Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Prasanta kumar Hota

Others

3  

Prasanta kumar Hota

Others

ଭିଟାମାଟି

ଭିଟାମାଟି

3 mins
205



ଯୋଉଦିନ ଠାରୁ ବାପା ମାଆଙ୍କ ର ଦେହାନ୍ତ ହୋଇଥିଲା ସେହିଦିନ ଠାରୁ ସୁରେଶ ବୋଧେ ଆଉ ଗାଁ ମାଟି ମାଡି ନାହାନ୍ତି। ଗାଁ ରେ ବି ତାଙ୍କର ସେମିତି ଜମିବାଡି ନାହିଁ ଯାହାକୁ ଆଶ୍ରା କରି ସେ ମଝିରେ ମଝିରେ ଯିବେ। ଗଲେ ବି କାହା ଘରେ ଆଶ୍ରା ନେବା ଆଜିକାଲି ଚିନ୍ତା ର କାରଣ। ନୂଆ ପିଢି ଅତ୍ୟନ୍ତ ନିଜର ଛଡା ଆଉ କାହାର ବୋଝ ଉଠେଇବାକୁ ପ୍ରସ୍ତୁତ ନୁହନ୍ତି। ଯୋଉ ଘରେ ବାପା ମାଆ ଆଗରୁ ରହୁଥିଲେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଇ ଆସିଲାଣି। ସୁରେଶ ଥରେ ଅବଶ୍ୟ ବାହାରିଥିଲେ ଘରଟିର ମରାମତି କାର୍ଯ୍ୟ କରିବା ପାଇଁ। କିନ୍ତୁ ପତ୍ନୀ ସୁଶିଳା କହିଲେ ନିଜେ ଯଦି ରହିବାର ଅଛି କର। 

ସୁରେଶଙ୍କର ଅକଲ ଗୁଡୁମ ହେଇଗଲା। ସେ ରହିଲେ ଏକୁଟିଆ କେମିତି ରହିବେ! ବାକି ପରିବାର କୁଆଡେ ଯିବ। ଭୂବନେଶ୍ବର ରେ ରହିବାର ନିଶା ସମସ୍ତଙ୍କର। ସୁରେଶ ବାବୁ ଅଗତ୍ୟା ଗାଁ କୁ ଯିବା ର ଅଳ୍ପ ବହୁତ ଯାହା ଇଛା ଥିଲା ଭାଙ୍ଗି ଦେଲେ। 

ନିଜ ଇଚ୍ଛା ଯୋଉଥିପାଇଁ ବି ଭାଙ୍ଗୁ ସୁଶିଳା ଙ୍କ ସଦାବେଳେ ଗୋଟିଏ ଆରୋପ ଯେ ସେ ଏକୁଟିଆ କେବେ ରହି ପାରିବେ ନାହିଁ। ଗାଁ ଘର ଥାଇ ଲାଭ କଣ।


ସୁରେଶଙ୍କର ପଦୋନ୍ନତି ହେଲାପରେ ବଦଳି ବାଲେଶ୍ଵର ହେଲା। ପରିବାର ଭୂବନେଶ୍ବର ରେ ଛାଡି ସେ ବାଲେଶ୍ୱରରେ ଏକୁଟିଆ ରହିବାକୁ ଲାଗିଲେ। ସୁଶିଳା ଙ୍କୁ ମଝିରେ ମଝିରେ କହନ୍ତି, ଏବେ ଏକୁଟିଆ ରହି ପାରୁଛି ନା ନାହିଁ କୁହ। 

ସୁଶିଳା ମୁହଁ ମୋଡିଦେଇ କହିବେ - କିଏ ଜାଣିଲା ତମେ ସେଠି କାହାକୁ ଠିକ କରି ରଖିଥିବ। 

ଏଭଳି ମନ୍ତବ୍ୟକୁ ସୁରେଶ ପ୍ରତ୍ୟୁତ୍ତର ରେ ସମ୍ମୁଖୀନ ହେବା ପାଇଁ ଉଚିତ ମନେ କରନ୍ତି ନାହିଁ। ଯୋଉଠି ପ୍ରଶ୍ନ ର ବାସ୍ତବ ଉତ୍ତର ନଥାଏ ସେଠାରେ ପ୍ରଶ୍ନ ର ଉଦ୍ଦେଶ୍ୟ କେତେବେଳେ ଯେ ବାଟ ଭାଙ୍ଗି ନୂତନ ଦିଶା ଗ୍ରହଣ କରିବ କେହି କହି ପାରିଵେ ନାହିଁ। 


