Rajabala Tripathy

Others

3.3  

Rajabala Tripathy

Others

ବର୍ଷା: ଏକ ପ୍ରେମ କଥା

ବର୍ଷା: ଏକ ପ୍ରେମ କଥା

3 mins
617



ରିମ ଝିମ ଶବ୍ଦରେ ପୃଥିବୀକୁ ପୁଣିଥରେ ଲେଉଟିଛି ବର୍ଷା। ତା ଆଗମନରେ ଶୀତଳ ହୋଇ ଉଠିଛି ଉତ୍ତପ୍ତ ପୃଥିବୀ। ବିନ୍ଦୁ ବିନ୍ଦୁ ବର୍ଷା ପାଣିକୁ ମନ ଭରି ଶୋଷି ନେଇଛି ଧରିଣୀ ରାଣୀ ତାର ପିଆସୀ ଓଠରେ।ବର୍ଷାର ମତୁଆଲା ତାନରେ ଉଲ୍ଲସି ଉଠିଛନ୍ତି ପ୍ରାଣୀଠୁ ଉଦ୍ଭିଦ। ସବୁଆଡେ ସବୁଜିମା ସବୁଆଡେ ସତେଜତା। ସତେ କି ବର୍ଷା ଋତୁ ନୁହେଁ ଏଇ ପ୍ରେମ ଋତୁ। ସମସ୍ତଙ୍କ ମନରେ ପ୍ରିୟ ସହ ମିଳନର ଆକାଂକ୍ଷା । ସାରୁ ଗଛ ମୂଳେ ବସି ପ୍ରିୟତମାକୁ କେଂ କଟର ଶବ୍ଦ କରି ଅବିରତ ମିଳନର ଆହ୍ୱାନ ଦେଉଛି ବେଙ୍ଗରାଜା। ସତେ ଅବା ସେ କହୁଛି" ଆସ ପ୍ରିୟତମା ଆଉ ଡେରି କରନା, ତୁମ ପ୍ରତୀକ୍ଷାରେ ବିତି ନ ଯାଉ ଏ ବର୍ଷା ଋତୁ। ଅଧୁରା ରହି ନ ଯାଉ ଆମ ମିଳନର ଆକାଂକ୍ଷା" । 


କ୍ଷୁଦ୍ରଦପି କ୍ଷୁଦ୍ର ପ୍ରାଣ ଯେତେବେଳେ ପ୍ରେମରେ ନାଚି ଉଠୁଛି, କୀଟ ପତଙ୍ଗ ବା ଏଥିରୁ ବାଦ ପଡିବେ କିପରି। ବର୍ଷାର ଧୂନରେ ମତୁଆଲା ହୋଇ ଉଠିଛି ପୁରୁଷ ପିପିଲିକା(ଜନ୍ଦା)ମାନଙ୍କର ମନ। ଲକ୍ଷ୍ୟ କେବଳ ଗୋଟିଏ, ଦଳରେ ନୂଆ କରି ହୋଇଥିବା ରାଣୀର ପ୍ରେମ ପ୍ରାପ୍ତି। କିନ୍ତୁ ସେ ଯେ ରାଣୀ, ଶରୀରରେ, ପଦବୀରେ ସବୁଥିରେ ପୁରୁଷଠୁ ସେ ଶ୍ରେଷ୍ଠ। ତା ପ୍ରେମ ପାଇବା କଣ ଏତେ ସହଜ। ପୁରୁଷର ପ୍ରେମକୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବା ଉଦେଶ୍ୟରେ ପକ୍ଷହୀନ ଦେହରେ ତାର ପଲ୍ଲବୀ ଉଠିଛି ଯୋଡିଏ ପକ୍ଷ। 

