Kalyani Nanda

Others

3  

Kalyani Nanda

Others

ବର୍ଷା ଓ ଭିଜା ଭିଜା ସ୍ମୃତି

ବର୍ଷା ଓ ଭିଜା ଭିଜା ସ୍ମୃତି

4 mins
346



ବେଶ କିଛି ଦିନର ଗରମ ପରେ ଆଜି ନୀଳ ଆକାଶକୁ କଳା ମେଘ ଢାଙ୍କିଛି। ଅଫିସରୁ ଫେରୁଥାଏ ଶ୍ରୀମୟୀ । କଳା ମେଘ ଦେଖି ବର୍ଷାର ଅନୁମାନ କରି ଶୀଘ୍ର ଶୀଘ୍ର ଘରକୁ ଫେରିବାକୁ ପାଦ ବଢାଇଲା ସେ । ଅଧା ରାସ୍ତା ହୋଇଛି କି ନାହିଁ , ବଡ ବଡ ବୁନ୍ଦା ପକାଇ ବର୍ଷା ହେବାକୁ ଲାଗିଲା । ଛତା ବି ଆଣି ନ ଥିଲା ଶ୍ରୀମୟୀ। ଅଟୋ ସବୁ ବି କୁଆଡେ ଗଲେ କେଜାଣି । ଯେଉଁ କେତୋଟି ଅଟୋ ଦେଖା ଯାଉଥାଏ , କେହି ବି ବର୍ଷାର ଆସର ଓ ମେଘ, ବିଜୁଳି ଦେଖି ଅଟକୁ ନଥାନ୍ତି ।


ବର୍ଷା ଜୋର ରେ ବର୍ଷିବା ଆରମ୍ଭ କଲା । ଶ୍ରୀମୟୀ ବର୍ଷାରେ ପୁରା ଭିଜି ଯିବା ଆଗରୁ ପାଖରେ ଥିବା ଛୋଟ ଟିଷ୍ଟଲ ଭିତରେ ଯାଇ ଛିଡା ହେଲା । ବର୍ଷା ଜୋର ରେ ବର୍ଷୁଥାଏ । କିଛି ସମୟ ପରେ ବର୍ଷାର ବେଗ ଟିକିଏ କମିଲା । ଶ୍ରୀମୟୀ ଆଉ ଅପେକ୍ଷା ନକରି ଘରକୁ ଯିବାକୁ ବାହାରିଲା । ବର୍ଷା ଯୋଗୁଁ ରାସ୍ତାରେ ବେଶି ଭିଡ ନଥାଏ । ଝିପି ଝିପି ବର୍ଷା ହେଉଥାଏ । ସେତିକି ବର୍ଷାରେ ଚାଲି ଚାଲି ଯିବା ଭିତରେ ଶ୍ରୀମୟୀ ବେଶ କିଛିଟା ବର୍ଷାରେ ଭିଜି ଓଦା ହୋଇ ଯାଇଥାଏ । ଓଦା ଲୁଗାରେ ଶୀଘ୍ର ଶୀଘ୍ର ଚାଲି ବି ହେଉ ନ ଥାଏ । ସେଇ ଝିପି ଝିପି ବର୍ଷାରେ ଭିଜି ଭିଜି ଶ୍ରୀମୟୀ ଚାଲୁଥାଏ । ତାର ମନେ ପଡୁଥାଏ ତୁଷାର କଥା । ବହୁତ ଦିନ ହେଲାଣି ତା ସହ ତାର ଆଉ ଦେଖା ହୋଇନି । ତୁଷାର , ଶ୍ରୀମୟୀର କଲେଜ ବନ୍ଧୁ । କଣ ହେଲା ତୁଷାରର ? ଶ୍ରୀମୟୀ ସହ ତାର ଦେଖା ବୋଧ ହୁଏ ବର୍ଷେ ପାଖା ପାଖି ହେବ ହେଇନି । କଣ ହେଲା, ତୁଷାର ତାକୁ କିଛି ନ ଜଣାଇ କୁଆଡେ ଗଲା ? କିଛି ବି ଖବର ନ ଥିଲା ଶ୍ରୀମୟୀ ପାଖରେ । ଏମିତି ନୁହେଁ ଯେ ସେ ଚେଷ୍ଟା କରିନି ତୁଷାର ବିଷୟରେ ଖବର ନେବାକୁ । ବହୁତ ଚେଷ୍ଟା କରିଛି ଶ୍ରୀମୟୀ, ତା ବିଷୟରେ ଜାଣିବାକୁ କିନ୍ତୁ କିଛି ଖବର ପାଇନି । ତୁଷାର କଥା ମନେ ପଡିବାରୁ ତାର ମନେ ପଡୁଥାଏ , ଏମିତି ଏକ ସଞ୍ଜ ବେଳରେ ସେ ଭେଟିବାକୁ ଯାଇଥିଲା ତୁଷାର ସହ ,ତାଙ୍କ କଲେଜ ପାଖରେ ଥିବା ଏକ ରେଷ୍ଟୁରାଣ୍ଟକୁ ।


