Bismita Sahoo

Others

4.7  

Bismita Sahoo

Others

ବୋଉ

ବୋଉ

4 mins
570


ସନ୍ଦୀପ ସଦାବେଳେ ମୋ ପାଖକୁ ୪ଟା ବେଳେ ଆସେ ଏକ ଚିରାଚରିତ ଧାରା ର ଉନ୍ମୋଚନ କରିବାକୁ ଏବଂ ତା ସହିତ ନେଇ ଆସିଥାଏ ତା ବୋଉ ବିପକ୍ଷ ରେ କେତେକ ଯୁକ୍ତି।

ମୋତେ ଦେଖିଲା ମାତ୍ରେ ହସି ହସି କହିବ :- ଜାଣିଛୁ ବୀରେନ୍ ,ତୁ ନ ଥିଲେ ଏ ଦୁନିଆରେ ବଞ୍ଚିବା କାଠିକର ପାଠ ହୋଇ ପଡ଼ନ୍ତା। ମଣିଷ ଜୀବନରେ ଶାନ୍ତି ନାହିଁ। ହାଲିଆ ହୋଇ ଘରକୁ ଖୁସି ମନରେ ଫେରିଲା ମାନେ ଆରମ୍ଭ ହୋଇଯିବ ବୋଉର କଚର କଚର। _ ଏତେବେଳ ଯାଏ କୋଉଠି ଥିଲୁ? ପାଠ ଶାଠ ତ ଚୁଲିରେ ପଶିଲାଣି। ଯାହା କରୁଛୁ ଟିକେ ନିଜ ଭବିଷ୍ୟତ କଥା ଚିନ୍ତା କର। ଆଉ କେତେଦିନ ଯାଏ ଏମିତି ଘରେ ବସି ଖାଉଥିବୁ? ହାତ କୁ ଦି ହାତ ହେଇଗଲେ ସବୁ ବୁଦ୍ଧି ବଳେ ବାହାରିଯିବ।

:-ଅପରାଧୀ ଭଙ୍ଗୀରେ ମୁଣ୍ଡ ତଳକୁ ରଖି ସତ କହୁଛି ବୀରେନ୍ ମୁଁ ପୁରା ହାଲିଆ ହେଇ ଗଲିଣି। ଦେଖିବୁ ଦିନ ଆସିବ ବୋଉ ମୋତେ ଦେଖିଲେ କହିବ -ଇଏ ମୋ ସୁନା। ମୋ କୂଳର ମଣି।

ମୁଁ ହସି ହସି କହେ:- ସନ୍ଦୀପ ସବୁ ତ ବୁଝୁଛୁ। ହେଲେ ଟିକିଏ ଡେରିରେ। ବୋଉ ଯଦି ତୋତେ ଆକଟ କରିବନି ଆଉ କିଏ କରିବ କହିଲୁ? ଏଇ ଦୁନିଆଁ ତ ସୁଖର ସାଥୀ। ଦୁଃଖ ପଡ଼ିଲେ ମଝି ଦରିଆକୁ ଲୋକ ଠେଲି ଦେବାକୁ ପଛାନ୍ତିନି।

ସନ୍ଦୀପ ସାଙ୍ଗେ ସାଙ୍ଗେ ଯୁକ୍ତି ଆରମ୍ଭ କରିଦିଏ।

:-ଜାଣିନୁ ବୀରେନ୍ ତୁ ଆମଘରେ ଥିଲେ ବୁଝନ୍ତୁ। ବୋଉ ମୋତେ ଜମା ଭଲ ପାଉନି। ଭଲ ପାଉଥିଲେ କଣ ମନଇଛା ଗାଳି କରନ୍ତା।ଥରେ ମୋତେ ଜ୍ୱର ହେଲା ଯେ ବୋଉ ସାଙ୍ଗେ ସାଙ୍ଗେ କହିଲା ଯାଉନୁ ବର୍ଷା ରେ ବୁଲିବୁ। ଦେଖିବୁ ଜ୍ୱର ଆପେ ଆପେ ଭଲ ହେଇଯିବ।

ହସି କରି କହିଲି :- ସନ୍ଦୀପ ମାଉସୀ କଣ କିଛି ମିଛ କହିଲେ? ବର୍ଷାରେ ବାହାରେ ବୁଲିଥିବୁ। ଜ୍ୱର ହେଇଥିବ।

ମୋ କଥା ନ ସରୁଣୁ ସେ କହିଲା:- ମୁଁ କଣ ଛୋଟ ପିଲା ହେଇଛି ଯେ ସଦାବେଳେ ଘରେ ରହୁଥିବି। ମୁଁ ଏ ସ୍ଵାଧୀନ ଦେଶ ର ନାଗରିକ। ମୋର ମଧ୍ଯ ସ୍ଵାଧୀନତା ଅଛି।

