Madhumita Mishra

Others

4.3  

Madhumita Mishra

Others

ବିରାମ

ବିରାମ

18 mins
602


ବିରାମ…!!


ନିଜେ ଜାଣି ଯାଇଥିଲେ ମଧ୍ୟ ଉଦବିଗ୍ନତା ରହିଥାଏ ମନରେ..କେତେବେଳେ ଆସିବେ ସ୍ଵୟଂ? ଝରକା ଫାଙ୍କ ଦେଇ ଉତ୍କଣ୍ଠା ସହ ଅପେକ୍ଷା କରି ରହିଥାଏ ମିନୁ..


"ଆରେ ମା..! !ତୁ ସେତେବେକୁ ଏଇଠି ବସିଛୁ!!"ସ୍ନେହରେ ମୁଣ୍ଡ ଆଉଁସି ଦେଇ ପଚାରିଲେ ଶାଶୁ..


ଅଳ୍ପ ହସି ତାଙ୍କ କୋଳରେ ମୁଣ୍ଡ ଲୁଚେଇଦେଲା ମିନୁ..


ସ୍ଵୟମଙ୍କ ଗାଡ଼ି ଆସିବା ଶବ୍ଦ ଶୁଭିବାରୁ ଶାଶୁ ବୋହୂ ଉଭୟ ଆଗ୍ରହରେ ଦୋୖଡି ଆସିଲେ…


ହସି ହସି ସେପଟୁ ଆସୁଥିଲେ ସ୍ଵୟଂ..ହାତରେ ରିପୋର୍ଟ..ମା ଆଉ ସ୍ତ୍ରୀଙ୍କୁ ଦୁଇ ବାହୁରେ କୁଂଢ଼େଇ ଧରି କହିଲେ.."ପଜିଟିଭ୍.."


ଲାଜରେ ମୁଁହ ଉପରେ ହାତ ରଖି ମିନୁ ଟିକେ ପାଖକୁ ଚାଲିଗଲା..ଶାଶୁ ତା କପାଳ ଉପରେ ଚୁମା ଦେଇ କହିଲେ


"ଆଜି ମୁଁ ବହୁତ୍ ଖୁସି ମା..!! ଏତେ ଦିନ ଧରି ଆଜିର ଦିନକୁ ଅପେକ୍ଷା କରିଥିଲି। ତୁ ମୋତେ ଆଜି ଜୀବନର ସବୁଠୁ ବଡ଼ ଉପହାର ଦେଇଛୁ..ସବୁବେଳେ ଖୁସିରେ ରହ..!!"


ଆନନ୍ଦ ମନରେ ଠାକୁର ଘରେ ଦୀପ ଲଗେଇବା ପାଇଁ ସେ ଚାଲି ଯାଇଥିଲେ..


ପଛରୁ ଆସି ଭିଡ଼ି ଧରିଲେ ସ୍ଵୟଂ.."ମିନୁ..ଥ୍ୟାଙ୍କ ୟୁ.. ଭାବି ମାମା.."କହି ମିନୁ କାନ୍ଧରେ ନିଜ ସନ୍ତୋଷ ଚିହ୍ନ ଟି ଦେଲେ..


"ୱେଲକମ..ଭାବି ପାପା.."ଚୁପି ଚୁପି କହିଲା ମିନୁ…!!


ଶାଶୂଙ୍କ ମନ କୁଣ୍ଢେମୋଟ..ଜଣ ଜଣ କରି ସମସ୍ତଙ୍କୁ ଏ ଖୁସି ଖବର ଦେଇ ଚାଲିଛନ୍ତି ସେ। ସ୍ବାମୀ ଚାଲିଯିବା ପରେ ସବୁ ଦୁଃଖ କଷ୍ଟ ସହି ସେ ଏକାକୀ ବଡ଼ କରିଛନ୍ତି ସ୍ଵୟଂ କୁ..ଅବଶ୍ୟ ସେ ନିଜେ ଜଣେ ଶିକ୍ଷୟିତ୍ରୀ ହୋଇଥିବାରୁ ବ୍ୟସ୍ତତା କିମ୍ବା ଅର୍ଥ ଅଭାବ ହୋଇନି କେବେ..କିନ୍ତୁ ପିତା ବିନା ସନ୍ତାନ କେତେ ଏକା ହୁଏ ତାହା ସେ ଅନୁଭବ କରିଛନ୍ତି ସବୁବେଳେ।ସ୍ଵୟଂ କିନ୍ତୁ ଯଥାସାଧ୍ୟ ସବୁବେଳେ ଚେଷ୍ଟା କରନ୍ତି..କିପରି ନିଜ ମା ଙ୍କୁ ଦୁନିଆର ସବୁ ଖୁସି ଦେଇ ପାରିବେ।ଆଉ ଏ କ୍ଷେତ୍ରରେ ମିନୁ ଆସିଯିବା ପରେ ସେ ସମ୍ପୂର୍ଣ୍ଣ ଆଶ୍ଵସ୍ଥ ହୋଇ ଯାଇଛନ୍ତି..


ଘରେ ପୁରା ହସଖୁସିରେ ପ୍ରତି କ୍ଷଣ ବିତି ସାରିଥିଲା..ମିନୁର ମା ବାପା ଏ ଖୁସିରେ ନିଜକୁ ସାମିଲ କରିବା ପାଇଁ ଆସି ପହଞ୍ଚି ଯାଇଥିଲେ।

" ବୁଝିଲ ସମୁଦୁଣୀ..ଝିଅକୁ କିନ୍ତୁ ମୁଁ ପାଞ୍ଚ ମାସ ପରେ ନେଇଯିବି। ମୋ ନାତି/ନାତୁଣୀ ମୋ ଘରେ ଆସିବ।"ହସି ହସି କହିଲେ ମିନୁର ମା..


"ଆରେ ନା..ନା..ମୁଁ ଏତେ ବର୍ଷ ଧରି ଏହି ଦିନକୁ ଅନେଇ ବସିଛି ସମୁଦୁଣୀ..ଆମ ମିନୁ ପାଇଁ ଏଇଠି ମୁଁ ସବୁ ବ୍ୟବସ୍ଥା କରିଦେବି। ତୁମେ ବରଂ କିଛି ଦିନ ଆସି ଏଇଠି ଆମ ଘରେ ରହିବ। ଆଉ ନିଜ ଝିଅର ଯତ୍ନ ମଧ୍ୟ ନେଇ ପାରିବ.."ଶାଶୁ ଜଣେଇ ଦେଲେ।


"ତା ହେଲେ ମୋ ଟ୍ରାନସଫର କରେଇ ଦେଉଛି । କାରଣ ଶ୍ରୀମତୀ ଆଉ ଝିଅକୁ ଛାଡ଼ି ଯିବେ ବୋଲି ମୋତେ ଲାଗୁନି।"..ମିନୁ ବାପାଙ୍କ ଏ କଥା ଶୁଣି ସମସ୍ତେ ହସି ଉଠିଲେ।


ଆଗାମୀ ଆଗନ୍ତୁକ ପାଇଁ କେତେ ସ୍ବପ୍ନ..କେତେ ଯେ ସତର୍କତା..!!


"ମିନୁ.. ମନେ ରଖିବୁ ମା..ଗୋଟିଏ ସନ୍ତାନର ସବୁଠାରୁ ବଡ଼ ସୁରକ୍ଷିତ ସ୍ଥାନ ହେଲା ତା ମା ର ଜଠର। ମା କୋଳ ହିଁ ଏକମାତ୍ର ସ୍ଥାନ ଯେଉଁଠି ସେ ଚିନ୍ତାଶୁନ୍ୟ ହୋଇ ରହିଥାଏ। ମାତୃତ୍ଵ କେବଳ ଏକ ବରଦାନ ନୁହଁ ଏକ ତପସ୍ୟା ମଧ୍ୟ ମା..ଏହି ସମୟରେ ମା କରିଥିବା ପ୍ରତ୍ୟେକ କାର୍ଯ୍ୟ ଓ ଚିନ୍ତାଧାରା ଛୁଆ ଉପରେ ସିଧା ପ୍ରଭାବ ପକେଇ ଥାଏ..ବୁଝିଲୁ ତ?" ଶାଶୁ ବୁଝେଇ କହିଲେ..


"ତା ହେଲେ ମୁଁ କଣ କରିବା ଉଚିତ୍ ମା?" ମିନୁ ପଚାରିଲା..


" ପ୍ରତି ସମୟରେ ଈଶ୍ୱରଙ୍କ ଧ୍ୟାନ କରିବୁ। ଆଉ ମନକୁ ସବୁବେଳେ ପ୍ରଫୁଲ୍ଲ ରଖିବୁ। ସବୁବେଳେ ଭଲ ଭାବନା ଆଣିବା ପାଇଁ ଭଲ ବହି ପଢ଼ିବୁ ଆଉ ଭଲ ଭଲ ପ୍ରୋଗ୍ରାମ ଟିଭି ରେ ଦେଖିବୁ ମା..ଖାଦ୍ୟ ସହିତ ଯଦି ଉଚିତ ମନୋଭାବ ରହିବ ତା ହେଲେ ଆମ ଭବିଷ୍ୟତ ବଂଶଧର ମାନସିକ ଓ ଶାରିରୀକ ସୁସ୍ଥତା ପାଇବ.."ଏମିତି କେତେ କଣ ବୁଝାନ୍ତି ଶାଶୁ। ଆଉ ମା ମଧ୍ୟ ମିନୁକୁ ଅନେକ କିଛି ଶିଖାଇ ଦିଏ। ମିନୁ ନିଜକୁ ବହୁତ ଦାୟିତ୍ବବାନ ମନେ କରିବାକୁ ଆରମ୍ଭ କରି ସାରିଥିଲା..!!


"ସରପ୍ରାଇଜ…"ଚିଲ୍ଲେଇ ସ୍ଵୟଂ ରୁମର ଦରଜା ଖୋଲି ଦେଇଥିଲେ..!!ବାଃ..!!ଭଳିକି ଭଳି ସୁନ୍ଦର ହସମୁଖ ଆଉ ଖେଳୁଥିବା ସଦ୍ୟଜାତ ଶିଶୁଙ୍କ ପୋଷ୍ଟର ରେ ସାରା ଘର ପୁରି ଉଠିଥିଲା..ସବୁବେଳେ ଏମିତି ସୁନ୍ଦର ଶିଶୁ ଦେଖିଲେ ତାଙ୍କ ସନ୍ତାନ ମଧ୍ୟ ସୁନ୍ଦର ଆଉ ସୁସ୍ଥ ହେବ ଏହି କାମନା କରି ସ୍ଵୟଂ ପୁରା ଘରକୁ ଅତି ସୁନ୍ଦର୍ କରି ସଜେଇ ଦେଲେ..


