Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Panchanan Jena

Children Stories


4.7  

Panchanan Jena

Children Stories


ବରଫ ସେତୁ

ବରଫ ସେତୁ

8 mins 181 8 mins 181

    ମୋର ଗେହ୍ଲେଇ ସାନ ଝିଅ ମେଘା ଭାରି କଥାକହି । ବୟସ ଚାରି ବର୍ଷ ହେଲା ବୋଧେ , କିନ୍ତୁ ଭାରି ଗପୁଡି ସ୍ଵଭାବର । ଶୋଇବା କେଇ ଘଣ୍ଟା ଛାଡିଦେଲେ , ଚବର ଚବର କରୁଥାଏ ଅହରହ। ନୂଆ ନୂଆ କଥା କହିବାର କଳା ଟା ଶିଖିଛି, ପାଟିରୁ ବାଟୁଳି ଭଳିଆ , ଚିରସ୍ରୋତା ନଦୀପରି କଳ କଳ ହୋଇ ବାହାରି ପଡ଼ୁଛି କେଇ ପଦ ଅନର୍ଗଳ ମହୁ ବୋଳା ମିଠା-ମିଠା ଖଣ୍ଡ-ଖଣ୍ଡ ବାକ୍ୟସବୁ ।

ମୋର କାହିଁ ମନେ ପଡୁନି ଯେ , ମେଘା ମୌନ ହେବାର , ଚୁପ୍ ଚାପ୍ ଗୁମାନ ମାରି ଥୟ ଧରି ଗୋଟିଏ ଯାଗାରେ ବସିବାର । ବେଳେ ବେଳେ ତା' ମା' ଧମକ ଚମକ ଦେଇ , ଭୂତ-ପ୍ରେତ-ଡାହାଣୀ- ଚିରଗୁଣୀ-ରାକ୍ଷାସୁଣୀ ଗପ ଶୁଣେଇ ଯାହା ଚୁପ୍ କରେଇଥାଏ । ମୁଁ କିନ୍ତୁ ସେମିତିକା ଆକଟ ବା ମିଛ ଅଭିନୟ କରିପାରେନା ଶ୍ରୀମତୀଙ୍କ ପରି । ମେଘାର ଅନବରତ ବକର ବକର ଗୁଲୁଗୁଲିଆ କଥା ସବୁ ପାହାଡ଼ୀ ଝରଣା ପରି କୁଳୁକୁଳୁ-ନାଦିନୀ ଦୁଃଖଶୋକ-ହାରିଣୀ ବୋଲି ମନେହୁଏ ମୋତେ । ବଳକା ସମୟରେ ତା' ସହିତ ଦି' ଚାରିପଦ ଗେଲବସରିଆ କପୋଥକଥନ ହେଇଗଲେ ଦୀନଚର୍ଯ୍ୟାର କ୍ଳାନ୍ତି ଅବସାଦରୁ ମୁକ୍ତି ମିଳିଯାଏ । ଯଦିଓ କଥାବାର୍ତ୍ତାରେ ମୁଁ କେବଳ ନୀରବ ଶ୍ରେଣୀର ତନ୍ମୟ ଶ୍ରୋତାଟିଏ ହୋଇ କୁନି ଝିଅ ମେଘାର ଲଗାମବିହୀନ କଥାମୃତକୁ ଆକଣ୍ଠ ଆପ୍ରାଣ ଆଘ୍ରାଣ କରି ଚାଲିଥାଏ । 

ସେଦିନ ରବିବାରିଆ ଛୁଟିଦିନ । ସକାଳୁ ସକାଳୁ ଧରିତ୍ରୀ ଖବରକାଗଜ ଖେଳୁଥାଏ ମୁଁ l "ଛୁଟିଦିନ" ପୃଷ୍ଠାରେ ମନୋନିବେଶ କରିଥାଏ । ଝିଅ ମେଘା ମୋ' ପାଖକୁ ଆସୁ ଆସୁ ମୋ ପିଠିରେ ଲାଉ ହେଉ ହେଉ ତା'ର ସେ ସ୍ଵଭାବ ସୁଲଭ କଥା ସେ ଆରମ୍ଭ କରିଦେଲା , " ବାପା ! ଧଳ ଆଙ୍କଲଙ୍କ ଝିଅ ଦିଶା ସିଂହ ଆଙ୍କଲଙ୍କୁ ଲାୟନ୍(Lion) ଅଙ୍କଲ କହୁଥିଲା । ସେ କିଛି ଜାଣେନା | ସେ ଭୁଲ କହୁଛି ନା ବାପା ।