ବାଲେଶ୍ୱର ଠାରୁ ଗାଁ ଟା ବେଶି ଦୂର ନୁହେଁ। ବେଳେବେଳେ ଅଫିସ ଗାଡି ନେଇକି ପଳାନ୍ତି। ଛୁଟି ଦିନରେ କାହା ଠାରୁ ମଟର ସାଇକେଲ ମାଗି ନେଇ ପଳାନ୍ତି। ଗାଁ ରେ ନିଜ ଭାଇ ଭଉଣୀ ନଥିଲେ ବି ଭିଟାମାଟି ର ମୋହ ଏକ ଅଦ୍ଭୁତ ଆକର୍ଷଣରେ ଟାଣି ଆଣୁଥିଲା। ଯୋଉଦିନ ଗାଁ ରେ ଥିବା ଘର ପଛପଟ ଜମିଟା ତାଙ୍କୁ କିଣିବାକୁ ମିଳିଗଲା ତାଙ୍କର ଗାଁ ପ୍ରତି ଉତ୍ସାହ ଓ ଆଗ୍ରହ ଆହୁରି ବଢିଗଲା। ଏ ଜମିଟା ତାଙ୍କ ବାପା ତାର ପଢାପଢି ପାଇଁ ବିକି ଦେଇଥିଲେ। ଏବେ ସେ ନିଜ ଭିଟାମାଟିକୁ ପୂର୍ବ ପୁରୁଷଙ୍କ ଭିଟାମାଟି ରେ ଯୋଡ଼ି ଦେଇ ପାରିଥିବାରୁ ଆତ୍ମ ସନ୍ତୋଷ ପାଉଥିଲେ। ଏବେ ସେଇ ଯାଗାରେ ସେ ବଗିଚା କରିବା ଆରମ୍ଭ କରିଦେଲେ। ଜଣେ ଲୋକ ବି ଦେଖା ଦେଖି କରିବା ପାଇଁ ରହିଲା। ଘର ବି ପରିଷ୍କାର ପରିଚ୍ଛନ୍ନ ରହିଲା। ଅବସର ପୂର୍ବରୁ ସେ ନିଜ କୁ ନିଜ ଭିଟାମାଟି ରେ ଭିଜାଇ ଦେବା ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ସାରିଥାନ୍ତି ।

ସୁରେଶ ଅବସର ନେଲେ। ସମସ୍ତେ ଭୂବନେଶ୍ବରରେ ରହିବା ପାଇଁ ନିଷ୍ପତ୍ତି ନେଲେ। ସୁରେଶ କାହାର ଇଛାକୁ ପ୍ରତିବାଦ କଲେ ନାହିଁ। କିନ୍ତୁ କିଛି ଦିନ ପରେ ବାଲେଶ୍ଵର ନିକଟସ୍ଥ ହରିପୁର ଗାଁ ରେ ଆସି ରହିବାକୁ ଲାଗିଲେ। ସୁଶିଳା କିଛି ଦିନ ଭୁବନେଶ୍ୱର ଘରେ ପୁଅ ବୋହୁ ଙ୍କ ସହିତ ରହିଲେ ତାପରେ ବାଙ୍ଗାଲୋରରେ ଥିବା ଝିଅ ପାଖକୁ ଚାଲି ଗଲେ। ଚାରି ପାଞ୍ଚ ବର୍ଷ ପୁଅ ଝିଅଙ୍କ ପାଖରେ ରହି ରହି ବଞ୍ଚିବାର ଆଶ୍ରା ସିନା ପାଇଗଲେ କିନ୍ତୁ ଜୀବନର ଆନନ୍ଦ ଯେମିତି କୁଆଡ଼େ ଲୁଚିଗଲା ପରି ଲାଗିଲା। ବଞ୍ଚିବାର ମୋହ ବଞ୍ଚିବାରେ ଯେତିକି ନଥାଏ ତାଠାରୁ ଅଧିକ ଥାଏ ନିଜ ଉପସ୍ଥିତି ଜାହିର କରିବାରେ ଓ ଆତ୍ମ ପ୍ରଶଂସା ଶୁଣିବାରେ। କିନ୍ତୁ ଯୋଉ ଡାଳ ଶୁଖି ଆସିଲାଣି ଏବେ ତା ଉପରେ ଭରା କିଏ ଦେବ, ସିଏ ତ କଟା ହେବାର ଯୋଗ୍ୟ। ତେଣୁ ଉପେକ୍ଷା ହେବାଟା ସ୍ଵାଭାବିକ। ଏହି ତତ୍ତ୍ଵକୁ ଯୋଉଦିନ ସୁଶିଳା ହୃଦୟଙ୍ଗମ କରିବାକୁ ଲାଗିଲେ ସେ ନିଜର ସ୍ଥିତି କେବଳ ସ୍ଵାମୀ ଙ୍କ ପାଖରେ ହିଁ ମଜଭୁତ ବୋଲି ଭାବିଲେ। 

