ଭିନ୍ନ ଏକ ପ୍ରତିବାଦ
ଭିନ୍ନ ଏକ ପ୍ରତିବାଦ


ଚାରିବର୍ଷର ଝିଅ ପୁପୁଲ ଉପରେ ଚିଡି ଯାଇ ବିଥିକା ସେଦିନ କହିଲେ, "ଯା ପାପାଙ୍କ ପାଖେ ଗପ ଶୁଣିବୁ। ମୋ ଅଣ୍ଟା ବିନ୍ଧୁଛି, ମୁଁ ଶୋଇବି। ସକାଳେ ମୋର କେତେ କାମ। ରାତି ଏତେ ହେଲାଣି ପିଲାଟା ଆଖିକୁ ନିଦ ନାହିଁ ଜମା। " ମାମାଠୁ ଗାଳି ଶୁଣି ପୁପୁଲ ଚାଲିଗଲା ବାପାଙ୍କ ପାଖକୁ। ଖାଇ ସାରିବା ପରେ ଗପ ନ ଶୁଣିଲେ ତାକୁ ନିଦ ହୁଏନି। ବେକରେ ହାତ ଆଉ ଅଣ୍ଟାରେ ଗୋଡ ପକେଇ ଗେହ୍ଲେଇ ହେଇ କହିଲା ,"ପାପା, ଗୋଟେ ଗପ କୁହନା। ମାମା ରାଗୁଛି। " ଥାଉ, ମାମା ଦେହ ଭଲ ନାହିଁ, ଲାଗେନି ତା ସାଙ୍ଗେ। ମୋ ଗେହ୍ଲା ଝିଅକୁ ମୁଁ ଗପ କହିବି।" ରାଜୀବ ଗେଲ କରି କହିଲେ। ପୁପୁଲ ଜାକି ହେଇଗଲା,ରାଜୀବଙ୍କ ଦେହରେ। ମୋବାଇଲକୁ ପାଖ ଟେବୁଲରେ ରଖି ରାଜୀବ କହିଲେ।
ଶୁଣ, ନୟନଗଡ଼ ଜଙ୍ଗଲରେ ଏକାକୀ ହୋଇ ଠିଆ ହୋଇଥାଏ ବରଗଛ ଟିଏ କାହିଁ କେତେ କାଳରୁ । ସମୟ ଓ ପରିସ୍ଥିତିର ସାମ୍ନା କରି । ତା ଡାଳରେ ଆଶ୍ରୟ ଦେଇଛି କେତେ ପକ୍ଷୀଙ୍କୁ। କିଛି ପରଦେଶୀ, କିଛି ଅଧିବାସୀ। ସଞ୍ଜ ହେଲେ, ଚୁପଚାପ ବରଗଛ ମୂଳ ତା କୋଳାହଳରେ ଭରି ଯାଏ। ସ୍ଥାଣୁ ହୋଇ ଠିଆ ହୋଇ ଥିବା ପରିବେଶଟି ଜୀବନ୍ତ ହୋଇଉଠେ। ଅନେକ ବିଷୟରେ ଆଲୋଚନାରେ ଫାଟି ପଡେ ଜାଗାଟି। ଚଢେଇ ମାନଙ୍କ ଭଳିକିଭଳି ସ୍ୱରରେ, ପ୍ରକମ୍ପିତ ହୁଏ ଜଙ୍ଗଲ।
ସେଇ ଗଛ ଡାଳରେ ବସା ବାନ୍ଧି ରହୁଥିବା କୁନି ଘରଚଟିଆ ଦିନେ ତା ମା କୁ କହିଲା, "ମା' ଦେଖିଲୁଣି, ଆମ ଗଛରେ ନୂଆ ଚଢ଼େଇଟେ ବସା ବାନ୍ଧିଛି। ଖୁବ ସୁନ୍ଦର ତା ଦେହ। ଆଉ ବଢିଆ ଗୀତ ଗାଇ ପାରେ ସେ। ସେ କହେ ସେମାନେ କୁଆଡେ ବୁଲବୁଲ। ମୋତେ ତା