ଚତୁର୍ଦ୍ଦିଗ ଖାଲି ଉତ୍ସାହର ଗାଥା ଗାଇବା ଆରମ୍ଭ କଲା। ଆଉ ମିନୁ..!!ନିଜ ଉପରେ ଥିବା ଏହି ଗୁରୁ ଦାୟିତ୍ଵ ସୁଚାରୁ ରୂପେ ତୁଲେଇବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲା। ତା ଖାଇବା ପିଇବା ଆଉ ଚାଲି ଚଳଣୀ ସବୁ ଧିରେ ଧିରେ ବଦଳିବା ଆରମ୍ଭ କଲେ..ଭବିଷ୍ୟ କୁ ବର୍ତ୍ତମାନ ସେ ଧାରଣ କରିଛି। ତା ଠାରୁ ଆଉ କଣ ବା ଗୁରୁତ୍ୱପୂର୍ଣ୍ଣ ହୋଇପାରେ ତା ପାଇଁ..!!??ଆଉ କଣ ବା ଏ ଦୁନିଆରେ ଆଉ କାହା ପାଇଁ ୟା ଠାରୁ ବେଶୀ ମହତ୍ତ୍ଵ ବହନ କରିପାରେ..! ଏକ ନୂଆ ନିଃଶ୍ୱାସ ଏକ ନୂତନ ବିଶ୍ୱାସ ସହିତ ତା ଭିତରେ ନିଜ ଉପସ୍ଥିତି ଅନୁଭବ କରାଉଥିଲା..!!ପ୍ରତି ମୁହୂର୍ତ୍ତରେ..ଶୟନେ ସ୍ୱପ୍ନେ ଜାଗରଣରେ ନିଜ ଶରୀର ଆଉ ମନ ସହ ଆଉ ଗୋଟିଏ ଜୀବନ ଯୋଡ଼ି ହୋଇ ଯାଇଥିଲା..ଅଦ୍ଭୁତ..ଅବର୍ଣ୍ଣନୀୟ ନୈସର୍ଗିକ ଥିଲା ଏ ଦିବ୍ୟ ଅନୁଭବ..!!ଦୁନିଆର ସବୁଠୁ ସ୍ନିଗ୍ଧ..ସବୁଠୁ କମନୀୟ..ସବୁଠୁ କାଳ୍ପନିକ ସତ୍ୟ..ମିନୁ ନିଜ ସହ ଧାରଣ କରିବା ସୌଭାଗ୍ୟ ଲାଭ କରିଥିଲା…


ଇଚ୍ଛା ନ ଥିଲେ ମଧ୍ୟ ସକାଳୁ ବ୍ରେକଫାଷ୍ଟ୍ ସହିତ ଫଳ ଖାଇବାକୁ ହେଉଥିଲା।କ୍ଷୀର ପିଇବାକୁ ପଡୁଥିଲା।ଅବଶ୍ୟ ଆମିଷ ସେ ପିଲାଦିନରୁ ଭଲ ପାଏ।ତଥାପି ବହୁତ୍ ବାସ୍ନା ଆଗ ପରି ଭଲ ଲାଗୁ ନ ଥିଲା।ପ୍ରଥମ ଦିନରୁ ହିଁ ଶାଶୁ କହି ଦେଇଥିଲେ..ସେ ଯେମିତି ଧୀରେ ଚଲାବୁଲା କରିବ।ମିନୁ ଯେମିତି ଅନ୍ୟାନ୍ୟ ଘର କାମରେ ବ୍ୟସ୍ତ ନ ହୁଏ ସେଥିପାଇଁ ସ୍ଵୟଂ ଘରର ସହାୟକ ମାନଙ୍କୁ ଉପଯୁକ୍ତ ନିର୍ଦେଶ ଦେଇ ଦେଇଥିଲେ।


ତିନି ମାସ ବିତିଗଲା..ଡାକ୍ତର କହିଛନ୍ତି..ଏଥର ଅଲଟ୍ରାସାଉଣ୍ଡ କରିବେ।ଛୁଆର ପ୍ରଥମ ଫୋଟ ନିଜ ଆଖିରେ ଦେଖିବା ସୁଯୋଗ କିଏ ବା ଛାଡ଼ି ପାରିବ..!!??ଏଇ ଦିନକୁ କେତେ ଯେ ପ୍ରତୀକ୍ଷା..!!


ସକାଳୁ ଉଠି ବ୍ୟସ୍ତ କରି ଚାଲିଛନ୍ତି ସ୍ଵୟଂ..


"ମା..ଆଜି ଜଲଦି ବ୍ରେକଫାଷ୍ଟ ଦିଅ..ଆମେ ବାହାରିଯିବୁ.."କହି ଡାଇନିଂ ରେ ବସିଗଲେ ସେ।


"ହଉ ହଉ ଜାଣିଛି..ତୋ ଛୁଆକୁ ଦେଖିବାକୁ ତୋ ମନ ଉଡି ଉଡି ଚାଲି ଯାଉଛି ନାହିଁ..!!??" ହସି ହସି ଶାଶୁ ଜଳଖିଆ ଖୁଆଇ ଦେଲେ..ପ୍ରାୟ ମିନୁକୁ ସେ ନିଜ ହାତରେ ଖୁଏଇ ଦିଅନ୍ତି ସକାଳେ।ସେ କହନ୍ତି ଏମିତି କଲେ ତାଙ୍କୁ ଲାଗେ ସେ ଯେମିତି ନିଜ ନାତି/ନାତୁଣୀ କୁ ଖୁଏଇ ଦେଉଛନ୍ତି..ମିନୁ ମଧ୍ୟ ସେଥିପାଇଁ ମନା କରେନି।


ଦୁହେଁ ଅପେକ୍ଷା କରି ବସିଥାନ୍ତି କ୍ଲିନିକ୍ ରେ..


"ମାନ୍ୟତା ମହାପାତ୍ର.."ଡାକିଲେ ନର୍ସ..ଆଉ ହାତ ଧରି ମିନୁକୁ ଚ୍ୟାମ୍ବର ଭିତରକୁ ନେଇଗଲେ ସ୍ଵୟଂ..


ପେଟରେ ଜେଲ୍ ଲଗେଇ ଦେଇ ଡକ୍ଟର ଅଲଟ୍ରାସାଉଣ୍ଡ ଆରମ୍ଭ କଲେ..କମ୍ପ୍ୟୁଟର ସ୍କ୍ରିନ ଉପରେ ପ୍ରଥମ ଥର ପାଇଁ ଦୁହେଁ ଦେଖିଲେ..ଅତି କ୍ଷୁଦ୍ର ରୂପରେ କିନ୍ତୁ ସ୍ପଷ୍ଟ ଦେଖାଯାଉଥିବା ନିଜ ଭବିଷ୍ୟତକୁ।ଖୁସିରେ ଟୋପେ ଲୁହ ଝରି ଯାଇଥିଲା ମିନୁ ଆଖିରୁ..!!ଭଲ ପାଇବା କେବେ ଦେଖେଇ ହୁଏନି।କିନ୍ତୁ ଏ ପରଦା ଉପରେ ସେ ନିଜ ଭଲପାଇବାକୁ ଦେଖେଇ ପାରୁଛି ଆଉ ସ୍ଵୟଂ..!!ନିଜ ଗରମ୍ ଗରମ୍ ହାତ ପାପୁଲିରେ ମିନୁର କୋମଳ ହାତ ଧରି ଆଖିରେ ଆଖିରେ କହୁଥିଲେ.."ଧନ୍ୟବାଦ୍.."!!ଜୀବନର ଏହି ମୁହୂର୍ତ୍ତ କେତେ ଖାସ୍ ନା !! ଜଣେ ନାରୀ ମାତୃତ୍ଵ ପ୍ରାପ୍ତି ସହିତ ପୂର୍ଣ୍ଣତା ପାଇଥାଏ।ସବୁଠୁ ମହତ୍ତ୍ବପୂର୍ଣ୍ଣ ହୁଏ ଏହି ସମୟ ଯେତେବେଳେ ସେ ନିଜ ଗର୍ଭାଶୟରେ ଦୁନିଆର ସବୁଠୁ ବଡ଼ ଅମୂଲ୍ୟ ରତ୍ନ ଧାରଣ କରିଥାଏ..ଏକ ଶାମୁକା ପରି..ମୁକ୍ତା ସମ୍ଭାଳି ରଖିଥାଏ..!!


ଡକ୍ଟର ଔଷଧରେ କିଛି ପରିବର୍ତ୍ତନ କରି ଘରେ କିମ୍ବା ବଗିଚାରେ ଅଳ୍ପ ଚଲା ବୁଲା କରିବାକୁ କହିଲେ। ଆଉ ପ୍ରତି ମାସରେ ଆସି ଚେକ୍ ଅପ୍ କରିବାକୁ ନିର୍ଦେଶ ଦେଲେ..ମିନୁ ସେ କହିବା ମୁତାବକ ନିଜ ଯତ୍ନ ନେଉଥିଲା।


ସୁନ୍ଦର ଶିକ୍ଷଣୀୟ ଗପ ପଢ଼ୁଥିଲା..ମନ ପସନ୍ଦର ଗୀତ ଶୁଣୁଥିଲା..ଆଉ ସବୁବେଳେ ଏକ ଶାନ୍ତ ପ୍ରସନ୍ନ ଚିତ୍ତରେ ଆସନ୍ତା ସମୟକୁ ଜଗି ବସିଥିଲା।


ତା ଶାଶୁ ମଧ୍ୟ ଏଥର ନିଜ କାର୍ଯ୍ୟକ୍ଷେତ୍ରରୁ ବିରାମ ଚାହୁଁଥିଲେ।ସ୍ଵୟଂ କେତେଥର କହିଛି ପୂର୍ବରୁ..କିନ୍ତୁ ସେ ହିଁ ପିଲାମାନଙ୍କୁ ଶିକ୍ଷାଦାନ ଦେଇ ଶାନ୍ତି ପାଉଥିଲେ।ତେଣୁ ଚାକିରୀ ଛାଡ଼ି ନ ଥିଲେ।କିନ୍ତୁ ବର୍ତ୍ତମାନ ତାଙ୍କ ଉତ୍ତର ଦାୟଦ ଆସିବାକୁ ଯାଉଛି।ତାଙ୍କ ସବୁ ଶିକ୍ଷା ଦୀକ୍ଷା ସେ ଏଥର କେବଳ ତାକୁ ହିଁ ଦେବେ।ସ୍କୁଲରେ ଏକଥା ସେ ଜଣେଇ ସାରିଛନ୍ତି।କିନ୍ତୁ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଅନୁରୋଧ କରିଛନ୍ତି ଏମିତି ଅଧାରୁ ନ ଯାଇ ବାର୍ଷିକ ପରୀକ୍ଷା ଯାଏଁ ଅପେକ୍ଷା କରିବାକୁ।ଏମିତିରେ ମିନୁର ଡେଲିଭରି ଡେଟ୍ ଏପ୍ରିଲ୍ ମାସରେ ଥିବାରୁ ସେ ମଧ୍ୟ ଏ କଥାରେ ରାଜି ହୋଇଯାଇଛନ୍ତି..!!


 ଦିନ ପରେ ଦିନ ବଢିବା ସହିତ ମିନୁର ଶାରୀରିକ ପରିବର୍ତ୍ତନ ହେଉଥିଲା।ଆଉ ମାନସିକ ପରିବର୍ତ୍ତନ ମଧ୍ୟ..ଅସ୍ଥିରତା ବଢୁଥିଲା କିନ୍ତୁ ସମସ୍ତଙ୍କ ସହଯୋଗ ଯୋଗୁଁ ସେ ବହୁତ ଖୁସି ଅନୁଭବ କରୁଥିଲା।ଏଥର ଧିରେ ଧିରେ ସେ ନିଜ ଉଦର ଭିତରେ ହେଉଥିବା ହଲଚଲ ଅନୁଭବ କରି ପାରୁଥିଲା।ଆଉ ଯେତେବେଳେ ସ୍ଵୟଂ ଜିଦ୍ କରୁଥିଲେ ଟିକେ ତାଙ୍କୁ ମଧ୍ୟ ଅନୁଭବ କରେଇ ଦେବାକୁ..ସେତେବେଳେ ତା ସନ୍ତାନ ଯେମିତି ଖେଳୁଥିଲା ଆଉ ଚୁପ୍ ଶୋଇ ପଡୁଥିଲା..!!


"ରୂପ.."କହିଲେ ସ୍ଵୟଂ.." ମା..ଆମ ଛୁଆକୁ ଆମେ ରୂପ ବୋଲି ଡାକିବା।ଯଦି ପୁଅ ହେଲା ତାହେଲେ ରୁପମ୍ ନାଁ ଦେଇଦେବା ଆଉ ଝିଅ ହେଲେ..'


