STORYMIRROR

Truptimayee Behera

Children Stories

4  

Truptimayee Behera

Children Stories

ବୁଢୀ ଅସୁରୁଣୀ ଓ ସୁପର୍ ମମ୍

ବୁଢୀ ଅସୁରୁଣୀ ଓ ସୁପର୍ ମମ୍

4 mins
343


   ଗପ କହିଲେ ମୋର ମନେ ପଡେ ଛୋଟ ବେଳ କଥା। ମୋ ମାମା(ଜେଜେ ମାଁ ) ଠୁ ଶୁଣିଛି ଆଉ ମୋ ବାବା ବୋଉଙ୍କ ଠୁ ବି ଶୁଣିଛି ଗପ। ଯେମିତି ଟୁଆଁ ଟୁଇଁ ଗପ, ବୁଢୀ ଅସୁରୁଣୀ ଗପ, ବାଘ ମାମୁଁ ଗପ, ପଞ୍ଚତନ୍ତ୍ର ଆଉ ନୀତିଶିକ୍ଷା ଆହୁରି ବହୁତ୍ କିଛି। ମୁଁ ଆଜି ଗୋଟେ ବୁଢୀ ଅସୁରୁଣୀ ର ଗପ କହିବି।


   ବହୁତ୍ ବର୍ଷ ତଳେ ମଣିପୁର୍ରେ ଗୋଟେ ଛୋଟ ଗାଁ ଟେ ଥିଲା। ସେ ଗାଁ ରେ ରହୁଥିଲେ ଶଙ୍କର ଆଉ ରୂପା । ତାଙ୍କର ଥିଲା ଦୁଇଟା କୁନି କୁନି ଛୁଆ । ଗୋଟେ ଛୁଆର ନାଁ ଥିଲା ରାଜୁ ଆଉ ଗୋଟେ ଛୁଆର ନାଁ ଥିଲା ପିହୁ। ଶଙ୍କର ଆଉ ରୂପା ତାଙ୍କର ଦୁଇଟା ଛୁଆଙ୍କୁ ବହୁତ୍ ଭଲ ପାଉଥିଲେ। ସେଇ ଗାଁ ରେ ଗୋଟେ ବୁଢୀ ଅସୁରୁଣୀଟେ ଥିଲା। ତାର ବହୁତ୍ ଲମ୍ବା ଲମ୍ବା ହାତ ଥିଲା। ଯଦି କାହା ଘରେ ଛୁଆର ବାବା ରହୁନଥିଲେ ସେ ଅସୁରୁଣୀ ରାତି ରେ ଆସିକି ତା ଲମ୍ବା ଲମ୍ବା ହାତରେ ଛୁଆମାନଙ୍କୁ ଧରିକି ଖାଇଦେଉ ଥିଲା । ସେଥିପାଇଁ ସେ ଗାଁରେ ଛୁଆମାନଙ୍କର ବାବା ମାନେ କାମରେ ଗାଁରୁ ବାହାରକୁ ଯାଉନଥିଲେ ଆଉ ଯାହା କାମ ଦିନରେ ସାରି ରାତି ରେ ଘରକୁ ପଳେଇ ଆସୁଥିଲେ। 


