Madhu Mita

Children Stories Inspirational

4  

Madhu Mita

Children Stories Inspirational

ବୁଢୀମା ଆଉ ମୀନାନାନୀର ବିଲେଇ

ବୁଢୀମା ଆଉ ମୀନାନାନୀର ବିଲେଇ

3 mins
235


ସଞ୍ଜ ବେଳଟାରେ କୁଅଁ ଚାନ୍ଦନୀ ଉପରେ ନାନୀ ବସି କଣ ଗୋଟେ ଭାବୁଥିଲା ବୋଧେ।ତାକୁ ଏମିତି ଭାବନାରେ ହଜିଯିବା ଦେଖି ମୋତେ କେମିତି କେମିତି ଲାଗିଲା।ନାନୀ ବେଶୀ ବୁଦ୍ଧିଆ ବୋଲି ମୋତେ କେତେ କଣ ଶୁଣିବାକୁ ପଡେ।ମୁଁ କୁଆଡେ ପଢ଼ି ବସି ଏପଟେ ସେପଟେ ନାନାକଥା ଭାବୁଥାଏ।ସେଇଥିପାଇଁ ପାଠ ଭଲ ପଢ଼େନି।ହେଲେ ଆଜି ନାନୀକୁ ଏମିତି ବସି ବସି ଭାବୁଥିବା ସମୟରେ ଯଦି ଆଉ କିଏ ବି ଦେଖନ୍ତେ ତେବେ ମୋତେ ଆଉ ଅମନଯୋଗୀ ବୋଲି ଶୁଣାନ୍ତେନି।କିନ୍ତୁ ଏବେ କାହାକୁ ଡାକିବା ଅପେକ୍ଷା ଏଇ ସମୟଟାର ଫାଇଦା ଉଠେଇ ଦେବାକୁ ମୋର ପ୍ରବଳ ଇଚ୍ଛା ହେଲା।


ପଛ ଆଡ଼ୁ ପାଦ ଚିପି ଚିପି ଗଲି ଆଉ ନାନୀକୁ " ଭୋ " କହି ଡରେଇ ଦେଲି।ସିଏ ତ ଯାହା ଡରିଲା ଡରିଲା ; ସେ ଡରରେ ତା' ହାତରେ ଧରିଥିବା ଘଣ୍ଟିଟା ଝନ୍ ଝାନ୍ ହୋଇ କୁଅଁ ଭିତରକୁ ପଡ଼ିଗଲା।ବୋଉ ସେଇ ଶବ୍ଦ ଶୁଣି ଦୌଡ଼ି ଆସିଲା।ନାନୀ ଡରରେ କାନ୍ଦୁଣୁ ମାନ୍ଦୁଣୁ ହୋଇ ଯାଇଥିଲା।ଆଉ ମୁଁ ବି ଡରି ଯାଇଥିଲି।କାଳେ ନାନୀ ପଟ ନେଇ ବୋଉ ମୋତେ ଗାଳି ଦେବ…ସେଇକଥା ଭାବି ବ୍ୟସ୍ତ ହେଉଥିଲି।ଯାହା ହେଲେ ବି ତା' ଗେହ୍ଲି ଝିଅକୁ ମୁଁ ଡ଼ରେଇ ଦେଲି ନା…!!??ହେଲେ ଆମ ଦି ଜଣଙ୍କ ଏଇ ଗଣ୍ଡଗୋଳ ଠାରୁ ବୋଉପାଇଁ ବେଶୀ ମହତ ରଖୁଥିଲା ସେଇ ଘଣ୍ଟିଟା ଯାହା ଏଇ ସଙ୍ଗେ ସଙ୍ଗେ କୁଅଁ ଭିତରକୁ ଗଳି ପଡ଼ିଥିଲା...!!ନାନୀ ଘଣ୍ଟି ଧରିଥିଲା ବୋଲି ଜାଣିଥିଲେ ମୁଁ ତାକୁ ଏମିତି ଡରେଇ ନଥାନ୍ତି।