"ରୂପାଲି..!!"କଥା ଅଧାରୁ ରଖି ଶାଶୁ କହିଲେ…


"ଠିକ୍ ଠିକ୍.."ଖୁସିରେ କହି ଉଠିଲେ ସ୍ଵୟଂ.."ତୁମେ କେମିତି ସେଇ ନାଁ ବାଛିଲ ମା..!! ଯାହା ମୁଁ ଭାବିଥିଲି..!!??"


"ସ୍ପେଶଲ୍ ଟ୍ୟାଲେଣ୍ଟ " କହିଲେ ଶାଶୁ ଆଉ ତିନିଜଣ ହସି ଉଠିଲେ ଏକ ସାଙ୍ଗରେ..ଆଉ ତା ପରଠୁ ରୂପ ନାଁ ସମସ୍ତଙ୍କ ପାଟିରେ ସବୁବେଳେ ଶୁଣିବାକୁ ମିଳିଲା…!!


 ସାତ ମାସ ହେବା ସହ ଦ୍ଵିତୀୟ ଥର ସ୍ଵୟଂ ଆଉ ମିନୁ ଅଲଟ୍ରାସାଉଣ୍ଡ ପାଇଁ ଡାକ୍ତର ପାଖକୁ ଆସିଥିଲେ।ଏଥର ସ୍ପଷ୍ଟ ସେମାନେ ଦେଖି ପାରୁଥିଲେ..


ଦୁଇ ହାତ ଗୋଡ଼ ଜଣେ ଯୋଗସିଦ୍ଧ ପୁରୁଷଙ୍କ ପରି ଧ୍ୟାନ ମୁଦ୍ରାରେ ରଖି ମୁଣ୍ଡ ସାମାନ୍ୟ ତଳକୁ କରି ସମ୍ପୂର୍ଣ୍ଣ ଆକାର ଧାରଣ କରି ସାରିଥିଲା ତାଙ୍କ ଭବିଷ୍ୟତ..ରୂପ..।ଓଃ..କି ମନମୁଗ୍ଧକର ଦୃଶ୍ୟ..!!ଏତେ ଛୋଟ ଛୋଟ ଅବୟବ ସବୁ ଏକ ସୁନ୍ଦର ଚଳନ୍ତି ଚିତ୍ରଟିଏ ପରି ଦେଖା ଯାଉଥିଲା। ସେମାନଙ୍କ ବାସ୍ତବ ସ୍ବପ୍ନ ଧୀରେ ଧୀରେ ଅବିରାମ ଗତିରେ ଚଳ ପ୍ରଚଳ ହେଉଥିଲା..!! ଏ ସମୟର ସେ ଅପୂର୍ବ ଅନୁଭବ ବର୍ଣ୍ଣନା କରିବା ହୁଏତ କୌଣସି ଶବ୍ଦକୋଷ ପାଖରେ ସମ୍ଭବ ନୁହେଁ..ସ୍ଵୟଂ ଆହୁରି ଟିକେ ପାଖକୁ ଆସି ଯାଇଥିଲେ ..ଆଉ ମିନୁ..ଏକଦମ୍ ଛୁଇଁ ଦେଇଥିଲା କମ୍ପ୍ୟୁଟର ସ୍କ୍ରିନ କୁ..!!


"ରୂପ.."ଦୁଇ ଜଣ ଏକ ସାଙ୍ଗରେ କହି ଉଠିଲେ।


ସବୁକିଛି ନର୍ମାଲ ଥିଲା।ଚିନ୍ତାର କୌଣସି ବିଷୟ ନ ଥିଲା।ମନ ଖୁସିରେ ଦୁହେଁ ଘରକୁ ଆସି ଯାଇଥିଲେ।ଏଥର ରୂପ ଯେତେବେଳେ ନିଜ ଅବସ୍ଥିତି ର ସଂକେତ ଦିଏ..!!ସ୍ଵୟଂ ମଧ୍ୟ ତାକୁ ଅନୁଭବ କରି ପାରୁଥିଲେ।ଆଉ ଅଫିସ ରୁ ଆସିବା ପରେ ନିୟମିତ ସେ ଅନେକ ସମୟ ଧରି ଖେଳିବାକୁ ଚେଷ୍ଟା କରୁଥିଲେ ରୂପ ସହିତ..!!ରୂପ ମଧ୍ୟ ମିନୁ ପେଟ ଭିତରେ ଏପଟ ସେପଟ ହୋଇ ସତେ ଯେମିତି ସେମାନଙ୍କ ସହିତ ଖେଳି ଚାଲିଥିଲା..


ରାତିରେ ଭାରି ଅସହଜ ଲାଗୁଥାଏ ମିନୁକୁ।କେଉଁ ଦିନ ନିଦ ହୋଇଯାଉଥିଲା ତ ଆଉ କେବେ ଜମାରୁ ନିଦ ଲାଗୁ ନ ଥିଲା।ଆଉ ସେଦିନ ନିଦ ଭାଙ୍ଗି ଯାଇଥିଲା ଅଧା ରାତିରେ..!!


ବିଛଣାରେ ସ୍ଵୟଂକୁ ପାଇ ନ ଥିଲା ସେ।ବାଥରୁମ୍ ଦ୍ଵାର ମଧ୍ୟ ଖୋଲା ଥିଲା।ତେବେ କୁଆଡେ ଗଲେ ସ୍ଵୟଂ..!!??ଆସ୍ତେ କରି ଉଠି ସ୍ଲିପର ପିନ୍ଧିଲା ଓ ରୁମ୍ ବାହାରକୁ ଆସିଲା।ଚାରିଆଡ଼େ ଦେଖିବା ପରେ ପଢ଼ାଘରୁ କିଛି ଆଲୁଅ ଆସୁଥିବାର ଦେଖିଲା..


ଏତେ ରାତିରେ ସ୍ଵୟଂ ପଢା ଘରେ କଣ କରୁଛନ୍ତି??ଅବଶ୍ୟ ଶାଶୁ ବେଳେବେଳେ ପରୀକ୍ଷା ଖାତା କିମ୍ବା ଅନ୍ୟ କିଛି ଲେଖାଲେଖି ଥିଲେ ପଢା ଘରେ ରାତିରେ ବସନ୍ତି..କିନ୍ତୁ ଆଜି ତ ଆସିବା ବେଳେ ସେ ଦେଖି ଆସିଛି ଶାଶୁ ତାଙ୍କ ରୁମରେ ଶୋଇଛନ୍ତି..ତେବେ ସ୍ଵୟଂ..!!??


ଅନେକ କିଛି ଭାବନା ସାଙ୍ଗରେ ନେଇ ଅନୁସନ୍ଧିତ୍ସୁ ମିନୁ ପଢା ଘର ଝରକା ଦେଇ ଭିତରକୁ ଝାଙ୍କିଲା..!!ନିଜ ଆଖିକୁ ବିଶ୍ୱାସ କରି ପାରିଲାନି..!! ଏ କଣ କରୁଛନ୍ତି ସ୍ଵୟ..!!??ଏତେ ରାତିରେ ଏସବୁ କଣ କରୁଛନ୍ତି..!!??ମୁଣ୍ଡରେ କିଛି ପଶୁ ନ ଥାଏ..ହଠାତ୍ କଣ ଭାବି ଦରଜା ଖୋଲି ଦେଲା ମିନୁ..


ତାକୁ ଦେଖି ଚମକି ଉଠିଲେ ସ୍ଵୟଂ..!!ଦୁହେଁ ଦୁହିଁଙ୍କୁ ଅବାକ୍ ହୋଇ ଚାହିଁ ରହିଥାନ୍ତି…!!


ଏକ କପଡା ବଣ୍ଡଲ ପେଟରେ ଶକ୍ତ ଭାବରେ ଗୁଡେଇ ଦେଇ ସ୍ଵୟଂ ରୁମ୍ ଭିତରେ ଏପଟ ସେପଟ ହେଉଥିଲେ।ଦେଖା ଯାଉଥିଲେ ଠିକ୍ ମିନୁ ପରି..!!ମିନୁକୁ ସାମ୍ନାରେ ଦେଖି ଚମକି ପଡି ଥିଲେ..


"ଏ କଣ କରୁଛ ଏତେ ରାତିରେ..!!??"ମିନୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା..


"ରୂପ କୁ ଧରି ତୁମେ କେମିତି ଅନୁଭବ କରୁଥିବ ସେକଥା ଭାବିଲା ବେଳେ ମୁଣ୍ଡ ଖରାପ୍ ହୋଇଯାଉଛି।ତମ କଷ୍ଟ କେତେ ତାହା ଟିକେ ଦେଖୁଥିଲି..ହେଲେ ସତରେ ୟାର..!!ବେବୀ କ୍ୟାରି କରିବା ଏତେ କଷ୍ଟ…!!"ମୁଣ୍ଡ କୁଣ୍ଡେଇ କହୁଥିଲେ ସ୍ଵୟଂ..


ଅଳ୍ପ ହସି ମିନୁ କହିଲା.." ହେଲେ ତୁମେ ଏମିତି ରାତି ଅଧରେ ପ୍ରେଗନାଂଟ ହେବା ଅନୁଭବ କରୁଥିଲ ନାହିଁ..??"


" ଓହୋ..!!ସତରେ..ଅଧ ଘଣ୍ଟା ଏମିତି ରହିଛି ଏତେ କଷ୍ଟ ଲାଗୁଛି ଆଉ ତୁମେ ଦିନରାତି ସବୁବେଳେ ଏତେ କଷ୍ଟ କରୁଛ ମିନୁ..!!


ଏମିତି ଏକ ସମବେଦନା ପୂର୍ଣ୍ଣ ହୃଦୟବାନ ଜୀବନ ସାଥୀ ପାଇ ନିଜକୁ ଭାଗ୍ୟଶାଳୀ ମନେ କରୁଥିଲା ମିନୁ..ସ୍ଵାମୀଙ୍କ ହାତ ଧରି ଉତ୍ତର ଦେଲା…


"ଏହା କଷ୍ଟ ନୁହେଁ ସ୍ଵୟଂ..ବରଂ ଏହା ଏପରି ଏକ ତପସ୍ୟା ଯାହା ଜଣେ ନାରୀକୁ ମା ହେବାକୁ ଯୋଗ୍ୟ କରେ।ମୁଁ ମଧ୍ୟ ପ୍ରଥମେ ଏ କଥାକୁ ବୁଝି ପାରୁ ନ ଥିଲି।କିନ୍ତୁ ରୂପ ଦିନକୁ ଦିନ ମୋ ଅସ୍ତିତ୍ଵର.. ମୋ ଜୀବନର ..ମୋ ସ୍ବପ୍ନ ବାସ୍ତବତା ର.ସବୁକିଛିର ଏକ ଅଭେଦ୍ୟ ଅଙ୍ଗ ହୋଇ ସାରିଛି।ରୂପ ଜନ୍ମ ନେବା ଆଗରୁ ମୋତେ ଏକ ମା କରି ନୂଆ ଜନ୍ମ ଦେଇ ସାରିଛି।ମୁଁ କହି ପାରୁନି ମୋତେ କେମିତି ଅନୁଭୂତି ହେଉଛି..!!କିନ୍ତୁ ସତରେ...ଆମ ସନ୍ତାନ ମୋ ଜନ୍ମ କୁ ସାର୍ଥକ କରୁଛି ସ୍ଵୟଂ..!!"


ରାତ୍ରି ବଢି ଚାଲିଥିଲା..ଆଉ ସ୍ଵୟଂ ଏବଂ ମିନୁ ଏକ ଅପୂର୍ବ ଆନନ୍ଦରେ ହଜି ଯାଇଥିଲେ..!!


