Lipsa Panda

Others

3  

Lipsa Panda

Others

ଭକ୍ତର ଭଗବାନ

ଭକ୍ତର ଭଗବାନ

3 mins
7.7K


କଲେଜ୍ ସରୁ ସରୁ ବାହା ଘର। ଶାଶୁଘରେ ଦୁଇ ସପ୍ତାହ ରହି ହାଇଦ୍ରାବାଦ ଚାଲି ଆସିଲି। କ୍ୟାମ୍ପସ୍ ସିଲେକ୍ସନ ହେଇଥିଲେ ମଧ୍ୟ ଜଏନିଂଗ ଲେଟର୍ ଆସି ନଥାଏ। ସ୍ଵାମୀ ଅଫିସ ବାହାରି ଗଲା ପରେ ରହି ଯାଉ ଘରୁ ସାଙ୍ଗରେ ଆଣିଥିବା ଜଗନ୍ନାଥଙ୍କ ମୂର୍ତ୍ତୀ ଆଉ ମୁଁ। ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ସମୟ କାଟି ଦେଉ।

ଘରକୁ ଯାଇଥିଲି ବୁଲିବାକୁ ଦୁଇ ମାସ ପରେ। ସେଇଠି ଥିଲା ବେଳେ ଜଏନିଂଗ ପାଇଁ ଲେଟର୍ ଆସିଲା ଓ ଯୋଗକୁ ଟ୍ରେନିଙ୍ଗ ପଡ଼ିଲା ଭୁବନେଶ୍ଵରରେ। ସେଠି ତିନି ମାସର ରହଣି ଭିତରେ ଶୁଣିଲି ହାଇଦ୍ରାବାଦରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି। ଏଥର ଆଉ ଅଜଣା ଜାଗାକୁ ଫେରିଲା ଭଳି ଲାଗିଲାନି ।ମୋ ଠାକୁର ମତେ ଦୟାକରି ମୋ କର୍ମ ସ୍ଥଳୀରେ ବିଜେ କଲେ। ରଙ୍କକୁ କୋଟି ନିଧି ମିଳି ଯିବାର ଅନୁଭବ ନେଇ ହାଇଦ୍ରାବାଦ ଫେରିଲି।

ଏବେ ପ୍ରତି ପର୍ବପର୍ବାଣୀରେ, ପ୍ରତି ସୁଖ ଦୁଃଖରେ ମୋ ଘରର ମୁରବୀଙ୍କ ପାଖକୁ ଦୌଡ଼ିଲି। ଆଉ କି ଏକେଲା ପଣ! ପିରିୟଡ ଗଡ଼ି ଯିବାର ଦେଖି pregnancy କିଟ୍ ଆଣି ଟେଷ୍ଟ୍ କଲା ବେଳକୁ ସେଠି ଦୁଇଟି ଲାଇନ୍ ଦେଖି ଦୌଡ଼ିଲୁ ଦୁହେଁ ତାଙ୍କ ପାଖକୁ। କହି ଦେଇ ତାଙ୍କୁ, ତାଙ୍କରି ବାଇଶି ପାହାଚରୁ ହିଁ ଘର ଲୋକଙ୍କୁ ଫୋନ୍ କରି ଜଣେଇଲି ଶୁଭ ଖବରଟି ।

ଏମିତି ଏମିତି ଗଡ଼ି ଚାଲିଲା ଦିନ। ଆସିଲା ରଥଯାତ୍ରା ସମୟ। ସାତ ମାସ ଚାଲିଥାଏ ମୋର। ନିହାତି କଷ୍ଟକର ଅବସ୍ଥା ଏଡ଼ଭାନସ୍ ଷ୍ଟେଜ ହେତୁ। ମୋ ଠାକୁର ଦାଣ୍ଡକୁ ଓହ୍ଲେଇଛନ୍ତି, ମୁଁ ଘରେ ରହିବି କେମିତି ଯେ! ସ୍ଵାମୀ ଖରା ଲାଗି ବ୍ୟସ୍ତ ହେଉଥାନ୍ତି, ମୋ ଅବସ୍ଥା ଟାଣ ଖରାରେ ବିଗିଡ଼ି ଯାଇପାରେ ଭାବି। ମୁଁ ତାଙ୍କୁ ସାନ୍ତ୍ଵନା ଦେଲି, ରଥଯାତ୍ରା ମାନେ ବର୍ଷା ନିଶ୍ଚୟ ହେବ। ଇନ୍ଦ୍ରଦେବ ରଥାରୁଢ଼ ମହାପ୍ରଭୁଙ୍କୁ ଦେଖା କରିବାକୁ ଆସିବେ ହିଁ ଆସିବେ। ଆକାଶରେ କିନ୍ତୁ ବାଦଲର ଚିହ୍ନ ସୁଦ୍ଧା ନଥାଏ। ପହଞ୍ଚିଲୁ ଯାଇ ମନ୍ଦିରରେ। ଲୋକାରଣ୍ୟ ମନ୍ଦିର ପ୍ରାଙ୍ଗଣ । ଗୋଟେ କୋଣରେ ଜାଗା ଟିକେ ପାଇ ବସି ଗଲୁ। ହାଇଦ୍ରାବାଦରେ ରହୁଥିବା ପ୍ରତିଟି ଓଡ଼ିଆ ଆସିଛନ୍ତି ମହାପ୍ରଭୁଙ୍କ ଦର୍ଶନ ସକାଶେ।

