sushama Parija

Others

3  

sushama Parija

Others

ଭିନ୍ନ ଏକ ପ୍ରେମ କଥା

ଭିନ୍ନ ଏକ ପ୍ରେମ କଥା

5 mins
14.2K


ଆଜି ଅନେକ ବର୍ଷ ପରେ ଈଶ୍ଵରୀକୁ ଦେଖିଲି ଫେସବୁକରେ । ବୟସର ଛାପ ମୁହଁରେ ପଡିଥିଲେ ମଧ୍ୟ ରଙ୍ଗଟା ସେମିତି ଅକ୍ଷୁର୍ଣ୍ଣ ଅଛି । ସେଇ ବନ ହଂସୀ ପରି ସଫେଦ୍ ରଙ୍ଗର ହୃଷ୍ଟପୃଷ୍ଟ ଚେହେରା, ପାୱାର ଚଷମା ଭିତରୁ ବି ସ୍ପଷ୍ଟ ଭାବେ ଦେଖା ଯାଉଛି ସେଇ ଟଣା ଟଣା ନିରୀହ ଆଖି ଦୁଇଟି ଯାହାକୁ ଦେଖି ଦିନେ ପ୍ରେମରେ ପଡିଥିଲା ମୋର ବନ୍ଧୁ ଅତନୁ । ଈଶ୍ଵରୀ ମୁହଁରେ ଆଜି ବି ଲାଖି ରହିଛି ସେଇ ମନ ମୋହିନୀ ହସ ଧାରେ ଯାହା ପାଇଁ ଦିନେ ପାଗଳ ହୋଇଥିଲା ଅତନୁ । ମୁଁ ଆଚମ୍ବିତ ହେଲି ,ଏମିତି କ' ଣ ହୋଇପାରେ ? ଆଜି ବି ଶୋଭା ପାଉଛି ଈଶ୍ଵରୀ ମୁହଁରେ ଯେଉଁ ପ୍ରାଣ ପ୍ରାଚୁର୍ଯ୍ୟର ହସ ସେ କ'ଣ ବିଗତ ଅଠେଇଶ ବର୍ଷ ଭିତରେ କେବେ ବି ମଳିନ ପଡି ନାହିଁ ? କେମିତି ?? କେମିତି ???

ଅତନୁ ଥିଲା ମୋର ସହକର୍ମୀ । ଉଭୟଙ୍କର ନୂଆ ନୂଆ ଚାକିରୀ ଆଉ ସମାନ ବୟସର ହୋଇ ଥିବାରୁ ମୋ ସହ ତା'ର ବନ୍ଧୁତାଟା ବେଶ୍ ଜମିଥିଲା। ଅତନୁର ନାଁ କିନ୍ତୁ ପ୍ରଥମରୁ ଅତନୁ ନଥିଲା, ତା' ନାଁ ଥିଲା ସୁକନ୍ୟା ମହାନ୍ତି । ଚାକିରୀରେ ଯୋଗଦେଇ ଆମ ଝିଅ ମାନଙ୍କ ସାଙ୍ଗରେ ମିଶି ବସୁଥିଲା ସତ କିନ୍ତୁ ତା'ର ବ୍ୟବହାର ଆମ ଝିଅଙ୍କ ଭଳି ନଥିଲା । କେମିତି ଗୋଟାଏ ଖାପଛଡା ପଣ ଥିଲା ତା' ବ୍ୟବହାର । ଆମ ସହକର୍ମୀ ପୁଅ ମାନଙ୍କ ସହିତ ତା' ର ଭଲ ଜମୁଥିଲା। ଆମ ଝିଅ ମାନେ ସେଥିଲାଗି ତାକୁ କମେଣ୍ଟ୍ ବି ମାରୁଥିଲେ । କିନ୍ତୁ ସେ କାହାରିକୁ କିଛି ପ୍ରତି ଉତ୍ତର ଦେଉ ନଥିଲା । ସେ ଥିଲା ପ୍ରଚଣ୍ଡ ମେଧାବୀ ।