ଏକ ଅଜଣା ଭୟ ସଂଚାର ହୋଇ ସାରିଛି..କେଜାଣି କୁଆଡୁ ଏକ ହତ୍ୟାକାରୀ ମାନବତାର ଧ୍ଵଂସ ସମାଚାର ନେଇ ଚୀନ ରେ ପ୍ରବେଶ କରିଛି..!!?? ନିଉଜ ଚ୍ୟାନେଲ ସବୁରେ କେବଳ ସେଇ ଗୋଟିଏ କଥା..!! କୋଭିଡ 2019..!!?? କରୋନା..!!?? ଜୀବନ ବିପନ୍ନ ହୋଇଗଲାଣି।ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି।ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏତେ ଆଧୁନିକ ସୁବିଧା ଥାଇ ମଧ୍ୟ କେହି ଏ ରୋଗର କାରଣ କି ନିବାରଣ କହି ପାରୁ ନାହାନ୍ତି..!!??କେଜାଣି କିପରି ଏ ଆହ୍ୱାନର ମୁକାବିଲା କରି ହେବ..!! କିଏ ଜାଣେ ଏକଥା..!!?? ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି ଏ ଭୁତାଣୁ..!! ସାରା ଦୁନିଆ ଏହାର କରାଳ ଗ୍ରାସରୁ ନିଜକୁ ବଞ୍ଚେଇବାର ରାସ୍ତା ଖୋଜି ପାଉନି..!!ସତରେ କଣ ଏମିତି ସମସ୍ତେ କିଙ୍କର୍ତ୍ତବ୍ୟବିମୁଢ଼ ହୋଇ ହାତ ଯୋଡ଼ି ଠିଆ ମୁଣ୍ଡ ନୁଆଇଁ ଦେବ ଏ ବେମାରୀ ପାଖରେ..!!??


ଚାରିଆଡ଼େ କେମିତି ଏକ ହା ହତାଶ ଭାବ।ଏକ କୋକୁଆ ଭୟ..!!ଧୀରେ ଧୀରେ ସୀମା ସରହଦ ଲଂଘନ କରି ମାଡି ଚାଲିଛି ଦେଶରୁ ଦେଶକୁ..!!ଗୋଟି ଗୋଟି କରି ସମ୍ପୂର୍ଣ୍ଣ ମାନବ ଜାତି ସଂକ୍ରମିତ ହୋଇ ଚାଲିଛି ଏହାର କବଳରେ..!!


ଗୋଟି ଗୋଟି କରି ପ୍ରଭାବିତ ହୋଇ ଯାଉଛି ପ୍ରତ୍ୟେକ ବ୍ୟବସାୟ..ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ହେବାକୁ ଆରମ୍ଭ ହୋଇଗଲାଣି।ଶାଶୁ ଅବସର ନେବାକୁ ନେଇ ବହୁତ୍ କିଛି ଭାବି ରଖିଥିଲେ।ହେବେ ବର୍ତ୍ତମାନ ସବୁ ଅନିଶ୍ଚିତତା ଆସିଗଲା।ବାର୍ଷିକ ପରୀକ୍ଷା ମଧ୍ୟ ସରିବ କି ନାହିଁ କେଜାଣି..!!ଏମିତି ଏକ ଚ୍ୟାଲେଞ୍ଜ ଆସିଗଲା ବିଶ୍ୱକୁ ଯାହା ସ୍ଥାନ କାଳ ସମୟ ବୟସ କିମ୍ବା ପରିବେଶ କିଛି ବି ଦେଖିବ ନାହିଁ..!!ତଥାପି ଆଶା ଅଛି ଶାଶୁ ଙ୍କ ମନରେ..କମ୍ ସେ କମ୍ ପରୀକ୍ଷା ସରିଗଲେ ସେ ନିଜ କର୍ତ୍ତବ୍ୟ ଘରମୁହାଁ କରିବାରେ ସକ୍ଷମ ହେବେ..!!


ସ୍ଵୟମଙ୍କ ଅଫିସ ରେ ମଧ୍ୟ ହଲଚଲ ଲାଗି ରହିଛି।ଆଉ ମିନୁ..!! ଏ ସମୟରେ ଆହୁରି ଅଧିକ ସୁରକ୍ଷା ବଳୟକୁ ଆସି ଯାଇଛି।ଆଉ କିଛି ଦିନ ମାତ୍ର..ରୂପ ଜନ୍ମ ହେବା ପରେ ହୁଏତ ତା କର୍ତ୍ତବ୍ୟ ଟିକେ ହାଲୁକା ହୋଇପାରେ..!!??କିନ୍ତୁ ଜଣେ ମା ର କର୍ତ୍ତବ୍ୟ କେବେ କଣ ହାଲୁକା ହୋଇପାରେ କି..!!ତଥାପି..!!


ଭାରି ଭୟାକୁଳ ବାତାବରଣ ଚାରିଆଡ଼େ..!!କଣ ଲେଖା ହୋଇଛି କେଜାଣି ମାନବ ଜାତି ଇତିହାସରେ..!!ଚନ୍ଦ୍ର ମଙ୍ଗଳ ରେ ଘର କରିବା ସହଜ ହୋଇଗଲା ଅଥଚ ଏ ଅଜଣା ଭୁତାଣୁ ଟି ଏତେ ଶକ୍ତି ଦେଖେଇଲା ଯେ..!!ଆଧୁନିକ ଟେକ୍ନୋଲୋଜି ବିଜ୍ଞାନ ଚିକିତ୍ସା କଣ ସବୁ ତା ଆଗରେ ତୁଚ୍ଛ ହୋଇଗଲେ..!!??ଆଶା କିନ୍ତୁ ହରେଇବାକୁ ହେବନି।ତା ଛଡା ତାର ପ୍ରତ୍ୟେକ ଭାବନା ଯେ ରୂପ ମନ ଉପରେ ପଡ଼ିବ..!!ଏକଥା ଭାବି ମିନୁ ନିଜକୁ ନିଜେ ଆହୁରି ଆହୁରି ମଜବୁତ୍ କରି ଲାଗିଥିଲା…!!


ସେ ଯେ ମା..ସେ ଯଦି ଭୟ କରିବ ହେଲେ ତା ସନ୍ତାନକୁ ନିର୍ଭୀକ ହେବା ଆଉ କିଏ ଶିଖେଇଦେବ..!!??


ମା ଆସିଯିବାକୁ ଚାହୁଁଥିଲେ।ହେଲେ ମିନୁର ଶାଶୁ ମନା କଲେ।ଏପରି ପରିସ୍ଥିତିରେ ଘର ଛାଡ଼ି ଆସିବା ଜମାରୁ ଠିକ୍ ନୁହେଁ।ତା ଛଡା ଏଇଠି ମିନୁର ଯତ୍ନ ନେବାକୁ ସେ ସଦା ତପ୍ତର ଅଛନ୍ତି।ସେକଥା ସମ୍ପୂର୍ଣ୍ଣ ଠିକ୍।ମିନୁ ସତରେ ଭାରି ଭାଗ୍ୟବତୀ।ମାଙ୍କ ଆଖି ଖୁସିରେ ଓଦା ହୋଇଗଲା।


ବାର୍ଷିକ ପରୀକ୍ଷା ଦୁଇଟି ପେପର ହେବା ପରେ କିଛି ଦିନ ଘୁଞ୍ଚି ଯାଇଛି।ଶାଶୁ ଏପରି ପରିସ୍ଥିତିରେ ଅବସର ନେବା ସମ୍ଭବ ହେଇ ପାରୁନି।ତଥାପି ସେ ଆଉ ଯିବେନି ଭାବି ସାରିଲେଣି।ଭୁତାଣୁ ତା କାୟା ଗୋଟିଏ ପରେ ଗୋଟିଏ ଦେଶରେ ବିସ୍ତାର କରି ଚାଲିଛି। ଶୁଣା ଯାଉଛି ଏଥର ଲକ୍ ଡାଉନ୍ କରି ଦିଆଯିବ। ନ ହେଲେ ପରିସ୍ଥିତି ଅଣାୟତ ହୋଇ ପଡ଼ିବ..!!??କଣ କରା ଯାଇପାରେ..!!??


ସକାଳୁ କେମିତି ଅସହଜ ଲାଗୁଛି ମିନୁକୁ। ଡକ୍ଟର ଅବଶ୍ୟ କହିଛନ୍ତି ସମୟ ଅଛି ବୋଲି..ତଥାପି..!!


"ମୁଁ ସ୍କୁଲ୍ ଗଲା ବେଳେ ତୋତେ କ୍ଲିନିକ୍ ରେ ଛାଡି ଦେବି।ସ୍ଵୟଂ ସେଠି ତୋ ସହିତ ରହିବ।"ଶାଶୁ କହିଲେ।


"ହଁ ମା..ତୁମେ ବାହାରିଲା ବେଳେ କହିଲେ ମୁଁ ଅଫିସ୍ ରୁ ବାହାରିଯିବି ଆଉ ମିନୁ ପାଖରେ ପହଞ୍ଚି ଯିବି।"ସ୍ଵୟଂ କହିଲେ।


ମାସ୍କ୍ ପିନ୍ଧା ଆରମ୍ଭ ହୋଇଗଲାଣି।ଆସ୍ତେ କରି ଗାଡ଼ିରେ ବସିଲା ମିନୁ।ଶାଶୁ ତା ପାଖରେ ବସି ତାକୁ କ୍ଲିନିକ୍ ନେଇ ଗଲେ।


" ଆପଣ ଯାଆନ୍ତୁ ମା।ଏଠି ସମୟ ଲାଗିବ।ସ୍କୁଲ୍ କାଲିଠାରୁ ବନ୍ଦ ହୋଇଯିବ।ତେଣୁ ଆପଣ ଆଜି ସେଇଠି ଯେମିତି ହେଲେ ରହିବା ଦରକାର...ମୁଁ ଆରାମରେ ବସିଛି।"କହିଲା ମିନୁ..


ଡାକ୍ତର ଆଉ ନର୍ସ ସମସ୍ତେ ଚିହ୍ନା ହୋଇଯାଇଛନ୍ତି।ତେଣୁ ସେମାନଙ୍କୁ କହି ଶାଶୁ ସ୍କୁଲ୍ ବାହାରିଗଲେ।ସ୍ଵୟମଙ୍କୁ ମଧ୍ୟ ଫୋନ୍ କରି ଜଣେଇ ଦେଲେ।ସେ ଯେତେ ଜଲଦି ହେବ କ୍ଲିନିକ୍ ଆସିଯିବେ କହିଲେ।


ମିନୁ ବସି ଥାଏ।ଅନ୍ୟ ପେସେଣ୍ଟମାନେ ଚାଲିଯିବା ପରେ ତାର ଚେକ୍ ଅପ୍ ହୋଇଗଲା।ମା ଆଉ ଛୁଆ ସୁସ୍ଥ ଥାଆନ୍ତି।ତେଣୁ ଆଉ ଭୟ ନାହିଁ।ଡାକ୍ତର ମଧ୍ୟ କହିଲେ ଯେତେବେଳେ ଆବଶ୍ୟକ ମିନୁ ଫୋନ୍ କରିଦେଲେ ସେ ତାକୁ ଘରୁ ଆଣିବା ବ୍ୟବସ୍ଥା ମଧ୍ୟ କରିଦେବେ। ଏ ଭୂତାଣୁ ଯୋଗୁଁ ତାର ଡେଲିଭରିରେ କିଛି ଯେପରି ଅସୁବିଧା ହେବନି।


ସ୍ଵୟଂ ଅଫିସ୍ ରୁ ବାହାରିବା ଆଉ ଟିକେ ଲେଟ୍ ଥାଏ।ଏପଟେ ମିନୁକୁ ସେ ପରିବେଶ ଆଉ ଇଚ୍ଛା ହେଉ ନ ଥାଏ।କିପରି ଘରକୁ ଯାଇ ଟିକେ ବିଶ୍ରାମ ନେବ..!!


