Satyabati Swain

Others

3  

Satyabati Swain

Others

ବସୁଧା ଆଖିରୁ ଶୁଖୁନି ଲୁହ

ବସୁଧା ଆଖିରୁ ଶୁଖୁନି ଲୁହ

4 mins
12.3K



ତୁନି ହୋଇଯା ଲୋ ବସୁଧା।କେତେ ଆଉ କାନ୍ଦିବୁ କହି ଆଶ୍ୱାସନା ଦେଉଥିଲା ଆକାଶ ।ବସୁଧା ତୁନି ହେବାର ନାଁ ନେଉ ନ ଥିଲା।ବେଳକୁ ବେଳ କୋହ ଫୁଟାଇ କାନ୍ଦୁଥିଲା ମୁଣ୍ଡ ବାଡେଇ।ମୋ ଧନ ମୋ ରାଜା ଓ କଣ୍ଢେଇ କହି କାନ୍ଦୁଥିଲା କେବଳ।ସେଦିନ ସାଧବ ବୋହୁ ପରି ରଙ୍ଗ ସାଙ୍ଗକୁ ଶାଗୁଆ ପାଟ ପିନ୍ଧି ସୂର୍ଯ୍ୟ ନାଲି ଟୋପା ଯେତେବେଳେ ଥାପି ହୋଇଯାଉଥିଲା କପାଳରେ ସେତେବେଳେ ବସୁଧା କୁରୁଳି ଉଠିଥିଲା ସମ୍ଭାବନାର ସୁନେଲି ସ୍ୱପ୍ନକୁ ମୁଠେଇ।ସ୍ବପ୍ନ ସତ ହେଉ ହେଉ ସୃଷ୍ଟିରୁ ଧ୍ୱଂସ ଆଡକୁ ଚାଲିଗଲା ସମସ୍ତ ଆଶା ଆକାଂକ୍ଷା।


ମୁଁ ବସୁଧା;ଅସହାୟ ମୋ ମାତୃତ୍ବ।ହାହାକାର କରୁଛି ମୋ ହୃଦୟ। ଅବର୍ଣ୍ଣନୀୟ ମୋ ଦୁଃଖ,ଦୁର୍ଦ୍ଦଶା।ଅଭିଶପ୍ତ ମାତୃତ୍ୱ ନେଇ ଆଜୀବନ ନିଜକୁ କୋଷୁଛି।ବିଭିନ୍ନ ରୋଗ,ପ୍ରାକୃତିକ ବିପର୍ଯ୍ୟୟର କରାଳ କାୟା ବିସ୍ତାରି ଯାଉଛି ମୋ ପିଲାମାନଙ୍କୁ।ଭୋକର ନିଆଁ ପୋଡି ଜାଳି ଦେଉଛି ମୋ ପିଲାଙ୍କଙ୍କ ଜୀବନରେ ଆଗକୁ ବଢିବା ଗତି।ସେମାନେ ନିରସ୍ତ୍ର ଅଭିମନ୍ୟୁ। ଜୀବନରୁ ହସ ,ଖୁସି ସ୍ୱପ୍ନ ଓ କୋଳାହଳ କିଏ ଚୋରେଇ ନେଇଛି।ହଜି ଯାଇଛି କୁଆଡେ ଶାନ୍ତି।ଯେଉଁ ଘର ଦିନେ ହସଖୁସିରେ ଫାଟୁ ଥିଲା ସେଠି ଆଜି ଶ୍ମଶାନ ଶୁନ୍ୟତା।ପୁଅ,ନାତି ନାତୁଣୀ ଅଣ ନାତି,ପଣ ନାତି,ପ୍ର ପଣ ନାତିରେ ଘୋ ଘା ହେଉଥିଲା ଖୁସିବାସିଆ ଜୀବନ। ପାରସ୍ପରିକ ବୁଝାମଣା,ସହଭାଗିତା,ସହଯୋଗ,ସଦ୍ଭାବ,ସ୍ନେହ ମମତା ମହକରେ ବାସୁଥିଲା ମୋ ହାତ ଗଢ଼ା ସ୍ୱର୍ଗ ପରି ଘର।ମୁଁ ଘର ସଂସାର ସମ୍ଭାଳୁଥିଲି।ପିଲାମାନଙ୍କ ଦେଖା ଶୁଣା କରୁଥିଲି।ବଢ଼େଇ କୁଣ୍ଢେଇ,ଶିକ୍ଷା ସଂସ୍କାର ଦେଇ ଜଣେ ଜଣେ ସଭ୍ୟ ମଣିଷ ଉତ୍ତାରୁଥିଲି।ପ୍ରତ୍ୟେକ ପିଲା ମାନୁଥିଲେ ଆମ ହାତ ତିଆରି ସମ୍ବିଧାନ।ଅଳ୍ପକେ ସନ୍ତୁଷ୍ଟତା ମୋ ଘର 'ଖୁସିର କୁଞ୍ଚି କାଠି 'ହୋଇଥିଲା।ଦିନେ ମୋ ଘରେ ବିଶୃଙ୍ଖଳା କି ଲଢେଇ ନଥିଲା ଏତେ ପିଲା ଥିଲେ ବି।


