STORYMIRROR

Sunanda Mohanty

Others

3  

Sunanda Mohanty

Others

ଭକ୍ତର ସେ ସିନା, ପତିତପାବନ ବାନା

ଭକ୍ତର ସେ ସିନା, ପତିତପାବନ ବାନା

2 mins
10


ସେଦିନ ଭିଟାମାଟିକୁ ଫେରିବା ପାଇଁ ସ୍ୱାମୀ ସ୍ତ୍ରୀ ଦୁହେଁ ଛୋଟ ଝିଅ ସହ ଷ୍ଟେସନରେ ପହଁଚିଲା ବେଳକୁ ଅବଶ୍ୟମ୍ଭାବୀ ଭିଡ଼, ସୋରିଷ ପକାଇବାକୁ ବି ଜାଗା ନାହିଁ ଷ୍ଟେସନ ଆଉ ଟ୍ରେନରେ । କଟକଣା ଭିତରେ ନିର୍ଦ୍ଦିଷ୍ଟ ସିଟରେ ବସିବା କଥା ନଭାବି, ଠେଲାପେଲା ସାଙ୍ଗକୁ ପୋଲିସଙ୍କ ତାଗିଦ ଭିତରେ ସ୍ୱାମୀଟି ସିଟ ଅକ୍ତିଆର କରିସାରିଥିଲା ହେଲେ ରହିଗଲା ସୁକାନ୍ତି ଛୋଟ ଝିଅ ସହ । ଉଠିପାରିଲାନି ଗଣ୍ଠିଲି ସହ ଟ୍ରେନକୁ ତ, ଟ୍ରେନ ଛାଡିଦେଇଥିଲା ଆଉ ଝରକା ଦେଇ ସ୍ୱାମୀ ସଦାନନ୍ଦ ବିକଳରେ ଚାଁହୁଥିଲା । କଣ କହୁଥିଲା ଶୁଭୁ ନଥିଲା ସୁକାନ୍ତୀକୁ ତ । ଏହି ଷ୍ଟେସନ ହିଁ ତାର ଘର ପାଲଟି ଯାଇଥିଲା । ଛୁଆଟାକୁ ପାଖରେ ଥିବା ଛତୁଆ ଗୁଣ୍ଡ ଟିକେ ଦେଇ ନିଜେ ସେଥିରୁ ମୁଠେ ଖାଇ ପରବର୍ତ୍ତୀ ଟ୍ରେନକୁ ଚାହିଁଥିଲା ସୁକାନ୍ତି ।

      ଦୁଇ ଦିନ ହେଲାଣି ଉପାସ ଭୋକରେ ହାତ ଗୋଡ଼ ଚାଲୁନଥିଲା ତାର । ପାଖରେ ଟଙ୍କା ପଇସା ନାହିଁ,ଯେତିକି ଥିଲା ସ୍ୱାମୀ ସଦାନନ୍ଦ ପକେଟରେ ରହିଗଲା ଆଉ ଯେଉଁ ଖୁଚୁରା କିଛି ଥିଲା ସେଥିରେ ପାଣି ବୋତଲ କେତଟି କିଣିବା ବି ଯଥେଷ୍ଟ ନଥିଲା । ତ ଖବର କାଗଜଟିଏ କିଣିଲା ସୁକାନ୍ତି ।