"ବ୍ୟସ୍ତ ହୁଅନି।ମୁଁ ଏଇଠୁ କ୍ୟାବ୍ ବୁକ୍ କରି ଘରକୁ ଚାଲି ଯାଉଛି।ତୁମେ ବାହାରି ଆସି ପହଞ୍ଚିବା ପାଇଁ ଯେମିତି ହେଲେ ଅଧଘଣ୍ଟା ଉପରେ ଲାଗିଯିବ।ମୋତେ ରେଷ୍ଟ ଲେସ୍ ଲାଗୁଛି।କିଛି ଅସୁବିଧା ନାହିଁ।ମୁଁ ଚାଲିଯିବି..!!"ମିନୁ କହିଲା।


"ଆରେ.. ସିଓର ତ??ଏକା ଯିବ ଅସୁବିଧା ନୁହେଁ ନା?" ବ୍ୟସ୍ତ ହୋଇ ସ୍ଵୟଂ ପଚାରିଲେ।


"ଅସୁବିଧା କଣ?ମୁଁ କଣ ପ୍ରଥମ କରି ଯାଉଛି କି?" ହସି କହିଲା ମିନୁ।


ସତ କଥା।ଆଉ ଅଫିସ ଛାଡ଼ି ସେତେବେଳେ ଆସିବା ମଧ୍ୟ କଷ୍ଟ ଥିଲା ସ୍ଵୟଂ ପାଇଁ।ଅଗତ୍ୟା ସେ ମଧ୍ୟ ରାଜି ହୋଇଗଲେ।ମିନୁ କ୍ୟାବ୍ ବୁକ୍ କଲା ଓ ଘରକୁ ଯିବାକୁ ବାହାରିଲା…


ଡ୍ରାଇଭର ଜଣକ ମିନୁର ଅବସ୍ଥା ଦେଖି ନିଜେ ଦୋୖଡି ଆସି ଡୋର୍ ଖୋଲିଦେଲା।କ୍ୟାବ ଭିତରକୁ ପାଦ ପକେଇଲା ବେଳେ ହଠାତ୍ ମିନୁ ହାତରୁ ଫାଇଲ ଖସି ଗଲା ଆଉ ରୂପ ର ଅଲଟ୍ରାସାଉଣ୍ଡ ରିପୋର୍ଟ ତଳେ ପଡ଼ିଗଲା..!!ସଙ୍ଗେ ସଙ୍ଗେ ଡ୍ରାଇଭର ଟି ଉଠେଇ ଝାଡି ଦେଲା ଆଉ ଜାଗ୍ରତ ସହକାରେ ସିଟ୍ ଉପରେ ରଖିଦେଲା।


" ମାଡ଼ମ ..ଆପଣ ଫ୍ରଣ୍ଟ ସିଟ୍ ରେ ବସନ୍ତୁ।ମୁଁ ସିଟ୍ ଲମ୍ବେଇ ଦେଉଛି।ଟିକେ ଶୋଇ ପାରିବେ।"କହିଲା ସେ ଆଉ ଅତି ଆରାମଦାୟକ ଢଙ୍ଗରେ ସିଟ୍ ସଜେଇ ଦେଲା।


ତାକୁ ଧନ୍ୟବାଦ ଦେଇ ମିନୁ ଗୋଡ଼ ଲମ୍ବେଇ ବସିଲା।ସ୍ଵୟଂକୁ ଫୋନ କରି ଜଣେଇଦେଲା। ଗାଡ଼ି ଭିତରେ ବସିବା ପରେ ନିଃଶ୍ୱାସ ବନ୍ଦ ହୋଇଯିବା ପରି ଲାଗିବାରୁ ମାସ୍କ୍ ବାହାର କରି ପାଖରେ ରଖିଦେଲା।ଡ୍ରାଇଭର ଜଣକ ସୁନ୍ଦର ଭଜନ ଲଗେଇଲା।ମୃଦୁ ନାମ କୀର୍ତ୍ତନ ସହ ଏସି ହାୱାରେ ମିନୁ ର ଆଖିପତା ମୁଦି ହୋଇ ଆସିଲା..


ବିସ୍ତୀର୍ଣ୍ଣ ବେଳାଭୂମିରେ ବୁଲୁଛି ମିନୁ..ଶାନ୍ତ ସ୍ନିଗ୍ଧ ପରିବେଶ..ଥଣ୍ଡା ଥଣ୍ଡା ହାୱା ବହୁଥାଏ ଚାରିଆଡ଼େ..!!କେଜାଣି କେଉଁଠୁ ଭାରି ସୁନ୍ଦର ସୁଗନ୍ଧ ଭାସି ଆସୁଥାଏ..ବୋଧେ କିଛି ଫୁଲ ଗଛ ଅଛି ଅାଖ ପାଖରେ..!!ସୂର୍ଯ୍ୟ ଅସ୍ତମିତ ହୋଇନି କିନ୍ତୁ ଦିନର ପ୍ରଖର କିରଣ ମଧ୍ୟ ନାହିଁ..ଚନ୍ଦ୍ର ଉଦୟ ହୋଇନି କିନ୍ତୁ ଶୀତଳ ସ୍ପର୍ଶ କେଜାଣି କେଉଁ ଅନନ୍ତ ପ୍ରଶାନ୍ତି ଅନୁଭବର..!!ଚତୁର୍ଦ୍ଦିଗ ବହୁତ୍ ସୁନ୍ଦର ଲାଗୁଛି..ଆଉ ମିନୁ ନିଜ ଖୋଲା କେଶରେ ହାତ ଚଲେଇ ଚଲେଇ ଧୀରେ ଧୀରେ ଆଗକୁ ବଢି ଚାଲିଥିଲା..ଖୋଲା ପାଦରେ ବାଲୁକା ଶଯ୍ୟାରେ ଚାଲିବା କେତେ ଆନନ୍ଦଦାୟକ ନା..!!ହଠାତ୍..


କେଉଁଠୁ କେଜାଣି ଚୋରାବାଲି ଥିଲା ତା ପାଦ ତଳେ..ସେ ଜାଣି ପାରି ନ ଥିଲା..!! ପାଦ ପଡିଗଲା..ଆଉ ଆଉ ହଠାତ୍ ସେ ତଳକୁ ତଳକୁ ଯିବାକୁ ଲାଗିଲା..ଚିତ୍କାର କଲା ବିକଳରେ..ଦୁଇ ହାତ ଟେକି ଉଦ୍ଧାର କରିବାକୁ ଆକୁଳ ନିବେଦନ କଲା।ମାତ୍ର ନା..କେହି କେଉଁଠି ନ ଥିଲେ..ଯେତେ ଚେଷ୍ଟା କଲେ ମଧ୍ୟ ସେ ପଶି ଯାଉଛି.. ଅତଳ ଗର୍ଭକୁ..!!ଗର୍ଭ..!!?? ପାଦ ପରେ ଆଣ୍ଠୁ ..ଆଣ୍ଠୁ ପରେ କଟି ପଶି ଚାଲିଛି..କିନ୍ତୁ ଯେତେବେଳେ ତା ପେଟ ବାଲି ଭିତରକୁ ପଶିବା ଆରମ୍ଭ କଲା..ବିକଳରେ ସେ ପାଟି କରି ଉଠିଲା.."ରୂପ..!!"


"ମ୍ୟାଡମ..କଣ ହେଲା ଆପଣଙ୍କର..!!"ଡ୍ରାଇଭର ଡାକରେ ସମ୍ବିତ ପାଇଲା ମିନୁ..।ସେ ତ କାଚଲଗା ଗାଡ଼ି ଭିତରେ ସୁରକ୍ଷିତ ହୋଇ ଆରାମରେ ବସିଛି।


ଓଃ..ତେବେ ସେ ସ୍ବପ୍ନ ଦେଖୁଥିଲା..!!??ଅହେତୁକ ବିପଦ ଅନାୟାସରେ କଟି ଯାଇ ଥିବାରୁ ଅଜାଣତରେ ଆଖି ତାର ଓଦା ହୋଇଯାଇଥିଲା।


"ନା..କିଛି ନାହି..ମୁଁ ଠିକ୍ ଅଛି.."କହିଲା ।ଡ୍ରାଇଭର ଦେଖି ନ ପାରିବା ପରି ପେଟରେ ହାତ ବୁଲେଇ ଆଣିଲା।ରୂପ ର ସ୍ୱଳ୍ପ ଚଳ ପ୍ରଚଳ ଅନୁଭବ କରି ପାରି ଖୁସି ହୋଇଗଲା।ଘର ସାମ୍ନାରେ ଗାଡ଼ି ରହିବା ମାତ୍ରେ ଶାଶୁ ଦୋୖଡି ଆସିଲେ।


"ମା..ସ୍କୁଲରୁ ଆସିଗଲେ ଆପଣ??' ଓହ୍ଲାଉ ଓହ୍ଲାଉ ପଚାରିଲା ମିନୁ..


"ହଁ ରେ ମା।ଆଉ ଯିବିନି।ଆଜି ମନ ଆଉ କେଉଁଠି ଲାଗିଲାନି।ତେଣୁ ଏଥର ଆଉ ଆସି ପାରିବିନି କହି ଦେଇ ଚାଲି ଆସିଛି।"କହି ଶାଶୁ ତା ହାତ ଧରି ଭିତରକୁ ନେଇଗଲେ।


"ତଥାପି..ପରୀକ୍ଷା ସରି ଯାଇଥିଲେ ଭଲ ହୁଅନ୍ତା ନା"?ପଚାରିଲା ମିନୁ।


"ମୋ ରୂପ ଠାରୁ ଆଉ କଣ ମହତ୍ୱପୂର୍ଣ୍ଣ ମା?ତୋତେ ଏକୁଟିଆ ଛାଡ଼ି ଆଉ ମୁଁ ଯାଇ ପାରିବିନି।ତେଣିକି ଯାହା ହେବ ହେଉ.." କହି ଶାଶୁ ମିନୁର ମୁଣ୍ଡ ଆଉଁସି ଦେଲେ।


ସ୍ବପ୍ନ ପ୍ରଭାବରୁ ମିନୁର ଛାତି ତଥାପି ଆହୁରି କେମିତି ଧଡ଼ ଧଡ଼ ହେଉଥିଲା।ଗ୍ଲୁକୋଜ ପିଇ ଟିକେ ବିଶ୍ରାମ ନେଲା।ଆଉ ଭୁଲି ଯିବାକୁ ଚେଷ୍ଟା କଲା..କିଛି ହୋଇନି..କିଛି ହେବନି..ଫାଇଲ ଟା ପଡି ଯାଇଥିଲା ତ ତେଣୁ ସେ ଏମିତି ସ୍ବପ୍ନ ଦେଖିଲା..ଦୁଶ୍ଚିନ୍ତା କରିବା ଆଦୋୖ ଉଚିତ୍ ନୁହେଁ।ସେ କିଛି ଏପଟ ସେପଟ ଭାବିବନି..ନା..


ଲକ୍ ଡାଉନ୍ ଆରମ୍ଭ ହୋଇଗଲା।ଦୁନିଆ ସାରା କୋକୁଆ ଭୟ ଭିତରେ..ମହାମାରୀ ଭୁତାଣୁ କେତେବେଳେ କାହାକୁ କେଉଁଠି କେମିତି ଜାବୋଡ଼ି ବସିବ..କିଏ ଜାଣିଛି!!??ତେଣୁ କେବଳ ଗୋଟିଏ ବିକଳ୍ପ..ଯାହା ହେଲେ ହେଉ ବାହାରକୁ ବାହାରି ହେବନି।ବାହାରେ ମୃତ୍ୟୁ ନିଜେ ଯେମିତି ଜଗିଛି।ପିଲାବେଳେ ସେ ଆଈ ଠାରୁ ଶୁଣିଥିଲା।କଳିଯୁଗ ଶେଷରେ ଭୈରବୀ ମା ଡକା ଦେବେ।ଯେ ସେ ଡାକ ଶୁଣିବ ସେହିଠାରେ ତାର ମୃତ୍ୟୁ ହେବ। ମ୍୍ଲେଚ୍ଛ ସଂହାର ପାଇଁ ଜଗତ ଉଦ୍ଧାର ପାଇଁ ନିଜେ ଈଶ୍ୱର ଏପରି ପଦକ୍ଷେପ ନେବେ।ସେତେବେଳ ଗପ ଆଜି ସତ ହେଲା ପରି ଲାଗୁଛି।ଘର ବାହାରକୁ ବାହାରିଲେ ବିପଦ..!!ଦୁନିଆ କଣ ସତରେ ଧ୍ଵଂସ ହେବ..!!ଧର୍ମ ସ୍ଥାପନା ପାଇଁ କଣ ସତରେ ପ୍ରଭୁ ଏ ସୃଷ୍ଟିକୁ ବିରାମ ଦେବାକୁ ନିଷ୍ପତ୍ତି ନେଇଛନ୍ତି..!!??କେଜାଣି..!!??