ଆକାଶ ଅହରହ ଖଟୁଥିଲା ତା ପିଲାମାନେ କିପରି ଖୁସିରେ ରହିବେ।ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ଖରାରେ ଛାତି ଦେଖେଇ ଜଳୁଥିଲା ସୂର୍ଯ୍ୟଙ୍କ ଉତ୍ତାପରେ।ବର୍ଷାରେ ଭିଜୁଥିଲା ଅହରହ ବିନା ଛତାରେ।ଶୀତରେ ଖାଲି ଦେହରେ ଥରୁଥିଲା ବରଫ ହୋଇ।ଫଳଉଥିଲ ଫସଲ।ତା ପିଲାମାନଙ୍କ ସୁଖ ପାଇଁ ସେ ସବୁବେଳେ ଖଟୁଥିଲା।


ସବୁ ଠିକ୍ ଠାକ୍ ଥିଲା।ପିଲାମାନେ ବଡ଼ ହେଲେ।ଉଡ଼ି ଶିଖିଲେ।ମେଘ ସେପାଖକୁ ଉଡିବାକୁ ମନ ବଳାଇଲେ।ବାହା ସାହା ହେଲେ।ପାଶ୍ଚାତ୍ୟ ସଭ୍ୟତା ତାଙ୍କୁ ବାଇଆ କଲା।ଶ୍ରମ ବିମୁଖ ହୋଇ କେବଳ ବୁଦ୍ଧି ଖଟେଇ ଯନ୍ତ୍ର ସାହାଯ୍ୟରେ ବହୁ ସୌଖିନ ଜିନିଷ ଉତ୍ପାଦନ କଲେ।ବଡ଼ ହେବାର ନିଶା ତାଙ୍କୁ ପାଗଳ କଲା।ପରିବାର ନିୟନ୍ତ୍ରଣ କଲେ ନାହିଁ।ହୁ ହୁ ଜନସଂଖ୍ୟା ବଢ଼ିଲା।ବଢ଼ିଲା ଆବଶ୍ୟକତା।ବଢ଼ିଲା ଉତ୍ପାଦନ।


ଶ୍ରମ ପ୍ରତି ଶ୍ରଦ୍ଧାଥିଲା।କର୍ମ ପ୍ରତି ସମ୍ମାନ ଥିଲା।କଣ ହେଲା କେଜାଣି ପିଲାଙ୍କ ଭିତରେ ସବୁଠାରୁ ବୁଦ୍ଧିଆ ପୁଅ ମୋର 'ମଣିଷ' କୁ ସୁନା ହରିଣ ଓ ଆତ ଲୋଭ ଗ୍ରାସିଲା।ତାକୁ ଲୋଭ,ମୋହ ଏପରି ଗ୍ରାସିଲା ଯେ ସେ ତାରି ନିଜ ଭାଇ ଭଉଣୀ ଓବନ୍ଧୁ ସମସ୍ତଙ୍କୁ ଗୋଡେଇ ଗୋଡେଇ ହାଣିଲା,ମାରିଲା।ସେ ଅବିବାରିତ କାଟିଲା ତା ଭଉଣୀ ତରୁକୁ,ପ୍ରାଣଠାରୁ ପ୍ରିୟ ବନ୍ଧୁ ବନ କୁ ସମୂଳେ ନିଷ୍ଠୁର ଭାବେ କାଟି ସଫା କଲା।ସେମାନଙ୍କୁ ଧ୍ୱଂସ କରି ତାଙ୍କ ସ୍ଥାନରେ ଗଢିଲା କଂକ୍ରିଟ ଜଙ୍ଗଲ,କଳକାରଖାନା ।କେତେ ବିଶୁଦ୍ଧ ଥିଲେ ମଣିଷର ଭଉଣୀ ଝରଣା,ନିର୍ଝରିଣୀ।ଏତେ ଅବିବେକି ମଣିଷ ଦେବଶିଶୁ ମୋର କେମିତି ହେଲା?।କଲକାରଖାନାରୁ ନିର୍ଗତ ଅପରିଷ୍କାର ପାଣିରେ ପୂର୍ଣ୍ଣ କରି ସେମାନଙ୍କୁ ଦୂଷିତ କରିଦେଲା।ସେମାନେ ମିଠା ପାଣି ଦ୍ୱାରା ଆପ୍ୟାୟିତ କରୁଥିଲେ ବିଶ୍ୱ ଜୀବନ।କିନ୍ତୁ ଏବେ ତାଙ୍କ ମଧୁର ଜଳ ବିଷାକ୍ତ।