ବାହାରେ ଦେଖା ହେଲେ ନିଜକୁ ଓଡ଼ିଆ ବୋଲି ଚିହ୍ନା ଦେବାକୁ କୁଣ୍ଠା ପ୍ରକାଶ କରୁଥିବା ଲୋକମାନେ କିନ୍ତୁ ମହାପ୍ରଭୁଙ୍କ ସାମ୍ନାରେ ଖାଣ୍ଟି ଓଡ଼ିଆଟିଏ ପାଲଟି ଯାଆନ୍ତି! କି ଦିନ ମଜୁରିଆ, କି ଆଇ.ଏ.ଏସ୍ ଅଧିକାରୀ, କିଛି ବାଛ ବିଚାର ନ ଥାଏ ତାଙ୍କ ସାମ୍ନାରେ। ସବୁ ସାଧାରଣ ଭକ୍ତ ଜଣେ ଜଣେ ସେଠି। ଯୋଉଠି ରାଜା ନିଜେ ସେବକ, ସେଠି ଅଲଗା ଲୋକଙ୍କ କଥା କଣ ବା କହିବା!

ରଥ ଟଣା ଆରମ୍ଭ ହେଲା । ଭାରି ଶରୀରକୁ ଧରି ରଥ ଦଉଡ଼ିକୁ ଟିକେ ଛୁଇଁବାର ସାହାସ ବି କରି ପାରୁ ନଥାଏ। ଦୂରରୁ ଦେଖୁଥାଏ ଠିଆ ହୋଇ ରଥ ଟଣା । ମୁଣ୍ଡଫଟା ଖରା । ମନେ ମନେ ଡାକୁଥାଏ ପ୍ରଭୁଙ୍କୁ, ଛୁଆଟିଏ ହେଲା ପରେ କେଜାଣି କେତେ ବର୍ଷ ଯାଏଁ ଆଉ ରଥଯାତ୍ରା ଦେଖିବାରୁ, ରଥ ଦଉଡ଼ି ଛୁଇଁବାରୁ ବଞ୍ଚିତ ହେବି! ଗର୍ଭବତୀଟିଏର ସବୁ ଇଚ୍ଛା ପୂରଣ କରନ୍ତି ପରିବାର ଲୋକେ ତା ମନ ଖୁସି କରିବାକୁ। ମୋ ଇଚ୍ଛା କଣ ଅପୂର୍ଣ୍ଣ ରହିଯିବ ମହାବାହୁ! ଏଣେ ମୁଣ୍ଡ ଫଟା ଖରାରେ ଠିଆ ହୋଇ ରହିବା କଷ୍ଟ ସାଧ୍ୟ ହୋଇ ପଡୁଥାଏ ବେଳକୁ ବେଳ। ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ହୋଇ ସାରିଲାଣି। ଆସିଲେ କାଳିଆ ଠାକୁର। ପ୍ରବଳ ଭାବାବେଗରେ ସବୁ ଉତ୍କଣ୍ଠିତ ଭକ୍ତ ଟାଣି ନେଇ ଚାଲିଲେ ତାଙ୍କୁ ମାଉସୀ ମା’ଙ୍କ ମନ୍ଦିର ଆଡ଼କୁ । କେଜାଣି କୋଉ ଗୋଟେ ଆଶା ନେଇ ରଥର ପଛେ ପଛେ ଚାଲିଥାଏ ମୁଁ। ସ୍ଵାମୀ ଏବେ ଫେରିଯିବାକୁ ବାଧ୍ୟ କରିବା ଆରମ୍ଭ କଲେଣି। ହଠାତ୍ ମାଡ଼ି ଆସିଲା କଳା ହାଣ୍ଡିଆ ମେଘ, ଢାଳି ଦେଇ ଗଲା ବର୍ଷା ପ୍ରବଳ ମାତ୍ରାରେ। ସବୁ ଲୋକ ଛିନ୍ ଛତ୍ର ହୋଇ ପାଖ ବିଲଡିଂ ସବୁକୁ ଚାଲିଗଲେ। ମିଳିଗଲା ମତେ ମୋ ବାଞ୍ଛିତ ମୁହୂର୍ତ୍ତ। ଖାଲି ରଥ ଦଉଡ଼ି ଛୁଇଁଲିନି ତ ଟାଣି ସୁଦ୍ଧା ପାରିଲି କିଛି ଦୂର ଯାଏଁ। ମୋ ଅବସ୍ଥା ଦେଖି ଉପସ୍ଥିତ ଲୋକମାନେ ସୁଦ୍ଧା ସହଯୋଗ କଲେ। ସରବୁଡା଼ ଓଦା ହୋଇ ଫେରିଲାବେଳେ ଏକ ଆତ୍ମ ତୃପ୍ତି ନେଇ ବିଜୟ ସୂଚକ ଚାହାଣିଟେ ଫେରୋଉ ଥିଲି ସ୍ଵାମୀଙ୍କ ଆଡ଼କୁ।

ଅନ୍ତରର ଗୁହାରୀ ଯେ ନିଶ୍ଚୟ ଶୁଣନ୍ତି ସେ ଅନ୍ତର୍ଯ୍ୟାମୀ, ସେ ପ୍ରମାଣ ଆଉ ଥରେ ପାଇଗଲି। ଭକ୍ତର ସମ୍ମାନ ରକ୍ଷା ପାଇଁ ଏତିକି ଟିକେ କରିବେନି ଭକ୍ତବତ୍ସଳ ଦୀନବନ୍ଧୁ !


Rate this content
Log in