  ଗୋଟେ ଦିନ ଶଙ୍କର ର କିଛି କାମ ପଡିଲା। ସେଥିପାଇଁ ଚାରି ଦିନ ପାଇଁ ତାକୁ ଘରୁ ବାହାରକୁ ଯିବାକୁ ପଡିଲା। ରୂପାର ବହୁତ୍ ଚିନ୍ତା ହେଇଗଲା ଦିଟା ଛୁଆଙ୍କୁ ଧରିକି ସେ ଏକା କେମିତି ଚାରି ଦିନ ରହିବ। ରାତିରେ ତ ବୁଢୀ ଅସୁରୁଣୀ ଆସିବ ମୋ ସ୍ୱାମୀ ନଥିବାର ଜାଣିଲେ ସେ ମୋ ଛୁଆଙ୍କୁ ଖାଇଦବ। ପ୍ରଥମ ଦିନ ରାତି ରେ ରୂପା ଭଲରେ କବାଟ ଝରକା ବନ୍ଦ କଲା। ଛୁଆମାନଙ୍କୁ ଜଲଦି ଖାଇବାକୁ ଦେଇ ସେ ଶୁଆଇ ଦେଲା । ବହୁତ୍ ରାତି ରେ କବାଟ କିଏ ବାଡେଇଲା। ରୂପା ଜାଣିପାରିଲା କି ବୁଢୀ ଅସୁରୁଣୀ ଡାକୁଛି ବୋଲି। ରୂପା ନିଜ ମନରେ ସାହସ ବାନ୍ଧିଲା। କିଛି ଡେରି ପରେ କବାଟ ବାହାରୁ କିଏ ପାଟି କଲା, ପଚାରିଲା ଶଙ୍କର ଘରେ ଅଛିକି ? ରୂପା ଜାଣିଛି କି ବୁଢୀ ଅସୁରୁଣୀଟା ଆଉ କାହାର ସ୍ୱରରେ ଏମିତି ପଚାରୁଛି ବୋଲି। ସେ ବି ଅଭିନୟ କଲା ତା ସ୍ୱାମୀ ଘରେ ଥିଲା ପରି, ଆଉ କହିଲା,“ ଶଙ୍କର ଦେଖିଲ ଏତେ ରାତିରେ ତମକୁ କିଏ ଖୋଜୁଛି। ମୁଁ କଣ କବାଟ ଖୋଲିବି ଶଙ୍କର ?" ସେ ଅସୁରୁଣୀଟା ଭାବିଲା ତା ସ୍ୱାମୀ ଘରେ ଅଛି ବୋଲି ଆଉ ସେ ପଳେଇଲା। ପୁଣି ତା ପର ଦିନ ବି ଆସିକି ରାତିରେ କବାଟ ବାଡେଇଲା ଆଉ ରୂପା ସେମିତି ଅଭିନୟ କରିକି କହିଲା। ସେ ଅସୁରୁଣୀ ପୁଣି ପଳେଇଲା। ଏମିତି ତିନି ଦିନ ପଳେଇଲା। ତିନିଦିନ ରୂପା ଛୁଆମାନଙ୍କୁ ବଞ୍ଚେଇଲା। କିନ୍ତୁ ଆସୁରୁଣୀ କୁ କୋଉଠୁ ଖବର ମିଳିଗଲା କି ତା ସ୍ୱାମୀ ନାହିଁ ଆଉ ରୂପା ତା ସ୍ୱାମୀ ଘରେ ଥିବାର ଅଭିନୟ କରୁଛି ବୋଲି। ବୁଢୀ ଅସୁରୁଣୀ କହିଲା ଆଜି ରାତିରେ ତ ମୁଁ ଛୁଆ ଦିଟାଙ୍କୁ ନିଶ୍ଚିତ ଖାଇବି।