ସେ ଦୁହେଁ ସବୁବେଳେ ସେଇ ରେଷ୍ଟୁରାଣ୍ଟକୁ ଯାଉଥିଲେ । କିନ୍ତୁ ସେଠୁ ବାହାରିଲା ବେଳକୁ ହଠାତ ଏମିତି ଜୋର ରେ ବର୍ଷା ହୋଇଥିଲା । ଶ୍ରୀମୟୀ ବର୍ଷାରେ ଅଧା ଭିଜି ଯାଇଥିଲା , ହେଲେ ଏମିତି ବର୍ଷା ରେ ଭିଜି ବାକୁ ତାର ଖୁବ ଇଚ୍ଛା ହୋଇଥିଲା ସେଦିନ । ଆଉ ସେ ତୁଷାରର ବାରଣ ସତ୍ତ୍ବେ ସେଇ ବର୍ଷାରେ ଭିଜି ଭିଜି ଚାଲିବାକୁ ଲାଗିଲା । ବରଂ ସେ ତୁଷାରର ହାତ ଟାଣି ନେଇ ବର୍ଷାରେ ଭିଜାଇ ଦେଇଥିଲା । କେତେ ଖୁସି ହୋଇଥିଲା ସେ ସେଦିନ । ସେଇ ବର୍ଷା ରେ ଭିଜି ଭିଜି ଦୁହେଁ ଦୁହିଁଙ୍କୁ କିଛି ନ କହି ବି ବହୁତ କିଛି କହି ଦେଇଥିଲେ । ଆଉ ରିମ ଝିମ ବର୍ଷା ସେମାନଙ୍କର ଭଲ ପାଇବାର ସ୍ବୀକୃତି ଦେଉଥିଲା ।

ହଠାତ ଗୋଟିଏ ମୋଟର ସାଇକେଲ ତା ପାଖରେ ରହିବା ଦେଖି ଶ୍ରୀମୟୀ ଚମକି ପଡି ନିଜ ସ୍ମୃତି ରାଇଜ ରୁ ଫେରି ଆସି କିଛି ବୁଝିବା ଆଗରୁ ," ଶ୍ରୀ ,ତୁମେ ପୁଣି ଭିଜୁଛ ବର୍ଷା ରେ ? ତୁମକୁ ଯେ କେମିତି ଥଣ୍ଡା ଚଟ୍ କରି ଧରେ ଏମିତି ବର୍ଷା ରେ ଭିଜିଲେ, ସବୁ ଜାଣି ବି ତୁମର ପିଲାଳିଆମୀ ଗଲାନି ।" ' ଶ୍ରୀ ' ଏଇ ଡାକ ଶୁଣି ସେ ମୁଣ୍ଡ ଟେକି ଚାହିଁ ଦେଖିଲା, ତୁଷାର ତା ପାଖରେ । ତୁଷାର ହିଁ କେବଳ ତାକୁ ' ଶ୍ରୀ' ବୋଲି ଡାକେ । ତାର ବିଶ୍ବାସ ହେଉ ନ ଥାଏ ଯେ ସେ ସତରେ ତୁଷାରକୁ ଦେଖୁଛି ।ଏବେ ତ ସେ ତୁଷାର କଥା ଭାବୁଥିଲା ଆଉ ତୁଷାର ତା ମନ କଥା ଜାଣିଲା ପରି ତା ପାଖରେ ପହଞ୍ଚିଗଲା । ଆଶ୍ଚର୍ଯ୍ଯ ହୋଇ ଚାହିଁ ରହିଥାଏ ସେ ତୁଷାରକୁ । ତୁଷାର ତାକୁ ତା ମୋଟର ସାଇକେଲ ରେ ବସିବାକୁ କହୁଥାଏ । କିନ୍ତୁ ତା କଥା ନ ଶୁଣି ସେ ତୁଷାର କୁ ପଚାରୁ ଥାଏ, " କୁଆଡେ ଥିଲ ଏତେ ଦିନ ତୁଷାର ? କେତେ ଖୋଜିଛି ମୁଁ ତୁମକୁ । କେତେ ଫୋନ କରିଛି । କିନ୍ତୁ ତୁମର ଖବର ମୁଁ ପାଇନି । " ତୁଷାର ତା ଅଭିମାନ, ଅଭିଯୋଗ ଭରା ପ୍ରଶ୍ନ ଭରା ମୁହଁକୁ ଦେଖି କହିଲା, " ମୁଁ ଜାଣେ ଶ୍ରୀ , ତୁମେ ମୋ ଉପରେ ବହୁତ ରାଗିଥିବ, କିନ୍ତୁ ମୁଁ ଜାଣି ଶୁଣି ଏମିତି କରି ନଥିଲି ।