ମୁଁହ ଖୋଲି କିଛି କହିବା ପୂର୍ବରୁ ସେ ତା'ର ଅନ୍ୟ ଏକ ପ୍ରସଙ୍ଗ ଆରମ୍ଭ କରିଦେଲା । "ବାପା ! ଦେଖିଲ ବାପା ! ଏପଟେ ଏପଟେ । ଆମ୍ବ ଗଛରେ ଯେଉଁ ଆମ୍ବ ସବୁ ଝୁଲି ରହିଛି ସବୁ ଏକାପରିକା ନୁହଁ କାହିଁକି ? ସତ୍ୟମ୍ ଭାଇ କହୁଥିଲା ପାଠ ପଢିଲେ ଜାଣିହେବ । ବାପ୍ ରେ ବାପ୍ ! ସତ୍ୟମ୍ ଭାଇ ଟା ଡାହା ମିଛୁଆ I ଆମ୍ବ ଗଛକୁ ତ ପଚାରିଲେ ଉତ୍ତର ଆପେ ଆପେ ମିଳିଯିବ ନା ବାପା ।"

ମୋର ଉତ୍ତର- ପ୍ରତ୍ୟୁତ୍ତରକୁ ଟିକିଏ ବି ଅପେକ୍ଷା ନ କରି ମେଘା ହଠାତ୍ ପୁଣି ପଚାରି ବସିଲା ତାର ତୃତୀୟ ପ୍ରଶ୍ନ , " ବାପା ! ଗଉରା ଭାଇ ତୁମର କ'ଣ ହୁଏ ? ସେ ଜେଜେ କାନ୍ଧରେ ଓଟ ଚଢ଼େ , ପିଠିରେ ଘୋଡା ଚଢ଼େ। ମୋତେ ତମେ ବସେଇବ ବାପା !"

ମୁଁ କିଛି କହିବା ଆଗରୁ ଶ୍ରୀମତୀ ଜଳଖିଆ ଖାଇବା ପାଇଁ ମେଘାକୁ ଡାକ ପକେଇଲେ । ସେ ଡେଇଁ ଡେଇଁ " ଜନି ଜନି ଇଏସ୍‌ ପାପା" ରାଇମସ୍ ଗାଇ ଗାଇ ଘର ଭିତରକୁ ପଳେଇ ଗଲା । 

ଶ୍ରୀମତୀ ଆମର ସ୍ବଦେଶୀ ଆତ୍ମନିର୍ଭରଶୀଳ ଭାରତର ଜଣେ ବ୍ରାଣ୍ଡ ଆମ୍ବାସାଡର ! ନିଜ ହାତରେ ଅରୁଆ ଚାଉଳ- ଗହମ- ବୁଟ ଇତ୍ୟାଦିରୁ ଗୋଡି ବାଛି-ଧୋଇ-ଶୁଖେଇ ଅନ୍ୟ କେତେକ ଜିନିଷ ଯଥା ଚିନାବାଦାମ- କାଜୁବାଦାମ- ମାଣ୍ଡିଆ- ମକା ଚଣା-ପେସ୍ତାବାଦାମ ,ଗ୍ରାଇଣ୍ଡ କରି ତିଆରି କରିଛନ୍ତି ମିଠା ଛତୁଆ । ଵଜାରରେ ମିଳୁଥିବା ହରଲିକସ ବା ବର୍ଣ୍ଣଭିଟା ଠାରୁ ଶହେ ଗୁଣ ଖାଣ୍ଟି ଶକ୍ତିବର୍ଦ୍ଧକ ଖାଦ୍ୟ ପୁଡ଼ିଆ । ଯଦିଓ ୟୂଟ୍ଯବ ଚ୍ୟାନେଲର ଭିଡିଓ ତଥା ମହାନଗରୀ ମୁମ୍ବାଇରେ ରହୁଥିବା ମୋର କନିଷ୍ଠା ଶାଳୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ କାର୍ଯ୍ୟାନ୍ବିତ । ପରନ୍ତୁ ଏହି ଗଳଦଘର୍ମ କଷ୍ଟସାଧ୍ୟ ବ୍ୟାପାରଟି ଶେଷରେ ସାର୍ଥକତା ସାଉଁଟି ଥିଲା ଯେତେବେଳେ ଅଶିତିପର ବାପା ସଂଧ୍ୟ୍ଯ।ଭିସାର ପରେ ପାଟିରେ ଚାମୁଚିଏ ନେଉ ନେଉ ଅନୁପମ ଶଦ୍ଦାବଲଙ୍କାର ସହିତ ଯେଉଁ ଟୀକା ଟିପ୍ପଣି ଦେଇ ଶ୍ରୀମତୀଙ୍କ ସହିତ ତାଙ୍କ ମା'ଙ୍କର ବି ଗୁଣ କୀର୍ତ୍ତନ କରିବାକୁ ପଛେଇ ନ ଥିଲେ । ଅପରନ୍ତୁ ଶ୍ରୀମତୀଙ୍କ ବର୍ଦ୍ଧିତ ମୁଖ-ମୂଖଶାଳାରେ ସ୍ମିତହାସ୍ୟ ଜଡିତ ପରିତୃପ୍ତିଭରା କିଂଚିତ ଆନନ୍ଦର ଲହର ଦେଖାଗଲା । 