ଖୁବ୍ ସୁନ୍ଦର ହସ୍ତାକ୍ଷରରେ ସୁନ୍ଦର ସୁନ୍ଦର କବିତା ବି ଲେଖୁଥିଲା । ତା'ର ଏଇ ନିଆରା ପଣ ଆମ ବନ୍ଧୁତାକୁ ଆହୁରି ପ୍ରଗାଢ କରିଥିଲା । ମୁଁ ଥିଲି ବିବାହିତା ଏବଂ ଗୋଟିଏ ଦଶ ମାସର କନ୍ୟା ସନ୍ତାନର ମାଆ। ତେଣୁ ଶାଶୁଘରେ ଯୌଥ ପରିବାର ସହିତ ରହୁଥିଲି । ଅନେକ ସମୟରେ ଆମେ ଟିଫିନ୍ ଖାଉ ଖାଉ ଘର କଥା ଝିଅ କଥା ଆଲୋଚନା କରୁଥିଲା ବେଳେ ସେ କେମିତି ଅନ୍ୟ ମନସ୍କ ହୋଇ ଯିବାର ଲକ୍ଷ୍ୟ କରୁଥିଲି ମୁଁ। କାରଣ ପଚାରିଲେ ସୁନ୍ଦର ଭାବରେ ଏଡ଼ାଇ ଯାଏ ସୁକନ୍ୟା । ଫିକ୍ କରି ହସି ଦିଏ। ତା'ର ପତଳା ଚେହେରାକୁ ସେ ହସଟା ଭାରି ମାନେ। ଝିଅଙ୍କ ଭଳି ପୋଷାକ ନପିନ୍ଧି ସେ ପୁଅ ମାନଙ୍କ ଭଳି ପ୍ୟାଣ୍ଟ୍ ସାର୍ଟ ପିନ୍ଧେ କିନ୍ତୁ ଲମ୍ବା ବେଣୀଟାଏ ପଛରେ ଝୁଲୁଥାଏ। କଥାରେ ଚାଲିରେ ସବୁଥିରେ ତରତର କିନ୍ତୁ ସବୁ ବେଳେ ଅନ୍ୟ ମନସ୍କ ହେତୁ ପ୍ରାୟତଃ କାମରେ ଭୁଲ୍ କରେ ଆଉ ବସ୍ ଙ୍କ ପାଖରୁ ଗାଳି ଖାଇବାରୁ ବର୍ତ୍ତିବାକୁ ମୋର ସାହାଯ୍ୟ ଲୋଡେ।

ଅଶୀ ଦଶକରେ ମୋବାଇଲ୍ ଫୋନ୍ ର ପ୍ରଚଳନ ନଥିଲା ଓଡିଶାରେ , ତେଣୁ ସେ ପ୍ରତି ପନ୍ଦର ମିନିଟ୍ ରେ ନିଜ ସିଟ୍ ରୁ ଉଠି ଯାଇ ଟେଲିଫୋନ୍ କରେ କାହାକୁ । ମୁଁ ଭାବେ ଘରେ ବୋଧହୁଏ କେହି ଅସୁସ୍ଥ ଅଛନ୍ତି ସେଥିଲାଗି ବାରମ୍ବାର ଫୋନ୍ କରି ତାଙ୍କ ଖବର ବୁଝୁଛି । ଏମିତି କିଛିଦିନ ଗଲା ପରେ ଦିନେ ଆମର ଜଣେ ପୁଅ ସାଙ୍ଗ ଗୁମର ଖୋଲିଲେ। ସୁକନ୍ୟା ତା'ର ଜଣେ ବାନ୍ଧବୀକୁ ପ୍ରାଣରୁ ବଳି ଭଲପାଏ ଏବଂ ଘର ଲୋକେ ଏ କଥାକୁ ବିରୋଧ କରିବାରୁ ସେ ଘର ଛାଡି ଭୁବନେଶ୍ଵରରେ ରହୁଛି ସେଇ ବାନ୍ଧବୀ ସାଥୀରେ । ଏଇ ସତ୍ୟଟି ଅଫିସରେ ଗୋଟିଏ ରୋଚକ ଖବର ହୋଇ ଘୁରି ବୁଲିଲା କାନରୁ କାନକୁ। ସେ ସମୟରେ ଏମିତି ଘଟଣାକୁ କେହି ସାଧାରଣ ଭାବରେ ଗ୍ରହଣ କରୁ ନଥିଲେ । ମହିଳା ସହକର୍ମୀ ମାନେ ଦୂରେଇ ଦୂରେଇ ରହିଲେ , ସେମାନଙ୍କର ସନ୍ଦେହୀ ଦୃଷ୍ଟି ଘୁରି ବୁଲୁଥିଲା ସୁକନ୍ୟାର ଚାରିପଟେ । ପୁରୁଷ ସହକର୍ମୀ ମାନେ ତାକୁ ଅଶ୍ଳୀଳ ମନ୍ତବ୍ୟ ଦେବାକୁ ପଛାଉ ନଥିଲେ କିନ୍ତୁ ତା ' ସହିତ ମୋ ବନ୍ଧୁତାରେ ଏସବୁର କିଛି ପ୍ରଭାବ ପଡୁ ନଥିଲା । ପୂର୍ବବତ୍ ସେ ମୋ ସାଥିରେ ହସ ଖୁସି ଥଟ୍ଟା ମଜା କରୁଥିଲା, ମୋ ସହିତ ଟିଫିନ୍ ସେୟାର୍ କରୁଥିଲା, ସୁଖ ଦୁଃଖ ପଚାରି ବୁଝୁଥିଲା କାରଣ ମୁଁ କେବେ ବି ତା'ର ବ୍ୟକ୍ତିଗତ ଜୀବନରେ ମୁଣ୍ଡ ଖେଳାଉ ନଥିଲି।

