STORYMIRROR

Ranjit Sahu

Others

3  

Ranjit Sahu

Others

ବିଶ୍ଵାସ

ବିଶ୍ଵାସ

2 mins
423

ଗାଆଁର ଗାଈଆଳ ଟୋକାର ବେଲପତ୍ର ଦିଆ  ହୋଇ ପ୍ରତ୍ୟେକ୍ଷ ହୋଇଥିବା ଶିବ ଲିଙ୍ଗ ପଥରଟି କୁହୁଡିର ଘେରରେ ଲୁଚି ଯାଇଥିଲା ତାହା ଉପରେ ବିସ୍ତାର ହୋଇଥିବା ବିଶାଳ ବଟ-ଓସ୍ତ ଗଛର ଯୁଗଳ ସହିତ I ଲୋକ କଥାରେ ପ୍ରସିଦ୍ଧ ଥିଲା, ଗାଈଆଳ ଟୋକାଟେ ବଟ ଗଛ ମୂଳେ ଆବିଷ୍କାର କରିଥିଲା ଶିବଲିଙ୍ଗ ଆକାରର ମୁଗୁନି ପଥରଟି ଏବଂ ପ୍ରତିଦିନ ପାଖ ଜଙ୍ଗଲରୁ ଆଉ ପଡ଼ିଆରୁ ଫୁଲ ଆଣି ପୂଜା କରେ, ଗାଈ ଚରୁଥିବା ସମୟରେ I ଅନେକ କିମ୍ବଦନ୍ତୀ ରହିଥିଲା ସେହି ଶିବଲିଙ୍ଗ ବିଷୟରେ I କିଏ କହେ, ଗାଈ ମାନେ ତାହା ଉପରେ ଦୁଗ୍ଧ ଅଭିଷେକ କରନ୍ତି ଆଉ କିଏ କହେ ଜଙ୍ଗଲର ପଶୁ ପକ୍ଷୀ  ମାନେ ତାହାର ପୂଜା ଅର୍ଚ୍ଚନା କରନ୍ତି I ଏତେ ବାଦ  ବିବାଦ ମଧ୍ୟରେ କିନ୍ତୁ କେହି କେବେ ମନ୍ଦିରଟିଏ ନିର୍ମାଣ କରି ପାରି ନାହାନ୍ତି ତାହା ଉପରେ I ଲୋକ ମାନେ କୁହନ୍ତି, ସେହି ପଥରଟି ସର୍ବବିଦ୍ୟମାନ ହେବା  ଲାଗି ଉଦ୍ଧିଷ୍ଠ ଏବଂ ସେଥି  ପାଇଁ କେବେ ମନ୍ଦିରଟିଏ ଗଢ଼ା ହୋଇ ପାରିନି ଯେତେ ଚେଷ୍ଠା କଲେ ମଧ୍ୟ I ଜେଜେମାଙ୍କ ଇଛା ଥିଲା ସ୍ଵୟଂଭୂ ଥରେ ସେଠାରେ ପୂଜା ଦେଇ ଆସିବ I ତାଙ୍କର ବିଶ୍ଵାସ  ତାହା ଦ୍ଵାରା ତାହାର ସବୁ କଷ୍ଟ ଦୂର ହୋଇଯିବ ଏବଂ ସିଏ ଶୀଘ୍ର ଭଲ ଝିଅଟିଏ ପାଇବ ବାହା ହେବା  ନିମନ୍ତେ I ଜେଜେମାଙ୍କର ଜିଦ୍ଦି ଆଗରେ ହାର ମାନିଥିଲା ସ୍ଵୟଂଭୂ I ବାହାରି ଯାଇଥିଲା ତାଙ୍କର ନିର୍ଦ୍ଦେଶ କ୍ରମେ ସେହି ବୃକ୍ଷର ସନ୍ଧାନରେ I 