ସେଇ ମିଠା ଛତୁଆ କେଇ ଚାମଚ ସହିତ ନଖ ଉଷୁମ କ୍ଷୀର - ଚିନି ଗୋଳେଇ ଏକ ପ୍ରକାର ମିଶ୍ରଣ ହିଁ ମୋର କନ୍ୟାରତ୍ନ ମେଘାର ଜଳଖିଆ ।ଚାମୁଚିଏ ପାଟିରେ ପୁରେଇ ଦେଇ କୁନିଝିଅ ମେଘା ଏପଟ ସେପଟ ହେଉଥାଏ, ଥୁକୁଲ- ଥାକୁଲ ଏ ଘରୁ ଯାଇ ସେ ଘରେ ଖିଟିରି-ମିଟରି ଦୁଷ୍ଟାମୀ କରୁଥାଏ । କେବଳ ମୁଁହରୁ କଥା ନ ବାହାରି ପାକୁଳିବା ଚାଲିଥାଏ । ଝରକା ପାଖକୁ ଯାଇ ରାସ୍ତାକୁ ଦେଖୁଥାଏ । ପରିବା କାଟୁଥିବା ,କଳମ ସାଗ ବାଛୁଥିବା ଜେଜେମା'କୁ ଜାବୋଡି ଧରେ ପଛପଟୁ । ଗଉରା ଭାଇ ପଢ଼ା ଟେବୁଲ ପାଖକୁ ଯାଇ ପେନ୍ସିଲରେ ଗାରେଇଦିଏ । ପାଟି ଚାଲିଥାଏ, ହାତ ବି ଚାଲିଥାଏ । ଟିଭି ପଛ ଝରକା ପାଖକୁ ଯାଇ ମେଘା ହଠାତ୍‌ ଚିତ୍କାର କରି ଉଠିଲା , "ଆଇସକ୍ରିମ୍ ଆଇସକ୍ରିମ୍ ।"

ରାସ୍ତା ଉପରେ ଆଇସକ୍ରିମ୍ ବିକାଳି ଟିଏ ସାଇକେଲ୍‌ ପଛରେ ପେଟିଟିଏ ବାନ୍ଧିଥାଏ । ବାଁ ହାତରେ ସାଇକେଲ୍‌ ଗଡଉ ଗଡଉ ଡାହାଣ ହାତରେ ଡମ୍ବରୁ ଡିବି ଡିବି ବଜଉ ଥାଏ । ଆମ ସାହିର ଦଳେ ପିଲା ଶବ୍ଦ ଶୁଣି କିଛି ରେଜା ପଇସା ଧରି ଭିଡ଼ ଜମାଇଥାନ୍ତି । ନାଲି- ଗୋଲାପି ରଙ୍ଗର କାଠି ଆଇସକ୍ରିମ୍ ପାଟିରେ ପୁରେଇ ଖୁସି ମନରେ ଡଗ ଡଗ ହୋଇ ଘରକୁ ଫେରୁଥାନ୍ତି ।

