Satyabati Swain

Others

3  

Satyabati Swain

Others

ବିଶ୍ୱାସ

ବିଶ୍ୱାସ

4 mins
390



ଗୋଟେ ବିଶ୍ୱାସ,ଟିକେ ଅନୁଭବ, ଭାଵ ଓ ଭକ୍ତିର ନାଁ ତ ଈଶ୍ୱର ! ଈଶ୍ୱର ଛୋଟ ଶବ୍ଦଟିଏ,ନାଁଟିଏ;ମାତ୍ର ଏଇ ନାମ ପାଇଁ ଅନ୍ତରାଆତ୍ମା ପାପ କରିବାକୁ ଡରେ ପୁଣ୍ୟ ଦାନ ଧର୍ମ କରିବାକୁ ଆଗଭର ହୁଏ। ଈଶ୍ୱର ଅନ୍ତର୍ଯ୍ୟାମୀ ଏଇ ଭୟ କିଛି ଖରାପ କାର୍ଯ୍ୟ ଭାବିବାରୁ ବି ନିବୃତ୍ତ କରେ ମଣିଷଙ୍କୁ। ଈଶ୍ୱର ସବୁ ଦେଖୁଛନ୍ତି ଭାଵଟି ଲୁକାୟିତ କିଛି କାର୍ଯ୍ୟ କରୁବାକୁ ଚିତ୍ତ ଡରାଏ। ଈଶ୍ୱର ନିରାଶ୍ରୟର ଆଶ୍ରୟ ସ୍ଥଳ। ସେ ଗତି ମୁକ୍ତି ଓ ନିର୍ବାଣର ଦ୍ୱାର।


ଈଶ୍ୱର ଅସହାୟର୍ ଏକମାତ୍ର ସମ୍ବଳ।ଅତଏବ ମଣିଷ ଯେତେବେଳେ କୂଳ କିନାରା ନପାଏ ସେତେବେଳେ ସମ୍ପୂର୍ଣ୍ଣ ଶରଣ ଯାଏ ସେଇ ଈଶ୍ୱର ନାମୀ ପାଦ ତଳେ।ତାର ରୂପ ନାହିଁ।ସେ ଅରୁପ;କିନ୍ତୁ ମନ ଭିତରେ ଅଙ୍କା ଗୋଟିଏ ଶାନ୍ତ,କାନ୍ତ,କମନୀୟ ରୂପ। ପାଦ କେହି ଦେଖିନି କିନ୍ତୁ ହୃଦୟ ଢାଳି ଦିଅନ୍ତି ସମସ୍ତେ। ମନ,ହୃଦୟରେ ସମର୍ପଣ ଭାଵ ସୃଷ୍ଟି ହେଲେ ଆତ୍ମା ଈଶ୍ୱରଙ୍କୁ ଧ୍ୟାନ କରେ। ଦିବ୍ୟଚେତନା ଉତରଣ ହୋଇ ଶୃଙ୍ଖଳିତ,ନିୟନ୍ତ୍ରିତ କରନ୍ତି ଜୀବନ ଜଗତ।ମଣିଷ ଦିବ୍ୟ ଆନନ୍ଦ ପ୍ରାପ୍ତି ହୁଏ ଈଶ୍ୱର ଅରାଧନାରେ। ଭଜନ,କୀର୍ତ୍ତନ,ଜଣାଣ,ପାର୍ଥନା,ଓଷାବ୍ରତ ସେ କେଉଁ ଅଦୃଷ୍ଟ ଈଶ୍ୱର ନାମକୁ ଆଶ୍ରା କରି ମଣିଷ ବିଶ୍ୱାସ ରଖେ ସଂସାର ସାଗର ପାରିହେବାର ମାନସିକତା।


ଈଶ୍ୱର ମୋ କିଚିମିଚି ଅନ୍ଧାର ରାତିର,ଭାଗ୍ୟର ଗୋଟେ ଉଦଭାଷିତ ଓ ଉଦ୍ଘୋଷିତ ଧାରେ ଆଲୋକ।


ମୋ ଚାରି ପାଖର,ମୋ ମୁହଁରେ ବସା ବାନ୍ଧିଥିବା ଦଧିବା ବନ ଠାକୁର ମୋ ଇଷ୍ଟ, ଯେ ଅଧିଷ୍ଠିତ ମୋ ଜନ୍ମଭୂମି ସାରଣାରେ।


ସରଣା ଗାଁ କଥା ମନେ ପଡିଲେ ମନେ ପଡେ ସେଇ ଚକା ଚକା ଦିଟା ଆଖି ଓ ସେଇ ମାଟି.......