ମୁଁ ସମସ୍ତଙ୍କ ଠାରୁ ବେଶୀ ଗେହ୍ଲା କରିଥିଲି ମଣିଷକୁ। କିନ୍ତୁ ମଣିଷ ଶେଷରେ ସଭ୍ୟତା ସୁଅରେ ନିଜକୁ ଡୁବେଇ ନିଜର ସବୁ ସୁଗୁଣ ତଣ୍ଟି ଚିପି ମାରିଦେଲା।ବିଂଜ୍ଞାନକୁ ଅସ୍ତ୍ର କରି ସେ ପ୍ରତିଦିନ କିଛି ନୂଆ ମନସ୍କରେ ରହିଲା।ଯେଉଁ ନୂଆ ଜିନିଷ ବାହାର କଲା ତାର ଦୈନ୍ୟ ଦିନ ଜୀବନ ଚର୍ଯାକୁ ଅତି ମାତ୍ରାରେ ପ୍ରଭାବିତ କଲା।ବିଂଜ୍ଞାନ ଦ୍ୱାରା ସେ ସମୟ,ଦୂରତା,ରୋଗ ଉପରେ ବିଜୟ ପ୍ରାପ୍ତିର ଆଶା ରଖିଲା।ନୂତନ କଳ କୌଶଳ ଅବଲମ୍ବନ କରି ସେ ଶିକ୍ଷା,କୃଷି,ସ୍ୱାସ୍ଥ୍ୟ,ଶିଳ୍ପ,ଗମନା ଗମନ,କଳା ସ୍ଥାପତ୍ୟ,ପର୍ଯ୍ୟଟନ,ସଂସ୍କୁତି କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିଲା।


ଅତି ସୁଖ ଚାହିଁଲା।ସବୁ ଅତି ଭୟଙ୍କର ଏ କଥା ବି ଭୁଲି ଗଲା।ଶିଳ୍ପ କ୍ଷେତ୍ରରେ ଅପୂର୍ବ ସଫଳତା ତାକୁ ଅନ୍ଧ ଅଵିବେକୀ କରିଦେଲା।ଚନ୍ଦ୍ରରେ ଜାଗା କିଣିଲା।ମଙ୍ଗଳରେ ବସତିସ୍ଥାପନ ନିମନ୍ତେ ଗବେଷଣା ଚଳେଇଲା।କୃତ୍ରିମ ଉପଗ୍ରହ ଉଦ୍ଭାବନ କରି ଆଗତ ଭବିଷ୍ୟତ ପାଣିପାଗ ଜାଣି ପାରି ବିପତ୍ତିର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି କଲା।ଖରା,ବର୍ଷା,କୁହୁଡି,ଶୀତ,ବନ୍ୟା,ବାତ୍ୟାକୁ ଜିତିବା ପାଇଁ କଳ,ବଳ ଖଟେଇଲା।