ସ୍ଵୟମଙ୍କୁ ଟିକେ ସର୍ଦି ହେଲା ପରି ଲାଗୁଥାଏ। ଇନଫେକ୍ସନ କବଳରୁ ବଞ୍ଚିବା ଆଉ ବଞ୍ଚେଇବା ପାଇଁ ସେ ମିନୁ ଠାରୁ ଦୂରେଇ ରହୁ ଥାଆନ୍ତି।ମୁହଁରେ କପଡ଼ା ବାନ୍ଧି ରହିଥାନ୍ତି।ଡାକ୍ତର ତାଙ୍କ ରକ୍ତ ପରୀକ୍ଷା କରି ସାରିଛନ୍ତି।ହେଲେ ସର୍ଦି ନ କମିବା ଯାଏଁ ଆଉ ରିପୋର୍ଟ ନ ଆସିବା ଯାଏଁ ଦୂରରେ ରହିବା ଅତି ଜରୁରୀ। ଶାଶୁ ଠାକୁର ପୂଜା କରୁଥାନ୍ତି।ଆଉ ମିନୁ ନିଜ ମା ସହ କଥା ହେବା ପରେ ବସି ନିଉଜ ଦେଖୁଥାଏ।ସକାଳର ଜଳଖିଆ ପର୍ବ ସରି ଯାଇଥାଏ।ସ୍ଵୟଂ ମିନୁର ଭିଟାମିନ ଔଷଧ ତାକୁ ଖାଇବାକୁ ମନେ ପକେଇ ଦେଉଥାନ୍ତି...


ଆଉ ଜଣେ କରୋନା ସଂକ୍ରମିତ ଆମ ଦେଶରେ ଚିହ୍ନଟ ହୋଇଛନ୍ତି।ବିଦେଶରେ ରହି ସେ ପାଠ ପଢୁଥିଲେ। ଦୁଇ ଦିନ ତଳେ ଇଟାଲୀରୁ ବିମାନରେ ଆସି ଟ୍ୟାକ୍ସି ଯୋଗେ ନିଜ ଘରକୁ ଆସିଥିଲେ।ସେତେବେଳେ ତାଙ୍କ ଦେହରେ ଭୁତାଣୁ ଥିବା ଜଣା ପଡି ନ ଥିଲା।କିନ୍ତୁ ପରେ ଜଣା ଯିବାରୁ ସେ ଯେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ପାଇଁ ଚିନ୍ତା ବଢି ଯାଇଥିଲା।ଟେଲିଭିଜନ ସ୍କ୍ରିନରେ ଟ୍ୟାକ୍ସି ନମ୍ବର ଦେଖି ଚମକି ଉଠିଲା ମିନୁ..ନମ୍ବର କେଉଁଠି ଦେଖିଲା ପରି ମନେ ହେଉଥିଲା..କିନ୍ତୁ କେଉଁଠି ଦେଖିଛି ମନେ ପକେଇ ପାରୁନି।


କିଛି ମନ ପଡ଼ି ଯିବାରୁ ମୋବାଇଲ୍ ଉଠେଇ ସେ ଯେଉଁ କ୍ୟାବ ବୁକ୍ କରିଥିଲା ତାର ସୂଚନା ଦେଖିବାକୁ ଲାଗିଲା..


ଚମକି ପଡ଼ିଲା ମିନୁ…!!


ଆରେ.. ଏ ତ ସେହି ଟ୍ୟାକ୍ସି ଯେଉଁଥିରେ ସେ ସେଦିନ କ୍ଲିନିକ୍ ରୁ ଘରକୁ ଆସିଛି..!!?? 


ମିନୁର ପାଟି ଅଠା ଅଠା ହୋଇଗଲା।ଶାଶୁ ବିକଳ ହୋଇ ଛୁଆଙ୍କ ପରି କାନ୍ଦି ଉଠିଲେ..


"ଓହୋ..ବ୍ୟସ୍ତ ହୁଅନି।"କହିଲେ ସ୍ଵୟଂ.." ମୁଁ ହେଲ୍ପ ଲାଇନ୍ କୁ ଫୋନ୍ କରିଥିଲି ଆଉ ସେମାନେ କହିଛନ୍ତି ସେ ଡ୍ରାଇଭର ର ସ୍ଵାବ୍ ଟେଷ୍ଟ ପାଇଁ ଯାଇଛି।ବ୍ୟସ୍ତ ହୁଅନି।କିଛି ହେବନି.."


ତାଙ୍କୁ ଇଚ୍ଛା ହେଉଥିଲା ମା ଆଉ ମିନୁକୁ ନିଜ ବାହୁରେ ଭରି ସାନ୍ତ୍ଵନା ଦେବାକୁ।କିନ୍ତୁ..ଦୂରତା ବଜାୟ ରଖିବା ଛଡା ଅନ୍ୟ ଉପାୟ ନାହିଁ…!!??


ପରଦିନ ସ୍ଵୟମଙ୍କ ରିପୋର୍ଟ ଆସିଲା। ଓଃ..ନେଗେଟିଭ ..!!ବଞ୍ଚିଗଲା ମଣିଷ।କି ରୋଗ ଆସିଲା କେଜାଣି ନିଜ ଉପରୁ ସତରେ ବିଶ୍ୱାସ ହିଁ ଉଠି ଗଲାଣି..!!ତଥାପି ଧୈର୍ଯ୍ୟ ରଖିବାକୁ ହେବ।


ଟିଭି ନିଉଜରେ ସବୁ ତଥ୍ୟ ଦେଖିଲା ପରେ ମଧ୍ୟ ସ୍ଵୟଂ ହେଲ୍ପ ଲାଇନ ସହ ସମ୍ପର୍କ କରି ଆଶ୍ବସ୍ତ ହେଲେ ଯେ ସଂପୃକ୍ତ ଡ୍ରାଇଭରଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଲା।ଯା ହେଉ..ଗୋଟିଏ ବଡ଼ ବିପଦ ଟଳି ଗଲା ଯେମିତି..!!ସବୁ କିଛି ଅସ୍ବାଭାବିକ ନିଶ୍ଚୟ..କେବେ ଏମିତି ହୋଇ ନ ଥିଲା।ବାହାରକୁ ନ ବାହାରିବା ଯେତେ କଷ୍ଟ ଦେଉନି ତା ଠାରୁ ବେଶୀ କଷ୍ଟ ଲାଗୁଛି ଏପରି ଭୟକୁ ନିଜ ଭିତରେ ରଖିବା।କିନ୍ତୁ କଣ କରା ଯାଇପାରେ..!!??


ସକାଳୁ ଦେହଟା କେମିତି ଉଷୁମ ଲାଗୁଛି।ମୁଣ୍ଡ ମଧ୍ୟ ଭାରି ଲାଗୁଛି। ଅଣ ନିଃଶ୍ୱାସୀ ଲାଗୁଛି..କେଜାଣି କାହିଁକି..!!ଶାଶୁ କହିଲେ ଛୁଆ ଜନ୍ମ ହେବାର କିଛି ଦିନ ପୂର୍ବରୁ ଏପରି ଲାଗିବା ନିହାତି ସ୍ଵାଭାବିକ କଥା।ଏଥିରେ ଏତେ ବିବ୍ରତ ହେବାର କିଛି ନାହିଁ।ତଥାପି ଜଳଖିଆ ଖାଇବା ପରେ ଡାକ୍ତର ଙ୍କ ସହ କଥା ହେବାରୁ ସେ କ୍ଲିନିକ୍ ଆସିବା ପାଇଁ କହିଲେ ମିନୁକୁ।ଲକ୍ ଡାଉନ୍ ଯୋଗୁଁ ଗାଡ଼ି ବାହାର କରିବା ଆବଶ୍ୟକ ନ ଥିଲା।କିନ୍ତୁ ଆଜି ନିଶ୍ଚୟ ଯିବାକୁ ହେବ।ସ୍ଵୟଂ ମିନୁକୁ ନେଇ ହସ୍ପିଟାଲ୍ ବାହାରିଲେ।ଶାଶୁ ମଧ୍ୟ ସାଙ୍ଗରେ ଯିବାକୁ ଚାହୁଁଥିଲେ।କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେମିତି ଆବଶ୍ୟକ ନ ଥିଲେ ଯିବା ଉଚିତ୍ ନୁହେଁ।ତେଣୁ ଗଲେନି।


ରାସ୍ତାରେ ପୋଲିସ୍ ଙ୍କୁ ନିଜ ଆଇ କାର୍ଡ ଦେଖାଇ ଡାକ୍ତର ପାଖକୁ ଯାଉଛି କହି ଅନୁମତି ମାଗି ନେଲେ ସ୍ଵୟଂ ..ଆଉ କ୍ଲିନିକ୍ ରେ ପହଁଚିଗଲେ।ସବୁବେଳେ ଅତି ଭିଡ ରହୁଥିବା କ୍ଲିନିକ୍ ଆଜି ଶୁନଶାନ୍ ଲାଗୁଥିଲା।ସମସ୍ତଙ୍କ ମୁହଁରେ ମାସ୍କ ଆଉ ହାତରେ ଗ୍ଲୋଭ୍ ଥିଲା।ହସ୍ପିଟାଲ୍ ଭିତରେ ଅଳ୍ପ କିଛି ଜରୁରୀ କାଳୀନ ରୋଗୀ ଆଉ ଡାକ୍ତର ଥିଲେ।ଡାକ୍ତର ମିନୁର ପରୀକ୍ଷା କରି ଦେଖିଲେ।ପ୍ରସବ ପାଇଁ ସମୟ ଆହୁରି ଅଛି କହିଲେ।।କିନ୍ତୁ ମିନୁର ଜ୍ଵର ବଢି ଯାଇଥିବାରୁ ତାକୁ ରାତିକ ପାଇଁ ସେଇଠି ରହିବାକୁ ପରାମର୍ଶ ଦେଲେ।ଅତଏବ ମାଙ୍କୁ ଜଣେଇ ଦେଇ କ୍ଲିନିକ୍ ରେ ମିନୁ ଆଉ ସ୍ଵୟଂ ରହିଗଲେ.. 


ଦୁଇଦିନ ବିତିଗଲା ପରେ ମଧ୍ୟ ମିନୁ ଅବସ୍ଥା ସ୍ଵାଭାବିକ ଲାଗୁ ନ ଥିଲା।କିଛି ଭାବି ଡାକ୍ତର ତାର ସ୍ୱାବ ଆଉ ରକ୍ତ ପରୀକ୍ଷା ପାଇଁ ପଠେଇ ଦେଲେ..ରିପୋର୍ଟ ଦେଖି ଚମକି ଗଲେ ନିଜେ ସେ..!!


" ମାନ୍ୟତା..!!ତୁମେ ନିକଟରେ ଆଉ କେଉଁଆଡେ ବୁଲିବାକୁ ଯାଇଥିଲ କି..!!??"ପଚାରିଲେ ଡାକ୍ତର..