ବୋଧହୁଏ ରାମାଭାଇ ବରଫବାଲା ହେଇଥିବ । ଲମ୍ବା ଛଅ ଫୁଟିଆ ଗୋରା ତକତକ ବାଉଁଶ କଣିଚା କାଠି ପରି ପତଳା ଶରୀର । ଆମ ବିଲ ପାଖରେ ତାଙ୍କର ଦେଢ଼ମାଣର ଗୋଟିଏ କିତା କୁଣ୍ଡିଆ ବେଢ଼ ଜମି । ଛବିରାଣୀ ଚକ୍ରବର୍ତ୍ତୀ ଯିଏ ଆମ ଜଗତିପୁର ପଞ୍ଚାୟତର ପ୍ରଥମ ମହିଳା ପ୍ରାର୍ଥି ଭାବେ ନିର୍ବାଚନ ମଇଦାନରେ ଛିଡ଼ା ହୋଇଥିଲେ ଓ ସଗୌରବେ ହାରି ଯାଇଥିଲେ , ତାଙ୍କର ପୁଅ । ରାମଚନ୍ଦ୍ର ଚକ୍ରବର୍ତ୍ତି ଓରଫ ରାମା ଭାଇ ମୋ ପିଲାବେଳରୁ ବରଫ ବେପାରକୁ ଆଦରି ନେଇଛନ୍ତି ନିତିଦିନିଆ ପେଟ ପାଟଣା ଜିବିକା ବେଉସା । ବର୍ଷା ହେଉ କି ଖରା, ସକାଳୁ ଖାଲି ବରଫ ପେଟିକୁ ସାଇକେଲ ପଛରେ ବାନ୍ଧି ବାଲିଆପାଳ ବାହାରି ଯାଆନ୍ତି । ବରଫକଳରୁ କାଠି ବରଫ, ନାଲି ବରଫ, ନଡିଆ ବରଫ ସବୁ ଥାକ ଥାକ ପେଟିରେ ସାଇତି ରଖି ପୁରୁଣା ସାଇକେଲ୍ ଟିଉବରେ କଷ କରି ବାନ୍ଧି କେବେ ଗଡେଇ ଗଡ଼େଇ, କେବେ ଏକ ହାତିଆ ସାଇକେଲ ଚଳେଇ ଡମ୍ବରୁ ବଜେଇ ବରଫ ବିକୁଥାନ୍ତି କାଲିପଦାରୁ ଜଗତିପୁର ଦୀର୍ଘ ଦଶ କିଲେ।ମିଟର ବ୍ୟାସ।ର୍ଦ୍ଧ ପରିମିତ ତିରିଶ ଖଣ୍ଡେ ଗାଁ- ହାଟ- ଜାନି-ଯାତ୍ରା-ମେଳା-ପର୍ବ-ପାର୍ବଣ-ପୁନେଇ ।

ଝିଅ ମେଘାର ଘନଘନ "ଆଇସକ୍ରିମ୍" ଡାକରେ ପିଲାଦିନର ସେଇ ରାମା ବରଫବାଲାର ଛବି ଆଙ୍କି ହୋଇଗଲା ମନ ଆଇନାରେ । ବାଲ୍ୟ-କୌଶୁରାବସ୍ଥାର ସେ ବିଗତ ଦୁଃଖ-ନୈରାଶ୍ୟ-କାରୁଣ୍ୟ-ଅଭାବ-ଅନାଟନର ଦିନ ସବୁ ଝାପସା ଝାପସା ଦିଶି ଯାଉଥିଲା । ପାଞ୍ଚ ଭାଇ-ଭଉଣୀ ଆମେ ଥିଲୁ । ରାମା ବରଫବାଲାର ଡିବି ଡିବି ଶୁଣିବା କ୍ଷଣି ଆମେ ସବୁ ଦାଣ୍ଡକୁ ଚିଲାମାରି ଦଉଡି ଯାଉଥିଲୁ । ହାତରେ ତ ଫଟା ପାହୁଲା ନାହିଁ । ବରଫ ଚୋଷିବା ବା କାହିଁ ଭାଗ୍ୟରେ ? 

ରାମା ବରଫବାଲାକୁ ଦେଖିବା, ତା' ବରଫ ପେଟିକୁ ଆଉଁସିବା, ତା ଡମ୍ବରକୁ ନେଇ ବେଳେ ବେଳେ ବଜେଇ ଦେବା, ବରଫ ପେଟି କଣରୁ ବହି ପଡ଼ୁଥିବା ବରଫିଆ ଥଣ୍ଡା ନାଲିଆ ପାଣିକୁ ଆଞ୍ଚୁଳାରେ ଧରି ଚାଟି ଦେବା, ଅନ୍ୟମାନେ ବରଫ ନେଇ ସରାଗରେ ପାଟିରେ ପୁରେଇବାକୁ ଦେଖି ନିଜ ଜିଭକୁ ଆଗ ପଛ ପାଟି ଭିତରେ ସମସ୍ତଙ୍କ ଅଜାଣତରେ ବାରମ୍ଵାର ଆଇବାସ କରୁଥିଲେ ଆମେ କେଇଜଣ ଅଧା ଲଙ୍ଗଳା ପୁଙ୍ଗୁଳା ଧୂଳି ଧୂସରିଆ ଗଣ୍ଡେ ଦି ଗଣ୍ଡା ।

 ମନରେ ରାଗ ବି ଆସୁଥିଲା । କ୍ରୋଧ ବି ମାଡ଼ୁଥିଲା । ଭାବୁଥିଲି ଗୋଟେ ଟଂକା ମିଳି ଯାଆନ୍ତା କି ବାଟରୁ, ଶୁଖିଲା ପତ୍ର ତଳୁ, ବାଢ ମୂଳରୁ । ଠାକୁରଙ୍କୁ ମନେ ମନେ ମୁଣ୍ଡିଆ ମାରି ମାଗୁଥିଲି କିଛି କଣା ପଇସା ଆଗରେ ପକେଇ ଦେବାକୁ । କିଛି ଆଖିଦୃଶିଆ ପରିବର୍ତ୍ତନ ହେଉ ନ ଥିଲା । ରାମା ବରଫବାଲା ଏ ହାତରେ ପଇସା ନେଇ ଆର ହାତରେ ବରଫ ଦେଉଥିଲା । ବରଫ ପେଟି ଭିତରକୁ ସିଂହାଵଲୋକନ କଲେ କେହି ଡେଉଁ ପଡି, ରାମାଭାଇ ବେଳେ ବେଳେ ବିରକ୍ତ ହୋଇ ଡମ୍ବରକୁ ଜୋରରେ ବଜେଇ ଦେଇ ଆଗକୁ ସାଇକେଲ ଗଡେଇ ଚାଲିଯାଉଥିଲା ।

 ଆମେ ଅଭାଗା ହତଭାଗା ତିନି ଭାଇ ପାଟିକୁ ଖଟା କରି, ଜିଭକୁ ଆମ୍ବିଳା କରି, କଣା ପ୍ୟାଣ୍ଟ ପକେଟରେ ହାତ ପୁରେଇ ପଛକୁ ବେଳେ ବେଳେ ଶ୍ୱାନ ଦୃଷ୍ଟି ନିକ୍ଷେପ କରି ଧୀର ପଦପାତରେ ଘର ମୁଁହା ହେଉଥିଲୁ । କିନ୍ତୁ ପରଦିନ ରାମା ବରଫବାଲାର ଡମ୍ବରୁ ଶବ୍ଦର ଆକର୍ଷଣ କୁହ ବା ଚପଳତାର ଚଇତାଳି କୁହ, ଏକ ଦୁର୍ବାର ଆଶା-ଅଭିପ୍ସାରେ ଚୁମ୍ବକୀୟ ଡାକରାରେ ହାଜର ହେବାକୁ ତିଳେ ବି ଅନୁଶୋଚନା ନ ଥିଲା । କାଳେ କିଛି ଅଭାବନୀୟ ଅକଳ୍ପନୀୟ ନାଟକୀୟ ସୁ-ସମୟ ଉପନୀତ ହୋଇପାରେ ର ଅହେତୁକ ଆକର୍ଷଣ ରେ ।

ମନେ ପଡୁନି ଠିକ୍ ଭାବେ । ଖରାଦିନିଆ ସକାଳପଢ଼ା ବୋଧେ । ଶନିବାରିଆ ସକାଳା ସ୍କୁଲ ସାରି ଘରକୁ ଫେରୁଛେ ବହି ବିସ୍ତାନି ଧରି ସାଂଗ ମେଳରେ । ଚକ୍ରଅଣ୍ଡିଆ ଛକରେ ଥିବା ବରଗଛ ମୂଳରେ ରାମା ବରଫବାଲା ବରଫ ବିକୁଥିଲା । ମୋ ମନଟା ଶୁଖି କଳାକାଠ ପଡିଗଲା । ଦେଖିଲି ବାବୁଲି, ଗେଣ୍ଡା, ଅନାଦିଆ, ସହଦେବ ହେରିକା ବରଫ ଖାଉ ଖାଉ ଆମକୁ ଦେଖେଇ ଦେଖେଇ ଖତେଇ ଖତେଇ କଣେଇ ଚାହୁଁଛନ୍ତି ଓ ବେଶି ବେଶି ବରଫ ଶୋଷି ଚାଲିଛନ୍ତି । ନାଲିଆ ଜିଭକୁ ହାତେ ଆଗକୁ ଲହ ଲହକା କରି ଆମ କେଇଜଣ ହିନିମାନିଆଙ୍କୁ ଅପଦସ୍ଥ କରୁଛନ୍ତି । 