ସେଦିନ କ'ଣ ହେଇଥିଲା କେଜାଣି ସେ ଅଫିସ୍ ଆସିଲା ବେଳକୁ ଖୁବ୍ ଦୁଃଖିତ ଆଉ ବ୍ୟତିବ୍ୟସ୍ତ ଜଣା ପଡୁଥିଲା । ଆଖି ଦୁଇଟା ଲାଲ୍ ଦିଶୁଥିଲା ଜଣା ପଡୁଥିଲା ସେ ରାତି ସାରା ଶୋଇ ପାରିନି। ଆଖିରୁ ବାରମ୍ବାର ଜକେଇ ଆସୁଥିବା ଲୁହକୁ ଲୁଚାଇବାକୁ ସେ ଥରକୁ ଥର ଚଷମା କାଢି ପୋଛୁଥିଲା। ମୁଁ ସେଇ ଦିନ ସାହସ ସଂଚୟ କରି ତା'କୁ ଘଟଣା କ'ଣ ବୋଲି ପଚାରିଲି। ନାହିଁ ନାହିଁ କରୁ କରୁ ହଠାତ୍ ମୋ ହାତ ଧରି ଭିଡି ନେଇଗଲା ସେ ଅଫିସ୍ ର ଗୋଟିଏ କଣିକିଆ ରୁମକୁ ଯେଉଁଠି ଅଫିସ୍ ର ଷ୍ଟେସନାରୀ ସବୁ ଷ୍ଟୋର୍ କରା ହୁଏ ସେଇଠିକୁ । ମୋ ହାତ ଦୁଇଟିକୁ ଧରି କାନ୍ଦି କାନ୍ଦି ଲୋଟି ପଡିଲା ସେ। କହିଲା '' ଈଶ୍ଵରୀର ଘର ଲୋକେ ତା'ର ବାହାଘର ଠିକ୍ କରି ଦେଇଛନ୍ତି ଆଉ ଜଣଙ୍କ ସାଙ୍ଗରେ। ଆଠ ଦିନ ପରେ ବାହାଘର, ସେଥିଲାଗି କାଲି ରାତିରେ ସେମାନେ ଈଶ୍ଵରୀକୁ ମୋ ପାଖରୁ ଛଡେଇ ନେଇ ଯାଇଛନ୍ତି ତାଙ୍କ ଘରକୁ। ଈଶ୍ଵରୀ ମୋର ପ୍ରାଣ , ତାକୁ ଛାଡି ମୁଁ ବଂଚି ପାରିବି ନାହିଁ , ସିଏ ବି ମୋ ବିନା ମୁହୁର୍ତ୍ତଟି ବଂଚି ପାରିବ ନାହିଁ। ଆମେ ଦୁହେଁ ମରିଯିବୁ। ମୁଁ କ'ଣ କରିବି କହ ? କ'ଣ କଲେ ଈଶ୍ଵରୀକୁ ପାଇବି ? କ'ଣ କଲେ ଈଶ୍ଵରୀର ଘର ଲୋକେ ଆଉ କାହାକୁ ତାକୁ ସମର୍ପି ଦେବେନାହିଁ ? କଇଁ କଇଁ ହୋଇ କାନ୍ଦୁଥାଏ ସୁକନ୍ୟା ଆଉ ମୁଁ ଦାରୁଭୂତ ମୁରାରି ହୋଇ ଶୁଣୁଥାଏ ତା'କଥା। ସେ ସମୟରେ ଏସବୁ ପ୍ରଶ୍ନର ଉତ୍ତର ଆଜି କାଲି ଭଳି ଏତେ ସହଜ ନଥିଲା । ଏଗୁଡିକ ଅସ୍ପୃଶ୍ୟ ବିଷୟବସ୍ତୁ ଭାବରେ ପରିଗଣିତ ହେଉଥିଲା ଆଉ ତା'ର ସମାଧାନ ମୋ ପକ୍ଷରେ କୌଣସି ମତେ ସମ୍ଭବ ନଥିଲା । ମୁଁ ଉପାୟ ଶୂନ୍ୟ ହୋଇ ବସି ରହିଲି। ସେ କିନ୍ତୁ ବସି ରହିନଥିଲା , ପୃଥିବୀର ଏ କୋଣରୁ ସେ କୋଣ ଯାଏ ଖୋଜି ବୁଲୁଥିଲା ସମସ୍ୟାର ସମାଧାନର ବାଟ।