ପରିସ୍ଥିତି ଏମିତି ହେଲା ଯେ , ମୁଁ ସେଥିରେ ବ୍ଯସ୍ତ ରହି ତୁମ ସହ କୌଣସି ଯୋଗାଯୋଗ କରି ପାରି ନଥିଲି। ମୋ ମାଁ ହଠାତ ଏତେ ଅସୁସ୍ଥ ହେଇ ପଡିଲା ଯେ ତାକୁ ଡାକ୍ତର ଦେଖାଇ, ତାର ସେବା ଯତ୍ନ , ସାନ ଭାଇର କଲେଜରେ ଏଡମିସନ କରାଇବା ଆଦି କାମରେ ଏମିତି ବ୍ଯସ୍ତ ହୋଇ ପଡିଥିଲି ଯେ ତୁମକୁ କିଛି ଖବର ଦେବା ପାଇଁ ସମୟ ପାଇନି । ତାପରେ କଲିକତାରେ ଚାକିରୀ ପାଇ ଏବେ ଜଏନ କରିଛି । ଏଇ ଚାକିରୀ ପାଇବା ଖବର ତୁମକୁ ସରପ୍ରାଇଜ ଦେବି ବୋଲି ଆଉ କିଛି ନ କହି ସିଧା ତୁମ ପାଖକୁ ଚାଲି ଆସିଛି । ଏଥର କିନ୍ତୁ ମୁଁ ମୋ ଭଲ ପାଇବାର ସ୍ବୀକୃତି ଦେଇ ତୁମକୁ ସବୁଦିନ ପାଇଁ ମୋ ପାଖରେ ରଖିବାର ପ୍ରତିଶ୍ରୁତି ତୁମଠୁ ନେବାକୁ ଆସିଛି । ମୁଁ ତ ଭାବୁଥିଲି , ହୁଏତ ତୁମେ ବାହା ହୋଇ ଯାଇଥିବ ।" " ନା, ବାପା, ମାଁ ମୋ ବାହାଘର କରି ଦେବାକୁ ଚାହୁଁ ଥିଲେ କିନ୍ତୁ ମୁଁ ମନା କରି ଦେଇଥିଲି । ମୁଁ ସାରା ଜୀବନ ତୁମ୍ଭ ପାଇଁ ଅପେକ୍ଷା କରି ରହିଥାନ୍ତି । ମୋର ବିଶ୍ବାସ ଥିଲା ତୁମେ ନିଶ୍ଚେ ଆସିବ ବୋଲି । ସାନ ଭଉଣୀ ପାଇଁ ଭଲ ପ୍ରସ୍ତାବ ଆସିବାରୁ ତା ବାହାଘର ସରି ଯାଇଛି । ଆଉ ମୁଁ ଏବେ ରେଭେନ୍ୟୁ ଅଫିସରେ ଚାକିରୀ କରୁଛି ।" " ହଉ, ତୁମେ ଏବେ ଗାଡିରେ ବସ ଆଉ ମୋର ଏଇ ରେନ କୋଟଟା ପିନ୍ଧି ପକାଅ । ତୁମକୁ ତୁମ ଘରେ ଛାଡି ଦେବି ଆଉ କାଲି ମୋ ମାଁ କୁ ନେଇ ତୁମ ଘରକୁ ଯିବି ।" ତୁଷାର ତା ରେନ କୋଟଟା ଶ୍ରୀ ହାତକୁ ବଢାଇ ଦେଲା ।


ଶ୍ରୀମୟୀ ଆଜି ବହୁତ ଖୁସି ଥିଲା ତୁଷାର କୁ ଦେଖି , ତା କଥା ଶୁଣି । ରେନ କୋଟ ଟା ହାତରେ ଧରି ଗାଡି ରେ ବସି ଶ୍ରୀ କହିଲା, " ସତରେ ଆଜି ମୁଁ ବହୁତ ଖୁସି ତୁଷାର । ଚାଲ ନା ସେଦିନ ପରି ଆମେ ଦୁହେଁ ଆଜି ଏଇ ବର୍ଷାରେ ଭିଜି ଭିଜି ଯିବା । " ମେଘର ଘଡ ଘଡି ସହ ବିଜୁଳିର ଝଲକ ରେ ସେ ଦୁଇ ଜଣଙ୍କର ମୁହଁ ଆହୁରି ଉଜ୍ଜ୍ବଳ ଦେଖାଯାଉଥାଏ । ଏକ ନୂତନ ସ୍ବପ୍ନ ଦୁଇ ଜଣଙ୍କର ଆଖିରେ ଝଲସି ଉଠୁଥାଏ । ସେମାନଙ୍କର ଏଇ ଖୁସି ଦେଖି ବର୍ଷା ଖୁବ ଜୋରରେ ବର୍ଷିବାକୁ ଲାଗିଲା । ସତେ ଯେମିତି ଆଉ ଥରେ ସେମାନଙ୍କର ଭଲ ପାଇବାର ବନ୍ଧନ କୁ ନୂତନ ଭାବରେ ସ୍ବୀକୃତି ଦେବା ପାଇଁ ଜୋର ଜୋର ବର୍ଷୁଥାଏ ଆଉ ସେମାନଙ୍କୁ ଭିଜାଇ ଦେଉଥାଏ । ସେ ଦୁଇ ଜଣଙ୍କ ଖିଲି ଖିଲି ହସରେ ବର୍ଷା ବି ଯେମିତି ଏକ ନୂତନ ଛନ୍ଦ ତୋଳି ବର୍ଷୁଥାଏ ।



Rate this content
Log in