"ତୁ ବୁଢୀମାଙ୍କ ଘଣ୍ଟି କାଇଁକି ଆଣିଥିଲୁ…?"ବୋଉ ନାନୀ ଉପରେ ଅଳ୍ପ ରାଗ କରି ପଚାରିଲା ଆଉ ନାନୀ କହିଲା ଯେ ସେ ଘଣ୍ଟିଟା ବୋଧେ ବୁଢୀମା ହିଁ ଛାଡ଼ି ଦେଇଥିଲା।ଅନ୍ୟ ଠାକୁର ବାସନ ମାଜି ନେଇଗଲା ପରେ ବୋଧେ ଭୁଲିଗଲା…ଆଉ ସିଏ ତାକୁ ନେଇକି ଘରକୁ ଯିବାକୁ ହିଁ ବାହାରୁଥିଲା। ବୋଉ ତା' ପରେ ମୋତେ ଚାହିଁ କହିଲା…"ହଇରେ…ସିଏ କୁଅଁ ଚାନ୍ଦନୀ ଉପରେ ବସିଥିଲା ଆଉ ତୁ ତାକୁ ଡରେଇ ଦେଲୁ? ଯଦି ତା ଗୋଡ଼ ଖସି ଯାଇଥାନ୍ତା…??କଣ ହେଇଥାନ୍ତା ଭାବିଲୁ??"ମୁଁ ବି ଏବେ ବୁଝି ପାରିଲି ଯେ ଯଦି ଘଣ୍ଟି ଜାଗାରେ ନାନୀ ଖସି ଯାଆନ୍ତା ତା ହେଲେ…??ମୋ ଆଖିକୁ ଲୁହ ଆସିଗଲା।ହେଲେ ନାନୀ କିନ୍ତୁ କହିଲା…"ବୋଉ…ମୋ ଗୋଡ଼ ଖସି ଯାଇଥିଲେ କଣ ହୁଅନ୍ତା ସେଇଟା ଛାଡେ ହେଲେ ଏବେ ବୁଢୀମାଙ୍କ ଘଣ୍ଟି ପଡ଼ିଗଲା…??ଏବେ କଣ ହେବ…??"


ଆମେ ସମସ୍ତେ ଜାଣିଥିଲୁ ଯେ ବୁଢୀମା ସନ୍ଧ୍ୟାରେ ଗାଧୋଇ ଆସିଲା ପରେ ଠାକୁର ଘରକୁ ଯାଇ ଦୀପ ଦେଲାବେଳକୁ ଆଗ ଘଣ୍ଟି ଖୋଜିବ।ଆଉ ସେଇଟା ନ ପାଇଲେ ଘରେ ମହାଭାରତ ତ ହେବ ତା ଛଡା ଦିଅଁ ପୂଜା ନହେଲା ଯାଏଁ ସିଏ ଖାଇବନି କି ଆଉ କାହାକୁ ଖୁଏଇ ଦବନି।ମୁଁ ବୁଦ୍ଧି ଖର୍ଚ୍ଚ କରି କହିଲି…"ବୋଉ…ପାର ଅପା ଘରୁ ଘଣ୍ଟି ମାଗି ଆଣି ଦଉଛି।"

ବୋଉ କିନ୍ତୁ ଠିକ୍ ଜାଣିଥିଲା ଯେ ବୁଢୀମା ତା ଘଣ୍ଟି ହିଁ ଖୋଜିବ।ପାର ଅପାଘର ଘଣ୍ଟି ଦେଖିଲେ ଆହୁରି ଚିଲ୍ଲେଇବ।ନାନୀ ସୁଁ ଶୁଁ ହୋଇ କାନ୍ଦୁଥିଲା।ବୋଉ ତାକୁ ଗାଳି ଦେଇ ଚୁପ୍ ହବାକୁ କହିଲା। ସଂଜବେଳଟାରେ ଏମିତି ଝିଅମାନେ ଲୁହ ଝରାନ୍ତିନି ବୋଲି କହି ତାକୁ ଏମିତି ଅନ୍ୟମନସ୍କ ହୋଇ କୁଅଁ ଉପରେ ବସିବାକୁ ମନା କରିଦେଇ ଘର ଭିତରକୁ ପଠେଇ ଦେଲା।ମୁଁ ବି ସେତେବେଳକୁ କାନ୍ଦିବା ଉପରେ।ମୋତେ ଗେଲ କରିଦେଇ ଏଥର ସତର୍କ ରହିବାକୁ କହିଲା ଆଉ ତା ସାଙ୍ଗରେ ଆସିବାକୁ କହିଲା। ସେପଟୁ ଗାଧୁଆ ଘରୁ ବୁଢୀମା ବାହାରି ଆସୁଥିଲା।ବୋଉ ହଠାତ୍ କେଜାଣି କାହିଁକି ପାଟି କରି କହିଲା…"ଆରେ ଗୁଡୁ…ଗଲୁ ଟିକେ…ମୀନାନାନୀ ଘରକୁ।ତାଙ୍କ ବିଲେଇଟା ମାଗି ଆଣିବୁ। କୁଅଁରେ ପକେଇବାକୁ ପଡ଼ିବ।ଆଉ ହଁ…ଖାଲି ହାତରେ ପିଉସୀ ଘରକୁ ଯିବୁନି।ମୁଁ ବାଦାମ ଖଜା ଡବାରେ ଦଉଛି। ଦେଇଦବୁ…!!"


