏତେ ଟଙ୍କା ପୋଟଳ ବିକ୍ରି ହେବ ଆଗ ସୁନାକୁ ନେଇ ଟିକେ ଡାକ୍ତର ଦେଖେଇବ।କଣ ହୋଇଛି କେଜାଣି ତିନି ଚାରି ମାସ ହେବ ଅଛି ଅଛି ପେଟ ଟା ତାର କାମୁଡୁଛି ।ଟୁଣୁକା ଟୁଣୁକି ଯେତେ ଔଷଧ ଖାଇଲେ ବି ଭଲ ହେଉ ନାହିଁ।ତାଙ୍କଗାଁ ଗୋଷ୍ଠୀ କେନ୍ଦ୍ର ଡାକ୍ତର ବାବୁ କହୁଥିଲେ ସୁନାକୁ ନେଇ ଟିକେ ବଡ଼ ଡାକ୍ତରଙ୍କୁ ଦେଖା।ପେଟ ଭିତରେ ଘା ହୋଇ

ଯାଇଛି।ଅପେରେସନ୍ ଦରକାର।ନଲେ ଆଗକୁ ଅସୁବିଧା ହୋଇ ପାରେ।


ପେଟ ଭିତରେ ଘା!! ଦେହ ମୁଣ୍ଡରେ କଟିକାଟି ଗଲେ ସିନା ଘା ହୁଏ?ପେଟ କେମିତି କାଟି ହୋଇଗଲା ବା।ସୁନା ଆଉ ବ୍ଲେଡ଼ ଫ୍ଲେଡ଼ ଗିଳି ଦେଇଛି କି?ମଝିରେ ସାତ ବର୍ଷ ତଳେ ଝିଅ ରାନୁ ଜନ୍ମ ପରେ ଖାଲି ତ କହିଲା ଖାଇବି ,ଖାଇବି।ଯାହା ପାଇଲା ତାହା ଖାଇ ଗଲା।ପେଟ କି ବାଳକାଟି ହାଟ କେଜାଣି।ଯେତେ ଖାଇଲେ ବି ତା ପେଟ ପୁରୁ ନଥିଲା।ସେତିକିବେଳେ ଧାରୁଆ ଜିନିଷ ଖାଦ୍ୟ ସାଙ୍ଗେ ଗିଳି ଦେଇ ନାହିଁ ତ!


ଏନ୍ ଏ ମା ଦିଦି କହିଲେ କୁର୍ମୀ ହୋଇଛି।ଔଷଧ ପତ୍ର ଟିକେ ଖାଇଲାରୁ ବାଗ ହେଲା।କିନ୍ତୁ ତାପରେ ପରେ ତ ବାହାରିଛି ଏ ନୁଣୁଛୁଣା ପେଟ ରୋଗ।ଏଇଥିରେ ହାତୀ ଭଳିଆ ମାଇପି ଟା ରଟ କିନା ରହିଲାଣି।କଣ୍ଟା ହଲୁଛି ଏବେ।ଉଠି ବସି ପାରୁ ନାହିଁ।ପୋଟଳ ଏଇ ଛାଙ୍କଟି ବିକି ଦେଲେ ଆଗ ସୁନାକୁ ବଡ଼ ଡାକ୍ତର ଦେଖାଇବ ସେ।ବିଚାରୀ ରାତି ଦିନ ଭାରି କଷ୍ଟ ଭୋଗୁଛି।


ଆହା ସୁନାଟି ଏ ଖଣ୍ଡ ମଣ୍ଡଳରେ ସବୁଠାରୁ ସୁନ୍ଦରିଆ ସ୍ତ୍ରୀ ଲୋକ ଥିଲା।ଯିଏ ଦେଖୁଥିଲା ଈର୍ଷାରେ ଜଳି ଯାଉଥିଲା।ବନମାଳୀ ଭାଗ୍ୟରେ ଏମିତି ସୁନ୍ଦରୀ ରାଧିକାଟିଏ ଥିଲା?ବନମାଳୀ ର ରାତିରେ ଆଲୁଅ କଣ ଦରକାର।ସୁନା ତ ଦାଉ ଦାଉ ଜଳୁଛି।ନକଲିଆ ଲୋକେ କୁହନ୍ତି ହଇରେ ବନା ତୁ କଳା ମିଚି ମିଚି ମଇଁଷି ଟା।ସୁନା ତୋତେ ଆଦରୁଛି ଟି?ନା ଘଉଡ଼ାଇ ଦେଉଛି କିରେ ବନା।ହୁସିଆର ଥିବୁ ସୁନାଟା କାଳେ ତୋ କଳା ପଞ୍ଜୁରୀରୁ ଫୁର୍ କିନା ଆଉ କାହା ସୁନା ପଞ୍ଜୁରୀ ଲୋଭରେ ଉଡିଯିବ।