    ଆଜି ଚତୁର୍ଥ ଦିନ। ରୂପା ମନେମନେ ଭାବୁଥିଲା ଆଜି ରାତିଟା ଯେମିତି ହେଲେ କଟିଗଲେ କାଲି ଶଙ୍କର ଆସିଯିବ ଆଉ ରାତିରେ ବୁଢୀ ଅସୁରୁଣୀ ଆସିଲେ ଡର ଲାଗିବନି। କିନ୍ତୁ ଆଜି ରାତିଟା ଯେ କେମିତି କଟିବ ସେଇ ଚିନ୍ତା। ସବୁଦିନ ପରି ସେଦିନ ରାତିରେ ମଧ୍ୟ ରୂପା ଛୁଆମାନଙ୍କୁ ଜଲଦି ଖାଇବାକୁ ଦେଇ ଶୁଆଇ ଦେଲା। ନିଜେ ନ ଶୋଇ ସଜାଗ ରହିଲା ସବୁ ପରିସ୍ଥିତିର ସାମନା କରିବା ପାଇଁ। ଭାବିଲା ସେ ନିଜର ଆଉ ଛୁଆର ଜୀବନ କିପରି ବଞ୍ଚାଇ ପାରିବ। ତା ଘରେ କାଠ କାଟିବା ପାଇଁ କଟୁରୀ ଥିଲା। ସେଇ କଟୁରୀ ଆଣି ନିଜ ପାଖରେ ରଖିଲା। ରାତି ଯେମିତି ବଢୁଥାଏ ରୂପାର ଡରବି ତା ସହ ବଢୁଥାଏ। ନିଜ ଆଖିର ପଲକ ଗୋଟେ କ୍ଷଣ ପାଇଁ ମଧ୍ୟ ସେ ପକଉ ନଥାଏ। ତାହାଲେ ବି ସେ ସାହସ ବାନ୍ଧୁଥିଲା ନିଜ ମନରେ କି ଆଜି ରାତିବି କଟିଯିବ। ଠିକ୍ ମଧ୍ୟ ରାତ୍ରିରେ କବାଟ କିଏ ବାଡେଇଲା। ଏଇଟାତ ବୁଝିବାରେ ଆଉ ବାକି ନଥିଲା କି କବାଟର ଆର ପଟରେ ବୁଢୀ ଅସୁରୁଣୀ ଅଛି ବୋଲି। ରୂପା ପୁଣି ଶଙ୍କର ଘରେ ଥିବାର ଅଭିନୟ କରିବାକୁ ଲାଗିଲା । ସେ କହିଲା,“ ଶଙ୍କର ଦେଖିଲ ଏତେ ରାତିରେ ପୁଣି କିଏ ଡାକୁଛି।"  ସେପଟେ ଅସୁରୁଣୀ ଉତ୍ତର ଦେଲା କବାଟ ଖୋଲ, ମୁଁ ଜାଣି ସାରିଛି ତୋର ସ୍ୱାମୀ ଘରେ ନାହିଁ । ତୁ ତିନି ଦିନ ହେଲା ମତେ ଭକୁଆ ବନଉଛୁ । ଆଜି ମୁଁ ତତେ ଛାଡିବିନି ତୋର ଦୁଇଟାଛୁଆ ଙ୍କୁ ଖାଇକି ଯିବି। ସେ କହିଲା ଏଇ ଦିନର ଅପେକ୍ଷା ମୁଁ ବହୁତ ଦିନ ହେଲା କରୁଥିଲି । ତା ପରେ ତାର ଲମ୍ବା ଲମ୍ବା ହାତ କବାଟ ଫାଙ୍କ ଭିତରକୁ ପୁରେଇଲା ଛୁଆମାନଙ୍କୁ ଧରିବ ବୋଲି।


    ରୂପା ଡରିଗଲା କଣ କରିବ ଭାବି ପାରୁନଥିଲା। ନିଜେତ ମା' ଛୁଆମାନଙ୍କୁ ନିଜେ ତାକୁ ବଞ୍ଚେଇବାକୁ ପଡିବ। ନିଜର ସବୁ ସାହସ ବାନ୍ଧି ପାଖରେ ଆଗରୁ ରଖିଥିବା କଟୁରୀକୁ ଉଠେଇଲା। ଦୁଇହାତରେ କଟୁରୀକୁ ଯୋରେ ଧରିଥିଲା ଯେମିତି ହାତରୁ ଖସିନଯାଉ। ଯେତିକିବେଳେ ବୁଢୀ ଅସୁରୁଣୀ ତାର ଲମ୍ବା ଲମ୍ବା ହାତ ଘର ଭିତରେ ପୁରେଇଲା ଛୁଆମାନଙ୍କୁ ଧରିବା ପାଇଁ ରୂପା କଟୁରୀ ରେ ଦୁଇ ଚୋଟ ପକେଇଲା ତା ହାତ କୁ। ବୁଢୀ ଅସୁରୁଣୀ ଯୋରେ ଚିତ୍କାର କଲା । ତାର ଦିଟା ଲମ୍ବା ଲମ୍ବା ହାତ କଟିଗଲା। ଅସୁରୁଣୀର ଯୋର ଚିତ୍କାର ଶୁଣି ଗାଁ ଲୋକ ସବୁ ଉଠିଗଲେ। ଆଉ ଅସୁରୁଣୀ କୁ ଧରିବାକୁ ତା ପଛରେ ଗୋଡେଇଲେ। ଅସୁରୁଣୀ ବିକଳରେ ତା କଟା ହାତ ଧରି ଦୌଡିକି ପଳେଇଲା। ଆଉ ସେ ଶପଥ ନେଲା କି ଏ ଗାଁ କୁ ଆଉକେବେ ଆସିବନି।  