" ନା ଡକ୍ଟର..!!ସେଦିନ କ୍ଲିନିକ୍ ରୁ ଘରକୁ ଯିବା ପରେ ଆଉ ସେ କୁଆଡେ ଯାଇନାହାନ୍ତି। ଏମିତି ଅବସ୍ଥାରେ ବାହାରକୁ ବୁଲିବା ଦୂର କଥା ଆଉ ଘର ବାହାରକୁ ବି ଯିବାକୁ ମନ ହୋଇନି।କଣ ହେଲା କି??" ବ୍ୟସ୍ତ ହୋଇ ପଚାରିଲେ ସ୍ଵୟଂ।


ଅବଶ୍ୟ କଥା ପ୍ରସଙ୍ଗରେ ଡାକ୍ତର ଆଗରୁ ଜାଣି ପାରିଥିଲେ ସେଦିନ ମିନୁ ସେହି କ୍ୟାବରେ ଘରକୁ ଯାଇଛି ଯେଉଁଥିରେ କରୋନା ସଂକ୍ରମିତ ବ୍ୟକ୍ତି ଏୟାର ପୋର୍ଟ ରୁ ନିଜ ଘରକୁ ଯାଇଥିଲେ..


" ଆଛା..ଟିକେ ମନେ ପକାଇ କହିଲ..ତୁମେ ସେଦିନ ଟାକ୍ସିରେ କଣ ସବୁ କରିଥିଲ.."!!??ଡାକ୍ତର ପଚାରିଲେ।


ଅସ୍ବାଭାବିକ ଥିଲେ ମଧ୍ୟ ମିନୁ ଭାବିବାକୁ ଲାଗିଲା..କଣ ହୋଇଥିଲା ସେଦିନ..କିନ୍ତୁ ଡାକ୍ତର ଏସବୁ କାହିଁକି ଯେ ପଚାରୁଛନ୍ତି..!!??ସେଦିନ କଥା କାହିଁକି ଗୁରୁତ୍ୱପୂର୍ଣ୍ଣ??ଏମିତି କଣ ବା ହୋଇଛି ତାର??


ସ୍ଵୟଂ ଆଉ ସେ ବହୁତ୍ ମିନତି କରିବା ପରେ ଡାକ୍ତର କହିଲେ..


"ଆଇ ଆମ୍ ସରି ଡିଅର..କିନ୍ତୁ ତୁମ ଟେଷ୍ଟ ରିପୋର୍ଟ ମୋତେ ବାଧ୍ୟ କରୁଛି ଏସବୁ ପଚାରିବାକୁ।ତୁମ ଶାରୀରିକ ଲକ୍ଷଣ ସବୁ କେବଳ ଏକ ଗର୍ଭବତୀ ମହିଳାର ସାଧାରଣ ଲକ୍ଷଣ ଠାରୁ ଭିନ୍ନ ଥିବାରୁ ମୋତେ ସନ୍ଦେହ ହେଲା ଆଉ ମୁଁ ତୁମ ଦେହରେ କୋଭିଡ୍ 2019 ଅଛି କି ନାହିଁ ପରୀକ୍ଷା କରିବାକୁ ସାମ୍ପଲ ପଠେଇଥିଲି।ଆଉ…"


ଗଡି ଯାଉଥିବା ଲୁହ ମିନୁ ଦେଖି ନ ପାରିବା ପରି ପୋଛିଦେଇ ସ୍ଵୟଂ ପଚାରିଲେ 


"ଅଟକି ଗଲେ କାହିଁକି ମ୍ୟାଡ଼ମ..!!??"


"ସ୍ଵୟଂ..!!ମାନ୍ୟତାଙ୍କ ଟେଷ୍ଟ ପଜିଟିଭ୍ ଅଛି..ସେ ଭୁତାଣୁ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି..!!"ଡାକ୍ତର ଭାରି ସ୍ଵରରେ କହିଲେ.."କିନ୍ତୁ କିପରି..!!??ସେଇ ଗୋଟିଏ କଥା ମୁଁ ସତରେ ବୁଝି ପାରୁନି…!!??"


ହଠାତ୍ ଡାକ୍ତର ଆଉ ସ୍ଵୟଂ କଥା ବନ୍ଦ କରି ବୁଲିପଡ଼ି ପଛ ବେଡ୍ ଉପରେ ବସିଥିବା ମିନୁକୁ ଚାହିଁଲେ..!!ଦୁଇ ହାତରେ ନିଜ ପେଟକୁ କୁଣ୍ଢେଇ ଅପଲକ ନୟନରେ ପାଟି ଆଁ କରି ଚାହିଁ ଥାଏ ସେ..ଶୂନ୍ୟ ଆଖି ଦୁଇଟିରୁ ଅନବରତ ଲୁହ ଝରି ଯାଉଥାଏ…!!


ମରୁଭୂମିର ଚୋରବାଲିରେ ପଶି ଯାଉଥିବା ଦୁସ୍ୱପ୍ନ ଦେଖି ମିନୁ ଗୋଟାପଣେ ଝାଳରେ ଭିଜି ଯାଇଥିଲା।ଡ୍ରାଇଭର ଡାକିବାସହିତ ସମ୍ବିତ ପାଇଲା ସେ..ଆଉ.."ନା..କିଛି ନାହିଁ..ମୁଁ ଠିକ୍ ଅଛି" କହି ସେ ଦେଖି ନ ପାରିବା ପରି ନିଜ ସ୍ଵେଦ ପୋଛି ପକାଇଥିଲା..!!


ଓଃ ଗଡ୍!!ସେତେବେଳେ ସେ ଏକ ଟିସୁ ପେପର ନେଇ ମଥା ଆଉ ନାକ ପାଖର ଝାଳ ପୋଛି ପକାଇଥିଲା…!!କିନ୍ତୁ..!!କିନ୍ତୁ ସେ ଟିସୁ ତାର ତ ନ ଥିଲା..!!??


ଦୁର୍ଭାଗ୍ୟ ..!!ସେ ଇଟାଲୀ ଫେରନ୍ତା ଯାତ୍ରୀ ଉକ୍ତ ଟିସୁ ବ୍ୟବହାର କରି ସିଟ୍ ପାଖରେ ରଖି ଦେଇଥିଲେ..ଯାହା ମିନୁ ଅଜାଣତରେ ବ୍ୟବହାର କରି ଦେଇଥିଲା..!!??


ସେ ମୁହୂର୍ତ୍ତ ଥିଲା ଶେଷ ଦେଖା ସ୍ଵୟଂ ସହିତ।ତା ପରଠାରୁ ମିନୁ କ୍ୱାରେଣ୍ଟାଇନ ରେ ଅଛି..!!ଘର ଲୋକଙ୍କ ସହ ଦେଖା ହେବା ତ ଦୂରର କଥା।କେବଳ ଦୂରରୁ ସ୍ପିକର ରେ ହେଉଥିବା କଲ ଦ୍ଵାରା ସେମାନଙ୍କ ଲୁହଭିଜା ଆକୁଳ ସ୍ଵର ଶୁଣି ପାରୁଛି..


ଏପରି କେଶ ବିଶ୍ୱରେ କେଉଁଠି ରିକର୍ଡ ହୋଇନି।ଏକ ଆସନ୍ନପ୍ରସବା ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ନାହାନ୍ତି।ଏକ ବିଶେଷ ଡାକ୍ତର ଦଳ ଆସିଛନ୍ତି।ପ୍ରତି କ୍ଷଣରେ ମିନୁର ମେଡିକାଲ ଚେକ୍ ଅପ୍ ହେଉଛି।କିନ୍ତୁ.. ଏ ଭୂତାଣୁ ରୋଗୀର ଲାଳ,ସ୍ଵେଦ କିମ୍ବା କଫ ଦ୍ଵାରା ବ୍ୟାପିବା ନଜିର ଅଛି।ହେଲେ ମାତୃ ଗର୍ଭସ୍ଥ ଶିଶୁ..!!ସେ କଣ ସଂକ୍ରମିତ ହେବ..!!??ଆଉ ଏ ରୋଗ ଶରୀର ରେ ଥିବା ଅବସ୍ଥାରେ ମିନୁ କଣ ସନ୍ତାନ ପ୍ରସବ କରି ପାରିବ..!!??ଜଣେ ସଂକ୍ରମିତ ରୋଗୀ ଦେହରେ ଅସ୍ତ୍ରୋପଚାର କରି ଶିଶୁକୁ ବାହାର କରି ଆଣିବା କଣ ସମ୍ଭବ..!!??ଡାକ୍ତରୀ ବିଦ୍ୟାରେ କଣ ଏପରି ଏକ ଅସ୍ବାଭାବିକ ବିରାମ ଲାଗିଯିବ..!!??ସ୍ତବ୍ଧ ହୋଇଯାଇଥିଲା ବାତାବରଣ..!!


ମୁଣ୍ଡରେ ହାତ ଦେଇ ବସିଥାନ୍ତି ସ୍ଵୟଂ..!!ଏସବୁ କଣ ହୋଇଗଲା..!!??ସେଦିନ ସେ କାହିଁକି ସମୟରେ ଅଫିସ ରୁ ବାହାରି ଆସିଲେନି..!!??ବିବାହ ସମୟରେ ଜୀବନ ସାରା ସୁରକ୍ଷା ଦେବା ପାଇଁ ମିନୁକୁ ଯେଉଁ ବଚନ ଦେଇଥିଲେ ତାହା କୁଆଡେ ଗଲା..!!??ଆଜି ମିନୁକୁ ସେ କିପରି ବଞ୍ଚେଇବେ.!!??ଆଉ ରୂପ..!!ଯାହାକୁ ହାତରେ କୋଳେଇ କାଖେଇ ବଡ଼ କରିବା ସ୍ବପ୍ନ ସେ ଦେଖୁ ଚାଲିଛନ୍ତି ତାକୁ କିପରି ବଞ୍ଚେଇବେ..!!?? ଏ ରୋଗ କଣ ମା ଠାରୁ ସନ୍ତାନ ପାଖକୁ ମଧ୍ୟ ଯିବ..!!??ତା ସଂସାର ..ତା ସ୍ତ୍ରୀ..ତା ଅଜନ୍ମା ସନ୍ତାନ କଣ ସେ କ୍ୱାରେଣ୍ଟାଇନ ରୁମ୍ ଭିତରେ ରହିଯିବେ..!!??ତାର ସବୁ ସ୍ୱପ୍ନରେ କଣ ସବୁଦିନ ପାଇଁ ବିରାମ ଲାଗିଯିବ..!!??ସେ କଣ ସତରେ କିଛି କରି ପାରିବନି..!!??ଆଖି ବନ୍ଦ ହୋଇ ଆସିଲା ନିଜ ଅସହାୟତା ରେ..!!


ଠାକୁରଙ୍କୁ ପ୍ରଶ୍ନ ପଚାରି ଚାଲିଛନ୍ତି ଶାଶୁ..!!ଏତିକି କ୍ଷଣିକ ଅସାବଧାନତା ଯୋଗୁଁ କଣ ପ୍ରଭୁ ତାଙ୍କ ବଂଶରେ ବିରାମ ଲଗେଇ ଦେବେ..!!??ତାଙ୍କ ବୋହୂ କଣ ଆଉ ଘରକୁ ଫେରିବନି..!!??ଆଉ ଯେଉଁ ଡାୟାଦ ପାଇଁ ସେ ଅବସର ନେଲେ.. ଏତେ ବର୍ଷ ପ୍ରତୀକ୍ଷା କଲେ..ସେ କଣ ତାଙ୍କ କୋଳକୁ ଆସି ପାରିବନି..!!??ସ୍ବାମୀ ଚାଲିଯିବା ପରେ ସେ ଆଜିର ଦିନ ପାଇଁ ଚାହିଁ ଜୀବନ କାଟି ଦେଉଥିଲେ।ତାଙ୍କ ତପସ୍ୟାରେ କଣ ଏମିତି ବିରାମ ଲାଗିଯିବ..!!??ମିନୁଟା କଣ ଆଉ ….!!ଆଗକୁ ଭାବି ପାରିଲେନି ସେ…


ମିନୁର ମା ବାରମ୍ବାର ମୂର୍ଚ୍ଛିତ ହେଇ ଯାଉଛନ୍ତି।ଲକ୍ ଡାଉନ୍ ହୋଇଯାଇଥିବା ଯୋଗୁଁ ସେ ମିନୁ ପାଖକୁ ଯାଇ ପାରୁ ନାହାନ୍ତି।ତା ବାପା ସତେ ଯେପରି କାଠ ପାଲଟି ଯାଇଛନ୍ତି..!!ନିଜ ଝିଅ ସହ କଣ ଆଉ ଦେଖା ହେବନି..!!??ନା..ମା ପୁଣି ଚେତାଶୁନ୍ୟ ହୋଇଗଲେ..ବାପାଙ୍କ ବିବେକ ବୁଦ୍ଧି ସବୁରେ ଯେପରି ଏକ ବିରାମ ଲାଗି ଯାଇଛି..!!ପାଣି ଟୋପେ ଆଣିବାକୁ ଆଉ ଶକ୍ତି ନାହିଁ କାହାର..!!