ସାଂଗ ରଂପାକୁ ବେଶି ବାଧୁ ଥାଏ । ଟିକେ ଜିଦଖୋରିଆ ଅଛି । ତେଣୁ ମୋତେ ଠିଆ କରି ଧାଇଁଲା ଘରମୁହାଁ ବାଛୁରୀ ଯେମିତି ଲାଞ୍ଜ ଟେକି ଆଗଚିଲା ମାରେ । ଗଲା ସନ ଦୁର୍ଗାପୂଜା ରତେଇ ମେଳାରୁ କିଣିଥିବା ଆତ-କୁଂପା ଭାଙ୍ଗି ମୁଠାଏ ଖୁଚୁରା ପଇସା ଧରି ଧଇଁସଇଁ ପହଁଚିଲା । ରାମା ବରଫବାଲାକୁ ଗଣି ଦେଲା ଠକ୍ ଠକ୍ । ଆମେ ପାଞ୍ଚଜଣ ସାଂଗ ପାଞ୍ଚଗୁଣା ଉତ୍ସାହରେ, ଗର୍ବିତ ସ୍ପର୍ଦ୍ଧିତ ମୁଦ୍ରାରେ, ସ୍ଵାଭିମାନୀ ଢଙ୍ଗରେ ନଡ଼ିଆ ବରଫ ସେଦିନ ଖାଇଥିଲୁ। ମୋର ପ୍ରଥମେ ଅନୁଭବ ହେଲା ଅଫୁରନ୍ତ ପରମାନନ୍ଦିକ ଖୁସି ଓ ସନ୍ତୁଷ୍ଟି ମୋ ଧମନୀରେ, ମୋ ଶିରା ପ୍ରସିରାରେ । ଅଂଗେ ଅଂଗେ ଫୁଟି ଉଠି ଚହଟି ଗଲା ଆନ୍ତରିକ କୌତୁକର ଆୟୁତ ନିୟୁତ ଲହର । ସେହି ସ୍ୱର୍ଣ୍ଣିମ ଦିନ ସବୁ ମନେ ପଡିଯାଉଥିଲା । ଆହୁରି ଚୁପି ଚୁପି କି' ଏ କହିଦେଇଗଲା କି ସାଂଗ ରଂପାର ଉଧାର ପରିଶୋଧ କରିବାର ଅଛି ସୁଧ-ମୂଳ-ଚକ୍ରବୃଦ୍ଧି ହାରରେ ?

କୁନି ଝିଅ ମେଘାର ଆଉ ଥରେ “ ଆଇସକ୍ରିମ “ ଡାକରେ ମୋର ଧ୍ୟାନ ଭଙ୍ଗ ହେଲା ଆଉ ମୁଁ ଯେଉଁ ଶୈଶବାତିତର ଶୁଖାନୁଭବ କରୁଥିଲି ସେଥିରୁ ବିରତ ହେଇ ଦାଣ୍ଡକୁ ବାହାରି ପଡିଲି | ମନରେ ଆଉ ଗୋଟିଏ ଆକର୍ଷଣ ବି ଥିଲା | ରାମା ଭାଇଙ୍କୁ ଶ୍ଵଶରୀରରେ ଦେଖିବି , ପିଲାଦିନର ବରଫବାଲାକୁକୁ ପୂରାପୂରି ୩୫ ବର୍ଷ ପରେ ଆଖି ଫାଡି ଦେଖିବି |

ମାତ୍ର କ’ଣ ନ ଦେଖିଲା ଏ ଚର୍ମ ନେତ୍ର, ଏ ପାପୀ ନୟନ ଦୁଇ ? ରାମା ଭାଇର ରୁଗ୍ଣା ଶିରାଳ ଦେହ , କେବଳ କେତେଖଣ୍ଡ ହାଡ ଯେମିତି ମୋ ଆଗରେ ଛିଡା ହେଇଛି ହରପ୍ପା –ମହେଞ୍ଜୋଦାରୁ ସଭ୍ୟତା ଉତଖନନରୁ ଅଗତ୍ୟା ବାହାରି ଥିବା ନର କଙ୍କାଳ ପରିକା |ଖଣ୍ଡେ ମଇଳା ଟି-ସାର୍ଟ ଓ ବରମୁଡା ଜଣେଇ ଦେଉଛି ଆର୍ଥିକ ସ୍ବଚ୍ଛଳତା || ପଚାରିବାର ଦରକାର ପଡିଲାନି | ମୋ ମନ ଘର ଧରିଗଲା |

ତଥାପି ଆଧୁନିକ ମାନବର ଭଦ୍ର ମୁଖା ଖୋଲି ମୁରୁକି ଦେଲି ମୁଁ ରାମା ଭାଇକୁ ଦେଖୁ ଦେଖୁ | ସେ ବି ତାର ଚିରାଚରିତ ବ୍ୟବହାର ସୁଲଭ ମୁଗ୍ଧ ଚାହାଣି ମୋ ଉପରେ ବୁଲେଇ ଆଣୁ ଆଣୁ କହି ଉଠିଲା --- “ ଛୁଟିରେ ଆସିଛ କି ? ସମସ୍ତେ ଆସିଛନ୍ତି ଲାଗୁଛି | ଘରେ ଗହଳି ଚହଳି ସୁଭୂଛି |ବୁଢୀ ଅପାର ଦେଖା ନାହିଁ ଆଜିକାଲି ”। ପୁଅ-ବୋହୁ-ନାତି-ନାତୁଣୀ ମାନଙ୍କୁ ପାଇ ଦାଣ୍ଡକୁ ବି ବାହାରି ପାରୁନଥିବ !