କିନ୍ତୁ ଏମିତି କିଛି ହୋଇନି।ସୁନା ତା କାଳିଆ ଦିହ ନୁହଁ ତା ସଫା ମେହେନତି ହୃଦୟଟାକୁ ଭାରି ଲୋଭ କରେ।ତା ପାଖେ ପାଖେ ଥାଏ।ସେ ଜମି ହଳ କଲେ ସୁନା ହିଡ଼କତି କରେ।ବନା ଜମି ହାଣିଲେ ସୁନା ଘାସ ବାଛେ।ସାଙ୍ଗ ହୋଇ ବିଲରେ ପଡ଼ିଥାନ୍ତି ରାତି ଦିନ।ବିଲ ବୋଲି କେତେ କି ପନ୍ଦର ଗୁଣ୍ଠ।କିନ୍ତୁ ତା ମାଟି ମା ସେଇତକରେ ଏତେ ଫସଲ ଅଜାଡି ଦିଏ ଯେ ବର୍ଷକ ବାର ମାସ ପେଟକୁ ଭାତ ହୋଇଯାଏ।ଦଶ ଗୁଣ୍ଠରେ ଧାନ,ମୁଗ କରେ।ଆଉ ପାଞ୍ଚ ଗୁଣ୍ଠରେ ଋତୁ ଅନୁଯାୟୀ ପନିପରିବା ଚାଷ କରେ।ଭଲ ଦି ପଇସା ହୁଏ।ତେଲ ଲୁଣ କିଣିବାରେ କଷ୍ଟ ହୁଏନି।


କିନ୍ତୁ ମଝିରେ ମଝିରେ ସମୁଦ୍ର ଜୁଆର ମାଡି ଆସିଲା ପରି ଗୋଟେ ଗୋଟେ ରୋଗ ଆସି ଦୋହଲାଇ ଦେଉଛନ୍ତି ମଞ୍ଜ।ସେଥିରେ ପୁଣି ଲାଗ ଲାଗ ଦି ଦି ଟା ଛୁଆ ପେଟରୁ ମଲେ ସୁନାର।ଶେଷକୁ ବକଟେ ଛୁଆ ହୋଇଛି ରାନୁ।ସେ ବି ରୋଗିଣା।ଆଜି ଥଣ୍ଡା କାଲି ଝାଡା ତ କେବେ ଜର।ନିଇତି ଔଷଧ ବନ୍ଧା।ରାନୁ ଟି ସାତ ବର୍ଷର ହେଲାଣି।କାନ ଫୋଡିଛି ଏସନ ଶୀତ ଋତୁରେ।ପୋଟଳ ଭଲ ବିକ୍ରି ହେଲେ ସୁନାକୁ ଡ଼ାକ୍ତର ଖାନା ନେବା ସହ ଦିଟା ସୁନା ପାତିଆ ରାନୁ କାନକୁ କରିବ ବୋଲି ବନା ଦା ମନେ ମନେ ଭାବିଛି।


ଏ ଗରିବ ଗୁରିବା ଗୁଡାକ ସ୍ବପ୍ନ ସତ ହେଉ କି ନ ହେଉ ବୁଡ଼ନ୍ତି ସବୁବେଳେ କିନ୍ତୁ ସ୍ୱପ୍ନ ଦୁନିଆଁରେ।ବନା ଦା ଆଖିରେ ସ୍ୱପ୍ନ ଭର୍ତ୍ତୀ ପୋଟଳ ବି ବିକିବା ଯୋଗ୍ୟ ହୋଇଗଲା।ଏଥର ସେ ବେପାରୀଙ୍କୁ ଦେବ ନାହିଁ।ହାଟ ବଜାରକୁ ନେଇ ନିଜେ ବିକିବ।ପୋଟଳ ରେଟ୍ ଏବେ ଟିକେ ଉଞ୍ଚା ଅଛି।ନିଜେ ପରିଶ୍ରମ ପଡୁ ପଛେ ସାଇକେଲ୍ ରେ ଆଗ ପଛ ନଦି ଦି ଫି ଟା ବସ୍ତା ଦିନକୁ ବିକ୍ରି କରିଦେଲେ ହାତକୁ ଭଲ ଦି ପଇସା ଆସିବ।ବନା ଶୋଇ ଶୋଇ ଲକ୍ଷେ ଟଙ୍କାରେ କେତେ ଶୁନ,କେଇଟା ଶହେ ଟଙ୍କାରେ ଲକ୍ଷେ ହୁଏ କଥା ହିସାବ କରୁ କରୁ ରାତି ପାହିଗଲା।


