ଭୟ ର ଜୟ
ଭୟ ର ଜୟ
ଧର୍ମର ଜୟ, ସତ୍ୟ ର ଜୟ, କର୍ମ ର ଜୟ ଏଭଳି ଆମେ ଅନେକ ପ୍ରବାଦ ଶୁଣିଛେ ହେଲେ ଭୟ ର ଜୟ କଥାଟି କେମିତି କାନକୁ ଆମର ଟିକେ ଅଡୁଆ ଶୁଭୁଛି। ହେଲେ କଥାଟା ସତ....। ଏଭଳି ଏକ ଅଭୁଲା ଘଟଣା ଅପଲୋକିତ ହୋଇଥିଲା; ଆମ୍ଭ ଗ୍ରାମରେ। ବାସ୍ତବରେ ଏହା ମୋ ମନରୁ ଏପର୍ଯ୍ୟନ୍ତ ମଧ୍ୟ ଲିଭି ନାହିଁ। ପ୍ରକୃତରେ ଏହା ଥିଲା ମୋ ସୀମିତ ଜୀବନ ମଧ୍ୟରେ ଏକ ବିରାଟ ଅଭିଜ୍ଞତା।
ମା' ହାତ ତିଆରି ସୁଜି କାକରା ଦି'ଟା ଖାଇ ମୁଁ ପାଣି ଗିଲାସେ ପିଉଥାଏ। ହଠାତ୍ ଗୋଟିଏ ଅଜଣା ନଂବର ରୁ ଫୋନ ଟିଏ ଆସିଲା; ମୁଁ ରିସିଭ କଲି। ଆରେ ତୁ ଭୁଲି ଗଲୁ ପୁରା ଗାଁ କୁ; ଆମ ସମସ୍ତଙ୍କୁ। ପ୍ରାଣ ନନା ମୋ ପାଖରେ ଅଛନ୍ତି। କେଉଁଠୁ ସେ ଶୁଣିଲେ ମୁଁ ଜାଣିନି। କିନ୍ତୁ ମୋତେ ସେ କହିଲେ କାଲିଠାରୁ କୁଆଡେ ତୁ ଆସିଲୁଣି ହେଲେ ତୋ'ର ଦେଖା ନାହିଁ। ଆ'ଟିକେ ଆମ ଘର ଆଡକୁ ଆ; ମା' ପଚାରିଲା କିଏ କି? - ପୌଲସ୍ତୀ :- ହଁ ତୁମର ତ ଦୁଃଖ ସୁଖ ଏବେ ସରିବନି। ତମେ ପ୍ରାଣ,ପୌଲସ୍ତୀ ଓ ପ୍ରକାଶ ମିଶିଲେ ଦିନ ରାତି ସମାନ ହୋଇଯିବ। ପଖାଳ ଖାଇ ଯୁଆଡେ ଯାଉଛୁ ଯା'.....। ମୁଁ ଏବେ ପରା ପିଠା ଖାଇଛି; ମୁଁ ଟିକେ ବୁଲି ଆସେ; ପରେ ଭାତ ଖାଇବି। ଏତିକି କହି ତରବରିଆ ଭାବରେ ମାଡି ଚାଲିଲି ପୌଲସ୍ତୀ ଓ ପ୍ରାଣ ନନା ପାଖକୁ।
ବହୁତ ଦିନ ପରେ ସାଙ୍ଗମାନଙ୍କ ମିଳନ; ପରସ୍ପର କୁ ଦେଖି ଅନ୍ଧ ହୋଇ ଯାଇଥିଲୁ ଆମେ। ପରସ୍ପର ଭିତରେ କେତେ କ'ଣ କଥାବାର୍ତ୍ତା, ଭଲ ମନ୍ଦ କଥା, ଗାଁର ପରମ୍ପରା ବିଷୟରେ ଅନେକ ଆଲୋଚନା କରିଥିଲୁ। ପୌଲସ୍ତୀ ଓ ପ୍ରାଣ ନନା ଅନେକ କଥା କହିଥିଲେ ଏବଂ ମୁଁ ମଧ୍ୟ କହିଥିଲି। ମୁଁ ତ ଅନେକ ଦିନ ପରେ ଯାଇଛି; ତେଣୁ ମୋର ଗାଁ ଟି ଭ୍ରମଣ କରିବାକୁ ଭାରି ମନ; ତେଣୁ ମୁଁ ସେମାନଙ୍କୁ ଚାଲ ଖେଳ ପଡିଆ ଆଡୁ ବୁଲି ଆସିବା ବୋଲି କହିଥିଲି। ଖେଳ ପଡିଆ ଟି ଆମ ଗ୍ରାମର ପ୍ରାନ୍ତ ରେ ଅବସ୍ଥିତ ବିଦ୍ୟାଳୟ ପାଖକୁ ଅବସ୍ଥିତ ଥାଏ। ତା' ସମ୍ମୁଖ ଆଡକୁ ଦେଖାଯାଏ ବିସ୍ତୀର୍ଣ୍ଣ ବିଲମାଳ।