ଏପରିକି 'ଇ ଯୁଗରେ' ପହଞ୍ଚିଗଲା ସେ।ସୁଇଚି ଟିପିଲା ମାତ୍ରକେ ସେ ଯୋଗାଯୋଗ କରି ପାରିଲା ବିଶ୍ୱର ଅନ୍ୟ ପ୍ରାନ୍ତ ସହ।କଥା ହେଲା ଓ ଦେଖିଲା ତା ଠାରୁ ଆଖି ନ ପାଇବା ଦୂରରେ ଥିବା ଆତ୍ମୀୟ ମାନଙ୍କୁ।ଗୋଟିଏ ବମ୍ ଫୁଟେଇ ନିମିଷେକେ ଗୋଟିଏ ଭୂଖଣ୍ଡ ଧ୍ୱଂସ କରି ଦେବାର ସାମର୍ଥ୍ୟ ରଖିଲା।ଅସାଧ୍ୟ ସାଧନ କଲା।ଭୟଙ୍କର ଆରୋଗ୍ୟ ବିହୀନ ରୋଗ କ୍ୟାନ୍ସର କବଳରୁ ନିଜକୁ ମୁକ୍ତ କରି ଚିକିତ୍ସା ବିଜ୍ଞାନରେ ବିସ୍ମୟ ସୃଷ୍ଟି କଲା।ଆଭ୍ୟନ୍ତରୀଣ ଅଙ୍ଗ ପ୍ରତିରୋପଣ କରି ଚିକିତ୍ସା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କଲା।


ମଣିଷ ବଢିବା,ଗଢିବା,ଜିତିବା ନିଶାରେ କେବଳ ଅ ଣନିଃଶ୍ଵାସୀ ହୋଇ ଦୌଡ଼ିଲା।ପ୍ରଭୁତ୍ୱ,ପ୍ରତିଷ୍ଠା,ଗଦି ଗାଦି ପଛରେ ଖାଲି ଦୌଡ଼ିଲା ଆଉ ଦୌଡ଼ିଲା।


ଶେଷରେ 'ଯନ୍ତ୍ର ମାନବ ରୋବଟ୍' ବାହାର କରି ହଜାର ହଜାର ମଣିଷର କାମ ନିମିଷେକେଏଇ ଯନ୍ତ୍ର ମଣିଷ ଦ୍ୱାରା ସମ୍ପାଦନା କଲା।ସହଜ ସୁଗମ ହୋଇଗଲା ତା ଜୀଇଁବା । ବହୁଳ ଗାଡି,କଳକାରଖାନା,ପ୍ଲାଷ୍ଟିକ ଦ୍ରବ୍ୟ,ପଲିଥିନ ବ୍ୟବହାର କରି ନିଜ ଜୀବନକୁ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବୁଡାଇ ଦେଲା।ବୋଝ କମେଇବା ପାଇଁ ସକାଳୁ ଉଠି ବେଡ୍ କୁ ଯିବା ପର୍ଯ୍ୟନ୍ତ ଯାବତୀୟ ଦ୍ରବ୍ୟ ପ୍ଲାଷ୍ଟିକରେ ପ୍ରସ୍ତୁତ କଲା।ଦାନ୍ତ ଘଷା ବ୍ରସ ଠାରୁ ଖାଇବା ପାତ୍ର ଓ ଶୋଇବା ବେଡ୍ ବି ପ୍ଲାଷ୍ଟିକରେ ପ୍ରସ୍ତୁତ କଲା।ପ୍ରତ୍ୟେକ ଦ୍ରବ୍ୟର ଆୟୁଷ ମଧ୍ୟ କମ୍ ହେଲା।ଏଇ ଯେମିତି ଥରେ ବ୍ୟବହାର କର ଓ ଫିଙ୍ଗ।


ମଣିଷ ସୁଖ ଚାହିଁଲା।ସୁଖ ମଣିଷକୁ ମରଣ ମୁହଁକୁ ଠେଲି ଦେଲା।ସବୁ ଅତି ଯୁଗେ ଯୁଗେ ବିନାଶକାରୀ।


ଏମିତି ସମୟ ଆସିଲା ବ୍ୟବହୃତ ଗାଡିମଟର,କଳକାର ଖାନା ଧୂଆଁ,ବର୍ଜ୍ୟବସ୍ତୁର ଆବର୍ଜନା ଗୋଟିଏ ଅଦ୍ଭୁତ କିମ୍ଭୁତ କିମ୍ଵାକାର ରାକ୍ଷସ ରୂପ ନେଇ ଗୋଡେଇଲା ଗିଳିବାକୁ ମୋ ଜୀଵ ଶ୍ରେଷ୍ଠ ମଣିଷକୁ।ଦୂଷିତ ବାୟୁମଣ୍ଡଳ ପାଇଁ ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହେଲା ସେ।ବଣ ଜଙ୍ଗଲ କଟା ହେତୁ ବିଗିଡି ଗଲା ମାଟି,ପାଣିପାଗ,ପବନ ଓ ପ୍ରକୃତି।ଅସ୍ୱାସ୍ଥ୍ୟକର ପରିବେଶରେ ତାଣ୍ଡବ ରଚିଲା ବର୍ଜ୍ୟବସ୍ତୁ ର ଆବର୍ଜନା ଭଷ୍ମାସୁର।ଯେ ତାର ସୃଷ୍ଟି କର୍ତ୍ତା ସେଇଆକୁ ଗୋଡାଉଛି ଧ୍ୱଂସ କରିବା ପାଇଁ।