ସୁଶୀଳା ସ୍ଵାମୀ ଙ୍କୁ ନ ଜାଣଇ ହଠାତ ଆସି ଦିନେ ହରିପୁର ଗାଁ ରେ ପହଞ୍ଚି ଗଲେ। ସୁଶିଳାଙ୍କର ଏଇଟା ତିରିଶି ବର୍ଷ ପରେ ଗାଁ କୁ ପ୍ରବେଶ। ସୁରେଶ ଯେତେବେଳେ ସୁଶୀଲାଙ୍କୁ ତାଙ୍କ ରୁମ ଦେଖେଇ ଦେଇ କହିଲେ - ମୁଁ ଏ ରୁମକୁ ତମ ଆସିଲା ପର୍ଯ୍ୟନ୍ତ ଅପେକ୍ଷା କରି ଅଛି। ତମେ ଆସିଲେ ଆମେ ରହିବା। ସୁଶିଳା ପଚାରିଲେ - ତମେ ତାହେଲେ ଶୋଉଛ କୋଉଠି। 

ସୁରେଶ ବାଟଘରକୁ ଲାଗିକରି ଥିବା ପିଣ୍ଡା ଉପରକୁ ଦେଖାଇ ଦେଲେ। ସେଠାରେ ଗୋଟିଏ ଖଟ ପଡିଥିଲା। 

ସୁଶୀଳା ଆଶ୍ଚର୍ଯ୍ୟ ହେଇ କହିଲେ - ମୋତେ କାହିଁକି ଅପେକ୍ଷା କରି ଥିଲ। 

ହସିଦେଇ ସୁରେଶ କହିଲେ -ସ୍ତ୍ରୀ ବିନା ଗୃହ ପ୍ରବେଶ କେମିତି କରିଥାନ୍ତି। ମୁଁ ଜାଣିଛି ତମେ ଦିନେ ନା ଦିନେ ଆସିବ। ଟିକିଏ ଡେରି ହେଇଗଲା। କିନ୍ତୁ ଆସିଲ ତ ନିଶ୍ଚୟ। 

ଭିଟାମାଟି ର ଆକର୍ଷଣ ଏଡାଇବା ଏତେ ସହଜ ନୁହେଁ। ପୂର୍ବ ପୁରୁଷ ଙ୍କ ସ୍ମୃତି ଏଠି ଅଛି। ଏତେ ସହଜରେ ଛାଡି ଚାଲିଗଲେ ତାଙ୍କ ଆଶିର୍ବାଦ ଆମ ଉପରେ ରହିବ ତ! 

ସୁଶୀଳା ଆଉ କିଛି ନ କହି ରୋଷେଇ ଘର ଆଡେ ଦେଖିବାକୁ ଚାଲିଗଲେ। 

ସୁରେଶ ଜାଣି ପାରିଲେ ସୁଶୀଳା ବୋଧେ ଆଉ ଏଠୁ ଯିବେ ନାହିଁ। ତାଙ୍କୁ ବି ଭିଟାମାଟି ଭିଡି ଧରିଲାଣି।


Rate this content
Log in