ଯେଉଁ ମାଟି ମୋ କୁଆଁ ରାବକୁ ପ୍ରଥମେ ଶୁଣି ମୋ କଅଁଳ ଅବୋଧ ଶିଶୁ ଶରୀରକୁ କୋଳେଇ ନେଲା ସେ ମାଟି ଅତି ପୁଣ୍ୟ ଭୂମି ଜଗତସିଂହପୁରର ସରଣା ଗ୍ରାମ।ସେ ଗାଁରେ ଅଛନ୍ତି ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବା ବନ ଜୀଉଁ ଠାକୁର।ସେ ଏତେ ପ୍ରତ୍ୟେକ୍ଷ ଜିଅଁନ୍ତା ଠାକୁର ଯେ ଡାକିଲେ ଓ କରନ୍ତି।ମୋ ମାମୁଁ ଘରକୁ ଲାଗି ସେଇ ଠାକୁରଙ୍କ ମଣ୍ଡପ।ମୋର ବଡ଼ ଦୁଃଖ ଯେ ହେତୁ ହେଲା ବେଳକୁ ମାମୁଁ ଘର ଲୋକେ କେହି ନଥିଲେ।ଦୁଇ ମାମୁଁ ବାଇଶି ତେଇଶି ବର୍ଷରେ ମରିଥିବା ବେଳେ,ମାମୁଁ ଅଜା ମାତ୍ର ଚାଳିଶ ବର୍ଷରେ ମାରି ଯାଇଥିଲେ।କେବଳ ବଞ୍ଚିଥିଲେ ମୋ ବୋଉ ଓ ମାମୁଁ ବୋଉ;ଅର୍ଥାତ ମୋ ବୋଉର ବୋଉ।


     ଏତେ ଦୁଃଖ ଅବେଳେ ଈଶ୍ୱର ମାମୁଁ ବୋଉ ଉପରେ ଅଜାଡି ଦେଇଥିବାରୁ କାନ୍ଦି କାନ୍ଦି ମାମୁଁ ବୋଉ ଅନ୍ଧୁଣୀ ହୋଇଯାଇଥିଲା।ବୋଉ ସେତେବେଳେକୁ ମାତ୍ର ତେର ବୟସରେ ମାମୁଁ ଘରଠାରୁ ତୁରିଶିଟି ଘର ଛାଡି ସେଇ ଗାଁରେ ବାହା ଦେଇଥିଲେ ମାମୁ ଅଜା।ଅଭିଶପ୍ତ ପରିବାର ପରି କିଏ କୁଆଡେ ଉଡ଼ି ହଜି ଗଲେ ସମୟ ସୁଅରେ।ମାମୁଁ ବୋଉ ବି।କେବଳ ବଂଚି ରହିଲା ଶ୍ରୀ କୃପାସିନ୍ଧୁ ନାୟକଙ୍କ ଏକମାତ୍ର ଝିଅ ପୂର୍ଣ୍ଣିମା ସ୍ୱାଇଁ,କୁଳ ରକ୍ଷା କରି।ମୋ ବୋଉ ପୂର୍ଣ୍ଣିମା ସ୍ବାଇଁଙ୍କୁ ସମସ୍ତେ ଡାକନ୍ତି ପୁନି ଅପା।


     ମାମୁଁ ଘରେ କେହି ନଥିବାରୁ ବୋଉ ଓ ମୋ ଭାଇ ଭଉଣୀ ମାନେ ସେ ଘରର ରକ୍ଷଣା ବେକ୍ଷଣା ଦାୟିତ୍ୱ ନେଉଥିଲେ।ଧୀରେ ବଡ଼ ହେଲି ମୁଁ।ଜାଣେନି ମାମୁଁ ଘର ନୁହେଁ,ମାମୁଁ ଘରକୁ ଲାଗି ସେଇ କଳା ମୁହାଁ ଦଧିବାବନ ଠାକୁର,ତାଙ୍କ ମଣ୍ଡପ ଓ ନିତି ସନ୍ଧ୍ୟାର ଭଜନ କୀର୍ତ୍ତନରେ ମୋର ଭାରି ମନ।ହଜିଯାଏ ମୋ ପିଲା ମନ ସେଠି।ଗୁଲୁରୁ ଗୁଲୁରୁ କଥା କହିବା ଦିନୁ,ଥୁକୁରୁ ଠୁକୁରୁ ଚାଲିବା ଦିନୁ ମୋର ଅହେତୁକ ଆକର୍ଷଣ ସେଇ ମଣ୍ଡପ ଓ ମନ୍ଦିର ପାଇଁ।ସନ୍ଧ୍ୟାରେ ଭଜନ କୀର୍ତ୍ତନ ମୋତେ ଟାଣି ନିଏ ସେଇ ମନ୍ଦିର।


