Pramod Kumar Jena

Others

3  

Pramod Kumar Jena

Others

ବୋହୁ ମାଆ

ବୋହୁ ମାଆ

2 mins
367



       ଫୋନ୍ କରୁ କରୁ ହାତରୁ ଖସି ପଡିଲା ଫୋନଟା l ବୁଢୀ ଲୋକ l ହଠାତ୍ ପାଟିରୁ ବାହାରି ପଡିଲା, ‘ଗଲାରେ ପୁଅ......’ ଏତେ ଦିନ ହେଲା ସାଇତିକି ରଖିଥିଲେ l ଫାଟି କରି ଖଣ୍ଡ ଖଣ୍ଡ ହୋଇଗଲା l ବୋହୁ ମାଆ ଦୌଡି ଆସିଲେ l ଫୋନଟାକୁ ଉଠେଇ ଦେଖିଲେ କେବଳ କ୍ୟାବିନେଟଟା ଫାଟି ଯାଇଛି l ଫୋନଟି କିନ୍ତୁ ଚଳନ୍ତି ଅବସ୍ଥାରେ ଅଛି l ଯାହା ହେଉ l ଶାଶୁଙ୍କୁ ଟିକେ ସାନ୍ତ୍ୱନା ଦେଇ କହିଲେ, ‘ବୋଉ ! ଫୋନ୍ କାମ କରୁଛି l ଖାଲି ତା’ର କ୍ୟାବିନେଟଟା ଭାଙ୍ଗି ଯାଇଛି l କଭରଟେ ଲଗାଇ ଦେଲେ ବି କାମ ଚଳିଯିବ l’

       : ତୁ ଅଫିସ୍ ଗଲା ବେଳେ ମୋ ଫୋନଟା ନେଇଯିବୁ l ଆଉ ଆସିଲା ବେଳକୁ କଭରଟା ଲଗାଇ ଆଣିବୁ l

       : ହଁ..... ବ୍ୟସ୍ତ ହୁଅନା l ମୁଁ କାଲି ନେଇ ଆସିବି l ତୁମେ ଯିବା ପୂର୍ବରୁ ତୁମ ଫୋନ୍ ଠିକ୍ ହୋଇଯିବ l

ଶାଶୁ ମାଆ ଟିକେ ଆଶ୍ୱସ୍ତ ହେଲେ l ସବୁଦିନେ ଚାହିଁ ରହିଲେ ସନ୍ଧ୍ୟାବେଳକୁ ବୋହୁର ବାଟ ଚାହିଁ l ହୁଏତ ଆଗରୁ ଏତେ କେବେ ଅପେକ୍ଷା କରି ନ ଥିଲେ l ହେଲେ କାଇଁ ? ସବୁ ଦିନେ ବୋହୁ ତ ଖାଲି ହାତରେ ଆସୁଛି l ଫୋନ୍ କଭରଟା ଆଣିବାକୁ ଭୁଲି ଗଲା ନା କ’ଣ ?

       ଅସଲ କଥା ହେଲା, ବୋହୁ ମାଆ ସିନା କହିଦେଲେ କଭରଟେ ଆଣି ଦେବେ, ହେଲେ ସେ କ’ଣ କେବେ ଭାବିଥିଲେ କାମଟା ଏତେ କଠିନ ବୋଲି ? ଏତେ ପୁରୁଣା ଫୋନର କଭର l ମାଗିବାଟା କେତେ ଅକୱାର୍ଡ୍ ହେବ l ଆଉ ତାଙ୍କର ଏ ବେଶ ଭୂଷା ସାଙ୍ଗକୁ ଯଦି କେହି ଜାଣିଯାଏ, ସେ ଜଣେ ଆଇ.ଟି. ପ୍ରଫେସନାଲ୍, ପୁଣି ଗୋଟେ ରେପ୍ୟୁଟେଡ୍ କମ୍ପାନୀର ଡେପୁଟି ଜେନେରାଲ୍ ମ୍ୟାନେଜରଙ୍କ ସ୍ତ୍ରୀ...... କ’ଣ ହେବ ଅବସ୍ଥା ?

: କ’ଣ ହେଇଛି ?

       : ନାଁ...... ବୋଉଙ୍କ ଫୋନର କ୍ୟାବିନେଟଟା ଭାଙ୍ଗିଯାଇଛି l ଭାବିଲି କଭରଟେ ଲଗେଇଦେଲେ କାମ ଚଳିଯିବ l ହେଲେ ଏତେ ପୁରୁଣା ଫୋନର କଭର୍ କ’ଣ ମିଳିବ ? କହିଲି ଆଉ ଗୋଟିଏ ନୂଆ ଫୋନ୍ କିଣିଦେବା l

       : ନାଇଁ....... ନାଇଁ.......... କିଛି ଦରକାର ନାହିଁ l ନୂଆ ଫୋନ୍ କ’ଣ ହେବ ? ଏଇଥିରେ କାମ

ଚଳିଯାଉଛି l ମୋ ପାଖକୁ କିଏ ଫୋନ୍ କରୁଛି ଯେ....... ଖାଲି ଯାହା ଝିଅ ଟିକେ କରୁଛି l

       ଶାଶୁମାଆଙ୍କର ଏ କଥା ପଦକ ଶୁଣି ବୋହୁ ମାଆ ଚୁପ୍ କେମିତି ରହିବେ ?

       ଧଡ୍ କରି କହିଲେ, ‘କାହିଁକି ମୁଁ ଫୋନ୍ କରୁନି ? ମୁଁ ତ ଏଠୁ ସବୁବେଳେ ତୁମକୁ ଫୋନ୍ କରେ l’

       : ହଁ..... ଯେ.....

       କହିବାକୁ ଚାହୁଁଥିଲେ ମଧ୍ୟ କହିପାରିଲେନି ଯେ, ‘ତୁ ସିନା ମାସକୁ ଚାରିଥର ଫୋନ୍ କରୁଥିଲୁ, ହେଲେ ଝିଅ କିନ୍ତୁ ଦିନକୁ ଅତି କମରେ ଚାରି ଥର ଫୋନ୍ କରେ l’ 



Rate this content
Log in