ରାତି ପାହିଲା ସତ ବନା ଜୀବନରେ ଆଲୁଅ ବୁଣିଲା ନାହିଁ।'ଚଡକ' ପଡିଲା।ଖାଲି ବନା କାହିଁକି ବିଶ୍ୱ ଉପରେ କୋରୋନା ଚଡକ ପକେଇଦେଲା। କ ରୋନା ଆସିଲାରୁ ଲକ୍ ଡାଉନ୍,ସଟ୍ ଡାଉନ୍ ହେଲା।ଗୃହବନ୍ଦୀ ମଣିଷ।ମୁହଁରେ ତୁଣ୍ଡି।ଗହଳକୁ ନା।


ବଜାର ଘାଟରେ ଶ୍ମଶାନ ଶୂନ୍ୟତା।ଅହରହ ଘୋ ଘୋ ରାଜ ରାସ୍ତାରେ ଖାଁ ଖାଁ ରାଜୁତି।କେଇଟି ପୋଲିସ୍ ମୁଣ୍ଡ ଛକକୁ ଛକ ଠିଆ ହୋଇଥିବା ଟିଭିରେ ଦିଶୁଛି ଯାହା।


ସବୁ ହାଟ ବଜାର ବନ୍ଦ।ଲକ୍ ଡାଉନ୍ ଅବଧି ପ୍ରଥମ ପର୍ଯ୍ୟାୟରୁ ବଢି ବଢି ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଲା।ଅହରହ କଳ ଗାଉଣା ଗାଡି ବୁଲି ବାହାରକୁ ନ ବାହିବାକୁ ଶୁଣାଉଁ ଥିଲା।


କରୋନା ବେଶୀ ନାତ ମାଇଲା ଖଟିଖିଆ ମଜୁରିଆ,ରାସ୍ତା କଡ ବେପାରୀ,ଭିକାରୀ ଓ ଦାଦନ ପ୍ରବାସୀ ଶ୍ରମିକ ତଥା ଚାଷୀଙ୍କ ପେଟରେ।


ଲକ୍ ଡାଉନ୍ ବଢ଼ୁଥିଲା,କରୋନା ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁ ହାର ବି ହୁ ହୁ ହୋଇ ବଢି ଚାଲୁଥିଲା ସମଗ୍ର ବିଶ୍ୱରେ।


ପୋଟଳ ପାଚି ଝଡୁଥିଲା ବନାଦା ର କିଆରି ରେ।ସ୍ୱପ୍ନ ମରୁଥିଲା ବନାଦା ର ହତାଶରେ।ହିଡ଼ ମୁଣ୍ଡେ ବନା ଦା ଦେଖୁଥିଲା ଶୁଖିଲା ପୋଟଳ ଓ ପତ୍ର ଭର୍ତ୍ତୀ କିଆରିକୁ।


କିଛି ଦିନ ପରେ ଘୋଷଣା ହେଲା ସାମାଜିକତା ବଜାଇ ରଖି ରାସ୍ତା କଟରେ ହାଟ ବସିବ।କିନ୍ତୁ ପାଚିଲା ପୋଟଳ କଣ ଆଉ ଶାଗୁଆ ଦିଶିବ?


ଯାଇ ତାଇ ଲକ୍ଷେ ନ ହେଉ ମଞ୍ଜି ପଇସା ହେଲେ ଉଠୁ ଭାବି ମୁଣ୍ଡରେ ଠେଙ୍ଗା ବାନ୍ଧି ସାଇକେଲ୍ ସଜିଲି କଲା ବେଳକୁ 'ଅମ୍ପାନ' ମହା ବାତ୍ୟା ମାଡି ଆଇଲା ଦ୍ରୁତ ବେଗରେ।ପୋଟଳ ଲତାକୁ ଉଡେଇ ବାଡେଇ କଷିଟିଏ ବି ରଖିଲା ନାହିଁ।


ସୁକୁ ସୁକୁ ବାଜି ,ମାଟି ଚରି ସଢ଼ି ଯାଇଥିବା ପୋଟଳ ଲତାକୁ ହାତରେ ଟେକୁଥିଲା ବେଳେ ବନା ଭାବୁଥିଲା ଏ ଉଜୁଡା ପୋଟଳ କ୍ଷେତ ନୁହେଁ ତା ଉଜୁଡା ସ୍ବପ୍ନ ର ଲକ୍ଷେ ଟଙ୍କାର ମଶାଣି।


ଏତିକି ବେଳେ ରାନୁ ଡାକିଲା ବାପା ବୋଉର ପେଟ କାମୁଡୁଛି।ସେ ତଳେ ପଡି ରଡି ଛାଡ଼ୁଛି, ଦଉଡି ଆସ।


ଚିଲ ପରି ବନା ଦା ଦଉଡ଼ି ଯାଇ ଡଙ୍କ ମୋଡି ବେହୋସ୍ ହୋଇ ପଡିଥିବା ସୁନାକୁ କୋଳକୁ ଟେକି ନେଇ କହୁଥିଲା ମୋ ସଂସାର ଉଛନ୍ନ ହୋଇଗଲା ରେ ବିଧାତା।



Rate this content
Log in