ବୁଢୀମା ଠିକ୍ ଶୁଣି ଆସି ପହଁଚିଗଲା ଆଉ ବିଲେଇର ଆବଶ୍ୟକତା କଥା ପଚାରିଲା।ବୋଉ ତାକୁ ବାଗେଇ କହିଲା…"ପୂଜା ବାସନ ସବୁ ଧୋଇଧାଇ ଆଣିଲା ବେଳକୁ ଘଣ୍ଟିଟା କେମିତି ରହି ଯାଇଥିଲା ବୋଉ।ସେଇଟା କୁଅଁ ଭିତରକୁ ଖସି ପଡିଲା।ଆମଘରେ ତ ବିଲେଇ ନାହିଁ। ମୀନାଙ୍କ ଘରୁ ଆଣିଦେଲେ ବାହାର କରିଦେବା।ତେଣୁ ଗୁଡୁକୁ ବାଦାମ ଖଜା ଦେଇ ପଠାଉଛି।ଖଜା ସାଙ୍ଗରେ ଆଉ କଣ ଟିକେ ପଠେଇ ଥାନ୍ତେ କି??'


ବୋଉର କଥା ଶୁଣି ବୁଢୀମା ଘଣ୍ଟି ହଜିବା ବିଷୟରେ ରାଗିବ କଣ ଓଲଟି କହିଲା…"ଟିକେ ମୁଡ଼କି ବି ପଠେଇ ଦେ…ତା ଶାଶୁ ପାଇଁ ପାନ ଦିଖଣ୍ଡ ବି ଦବୁ " ତା' ପରେ ମୋତେ ଚାହିଁ କହିଲା…"ଜଲଦି ଆସିବୁରେ ନାତିଆ।ତୁ ଆସିଲେ ଯାଇ ସଂଜ ପୂଜା ହବ…"

ବୁଢୀମା ପୂଜା ଘରକୁ ପଳେଇଲା ପରେ ମୁଁ ବୋଉକୁ କହିଲି…"ବୋଉ…ମାମୁଁ ଘରେ ବି ତ ବିଲେଇ ଅଛି।ମୁଁ ଯାଉଛି ସେଇଠୁ ଆଣିଦେବି ଲୋ।ଏବେ ମୀନାନାନୀ ଘରକୁ ଯିବନି।ତା ଶାଶୁ …."ମୋ ପାଟି ଉପରେ ହାତ ଦେଇ ବୋଉ କହିଲା…"ବିଲେଇ କୋଉଠୁ ଆଣିବୁ ସେଇଟା ବଡ କଥା ନୁହେଁ।ଏବେ କିନ୍ତୁ ତୁ ମୀନା ନାନୀଙ୍କ ଘରକୁ ହିଁ ଯା। କାଲି ସକାଳୁ ବରଂ ମାମୁଁ ଘରକୁ ଯାଇ ବୁଲି ଆସିବୁ।" ନାନୀ ସେପଟୁ ଆସି ଲୁଚି ଲୁଚି ସବୁ ଶୁଣୁଥିଲା ଆଉ କହିଲା…"ବୋଉ ତୁ ଆମକୁ ଆଜି ବଞ୍ଚେଇ ଦେଲୁ…"ହେଲେ ବୋଉ ହସି ହସି କହିଲା…"ମୁଁ ନୁହେଁ ରେ…ଏତିକି ଜାଣି ଥା…ମୀନାନାନୀ ହିଁ ତମ ଦିଟାକୁ ଆଜି ବଞ୍ଚେଇ ଦେଲେ…"ମୁଁ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ଖଜା,ମୁଡୁକି, ପାନ ନେଇ ବିଲେଇ ଆଣିବାକୁ ବାହାରିଗଲି ସିନା ବୁଢୀମା ରାଗରୁ ମୀନାନାନୀ କେମିତି ବଞ୍ଚେଇଲେ ଜାଣି ପାରିଲିନି ଆଉ ନାନୀ ବି ସେକଥାର ଅର୍ଥ କଣ ବୁଝିଲା ସେଇଟା ପଚାରିବାକୁ ପୁରାପୁରି ଭୁଲିଗଲି।



Rate this content
Log in