ତା କଥାବାର୍ତ୍ତା ରୁ ଜଣାପଡ଼େ ସନ୍ଦୀପ ଦିନେ ନା ଦିନେ ଘରୁ ବିଦ୍ରୋହ କରି ଚାଲି ଆସିବ। ବୋଉ ପ୍ରତି ମନରେ ତାର ଅନେକ କ୍ଷୋଭ। ସଦାବେଳେ ଅନ୍ୟ ସହିତ ତୁଳନା କରିବାକୁ ଭଲପାଏ । କହିବ:- ଜାଣିଛୁ ରାଜୁର ମମି ତାକୁ ଦେଖିଲେ ହାଏ ମାଇଁ ଡିଅର୍ କହି କୁଣ୍ଢେଇ ଗେଲ କରନ୍ତି। ମୋର କିନ୍ତୁ ଜମା ମନ ନାହିଁ କେବେ ମୋ ବୋଉ ମୋତେ ଗେଲ କରିଥିଲା। ହଁ ବେଳେବେଳେ ଜେଜେମା କହେ ଯେ ଦିନେ ମୋତେ ଭୀଷଣ ଜ୍ଵର ହେଇଥିଲା ଯେ ବୋଉ କିଛି ନ ଖାଇ ନ ପିଇ ମୋ ପାଖରେ ବସି ମୋର ସେବା କରୁଥିଲା।

ସତରେ କି ଅଜବ ପିଲା ଏଇଟା। ସେଇ ପାଟିରେ କହୁଛି ବୋଉ ତାର ତାକୁ ଭଲ ପାଏନି ପୁଣି କହୁଛି ରୋଗ ହେଲେ ରାତି ଅନିଦ୍ରା ହେଇ ତାର ସେବା କରନ୍ତି। ବୁଝି ପାରିବା ଓ ନ ପାରିବା ମଝିରେ ମନ ମୋର ରହିଯାଏ। ବୋଉ ବିପକ୍ଷ ରେ କିଛି କହିବା ସନ୍ଦୀପ ର ନିତି ଦିନିଆ ଅଭ୍ୟାସ ହେଇ ଗଲାଣି। ମୁଁ ବି କିଛି ନ କହି ସେ ସବୁ ହଜମ କରିନିଏ। କାରଣ ମନର ଦୁଃଖ କାହା ଆଗରେ ପ୍ରକାଶ କରିଦେଲେ ହୃଦୟକୁ ଖୁବ୍ ଶାନ୍ତି ଲାଗେ।

ସନ୍ଦୀପ ର ବୋଉ ପ୍ରତି ଅଭିମାନ ଦିନେ ଯେ ପ୍ରଳୟ ରୂପ ଧାରଣ କରିବ ମୁଁ ନିଶ୍ଚିତ ହେଇ ଯାଇଥିଲି। ଗୋଟିଏ ଜରୁରୀ କାମ ପଡ଼ିବାରୁ ମୁଁ ମାସେ ବାହାରକୁ ଚାଲି ଯାଇଥିଲି। ଘରକୁ ଆସିବା ପରେ ଜାଣିଲି ସନ୍ଦୀପ ଘରେ ବୋଉ ସହିତ ଝଗଡ଼ା କରି ଚାଲି ଆସିଛି। ନିଜେ ଏକ ଘର ଭଡ଼ାନେଇ ରହୁଛି।

ତାକୁ ଏ ବିଷୟ ରେ ପଚାରିବାରୁ କହିଲା:- ବୀରେନ୍ କଣ ପାଇଁ ମାଟି ପିଣ୍ଡୁଳା ପରି ସେ ଘରେ ପଡ଼ି ରହିଥାନ୍ତି। ମୋ ପ୍ରତି ତ କାହାର ଦରଦ ନାହିଁ। ଲୋଭ ନାହିଁ। ମୂଲ୍ୟହୀନ ହେଇ କାହିଁକି ସେଠାରେ ନିଜ ଜୀବନ ବର୍ବାଦ୍ କରିଥାନ୍ତି।

ମୁଁ କହିଲି ଥରେ ତୋ ବୋଉ କଥା ଚିନ୍ତା କଲୁନି।

ସେ ରାଗି ଗଲା। ତା ଆଖି ଲାଲ୍ ହେଇ ଗଲା। ସେ କହିଲା- ଦେଖ୍ ବୀରେନ୍ , ତୁ ଯାହା କହିବୁ ମୁଁ ଶୁଣିବି।କିନ୍ତୁ ବୋଉ ନା ପାଟିରେ ଧରିବୁନି। ସଦାବେଳେ ଲଗେଇଛି ଚାକିରୀ ଚାକିରୀ। ଗଛ ରେ ଫଳୁଛି। ତୋଳି ଆଣିବି।ମୁଁ ଯେମିତି ନିଜ ଭବିଷ୍ୟତ ପାଇଁ ସତର୍କ ନୁହେଁ। ଖାଲି ମୁଁ ଚାକିରୀ କଲେ ଦରମା ଗଣ୍ଡାକ କିପରି ତା ପାଖକୁ ଯିବ ସେଥିପାଇଁ ନଜର।