ଶେଷରେ ତା'ର ପାଗଳ ପ୍ରାୟ ଅବସ୍ଥା ଦେଖି ଆମର ଜଣେ ସିନିୟର ସହକର୍ମୀ ତା'କୁ ସାହାଯ୍ୟର ହାତ ବଢ଼ାଇଲେ। ପଣ୍ଡିଚେରୀର ଜିପ୍ ମର୍ ହସ୍ପିଟାଲରେ କାର୍ଯ୍ୟରତ ତାଙ୍କର ଜଣେ ଡାକ୍ତର ବନ୍ଧୁଙ୍କ ସହିତ ଯୋଗାଯୋଗ କରି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ମାଧ୍ୟମରେ ସମସ୍ୟାର ସମାଧାନର ସୂତ୍ରଟି ବଢାଇ ଦେଲେ । ନବେ ଦଶକରେ ଏମିତି ଏକ ଅପରେସନ୍ ଯେତିକି ବ୍ୟୟ ବହୁଳ ଥିଲା ସେତିକି କଷ୍ଟକର ମଧ୍ୟ । ତଥାପି ଡରି ଗଲା ନାହିଁ ସୁକନ୍ୟା । ଈଶ୍ଵରୀକୁ ଲୁଚି ଲୁଚି ଯୋଗାଯୋଗ କରି ସବୁ କଥା ଜଣାଇଲା ସେ , ତା'ର ଫେରିବା ଯାଏ ଅପେକ୍ଷା କରିବାକୁ କହି ପଣ୍ଡିଚେରୀରେ ପହଞ୍ଚିଲା । ତା 'ପରେ ଚାଲିଲା ତା'ର ଝିଅରୁ ପୁଅ ହେବାର କୁଛ୍ର ସାଧନା । ପାଞ୍ଚ ମାସ ପରେ ଅଫିସ୍ ଆସିଲା ବେଳକୁ ସେ ସୁକନ୍ୟା ମହାନ୍ତିରୁ ପରିବର୍ତ୍ତିତ ହୋଇ ସାରିଥିଲା ଅତନୁ ରାୟରେ। ତା'ର ଶରୀର ଶୁଖି କଣ୍ଟା ହୋଇ ଯାଇଥିଲା , ରଙ୍ଗ ମହଳଣ ପଡି ଯାଇଥିଲା, ବୟକଟ୍ ଚୁଟି କାଟି ସେ ଅବିକଳ ପୁଅଟିଏ ଭଳି ଦିଶୁଥିଲା। ତା'ର ହରମୋନ୍ ଥେରାପି ଚାଲୁଥିଲା । ସେଥିଲାଗି ମୁଣ୍ଡ ଘୁରାଉ ଥିଲା। ବହୁତ କଷ୍ଟରେ ସେ ଅଫିସ୍ କୁ ଆସିଥିଲା ଖାଲି ତା'ର ଏଇ ଲିଙ୍ଗ ପରିବର୍ତ୍ତନର ସାର୍ଟିଫିକେଟ ଆଉ ନାମ ପରିବର୍ତ୍ତନର ଆଫିଡାଭିଟ୍ ଟି ଦାଖଲ କରିବା ପାଇଁ। ଅଫିସ୍ ରେ ସମସ୍ତେ ଧାଇଁ ଯାଇଥିଲେ ତା'କୁ ଏଇ ପରିବର୍ତ୍ତିତ ରୂପରେ ଦେଖିବା ପାଇଁ କିନ୍ତୁ ସେ ଆସିଥିଲା ମତେ ଦେଖା କରିବାକୁ । ତା'କୁ ଦେଖି ମୁଁ କୋହ ସମ୍ଭାଳି ପାରିନଥିଲି , ମୋ ସିଟ୍ ରୁ ଉଠି ଭାଇ ବୋଲି ଡାକି କୁଣ୍ଢାଇ ପକାଇଥିଲି । ଦୁଇ ଜଣଙ୍କର ଲୁହ ଏକ ହୋଇ ବୋହି ଯାଇଥିଲା ସେଦିନ । କିଛି ଦିନ ପରେ ଭଲ ଲାଗିଲେ ଆସି ଅଫିସ୍ ଜଏନ୍ କରିବି କହି ଫେରି ଯାଇଥିଲା ସେ।