     ଯେତେ ଯେତେ ବଡ଼ ହେଲି ସେତେ ସେତେ ବିଶ୍ୱାସ ଦୃଢ଼ୀଭୂତ ଓ ମନ କେନ୍ଦ୍ରୀଭୂତ ହେଉଥାଏ ସେଇ ଈଶ୍ୱର ପ୍ରାଣର ଠାକୁର ଉପରେ।ପୂଜାଉଜାରେ ମନ ହଜେ।ମୋର ଛୁଆ ଜୀବନର ସେ ଜଣେ ବାପା ଭାଇ ପରି ମଣିଷ ହୋଇ ଯାଆନ୍ତି ଯେମିତି।ଆଶ୍ଚର୍ଯ୍ୟ ଜନକ ଭାବେ ମୋ କାର୍ଯ୍ୟ କଳାପ ସବୁରି ମନରେ ଛାପ ପକାଏ।ବୟସ ତୁଳନାରେ ବୁଦ୍ଧି ଓ ପାଠ ସବୁରି ମନରେ ବିସ୍ମୟ ସୃଷ୍ଟି କରେ।ମାତ୍ର ସାତ ବର୍ଷ ବେଳକୁ ସପ୍ତମ ପାଠ ଶେଷ ହୋଇଯାଏ ମୋର।ବୁଝେ କି ନ ବୁଝେ ରାମାୟଣ, ମହାଭାରତ,ବୈଦେହୀଶ ବିଳାସ,ବିଦଗ୍ଧ ଚିନ୍ତା ମଣୀ, ତପସ୍ୱିନୀ ଠାରୁ ଆରମ୍ବ କରି କେତେ ଯେ ବହି ମୋ ମୁହଁରେ ରହିଗଲା ଲୋକେ କାବା ହେଲେ।

     ସମସ୍ତଙ୍କ ମୁହଁରେ ଗୋଟିଏ କଥା "ଅର୍ଘ୍ୟ" ଇଶ୍ୱରଙ୍କ ଅଶ୍ରୀର୍ବାଦ।ତା ଉପରେ ଈଶ୍ୱର କୃପାଦୃଷ୍ଟି ରଖିଛନ୍ତି।ଦେଖ କୁନି ଛୁଆଟି କଣ କଣ ମନେ ରଖୁଛି!!


     ମୁଁ ତ ମଣିଷ ଭାବି କଥା ହୁଏ ଦାଧିବାବନଙ୍କ ସହିତ।ମୁଁ ଯୁଆଡେ ଯାଏ ତାଙ୍କରି ନାଁ ମୋ ମୁହେଁ।ଶାରଳା ମନ୍ଦିର ହେଉ କି ଅନ୍ୟ ଯେ କୌଣସି ମନ୍ଦିରରେ ମୁଣ୍ଡିଆ ମାରିଲା ବେଳେ ହେ ପ୍ରଭୁ ଦଧିବାବନ ବୋଲି ମୁହଁରୁ ଆପେ ବାହାରି ଆସେ।ପିଲା ମନରେ ମା ରାଗୁଥିବେ;ତାଙ୍କ ମନ୍ଦିରକୁ ଆସି ଦଧି ବାବନଙ୍କ ନାଁ ନେଉଛି!!ଭୟ ବି ଲାଗେ,ରାଗିବା କାହାର ମୋ ଦେହରେ ଯାଏନି।

     ସେଇ ଭାଵ ଭାବନା ମୋ ଭିତରେ ଏପରି ରହିଲା ଯେ ମୋ ପ୍ରାଣର ଠାକୁର ବିନା ମୋର ଯେମିତି କିଛି ସତ୍ତା ନାହିଁ ଅନୁଭବ କଲି।ଆସ୍ତେ ଆସ୍ତେ ମୁଁ ସାଧାରଣ ଝିଅଙ୍କ ଠାରୁ ଅଲଗା ବାରି ହୋପଡିଲି।ପାଠଶାଠ ସବୁଥିରେ ଧୁରୀଣ।ମନ ଆତ୍ମା ବନ୍ଧା ତାଙ୍କରି ଠାରେ।କେହି ବି କୁହନ୍ତି "ମୀରା ବାଈ ହେବୁ କି ଅର୍ଘ୍ୟ!"