ପ୍ରକୃତି କରାଳ ରୂପ ନେଲା।ଅଂଶୁଘାତ,ବନ୍ୟା,ବାତ୍ୟା,ଭୂକମ୍ପ ଓ ଅଚିହ୍ନା ,ଅଦୃଶ୍ୟ ରୋଗ ବାରମ୍ବାର ଆଣି ଭାଙ୍ଗି ଦେଲା ତାର ମେରୁ ଦଣ୍ଡ।


ଆଉ ଏବେ ତ ଅଣାୟତ୍ତ 'କରୋନା' ନାମକ ବିଶ୍ୱ ବ୍ୟାପି ମହାମାରୀ ଚଡକ।ବିଶ୍ୱ ଅସହାୟ।ଲକ୍ଷ ଲକ୍ଷ ମଣିଷ ପ୍ରତିଦିନ ଅବେଳେ ଝରୁଛି ମୋ କୋଳ ଖାଲି କରି।


ବେଢ଼ି ଉପରେ କୋରଡ଼ା ପରି ଏବେ ଆସୁଛି ମଣିଷ ହୃଦୟରେ କମ୍ପନ ସୃଷ୍ଟି କରି 'ଅମ୍ପନ' ବାତ୍ୟା।


କରୋନା ଅଦୃଶ୍ୟ ମହାମାରୀର ଭିଷଣ ଧକ୍କା,ଦାଦନ ଶ୍ରମିକ ଓ ଦିନ ମଜୁରିଆ ଖଟିଖିଆ ପେଟର ଭୋକ ପୁଣି ଅମ୍ପନର କମ୍ପନ।


ମୋ ଦେହ ସାରା ଦଲ ଦଲ ଘା।ବର୍ଜ୍ୟବସ୍ତୁର ବିଷ ପିଇ ଜଳୁଛି ମୋ ସମଗ୍ର ସତ୍ତା।ଆଖି ଆଗରେ ପ୍ରିୟ ସନ୍ତାନର ଧ୍ୱଂସଲୀଳା ଦେଖି ମୋ ଆଖିରୁ ବହୁଛି ଅବିରତ ଲୁହ।


ଆକାଶ ,ବ୍ୟସ୍ତ ବିବ୍ରତ।ଯେତେ ବୁଝେଇଲେ ବି ବୁଝୁନି ତା ପ୍ରାଣ ପ୍ରିୟା ବସୁଧା।କ୍ଷୀର ଛାଡିଲେ କି କରଇ ମା।ନଈ ଛାଡିଲେ କି କରଇ ନାଆ ଲୋ ବସୁଧା।ତୁ ତୁନି ହୋଇଯା। ଜନ୍ମ ସିନା ଦେଇଛୁ କର୍ମ ତ ସେମାନଙ୍କର।ଯେମିତି କର୍ମ କରିବେ ସେମିତି ଫଳ ପାଇବେ।ତୁ ମା ବସୁଧା ପୋକ ମାଛି ପରି ତୋ ପିଲା ମରିବା ଦେଖି ପାରୁ ନାହୁଁ।କିନ୍ତୁ ଆମ ହାତରେ କଣ ଅଛି ଲୋ।ତୋ ପିଲା ବା ବଡ଼ ହୋଇଛନ୍ତି,ଭଲ ମନ୍ଦ ବିଚାର କରିବା ଶକ୍ତି ଅଛି ତାଙ୍କର।ସଶକ୍ତ ଡେଣା।ତାଙ୍କ ଉଡା ତୁ କଣ ରୋକି ପାରିବୁ?


ବସୁଧା ଆଖିରୁ କିନ୍ତୁ ଶୁଖୁନି ଲୁହ ଆଖି ଆଗରେ ଲକ୍ଷ ଲକ୍ଷ ପିଲାଙ୍କ ମରଣ ଦେଖି।ବୋଧେ ଏ ଲୁହ ଆଉ ଶୁଖିବ ନାହିଁ।


Rate this content
Log in