ତା' ପରର ଘଟଣା ସବୁ ସାଧାରଣ । ଈଶ୍ଵରୀ ତାଙ୍କ ଘରେ ଜିଦ୍ କରି କୋର୍ଟ ମ୍ୟାରେଜ୍ କରିଥିଲା ଅତନୁକୁ। ଦୁହେଁ ମିଶି ରହୁଥିଲେ ଈଶ୍ଵରୀର ଭୂବନେଶ୍ବରସ୍ଥିତ କ୍ଵାର୍ଟରରେ। କାଳକ୍ରମେ ସେମାନେ ପୋଷ୍ୟ ସନ୍ତାନଟିଏ ଗ୍ରହଣ କରି ତାଙ୍କର ସଂସାରକୁ ପୂର୍ଣ୍ଣ କରିଥିଲେ । ସଂସାର ଜଞ୍ଜାଳରେ ବୁଡି ରହି ଆମେ ଦୁହେଁ ପରସ୍ପରକୁ ଅଧିକାଂଶ ସମୟରେ ଭେଟି ପାରୁ ନଥିଲେ ମଧ୍ୟ ମୁଁ ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ତା'କୁ ରାକ୍ଷୀଟିଏ ପଠାଇବା ପାଇଁ ଭୁଲୁ ନଥିଲି କି ସିଏ ମତେ ଫୋନ୍ ଟିଏ କରି ଦୁଃଖ ସୁଖ ପଚାରି ବୁଝିବାକୁ ଭୁଲୁ ନଥିଲା । ଈଶ୍ଵରୀକୁ ମୁଁ ଭାଉଜ ବୋଲି ସମ୍ବୋଧନ କରୁଥିଲି। ସେଇ ଯୁଗେ ତଳେ ଭାଇ ତା'ର ଛାତି ପକେଟ୍ ରୁ କାଢି ଦେଖାଇଥିବା ଈଶ୍ଵରୀର ସେ ମନଲୋଭା ମୁହଁଟିଏ ଯାବତ୍ ମୋ ମାନସ ପଟଳରେ ଉଜ୍ଜୀବିତ ଅଛି। ମୋ ଭାଇର ସେ ନିଆରା ପ୍ରେମ କାହାଣୀ ମୋ ମନ ଦର୍ପଣରେ ଚିରକାଳ ଲାଗି ପ୍ରତିଭାତ ହେଉଥିବ ।


Rate this content
Log in