ପୁରୁଷ ମନର ଉତ୍ତାପକୁ ବେଶ ପରଖି ନେଇ ଏକ ଅଳସ ମେଘୁଆ ଅପରାହ୍ଣରେ ଘର ଛାଡ଼ି ଉଡିଯାଇଛି ପ୍ରତି ପୁରୁଷର କାମ୍ୟ ରାଣୀ । ପକ୍ଷ ମେଲି ମତୁଆଲା ହୋଇ ଉଡି ବୁଲିଛି ନୀଳ ଆକାଶରେ, ପଛରେ ତାର ପୁରୁଷ ମଣ୍ଡଳୀ । ପବନରେ ବିଞ୍ଚିଦେଇଛି ତା ଶରୀରର ସୁଗନ୍ଧ, ସେ ସୁଗନ୍ଧରେ ଆହୁରି ମତୁଆଲା ହୋଇ ଉଠିଛି ପ୍ରତି ପୁରୁଷର ପ୍ରାଣ। ରାଣୀ ତ ଜଣେ ହେଲେ ତାର ପ୍ରେମାସ୍ପଦ ହଜାରେ। ତାକୁ ପ୍ରେମର ଆଖିରେ ଦେଖୁଛି ହଜାରେ ଚକ୍ଷୁ। କାହାର ପ୍ରେମ ନିବେଦନକୁ ଗ୍ରହଣ କରିବ ସେ। କିଏ ହେବ ତାର ଭବିଷ୍ୟତ ଉତ୍ତରାଧିକାରୀ ମାନଙ୍କର ପିତା। ହଁ ସେ ହିଁ ହେବ ସେଇ ସୁପୁରୁଷ, ଯିଏ ସବୁ ପୁରୁଷଠୁ ଶ୍ରେଷ୍ଠ, ଯାହାକୁ ଦେବାକୁ ହେବ ଏକ ଚରମ ବଳୀଦାନ। ବଳୀଦାନ ନିଜ ଜୀବନର। ରାଣୀର ପ୍ରେମ ପାଇଁ, ଉତ୍ତରାଧିକାରୀ ମାନଙ୍କର ପିତା ହେବାର ସୌଭାଗ୍ୟ ଲାଭ ପାଇଁ ଦେବାକୁ ହିଁ ହେବ ଏହି ବଳୀଦାନ। 

ରାଣୀର ସଙ୍ଗ ଲାଭ ସକାଶେ ଆକାଶ ମାର୍ଗରେ ଚାଲେ ଭୀଷଣ ଏକ ପ୍ରତିଯୋଗିତା, ସତେକି ଚାଲିଛି ସ୍ୱୟଂବର । ଯିଏ ବିଜେତା ସିଏ ଶ୍ରେଷ୍ଠ, ତାକୁ ବରି ନେବ ରାଣୀ। ସ୍ୱୀକାର କରିବ ତାର ପ୍ରେମ ନିବେଦନ, ଗ୍ରହଣ କରିନେବ ତାକୁ ନିଜର ଆଗାମୀ ସନ୍ତାନର ପିତା ହିସାବରେ। 