କଥା ବାର୍ତ୍ତା ଆଳପରେ ପୌଲସ୍ତୀ ର ହଠାତ୍ ଦୃଷ୍ଟି ପଡିଲା ସବୁଜ ଶ୍ୟାମ କ୍ଷେତ ଉପରେ। ସେ କହିଲା; ଚାଲ ତିନି ଜଣ ମିଶି ବୁଲି ଆସିବା ଆମ ଗ୍ରାମର ଧାନ କ୍ଷେତ ଆଡୁ। କ୍ଷେତ ଗୁଡିକୁ ଦେଖିଲେ ମନଲୋଭା ଲାଗୁଥିଲା; ମନରେ କେମିତି ଏକ ସ୍ୱତନ୍ତ୍ର ଭାବନା ଜାଗ୍ରତ ହେଉଥିଲା। ମୁଁ ଆକୃଷ୍ଟ ହୋଇଯାଇଥିଲି ତା' ଆଡକୁ। ତିନି ଜଣ ମିଶି ଏବେ ଆମେ ଅଗ୍ରସର ହେଲୁ ବିଲମାଳ ଆଡକୁ।
ଗ୍ରାମ୍ଯ ଜୀବନରେ ମାଛ ଧରିବା ଲୋକ ମାନଙ୍କର ବହୁତ ପସନ୍ଦ। ବୈଶାଖୁ ନାମକ ଜଣେ ପିଲା ବିଲରୁ ନିର୍ଗତ ଅଳ୍ପ ଜଳଧାରା ମଧ୍ୟରେ ମାଛ ଧରୁ ଥାଏ। ହଠାତ୍ ତା'ର ହାତ ଏକ ଗାତ ସନ୍ଧିରେ ପ୍ରବେଶ କରାଇ ମାଛ ଧରୁଥାଏ। କିଛି ମାଛ ଧରିଲା ପରେ ତା'ର ମନରେ ଆଗ୍ରହ ବଢୁଥାଏ। ସେ ପୁଣି ଗୋଟିଏ ଗାତ ସନ୍ଧିରେ ହାତ ପ୍ରବେଶ କରାଇ ଥାଏ। ହଠାତ୍ ଗୋଟିଏ କଙ୍କଡ଼ା ତା' ହାତକୁ ଜାବୁଡି ଧରିଲା। ଫଳରେ ସେ ଗାତରୁ ତା' ହାତଟିକୁ ବାହାର କରିପାରୁ ନଥାଏ। ତା' ମୁଣ୍ଡକୁ କୌଣସି ବୁଦ୍ଧି ଆସୁ ନଥାଏ। ସେ ଯେତେବେଳେ ଚେଷ୍ଟା କରେ ହାତଟିକୁ ବାହାରକୁ ଆଣିବା ପାଇଁ କଙ୍କଡାଟି ତା'କୁ ଜାବୁଡି ଧରୁଥାଏ। ଏହା ଦେଖି ଆମେ ତିନି ଜଣ ଅନେକ ପରାମର୍ଶ ଦେଲୁ କିନ୍ତୁ କୌଣସି ଲାଭ ମିଳିଲା ନାହିଁ। ସେହି ବାଟ ଦେଇ ଗୋଟିଏ ସପନା ନାମକ ଗାଈଆଳ ଟୋକା ଯାଉଥାଏ ତା'ଙ୍କୁ ଆମେ ଡାକିଲୁ ସେ ଏଭଳି ଏକ କୌତୁହଳ ପୂର୍ଣ୍ଣ ଅବସ୍ଥା ଦେଖି ଆବାକ ହୋଇ ଯାଇଥିଲା। ବୈଶାଖୁ କହୁଥାଏ ଆରେ ଭାଇ ସପନା ମୋତେ କିଭଳି ଏଠାରୁ ବଞ୍ଚାଅ। ସପନା କ'ଣ ଭାବିଲା କେଜାଣି। ହଠାତ୍ ଗୋଟିଏ ବାଡି ଟିଏ ଆଣି ତା' ପିଠିରେ ଜୋର କରି ପ୍ରହାର କଲା ସେହି ମାଡ ଘାତରେ ଭୟରେ ବୈଶାଖୁ ତା' ହାତଟିକୁ ଜୋରରେ ଗାତ ଭିତରୁ ଟାଣି ଆଣିଲା ଏବଂ କଙ୍କଡାଟି ମଧ୍ୟ ବାହାରକୁ ବାହାରି ଆସିଲା। ଏଇଠୁ ଆମେ ଅନୁମାନ କଲୁ ଯେ ବାସ୍ତବରେ କମ ଭୟ ଠାରୁ ଭୟ ଯଦି ବେଶି ହୋଇ ଥାଏ ତେବେ ଆମର ବିଜୟ ହୁଏ। ତେଣୁ ସପନାର ଏହା ଥିଲା ଭୟର ଜୟ ଓ କୌତୁହୁଳ ପୂର୍ଣ୍ଣ ମଧ୍ୟ।