  ତା ପର ଦିନ ଶଙ୍କର ଆସି ପହଞ୍ଚିଲା ଗାଁ ରେ। ଗାଁ ରେ ପ୍ରବେଶ କରୁ କରୁ ରୂପାର ସାହସ ବିଷୟରେ ଗାଁ ଲୋକଙ୍କଠୁ ଶୁଣିବାକୁ ପାଇଲା। ସେ ବିଶ୍ୱାସ କରିପାରୁନଥିଲା କି ତା ସ୍ତ୍ରୀ ଏତେ ସାହସୀ ହୋଇଥିବ ବୋଲି। ନିଜ ଘରେ ପହଞ୍ଚିଲା। ରୂପାଠୁ ସବୁ କଥା ଶୁଣିବା ପରେ ସେ ତାକୁ ବହୁତ ପ୍ରଶଂସା କଲା ଆଉ ସମ୍ମାନ ଦେଲା ତାର ସାହସ ପାଇଁ। ତା ପରଠାରୁ ଗାଁ ର ଲୋକମାନେ ନିଷ୍ପତି ନେଲେ ଗାଁ ର ସବୁ ମହିଳା ମାନଙ୍କୁ ଆତ୍ମରକ୍ଷାର ତାଲିମ ଦିଆଯିବ ଯୋଉଥିରେ ସେମାନେ ଆତ୍ମନିର୍ଭରଶୀଳ ହେବେ ଆଉ ନିଜର ଆଉ ଅନ୍ୟମାନଙ୍କର ଜୀବନ ମଧ୍ୟ ପରିସ୍ଥିତି ପଡିଲେ ବଞ୍ଚାଇ ପାରିବେ। ଆଉ ସେଇ ଦିନ ପରଠାରୁ ସେଇ ଗାଁରେ କେବେ ସେ ବୁଢୀ ଅସୁରୁଣୀ କୁ କେହି ଦେଖି ନାହାନ୍ତି। 


ଏଇ ଗପରୁ ଆମକୁ କଣ ଶିକ୍ଷା ମିଳିଲା - 

  ମହିଳାମାନେ ପୁରୁଷମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍ ନୁହନ୍ତି। ଆଉ ବିଶେଷ କରି ମହିଳାଟି ଗୋଟେ ମା ହୋଇଥିଲେ ତାର ସାହସ ଦୁଇଗୁଣିତ ହୋଇଯାଇଥାଏ। ସେ ତାର ଛୁଆକୁ କେବେବି ଅସୁବିଧାରେ ଦେଖିପାରିନେ। ନିଜ ପ୍ରାଣପଣେ ଚେଷ୍ଟା କରେ ତାକୁ ବଞ୍ଚେଇବା ପାଇଁ। ମା ହୋଇଗଲେ ବୋଧେ ସାହସ ଶହେଗୁଣା ବଢିଯାଏ। ଆଉ ନିଜର ବୁଦ୍ଧି ଓ ସାହସ ବଳରେ ଆମେ ଯେ କୌଣସି କଠିନ ପରିସ୍ଥିତି ର ମୁକାବିଲା କରି ପାରିବା । ଆଉ ଶେଷରେ ଆମ ସମସ୍ତିଙ୍କୁ ଆତ୍ମରକ୍ଷାର ତାଲିମ୍ ନବାକଥା। ଯେମିତି ପରିସ୍ଥିତି ଆସିଲେ ଆମେ ସାହସର ସହ ଛିଡା ହୋଇ ପାରିବା।




Rate this content
Log in