“ହଁ ରାମା ଭାଇ | “—ମୋ ମୁଁହ ରୁ ବି ବାହାରି ପଡିଲା |ସେତେ ବେଳକୁ ସାନ ଝିଅ ମେଘା ମୋ ଦେହକୁ ଲଗେଇ ଗେଞ୍ଜେଇ ଠିଆ ହେଇଥାଏ ଆଉ ଏକ ଅପଲକ ନୟନରେ ବରଫ ପେଟିରୁ ଝରୁଥିବା ପାଣି ଆଡକୁ ଥରେ, ଆଇସକ୍ରିମ ବାଲା ରାମା ଭାଇ ଆଡକୁ ଥରେ ଦେଖୁ ଥାଏ |

“ବରଫ ଦିଅ | ନାଁ –ନାଁ – ଆଇସକ୍ରିମ ଦିଅ ପୁଅ -ଝିଅକୁ ରାମା ଭାଇ | ମୋତେ ବରଫ ପରେ ଦେବ |ଆଗେ କୁନି ଝିଅ ମେଘାକୁ ଦିଅ | ସେ ତୁମ ଡମ୍ବରୁ ଆବାଜ ଶୁଣି ରଖେଇ ଦେଉନି | ଘର ଟାକୁ ଖାଲି ଉଠାଉଛି ଆଉ ପକାଉଛି |”

ସେତେବେଳେ ତ ପକେଟରେ ପଇସା ନ ଥିଲା ବରଫ ଖାଇବାକୁ , କିନ୍ତୁ ଆଜି ପଇସା ଥିଲେ ବି ମନରେ ସେ ଦିନର ଇଚ୍ଛା –ସେ ଉନ୍ମାଦନା –ସେ ଚଗଲାମି ନାହିଁ | ବୋଧହୁଏ ବୟସ ବଢିବା ସହିତ ସଉକ –ଉତ୍କଣ୍ଠା ସବୁ କୁଆଡେ ଉଭେଇ ଯାଏ , ମିଳେଇ ଯାଏ ଜୀବନର ନିତ୍ୟ ନୈମିତ୍ୟିକ ଉଠାଣ –ଗଡାଣରେ | ଗଡ୍ଡାଲିକାର ଧାବମାନ ଧାରାରେ ପେଶୀ ହୋଇଯାଏ ସବୁ ଅନ୍ତର ତଳର ଅସୁମାରି ସ୍ଵପ୍ନ |ମନେ ମନେ କହୁଥିଲି ମୁଁ|

କିନ୍ତୁ ପରିସ୍ଥିତିକୁ ଖାପ ଖୁଏଇ କହିଲି ଏମିତି ଅଲଗା ଆଉ କିଛି --- “ରାମା ଭାଇ ! ତୁମେ ମୋତେ ବରଫ ଖୁଏଇଲ , ମୋ ଝିଅ-ପୁଅଙ୍କୁ ଆଇସକ୍ରିମ ଖୁଆଉଛ ଆଜି, ମୋ ନାତି ନାତୁଣୀକୁ କ’ଣ ଖୁଏଇବ ଭବିଷ୍ଯତ ଦିନରେ ? ଭାବି କି କହିଲ ଦେଖି ? ଆଉ କିଛି ବର୍ଷ ପରେ ତୁମ ବରଫକୁ କେଉଁ ନୂଆ ନାମରେ ବିକିବ ?ତୁମେ ଆମ ତିନି ପୁରୁଷ ପାଇଁ ସମ୍ପର୍କର ସେତୁ- ଭାଇଚାରାର ବନ୍ଧ | ତୁମ ବରଫ ଆମ ତିନି ପିଢୀ ପାଇଁ କଳ୍ପନାର କେନ୍ଦ୍ରଦିନ୍ଦୁ , ସ୍ଵପ୍ନର ଚପଳ ଛନ୍ଦ ତୁମ ଡମ୍ବରୁର ଡିବି ଡିବି ମୂର୍ଚ୍ଛନା |”