କିଛି କହିବା ଉଚିତ୍ ମନେ ନ କରି ମୁଁ ସେ ସ୍ଥାନ ପରିତ୍ୟାଗ କରିଥିଲି। ସନ୍ଦୀପ ର ତା ବୋଉ ପ୍ରତି ରାଗ ଦିନେ ଯେ ନିଆଁ ସୃଷ୍ଟି କରିବ ମୁଁ ହତବମ୍ବ ହେଇ ଯାଇଥିଲି। ସନ୍ଦୀପ ତା ବୋଉ ସହ ସବୁ ସମ୍ପର୍କ ଛିନ୍ନ କରିଦେଇ ଥିଲା।

ଦିନେ ମୁଁ ଓ ସେ ମନ୍ଦିର ଯିବା ସମୟରେ ତା ବୋଉ ସହ ଦେଖା ହେଇଗଲା। ବୋଉଙ୍କୁ ଦେଖି ସନ୍ଦୀପ ମୁହଁ ବୁଲେଇ ଚାଲିଗଲା। ବିଚାରୀ ବୋଉ ମନ ଦୁଃଖରେ ହାତରେ ପୂଜାଥାଳି ଧରି ଚୁପ୍ ଚାପ୍ ଠିଆ ହୋଇ ରହି ଥିଲେ।

କାର୍ଯ୍ୟବ୍ୟସ୍ତ ଯୋଗୁଁ ସନ୍ଦୀପ୍ ପାଖକୁ ଆଉ ଯାଇ ପାରୁନଥିଲି। ସେ ମଧ୍ଯ ଏକ କମ୍ପାନୀରେ ଚାକିରୀ ପାଇ ଯାଇଥିଲା। ମୁଁ ଦିନେ ଅଫିସ୍ ରେ ଥିଲା ବେଳେ ଜଣେ ସାଙ୍ଗ ଠାରୁ ଖବର ପାଇଲି ସନ୍ଦୀପ୍ ଏବେ ଜେଲ୍ ରେ ଅଛି। ମୁଁ ଅବାକ୍ ହେଇଗଲି।

ଜେଲ୍ ରେ ସନ୍ଦୀପ କହିଲା:- ସତ କହୁଛି ବୀରେନ୍ ମୁଁ ଜମା କିଛି ହେର୍ ଫେର୍ କରିନି। ମ୍ୟାନେଜର ମୋତେ ମିଛ କେସ୍ ରେ ଫସେଇ ଦେଇଛି।

ମୁଁ ପଚାରିଲି ତୋତେ ଦେଖା କରିବା ପାଇଁ ତୁମ ଘରୁ କେହି ଆସିଥିଲେ?

ସେ କହିଲା ମୁଁ ଭଲ ଥିଲାବେଳେ ମୋତେ କେହି ପଚାରୁ ନ ଥିଲେ ଆଉ ଏବେ ତ ଚୋରର ଛାପ ବାଜି ସାରିଛି। ସେମାନେ ଏବେ କାହିଁକି ଆସିବେ?

କିନ୍ତୁ ସମସ୍ତଙ୍କୁ ହତବାକ୍ କରିଦେଇ ଦେଖିଲି ସନ୍ଦୀପ୍ ର ବୋଉ ସନ୍ଦୀପ ପାଖରେ ହାଜର।

ସେ କହିଲେ:- ମୁଁ ଜାଣିଛି ଦିପୁ ତୁ ନିର୍ଦୋଷ। ତୁ ମତେ କିଛି ବୁଝେଇବା ଦରକାର ନାହିଁ। ବାପା ତୋର ଅଫିସ୍ କାମରେ ବାହାରକୁ ଯାଇଛନ୍ତି। ତେଣୁ ମୁଁ ଆସିଛି ତୋତେ ଜାମିନ ରେ ନେବା ପାଇଁ। ମୋର ସବୁ ଗହଣାଗାଣ୍ଠି ନେଇ ଆସିଛି। ଯେତେ ଟଙ୍କା ଖର୍ଚ୍ଚ ହେଲେ ବି ତୋତେ ମୁଁ ମୁକୁଳେଇବି। ତୁ ଜମା ବ୍ୟସ୍ତ ହେ ନା। ମୁଁ ଦେଖିଲି ସନ୍ଦୀପ ର ପାଦ ତଳୁ ମାଟି ଧୀରେ ଖସି ଯାଉଥିଲା ଆଉ ତା ପାଟିରୁ ସ୍ୱତଃସ୍ଫୁର୍ତ ଭାବେ ବାହାରିଥିଲା ବୋଉ...

(ବିସ୍ମିତାା)


Rate this content
Log in