ସକାଳର କୁହୁଡି ଉଭେଇ ଯିବା କ୍ଷଣି ଆବିର୍ଭାଵ ହେଲା ବୃକ୍ଷ ରାଶିର ରୂପରେଖ I ବୃକ୍ଷର ବିଶାଳତା ତୂଳନାରେ ନିହାତି ଛୋଟ ଥିଲା ପଥରଟି I ମନେ ମନେ ହସିଲା ସ୍ଵୟଂଭୂ I କେତେ ବିଶ୍ଵାସ ସତରେ ଜେଜେମାଙ୍କର! ଦେଖିଲା ପଥର ଉପରେ ଯୋଡ଼ାଏ ଫୁଲ ଅର୍ପଣ କରା ଯାଇଛି I "ଏତେ ସକାଳୁ କିଏ ଆସି ଥାଇ ପାରେ ?" ମନେ ମନେ ଭାବିଲା ସ୍ଵୟଂଭୂ I ଆଖି ବୁଜି ପ୍ରଣାମ କରିଦେଲା I ନିହାତି ସାଧାରଣ ଦିଶୁଥିବା ଫୁଲ ଦୁଇଟି I କିଛି ମଧ୍ୟ ଅଲୌକିକ ଲାଗିଲାନି ସ୍ଵୟଂଭୂକୁ I 

ଆଖି ଖୋଲି ଦେଖିଲା ବେଳକୁ ପଥରଟି ପୁଣି ସେମିତି ପଡିଛି ! ଦୂରରେ ସ୍ତ୍ରୀ ଲୋକଟିଏ ଚାଲି ଯାଉଥିଲା I "ବୋଧହୁଏ  ସ୍ତ୍ରୀ ଲୋକ ଜଣକ ନେଇ ଯାଇଥିବ", ନିଜକୁ କହିଲା  ସ୍ଵୟଂଭୂ I କିଛି ଭାବି ସ୍ତ୍ରୀ ଲୋକଟିକୁ ଅନୁସରଣ କରିବାକୁ ଲାଗିଲା I ଅନ୍ୟମନସ୍କ ଥିବା ସମୟରେ ଅକସ୍ମାତ ସ୍ତ୍ରୀ ଲୋକ ମଧ୍ୟ ଉଭେଇ ଗଲା I ଫେରି ଆସିଲା ସ୍ଵୟଂଭୂ ବଟ ବୃକ୍ଷ ପାଖକୁ  I ପାଖରେ ଫୁଟିଥିବା କିଛି ଫୁଲ ଚଢେଇ ଫେରିଗଲା ବିନା କିଛି ଭାବି I 

ଘରକୁ ଫେରି ଆସି କହିଗଲା ସବୁ କିଛି ଜେଜେମାଙ୍କୁ I 

"ତୋହର ମୋ କଥାରେ ବିଶ୍ଵାସ  ନଥିଲା ସ୍ଵୟଂଭୂ , ତୁ କେବଳ ମୋତେ  ଖୁସି କରିବାକୁ ଯାଇଥିଲୁ, ନଚେତ ସେ ଫୁଲ ଦୁଇଟି ତୋତେ ହିଁ ମିଳି ଥାଆନ୍ତା  Iସମସ୍ତେ ଦେଖନ୍ତି ସେଠାରେ ଫୁଲ କୁଆଡେ, ସେହି ମାନେ ହିଁ ଆଣି ପାରନ୍ତି ଯେଉଁ ମାନଙ୍କର ବିଶ୍ଵାସ ଦୃଢ ହୋଇଥାଏ Iଏହି କଥା ମଧ୍ୟ ଲୋକ କଥାରେ ରହିଛି, ମୁଁ କହିବାକୁ ଭୁଲି ଯାଇଥିଲି ତୋତେ I ଈଶ୍ଵରଙ୍କ  ଠାରୁ ମଧ୍ୟ ବଡ ଈଶ୍ଵରଙ୍କ ଉପରେ ଥିବା ମଣିଷର ବିଶ୍ଵାସ," ଜେଜେମା କହିଲେ,"ସେହି ପଥରରେ ଗାଈଆଳ  ଟୋକାଟା ଈଶ୍ଵରଙ୍କୁ ଦେଖୁଥିଲା ଅଥଚ ଅନେକ ଦେଖି ପାରୁ ନାହାନ୍ତି ଆଜି ମଧ୍ୟ !"

ଆଜିକୁ ଦୁଇ ମାସ ବିତିଗଲାଣି ଜେଜେମାଙ୍କର ପରଲୋକ ହୋଇ I ସ୍ଵୟଂଭୂ ଜେଜେମାଙ୍କ ଇଛାଟି ପୁର୍ଣ କରିବାକୁ ଅସମର୍ଥ ହୋଇଛି, ଆଜି ମଧ୍ୟ ରହିଛି ଅବିବାହିତ ! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