     ମୁଁ ଟିକେ ହସିଦିଏ।କାରଣ ତାଙ୍କ କଥା ମୋ ବୟସ ବୁଝିବା ବାହାରେ ଥିଲା। ହଠାତ୍ ନଅ ବର୍ଷ ବୟସରେ ମୋର ସାଙ୍ଘାତିକ ଦୁଃର୍ଘଟଣା ଟିଏ ହେଲା।ଦଉଡ଼ି ଆସୁଥିବା ବେଳେ ଟେକରଟିଏ ଦେହରେ ବାଡେଇ ହୋଇଗଲି।ପନ୍ଦର ଦିନ ଯାଏ ମୋ ଚେତା ଆସିଲା ନାହିଁ।ଫାଳେ ମୁଣ୍ଡ ଉଡିଯାଇଥିଲା।କିନ୍ତୁ ଆଶ୍ଚର୍ଯ୍ୟ ମୁଁ ବଂଚିଗଲି।ଯେଉଁଦିନ ରାତିରେ ମୋ ପ୍ରାଣର ଠାକୁର ଆସି ମୋ ପାଟିରେ ତାଙ୍କ ତୁଳସୀ ଦେଲେ।ସତରେ ତୁଳସୀ ଲାଗିଥିଲା ମୋ ପାଟିରେ ବୋଉ କୁହେ।


     ଚମତ୍କାର କହିଲେ ଡାକ୍ତର।କାରଣ ମେଡିକାଲ ସାଇନ୍ସ ଏତେ ବିସ୍ମୟ ନଥିଲା।କାହିଁକିନା ମୁଁ ଯେଉଁ ସମୟ କଥା କହୁଛି ତାହା ଆଜକୁ ପଇଁତିରିଶି ବର୍ଷ ତଳର କଥା।କିଏ ମୋତେ ବଞ୍ଚାଇଲା।ସେଇ ଅଦୃଶ୍ୟ ଈଶ୍ୱର ତ।ଏପରି ଦୁଃର୍ଘଟଣା ମୁହଁରୁ ବଞ୍ଚିବା ଚକିତ କଲା ସଭିଙ୍କୁ।କିନ୍ତୁ ମୋ ବୋଉ କୁହେ ମୋ ଭକ୍ତି ଆଉ ତା ଅତୁଟ ବିଶ୍ୱାସ ହିଁ ଈଶ୍ୱରଙ୍କ ଉପରେ ଏମିତି ଚମତ୍କାର କଲେ।ନଚେତ ମୋ ପରି ଶବ କଣ ବଞ୍ଚି ଉଠେ ପନ୍ଦର ଦିନ ପରେ!!!


     ବୋଉ ନାହିଁ;ଅଛି କିନ୍ତୁ ଏବେ ବି ସେଇ "ବିଶ୍ୱାସ" ମୋର ଈଶ୍ୱର ଉପରେ ମୋ ବୋଉ ପରି।ଜୀବନରେ ଚାଲୁ ଚାଲୁ ମୁଁ କେତେ ଝୁଣ୍ଟିଛି,କେତେ ପଡିଛି,ଗୋଡ଼ ହାତ,ମନ ହୃଦୟ ଭାଙ୍ଗିଛି।କିନ୍ତୁ ପିଲାଦିନ ପରି ସବୁଥିରୁ ଉତ୍ତୀର୍ଣ୍ଣ ହୋଇଛି ସେଇ ଈଶ୍ୱର "ବିଶ୍ୱାସ"ଟିକକ ପାଇଁ।


     ମୁଁ "ଅର୍ଘ୍ୟ "ସେଇ ବିଶ୍ୱାସର ଈଶ୍ୱର,ପରମେଶ୍ବରଙ୍କ ପାଇଁ ଜନ୍ମ ଜନ୍ମେ।ହେ ଈଶ୍ୱର ଅବିନଶ୍ୱର ତୁମେ । ଏମିତି ମୋ ଭିତରେ ଥାଏ ମୁଁ ଅର୍ଘ୍ୟରୁ ଶବ ହେବା ପର୍ଯ୍ୟନ୍ତ।

   


Rate this content
Log in