ସାଙ୍ଗ ହେବାକୁ ଭାରି ଭଲ ଲାଗୁଛି। ସେ ବି ମୋତେ ତା ପରି ଗାଇବା ଶିଖେଇ ଦେବ କହିଛି। ମୁଁ ଭାରି ଖୁସି ଏମିତି ସାଙ୍ଗଟେ ପାଇ। "ଦିନ ବିତି ଚାଲିଲା, ଘରଚଟିଆ ଆଉ ବୁଲବୁଲଙ୍କ ବନ୍ଧୁତା ବି ଆହୁରି ମଜବୁତ ହେଇଗଲା। ସେମାନେ ଏକାଠି ସମୟ କାଟନ୍ତି, ଦିନ ବେଳେ। ସଂଧ୍ୟା ହେଲେ ଯେ ଯାହା ବସାକୁ ଫେରି ଯାଆନ୍ତି। ଘରଚଟିଆ ଏବେ ବୁଲବୁଲ ପରି ଗୀତ ଗାଇବା ଶିଖିଲାଣି । ବସାକୁ ଫେରି ମା ଆଗେ ଗାଇ ଶୁଣାଏ, ବୁଲବୁଲ ର ଗୀତ। ମା ଖୁସି ହୁଏ। କିନ୍ତୁ କିଛି କହେନି।
ଏମିତି ଦିନେ ସେମାନେ ଗଛ ଡାଳରେ ବସି ଗୀତ ଗାଇଲା ବେଳେ, ନାଲି ଥଣ୍ଟିଆ ଶୁଆ ତାଙ୍କ ଗୀତ ଶୁଣୁଥିଲା। ବୁଲବୁଲ ସୁରରେ ସୁର ମିଶେଇ ଗୀତ ଗାଉଥିବା ଦେଖି ଶୁଆ ହସିଲା। ବୁଲବୁଲକୁ ଖରାପ ଲାଗିଲା। ସେ ମୁହଁ ଶୁଖେଇ ଦେଲା। ଘରଚଟିଆକୁ କିନ୍ତୁ ରାଗ ଲାଗିଲା ସେ ପ୍ରତିବାଦ କଲା। କହିଲା, "ଆଲୋ ସରୁନାକୀ କଣ ପାଇଁ ହସୁଛୁ ଏତେ। ଅପୂର୍ବ କଥାଟିଏ ଦେଖି ପକେଇଲୁ କି? ଶୁଆ କହିଲା, ହଁ ଅପୂର୍ବ ନୁହେଁ ଆଉ କଣ? ଯଦି ବଗ ହଂସ ପରି ପହଁରେ, ଯଦି ଶଙ୍ଖଚିଲ ମୟୁର ପରି ନାଚେ? ହସ ଲାଗିବନି? "ଏତିକି ଶୁଣି ଘରଚଟିଆ କହିଲା," ଚାଲ ସାଙ୍ଗ ଆମେ ଆଉ ଗୋଟେ ଜାଗାକୁ ଯିବା ଏଠି କିଛି ନୂଆ କରିବାକୁ ଚେଷ୍ଟା କଲେ, ଥଟ୍ଟା କରିବାକୁ ଅନେକ ଚାଲି ଆସିବେ। " ସେମାନେ ସେଠୁ ଚାଲିଗଲେ।
ରାତିରେ ଘରଚଟିଆ ମା ଆଗେ ସବୁକଥା କହିଲା। ତା ମନ ଦୁଃଖ ଥିଲା। ମା ତାର ତାକୁ ଗୋଟେ ସୁନ୍ଦର ଗୀତ ଗାଇ ଶୁଆଇଦେଲା। ସକାଳେ ଖୁବ ଖୁସିରେ ଘରଚଟିଆ ମା କୁ ପଚାରିଲା, ଆଲୋ, ମା! ତୁ ଏତେ ସୁନ୍ଦର ଗୀତ କୋଉଠୁ ଶିଖିଲୁ? ମା ତାର ହସିକି କହିଲା, ଏଇ ନଈ ଠୁ, ପବନ ଠୁ, ଜହ୍ନ ଠୁ ଆଉ ତୋ ପରି କୁନି କୁନି କଇଁ ଠୁ। ଖୁସିରେ ତା ବେକରେ ବୋକ ଦେଲା କୁନି ଘରଚଟିଆ। ଶୁଆ କାଲିର ଘଟଣା ବୁଲିବୁଲି ଜଙ୍ଗଲ ସାରା ସମସ୍ତଙ୍କୁ କହିଦେଇଛି। ତାକୁ ସମର୍ଥନ କରିଛନ୍ତି କୋଇଲି, କଜଳପାତି, ସାରୀ ଆଉ କୁମ୍ଭଟୁଆ। ସମସ୍ତେ ମିଶି ଯାଇ ପହଞ୍ଚିଲେ ବୁଲବୁଲ ଆଉ ଘରଚଟିଆଙ୍କ ପାଖେ। ସେମାନଙ୍କ ଭିତରୁ କଜଳପାତି କହିଲା, " ଆମେ ଜାଣିବାକୁ ପାଇଲୁ ତମେ ଦି ଜଣ କୁଆଡେ ଖୁବ ସୁନ୍ଦର ଗୀତ ବୋଲୁଛ। ଆମକୁ ବ ଶୁଣାନ୍ତନି ତମ ନୂଆ ଗୀତରୁ କିଛି। " ସାରୀ କହିଲା, "ଗୋଟେ କାମ କରିବା କାଲି ସଭା ଡାକିବା ଆଉ ସମସ୍ତେ ନିଜ ନିଜ ଗୀତ ଗାଇବା।" ଦି ସାଙ୍ଗ ପରସ୍ପରକୁ ଦେଖିଲେ। ପକ୍ଷୀ ମାନେ ଗଲାପରେ ବୁଲବୁଲ କହିଲା, "ସାଙ୍ଗ ତମ ଗୀତ ଶୁଣି ଶୁଆ ସେଦିନ ହସିଥିଲା। ତମେ କାଲି ଜମା ଏକ ଗୀତ ଗାଇବନି। ଆମେ ଦୁହେଁ ସାଙ୍ଗ ହୋଇ ଗାଇବା। ଦେଖିବା ଆମ ଗୀତ କେମିତି ଭଲ ନ ହେବ।" ସେମାନେ ଖୁବ ଅଭ୍ୟାସରେ ଲାଗି ପଡିଲେ। ଘରଚଟିଆର ମା ଜାଣିଲା ସବୁ କଥା ଆଉ ତା ଛୁଆକୁ ଗେଲ କଲା।
ପରଦିନ ସଂଧ୍ୟାରେ ଆରମ୍ଭ ହେଲା ଗୀତର ଆସର। ସବୁ ପକ୍ଷୀ ଯୋଗ ଦେଲେ । ମୟୁର ହେଲେ ମୁଖ୍ୟ ଅତିଥି। ଆଉ ମୁଖ୍ୟ ବକ୍ତା ତଥା ସଭା ପରିଚାଳନା ଦାୟିତ୍ୱରେ ଶୁଆ। ଆଗେ କୋଇଲି ଆସି ମଙ୍ଗଳାଚରଣ ଗାଇଲା। ସେଥିରେ ସମସ୍ତେ ଖୁସି ହୋଇ ଡେଣା ଫଡଫଡ କରି ତାଳି ମାରିଲେ। ତାପରେ ଆସିଲା ସାରୀ, ସେ ତା ସୁମଧୁର ସ୍ୱରରେ ସମସ୍ତଙ୍କୁ ମୋହିତ କରିଦେଲା। ପେଚା ଆଖିରେ ତ ପଲକ ପଡ଼ୁନଥିଲା ସାରୀ ଗୀତ ଶୁଣି। ଏମିତି ଜଣକ ପରେ ଜଣେ ଗଲେ। ଆସିଲା ଦୁଇ ସାଙ୍ଗଙ୍କ ପାଳି।