       ଶ୍ରମିକ ମାନଙ୍କର ଦୁଃଖ ଦୁର୍ଦ୍ଦଶାର କାହାଣୀ ପଢୁ ପଢୁ ପ୍ରଥମ ପୃଷ୍ଠାରେ ତା ପ୍ରିୟ ସହର ପୁରୀର ଜଗନ୍ନାଥଙ୍କ ସ୍ନାନପୂର୍ଣ୍ଣମୀ ନିଆରା ଢଙ୍ଗ ରେ ପାଳିତ କଥା ସବୁ ଜାଣିବା ସଙ୍ଗେ ମନ୍ଦିରରେ ଫର ଫର ଉଡୁଥିବା ପତିତପାବନ ବାନାଙ୍କୁ ଚାହିଁଲା ସୁକାନ୍ତି ଆଉ ଲୁହ ଛଳ ଛଳ ଆଖିରେ ଡାକିଲା ହେ ପ୍ରଭୁ, ଏ କରୋନାରୁ ମୁକ୍ତ କର ଏ ବିଶ୍ୱକୁ ଆଉ ସ୍ବାମୀଙ୍କ ପାଖରେ ପହଞ୍ଚାଇଦିଅ ମତେ । ଲୁହ ଦୁଇଧାର ପୋଛି ଭୋକ ପେଟରେ ଛୁଆଟାକୁ ଅବଶିଷ୍ଟ ଅଳ୍ପ ଛତୁଆ ଖୁଆଇଲା ବେଳେ ତାକୁ ଦେଖାଯାଉଥିଲା ସେଇ ଅବଢ଼ାର ଦୃଶ୍ୟ । ପ୍ରତିଥର ଛୁଆଟି ପାଟିକି ହାତ ନେଲାବେଳେ ସେ ଭାବୁଥିଲା ଅର୍ଣ୍ଣ, ମିଠାଡାଲି, ବେସର, ମହୁର, ଶାଗ ଇତ୍ୟାଦି ଖୁଆଉଛି ଯେମିତି, ଶେଷକୁ ଆଙ୍ଗୁଠି ଚାଟି ପାଣିମୁନ୍ଦେ ପି ଟ୍ରେନରେ ବସିଗଲା ସୁକାନ୍ତି । 

     କ୍ଳାନ୍ତି ଓ ଅବସାଦ ଭିତରେ ସ୍ବପ୍ନ ପରି ଦୃଶ୍ୟ ସବୁ ତା ଆଖି ଆଗରେ ସତସତିକା ଭଳି ଦେଖାଯାଉଥିଲା ଯେମିତି କୋଉଠି ମୃତ ମାଆର ପଣତ ଧରି ଛୁଆ ଡାକୁଛି ତ କୋଉଠି ଭୋକବିକଳରେ ଡାହାଣୀ ସାଜି ମାଆ କୋମଳମତି ଛୁଆଟିକୁ ଚେଙ୍କ ଦେବାକୁ ପଛାଉନି ତ କେଉଁଠି ରାସ୍ତାରେ ପ୍ରସବ ବେଦନାରେ ଛଟପଟ ହେଉଛି ସ୍ତ୍ରୀ ଟି, ତ କେଉଁଠି ବଳଦ ପରି ପୁରୁଷଟିଏ ଠେଲା ଗାଡ଼ିରେ ଭିଡି ଭିଡି ନେଉଛି ତା ସଂସାର ବୋଝକୁ। 

       କେତେବେଳେ ଟ୍ରେନ ଯାଇ ଲାଗିଛି ଗନ୍ତବ୍ୟ ସ୍ଥଳରେ । ଛୁଆସହ କ୍ଵରେଣ୍ଟାଇନ ସେଣ୍ଟରକୁ ଯାଇଛି ସୁକାନ୍ତି ହେଲେ ବଡଦାଣ୍ଡ ଅତିକ୍ରମ କଲାବେଳେ ଆତ୍ମତ୍ରୁପ୍ତିର ଆନ୍ତରିକତା ଭରା ପ୍ରଣାମଟିଏ ଜଣାଇଛି ବଡ଼ଦେଉଳ ସାମ୍ନାରେ । ଆଉ ଚାହିଁଛି ଘଡ଼ିଏ, ପତିତପାବନ ନୀଳଚକ୍ର ବାନାଙ୍କୁ, ଭାବିଛି ତା ଘର, ସ୍ୱାମୀ କଥା, ଆଉ କ୍ଵାରେଣ୍ଟାଇନ ସେଣ୍ଟର ରେ ସ୍ବାମୀକୁ ପାଇ ଆତ୍ମହରା ସୁକାନ୍ତି ଭୋ ଭୋ ହୋଇ କାନ୍ଦୁଥିଲା ଆଉ ସେ କାନ୍ଦ ଭିତରେ ତିନି ଯୋଡ଼ା ଅଦୃଶ୍ୟ ପାଦ କୁ ଯେ ସେ ଧୋଇ ଚାଲିଥିଲା ଭକ୍ତି ଭାବନାରେ, ଏକଥା ସେ ହିଁ ଜାଣୁଥିଲା.


Rate this content
Log in