ବିଶ୍ୱାସ
ବିଶ୍ୱାସ
ରାବଣ ସ୍ୱର୍ଗକୁ ନିଶୁଣି ଗଢ଼ିବ ଗଢ଼ିବ ହୋଇ ମଲା,ପଛେ ସଫଳ ହୋଇ ପାରିଲା ନାହିଁ । ମୁଁ କିନ୍ତୁ ପାରିବି।ହେ ସୂର୍ଯ୍ୟ! ଅପେକ୍ଷା କର ମୁଁ ପହଂଚୁଛି ଅବିଳମ୍ବେ ତୁମ ପାଖେ।ହେ ଆକାଶ!ମୋର ଭାରି ଇଚ୍ଛା ଦେଖିବାକୁ ତୁମ ବୁକୁ ଚିରି,କେମିତି ସାଇତିଛ ଏତେ ତାରା, ମେଘ।କେଉଁ ତୁଳୀ ରେ ଆଙ୍କୁଛି ତୁମେ ଇନ୍ଦ୍ରଧନୁ।ଆଠଟି ଗ୍ରହରେ ଥାପିବାକୁ ଚାହୁଁଛି ମୋ ପାଦ।
ମୁଁ ସମ୍ଭବ,ଜାଣିଛ ମୋତେ! ମୋର ସାଙ୍ଗିଆ ନାହିଁ,ବାପମା ଥିବେ,କିନ୍ତୁ ଜାଣିନି । ଘର ମୋର ବସୁନ୍ଧରା ଅନାଥ ଆଶ୍ରମ । ଡଷ୍ଟବିନରୁ କୁକୁର ମୁହଁରୁ ଛଡାଇ ପୋଲିସ ମୋତେ ବଞ୍ଚାଇଛନ୍ତି । ମୁଁ କୁଆଡେ ଅବୈଧ ସନ୍ତାନ । କାହା ଉଚ୍ଚାଟପଣ, ଦେହ ଭୋକର ନମୁନା ।
ଦେଖାଅ କାନ ଗୋଟେ କଥା ଚୁପ୍ କି କହିବି।
ମୁଁ ମୁହଁ ଟାଣ କରି ଏତେ କଥା ସିନା କହୁଛି, ମୋ ଭିତର କିନ୍ତୁ ଭାରି ପୁଚ୍ ପୁଚ୍ । ଆକୁଳ ମୋ ଛାତି,ଖୋଜେ ଗୋଟିଏ ମା'ର ଉଷୁମ କୋଳ,ମିଠା ମିଠା ଚୁମା,ଗେଲ୍ହା ଡାକ,ଟିକେ ସେହ୍ନ,ଶ୍ରଦ୍ଧା, ଆଦର ଓ ଯତ୍ନ।ଖୋଜେ ବାପାର ଛାତି,କାନ୍ଧ,ଆଙ୍ଗୁଠି ଧରି ଚାଲିବାକୁ,ପିଠିରେ ଘୋଡା ହେବାକୁ।
ସ୍କୁଲରେ ମୋତେ ସମସ୍ତେ କଣେଇଁ ଚାହାଁନ୍ତି,ସତେକି ଗୋଟେ ବଡ଼ ଦାଗୀ! । କେହି କେହି ଆଃ ଚୁ ଚୁ ବି କରନ୍ତି।ମୁଁ ଘୃଣା କରେ କାହାର ଦୟା,ଅନୁଗ୍ରହ।
ବାଛୁରୀ ଜନ୍ମ ହେଉ ହେଉ ଠିଆ ହେବାକୁ ଚେଷ୍ଟା କରେ, ମୁଁ ଦେଖିଛି ଆମ ଆଶ୍ରମରେ।ମୁଁ ତ ଏବେ ଏଗାର ବର୍ଷର ହେଲେଣି।ମୋର କିଏ ଦରକାର କାହିଁକି?କାହିଁକି ଅପେକ୍ଷା ରଖିବି କାହାକୁ?ମୁଁ ନିଜେ ମୋ ଭାଗ୍ୟ ବିଧାତା ହେବି ।
କାମ, ପାଠ,ଚିତ୍ର,ବିଜ୍ଞାନ ପ୍ରକଳ୍ପରେ ମୁଁ ସବୁବେଳେ ସ୍କୁଲରେ ପ୍ରଥମ।ପିଠି ଥାପୁଡ଼େଇ ସାର୍ କୁହନ୍ତି"ସାବାସ୍!ସମ୍ଭବ,ଏମିତି ବଢିଚାଲ।ତୁମେ ଭବିଷ୍ୟତରେ ନିଶ୍ଚୟ ଜଣେ ମହାନ ବ୍ୟକ୍ତି ହେବ।କିଛି କରିବାକୁ ତୁମର ଜନ୍ମ । ଦେଖୁଛ ଏ ସାରା ଆକାଶଟି ତୁମର।ତୁମେ ଦେଖାଇଦିଅ ନିଜ ଇତିହାସ ନିଜେ କେମିତି ଲେଖୁଛି।ମନକୁ ଆୟତ୍ତ କର,ଏକାଗ୍ରତା ବଢା ଅ।ହାତ ମୁଠିରେ ସ୍ୱପ୍ନକୁ ମୁଠାଇ ଦୁର୍ବାର ଗତିରେ ବଢିଚାଲ।ଲକ୍ଷ୍ୟ ସ୍ଥିର ରଖି ଲୟ କର । ସଫଳତା ତୁମ ପାଦ ଚୁମିବ।ତୁମେ କେବଳ ତୁମର ପରିଚୟ ନୁହେଁ,ଦେଶ ଗର୍ବ କରିବ ତୁମକୁ ନେଇ।ସାରା ଦେଶର ହୋଇଯିବ ତୁମେ ପ୍ରସନ୍ତାନ"।
କରତାଳି ଓ ସମ୍ଭବ ସମ୍ଭବ ଶବ୍ଦରେ ଫାଟି ପଡୁଥିଲା ଷ୍ଟେଜ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ଭବକୁ ପ୍ରଦାନ କରୁଥିଲେ ଦୁଇ ହଜାର "କୁନି ବୈଜ୍ଞାନିକ" ପୁରସ୍କାର।
ସମ୍ଭବ ତା ସ୍ଵର୍ଣ୍ଣ ମେଡାଲକୁ ଚୁମାଟିଏ ଦେଇ କହିଲା ମୁଁ ଆକାଶକୁ ନିଶୁଣି କରି ପାରିବି ଏହା ମୋ ସାର୍ ଙ୍କ ଦୃଢ଼ ବିଶ୍ୱାସ ମୋ ଉପରେ।ମୋର ବାପା ମା ସାଙ୍ଗିଆ,କିଛି ନାହିଁ।କେବଳ ମୁଁ ଅଛି ମୋ ସହିତ ମୋ ବିଶ୍ୱାସ।ଉପଯୁକ୍ତ ପରିବେଶ,ପାଣି,ସୂର୍ଯ୍ୟା ଲୋକ,ସାର୍,ଔଷଧ ଓ ଟିକେ ଯତ୍ନ ଲୋଡ଼ା ମୋ ପାଇଁ। ସଂକଳ୍ପ କରୁଛି ସଫଳତା ଶିଡିର ଶେଷରେ ପହଛି ଆକାଶ ଛୁଇଁବି । ଏହା ମୋ ବିଶ୍ୱାସ ।