ଆଳାପ ଆରମ୍ଭ କଲା ବୁଲବୁଲ, ସମସ୍ତେ ଶୁଣି ସ୍ତମ୍ଭିଭୁତ ହେଇଗଲେ। କେତେ ସୁନ୍ଦର ତା ସ୍ୱର ଆଉ ତା ରୂପ। ଅନ୍ତରା ଗାଇବାକୁ ଯେତେବେଳେ ଘରଚଟିଆ ସମାନ ତାଳରେ ଆରମ୍ଭ କଲା। ସମସ୍ତେ ହୋ ହୋ ହେଇ ହସି ଉଠିଲେ। ସମସ୍ତେ ନିଜ ନିଜ ଶୈଳୀରେ କଟୁ ମନ୍ତବ୍ୟ ଦେଲେ। ମୁଖ୍ୟ ଅତିଥି ମୟୁର ବି ବେକ ବୁଲେଇ ପିଠି କୁଣ୍ଡେଇବା ଆଳରେ ହସିପକେଇଲେ । ଆଉ କାଠହଣା ଆଉ ମାଛରଙ୍କା ମାନେ ଥଣ୍ଟ ବାଡେଇ କହିଲେ, "ଆମେ ତ ୟା ଠୁ ଭଲ ଗାଇବୁ। ସମସ୍ତଙ୍କ ତାତ୍ସଲ୍ୟ ଶୁଣି ଗାଇବା ଭୁଲିଗଲା ଘରଚଟିଆ, ଖାଲି ଠିଆ ହେଇ କାନ୍ଦିବାକୁ ଲାଗିଲା। ବୁଲବୁଲ ଅଧା ଗୀତକୁ ପୁରା କଲା।
ଗୀତ ଗାଇ ନ ପାରି କୁନି ଘରଚଟିଆ ଉଡି ଆସିଲା ଅନ୍ୟ ଡାଳକୁ । ସଭା ଠୁ ଦୂରକୁ, ତା ପଛେପଛେ ବୁଲବୁଲ ବି। ଘରଚଟିଆର ମା ଏ ସବୁ ଦେଖୁଥିଲା। ସେ ସଭାକୁ ଆସି ଶୁଆ ପାଖେ ଗୀତ ଗାଇବ ବୋଲି ଅନୁମତି ମାଗିଲା। ଶୁଆ ଘୋଷଣା କଲା, "ଭାଇ ମାନେ ଆମକୁ ପୁଣି ଥରେ ହସିବାକୁ ସୁଯୋଗ ଦେବେ ଘରଚଟିଆ ଦେବୀ" । ଏତିକି କହି ସଭାରୁ ଅପସରି ଗଲା। ଗୀତ ଆରମ୍ଭ କଲା ଘରଚଟିଆ ତା ନିଜସ୍ୱ ଭଙ୍ଗୀରେ। ସେଇ ସୁରରେ ଯାହା ସେ ଶିଖିଥିଲା ନଈରୁ, ପବନରୁ, ଜଙ୍ଗଲରୁ ,ମେଘରୁ। ତା ଗୀତରେ ମନ୍ତ୍ରମୁଗ୍ଧ ହେଲେ ଶ୍ରୋତା। ସମସ୍ତେ ତା ସଙ୍ଗେ ଗାଇ ଉଠିଲେ। ଶୁଆ ବି ଆଶ୍ଚର୍ଯ୍ୟ ହେଲା, ମୟୁର ବେକ ଭାଙ୍ଗି କାନ ଡେରି ଶୁଣୁଥାଏ। ଦୂରରୁ ଶୁଣୁଥିଲେ ବୁଲବୁଲ ଆଉ ତା ସାଙ୍ଗ। ଅନେକ ପ୍ରଶଂସା ମିଳିଲା ତାକୁ। ସେ ଅତି ବିନମ୍ର ଭାବେ ପର ଯୋଡି ସଭାକୁ ପ୍ରଣିପାତ କଲା ବେଶ କୃତଜ୍ଞତାର ସହ ବିଦାୟ ନେଲା। ସଭା ସରିଲା, ଯେ ଯାହା ବସାକୁ ଗଲେ।