“କ୍ଵାଲିଟି ଦେବି , କୋନ ଦେବି , କଫି –ଷ୍ଟ୍ରବେରୀ -ବାଟାର ସ୍କଚ୍ଛ - ଭାନେଲା - ଚକୋଲେଟ ଫ୍ଲେଭର ଦେବି, ଚୋକୋ ବାର୍ ଦେବି, ଯାହା ଖୋଜିବ ତାହା ଦେବି |”- ରାମା ବରଫବାଲା ଭାଇ ବହୁତ ଖୁସିରେ ହୃଦୟ ବିସ୍ଫାରିତ ମୁଦ୍ରାରେ କହୁଥିଲା ଆଉ ପେଟିରୁ ବାହାର କରି ଗୋଟାଏ ପରେ ଗୋଟାଏ ଆଇସକ୍ରିମ ଦେଇ ଚାଲି ଥାଏ |ସତେ ଯେମିତି ସେ ମୁଖସ୍ଥ କରି ରଖିଛି ଆଧୁନିକାରର ମନ୍ତ୍ରରେ ଦୀକ୍ଷିତ ଚଟୁଳିତ ସଂଳାପ ପରି |

ଶହେ ଟଙ୍କିଆ ନୋଟ ଟି ଧରାଇ ଦେଲି ରାମା ଭାଇ ହାତରେ ଆଉ ତାର ଛେଚା ମୁଗୁର ପରି ଟାଣୁଆ ପାପୁଲିକୁ ମୁଠେଇ ଦେଲି ସରାଗରେ | ତା’ ଆଖି କୋଣରେ କେଇ ବୁନ୍ଦା ଖୁସି ଜୁଆର ଲୁହ ଟୋପା ଟୋପା ହୋଇ ଆତ୍ମଗୋପନ କରିବାକୁ ପ୍ରୟାସ କରୁଥିବାର ପ୍ରତୀୟମାନ ହେଉଥିଲା | 

ସେ ସାଇକେଲ ଷ୍ଟାଣ୍ଡକୁ ଡାହାଣ ଗୋଡରେ ସାମାନ୍ୟ ଆଘାତ ଦେଇ ଠିଆ କରଉ କରଉ ଡମ୍ବରୁ ଡିବି ଡିବି ବଜେଇ ବଜେଇ ଆଗକୁ ଚାଲିଲା ଆଉ ମୋ କୁନି ଝିଅ ମେଘା ଖୁସିରେ "ବରଫ - ବରଫ- ନଡ଼ିଆ ବରଫ” ଚୋଷି ଚାଲିଥାଏ ଓ ଚିଲ୍ଲାଉଥାଏ |

ମୁଁ କିନ୍ତୁ ଅପଲକ ନୟନରେ ବରଫବାଲା ରାମାଭାଇର ବରଫ ପେଟିକୁ ରାସ୍ତାର ଆଗ ମୋଡ ପର୍ଯ୍ୟନ୍ତ ଆଖି ଆଗରୁ ଉଭାନ ହେବ। ପର୍ଯ୍ୟନ୍ତ ଦେଖୁଥାଏ । ଆଉ ମନେ ମନେ ସାଧାରଣ ସ୍ଵଳ୍ପଶିକ୍ଷିତ ମାଇନର ପାସ୍ ରାମାଭାଇର ସମୟୋପଯୋଗୀ ଅସାଧାରଣ ବିବର୍ତ୍ତନ- ପରିବର୍ତ୍ତନ କଥା ଭାବି ତାରିଫ ବି କରୁଥାଏ ଯେ ବରଫ ବାଲା- ଆଇସକ୍ରିମବାଲା- କ୍ଵାଲିଟି ବାଲା- କୋନ୍ ବାଲା- ଷ୍ଟ୍ରବେରୀ ବାଲା- ଚୋକୋବାର୍ ବାଲା ରାମାଭାଇ କେମିତି ସେତୁ-ବନ୍ଧ ଭଳିଆ, ଅସରନ୍ତି ଜାତୀୟ ରାଜମାର୍ଗ ଭଳିଆ, ମୋ ଚିନ୍ତା-ଚେତନାର ଚୌହଦି - ତିନି ପିଢିକୁ ପାରକରି ଲମ୍ଫ ପ୍ରଦାନ କରି ,ଅନେକ ଅନେକ ଆଗାମୀ ପିଢି-ବଂଶଧର ପାଇଁ ମେରୁଅଞ୍ଚଳର ସ୍ଥାୟୀ ବରଫ ସେତୁ ପାଲଟି ଯାଇଛି ।



Rate this content
Log in