ମା ର ଗର୍ଭ ଶିଶୁର ସର୍ବୋତ୍ତମ ନିର୍ଭୟ ଆଶ୍ରୟସ୍ଥଳ ନା..!!??ସେଇଠି ସେ ବିନା ଚିନ୍ତାରେ ରହି ପାରେ ନା..!!??ତେବେ ମିନୁର ଗର୍ଭ କଣ ରୂପ କୁ ସେ ନିର୍ଭୟ ପ୍ରତିଶ୍ରୁତି ଦେଇ ପାରିବନି..!!??ବିଶ୍ଵ ବିଧାତା ତାକୁ ଯେଉଁ ଉତ୍ତର ଦାୟୀତ୍ବ ଦେଇଛନ୍ତି ତାକୁ କଣ ସେ ପୂରଣ କରି ପାରିବନି..!!??ମା ପରା ନିଜ ଜୀବନ ଦେଇ ମଧ୍ୟ ସନ୍ତାନକୁ ରକ୍ଷା କରେ..!!??ତେବେ ତା ମାତୃତ୍ୱରେ କିପରି ବିରାମ ଆସିଯିବ..!!??ଯଦି ତା ରୂପ ଦେହରେ ଜନ୍ମରୁ ମାରାତ୍ମକ ଭୂତାଣୁ ରହିଯାଇଥିବା ଜଣା ପଡ଼େ..!!ତେବେ..!!ସେ କଣ ମା ହୋଇ ନିଜ ସନ୍ତାନକୁ ଜନ୍ମ ଦେବା ପୂର୍ବରୁ ମୃତ୍ୟୁ ଉପହାର ଦେଇ ଦେବ..!!??


ହେ ପ୍ରଭୁ..ସେ ବଞ୍ଚିବ କି ନାହିଁ ଜାଣେନି।କିନ୍ତୁ ରୂପ ର ଯେମିତି କିଛି ନ ହେଉ..!!ନିଃଶ୍ୱାସ ନେବାକୁ କଷ୍ଟ ହେଉଛି।ଦେହରେ ଅସମ୍ଭବ ତାତି..!!ଅସହ୍ୟ ଯନ୍ତ୍ରଣା..!!ଅକଥ୍ୟ ପୀଡ଼ା..!!ଆଉ ସବୁଠୁ କଷ୍ଟ ଲାଗୁଛି ସେ ମୁହୂର୍ତ୍ତ ଯେତେବେଳେ ସେ ଡରି ଯାଇ ପରିତ୍ୟକ୍ତ ଟିସୁ ଉଠେଇ ଦେଇଥିଲା..!!??ତାର ପ୍ରତ୍ୟେକ ମୁହୂର୍ତ୍ତର ହୃଦୟ ନିଃସୃତ ଆଶୀର୍ବାଦ କଣ ତା ରୂପର ରକ୍ଷା କବଚ ହୋଇ ପାରିବନି..!!?? ଏ ଜନ୍ମରେ କଣ ମା ,ବାପା ,ସ୍ଵୟଂ, ଶାଶୁମା କାହା ସହ ଆଉ ଦେଖା ହେବନି..!!??ତା ଜୀବନ ଦୀପ କଣ ସମାପ୍ତ ହୋଇଯିବ..!!??ଆଉ ତା ରୂପ..ଜନ୍ମ ନେବା ପୂର୍ବରୁ..ନା ଜନ୍ମ ନେଇସାରି..


ସବୁ ଭାବନାରେ ବିରାମ ଲଗେଇ ମିନୁର ପ୍ରସବ ବେଦନା ହଠାତ୍ ଆରମ୍ଭ ହୋଇଗଲା….


ଡାକ୍ତରଖାନାର ଅପରେସନ ଥିଏଟର..ମିନୁ ଦେହରେ ନିସ୍ତେଜକ ଦିଆ ଯାଇଥିଲେ ମଧ୍ୟ ତାର ଚେତା ସମ୍ପୂର୍ଣ୍ଣ ଯାଇନି..ସେ ଦେଖି ପାରିଛି କିପରି ପିପିଇ ସୁଇଟ ପିନ୍ଧି ସବୁ ଡାକ୍ତର ତାକୁ ଘେରି ରହିଛନ୍ତି। କରୋନା ରୋଗୀର ପୁଣି ସନ୍ତାନ ପ୍ରସବ..ଏକ ଅବିସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇ ସେମାନେ ରହିଛନ୍ତି..!!ଆଉ ମିନୁ..


ତାକୁ ଲାଗୁଛି ଯେପରି ବ୍ରହ୍ମାସ୍ତ୍ର ପ୍ରୟୋଗ ହୋଇ ସାରିଛି ତା ଗର୍ଭ ଉଦ୍ଦେଶ୍ୟରେ..!!ଉତ୍ତରା ହୋଇ ସେ ଧାରଣ କରିଛି ଅଭିମନ୍ୟୁ ରୂପୀ ଅକାଳରେ ଶେଷ ହୋଇ ଆସୁଥିବା ତା ଦାମ୍ପତ୍ୟ ଜୀବନର ଶ୍ରେଷ୍ଠ ସନ୍ତକକୁ..ୟା ପରେ ଆଉ ଜୀବନ ରହିବ କି ନା ସନ୍ଦେହ..!!??କିନ୍ତୁ ପରଂବ୍ରହ୍ମ ନିଜେ କିପରି ସୁଦର୍ଶନ ଚକ୍ର ଆଢ଼ୁଆଳରେ ରଖି ଦେଇ ଜୀବନ ଦାନ ଦେଇଥିଲେ ପରୀକ୍ଷିତଙ୍କୁ..!!ମୃତ ପିଣ୍ଡ ଜୀବନ୍ତ ହୋଇଯାଇଥିଲା..!!ଆଜି ବି କଣ ସେପରି ହେବନି ପ୍ରଭୁ..!!ମିନୁର ଗର୍ଭକୁ ତୀବ୍ର ଗତିରେ ଆସୁଥିବା ଏ ଘୋର ବ୍ରହ୍ମାସ୍ତ୍ର ' କରୋନା' କୁ ରୋକିବା ପାଇଁ କଣ ଆଜି ଶ୍ରୀ ବିଷ୍ଣୁ ପୁନଃ ସୁଦର୍ଶନଙ୍କୁ ନିର୍ଦେଶ ଦେବେନି..!!??ସେଇ ଅବସ୍ଥାରେ ସେମିତି ଶୋଇ ରହି ମିନୁ ଧ୍ୟାନ କଲା ଈଶ୍ୱରଙ୍କୁ..ହାତ ନ ଯୋଡ଼ି ପାରିଲେ ବି ମନର ହାତ ଯୋଡ଼ି ଭିକ୍ଷା ମାଗିଲା.. ମନେ ମନେ ନୀଳଚକ୍ର ଧ୍ୟାନ କରି ଚତୁର୍ଦ୍ଧା ମୂର୍ତ୍ତି କୁ ଦେଖିବାକୁ ଲାଗିଲା।ତା ଶରୀର ଅପରେସନ ବେଡ୍ ଉପରେ ନିସ୍ତେଜ ହୋଇ ପଡି ରହିଥିଲେ ମଧ୍ୟ ମନଟା ଯାଇ ବଡ଼ ଦେଉଳରେ ଅଧିଆ ପଡ଼ିଲା..!!


" ମୋ ସନ୍ତାନର ରକ୍ଷା କର ପ୍ରଭୁ.. ଏ ନିଶ୍ଚିତ ବିପଦ ମୁହଁରୁ ବଞ୍ଚାଅ…!!"


ଦଶ ବର୍ଷ ପରେ…


ରାଜ୍ୟସ୍ତରୀୟ ସ୍ବରଚିତ କାହାଣୀ ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ପ୍ରାପ୍ତ ' ରୂପାଲି ମହାପାତ୍ର ' ଙ୍କୁ ଷ୍ଟେଜ ଉପରକୁ ଡକା ଗଲା ପରେ କରତାଳିରେ କମ୍ପି ଉଠିଲା ଅଡିଟୋରିୟମ…


ଗୁଲଗାଲିଆ କଣ୍ଢେଇ ପରି ସୁନ୍ଦର ଝିଅଟି ହସି ହସି ପୁରସ୍କାର ଆଣିବାକୁ ଗଲା..ସାମ୍ନାରେ ବସିଥିବା ଦର୍ଶକ ମାନେ ଅଭିଭୂତ ହୋଇ ପଡ଼ିଥିଲେ ଏ ପ୍ରକାର ଜୀବନ୍ତ କାହାଣୀ ଏତେ କୁନି ମୁହଁରୁ ଶୁଣି…!!


ସମ୍ମାନ ପାଇଲା ପରେ ଦୋୖଡି ଆସି ଝିଅଟି ନିଜ ମା ବାପାଙ୍କ ମଝିରେ ବସିଗଲା..


"ଆଛା କହିଲୁ ମା...ଏମିତି ଏକ ଷ୍ଟୋରୀ କେମିତି ଭାବି ପାରିଲୁ..!!??"ପଚାରିଲେ ପାଖରେ ବସିଥିବା ତା ଜେଜେମା..


ହସି ହସି ଝିଅଟି କହିଲା.." ସିକ୍ରେଟ୍ ହେଲା ମମିର 2020 ମସିହାର ଷ୍ଟୋରୀ ଡାଇରୀ..!!"ଆଉ ଲୋଟିଗଲା ଜେଜେମା କୋଳରେ..


ସ୍ଵୟଂ ମଧ୍ୟ ହସି ହସି ମିନୁ ଆଡେ ଚାହିଁଲେ କହିଲେ "ତୁମେ କାହାଣୀକାର ସତ ..ହେଲେ ଆମ ଜୀବନ ସହ ମେଳ ଖାଉଥିବା ଏତେ ଜୀବନ୍ତ ଗପଟି ମୋତେ ବି କେବେ ପଢିବାକୁ ଦେଇନ ତ .!!??" ..


ଆଉ ମିନୁ..


ହଠାତ୍ ଦଶ ବର୍ଷ ପଛକୁ ଚାଲିଯାଇଥିଲା ..2020 ମସିହାରେ ଯେତେବେଳେ ସେ ଗର୍ଭବତୀ ଥିଲା ଓ ଲକ୍ ଡାଉନ୍ ଚାଲିଥିଲା ଦେଶରେ.. ଚାରିଆଡ଼େ ଏକ ଭୟାନକ ଭାଇରସ ବିରୁଦ୍ଧରେ ସଂଗ୍ରାମ ଚାଲିଥିଲା..ଏହି ଗପଟି ସେତେବେଳେ ସେ ଲେଖିଥିଲା କିନ୍ତୁ ରୂପ ଜନ୍ମ ସହିତ ସେ ବିଷୟଟି ସମ୍ପୂର୍ଣ୍ଣ ଭୁଲି ଯାଇଥିଲା



Rate this content
Log in