ହଁ କେବଳ ଜଣେ, ଜଣେ ହିଁ ପହଞ୍ଚିପାରେ ନିଜର ପ୍ରତୀକ୍ଷିତ ପ୍ରେୟସୀ ପାଖରେ। ଭବିଷ୍ୟତ ଯେ ତା ପାଇଁ କେତେ ଭୟାନକ,ଏ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ ପୁରୁଷ ଆଲିଙ୍ଗନ ବଦ୍ଧ କରି ବସେ ରାଣୀକୁ।ଠିକ ଯେପରି ମୃତ୍ୟୁ ବିଷୟରେ ଅଜ୍ଞ ପତଙ୍ଗ ଆଲିଙ୍ଗନ କରି ବସେ ଅଗ୍ନି ଶିଖାକୁ। ସଂଗଠିତ ହୁଏ ସେ ମହାମିଳନ । ସାକ୍ଷୀ ରୁହନ୍ତି ଆକାଶ ଆଉ ପବନ। ପୁରୁଷ ପାଇ ଯାଏ ନିଜର ଆକାଂକ୍ଷିତ ବସ୍ତୁ, ରାଣୀର ସାନିଧ୍ୟ। ଆଉ ରାଣୀ...ରାଣୀ ବି ପାଇ ଯାଏ ନିଜ ଭବିଷ୍ୟତ ଉତ୍ତରାଧିକାରୀ ଗଢିବା ପାଇଁ ଶୁକ୍ରାଣୁ ପଂଜାଏ, ଯାହା ତା ପାଇଁ ଏହି ମିଳନର ଉଦେଶ୍ୟ। ତାର ଉଦେଶ୍ୟ ସହାଚର୍ଯ୍ୟ ଦେଉଥିବା ପ୍ରେମିକ ପ୍ରାପ୍ତି ନୁହେଁ, କେବଳ ନିଜ ସନ୍ତାନ ପାଇଁ ପିତାର ସନ୍ଧାନ। ଦଳର ପୁରୁଷ ଭିତରୁ ସେହି ଶ୍ରେଷ୍ଠ ପୁରୁଷର ସନ୍ଧାନ ଯାହାର ଗୁଣସୂତ୍ର ସମୃଦ୍ଧ କରିବ ତାର ଆଗାମୀ ବଂଶଧରମାନଙ୍କୁ । ନିଜ ଇପ୍ସିତ ବସ୍ତୁ ପାଇଲା ପରେ ରାଣୀ ନିଜଠୁ ଅଲଗା କରିଦିଏ ପ୍ରେମରେ ଉନ୍ମତ ପୁରୁଷଟିକୁ। ଯୌନାଙ୍ଗ ହରାଇ ଭୂପତିତ ହୁଏ ପୁରୁଷଟି। ପୁରୁଷ ଶୁକ୍ରାଣୁକୁ ନିଜ ଭିତରେ ଯତ୍ନରେ ସାଇତି ରଖି ନୂଆ ବସା ତିଆରି ପାଇଁ ଫେରିଆସେ ରାଣୀ, ସାଙ୍ଗରେ କିଛି ସାଥି, ଭୂମିରେ ମୁର୍ମୁଷ ଅବସ୍ଥାରେ ପଡିଥିବା ପୁରୁଷଟି ପ୍ରତି ଥରେ ମାତ୍ର ଦୃଷ୍ଟିପାତ ନ କରି । ତାର କାନ୍ଧରେ ଏବେ ଭବିଷ୍ୟତର ଦାୟିତ୍ୱ। 

'

ପ୍ରେମ ପାଇଁ ମୃତ୍ୟୁକୁ ଆଲିଙ୍ଗନ କରି ପୁରୁଷଟି ଧୀରେ ଧୀରେ ନିଃଶେଷ ହୋଇଯାଏ। ତାର ଅସ୍ତିତ୍ୱ ଲିଭିଯାଏ ପୃଥିବୀ ପୃଷ୍ଠରୁ। ରାଣୀର ପଶ୍ଚାତଗାମୀ ପୁରୁଷ ମଣ୍ଡଳୀମାନଙ୍କ ମଧ୍ୟରୁ ଅନେକ ପଶୁ ପକ୍ଷୀଙ୍କ ଆହାର ହୋଇ ପ୍ରାଣ ହରନ୍ତି। ପ୍ରକୃତିର ନିୟମକୁ ବା ଅବଜ୍ଞା କରିବ କିଏ। ନିଜର ନୂତନ ବସାରେ ଉତ୍ତରାଧିକାରୀମାନଙ୍କୁ ଯତ୍ନରେ ତିଆରି କରୁଥାଏ ରାଣୀ, ପ୍ରତୀକ୍ଷା ପୁଣି ଏକ ପୁଣି ଏକ ବର୍ଷା ଋତୁର, ପୁଣି ଏକ ବଳୀଦାନର....ଜୀବନ ଚକ୍ର ଚାଲିଥାଏ ...

ଜନ୍ଦା/ପିମ୍ପୁଡିମାନଙ୍କର ଜୀବନ ଚକ୍ରର ଏକ ଅଂଶର ବର୍ଣ୍ଣନା କିଞ୍ଚିତ ସାହିତ୍ୟିକ ସ୍ପର୍ଶ ସହ ।



Rate this content
Log in