ବନ ରଜା
ବନ ରଜା
ବଣ ପାହାଡ ଘେରା ଆଦିବାସୀ ଗାଁ ହେଉଛି ଟୁକନପଡା ।ଏଇ ଗାଁରେ ରହେ ଆଦି ଦିଗଲ । ବିଭିନ୍ନ ପ୍ରଜାତିର ଦେଶୀ କୁକୁଡା ରଖିବା ତା'ର ଭାରି ସଉକ। କୁକୁଡାମାନେ ବଣ ଘେରା ପାହାଡକୁ ଚରିବାକୁ ଯାଆନ୍ତି। ଆଦି ଲକ୍ଷ୍ୟ କଲା ଦିନକୁ ଦିନ ସେମାନଙ୍କ ସଂଖ୍ୟା କମି କମି ଯାଉଛି ।ଜଙ୍ଗଲୀ ଜନ୍ତୁଙ୍କ କବଳରୁ ସେମାନଙ୍କୁ ରକ୍ଷା କରିବା ପାଇଁ ଆଦି ଚିନ୍ତା କରିବାକୁ ଲାଗିଲା ।କୁକୁଡାମାନଙ୍କ ମଧ୍ୟରୁ ସବୁଠାରୁ ଡେଙ୍ଗା ଗଞ୍ଜା ଥିଲା ରାଜା ।ହେଲେ ରାଜା ଭାରି ପତଳା ଥିଲା । ଦିନେ ତା ଗାଁ ଟୁକନପଡାକୁ ପଶୁ ଡାକ୍ତର ଆସିଥିଲେ । ଆଦି ତାଙ୍କୁ ଭେଟି ରାଜାର ସ୍ବାସ୍ଥ୍ୟ ବିଷୟରେ କହିଲା। ଡାକ୍ତରବାବୁଙ୍କ ପରାମର୍ଶରେ ରାଜାକୁ ଖାସୁ କରି ଦିଆଗଲା । ମାତ୍ର ମାସ କେଇଟାରେ ରାଜାର ସ୍ବାସ୍ଥ୍ୟରେ ପରିବର୍ତନ ହେଲା। ରାଜାର ନାଲି ଚୂଳ ଖୁବ ସୁନ୍ଦର ଦିଶୁଥିଲା। ଆଦି ଚାହୁଁଥିଲା ରାଜା, କୁକୁଡାମାନଙ୍କ ରାଜା ହୋଇ ସେମାନଙ୍କୁ ବଣ ଜଙ୍ଗଲର ପଶୁପକ୍ଷୀଙ୍କ ଆକ୍ରମଣରୁ ରକ୍ଷା କରିବାର ଦାୟିତ୍ବ ନେଉ। ସେଥିପାଇଁ ଆଦି ,ରାଜାକୁ ବିଭିନ୍ନ କିସମର ନୂଆ ନୂଆ ତାଲିମ ଦେବାକୁ ଲାଗିଲା । କିଛି ମାସର ତାଲିମ ପାଇ ରାଜା ,କୁକୁଡା ଗୋଷ୍ଠୀର ରାଜା ହୋଇଗଲା।ଏଥର ରାଜା କୁକୁଡାମାନଙ୍କୁ ବଣୁଆ ଜନ୍ତୁମାନଙ୍କ ଶିକାରରୁ ରକ୍ଷା କରି ପାରୁଥିଲା ।ରାଜା ଭାରି ସହାସୀ ଓ ଚାଲାକ ଥିଲା ।ସେ ଜଙ୍ଗଲରେ ତା'ର ସେନା ବାହିନୀ ତିଆରି କରିବାର ଯୋଜନା କରିଥିଲା।ରାଜା ସମସ୍ତ କୁକୁଡାମାନଙ୍କୁ ବିପଦରୁ ରକ୍ଷା ପାଇବାର ତାଲିମ ଦେଉଥିଲା । ଏସବୁ ଦୃଶ୍ୟ ଦେଖି ଆଦି ବହୁତ ଖୁସି ହୋଇ ଯାଇଥିଲା । ସେମାନେ ଜଙ୍ଗଲରେ ବିନା କାରଣରେ ଅନ୍ୟ ପଶୁମାନଙ୍କୁ ଆକ୍ରମଣ କରୁ ନଥିଲେ।କୁକୁଡାମାନଙ୍କ ଏହି ଗୋଷ୍ଠୀ, ଜଙ୍ଗଲରେ 'ଆଦି ସେନା' ଭାବେ ଦିନକୁ ଦିନ ବେଶ ଖ୍ୟାତି ଅର୍ଜନ କରିବାକୁ ଲାଗିଥିଲା ।
ଏକଥା ଟୁକନପଡା ସମେତ ଆଖପାଖ ଆଦିବାସୀ ଗାଁରେ ସମସ୍ତ ଲୋକ ଜାଣିବାକୁ ପାଇ ଥିଲେ।ସେମାନେ ସେମାନଙ୍କ ଗଞ୍ଜାମାନଙ୍କୁ ଆଦି ପାଖକୁ ତାଲିମ ପାଇଁ ପଠେଇବାକୁ ଲାଗିଲେ ।ଏହିପରି ଭାବେ ବଣମୁଲକର ଆଦିବାସୀ ଗାଁର ପାହାଡ ଓ ବଣ ଜଙ୍ଗଲ, କୁକୁଡାମାନଙ୍କ ପାଇଁ ସୁରକ୍ଷ ିତ ଆଶ୍ରୟସ୍ଥଳୀ ପାଲଟି ଯାଇ ଥିଲା।
ଏଥିମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଲା । ବିଲୁଆମାନେ ରାଜାକୁ କୁକୁଡ଼ା ମାନଙ୍କ ଗୋଷ୍ଠୀରୁ ଅଲଗା ପାଇ ତାକୁ ଚାରିପଟୁ ଘେରି ଗୋଡାଇ ଗୋଡ଼ାଇ ହାଲିଆ କରିଦେଲେ । ରାଜା ଅତ୍ୟଧିକ ମୋଟା ହୋଇ ଯାଇ ଥିବାରୁ ହୃଦଘାତରେ ତାର ମୃତ୍ୟୁ ହୋଇଗଲା । ରାଜାର ମୃତ୍ୟୁ ଖବର କୁକୁଡା ମାନଙ୍କ ମଧ୍ୟରେ ଗଭୀର ରେଖାପାତ କରିଥିଲା। କିନ୍ତୁ ଆଦି ଦିଗଲ ଏଥିରେ ଭାଙ୍ଗି ପଡି ନଥିଲା । ସେ କୁକୁଡ଼ା ଗୋଷ୍ଠୀରେ ଥିବା ସବୁଠାରୁ ବଳିଷ୍ଠ ଓ ତାଲିମ ସମ୍ପନ୍ନ ଅନ୍ୟ ଏକ ଯୁବ ଗଞ୍ଜାକୁ ରାଜା ରୂପେ ବାଛିଥିଲା ।
ଇତି ମଧ୍ୟରେ ଟୁକନ ପଡ଼ାର ଆଦିବାସୀମାନେ ବିଭିନ୍ନ କିସମର ଦେଶୀ କୁକୁଡା ପାଳନ କରି ବେଶ ସ୍ବାବଲମ୍ବୀ ହୋଇ ପାରିଥିଲେ ।ଏଥିପାଇଁ ସେମାନେ ସମସ୍ତ ଶ୍ରେୟ କୁକୁଡାପ୍ରେମୀ ଆଦି ଦିଗଲକୁ ଦେଉଥିଲେ ।