ରାତିରେ କୁନି ଘରଚଟିଆ ମା ପାଖକୁ ଯାଇ କହିଲା," ମା ମୋର ଭୁଲ ହେଇ ଯାଇଛି। ମୁଁ ମୋ ନିଜ ସୁର ଛାଡି ପର ସୁରରେ ଗୀତ ଗାଉଥିଲି। ମା ଘରଚଟିଆ ତାକୁ କୋଳେଇ ନେଇ କହିଲା, ଯାହା ଆମକୁ ଏଇ ଜୁଙ୍ଗଲ ଶିଖାଏ, ଯାହା ମାଟି ,ପାଣି , ପବନରେ ଆମେ ବଞ୍ଚୁ। ଯେ ଆମକୁ ଆହାର ଦିଏ, ଆମକୁ ଜୀଇଁବାର ମନ୍ତ୍ର ଦିଏ। ତା ରୂପ,ରସ ,ଗନ୍ଧରେ ଗୋଟେ ନିଆରା ଆପଣା ଭାବ ଥାଏ। ତାକୁ ଆଧାର କରି ତିଆରି ହୁଏ ସଙ୍ଗୀତ। ଯାହା ଆମ ଚାରିପଟେ ଗୁଞ୍ଜରିତ ହୁଏ। ତାକୁ ଧରିପାରିଲେ ସୁର ଲୟ ତାଳର ଆବଶ୍ୟକ ପଡେନି। କାହା ଶୈଳୀକୁ ଅନୁସରଣ କରିବାକୁ ପଡେନି। ନିଜ ଉପରେ ବିଶ୍ୱାସ ଥିଲେ ତୁ ଜଗତ ଜିତିପାରିବୁ। ନିଜର ସ୍ୱତନ୍ତ୍ର ପରିଚୟ ନେଇ ବଞ୍ଚିବା ଶିଖ। କେତେଦିନ ଆଉ ସେ ପରଦେଶୀ ସୁରରେ ଗାଇବୁ। ଆମ ଭାଷା, ଆମ ଭାବଭଙ୍ଗୀ ସତରେ ଖୁବ ମଧୁର। ଏଇ କଥା ତୁ ବୁଝିଯା। ଏହାକୁ ନେଇ ତୁ ଗୀତ ଗା, ଉଡି ବୁଲ ଦେଖିବୁ ତୋତେ ଆଉ ଅପମାନର ଭୟ ରହିବନି। ସବୁ କଥା ଶୁଣି, କୁନି ଘରଚଟିଆ ବୁଝଗଲା, ତା ମା ହିଁ ତା ଶ୍ରେଷ୍ଠ ଗୁରୁ। ସେ ତାକୁ ହିଁ ଅନୁସରଣ କରିବ। ଏତିକି କହି ମାଆ ଗୁଣୁଗୁଣାଉ ଥିଲା ଗୀତ ଟିଏ। ସେ ସୁର ଧରି ଗାଇବାକୁ ଲାଗିଲା । ନୟନଗଡ଼ ଜଙ୍ଗଲ ଶୁଣୁଥିଲା ସେମାନଙ୍କ ଗୀତ।
ଗପ ଶୁଣୁଶୁଣୁ କେତେବେଳୁ ଶୋଇପଡିଛି ପୁପୁଲ। ରାଜୀବ ତା ମଥା ଆଉଁସି କପାଳରେ ଚୁମାଟିଏ ଦେଲେ। ଏତିକି ବେଳେ ବାହାରେ ଗୋଟେ ବରଯାତ୍ରୀ ଡିଜେରେ ଗୀତ ବାଜୁଥିଲା
"ତୁ ମୋ ଲେଲା, ତୋତେ ପ୍ୟାର କରିବି କୁଞ୍ଚମ କୁଞ୍ଚମ... " ବିଥିକା କଡ଼ ଲେଉଟାଇଲେ ସେତେବେଳେ ବିରକ୍ତିରେ। ତକିଆକୁ ଆଣି କାନରେ ମାଡି ଧରିଲେ। ରାଜୀବ ଉଠି ଝରକାକୁ ବନ୍ଦ କଲେ ଭଲକି। ଆଉ ଲାଇଟ ଲିଭେଇ ଅନ୍ଧାର କରିଦେଲେ ଘର।