ବନ୍ଧୁ ମହାନ୍ତି
ବନ୍ଧୁ ମହାନ୍ତି
ଜଗତର ନାଥଶ୍ରୀ ଜଗନ୍ନାଥ ସଦା ସର୍ବଦା ଭକ୍ତର ଭାବରେ ବନ୍ଧା । ଯୁଗେ ଯୁଗେ ଭକ୍ତ ପାଇଁ ହୁଏ ତାଙ୍କର ଧରାବତରଣ । ନୀଳାଦ୍ରି ବିହାରି ଶ୍ରୀକ୍ଷେତ୍ରରେ ରହି ଲୀଳା କରନ୍ତି । ତାଙ୍କରି ଦୁଇ ଭୂଜକୁ ଲମ୍ବାଇଛନ୍ତି ଭକ୍ତଙ୍କୁ ଆଲିଙ୍ଗନ କରିବାକୁ । ଚକା ଆଖିରେ କେବେ ପଲକ ପଡ଼େନି ଦେଖନ୍ତି ଭକ୍ତର ଦୁଃଖ ଆଉ ସୁଖକୁ । ବରଷକେ ଥରେ ଆସନ୍ତି ସବୁ ଭକ୍ତଙ୍କୁ ଦର୍ଶନ ଦେବାକୁ ।
ମହାପ୍ରଭୁଙ୍କ ଲୀଳାକୁ କିଏ ଅବା କହି ପାରିବ । ଅନେକ ଭକ୍ତ ମଧ୍ୟ୍ୟରୁ ଜଣେ ବନ୍ଧୁମହାନ୍ତି । ଯାଜପୁରରେ ତାଙ୍କର ଘର । ପୁଅ ଝିଅ ସ୍ତ୍ରୀକୁ ନେଇ ଦୁଃଖ କଷ୍ଟରେ ଚଳନ୍ତି । ଥରେ ଦୁର୍ଭିକ୍ଷ ପଡିଲା । ବନ୍ଧୁ ମହାନ୍ତି ପରିବାରକୁ ଖାଇବାକୁ ମିଳିଲାନି । ସବୁ ଆଡ଼େ ବୁଲି ବୁଲି ନିରାଶ ହତାଶ ହୋଇ ଗଲେ । ଶେଷରେ ସ୍ତ୍ରୀ ପଚାରିଲେ ତୁମର କଣ କିଏ ବନ୍ଧୁ ନାହାନ୍ତି ଯିଏ ଆମ ପରିବାରକୁ ଖାଇବାକୁ ଦେଇ ପାରିବେ । ଆଉ ଆମକୁ ସାହାଯ୍ୟ କରିବେ । ବନ୍ଧୁ ମହାନ୍ତି କହିଲେ ହଁ ଏମିତି ଗୋଟେ ବନ୍ଧୁ ଅଛି ଯିଏ ଭାରି ଦୟାଳୁ କିନ୍ତୁ ସେ ବହୁତ ଦୂରରେ ଅଛି । ସ୍ତ୍ରୀ ପଚାରିଲେ କେଉଁଠି ଅଛନ୍ତି ତୁମ ବନ୍ଧୁ । ବନ୍ଧୁ ମହାନ୍ତି କହିଲେ ସୁଦୂର ଶ୍ରୀକ୍ଷେତ୍ରରେ । ସ୍ତ୍ରୀ କହୁଚନ୍ତି, ଏ ଦୁଃଖ ବେଳରେ ତୁମ ବନ୍ଧୁ ପାଖକୁ ଚାଲ ନା ଆମେ ଯିବା । ଏଥର ବନ୍ଧୁ ବାହାରିଲେ ଶ୍ରୀକ୍ଷେତ୍ର ଅଭିମୁଖେ ।
ପିଲା ମାନେ ଭୋକରେ ବ୍ୟାକୁଳ ହେଉଛନ୍ତି । ବାଟ ସାରା ଜଗନ୍ନାଥଙ୍କୁ ଡାକି ଡାକି ବନ୍ଧୁ ଯାଉଛନ୍ତି । ହେ ଦୁଃଖ ନାଶନ ଶରଣ ରକ୍ଷଣ ମହାବାହୁ ତୁମେ ତୁମରି ବନ୍ଧୁପଣକୁ କଣ ରଖିବ । ମୋ ପରି ତୁଚ୍ଛ ଭକ୍ତର ଗୁହାରି ତୁମେ କଣ ଶୁଣି ପାରିବ ପ୍ରଭୁ । ହେ ବଳିଆ ରଭୁଜ ତୁମରି ବନ୍ଧୁ ତୁମ ଭରସାରେ ଯାଉଅଛି । ତୁମ ପତିତପାବନ ବାନା ତଳେ ତୁମେ ରଖିବ ନା ପ୍ରଭୁ । ଏମିତି ଚିନ୍ତା କରି କରି ପହଞ୍ଚିଲେଶ୍ରୀ କ୍ଷେତ୍ର ଧାମରେ । ରାତି ହୋଇ ଯାଇ ଥାଏ । ପହଡ଼ ବି ପଡି ଯାଇଥାଏ । ସେତେ ବେଳେ ଚାଲି ଚାଲି ଆସି ସମସ୍ତେ ଥକି ଗଲେଣି । ସେହି ସମୟରେ ଆଲୋକ ମଧ୍ୟ ସବୁ ଆଡ଼େ ନଥାଏ । ରାତି ହୋଇଥିବାରୁ ବନ୍ଧୁ ମହାନ୍ତି କଣ ବା ଆଉ କରିବେ । ପେଜ ନଳା ପାଖକୁ ଯାଇ କିଛି ପେଜ କୁଡୁଆରେ ଆଣିଲେ । ସେ ପେଜ ପିଇ ସମସ୍ତେ ସନ୍ତୋଷ ହୋଇଲେ । ରାତିରେ ବନ୍ଧୁ ମହାନ୍ତି ବିଶ୍ରାମ କରୁଛନ୍ତି । ହେଲେ ମହାପ୍ରଭୁ ଏତେ ଅନ୍ତର୍ଯ୍ୟାମୀ ଭକ୍ତ ମନ ଜାଣି ନିଜେ ଆସିଲେ ସୁବର୍ଣ୍ଣ ଥାଳିରେ ଦିବ୍ୟ ମହାପ୍ରସାଦ ନେଇ । ଡାକ ପକାଇଲେ ବନ୍ଧୁ ମୋ ବନ୍ଧୁ ଆସ ମୁଁ ଡାକୁଛି ତୁମକୁ । ଏ ଡାକ ଶୁଣି ବନ୍ଧୁ ମହାନ୍ତି ଭାବିଲେ କିଏ କାହା ବନ୍ଧୁକୁ ଡାକୁଥିବ । ମୋ ପରି ଗରିବକୁ କିଏ କାହିଁକି ଡ଼ାକିବ । ତା ପରେ ପୁଣି ପ୍ରଭୁ ଡାକିଲେ ଯାଜ ପୁରିଆ ବନ୍ଧୁ ତୁମେ କେଉଁଠି ଅଛ । ବନ୍ଧୁ ମହାନ୍ତି ଯାଇ ଦେଖିଲା ବେଳକୁ ଜଣେ ପୂଜା ପଣ୍ଡା ଅଛନ୍ତି । ବନ୍ଧୁ ମହାନ୍ତି ପ୍ରଭୁଙ୍କୁ ଜାଣି ପାରିଲେ ନାହିଁ । ପ୍ରଭୁ ନିଜେ ହାତ ବଢ଼େଇ ମହାପ୍ରସାଦ ଦେଲେ । ସୁବର୍ଣ୍ଣ ଥାଳି କାହାକୁ ଦେବି ପଚାରୁ ପଚାରୁ ପ୍ରଭୁ ଅନ୍ତର୍ଧ୍ୟାନ ହୋଇଗଲେ । ବନ୍ଧୁ ମହାନ୍ତି ପ୍ରଭୁଙ୍କୁ ଅନୁଭବ କରି କାନ୍ଦି ପକାଇଲେ । ମହାପ୍ରସାଦ ପାଇ ଆନନ୍ଦରେ ଶୋଇଲେ । ସୁବର୍ଣ୍ଣ ଥାଳିକୁ ନିଜ ଗାମୁଛାରେ ରଖିଲେ ସକାଳେ ଦେବାକୁ । ପ୍ରଭାତରୁ ସୁବର୍ଣ୍ଣ ଥାଳି ନ ମିଳିବାରୁ ସବୁ ଆଡ଼େ ଚହଳ ପଡିଲା । ସେତେବେଳ ର ରାଜା ଥାଆନ୍ତି ଗଜପତି ପ୍ରତାପ ରୁଦ୍ର ଦେବ । ଶେଷରେ ବନ୍ଧୁ ମହାନ୍ତି ପାଖରେ ସୁନା ଥାଳି ପାଇବାରୁ ତାଙ୍କୁ ଚୋର ବୋଲି ଭାବି କାରାଗାରରେ ନେଇ ବନ୍ଦୀ କଲେ । ବନ୍ଧୁ ମହାନ୍ତି ବ୍ୟାକୁଳ ହୋଇ ପ୍ରଭୁଙ୍କୁ କହିଲେ, ପ୍ରଭୁ ତୁମେ ମହାପ୍ରସାଦ ଦେଇ ତୁମ ବନ୍ଧୁକୁ ଏତେ ଦୁଃଖ ଦେଲ କାହିଁକି ପ୍ରଭୁ? ମହାପ୍ରଭୁ ଭକ୍ତ ମନ ଜାଣି ରାଜାଙ୍କୁ ସ୍ଵପ୍ନାଦେଶ ଦେଲେ, ହେ ରାଜା ବନ୍ଧୁ ମହାନ୍ତି ମୋର ପରମ ବନ୍ଧୁ । ମୁଁ ନିଜେ ତାକୁ ସୁନା ଥାଳିରେ ମହାପ୍ରସାଦ ଦେଇଛି । ତେଣୁ ତୁମେ ମୋ ବନ୍ଧୁକୁ ମୁକ୍ତ କର । ରାଜା ତୁରନ୍ତ ଯାଇ ବନ୍ଧୁ ମହାନ୍ତିଙ୍କୁ କ୍ଷମା ମାଗି ମୁକ୍ତ କଲେ । ଶ୍ରୀକ୍ଷେତ୍ରରେ ରହିବାର ବ୍ୟବସ୍ଥା କରି ଦେଲେ । ଏମିତି ମୋ ପ୍ରଭୁଙ୍କ ମହିମା । ଯିଏ ତାଙ୍କୁ ଅନୁଭବ କରିଛି ସେ ହିଁ ଜାଣିଛି । ଧନ୍ୟ ତୁମେ ଜଗନ୍ନାଥ ଧନ୍ୟ ତୁମ ମହିମା ।
